ବର୍ଷୀୟାନ ଅନୁବାଦକ ଶଙ୍କରଲାଲ ପୁରୋହିତଙ୍କ ସହିତ ଆଳାପ ଆଲୋଚନା

  • ଲେଖକ ଯେଉଁ ଭାଷାରେ ଓ ଯେଉଁ ଭାବରେ ପାଠକକୁ ସମ୍ବୋଧନ କରିବାକୁ ଚାହୁଁଛନ୍ତି, ତା ‘ ପ୍ରତି ମୋତେ ଯଥାର୍ଥ ନ୍ୟାୟ କରିବାକୁ ପଡ଼ିବ । “

ଡ. ଶଙ୍କରଲାଲ ପୁରୋହିତ ଓଡ଼ିଶା ତଥା ଭାରତର ଅନୁବାଦ ସାହିତ୍ୟ ଜଗତରେ ଏକ ଅଗ୍ରଗଣ୍ୟ ନାମ। ୧୯୪୦ ମସିହାରେ ଜନ୍ମିତ ଏହି ମହାନ ସାରସ୍ୱତ ବ୍ୟକ୍ତିତ୍ୱ ଦୁଇଶହରୁ ଅଧିକ ଓଡ଼ିଆ ସାହିତ୍ୟ କୃତିକୁ ହିନ୍ଦୀରେ ଅନୁବାଦ କରି ଆମର ସାହିତ୍ୟ ସମ୍ଭାରକୁ ରାଜ୍ୟ ବାହାରେ ପରିଚିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ମଧ୍ୟ ପ୍ରାୟ ବାରଗୋଟି ମୌଳିକ ଗ୍ରନ୍ଥର ସ୍ରଷ୍ଟା। ସେ ‘ପରଜା’ ଉପନ୍ୟାସର ହିନ୍ଦୀ ଅନୁବାଦ ପାଇଁ ୨୦୧୦ ମସିହାରେ ସାହିତ୍ୟ ଏକାଡେମୀର ସମ୍ମାନଜନକ ଅନୁବାଦ ପୁରସ୍କାରରେ ଭୂଷିତ ହୋଇଥିଲେ। ୧୯୬୮ ମସିହାରୁ ଜଣେ ହିନ୍ଦୀ ଅଧ୍ୟାପକ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭ କରି ୧୯୯୮ ମସିହାରେ ଭୁବନେଶ୍ୱର ସ୍ଥିତ ବି.ଜେ.ବି କଲେଜରୁ ସେ ଅବସର ଗ୍ରହଣ କରିଛନ୍ତି। ତାଙ୍କର ସାରସ୍ୱତ ଜୀବନ ସମ୍ପର୍କରେ ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଓଡ଼ିଶାର ଜଣେ ପ୍ରବୀଣ ତଥା ଅଗ୍ରଣୀ ଅନୁବାଦକ ଭାବରେ ଅନୁବାଦ କଳା ବିଷୟରେ ଆପଣଙ୍କ ମତ ବହୁତ ମୂଲ୍ୟ ରଖେ। ଆପଣ ଥରେ କହିଥିଲେ ଯେ ଅନୁବାଦକ ହେଉଛି ଯଶୋଦାଙ୍କ ଭଳି, ଯିଏ କହ୍ନେଇଙ୍କୁ ଆପଣେଇ ତା’ଙ୍କ ଦ୍ୱାରା କଂସଙ୍କର ବଧ କରିଦେଇପାରନ୍ତି। ପ୍ରକୃତରେ ଜଣେ ଅନୁବାଦକ କ’ଣ ଏତେ ଶକ୍ତିଶାଳୀ?
ଶଙ୍କରଲାଲ ପୁରୋହିତ: ଦେଖନ୍ତୁ, ଅନୁବାଦକ କ’ଣ କରେ? ଜନ୍ମ ଦେଲା କିଏ? ଦେବକୀ। ତା’ଠାରୁ ସେ ଜନ୍ମ ଲାଭ କରେ ସତ, ତା’ପରେ କିନ୍ତୁ ଚାଲିଯାଏ ଯଶୋଦାଙ୍କ ପାଖକୁ। ଅନୁବାଦକ ହୁଏତ ଶିଶୁଟିକୁ ପ୍ରସବ କରେନାହିଁ, କିନ୍ତୁ ସେ ତା’କୁ ଖାଇବା-ପିଇବାକୁ ଦେଇ ଲାଳନପାଳନ କରେ, ଯତ୍ନ ନିଏ।
ସାହିତ୍ୟ ଚର୍ଚ୍ଚା: ଅନୁବାଦକର ଭୂମିକା କ’ଣ ଜଣେ ଲେଖକଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ?
