- “ତୁମକୁ କି ମା’କୁ ଯଦି ଏମିତି ଅବସ୍ଥା ଆସେ , ମୁଁ କଣ ଡାକ୍ତରଙ୍କୁ କହିପାରିବି ଯେ ମୋ ବାପା କି ମା’ଙ୍କୁ ଶୁଆଇଦିଅ ? “
ସେ ମୋର କେହି ନଥିଲା। ତା ସହ ମୋର ଦେଖା ମେଲବୋର୍ନ ସହରରେ ଛ’ସାତବର୍ଷ ତଳେ। ପ୍ରଥମ ଦେଖାରେ ତା’କୁ ଭଲପାଇ ବସିଥିଲି। ତା’ର ଅସୁସ୍ଥ ଥିବା ଖବର ପାଇଥିଲି ଦୁଇବର୍ଷ ତଳେ। ମନ ଭଲ ନଥାଏ, କିଛି ଗୋଟାଏ କାମରୁ ଟିକିଏ ଆଡେଇ ଗଲେ ମନେପଡେ ସ୍ଳୋଇ। କେଡେ ସୁନ୍ଦର ସ୍ୱର୍ଣଚମ୍ପା ପରି ରଙ୍ଗ, ନରମ ରୁମର ଚାଦର ଘୋଡିହୋଇ ଆସି ସୋଫାତଳେ ମୋ ପାଦ ଉପରେ ପେଟ ରଖି ଶୋଇଯାଏ। ତା’ର ଶରୀର ସ୍ପର୍ଶରେ ଯେଉଁ ଉଷ୍ମତା ଅନୁଭୁତ ହୁଏ, ମନେ ମନେ ଭାବେ ସାତ ସମୁଦ୍ର ପାରରୁ ଆସିଥିବା ମୋ ପରି ଆଗନ୍ତୁକର ଦୁଃଖ ଲାଘବ କରିବାର ରାସ୍ତା, ସିଏ ଠିକ୍ ବାଛି ନେଇଛି। କଥା କହିପାରୁନି ସିନା, ଆଖିରେ ସବୁ ସୂଚାଇ ଦେଉଛି। ଭାବୁଥାଏ, କେଡେ ସମ୍ବେଦନଶୀଳ ଏ ସ୍ନୋଇ !
ମୋ ନାତିର ପୁଅ, ସାଇର ସେ ସାଙ୍ଗ। ଦୁହେଁ ପ୍ରାୟ ଏକ ସମୟରେ ଏ ଘରକୁ ଆସିଥିଲେ। ସାଇର ଦୁଧବୋତଲ ଦେଖିଲେ ନିଜ ବୋତଲ ଆଣି ଭୁମିରେ କଚାଡେ। ସାଇକୁ କୋଳକୁ ନେଲେ ବାଦକରି ଆସି ଗୋଡରେ ଗୁଡେଇ ହୁଏ। ସାଇକୁ ଡାକିଲେ ସିଏ ଆଗ ଦୌଡିଆସି ବାଟ ଓଗାଳେ। ତାକୁ କାର୍ପେଟ ଉପରକୁ ଯିବା ମନା ଥିବାରୁ, ଖୋଲା ଟାଇଲ ଉପରେ ଠିଆହୋଇ ନିଜର ଅଭିଯୋଗ ଜାହିର କରେ। ତାର ଅଭିଯୋଗ, ଆରୋପ ବୁଝିପାରି ତା ପିଠିକୁ ଆଉଁସି ଦେଲେ ଖୁସି ଯେ ନକହ ! ସବୁ ବୁଝେ ସିଏ। କିଏ ନବୁଝେ ପ୍ରେମର ଭାଷା? ସବୁକଥା ସିଏ ଆଖିରେ କହିଯାଏ।
କିଛି ଦିନହେଲା, ତାର ଡାହାଣ ପଟ ପଛଗୋଡ ଫୁଲିଛି, ଚାଲିପାରୁନି, ବସିବା ଉଠିବାରେ କଷ୍ଟ ଅନୁଭବ କରୁଛି। ଡାକ୍ତର ନାନା ପରୀକ୍ଷା ନିରୀକ୍ଷା କରି କହିଲେ ଯେ ଏହା ‘ଅଷ୍ଟିଓ ଜେନିକ୍ ସାର୍କୋମା’। ମାନେ ବୋନ୍ କ୍ୟାନସର। ଗୋଡଟା ଆମ୍ପୁଟେଟ୍ କରିବାକୁ ହେବ। ତାହାହିଁ କରାଯିବା ସ୍ଥିର ହେଲା। ସାଇ ତାର ଦୁଃଖକୁ ବେଶ ଅନୁଭବ କରୁଥାଏ। ସ୍କୁଲରୁ ଫେରି ଅଧିକ ସମୟ ଦିଏ ତା ପାଖରେ। ଟିକିଏ ଆଉଁସି ଦିଏ, ତା ପାଖରେ ଗପ କରେ, ତା’ ଦୁଧ ବୋତଲ ଆଣି ପିଆଇବାକୁ ଚେଷ୍ଟା କରେ।
