ପ୍ରବୀଣ କଥାକାର ତରୁଣକାନ୍ତି ମିଶ୍ରଙ୍କ ସହ ଏକ ସାରସ୍ୱତ ବାର୍ତ୍ତାଳାପ

  • ପ୍ରତ୍ୟେକ ଗଳ୍ପର ନିଜ ନିଜର ଭାଗ୍ୟ ଥାଏ। ସେ ଭାଗ୍ୟକୁ ଲେଖକ ଗଢେ ନାହିଁ। ସେ ଗପ ନିଜକୁ ନିଜେ ତିଆରି କରେ।

ଶ୍ରୀ ତରୁଣକାନ୍ତି ମିଶ୍ର ଓଡ଼ିଆ କଥା ସାହିତ୍ୟ ଜଗତର ଜଣେ ସ୍ୱନାମଧନ୍ୟ ସ୍ରଷ୍ଟା। ଉପନ୍ୟାସ ସମେତ ତାଙ୍କର ଅନେକ ଗଳ୍ପ ସଂକଳନ ପ୍ରକାଶିତ ହୋଇ ପାଠକଙ୍କ ଆଦୃତି ଲାଭ କରିଛି। ନିଜ ଜୀବନର ୭୨ଟି ବସନ୍ତ ଅତିକ୍ରମ କରିସାରିଥିବା ଏହି ସାରସ୍ୱତ ପ୍ରତିଭାଧର ବ୍ୟକ୍ତିତ୍ୱ ରାଜ୍ୟ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ପୁରସ୍କାରମାନଙ୍କରେ ଭୂଷିତ ହେବା ସହ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରୁ ସମ୍ମାନ ସୂଚକ ଡି.ଲିଟ୍ ଉପାଧି ପ୍ରାପ୍ତ ହେବାର ଗୌରବ ମଧ୍ୟ ଲାଭ କରିଛନ୍ତି। ସେ ୧୯୭୫ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ସହ ୨୦୧୦ ମସିହାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦରେ ଥାଇ ସେବାନିବୃତ ହୋଇଥିଲେ। ଏହି ଅନନ୍ୟ ସ୍ରଷ୍ଟାଙ୍କ ସାହିତ୍ୟିକ ଜୀବନର ବିଭିନ୍ନ ଦିଗ ସଂପର୍କରେ ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସଂପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା : ମାତ୍ର ୧୪ ବର୍ଷ ବୟସରେ ସେ ସମୟର ‘ଆସନ୍ତା କାଲି’ ଭଳି ଏକ ସମ୍ଭ୍ରାନ୍ତ ପତ୍ରିକାରେ ପ୍ରକାଶିତ ହୋଇଥିଲା ଆପଣଙ୍କ ଗଳ୍ପ। ତେବେ କିଶୋର ବୟସରେ କଥା ସାହିତ୍ୟ ସହ ଆପଣଙ୍କର ଏହି ସଂଯୋଗକୁ ଆମେ କ’ଣ ଏକ ସହଜାତ ପ୍ରବୃତ୍ତି ବୋଲି କହିବା?
ତରୁଣକାନ୍ତି ମିଶ୍ର : ମୋ ଜାଣିବାରେ, ଅଧିକାଂଶ ଲେଖକ ପିଲା ଦିନୁଁ ହିଁ ଲେଖାଲେଖି ଆରମ୍ଭ କରିଥାଆନ୍ତି। କ୍ୱଚିତ୍ କେହି କେହି ବିଳମ୍ବରେ ଲେଖା ଆରମ୍ଭ କରନ୍ତି, ତାଙ୍କର ପ୍ରବୀଣ ବୟସରେ। ସାଧାରଣତଃ ଆମେ ସମସ୍ତେ ସ୍କୁଲ, କଲେଜରେ ପଢିଲାବେଳେ କିଛି କିଛି ଗଳ୍ପ, କବିତା ଲେଖିଥାଉ। ମୋ କ୍ଷେତ୍ରରେ ବି ସେଇଆ ଘଟିଥିଲା। ଖୁବ୍ ପିଲା ଦିନୁଁ ହିଁ ଆଗ୍ରହ ରହିଥିଲା ସାହିତ୍ୟ ପ୍ରତି।
ସାହିତ୍ୟ ଚର୍ଚ୍ଚା : ତେବେ ପ୍ରଥମେ କବିତା ଲେଖିଲେ ନା ଗଳ୍ପ?