ଶଙ୍କରଲାଲ ପୁରୋହିତ: ନାହିଁ, ହେଲେ ଆମେ କହିପାରିବା ଯେ ଗୋଟିଏ ଅନୁବାଦିତ ଲେଖା ପାଇଁ ଅନୁବାଦକ ହେଉଛି ଉତ୍ତରଦାୟୀ। ଅନୁବାଦକ ଗୋଟିଏ ‘ଫିଲ୍ଟର୍‌’। ସେପଟୁ ଓଡ଼ିଆ, ଏପଟେ ହିନ୍ଦୀ – ମଝିରେ ଅନୁବାଦକ। ଯଦି ଫିଲ୍ଟରିଂ ଠିକ୍ ଭାବରେ ନ ହୁଏ ତେବେ ଅଡୁଆ ହୋଇଯାଏ ଆଜ୍ଞା! ଗାଈ ଖାଏ କ’ଣ? ଘାସ; କିନ୍ତୁ ଦିଏ କ୍ଷୀର। ତେଣୁ ଏହି ଫିଲ୍ଟରିଂ କାମଟି ବେଶ୍ ଗୁରୁତ୍ୱପୂର୍ଣ୍ଣ।
ସାହିତ୍ୟ ଚର୍ଚ୍ଚା: ତେବେ ଅନୁବାଦକଟିଏ ଅନ୍ୟ ଜଣେ ସ୍ରଷ୍ଟାଙ୍କ ଖୋଳପା ଭିତରେ ପଶି ଲେଖିବା କେତେ କଷ୍ଟଦାୟକ?
ଶଙ୍କରଲାଲ ପୁରୋହିତ: ତା’ର ଆତ୍ମା ଭିତରେ ପ୍ରବେଶ କରିବାକୁ ପଡ଼େ। ଅନୁବାଦକ ଦେଖିବ ଯେ ଲେଖକ କ’ଣ ପାଇଁ ଲେଖିଛି? ତା’ର ଭାଷାଟି କେଉଁ ଢାଞ୍ଚାର? ଧରନ୍ତୁ ଜଣେ ସ୍ରଷ୍ଟା ଗାଉଁଲି ଭାଷାରେ ଲେଖିଛନ୍ତି, ତା’କୁ ମୁଁ କ’ଣ ଶୁଦ୍ଧ ଓ ସମ୍ଭ୍ରାନ୍ତ ହିନ୍ଦୀରେ ଲେଖିପାରିବି? ଲେଖକ ଯେଉଁ ଭାଷାରେ ଓ ଯେଉଁ ଭାବରେ ପାଠକକୁ ସମ୍ବୋଧନ କରିବାକୁ ଚାହୁଁଛନ୍ତି, ତା’ ପ୍ରତି ମୋତେ ଯଥାର୍ଥ ନ୍ୟାୟ କରିବାକୁ ପଡ଼ିବ।
ସାହିତ୍ୟ ଚର୍ଚ୍ଚା: ଏହା ହୋଇ ନ ପାରିଲେ ବୋଧହୁଏ ଅନୁବାଦର ଲକ୍ଷ୍ୟ ବିଫଳ ହୋଇଯାଏ।
ଶଙ୍କରଲାଲ ପୁରୋହିତ: ହଁ, ବିଫଳ ହୋଇଯାଏ। ଆପଣଙ୍କୁ କଥାଟିଏ କହେ; ଓଡ଼ିଶାର ଜଣେ ସ୍ୱନାମଧନ୍ୟ କବିଙ୍କର କବିତା ପୁସ୍ତକକୁ ଅନୁବାଦ କରିବା ପାଇଁ ମୋତେ ଏବଂ ସମସାମୟିକ ଜଣେ ବିଶିଷ୍ଟ ଅନୁବାଦକ, ଉଭୟଙ୍କୁ ଯୌଥ ଭାବରେ ଦାୟିତ୍ୱ ଦିଆଗଲା। ଅର୍ଥାତ୍ ମୁଁ କଲି ଅଧେ, ଏବଂ ସେ କଲେ ବାକି ଅଧକ। ମୋର ଅନୁବାଦଟି ହୋଇଥିଲା ସରଳ ଗ୍ରାମୀଣ ଭାଷାରେ। କିନ୍ତୁ ତାଙ୍କର ଅଂଶଟି ହୋଇଥିଲା ଉଚ୍ଚାଙ୍ଗ ସାହିତ୍ୟିକ ଭାଷାରେ। ଫଳରେ ବହିଟି ଯେତେବେଳେ ଜ୍ଞାନପୀଠ ପୁରସ୍କାର ପାଇଁ ବିଚାରକୁ ଗଲା, କାଟ ଖାଇଗଲା।
ସାହିତ୍ୟ ଚର୍ଚ୍ଚା: ଆପଣ ଦୁହେଁ କରିଥିବା ସେହି ଅନୁବାଦଟି କ’ଣ ଏବେ ପୁସ୍ତକ ଭାବରେ ଉପଲବ୍ଧ ଅଛି?
ଶଙ୍କରଲାଲ ପୁରୋହିତ: ନା, ଆଉ ତାହା ଛପା ହେଲାନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ ଟିକକ ଆଗରୁ ଯେ କହିଲେ, ଜଣେ ସ୍ରଷ୍ଟାର ଖୋଳପା ଭିତରକୁ ପଶି, ତା’ର ଚିନ୍ତନ ଧାରାରେ ନିଜକୁ ସାମିଲ୍ କରିବାରେ ହିଁ ଥାଏ ଜଣେ ଅନୁବାଦକର ସାର୍ଥକତା। ଏହା ତ ଅତ୍ୟନ୍ତ କଷ୍ଟସାଧ୍ୟ। ଏଣୁ ବୋଧହୁଏ ଆଜିକାଲି ଅନେକ ଅନୁବାଦକ କହନ୍ତି ଯେ ସେମାନେ ଅନୁବାଦ ନ କରି କେବଳ ଅନୁସୃଜନ କରୁଛନ୍ତି। ଏହା ମୂଳ ଲେଖାଠାରୁ ବିଚ୍ୟୁତ ହେବା ପାଇଁ ଏକ ପ୍ରକାର ଲାଇସେନ୍ସ ଭଳି ନୁହେଁ କି?

