ସାହିତ୍ୟ : ସ୍ୱପ୍ନ ଓ ସମ୍ଭାବନା

  • ଗୋଟିଏ ଲେଖକ ଭିତରେ ଦୁଇଟି ଭିନ୍ନ ସତ୍ତା ଦେଖିବାକୁ ମିଳେ। ଗୋଟିଏ ହେଲା ତା’ର ବ୍ୟକ୍ତିସତ୍ତା, ଅନ୍ୟଟି ସୃଷ୍ଟିସତ୍ତା। ସେ ଯେଭଳି ଲେଖେ, ସେଭଳି ଦିଶେ ନାହିଁ।
ଅଧ୍ୟାପକ ବିଶ୍ୱରଂଜନ

ଓଡ଼ିଶାରେ ଆମର ବର୍ଷସାରା ଲାଗି ରହିଥାଏ ନାନା ପ୍ରକାର ପର୍ବପର୍ବାଣି। କୁହାଯାଏ, ବାରମାସରେ ଏଠି ତେର ଯାତ୍ରା। ଗୋଟିଏ ସପ୍ତାହର ସାତ ଦିନ ମଧ୍ୟ କୌଣସି ନା କୌଣସି ଓଷା, ବ୍ରତ ପାଳନ କରିଥାନ୍ତି ଆମ ଘରର ମା’ ଭଉଣୀମାନେ। ନାନା ପୂଜା, ପର୍ବ ଭିତରେ ଓଡ଼ିଆମାନେ ଜୀବନକୁ ଉତ୍ସବମୁଖର କରି ରଖିଥାନ୍ତି। ଏବେ ଏଇ ସବୁ ଧର୍ମୀୟ ରୀତିନୀତି ଓ ପୂଜା ପଦ୍ଧତି ସହ ଯୋଡ଼ି ହୋଇଯାଇଛି ଆଉ ଏକ ପର୍ବ – ସାହିତ୍ୟର ପର୍ବ। ସାହିତ୍ୟର ଉତ୍ସବ। ସାହିତ୍ୟର ମେଳା ଓ ମିଳନ। ଏ ମେଳା ମହୋତ୍ସବର ଆୟୋଜନ ଖାଲି ସାହିତ୍ୟିକ କିମ୍ବା ସାହିତ୍ୟ ଅନୁଷ୍ଠାନ ତରଫରୁ ନୁହେଁ, ବିଭିନ୍ନ ବ୍ୟବସାୟିକ ସଂସ୍ଥା ମଧ୍ୟ ଏଥିରେ ନିଜକୁ ସାମିଲ୍ କରିସାରିଲେଣି। ବ୍ୟବସାୟୀମାନେ ଏବେ ସାହିତ୍ୟକୁ ଲୋଡ଼ିଲେଣି। ସାହିତ୍ୟିକମାନେ ମଧ୍ୟ ନିଜର ପ୍ରଚାର ଓ ପ୍ରସାର ପାଇଁ କର୍ପୋରେଟ୍ ହାଉସ୍‌ର ସହାୟତା ନେଲେଣି। ଏହା ଦ୍ୱାରା ସାହିତ୍ୟର କ’ଣ ଲାଭ ହୋଇଛି, ସାହିତ୍ୟର ସ୍ୱପ୍ନ କେତେଦୂର ସଫଳ ହୋଇଛି କି ନ ହୋଇଛି ତାହା ଭିନ୍ନ କଥା। ମାତ୍ର ସାହିତ୍ୟ ଏବେ ଆଉ ନିଆଶ୍ରୀ ବିଧବାଟି ପରି କାହା ପିଣ୍ଡା ତଳେ ଠିଆ ନ ହୋଇ ନାନା ଅଳଙ୍କାର ମଣ୍ଡିତ ହୋଇ ମଞ୍ଚ ମଣ୍ଡନ କଲାଣି। ସାହିତ୍ୟିକମାନେ ମଧ୍ୟ ରତ୍ନ ସାଉଁଟିଲେଣି। ମଥାରେ ପଗଡ଼ି, ଗଳାରେ ଉତ୍ତରୀୟ ଧାରଣ କରି ଶୋଭାବନ୍ତ ଦିଶିଲେଣି। ମାଛ ଧରୁଥିବା କେଉଟମାନଙ୍କ ଭଳି ସାହିତ୍ୟରେ ମଧ୍ୟ ଜାଲ ବୁଣି ଜାଲ ପକେଇବାକୁ କେଉଟମାନେ ବାହାରି ଆସିଲେଣି। ଛୋଟ କେରାଣ୍ଡି, ମହୁରାଳିରୁ ଆରମ୍ଭ କରି ବଡ଼ ରୋହି, ଭାକୁର ପର୍ଯ୍ୟନ୍ତ ସମସ୍ତେ ଫକ୍‌ଫାକ୍ ଡେଇଁ ଜାଲ ଭିତରେ ପଶିଲେଣି।


ଅନୁଷ୍ଠାନ ଆଉ ପୁରସ୍କାର