ତରୁଣକାନ୍ତି ମିଶ୍ର : ମୁଁ କିଛି କବିତା ଲେଖିଥିଲି ପିଲାଦିନେ। କିନ୍ତୁ ଗପ ପ୍ରତି ମୋ’ର ପ୍ରଗାଢ଼ ଅନୁରକ୍ତି ଥିଲା। ମୁଁ ଗପ ଶୁଣିବାକୁ ଭଲ ପାଉଥିଲି। ମା’ ଆମକୁ ସବୁଦିନ ଚୂଲି ମୁଣ୍ଡରେ, କିମ୍ବା ଜହ୍ନ ଆଲୁଅ ପଡିଥିବା ଅଗଣାରେ, ପାଖରେ ବସାଇ, ଗପ କହନ୍ତି। ମୋ’ର ଅଜା ମଧ୍ୟ ଚମତ୍କାର ଗପ କହି ଜାଣନ୍ତି। ସେ ଠାକୁର-ଦେବତାଙ୍କଠାରୁ ଆରମ୍ଭ କରି ଭୂତ-ପ୍ରେତ-ପିଶାଚ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ କହନ୍ତି। କେନ୍ଦୁଝର ଓ ମୟୂରଭଞ୍ଜର ଆରଣ୍ୟକ ରହସ୍ୟମୟତା ଭିତରେ ଏ ସବୁ ଶୁଣି ମୋର ତୀବ୍ର ଆକର୍ଷଣ ଓ ଆଗ୍ରହ ଜାତ ହୋଇଥିଲା ଗଳ୍ପ ସାହିତ୍ୟ ପ୍ରତି, ଆଦ୍ୟ ଶୈଶବରୁ।
ସାହିତ୍ୟ ଚର୍ଚ୍ଚା : ‘ଆସନ୍ତାକାଲି’ରେ ପ୍ରଥମ ଗଳ୍ପଟି ପ୍ରକାଶିତ ହେବା ପୂର୍ବରୁ ଆଉ କିଛି ଗଳ୍ପ ବି ରୂପ ନେଇସାରିଥିଲା କି ଆପଣଙ୍କ କଲମରୁ?
ତରୁଣକାନ୍ତି ମିଶ୍ର : ଯଦିଓ ଏଇଟା ମୋ’ର ପ୍ରଥମ ପ୍ରକାଶିତ ଗଳ୍ପ, ତା’ ପୂର୍ବରୁ ମଧ୍ୟ, ଯେତେବେଳେ ମୁଁ ପାରଳାଖେମୁଣ୍ଡିରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲି, ସେତେବେଳେ ମୁଁ ପ୍ରଥମ ସଂପୂର୍ଣ୍ଣ ଗଳ୍ପଟିଏ ଲେଖିଥିଲି। ସେତେବେଳେ ଗୋଟିଏ ସର୍ଜରୀ ପାଇଁ ମାଆଙ୍କୁ କିଛିଦିନ ଲାଗି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା। ସେଇ ସମୟରେ ଆମେ ସବୁ ଭାଇଭଉଣୀ ଘରେ ଏକୁଟିଆ ରହି ସତେ ଯେମିତି ମାଆ ଛେଉଣ୍ଡ ହୋଇଗଲୁ। ମୁଁ ଗୋଟିଏ ମାଆ ଛେଉଣ୍ଡ ପିଲାର ଭାବନାକୁ ନେଇ ଗଳ୍ପଟିଏ ଲେଖିଥିଲି। ମୋ ମାଆ ଯେତେବେଳେ ହସପିଟାଲରୁ ଫେରିଆସିଲେ, ସେଇ ଗଳ୍ପଟି ପଡିଲା ତାଙ୍କ ହାତରେ। ସେ ବାପାଙ୍କୁ କହିଲେ, ‘ଦେଖ, ଗୋଟିଏ ମାଆ ଛେଉଣ୍ଡ ପିଲାର ଗପ। ଯଦି ମୁଁ ହସପିଟାଲରେ ମରିଯାଇଥାଆନ୍ତି, ତେବେ ମୋ ପିଲାଙ୍କର କ’ଣ ହୋଇଥାଆନ୍ତା!’ ଏହା କହି ସେ ଛଳଛଳ ହୋଇପଡ଼ିଥିଲେ।
ସାହିତ୍ୟ ଚର୍ଚ୍ଚା : ଏହାପରେ ବୋଧହୁଏ ଲେଖିଚାଲିଲେ ଏକ ପରେ ଆରେକ ଗଳ୍ପ!