ସ୍ନୋଇ ଖାଇବା କମେଇ ଦେଲାଣି ପ୍ରାୟ ! ରୋଗଟା ବଢି ଚାଲିଛି, ସାଇ ବୁଝିପାରେ ନାହିଁ, ତାର ଗୋଟାଏ କୃତ୍ରିମ ଗୋଡକୁ ଲକ୍ଷ୍ୟକରି,ସାଇ ତାର ବାପା ମା’ଙ୍କୁ ପଚାରେ ସ୍ନୋଇର ଗୋଡ କୁଆଡେ ଗଲା? କଟାଯାଇଥିବା ଜାଣି, କାନ୍ଦିଥିଲା ସାଇ। ମୋର ସେ ଗୋଡ ଦରକାର ବୋଲି ଜିଦ୍ ଧରିଥିଲା। “ମୁଁ ସ୍ନୋଇକୁ ଏପରି ଦେଖି ସହିପାରୁନି, ତା ଗୋଡ ଫେରାଇ ଆଣ”, ବୋଲି କହିଥିଲା ସେ। ବାପା ମା’ ଅନେକ ବୁଝାଇବା ପରେ ସାଇ ଚୁପ୍ ହୋଇଥିଲା।
ସେତେବେଳକୁ ସାଇର ଗୋଟିଏ ଭଉଣୀ ଜନ୍ମ ନେଲାପରେ ସାଇର ସମୟ ଦୁହିଁଙ୍କ ଭିତରେ ଭାଗ ହୋଇଗଲା। ସ୍ନୋଇ ର କଷ୍ଟ ବୁଝିପାରେ ସାଇ। ସିଏ କାହିଁକି ସିଧା ଚାଲି ପାରୁନି ଦେଖି, ତାକୁ ଉଠାଇବାକୁ ଚେଷ୍ଟା କରେ, ପାରେନାହିଁ । ସ୍ନୋଇ ଏବେ କେମୋଥେରାପି ନେଉଛି। ଫଳରେ ଦୁର୍ବଳତା ବଢିବାରେ ଲାଗିଛି। ଦେହରୁ ରୁମ ଝଡିଯାଇ ଅସୁନ୍ଦର ଦିଶୁଥାଏ। ସାଇ ଜାଣୁଛି କିଛି ଗୋଟାଏ ଅଘଟଣ ଘଟିଛି ନିଶ୍ଚିତ। ବାପା ମା’ ଚିନ୍ତିତ ଥିବା ଦେଖେ , କିଛି ପଚାରି ପାରେନାହିଁ।
ଏ ମଧ୍ୟରେ କୁନି ମାଉସୀ ର ବାହାଘର ଠିକ୍ ହୋଇଥିବା ଶୁଣି ଭୁବନେଶ୍ୱର ଆସିବାକୁ ପ୍ରସ୍ତୁତ ହେଉଥାନ୍ତି ବାପା ମା’। ସାଇ ର ଚିନ୍ତା ସ୍ନୋଇ ପାଇଁ। କେଉଁଠି ରହିଵ? ସବୁଥର ତାକୁ ଡଗ-ହଷ୍ଟେଲ ରେ ଛାଡି ଯାଆନ୍ତି । ଏଥରକ ତାର ଅବସ୍ଥା ଦେଖିଲେ, କିଏ ରଖିବ? ଗଭୀର ଚିନ୍ତାର ବିଷୟ। ଡାକ୍ତର କହିଲେ, “ତା’କୁ ଶୁଆଇ ଦେବା, ଆଉ ଅନ୍ୟ ରାସ୍ତା ନାହିଁ।” ମା କାନ୍ଦିଥିଲା, ଦେଖିଛି ସାଇ, ବାପା ଚୁପ୍ ଥିଲେ। ଟିକେଟ୍ ହୋଇଛି କାଲି ସକାଳ ଫ୍ଲାଇଟ୍ ରେ ଯିବେ। ସାଇ ଖୁସି ଯେ ଓଡିଶା ଆସୁଛି, ଛୋଟ ଭଉଣୀ ସହ। ସ୍ନୋଇକୁ ସେଇଦିନ ସନ୍ଧ୍ୟାରେ ନେଇ ଡାକ୍ତର ଖାନାରେ ଚିର ନିଦ୍ରାରେ ଶୁଆଇ ଦିଆଗଲା। ସାଇ ଭାବିଛି ଯେ ସ୍ନୋଇ ଯାଇଛି ଚିକିତ୍ସା ପାଇଁ। ବାପା ଫେରିଲା ବେଳକୁ, ଶୋଇ ଯାଇଥିଲା ସାଇ। ସମସ୍ତେ ସକାଳୁ ଓଡିଶା ଆସିଲେ।
କୁନି ମାଉସୀ ବାହାଘର ସାରି ଫେରିଆସି ମେଲବୋର୍ନ ରେ ପହଞ୍ଚି, ସାଇ ବାପାଙ୍କ ସହ ସ୍ନୋଇ ର ହସ୍ପିଟାଲ ଯିବାକୁ ଜିଦ୍ କଲା । ସବୁକଥା ଶୁଣି ପଚାରିଲା, “ତୁମକୁ କି ମା’କୁ ଯଦି ଏମିତି ଅବସ୍ଥା ଆସେ, ମୁଁ କଣ ଡାକ୍ତରଙ୍କୁ କହି ପାରିବି ଯେ ମୋ ବାପା କି ମା’ଙ୍କୁ ଶୁଆଇଦିଅ?” ବାପା, ଆଉ ଅଧିକ କହିବାକୁ ଚାହୁଁ ନଥିଲେ।
ଚମତ୍କାର