ଶଙ୍କରଲାଲ ପୁରୋହିତ: ମୂଳ ଲେଖାରୁ ବିଚ୍ୟୁତ ହେବା ପାଇଁ ସେମାନଙ୍କର ଅଧିକାର ନାହିଁ। ତେବେ ତୁମେ ସୃଜନ କରୁନାହଁ! ତୁମର ଯଦି ଏତେ ଯୋଗ୍ୟତା ଅଛି, ଯେ ତୁମେ ଅନୁସୃଜନ କରିପାରିବ, ତେବେ ସୃଜନ ବି କରିପାରିବ।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର କୌଣସି ସୃଷ୍ଟିକୁ ଅନୁସୃଜନ ବୋଲି କହିନାହାନ୍ତି?
ଶଙ୍କରଲାଲ ପୁରୋହିତ: ନା।
ସାହିତ୍ୟ ଚର୍ଚ୍ଚା: ଆପଣ ଗଦ୍ୟ ଓ ପଦ୍ୟ, ଉଭୟକୁ ଅନୁବାଦ କରିଛନ୍ତି ଓଡ଼ିଆରୁ ହିନ୍ଦୀକୁ। ଏ ଦୁଇଟି କରିବାର ଅନୁଭୂତି ଭିତରେ ମୂଳ ପାର୍ଥକ୍ୟଟି କ’ଣ ଅନୁଭବ କରିଛନ୍ତି?
ଶଙ୍କରଲାଲ ପୁରୋହିତ: ପଦ୍ୟରେ ତାହାର ଛନ୍ଦ ହେଉଛି ଗୁରୁତ୍ୱପୂର୍ଣ୍ଣ। ଓଡ଼ିଆ କାବ୍ୟରେ ଛନ୍ଦର ଯେଉଁ ଲାଳିତ୍ୟ ଅଛି, ହିନ୍ଦୀରେ ତାହା ନାହିଁ। ଏହା ମୋର ଅନୁଭବ।
ସାହିତ୍ୟ ଚର୍ଚ୍ଚା: ତା’ହେଲେ କବିତାର ଅନୁବାଦ ଅଧିକ କଷ୍ଟସାଧ୍ୟ!
ଶଙ୍କରଲାଲ ପୁରୋହିତ: ହଁ ଯେ, ତା’ ବୋଲି ଓଡ଼ିଆ ଗଦ୍ୟରେ କ’ଣ ଲାଳିତ୍ୟ ନାହିଁ? ଅଛି। ସେଇ ଲାଳିତ୍ୟଟିକୁ ହିନ୍ଦୀ ବା ଅନ୍ୟ ଭାଷାରେ ଉତ୍ତାରି ଆଣିବା ଅତି ଦୁରୂହ।
ସାହିତ୍ୟ ଚର୍ଚ୍ଚା: ଅନୁବାଦକୁ କ’ଣ ଆମେ ଏକ ସୃଜନଶୀଳ ସାହିତ୍ୟ ବୋଲି କହିପାରିବା?
ଶଙ୍କରଲାଲ ପୁରୋହିତ: ହଁ, ଏହାକୁ ଏଇଥିପାଇଁ ସୃଜନଶୀଳ ବୋଲି କୁହାଯାଇଛି ଯେ, ଜଣେ ଅନୁବାଦକ ନିଜେ ସୃଜନଶୀଳ ନ ହେଲେ ଭଲ ଅନୁବାଦ କରିପାରିବ ନାହିଁ।
ସାହିତ୍ୟ ଚର୍ଚ୍ଚା: ଗୋପୀନାଥ ମହାନ୍ତିଙ୍କ ‘ମାଟିମଟାଳ’ ଆପଣଙ୍କର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅନୁବାଦ କୃତି। ଏହି ପୃଥୂଳକାୟ ଉପନ୍ୟାସଟିକୁ ଅନୁବାଦ କରିବା ପାଇଁ ଆପଣଙ୍କୁ ତ ଅନେକ ଧୈର୍ଯ୍ୟ ଓ ଅନେକ ସମୟର ଆବଶ୍ୟକତା ପଡିଥିବ!