ତରୁଣକାନ୍ତି ମିଶ୍ର : ହଁ, ତେବେ ଯେଉଁ ଗଳ୍ପଟି ପ୍ରଥମେ ବାହାରିଥିଲା ‘ଆସନ୍ତା କାଲି’ରେ ତା’ର ମଧ୍ୟ ଗୋଟିଏ ସ୍ମରଣୀୟ ପୃଷ୍ଠଭୂମି ଅଛି। ସେତେବେଳକୁ ମୁଁ ହାଇସ୍କୁଲରେ ପଢୁଥାଏ, ପ୍ୟାରୀମୋହନ ଏକାଡେମୀରେ। ମୁଁ ସ୍କୁଲର ସାହିତ୍ୟ ପତ୍ରିକାକୁ ଗୋଟିଏ ଗପ ଦେଇଥିଲି। କିନ୍ତୁ ପତ୍ରିକା ସଂପାଦନା ଦାୟିତ୍ୱରେ ଥିବା ଶିକ୍ଷକ ସେଇ ଗଳ୍ପଟିକୁ ପସନ୍ଦ ନ କରି ଫେରାଇ ଦେଲେ। ମୋତେ ଭାରି ଦୁଃଖ ଲାଗିଥିଲା। ଭାବିଥିଲି, ଗଳ୍ପଟିକୁ ଚିରିଦେବି। କିନ୍ତୁ ପରେ କ’ଣ ଭାବି, ସେଇଟିକୁ ଡାକରେ କଲିକତାରୁ ବାହାରୁ ଥିବା ‘ଆସନ୍ତାକାଲି’ ପତ୍ରିକା ଠିକଣାରେ ପଠାଇଦେଲି। ମୋତେ ଆଶ୍ଚର୍ଯ୍ୟ କରିଦେଇ ମାତ୍ର ଦୁଇ-ତିନି ମାସ ଭିତରେ ଗଳ୍ପଟି ସେଥିରେ ପ୍ରକାଶିତ ହେଲା।

ସାହିତ୍ୟ ଚର୍ଚ୍ଚା : ଅର୍ଥାତ୍‌, ସ୍କୁଲ ପତ୍ରିକା ପାଇଁ ଆପଣଙ୍କର ଯେଉଁ ଗଳ୍ପଟି ପ୍ରତ୍ୟାଖ୍ୟାତ ହୋଇଥିଲା ତାହା ଏକ ଖ୍ୟାତି ସମ୍ପନ୍ନ ପତ୍ରିକାରେ ପ୍ରକାଶିତ ହେଲା! ଏଥିରୁ କ’ଣ ଆପଣଙ୍କର ମନେହୁଏନି ଯେ ପ୍ରତ୍ୟେକ ଗଳ୍ପ ନିଜର ଭାଗ୍ୟ ନେଇ ଜନ୍ମ ହୋଇଥାଆନ୍ତି?
ତରୁଣକାନ୍ତି ମିଶ୍ର : ପ୍ରତ୍ୟେକ ଗଳ୍ପର ନିଜ ନିଜର ଭାଗ୍ୟ ଥାଏ। ସେ ଭାଗ୍ୟକୁ ଲେଖକ ଗଢେ ନାହିଁ। ସେ ଗପ ନିଜକୁ ନିଜେ ତିଆରି କରେ। ଏଇ ଗପଟିର ଭାଗ୍ୟ ବିଷୟରେ ଆଉ ଗୋଟିଏ ଛୋଟ କାହାଣୀ ମଧ୍ୟ ଅଛି।
ସାହିତ୍ୟ ଚର୍ଚ୍ଚା : କ’ଣ ଥିଲା ସେଇଟି, ଟିକିଏ କହିବେ କି!