ଯେତେ ଅନୁଷ୍ଠାନ, ସେତେ ପୁରସ୍କାର ଓ ସମ୍ମାନ ବିତରଣ। ଅନୁଷ୍ଠାନର ଆୟୁଷ ବର୍ଷକର ହେଉ ବା ଗୋଟିଏ ଦିନର; ଏଥିରେ କିଛି ଯାଏ ଆସେ ନାହିଁ। ସେହିଭଳି ବର୍ଷାଦିନିଆ ଛତୁ ଭଳି ପତ୍ରିକାମାନେ ମଧ୍ୟ ହଠାତ୍ ଫୁଟି ବାହାରି ପଡ଼ନ୍ତି। ସକାଳେ ଫୁଟି ହୁଏତ ସଞ୍ଜରେ ମଉଳି ଯାଇପାରନ୍ତି, ହେଲେ ସେମାନଙ୍କର ଫୁଟିବାକୁ ରୋକିବ କିଏ? ସାହିତ୍ୟର ଭାବରେ ଥାଆନ୍ତି ଯେତେବେଳେ, ସେତେବେଳେ ଫୁଟିବା ତ ସ୍ୱାଭାବିକ। ବିଶେଷକରି ଶରତ କାଳରେ ଯେତେବେଳେ ଜଳଦମାଳ ନୀଳ ଗଗନରେ ଭାସି ବୁଲୁଥାନ୍ତି, କଦବା କେବେ ବର୍ଷା ହୋଇ ଝରି ପଡ଼ୁଥାନ୍ତି ତୃଷାର୍ତ୍ତ ମାଟି ଉପରେ, ସେତେବେଳେ ସାହିତ୍ୟର ଲେଖକ ଓ ପାଠକମାନଙ୍କର ବର୍ଷ ସାରା ପ୍ରତୀକ୍ଷାର ଅନ୍ତ ଘଟେଇ ବିପୁଳ କାୟା କଳେବରରେ ନିଜକୁ ବିଭୂଷିତ କରି ପତ୍ରିକାମାନଙ୍କର ଆବିର୍ଭାବ ଘଟେ। ବର୍ଷସାରା ଅନାହାରରେ ବିତେଇଥିବା ପତ୍ରିକାମାନଙ୍କର ହଠାତ୍ ମେଦବୃଦ୍ଧି ଘଟିଥାଏ। ଏକଥା ଦେଖି ଘଡ଼ିଏ ଆଚମ୍ବିତ ହୋଇ ରହିଯାଆନ୍ତି ଲେଖକ, ପାଠକ ଉଭୟ। ସାରଦିଆ ଫସଲରେ ସାହିତ୍ୟର ଶାରଦୀୟ ଫସଲ ଅମଳ ହେଉଥାଏ। କବିମାନେ ହିସାବ କରୁଥାନ୍ତି, କିଏ କେତେ କବିତା ଲେଖିଲା ପୂଜାସଂଖ୍ୟାରେ – ପଚାଶ ନା ଷାଠିଏ। ଗଳ୍ପକାରମାନେ ସେହି ପରିମାଣରେ ପଛରେ ଥାଆନ୍ତି। ଆଉ ପ୍ରବନ୍ଧକାରମାନେ ତ ହାତଗଣତି। ନିଜର ଚିନ୍ତା, ଚେତନାରେ ଅଧ୍ୟୟନରେ, ଗବେଷଣାରେ ଏତେ ଗହୀରକୁ ଯିବାକୁ ବେଳ କାହିଁ? ତେଣୁ ପୁରୁଣା ଲେଖକମାନଙ୍କ ସାକ୍ଷାତ୍‌କାର, ସେଇ ଏକା ପ୍ରଶ୍ନ, ଏକା ଉତ୍ତରର ପୁନରୁକ୍ତିରେ ପତ୍ରିକାର ପୃଷ୍ଠା ସଂଖ୍ୟା ବଢ଼େ। ଆମର ସାହିତ୍ୟ ସମୃଦ୍ଧ ହେଉଛି ବୋଲି ଯୋଡ଼ିନାଗରା ବାଜେ। ମାତ୍ର ଖୋଜିଲା ବେଳକୁ ଅସଲ ସାହିତ୍ୟ କେଉଁ କୋଣରେ ଯାଇ ମୁହଁ ଲୁଚେଇ ପଡ଼ିଥାଏ।
ଚିତ୍ତ ଭାଇଙ୍କ ଅନ୍ତର୍ବାଣୀ
ପଢ଼ୁଥିଲି ଚିତ୍ତଭାଇଙ୍କ ଦିନଲିପିରୁ ଗୋଟିଏ ପୃଷ୍ଠା। ଚିତ୍ତଭାଇ ଅର୍ଥାତ୍ ଆମ ସାହିତ୍ୟର ନଭମଣ୍ଡଳକୁ ନିଜର ମୌଳିକ ଚିନ୍ତନରେ ପ୍ରଜ୍ଞାଦୀପ୍ତ କରିଥିବା ଚିତ୍ତରଞ୍ଜନ ଦାସ। ଦୃଶ୍ୟମାନ ଏ ଜଗତରୁ ସେ ଅନ୍ତର୍ହିତ ହୋଇଯାଇଥିଲେ ମଧ୍ୟ ତାଙ୍କର ଅନ୍ତର୍ବାଣୀ ଅନେକ ସମୟରେ ପ୍ରତିଧ୍ୱନିତ ହୁଏ ଏହି ଲେଖକର ଭାବ ଜଗତରେ। ସାହିତ୍ୟକୁ ନେଇ ଗୋଟିଏ ଦିନର ଭାବନାରେ ସେ ଲେଖିଥିଲେ ଯେ ସାହିତ୍ୟରେ ଦେଖିବା ହେଉଛି ପ୍ରଧାନ। ଆଗ ଦେଖିବା, ତା’ପରେ ଲେଖିବା। ଦେଖିବାର ଅର୍ଥ ଅନୁଭବ କରିବା, ଅନ୍ତଃପ୍ରବେଶ କରିବା, ଏକାତ୍ମକ ହେବା, ଆପଣାର ବୋଲି ସ୍ୱୀକାର