- ଠାଏ ଠାଏ ପୁଅ-ବୋହୂଙ୍କ ଘରେ ବାପ-ମା ‘ ବି ଗେଷ୍ଟ ଲିଷ୍ଟରେ ନାଁ ଲେଖେଇ ସାରିଲେଣି।
ଅତିଥି ଶବ୍ଦ ସହ ଆମେ ପରିଚିତ ପିଲାଦିନୁ। ଅତିଥି ସତ୍କାର ଗୋଟାଏ ଅଲଗା ଚ୍ୟାପଟର ଯେଉଁଟା ଆମ ସୋସିଆଲ ସିଲାବସରେ ରହିଆସିଛି। ଆମ ଶାସ୍ତ୍ରରେ ଏହାର ମାନ୍ୟତା ବହୁ ପ୍ରଚଳିତ। ଘରେ ପଛେ ଖାଇବାକୁ ନଥାଉ, ଅତିଥିଙ୍କୁ ଖୁଆଇ ପିଆଇ ଯଥାମାନ୍ୟ ବିଦାୟ ଦେବା ବିଧି।
ପୁରାଣ ଯୁଗରେ ଯାହା ଶୁଣିବାକୁ ପାଇଛୁ, ‘ଅପୂଜିତାତିଥିର୍ଜସ୍ୟ ଗୃହାତ୍ ଯଦି ବିନିଶ୍ୱସନ୍ ଗଚ୍ଛନ୍ତି ବିମୁଖାସ୍ତସ୍ୟୈ ପିତୃଭି ସହ ଦେବତାଃ।’ ଅର୍ଥାତ୍ ଅତିଥି ଯଦି ଅପୂଜିତ ଯାଆନ୍ତି, ତାଙ୍କ ସହ ପିତୃ ଓ ଦେବତାମାନେ ଅସନ୍ତୋଷ ହୋଇ ଫେରିଯାଆନ୍ତି। ସେଥିପାଇଁ କେତେ ଅତିଥି ଏହି ଉକ୍ତିର ପୁରା ଫାଇଦା ଉଠାଇବାକୁ ଯାଇ ନାନା ପ୍ରକାର ବ୍ଲାକମେଲିଂର ବାହାନା ଅନୁସରଣ କରିଛନ୍ତି। ୟାଙ୍କୁ ପୂଜା କଲେ ଯେ କିଛି ରିସ୍କ ନାହିଁ ବୋଲି କହିହେବ ନାହିଁ।
ବିଶ୍ବାମିତ୍ରଙ୍କ କଥା ଦେଖନ୍ତୁ, ପଞ୍ଝାଏ ଶିଷ୍ୟଙ୍କୁ ଧରି ପହଞ୍ଚି ଗଲେ ମହର୍ଷି ବଶିଷ୍ଠ ଆଶ୍ରମରେ, ଅବେଳାରେ, ଯେତେବେଳେ ତାଙ୍କର ହାଣ୍ଡିପଖଳା ବେଳ। ଟିକିଏ ଗଡିପଡିଛନ୍ତି କି ନାହିଁ, କଣ’ନା ଆମେ ଖାଇନୁ। ହଉ ବସନ୍ତୁ, ଆଜି ମୋର କେଡେ ଭାଗ୍ୟ ! ସାଙ୍ଗେ ସାଙ୍ଗେ ସବୁ ରେଡି। କଥା କଣ? ଏ ବୁଢା ବାବାଜି ଏତେ ଚଞ୍ଚଳ ଏତେଦ୍ରବ୍ୟ ଆଣିଲା କେଉଁଠୁ? ସବୁ ସମସ୍ୟାର ସମାଧାନ କରିଦେଇଥିବା କାମଧେନୁ ନନ୍ଦିନୀ ସମ୍ବନ୍ଧରେ ଜାଣି, କ’ଣ ନା ସେଇଟା ମୋର ଦରକାର। ଯୁଦ୍ଧ, ବଶିଷ୍ଠ ମାରଣ ଯଜ୍ଞ ପର୍ଯ୍ୟନ୍ତ କଥା ଗଲା। ଅତିଥି ଯଦି ଦୁର୍ବାସା ହାବୁଡେ ପଡିଗଲେ ସରିଲା ! ତୁମ ଚଉଦ ପୁରୁଷଙ୍କ କୁଳ ବୁଡେଇବେ। ଅଭିଶାପ ଯେ ନକହ ! ଆଜି ଯଦି ମୋ ହାବୁଡେ ପଡିଥାଆନ୍ତେ କହି ଦେଇଥାଆନ୍ତି, ଯା ଯା, ତୋ’ଭଳିଆ କେତେ ଦେଖିଛି !