ତରୁଣକାନ୍ତି ମିଶ୍ର : ଗପଟି ପ୍ରକାଶିତ ହେବାର ସାତ ବର୍ଷ ପରେ, ମୁଁ ଦିନେ ତାଳଚେର ଲୋକାଲ ଟ୍ରେନ୍ ରେ ଭୁବନେଶ୍ୱର ଆସୁଥାଏ। ଅନ୍ଧାରୁଆ କମ୍ପାର୍ଟମେଣ୍ଟ, ମିଞ୍ଜି ମିଞ୍ଜି ଆଲୁଅ ଜଳୁଛି। ଭିତରକୁ ଚଢିଆସିଲେ ଚାରି-ପାଞ୍ଚ ଜଣ ଯୁବକ। ମୁଁ ପାଖରେ ବସିଥାଏ। ସେମାନଙ୍କ ଭିତରେ କ୍ରିକେଟ୍‌, ସିନେମା ଓ ରାଜନୀତି ଆଦି ବିଷୟରେ ଗପସପ ଚାଲିବା ପରେ ସାହିତ୍ୟ କଥା ପଡ଼ିଲା। ତା’ ଭିତରୁ ଜଣେ ଯୁବକ, ଯେ କି ମୋ’ଠାରୁ ସାତ-ଆଠ ବର୍ଷ ବଡ ହେବେ, କହିଲେ, “ବହୁତ ଦିନ ହେଲାଣି, ଗୋଟିଏ ସୁନ୍ଦର ଗପ ପଢିଥିଲି।’ ଏହା କହି ସେ ମୋ’ର ‘ଆସନ୍ତାକାଲି’ରେ ପ୍ରକାଶିତ ସେଇ ଗପଟିର ସାରାଂଶ କହିଲେ। ଗପଟି ଶୁଣି ତାଙ୍କର ଜଣେ ବନ୍ଧୁ ମନ୍ତବ୍ୟ ଦେଇଥିଲେ, ‘ଆରେ ଗପଟା ବଢ଼ିଆ ଲେଖିଚି ତ!’ ମୁଁ ସଙ୍କୋଚରେ, ମୁହଁ ପୋତି ବସି ରହିଥିଲି ତାଙ୍କ ସାମନାରେ।
ସାହିତ୍ୟ ଚର୍ଚ୍ଚା : ଏହି ଯେଉଁ ଅନୁଭୂତି, ଏଥିରୁ କ’ଣ ଆପଣ ମନେକରନ୍ତି ନାହିଁ ଯେ ଲେଖକମାନେ ଯେଉଁ ବଡବଡ ପୁରସ୍କାର ସବୁ ପାଆନ୍ତି, ତାହାଠାରୁ ସର୍ବୋପରି ହେଉଛି ପାଠକଙ୍କଠାରୁ ମିଳୁଥିବା ଏହିଭଳି ସ୍ୱୀକୃତି?
ତରୁଣକାନ୍ତି ମିଶ୍ର : ମୁଁ ସମ୍ପୂର୍ଣ୍ଣ ଏକମତ। ଗୋଟିଏ ପାଠକର ଶ୍ରଦ୍ଧା ହେଉଛି ଜଣେ ଲେଖକ ପାଇଁ ସବୁଠାରୁ ବଡ ପୁରସ୍କାର। ମୋତେ ଭଲ ଲାଗେ, ଖୁବ ଆଶ୍ୱସ୍ତ ବି ଲାଗେ, ଯେତେବେଳେ ଜଣେ ଅଜଣା ଅଚିହ୍ନା ବ୍ୟକ୍ତି ଗୋଟିଏ ଚିଠି ଦିଅନ୍ତି, ବା କହନ୍ତି ଯେ, ‘ଆପଣଙ୍କର ଏହି ଗଳ୍ପଟି ମୋତେ ଭଲ ଲାଗିଲା।’ ଏଇ ପଦକ କଥା ଯେତେ ଆନନ୍ଦ ଦିଏ, କୃତାର୍ଥ କରିଦିଏ, ଗୋଟିଏ ଆନୁଷ୍ଠାନିକ ସ୍ୱୀକୃତି ବା ପୁରସ୍କାର ସେତେ ଦିଏ ନାହିଁ।
ସାହିତ୍ୟ ଚର୍ଚ୍ଚା : ଆପଣଙ୍କର ଅଧିକାଂଶ ଗଳ୍ପର ଏକ ଲକ୍ଷ୍ୟଣୀୟ ଦିଗ ହେଲା ସେଗୁଡିକର ଅନ୍ତର୍ମୁଖିତା – ଏ ବିଷୟରେ ଆପଣଙ୍କ ସୃଷ୍ଟିସମଗ୍ରର ସମାଲୋଚକ ଓ ସମୀକ୍ଷକମାନେ ମଧ୍ୟ ଏକମତ। ଆପଣଙ୍କ ଚରିତ୍ର ଓ ଥିମ୍ ମାନଙ୍କର ଏହି ଆତ୍ମିକ ପ୍ରବଣତା ପଛରେ ଆପଣଙ୍କ ଜୀବନ ଦର୍ଶନର କିଛି ଗୂଢ଼ ତତ୍ତ୍ୱ ଛପିରହିଛି କି?