କରିନେବା। ଏଗୁଡ଼ାକ ସବୁ ସମ୍ପ୍ରସାରଣର ପାଠ। ଯେଉଁମାନେ ଦିଅଁ ପୂଜା କରୁ କରୁ ଜାବୁଡ଼ି ଧରନ୍ତି ଓ ତାହାରି ଭିତରେ ହିଁ ଗିଳି ହୋଇ ରହନ୍ତି ସେମାନଙ୍କର ଅସଲ ଦେବତା ଦର୍ଶନ କଦାପି ହୋଇପାରେ ନାହିଁ। ଠିକ୍ ସେହିପରି, ଯେଉଁମାନେ ଖାଲି ଲେଖୁଥାଆନ୍ତି, ଆପଣାକୁ ଫୁଲାଇ ଫୁଲାଇ ଲେଖୁଥାଆନ୍ତି, ଦେଖିବାକୁ ମୋଟେ ମନ କରନ୍ତି ନାହିଁ, ସେମାନଙ୍କର ସକଳ ଦେଖିବା ସେମାନଙ୍କର ଲେଖିବା ଭିତରେ ହିଁ କିଳି ହୋଇ ରହିଯାଏ। ଲେଖିବାର ମାଧ୍ୟମରେ କୌଣସି ଉନ୍ମୋଚନ ଅଥବା ସମ୍ପ୍ରସାରଣ ସମ୍ଭବ ହୁଏ ନାହିଁ। ସେମାନେ ଗଳ୍ପ, କବିତା ଅଥବା ଉପନ୍ୟାସ ପାଖରେ ରହିଯାଆନ୍ତି। ଅସଲ ସ୍ୱର୍ଗ ବା ଅସଲ ପ୍ରବେଶର ସୌଭାଗ୍ୟକୁ ଲାଭ କରିପାରନ୍ତି ନାହିଁ।

ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ

ସେମାନେ କେତେ କୃତ୍ରିମ ଦେଖାଯାଆନ୍ତି। ସେମାନଙ୍କର ଭିତର ବାହାର ସମାନ ନ ଥାଏ। ଆମ ସମସ୍ତଙ୍କର ଚିତ୍ତକୁ ସେମାନେ ଅଭିନୟରେ ଏପରି ଭୁଲାଇନେବାକୁ ବସନ୍ତି ଯେ, ସେମାନଙ୍କର ଅନ୍ତର୍ଜୀବନ ବୋଲି ପ୍ରକୃତରେ କିଛି ଅଛି ବୋଲି ଆମେ ଭାବିବାକୁ ମଧ୍ୟ ଭୁଲିଯାଇଥାଉ। ସେମାନେ କ୍ରମେ ଆମକୁ ଗୋଟାଏ ଗୋଟାଏ ମୁଖା ପରି ପ୍ରତୀତ ହୁଅନ୍ତି। ସେମାନେ ବି ଜୀବନଯାକ ସମ୍ଭବତଃ ସେହି ମୁଖା ପିନ୍ଧି ରହିଯାଆନ୍ତି। ସାହିତ୍ୟ ଆହ୍ୱାନ କରେ ମୁହଁରୁ ମୁଖା ସବୁ କାଢ଼ି ଫିଙ୍ଗିଦେବା ପାଇଁ। କାରଣ ସାହିତ୍ୟର ଭୂମିରେ ମୁଖାଧାରୀମାନଙ୍କର କୌଣସି ଭୂମିକା ନ ଥାଏ। ମାତ୍ର ବେଳେବେଳେ ମୁଖା ସବୁ ମୁହଁ ସହିତ ଏମିତି ଜଡ଼ି ହୋଇଯାଇଥାଏ ଯେ, ତାକୁ ଅଲଗା କରିବା ସମ୍ଭବ ହୁଏ ନାହିଁ। ଫଳରେ ଗୋଟିଏ ଲେଖକ ଭିତରେ ଦୁଇଟି ଭିନ୍ନ ସତ୍ତା ଦେଖିବାକୁ ମିଳେ। ଗୋଟିଏ ହେଲା ତା’ର ବ୍ୟକ୍ତିସତ୍ତା, ଅନ୍ୟଟି ସୃଷ୍ଟିସତ୍ତା। ଯେଭଳି ଲେଖେ, ସେଭଳି ଦିଶେ ନାହିଁ। ତା’ର ସୃଜନ-ସୁନ୍ଦର ରୂପଟି ସହିତ ତା’ର ବ୍ୟକ୍ତିରୂପର କୌଣସି ମେଳ ନ ଥାଏ। ଅବଶ୍ୟ ଏକଥା ବାହ୍ୟଦୃଷ୍ଟିରେ ଦେଖିଲେ ଜାଣି ହୁଏ ନାହିଁ। କାରଣ ଏଥିରେ ଥାଏ ମୁଖା ସହିତ ମୁହଁଟି ଯୋଡ଼ି ହୋଇ ରହିବାର ନିଖୁଣ କଳାକାରିତା। ମାତ୍ର ଥରେ ପାଖକୁ ଗଲେ ଲେଖକ ସହିତ ବ୍ୟକ୍ତିଗତ ସ୍ତରରେ ସାକ୍ଷାତ ପରିଚୟ ଘଟିଲେ, ତା’ ଭିତରେ ସଫଳତାର