ଶଙ୍କରଲାଲ ପୁରୋହିତ: ବିଶ୍ୱାସ କରିପାରିବେ କି ଯେ ଅନୁବାଦ କ୍ଷେତ୍ରରେ ମୁଁ ସେତେବେଳେ ଜଣେ ନବାଗତ ଥିଲି! ଅନୁବାଦଟିଏ କରିବା ପାଇଁ ମୋ’ର ସେତେ ପୋଖତପଣିଆ ଆସି ନ ଥିଲା। କିନ୍ତ ମୋ’ର ସୌଭାଗ୍ୟ ଯେ ମୋତେ ସେତେବେଳେ ଗୋପୀନାଥ ମହାନ୍ତିଙ୍କ ଭଳି ଜଣେ ପିତୃତୁଲ୍ୟ ସାହିତ୍ୟିକଙ୍କର ସହଯୋଗ ମିଳିଲା। ମୁଁ ଲେଖିଥିବା ପ୍ରତ୍ୟେକଟି ଶବ୍ଦ ଗୋପୀବାବୁଙ୍କ ଦ୍ୱାରା ସାର୍ଟିଫାଏଡ୍ ହୋଇଥିଲା।
ସାହିତ୍ୟ ଚର୍ଚ୍ଚା: ଅର୍ଥାତ୍ ସେ ନିଜେ ଆପଣଙ୍କର ଦିଗ୍‌ଦର୍ଶକ ସାଜିଥିଲେ?
ଶଙ୍କରଲାଲ ପୁରୋହିତ: ହଁ, ଧରନ୍ତୁ, ‘ରବି ଚାଲିଛି’। ଏହାକୁ ପରିପ୍ରକାଶ କରିବା ପାଇଁ ଯେଉଁ ବାକ୍ୟଟି ବ୍ୟବହାର ହୋଇଛି ତାହା ହେଲା ୨୨ ଧାଡିର। ଏତେ ବଡ଼ ବାକ୍ୟଟିକୁ ଯଥାବତ୍ ଅନୁବାଦ କରିବାପାଇଁ ମୁଁ ଥିଲି ଅସମର୍ଥ। ଗୋଟିଏ ସମ୍ପୂର୍ଣ୍ଣ ପୃଷ୍ଠାକୁ ଆବୋରି ବସିଥିବା ସେହି ୨୨ ଧାଡ଼ିର ବାକ୍ୟଟିକୁ ମୁଁ ପ୍ରାୟ ୩୦ଟା ବାକ୍ୟରେ ଭାଙ୍ଗିଲି। ମୁଁ ତ କହିବି ଯେ ଗୋପୀବାବୁଙ୍କ ଭଳି ଜଣେ ଭାଷାପଟୁ ଲେଖକ ଭାରତୀୟ ସାହିତ୍ୟରେ ଦୁର୍ଲଭ।
ସାହିତ୍ୟ ଚର୍ଚ୍ଚା: ଗୋପୀନାଥ ମହାନ୍ତିଙ୍କର ଆଉ ଏକ ଉପନ୍ୟାସ ‘ପରଜା’ର ହିନ୍ଦୀ ଅନୁବାଦ ପାଇଁ ଆପଣ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଆପଣ ଏହାକୁ ନିଜର ଶ୍ରେଷ୍ଠ ଅନୁବାଦ କୃତି ବୋଲି କହିବେ କି?
ଶଙ୍କରଲାଲ ପୁରୋହିତ: ଏହା ମୋତେ ବହୁତ ଆନନ୍ଦ ଦେଇଥିଲା। ଶ୍ରେଷ୍ଠ କି ନୁହଁ ସେକଥା ତ ପାଠକେ କହିବେ।