ତରୁଣକାନ୍ତି ମିଶ୍ର : ମୁଁ ଯାହା ଲେଖେ, ନିଜସ୍ୱ ଢ଼ଙ୍ଗରେ ଲେଖେ ଏବଂ ସ୍ୱାଭାବିକ ଭାବରେ ଲେଖେ। କାହାକୁ ଚମତ୍କୃତ କରି ଦେବାକୁ ମୁଁ କେବେ ଲେଖିବାକୁ ଚେଷ୍ଟା କରି ନାହିଁ। ମୁଁ ଲେଖେ ଅନ୍ତରଙ୍ଗ ଭାବରେ, ଏକନିଷ୍ଠ ଭାବରେ ଓ ଅତ୍ୟନ୍ତ ଆନୁଗତ୍ୟର ସହିତ। ଯାହା ଲେଖିଛି, ତା’ ହେଉଛି ମୋ’ ହୃଦୟର ଭାଷା।
ସାହିତ୍ୟ ଚର୍ଚ୍ଚା : ହୃଦୟର ଏଇ ଭାଷାକୁ ରୂପ ଦେବାବେଳେ ଆପଣ ନିଜ କଥାବସ୍ତୁର ଗଢ଼ଣ କଳା ବା କାରିଗରୀ ପ୍ରତି ମଧ୍ୟ ସତର୍କ ରହିବା ଭଳି ମନେହୁଏ।
ତରୁଣକାନ୍ତି ମିଶ୍ର : ସାରା ଜୀବନ ମୁଁ ଚେଷ୍ଟା କରି ଆସିଛି କେବଳ ଗୋଟିଏ ସୁନ୍ଦର ଗପ କହିବାକୁ। ଯେଉଁଥିରେ ଥିବ ମୋର ଅକୃତ୍ରିମ କିଛି ଆବେଗ, କିଛି ଆପଣାର ଅନୁଭବ ଓ ଜୀବନର ଯତକିଞ୍ଚିତ ଅଭିଜ୍ଞତା। ଗପଟି ଲେଖିବା ବେଳେ ଶୈଳୀ ଓ ଭାଷା ଆସେ ଆପେ ଆପେ। ମୁଁ କେବେ ସଚେତନ ହୋଇ ଭାବିନାହିଁ ମୋ ଭାଷା ବା ଶୈଳୀ ବିଷୟରେ, ମୁଁ ଲେଖିଛି ମୋର ସହଜ ଢଙ୍ଗରେ, ଚେଷ୍ଟା କରିଚି ଲେଖିବାକୁ ମୁଁ ଜାଣିଥିବା ସବୁଠୁ ସୁନ୍ଦରତମ ଶବ୍ଦରେ, ଏକନିଷ୍ଠ ହୃଦୟରେ। ଅର୍ଣ୍ଣେଷ୍ଟ ହେମିଙ୍ଗୱେ ଏକଦା କହିଥିଲେ, “ତୁମେ ଛାତିକୁ ବିଦାରି ଲେଖ,’ ମୁଁ ତାଙ୍କ ସହିତ ଏକମତ, ଏବଂ ଏହା ହିଁ ମୋର ପ୍ରୟାସ ସବୁ ସମୟରେ।
ସାହିତ୍ୟ ଚର୍ଚ୍ଚା : ଆପଣ ପ୍ରଣିଧାନ ଯୋଗ୍ୟ କଥାଟିଏ କହିଲେ, ଯେ ଗଳ୍ପ ହେଉଛି ଆପଣଙ୍କର ନିଜର ଆବେଗ, ଅନୁଭବ ଆଉ ଅଭିଜ୍ଞତାର ସଂଗମ। ତେବେ, ଭାରତୀୟ ପ୍ରଶାସନିକ ସେବାରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ସମୟରେ ଆପଣ ଅର୍ଜନ କରିଥିବା ଅଭିଜ୍ଞତା ଓ ଅନୁଭବଗୁଡିକ ମଧ୍ୟ କ’ଣ ପ୍ରଚ୍ଛନ୍ନ ଭାବରେ ପ୍ରତିଫଳିତ ହୋଇଛି ଆପଣଙ୍କ ଗଳ୍ପରେ?