ସହିତ ଆତ୍ମଗୋପନ କରି ରହିଥିବା ଅସଲ ବ୍ୟକ୍ତିସତ୍ତାଟି ପଦାକୁ ବାହାରିପଡ଼େ। ସେତେବେଳେ ତାକୁ ମୁଣ୍ଡରେ ବସେଇ ନାଚୁଥିବା, ତା’ର ଲେଖାପଢ଼ି ଗଦ୍‌ଗଦ୍ ଭାବରେ ବିଭୋର ହୋଇପଡ଼ିଥିବା ସାଧାରଣ ପାଠକଟିର ଭାବ ଓ ଭାବନାରେ ଭୀଷଣ ଆଘାତ ଲାଗେ। ତା’ର ମୋହଭଙ୍ଗ ହୁଏ। ସାହିତ୍ୟ ଓ ସାହିତ୍ୟିକମାନଙ୍କ ପ୍ରତି ତା’ର ଆକର୍ଷଣ କ୍ରମେ ବିକର୍ଷଣରେ ପରିଣତ ହୁଏ।
ଭୟଙ୍କର ପ୍ରାଣୀ
ନିଜର ଏକ ସାକ୍ଷାତକାରରେ କହୁଥିଲେ ଜଣେ ଅନୁଜ କଥାକାର ଯେ, ମଣିଷ ହିସାବରେ ଲେଖକମାନେ ଭାରି ଭୟଙ୍କର ପ୍ରାଣୀ। ସମଧର୍ମା ହେଲେ ବି ପରସ୍ପରକୁ ସେମାନେ ଭଲପାଇ ପାରନ୍ତି ନାହିଁ। ଈର୍ଷା, ଅସହିଷ୍ଣୁତା, ପରଶ୍ରୀକାତରତା, ଗୋଷ୍ଠୀବିବାଦ ପ୍ରଭୃତି ମଣିଷସୁଲଭ ରୋଗରେ ଏମାନେ ଆକ୍ରାନ୍ତ। ଏମାନଙ୍କର ନିକଟତର ହେଲେ ଏମାନଙ୍କ ସୃଷ୍ଟି ସମ୍ଭାର ଉପରେ ସନ୍ଦେହ ଜାତ ହେବ। ଲେଖକର ଲେଖା ପଢ଼ି ରସ ଆସ୍ୱାଦନ କର। ହେଲେ ଲେଖକ ପାଖକୁ ଯାଅ ନାହିଁ। ସେମାନେ ଭାରି ଭୟାନକ। ଏ ପ୍ରକାର ବକ୍ତବ୍ୟର ସର୍ବକାଳୀନ ଓ ସାର୍ବଜନୀନ ସତ୍ୟତା ନ ଥାଇପାରେ, ମାତ୍ର ବର୍ତ୍ତମାନର ସାହିତ୍ୟିକ ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟ କଲେ, ବିଶେଷକରି ଆମ ରାଜ୍ୟରେ, କଥାଟିକୁ ପୂରାପୂରି ମିଛ ବା ଭ୍ରମାତ୍ମକ କହି ଉଡ଼େଇ ଦିଆଯାଇପାରିବ ନାହିଁ। କଥା ହେଲା, ଦଳୀୟ ରାଜନୀତିରେ ଥିବା ନୀତିହୀନ ନେତା, ଯେଉଁମାନଙ୍କର ମୁଖନିଃସୃତ ମଧୁର ପ୍ରତିଶ୍ରୁତି ହେଉଛି ପ୍ରତାରଣାର ଅନ୍ୟ ନାମ କିମ୍ବା ଧର୍ମାତ୍ମାର ଶୁଭ୍ର ସଫେଦ ଆବରଣ ଭିତରେ ଧର୍ମବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଛଦ୍ମବେଶୀମାନଙ୍କ କଥା ବୁଝି ହେଉଛି। କାରଣ ସେମାନେ ନିଜ ମୁହଁ ବଦଳରେ ମୁଖାଶ୍ରିତ ହୋଇ ରହିବାକୁ ବେଶି ପସନ୍ଦ କରନ୍ତି। ମାତ୍ର ସାହିତ୍ୟରେ ଛଦ୍ମବେଶ? ଏହାଠାରୁ ବଳି ଭୟଙ୍କର କଥା ଆଉ କିଛି ହୋଇ ନ ପାରେ।