ସେ ଯୁଗ ଥିଲା ସେମିତି। ଡରେଇ ରଖିଥିଲେ ଏ ଅତିଥି ପଞ୍ଝାକ ! କିଏ ଏମିତି ଅଭିନୟ କରନ୍ତି ଯେ, ଯେମିତି ୟାଙ୍କ ପ୍ରାଣ ଛାଡିଯିବ। ଆସିବେ ଅବେଳରେ ଯେତେବେଳେ ଘରେ କିଛି ନଥିବ, ପାଖରେ କେହି ନଥିବେ। ଏଗୁଡାଙ୍କର ତିଥି ବାର ନଥିବାରୁ ଏମାନେ ଅତିଥି ! ଗୋଟାଏ ଅଧେ କେଶ୍ ଆମ ନଜରକୁ ଆସିଛି ,”ତୋ ପୁଅକୁ ରାନ୍ଧିକରି ଦେ,” ଦେଇଛି। ସେତେବେଳେ କ୍ରିମିନାଲ ପ୍ରୋସିଜ୍ୟୋର କୋଡ଼୍, ଆଇପିସି ନ ଥିଲା ବୋଧହୁଏ? ମନମୁଖି କାରବାର। ଅତିଥି ଧର୍ମ ପାଳନ କରିବାକୁ ଯାଇ କେତେ ଏକ୍ସପ୍ଲଏଟେସନ୍, ବ୍ଲାକ ମେଲିଙ୍ଗ୍ , ଯାହାର ଲାଭ ଉଠାଇବା ରାବଣ ପକ୍ଷରେ ସମ୍ଭବ ହୋଇଥିଲା। ଗଲା ନା ! ଏଇଟାକୁ ବିଶ୍ୱାସ କରି ! ତା ପରେ କଣ ନ ହେଲା? ସାତକାଣ୍ଡ ରାମାୟଣ। ବାଆନେ ସିରିୟଲ ରାମାନନ୍ଦ ସାଗର ତିଆରି କରିଦେଲେ। ଆମେ ଦେଖିଛୁ। ଇଂରାଜିରେ ଅତିଥି ହୋଇ ଗଲେ ଗେଷ୍ଟ। ଯଦିଓ ସେମାନେ ଥିଲେ ଅବାଞ୍ଛିତ ଅତିଥି। ନିଜେ ରହିବାକୁ ଗେଷ୍ଟ ହାଉସ୍ ତିଆରି କଲେ। ଗେଷ୍ଟ ହାଉସ ରେ ଅଧର୍ମ ନାଆଁରେ ବ୍ଲାକମେଲ୍ କରି ପାରିବେନି। ଏଠି ପଇସା ଦେବାକୁ ହେବ। ନଥିଙ୍ଗ୍ ଇଜ୍ ଫ୍ରି।
ଆଜିର ସଭ୍ୟତା କହେ ସବୁ କୁଣୁଆ ମଇତ୍ର ହେଲେ ଗେଷ୍ଟ୍। ଠାଏ ଠାଏ ପୁଅ-ବୋହୂଙ୍କ ଘରେ ବାପମା ବି ଗେଷ୍ଟ ଲିଷ୍ଟରେ ନାଁ ଲେଖେଇ ସାରିଲେଣି। ବୋହୁଙ୍କ କିଟି ପାର୍ଟି ସଂସଦ, ଏ ଆଇନ ପାଶ୍ କରିସାରିଲେଣି। ସେଥିପାଇଁ ବାପ ମାଆ ଦି ଦିନରୁ ଅଧିକ ଟିକିବାକୁ ନାରାଜ। ହୋଟେଲ, ଏୟାର ଲାଇନ୍ ରେ ପୁରା ପଇସା ଦେଇ ଆପଣ ଗେଷ୍ଟ। ବାହାବ୍ରତରେ କାର୍ଡ ଖଣ୍ଡିଏ ଆପଣଙ୍କୁ ଆଧାର କାର୍ଡ ର ଷ୍ଟାଟସ ଦେଇ ଗେଷ୍ଟ ଲିଷ୍ଟକୁ ଏଣ୍ଟ୍ରି ଦିଏ। ଟେକ୍ନୋଲୋଜି ର ସାହାଯ୍ୟ ନେଇ ହ୍ବାଟ୍ସଆପ୍ କାର୍ଡ ଘଣ୍ଟି ବଜାଇ ଆପଣଙ୍କ ମୋବାଇଲ ରେ ପ୍ରବେଶ କରେ। ଯିବା ନଯିବା ଆପଣଙ୍କ ଇଛା। ଯଦି ଯାଆନ୍ତି , ଲଫାପା ଖଣ୍ଡିଏ ରଖିଥିବା ବିଧି। ଏ ନିମନ୍ତ୍ରଣ ଫର୍ମୁଲା, ଆମରି ଆଗରେ କେତେ ରୂପ ନେଲାଣି। ଆଉ ବ୍ୟକ୍ତିଗତ ହ୍ବାଟ୍ସଆପ୍ ଡକରା ଆସୁନାହିଁ। ହୋଲସେଲ୍ ଇନ୍ଭିଟେସନ ଆସୁଛି। ଆପଣ ଯେଉଁ ଗ୍ରୁପ୍ ରେ ଅଛନ୍ତି ସେଇଥିରେ ଗୋଟିଏ କାର୍ଡ ପୋଷ୍ଟ ହୋଇଯାଉଛି। ପର୍ସନାଲ୍ ଟଚ୍ ର ନାଁ ଗନ୍ଧ ନାହିଁ। ଆମ ରିସର୍ଚ୍ଚ ଟିମ୍ ଏ ପ୍ରକାର ମାନସିକତା ଅଧ୍ୟୟନ କରି ଯାହା ବୁଝିଲା, “ଆସିଲେ ଆସ ନ ଆସିଲେ ନାହିଁ !” ମନୋଭାବ ସ୍ପଷ୍ଟ ବାରି ହୋଇ ପଡୁଛି।