ତରୁଣକାନ୍ତି ମିଶ୍ର : ଉଭୟ ପ୍ରଚ୍ଛନ୍ନ ଏବଂ ପ୍ରତ୍ୟକ୍ଷ ଭାବରେ ଆସିଛି, ଅନେକ ଲେଖାରେ। ମୋର ‘ଶରଦଃ ଶତମ’ ଉପନ୍ୟାସଟିରେ ମୋ ନିଜସ୍ୱ ଅଭିଜ୍ଞତାର ସ୍ୱାକ୍ଷର ରହିଛି। ଏହାର ପୃଷ୍ଠଭୂମି ଦଣ୍ଡକାରଣ୍ୟର ବିଶାଳ ବିସ୍ତୃତି, ଯେଉଁଠାରେ ପୂର୍ବବଙ୍ଗରୁ ଆସିଥିବା ଲକ୍ଷ ଲକ୍ଷ ଶରଣାର୍ଥୀଙ୍କୁ ଥଇଥାନ କରାଯାଇଥିଲା। ମୁଁ ସେଠାରେ ତିନି ବର୍ଷ କାମ କରିଛି। ଉଦବାସ୍ତୁମାନଙ୍କ ସୁଖଦୁଃଖରେ ଭାଗିଦାର ହୋଇଛି। ମିଜୋରାମର ପଟ୍ଟଭୂମିରେ ଲେଖା ‘ଅନ୍ଧରାତିର ଲୁହ’ ଗଳ୍ପରେ ବି ମୋର ଅଭିଜ୍ଞତାର ସ୍ପର୍ଶ ରହିଛି। ସେହିଭଳି ମୋ’ର ଆଉ ଗୋଟିଏ ଗପ, ‘ରେବତୀ’। ଏ ଗପରେ ଅଛି ବାସଚ୍ୟୁତ ପରିବାରଙ୍କ ବିଡମ୍ବିତ ଭାଗ୍ୟର କାହାଣୀ।
ସାହିତ୍ୟ ଚର୍ଚ୍ଚା : ଆମେ ଆପଣଙ୍କ ଅଧିକାଂଶ ଗଳ୍ପରେ ଗୋଟିଏ ସମାନ ଅନ୍ତଃସ୍ୱର ଦେଖିବାକୁ ପାଉ। କିଛି କହିବେ ଏ ସମ୍ପର୍କରେ?
ତରୁଣକାନ୍ତି ମିଶ୍ର : ମଣିଷର ଜୀବନ ସଂଗ୍ରାମ, ମଣିଷର ସୁଖ-ଦୁଃଖ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଏ, ମଣିଷର ସହନ ଶକ୍ତି ମୋତେ ସ୍ତବ୍ଧ କରିଦିଏ। ମୋ ମନ ଭିତରେ ଭରସା ଆସେ, ମଣିଷ କେବେହେଲେ ହାରିଯିବ ନାହିଁ। ଯେତେ କଷ୍ଟ ପାଇଲେ ବି ସେ ବଞ୍ଚି ରହିବ। ସେ ବିଫଳ ହୋଇଥାଏ, କିନ୍ତୁ ପରାସ୍ତ ହୁଏ ନାହିଁ।
ସାହିତ୍ୟ ଚର୍ଚ୍ଚା : ତେବେ, ଏଭଳି ଏକ ସକାରାତ୍ମତାରେ ଜୁଡୁବୁଡୁ ଆପଣଙ୍କ ସୃଷ୍ଟି!