ସାହିତ୍ୟରେ ଆପଣାର ବେଶ ଓ ବାସ ଭିତରେ କୌଣସି ଭିନ୍ନତା ନ ଥାଏ। ଭିନ୍ନତା ନ ଥାଏ ଅନ୍ତର୍ଗତ ଭାବ ଓ ଅଭିବ୍ୟକ୍ତିରେ। ଅଭିବ୍ୟକ୍ତି ଓ ଅଙ୍ଗୀକାର ଭିତରେ। ଯାହା ବ୍ୟକ୍ତ କରୁଛ, ସେଥିପ୍ରତି ଅଛି ତ ପ୍ରତିବଦ୍ଧତା? ଯାହା ବ୍ୟକ୍ତ କରୁଛ, ସେଥିପ୍ରତି ଅଛି ତ ଅନ୍ତରର ଅନୁମୋଦନ? ଅଛି ତ ଆବେଗ ଓ ଅନୁରାଗ? ଏପର୍ଯ୍ୟନ୍ତ ଆମେ ସେହି ସବୁ କଥା କହିଆସିଛୁ ଆମର ସଭାମାନଙ୍କରେ। ଉଚ୍ଚସ୍ୱରରେ କହିଲୁ, କହିଲାବେଳେ ବେଶ୍ ପ୍ରଗଳ୍ଭ ହେଲୁ। କେତେବେଳେ ବିଦ୍ରୋହୀ ଭାବରେ ଅଗ୍ନିବୀଣାରେ ଝଙ୍କୃତ ହେଲୁ ତ, କେତେବେଳେ ପ୍ରେମ ଭାବରେ ବଂଶୀବାଦନ କଲୁ। ବିରହରେ ଅଶ୍ରୁ ବିସର୍ଜନ କଲୁ। ଆମ କହିବାର ଚମତ୍କାର ଢଙ୍ଗରେ ଶ୍ରୋତାମାନଙ୍କୁ ମୁଗ୍ଧ ଓ ମୋହିତ କରିପକେଇଲୁ। ଅଭିବ୍ୟକ୍ତିରେ ଆମର ବିହ୍ୱଳତା ଦେଖି ସେମାନେ ବି ବିଭୋର ହୋଇପଡ଼ିଲେ। ଉଚ୍ଛ୍ୱସିତ ଅଭିବାଦନ ଓ କରତାଳି ପାଇବାରେ ଆମେ ସମର୍ଥ ହେଲୁ। ସଫଳ ମଧ୍ୟ ହେଲୁ। ମାତ୍ର ଏ ପ୍ରକାର ସଭା-ସଫଳତା ଆମର ଜନଜୀବନକୁ କୌଣସି ପ୍ରକାରେ ଶକ୍ତି ଯୋଗେଇ ପାରିଲା ନାହିଁ। ଆମର ସାମାଜିକ ସ୍ଥିତି ଓ ସମ୍ପର୍କକୁ ସୁଦୃଢ଼ କରିପାରିଲା ନାହିଁ। ସବୁକିଛି ମଞ୍ଚ-ଅଭିନୟ ହୋଇ ରହିଗଲା। ଯେଉଁମାନେ ଆପଣାର ସୃଷ୍ଟିକୁ ନେଇ ବିଭିନ୍ନ ମଞ୍ଚରେ ମହିମାମଣ୍ଡିତ ହେଲେ, ପୁରସ୍କାର ଓ ପ୍ରଶସ୍ତି ସାଉଁଟିବାରେ ଲାଗିଲେ, ସେମାନଙ୍କର ନାହିନାଡ଼ କଟିଗଲା ଆପଣାର ମାଟି ଉପରୁ। ସେମାନେ କେବଳ ମଞ୍ଚ ହିଁ ଲୋଡ଼ିଲେ। ମଞ୍ଚ ଓ ମଣ୍ଡପ। ସଭା ଓ ସମ୍ବର୍ଦ୍ଧନା। ଉତ୍ସବର ଆଡ଼ମ୍ବର ଓ ଉପଚାର।
ସାହିତ୍ୟର ମାଟି ଓ ମଣିଷ
ସାହିତ୍ୟର ମାଟି ଓ ମଣିଷମାନେ ଖୋଜନ୍ତି ଟିକିଏ ଆତ୍ମୀୟତା। ଅନ୍ତରଙ୍ଗତା। ସାହିତ୍ୟକୁ ନେଇ ସଭା ହେଉ, ସମିତିମାନ ଗଢ଼ା ହୁଅନ୍ତୁ। ସଭାସୁନ୍ଦରମାନଙ୍କୁ ଆମନ୍ତ୍ରଣ କରାଯାଉ। ଉତ୍ସବର ଆନୁଷ୍ଠାନିକତା ରହୁ। ମାତ୍ର ଏସବୁ କେଉଁଥିପାଇଁ? ଆପଣାର ଜୀବନକୁ ଅବଗୁଣ୍ଠିତ କରି ରଖିବା ପାଇଁ ନା ନିଜକୁ ପରସ୍ତ ପରସ୍ତ କରି ଖୋଲିଦେବା ପାଇଁ? ଉନ୍ମୋଚନ ନା ସଂକୋଚନ – କ’ଣ ହେବ ସାହିତ୍ୟର ସ୍ୱପ୍ନ? ସାହିତ୍ୟ ମଣିଷ ମଣିଷ ମଧ୍ୟରେ ଥିବା ଦୂରତାକୁ ବଢ଼େଇବ ନାହିଁ। ବରଂ ହ୍ରାସ କରିବାରେ ସହାୟକ ହେବ। ମଞ୍ଚ-ମଣିଷ ଓ ମାଟି-ମଣିଷ ଭିତରେ କୌଣସି ପାର୍ଥକ୍ୟ ଦେଖିବ ନାହିଁ। ବରଂ ସେମାନଙ୍କ ମଧ୍ୟରେ ଅନ୍ତରଙ୍ଗତା ବଢ଼ାଇବ। ସଭିଙ୍କ ସହିତ, ସଭିଙ୍କ ମିତ ଓ ସଭିଙ୍କ ହିତ – ରାଜନୀତିରେ ଏହା ହୁଏତ କେବଳ ସ୍ଳୋଗାନ ହୋଇପାରେ। ମାତ୍ର ସାହିତ୍ୟର ଏହା ହିଁ ହେଉଛି ସ୍ୱଭାବ ଓ ସ୍ୱଲକ୍ଷଣ।
