ପୁସ୍ତକ ପ୍ରକାଶନର ମହାତ୍ୱାକାଂକ୍ଷା

ଏହାକୁ ଯଥାର୍ଥରେ ‘ମହାତ୍ୱାକାଂକ୍ଷା’ ବୋଲି କହିହେବ କି ନାହିଁ ସେ ବିଷୟରେ ଆମର ସନ୍ଦେହ ଅଛି। ତେବେ ଇଂରାଜୀ ଭାଷାର ‘ଭ୍ୟାନିଟି’ ଶବ୍ଦଟିର ଅର୍ଥ ଏହାର ପାଖାପାଖି। ଏହି ଶବ୍ଦଟି ଆସିଛି ମୂଳ ‘ଭେନ୍‌’ରୁ, ଯାହାର ଆକ୍ଷରିକ ଅର୍ଥ ହେଉଛି ବ୍ୟର୍ଥତା ବା ନୈରାଶ୍ୟ। ଆମ ପୁସ୍ତକ ପ୍ରକାଶନ ଶିଳ୍ପରେ ଏବେ ପ୍ରବଳ ମୁଣ୍ଡ ଟେକିଛି ‘ଭ୍ୟାନିଟି ପବ୍ଲିସିଂ’ ବା ମହାତ୍ୱାକାଂକ୍ଷା ଜନିତ ପ୍ରକାଶନର ଧାରା। ପ୍ରକାଶକମାନଙ୍କର ମହାତ୍ୱାକାଂକ୍ଷା ସହିତ ଏହାର କୌଣସି ସମ୍ପର୍କ ନାହିଁ, ବରଂ ଅଛି ତଥାକଥିତ ଲେଖକମାନଙ୍କର ନିରାଶାରୁ ଜାତ ମହାତ୍ୱାକାଂକ୍ଷା ସହିତ। ସିଧା ଭାଷାରେ କହିଲେ, ଏହା ଲେଖକମାନଙ୍କ ଦ୍ୱାରା କିଛି ନିର୍ଦ୍ଦିଷ୍ଟ ପ୍ରକାଶକଙ୍କୁ ଟଙ୍କା ଦେଇ ନିଜର ବହି ପ୍ରକାଶ କରାଇବାର କ୍ରିୟାଟିକୁ ବୁଝାଏ।
କିନ୍ତୁ ଭ୍ୟାନିଟି ପବ୍ଲିସିଂ ଏକ ଗର୍ହିତ କାର୍ଯ୍ୟ ନୁହେଁ। କେଉଁ କାଳରୁ ଏହା ପୁସ୍ତକ ପ୍ରକାଶନର ଅନ୍ୟତମ ସ୍ୱୀକୃତ ପନ୍ଥା ଭାବରେ ତିଷ୍ଠିଆସିଛି, କେବଳ ଆମ ଦେଶରେ ନୁହେଁ, ବିଦେଶରେ ମଧ୍ୟ। ଅବଶ୍ୟ ଏହି ଧରଣର ପ୍ରକାଶନକୁ ସ୍ୱୟଂ-ପ୍ରକାଶନ ବା ‘ସେଲ୍ଫ-ପବ୍ଲିସିଂ’ ଭଳି ଏକ ଶିଷ୍ଟୋକ୍ତି (ଇଉଫେମିଜମ୍‌) ମାଧ୍ୟମରେ ଅଧିକ ଭାବରେ ବ୍ୟକ୍ତ କରାଯାଇଥାଏ। ଆମ ଦେଶରେ ଅନେକ ପ୍ରକାଶନ ସଂସ୍ଥା ଅଛନ୍ତି ଯେଉଁ ମାନେ ନିଜକୁ ସେଲ୍ଫ-ପବ୍ଲିସିଂ ସଂସ୍ଥା ଭାବରେ ଖୋଲାଖୋଲି ଘୋଷଣା କରନ୍ତି। ଅର୍ଥାତ୍ ସେମାନେ ସ୍ୱୀକାର କରନ୍ତି ଯେ ଲେଖକମାନଙ୍କଠାରୁ ପଇସା ନେଇ ସେମାନଙ୍କର ବହି ପ୍ରକାଶ କରିବା ହେଉଛି ସେମାନଙ୍କର ମୁଖ୍ୟ ବ୍ୟବସାୟ। ବଡ ବଡ଼ ଓ ସମ୍ଭ୍ରାନ୍ତ ପ୍ରକାଶକମାନଙ୍କ ଦ୍ୱାରା ଅବହେଳିତ ହୋଇ ନୈରାଶ୍ୟରେ ଜର୍ଜରିତ, ଅଥଚ ଏଥି ଉଦ୍ଦେଶ୍ୟରେ କିଛି ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ଲେଖକମାନଙ୍କ ପାଇଁ ଏମାନେ ଏକ ଆଶା-ବାଡି ଭଳି କାର୍ଯ୍ୟ କରନ୍ତି। ତେବେ ଏହି ଧାରାର ଦୋଷଯୁକ୍ତ ଦିଗଟି ହେଲା ଯେ ଏହିଭଳି ପ୍ରକାଶକମାନେ ବହିଟିଏ ଛପାଇବା ପୂର୍ବରୁ ତାହାର ମାନ ନିର୍ଦ୍ଧାରଣ କରିନଥା’ନ୍ତି।