ତରୁଣକାନ୍ତି ମିଶ୍ର : ଏମିତି ଦେଖିଲେ ମୋ ଲେଖାଗୁଡିକର ବହୁଳାଂଶ ଟ୍ରାଜିକ୍। ସେଥିରେ କାରୁଣ୍ୟ ରହିଥାଏ। କିନ୍ତୁ ସେହି ଆପାତ ବିୟୋଗାନ୍ତ କାହାଣୀ ଭିତରେ ଥାଏ ବଞ୍ଚିବାର କଳା। ସେଥିରେ ଅଛି ଜୀବନ ପ୍ରତି ଭରସା, ଜୀବନ ପ୍ରତି ଭଲପାଇବା, ଜୀବନର ସୌନ୍ଦର୍ଯ୍ୟ। ଯେମିତି ରହିଛି ‘କୋମଳ ଗାନ୍ଧାର’, ‘ଅରଣ୍ୟ ଆଦିମ’, ‘ରେବତୀ’, ‘ସାରାଂଶ’ ଓ ‘ଅନ୍ଧ ରାତିର ଲୁହ’ରେ।
ସାହିତ୍ୟ ଚର୍ଚ୍ଚା : ତଥାପି ସେ ଟ୍ରାଜେଡି ଭିତରେ ବି ‘ପର୍ଗେସନ୍‌’ ବୋଲି ତତ୍ତ୍ୱଟିଏ ମଧ୍ୟ ଅଛି, ଯାହାକୁ ପାଠକ ନୀରବରେ ଉପଲବ୍ଧି କରୁଥାଆନ୍ତି। ଏଣୁ ଆପଣଙ୍କ ଗଳ୍ପରେ ଟ୍ରାଜେଡି ଥିଲେ ବି ଏହା ସମ୍ପୂର୍ଣ ନକାରାତ୍ମକ ନୁହେଁ। ନା, କ’ଣ କହୁଛନ୍ତି!
ତରୁଣକାନ୍ତି ମିଶ୍ର : ହଁ, ଆପଣଙ୍କ କଥା ଠିକ। ଗପଟି ଲେଖିବା ଭିତରେ ମୁଁ ନିଜେ ବି ଭିଜି ଯାଇଥାଏ ସେହି ଉପଲବଧିରେ।

ସାହିତ୍ୟ ଚର୍ଚ୍ଚା : ୨୦୧୯ ମସିହାରେ ଆପଣଙ୍କର ‘ଭାସ୍ୱତୀ’ ପୁସ୍ତକଟି ପାଇଁ ଆପଣ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ଭୂଷିତ ହୋଇଥିଲେ। ଏଥିରେ ଥିବା ଗଳ୍ପଗୁଡିକ ଅପେକ୍ଷାକୃତ ଭାବବିନ୍ୟାସରେ କିଛି ନୂତନତ୍ୱ ଥିଲା ବୋଲି ଆପଣ ଭାବନ୍ତି କି?
ତରୁଣକାନ୍ତି ମିଶ୍ର : ‘ଭାସ୍ୱତୀ’ ସଂକଳନରେ କିଛି ଭଲ ଓ ସୁନ୍ଦର ଗଳ୍ପ ଅବଶ୍ୟ ରହିଛି। କିଛି ନୂତନତ୍ୱ ବି। ଅନେକ ପାଠକପାଠିକା ସେ ବହିଟିକୁ ପସନ୍ଦ କରିଛନ୍ତି। କିନ୍ତୁ ମୁଁ ଏହାକୁ ମୋ’ର ଶ୍ରେଷ୍ଠ କୃତି ବୋଲି କହି ପାରିବି ନାହିଁ।
ସାହିତ୍ୟ ଚର୍ଚ୍ଚା : ତେବେ କେଉଁଟି ଆପଣଙ୍କର ଶ୍ରେଷ୍ଠ କୃତି?
ତରୁଣକାନ୍ତି ମିଶ୍ର : ସେ କଥା ମୁଁ କହିପାରିବିନି। ସବୁତକ ଗଳ୍ପ ମୁଁ କଷ୍ଟ କରି ଲେଖିଛି, ଯତ୍ନର ସହିତ। ପ୍ରତ୍ୟେକଟି ଗଳ୍ପ ମୋର ମାନସ ସନ୍ତାନ। ଯଦି କୌଣସି ଗପ ଭଲ ହୋଇପାରିନାହିଁ, ତେବେ ତାହା ଗଳ୍ପର ଅବା ଚରିତ୍ରଟିର ଦୋଷ ନୁହେଁ, ବରଂ ମୋ ନିଜର।
ସାହିତ୍ୟ ଚର୍ଚ୍ଚା : ଆପଣ ଆଜି ଆମର ଏହି ଆଲୋଚନାର ପ୍ରାରମ୍ଭରେ କହିଥଲେ ଯେ ଆପଣ ପିଲାଦିନେ ପ୍ରଥମେ କବିତା ଲେଖିଥିଲେ। କିନ୍ତୁ ଆପଣଙ୍କର ସୁଦୀର୍ଘ ସାହିତ୍ୟିକ ଜୀବନର ଯାତ୍ରା ପଥରେ ସେଇ କବିତାକୁ କେଉଁଠି ହଜାଇଦେଲେ?