ଉଚ୍ଚ ପିଣ୍ଡାରେ ନିଜର ପିଢ଼ା ଉପରେ ବସି ନିଜକୁ ଜଣେ ପଣ୍ଡିତ ବୋଲି ଘୋଷଣା କରିପାରେ। ଏପରିକି ନିଜର ପଣ୍ଡିତପଣିଆରେ ସେ ନିଜକୁ ପ୍ରତିଷ୍ଠିତ ମଧ୍ୟ କରିପାରେ। ହେଲେ ସାହିତ୍ୟ କ୍ଷେତ୍ରରେ ପାଦ ରଖିଥିବା ଜଣେ ବ୍ୟକ୍ତି ନିଜକୁ ପଣ୍ଡିତ ନୁହେଁ, ପଥିକ କରି ବାଟ ଚାଲିବାରେ ହିଁ ଅଧିକ ଆଗ୍ରହ ରଖିଥାଏ। ସେ ନିଜର ପଦପଦବୀ କିମ୍ବା ପାଣ୍ଡିତ୍ୟକୁ ନେଇ କୌଣସି ଆସ୍ଥାନରେ ଅଟକିଯାଏ ନାହିଁ। ବାନ୍ଧି ହୋଇ ରହେ ନାହିଁ। କାହାରି ପାଖରେ ନିଜକୁ ବନ୍ଧା ପକେଇ ଦିଏ ନାହିଁ। ସେ କେବଳ ଜଣେ ଯାତ୍ରୀ ଭାବରେ ନିଜର ଯାତ୍ରା ଜାରି ରଖିଥାଏ। ଯାତ୍ରା କଲାବେଳେ ତା’ର ଯାତ୍ରାପଥ କେତେ ଦୂର ସୁରକ୍ଷିତ ବା ନୁହେଁ, ତା’ର ବିଚାର ସେ କରେ ନାହିଁ। ଏହି ପଥ ମଧ୍ୟ ନ ହୋଇପାରେ ନିର୍ଦ୍ଦିଷ୍ଟ ଓ ପୂର୍ବ ନିର୍ଦ୍ଧାରିତ। ମହାଜନମାନଙ୍କ ପଥ ଓ ପନ୍ଥାକୁ ମଧ୍ୟ ସେ ଅସ୍ୱୀକାର କରିପାରେ। ଚାଲିଲାବେଳେ ସେ ନିଜର ମଡ଼ାବାଟ ଓ ଅମଡ଼ାବାଟ ମଧ୍ୟରେ କୌଣସି ପାର୍ଥକ୍ୟ ମଧ୍ୟ ଦେଖେ ନାହିଁ। କେବଳ ଚାଲିବା ହିଁ ତା’ର ଧର୍ମ। ତା’ର ଚଲାଭୂଇଁ ହୋଇପାରେ ଦେବାଳୟରୁ ବେଶ୍ୟାଳୟ ଯାଏଁ। ଦାସୀ ଓ ଦେବତାଙ୍କୁ ସେ ସମାନ ଦୃଷ୍ଟିରେ ଦେଖିପାରେ। ଅସଲ କଥା ହେଲା, ଭାବରେ ହିଁ ସେ ବଞ୍ଚେ। ଭାବରେ ହିଁ ବାଟ ଚାଲେ। ଭାବରେ ଅଭାବ ଦେଖିଲେ ବାଟବଣା ହୋଇଯାଏ। ଭାବରେ ଥାଇ ସେ ଭାବର କଥା ହିଁ କହେ। ନିଜର ଭାବ ଓ ଅନୁଭବ ହିଁ ସାହିତ୍ୟର ପ୍ରାଣପୁଞ୍ଜି। ଅନୁଭବ ଥିଲେ କୁହ, ନଚେତ୍ ଚୁପ୍ ହୋଇଯାଆ। ପାଣ୍ଡିତ୍ୟର ପ୍ରଭୁତ୍ୱ ନୁହେଁ, ସାହିତ୍ୟ ଲୋଡ଼େ ଜଣେ ଦରଦୀ ସହଯାତ୍ରୀର ପ୍ରେମ ଓ ବନ୍ଧୁତ୍ୱ।
ବାହ୍ୟ ଆବରଣ
ପ୍ରତ୍ୟେକ ମଣିଷ ଭିତରେ ତା’ର ବାହ୍ୟ ଆବରଣ ଓ ଆଭୂଷଣର ଅନ୍ତରାଳରେ ବନ୍ଧୁଟିଏ ଅପେକ୍ଷା କରି ବସିଥାଏ ଅନ୍ୟ ଜଣେ ବନ୍ଧୁକୁ ଏବଂ ବିନା ସାକ୍ଷାତ୍ ପରିଚୟରେ କେବଳ ସାହିତ୍ୟ ମାଧ୍ୟମରେ ସେ ସେଇ ବନ୍ଧୁଟିକୁ ପାଇପାରେ। ସାହିତ୍ୟ ହିଁ ତା’ ଭିତରେ ବନ୍ଧୁର ବିଶ୍ୱାସ ଓ ଭଲପାଇବା ସୃଷ୍ଟି କରିପାରେ। ମଣିଷ ନିଜେ ନିଜର ବନ୍ଧୁ ହୋଇଯାଏ। ସେଠି ଏକା ରହିଲେ ମଧ୍ୟ ଏକାକୀତ୍ୱର ଅନୁଭବ ଆଉ ଆସେ ନାହିଁ। ବରଂ ସମ୍ପର୍କର ସହସ୍ର ଶାଖା ବିସ୍ତାରିତ ହୋଇଯାଏ। କବିଗୁରୁ ରବୀନ୍ଦ୍ରନାଥଙ୍କ ଭାଷାରେ –