ସାହିତ୍ୟ ଚର୍ଚ୍ଚା: ଗତବର୍ଷ ଡ. ମହତାବଙ୍କର ‘ଓଡ଼ିଶା ଇତିହାସ’ର ଆପଣଙ୍କ କୃତ ହିନ୍ଦୀ ଅନୁବାଦ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଶୁଣାଯାଏ ଯେ ସେହି ଅବକାଶରେ ପ୍ରଧାନମନ୍ତ୍ରୀ ଆପଣଙ୍କ ଉଦ୍ଦେଶ୍ୟରେ ମନ୍ତବ୍ୟ ଦେଇଥିଲେ, “ପୁରୋହିତ୍ ଜୀ, ହିନ୍ଦୀ ଆପ୍‌କି ଆଭାରୀ ହୈ। ଆପ୍‌ନେ ହିନ୍ଦୀ କି ବଡୀ ସେବା କୀ ହୈ।” ଏହା ଶୁଣି କ’ଣ ଅନୁଭବ ହୋଇଥିଲା ଆପଣଙ୍କର?
ଶଙ୍କରଲାଲ ପୁରୋହିତ: ଏ ବହିରୁ ମୁଁ ଯେତିକି ମାଇଲେଜ୍ ପାଇଛି, ଅନ୍ୟ କୌଣସି ବହିରୁ ସେତିକି ପାଇନାହିଁ। ପ୍ରଧାନମନ୍ତ୍ରୀ ଏକଥା କହିଲେ, କାରଣ ସେ ମହତାବଙ୍କର ‘ଓଡ଼ିଶା ଇତିହାସ’କୁ ଜାଣିଛନ୍ତି। ଜରୁରିକାଳୀନ ପରିସ୍ଥିତି ଜାରି ହେବା ବେଳକୁ ମୋଦି ଓଡ଼ିଶା ଆସି ମହତାବଜୀଙ୍କ ପାଖରେ ରହିଥିଲେ। ତେଣୁ ସେ ଆନନ୍ଦିତ ଥିଲେ ଯେ ମହତାବଙ୍କର ସେହି ବହିଟି ଅନୁବାଦିତ ହେଲା। ସେଦିନ ମଞ୍ଚରେ ବହିଟି ବିଷୟରେ ମନ୍ତବ୍ୟ ଦେବା ପୂର୍ବରୁ ସେ ତାହାର କିଛି ପୃଷ୍ଠା ପଢ଼ିସାରିଥିଲେ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ଦୁଇଶହରୁ ଅଧିକ ବହି ଓଡ଼ିଆରୁ ହିନ୍ଦୀରେ ଅନୁବାଦ କରିଛନ୍ତି। ଏ ଦୃଷ୍ଟିରୁ ଓଡ଼ିଆ ସାହିତ୍ୟକୁ ବାହାରେ ପରିଚିତ କରାଇବା ପାଇଁ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ତେବେ ଆପଣ କ’ଣ ଭାବନ୍ତି ଯେ ଆମ ଭାଷାରୁ ହିନ୍ଦୀକୁ ଆହୁରି ଅନେକ ବହି ଅନୁବାଦିତ ହେବାର ଅଛି?
ଶଙ୍କରଲାଲ ପୁରୋହିତ: ସତ କହିବାକୁ ଗଲେ, ହିନ୍ଦୀଟା ଅନୁବାଦିତ ପୁସ୍ତକ ପାଇଁ ଏକ ବିରାଟ ଭାଷା। ତା’ ଉପରେ ଏହି ଅନୁବାଦର ଚାପ ବହୁତ ଅଛି। ତାମିଲ୍‌, ତେଲୁଗୁ, ମାଲୟାଲାମ୍‌, ମରାଠି ଆଦି ବହୁ ଭାଷାର ରାଶି ରାଶି ବହି ହିନ୍ଦୀକୁ ଅନୁବାଦ ହେଉଛି।
ସାହିତ୍ୟ ଚର୍ଚ୍ଚା: ଆପଣ କହିବାର କଥା, ଅନେକ ସାହିତ୍ୟିକ ଚାହାନ୍ତି ଯେ ସେମାନଙ୍କ ବହି ହିନ୍ଦୀକୁ ଅନୁବାଦିତ ହେଉ।
ଶଙ୍କରଲାଲ ପୁରୋହିତ: ହଁ, ଏବଂ ଏହା ସ୍ୱାଭାବିକ।
ସାହିତ୍ୟ ଚର୍ଚ୍ଚା: ଆମ ସହିତ ଆଜିର ଏହି ଉପଯୋଗୀ ଆଲୋଚନାଟି ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )

3 thoughts on “ବର୍ଷୀୟାନ ଅନୁବାଦକ ଶଙ୍କରଲାଲ ପୁରୋହିତଙ୍କ ସହିତ ଆଳାପ ଆଲୋଚନା

  1. ସାକ୍ଷାତକାରଟି ବହୁତ ସୁନ୍ଦର ହୋଇଛି।

  2. ତାଙ୍କ ପ୍ରକାଶିତ ପୁସ୍ତକର ତାଲିକା ଦେଇଥିଲେ ଆଉ ଟକେ ସ୍ବୟଂସଂପୂର୍ଣ୍ଣ ହୋଇଥାନ୍ତା……

  3. ପ୍ରଫେସର୍ ଦୁଃଖିଶ୍ଯାମ ପଟ୍ଟନାୟକ, ଭୁବନେଶ୍ବର-୭୫୧୦୩୦ says:

    ଶଙ୍କରଲାଲଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ତୁମେ ଓଡିଶା ଛାଡିଲେ ମଧ୍ୟ ତୁମକୁ ଓଡିଶା-କଟକର ମାରୱାଡିପଟି ହୃଦୟସ୍ପର୍ଶୀ କରି ରଖିଛି । ଆଶାକରେ ଈଶ୍ଵରଙ୍କ କୃପାରୁ ସର୍ବକୁଶଳେ ଥିବ । ପ୍ରଫେସର୍ ଦୁଃଖିଶ୍ଯାମ ପଟ୍ଟନାୟକ, ଭୁବନେଶ୍ବର-୭୫୧୦୩୦

Leave a Reply

Your email address will not be published. Required fields are marked *