ତରୁଣକାନ୍ତି ମିଶ୍ର : ମୋତେ ଗପ ସବୁଠୁଁ ବେଶୀ ଭଲଲାଗେ, ଏବଂ ମୋ’ର ମନେ ହୁଏ ଯେ ଗପ ଭିତରେ ଆପଣ ସବୁ ରଖିପାରିବେ, କବିତାର ଲାଳିତ୍ୟ, ପ୍ରବନ୍ଧର ପ୍ରଜ୍ଞା। ଯାହା ମାର୍କ ଟ୍ୱେନ୍ ଥରେ କହିଥିଲେ, ଗଳ୍ପଟା ହେଉଛି ଗୋଟିଏ ବିଜୁଳି ଭଳି। ତା’ଭିତରେ ସବୁକିଛି ଝଲସି ଉଠେ। ମୁଁ ଦେଖିଲି ଯେ ଗପ ଭିତରେ ମୁଁ ନିଜକୁ ଅଧିକ ଭଲ ଭାବରେ ଦେଖି ପାରିବି, ବ୍ୟକ୍ତ କରିପାରିବି। କବିତାର ସୀମାବଦ୍ଧତା ଭିତରେ ସବୁ କହିବାର ଯୋଗ୍ୟତା ମୋର ନାହିଁ।
ସାହିତ୍ୟ ଚର୍ଚ୍ଚା : ଆଜିର ଏହି ମନୋଜ୍ଞ ସାରସ୍ୱତ ଆଲୋଚନାଟି ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ।
ତରୁଣକାନ୍ତି ମିଶ୍ର : ଆପଣଙ୍କ ସହୃଦୟ ଭାବ ବିନିମୟ ମୋତେ ବହୁତ ଭଲ ଲାଗିଲା। ଆପଣଙ୍କ ପତ୍ରିକା ମାଧ୍ୟମରେ ମୋର ବିନମ୍ର ଶ୍ରଦ୍ଧା ଓ ଶୁଭ କାମନା ଜଣାଉଛି, ସମସ୍ତ ସାହିତ୍ୟ ଅନୁରାଗୀଙ୍କୁ।

4 thoughts on “ପ୍ରବୀଣ କଥାକାର ତରୁଣକାନ୍ତି ମିଶ୍ରଙ୍କ ସହ ଏକ ସାରସ୍ୱତ ବାର୍ତ୍ତାଳାପ

  1. ‘ମଣିଷ ହାରି——ପରାସ୍ତ ହେବନାହିଁ। “ପ୍ରତ୍ୟେକ ଗଳ୍ପ —— ନିଜେ ନିଜକୁ ତିଆରି କରେ।” ନିରାଟ ସତ୍ୟ, ଚମତ୍କାର ବାର୍ତାଳାପ। ଜଗନ୍ନାଥଂକର ଆଶୀର୍ବାଦ ସଦା ରହୁ।

  2. ଏହି ବାର୍ତ୍ତାଳାପଟି ବହୁତ ହୃଦୟସ୍ପର୍ଶୀ ହୋଇଛି

  3. ଅପ୍ରମିତ ଶୁଭେଚ୍ଛା ଓ ସମ୍ମାନ ସ୍ରଷ୍ଟା। ମାଲକାନଗିରି ମାଟି ରୁ ଭୂମିଷ୍ଠ ପ୍ରଣାମ। ଆପଣଙ୍କ ସୃଜନ ଯାତ୍ରା ସମ୍ପର୍କରେ ଅନେକ କଥା ଜାଣିପାରିଲି । ଧନ୍ୟବାଦ୍ ସମ୍ମାନନୀୟ ସ୍ରଷ୍ଟା 💐🙏 ।
    ବଳରାମ ପୂଜାରୀ
    କୁଡୁମୁଲୁଗୁମ୍ମା, ମାଲକାନଗିରି।

  4. ବାର୍ତ୍ତାଳାପଟି ଭଲ ଲାଗିଲା l ଆଲୋଚନା ଦିବାଲୋକ ପରି ସ୍ପଷ୍ଟ ଏବଂ ନିର୍ଦିଷ୍ଟ l ଅହଂକାର ଶୁନ୍ୟ ଓ଼ ନିର୍ମଳତାର ଜ୍ୟୋତ୍ସ୍ନା ପରି ଭାବମୟ ହୋଇଛି l ଉଭୟଙ୍କୁ ଧନ୍ୟବାଦ l

Leave a Reply

Your email address will not be published. Required fields are marked *