ନିଜ ପାଖେ ଯାଇ ନିଜେ ପହଞ୍ଚିବା
ସବୁଠାରୁ ବେଶି ଦୂର
ବଡ଼ କଠିନ ସେ ଗୀତର ସାଧନା
ସହଜ ଯାହାର ସୁର।
ଦୁଆର ଦୁଆର ବୁଲି ବୁଲି ଆସି
ପଥିକ ପହଞ୍ଚେ ଘରେ
ବାହାର ଦୁନିଆ
ବୁଲି ବୁଲି ଶେଷେ
ଠାକୁର ଅନ୍ତଃପୁରେ।
(‘ଗୀତାଞ୍ଜଳି’ରୁ ଭାଷାନ୍ତର – ହରପ୍ରସାଦ)

ସମ୍ପର୍କର ସମ୍ପ୍ରସାରଣରେ ରହିଛି ସାହିତ୍ୟର ମହତ୍ତ୍ୱପୂର୍ଣ୍ଣ ଭୂମିକା। ସାହିତ୍ୟ ମାଧ୍ୟମରେ ହିଁ ବ୍ୟକ୍ତିଟିଏ ନିଜ ଭିତରେ ଅପରର ଛବି ଦେଖେ। ଅନ୍ୟର ସୃଷ୍ଟି ଭିତରେ ନିଜକୁ ଆବିଷ୍କାର କରେ। ସାହିତ୍ୟର ସ୍ୱପ୍ନ ହେଉଛି ଯୋଡ଼ିବା। ବ୍ୟକ୍ତି ସହିତ ବ୍ୟକ୍ତିକୁ, ଦୂର ସହିତ ନିକଟକୁ, ପୁରୁଣା ସହିତ ନୂଆକୁ, ଅତୀତ ସହିତ ବର୍ତ୍ତମାନ ଓ ବର୍ତ୍ତମାନ ସହିତ ଅନାଗତକୁ ଯୋଡ଼ିବାରେ ସାହିତ୍ୟ ହୋଇଯାଏ ଭାବବନ୍ଧନର ସେତୁଟିଏ। ସମ୍ପର୍କ ଯୋଡ଼ିବା ଓ ଗଢ଼ିବାର ଏଇ ଧାରାରେ ସାହିତ୍ୟ ମଧ୍ୟ ଭାଙ୍ଗେ। ଯାହା ଅସୁନ୍ଦର, ଅସଂସ୍କୃତ, ଅଶୁଭ ଏବଂ ଅସଭ୍ୟତାର ପକ୍ଷଧର, ତାକୁ ଭାଙ୍ଗିବାରେ ସାହିତ୍ୟ ନିଜର ମନ ମୁନକୁ ଏକ କରିଦିଏ। ଯୁଗ ଯୁଗର ସଞ୍ôଚତ ସାମାଜିକ ଆବର୍ଜନା, ପରମ୍ପରା ନାମରେ ଚଳି ଆସୁଥିବା ବିଚାର ଓ ବିଶ୍ୱାସର ବିଭ୍ରାନ୍ତିକୁ ଦୂର କରିବାକୁ ସାହିତ୍ୟ ଆଗେଇଆସେ। ସାହିତ୍ୟ ଆମର ନିଦ ଭାଙ୍ଗେ, ଭୟ ଭାଙ୍ଗେ, ସ୍ଥାଣୁତ୍ୱ ଭାଙ୍ଗେ। ନିଜ ଉପରୁ ତୁଟିଯାଇଥିବା ବିଶ୍ୱାସକୁ ଫେରେଇ ଦିଏ। ସତ୍ୟକୁ ସାମ୍ନା କରିବାକୁ ଶିଖାଏ। ସତ୍ୟର ପ୍ରକାଶ ଓ ପ୍ରତିଷ୍ଠା ପାଇଁ ପ୍ରେରଣା ଦିଏ। ବ୍ୟକ୍ତି ଭିତରେ ଶକ୍ତି ଓ ସାହସ ଭରିଦିଏ। ଅସଲ କଥା ହେଲା, ସାହିତ୍ୟ ଏକ ଅବିଭକ୍ତ ଜୀବନ ବଞ୍ôଚବାକୁ ପ୍ରେରଣା ଦିଏ। ସାହିତ୍ୟର ଭିତରେ ଗୋଟାଏ ସ୍ୱପ୍ନ ଏବଂ ସାହିତ୍ୟ ବାହାରେ ଆଉ ଗୋଟାଏ ଜୀବନ – ଏଭଳି ଏକ ଅସଂଗତ ଏବଂ ପରସ୍ପର ବିରୋଧୀ ଜୀବନର ଚଳଣିକୁ ସାହିତ୍ୟ ସମର୍ଥନ ଦିଏ ନାହିଁ। ନିଜ ସହିତ ସାଧୁତା ଏବଂ ସତ୍ୟବାଦିତା ହେଉଛି ସାହିତ୍ୟର ସ୍ୱଧର୍ମ। ଏଇ ଦୃଷ୍ଟିରୁ ସାହିତ୍ୟ ହେଉଛି ଏକ ଆହ୍ୱାନ। ସତ୍ୟ ପ୍ରତି ନିଷ୍ଠା, ସୁନ୍ଦରତାର ଆବାହନ ଏବଂ ପ୍ରେମକୁ କେବଳ ପ୍ରାର୍ଥନାର ସଂଗୀତ ନୁହେଁ, ଜୀବନର ଚାହାଣି ଓ ଚଳଣିରେ ଧରି ରଖିବାର ଆହ୍ୱାନ। ମାତ୍ର ଏହି ଆହ୍ୱାନକୁ ଗ୍ରହଣ କରିବାକୁ ସବୁ ଲେଖକ କ’ଣ ସତରେ ପ୍ରସ୍ତୁତ ଥାଆନ୍ତି?