ଆଉ ଗୋଟାଏ ଡିଜାଇନ୍ ଅଛନ୍ତି, କଣ ପାଇଁ ଡାକୁଛନ୍ତି ଜମା କହିବେ ନାହିଁ। ପଚାରିଲେ ଉତ୍ତର ମିଳେ, “ଏମିତି !” ନୋ ଗିଫ୍ଟ୍ ର ସାବଧାନ ବାଣୀ। ଆପଣଙ୍କ ଭାବନା ହଲିଯିବ। କଣ କରିବା? ଫୁଲ? ଲଫାପା? ଆଉକିଛି? ସେଇ ଫର୍ମୁଲା, “ଜଗନ୍ନାଥ ହୋ , କିଛି ମାଗୁନାହିଁ ତୋତେ ! ଧନ ମାଗୁନାହିଁ ଜନ ମାଗୁନାହିଁ, ମାଗୁଛି ଶରଧା ବାଲିରୁ ହାତେ।” ଶରଧା ବାଲିରେ ହାତେ, କେତେଟଙ୍କା କହିଲେ? ଆଉ ଜଣେବାବୁ ଗୋଟାଏ ନୁଆ ଡିଜାଇନରେ ନିଜ ଗ୍ରୁପ୍ ହ୍ବାଟସଆପ୍ ରେ କାର୍ଡ ସହ କନ୍ଫରମେସନ ଓ ସ୍ପଷ୍ଟିକରଣ ମାଗିଛନ୍ତି, ରହିବା ବନ୍ଦୋବସ୍ତ ଦରକାର କି? ନୋ ଟି.ଏ, ଡି.ଏ। ଡବଲ ବେଡ୍ କମନ ବାଥରୁମ ଓନଲି, ଯାହା ଲେଖି ନାହାନ୍ତି ! ଆମେ ଏତେଗୁଡାଏ ନିମନ୍ତ୍ରଣ ମଡେଲ ଷ୍ଟଡି କରି ଯାହା ଅନୁଭବ କଲୁ , ସେ ଦିନ ଆଉ ବେଶୀ ଦୁରନାହିଁ ଯେଉଁ ଦିନ ଗୋଟିଏ କାର୍ଡରେ ଲେଖା ହେବ, “ଆପଣଙ୍କ ଯିବା ଆସିବା ବାଟରେ ହାଣ୍ଡି ଡେକ୍ଚି ଥୁଆ ହୋଇଥିବ, ଦେଖି ଖାଇନେବେ। ସେଲ୍ଫ ସର୍ଭିସ୍ ଓନଲି। ବି.ଦ୍ର: ପୂର୍ଣ ଲଫାପାଟି ନିକଟସ୍ଥ ଲୌହପେଟିକା ଉପରିଭାଗ ସ୍ଥିତ ପ୍ରବେଶ ପଥରେ ନିକ୍ଷେପ କରିପାରନ୍ତି।” ଏହାକୁ ନିମନ୍ତ୍ରଣର କ୍ରମବିକାଶ ବା ଇଭୋଲ୍ୟୁସନ କହିପାରନ୍ତି। ସମୟ ଥିଲା ସରକାରଙ୍କୁ ଗେଷ୍ଟ କଣ୍ଟ୍ରୋଲ ଆଇନ କରିବା ଦରକାର ପଡିଥିଲା। ଆଜି ଆମେ ପ୍ରଗତି ପଥେ ଆଗେଇଛୁ, କହନ୍ତି ସ୍ବାମୀ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେଶନ।
ଆଉ ସେ ଅତିଥି ଶବ୍ଦ ନାହିଁ, ସେ ପ୍ରଥା ବି ନାହିଁ ଭାଇ… ଆଉ କିଛିଦିନ ପରେ ପ୍ରକୃତ ଅର୍ଥକୁ ଛାଡ଼ି ଅନ୍ୟ ଅର୍ଥରେ (ଯେମିତି କି ଉଡ଼ାଜାହାଜରେ ଗେଷ୍ଟ, ୟୁଜର୍ ଆଇ.ଡି ରେ ଗେଷ୍ଟ) … ଆଦିର ବ୍ୟବହାର ରହିଯିବ ପରା!
ସମୟ ପରିବର୍ତ୍ତନ ଶୀଳ
Covid ରେ packaged ଖାଇବା ପ୍ରଥା ବି ଆରମ୍ଭ ହେଲା 😄