ଏବେ ଆସିବା ଏହି ପ୍ରସଙ୍ଗରେ ଆମ ଓଡିଶାର ପରିଦୃଶ୍ୟକୁ। ଉପରକୁ ସିନା କିଛି ଦିଶେନାହିଁ, କିନ୍ତୁ ତଳେଇକରି ଦେଖିଲେ, ଏହା ଆମ ରାଜ୍ୟରେ ଏବେ ବ୍ୟାପିରହିଛି ମାଳ ମାଳ। ଆମେ ପୂର୍ବରୁ କହିଛୁ, ଏଥିରେ ଗର୍ହିତ ବୋଲି କିଛି ନାହିଁ। କିନ୍ତୁ ସମସ୍ୟାଟି ହେଲା ଯେ ଓଡିଶାର ସେଲ୍ଫ-ପବ୍ଲିସିଂ କର୍ମରେ ଲିପ୍ତ ଥିବା ପ୍ରକାଶକମାନେ ଏହା ଖୋଲାଖୋଲି ଘୋଷଣା ବା ସ୍ୱୀକାର କରନ୍ତିନାହିଁ। ଭାରତରେ ଏହି ଧରଣର ପୁସ୍ତକ ପ୍ରକାଶନର ଜନକ ବୋଲି ସ୍ୱୀକୃତ କଲିକତାର ପ୍ରଫେସର ପି ଲାଲ ନିଜକୁ ‘ସେଲ୍ଫ-ପବ୍ଲିସ୍‌ର୍ସ’ ବୋଲି ଖୋଲାଖୋଲି ଘୋଷଣା କରୁଥିଲେ। ‘ପେନଗୁଇନ୍‌’ ଭଳି ଲଣ୍ଡନର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ମଧ୍ୟ ଏଭଳି ଏକ ନିରୁତା ବ୍ୟାବସାୟିକ ପ୍ରକାଶନର ପନ୍ଥା ଆଦରି ନେଇଛି; କିନ୍ତୁ ଲୁଚାଛପାରେ ନୁହେଁ, ବରଂ ‘ବୁକ୍ କଣ୍ଟ୍ରି’ ନାମରେ ନିଜର ଏକ ନୂତନ ସବ୍‌ସିଡିଆରି ଗଠନ କରି। ଆମେ ମଧ୍ୟ ଓଡ଼ିଶାର ଜଣେ ବିଶିଷ୍ଟ ପ୍ରକାଶକଙ୍କୁ ଜାଣୁ, ଯେ ନିଜର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥାର ବ୍ୟାନରରେ ଏଭଳି ଲେଖକମାନଙ୍କର ସ୍ୱବିତ୍ତପୋଷିତ ବହିମାନ ନ ଛାପି ସେଥିପାଇଁ ଅଲଗା ସଂସ୍ଥାଟିଏ ଗଢ଼ିଛନ୍ତି। ଏହା ଏକ ସଚ୍ଚୋଟ ପନ୍ଥା, କାରଣ ଏପରି ସ୍ଥଳେ ପ୍ରକାଶନ ସଂସ୍ଥାର ନାମରୁ ହିଁ ପୁସ୍ତକର ଗ୍ରାହକ ବା ପାଠକମାନେ ଜାଣିପାରିଥା’ନ୍ତି ଯେ ସେମାନେ କିଣୁଥିବା ପୁସ୍ତକଟି ନିଜର ପ୍ରକୃତ ମାନର ଆଧାରରେ ପ୍ରକାଶିତ ହୋଇଛି ନା ସଂପୃକ୍ତ ଲେଖକଙ୍କ ଅର୍ଥ ବ୍ୟୟ କରିବାର କ୍ଷମତା ଆଧାରରେ।
ଆମ ଭାଷାର ପ୍ରକାଶନ ଶିଳ୍ପରେ ଏଭଳି ପାରଦର୍ଶିତା କେବେ ଆସିବ, ଦେଖିବାକୁ ବାକି ରହିଲା।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡ଼ିସେମ୍ବର ,୨୦୨୨ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )

3 thoughts on “ପୁସ୍ତକ ପ୍ରକାଶନର ମହାତ୍ୱାକାଂକ୍ଷା

  1. ଓଡିଶାର ସେଲ୍ଫ-ପବ୍ଲିସିଂ କର୍ମରେ ଲିପ୍ତ ଥିବା ପ୍ରକାଶକମାନେ ଏହା ଖୋଲାଖୋଲି ଘୋଷଣା ବା ସ୍ୱୀକାର କରନ୍ତିନାହିଁ। ଏଥିପାଇଁ ଅସୁବିଧା କେଉଁଠି । ଅନ୍ୟମାନେ ଯେପରି ନାମ ପ୍ରକାଶ କରୁଛନ୍ତି ଓଡିଶାର ସେଲ୍ଫ-ପବ୍ଲିସିଂ ନିଜ ନାମ ପ୍ରକାଶ କରିବା ଉଚିତ ।

  2. What is wrong if there is a writer who writes well and wants to get involved at every stage of his or her book e.g. cover design, pricing,etc. and decides to contribute in the form of publishing cost ? I don’t see any vanity in it. It is rather a good deed and needs to be applauded .

Leave a Reply

Your email address will not be published. Required fields are marked *