ସାହିତ୍ୟ ବିରୋଧୀ କାରବାର
ସାହିତ୍ୟକୁ ଆଳ କରି ଅନେକ ତ ନାନା ଅସାହିତ୍ୟିକ, ଏପରିକି ସାହିତ୍ୟ ବିରୋଧୀ କାରବାରରେ ମଧ୍ୟ ଲିପ୍ତ ଥାଆନ୍ତି। କହିବାକୁ ଗଲେ ଏକ ପ୍ରକାର ମତ୍ତ ଥାଆନ୍ତି। ମତ୍ତହସ୍ତୀ ଭଳି ସାହିତ୍ୟର ସୁନ୍ଦରବନକୁ ଏମାନେ ଛାରଖାର କରିଦିଅନ୍ତି। ସାହିତ୍ୟରେ ରହି ଏମାନେ କ୍ଷମତା ଲୋଡ଼ନ୍ତି। କ୍ଷମତାର କେନ୍ଦ୍ର ହୋଇରହିବାକୁ ଅଧିକ ପସନ୍ଦ କରନ୍ତି। କିଛି ନ ହୋଇପାରିଲେ କ୍ଷମତାର ଶିବିରରେ ଶରଣାର୍ଥୀ ହୋଇ ରହିଯାନ୍ତି। କ୍ଷମତାର ଶୁଭଦୃଷ୍ଟିରେ ରହିବା ଲାଗି ତା’ର ଜୟଗାନ କରନ୍ତି। ଏହା ଦ୍ୱାରା ଏମାନଙ୍କର କିଛି କ୍ଷତି ହୁଏନାହିଁ। କ୍ଷତି ହୁଏ ସାହିତ୍ୟର। ବିରାଟ କ୍ଷତି, ଯାହାର ଭରଣା କରିବା କେବେ ଆଉ କାହା ଦ୍ୱାରା ସମ୍ଭବ ହୁଏ ନାହିଁ। ବୋଲମାନି ଓ ବାଧ୍ୟ ହୋଇ ଲେଖାଯାଉଥିବା ସାହିତ୍ୟକୁ ଆମେ ସାହିତ୍ୟ କହିବା କି? ନା, ସାହିତ୍ୟକୁ ଏଭଳି ଅପମାନିତ, ଅସମ୍ମାନିତ ହେବାକୁ ଆମେ ଦେବା ନାହିଁ।
ସାହିତ୍ୟ ଆମକୁ ମୁକ୍ତିର ସଂଦେଶ ଦେଉ। ନାନା କାରଣରୁ ଆମ ଭିତରେ ଥିବା ବିବିଧ ବୈଷମ୍ୟର ପାଚେରିକୁ ଭାଙ୍ଗି ମାଟିରେ ମିଶେଇଦେଉ। ଆମ ଭିତରେ ପାରସ୍ପରିକତାର ଭାବବନ୍ଧନର ସୂତ୍ରକୁ ଆହୁରି ଟାଣ କରୁ। ଆମକୁ ସ୍ନେହସିକ୍ତ କରୁ, ସୌହାର୍ଦ୍ଦ୍ୟ ଓ ସଦ୍‌ଭାବ ବଢ଼ାଉ। ଆମର ବ୍ୟକ୍ତିତ୍ୱ ଓ ଅଭିବ୍ୟକ୍ତିକୁ ସରଳ କରୁ, ସୁନ୍ଦର କରୁ। କୌଣସି ପ୍ରକାର ଛଳନା ବା କପଟତା ନୁହେଁ, ସାହିତ୍ୟରେ ପ୍ରତିଧ୍ୱନିତ ହେଉ ଆତ୍ମାର ନିଷ୍କପଟ ଉଚ୍ଚାରଣ। ପ୍ରତିଫଳିତ ହେଉ ଅନ୍ତରଙ୍ଗତାର ନିଖୁଣ ନିର୍ମଳ ଛବି। କେବଳ ରଚନାରେ ନୁହେଁ, ପ୍ରକୃତ ଅର୍ଥରେ ଜୀବନର ଜଳଛବି ହେଉ ସାହିତ୍ୟ। ଭଲପାଇବାର ଭାବରୂପ ନେଇ ଆସୁ ସାହିତ୍ୟ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )

One thought on “ସାହିତ୍ୟ : ସ୍ୱପ୍ନ ଓ ସମ୍ଭାବନା

  1. ସୁନ୍ଦର ଆଲୋଚନାଧର୍ମୀ ନିବନ୍ଧ ।

Leave a Reply

Your email address will not be published. Required fields are marked *