ସାରଳା ଦାସଙ୍କ ନବଗୁଞ୍ଜର : ନବ ଚିନ୍ତନ

  • ‘ ନବଗୁଞ୍ଜର ’ ପରିକଳ୍ପନା ସାରଳା ଦାସଙ୍କ ନିଜସ୍ୱ ପରିକଳ୍ପନା । ଏହି ନବଗୁଞ୍ଜରର ରୂପକଳ୍ପ ଓଡ଼ିଶା ଐତିହ୍ୟର ପରିଚୟ ବହନ କରିଛି ।
Udaya Nath Sahoo
ପ୍ରଫେସର ଉଦୟନାଥ ସାହୁ

ସାରଳା ଦାସଙ୍କ ମହାଭାରତ, ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି। ସମଗ୍ର ଭାରତରେ ସର୍ବପ୍ରଥମେ ପଞ୍ଚଦଶ ଶତାବ୍ଦୀର ଆଦ୍ୟଭାଗରେ ଆଞ୍ଚଳିକ ଭାଷାରେ ରଚିତ ଏହା ଏକ ପୂର୍ଣ୍ଣାଙ୍ଗ ଗ୍ରନ୍ଥ। ଏହା ସଂସ୍କୃତ ମହାଭାରତର ଆକ୍ଷରିକ ଅନୁବାଦ ନୁହେଁ, ବରଂ ସଂସ୍କୃତ ମହାଭାରତର ଛାୟାରେ ରଚିତ ସାରଳା ଦାସଙ୍କ ମୌଳିକ ସୃଷ୍ଟି। ଓଡ଼ିଆ ଜନଜୀବନର ଏହା ଏକ ନିଚ୍ଛକ ପ୍ରତିଛବି। ତେଣୁ ସାରଳା ଦାସ ହେଉଛନ୍ତି ମାଟିର ମହାକବି। ଏଥିରୁ ସାରଳା ଦାସଙ୍କର ଅସାଧାରଣ ପ୍ରତିଭାର ପରିଚୟ ମିଳିଥାଏ। ଓଡ଼ିଶାର ଆଞ୍ଚଳିକ ସଂସ୍କୃତି ଓ ସ୍ଵାତନ୍ତ୍ର୍ୟର ଏକ ସାରସ୍ୱତ ଭଣ୍ଡାର ହେଉଛି ଏହି ମହାଭାରତ। ଏଥିରୁ ଓଡ଼ିଶାର ଧର୍ମ, ସମାଜ, ସଂସ୍କୃତି, କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ସ୍ୱତନ୍ତ୍ର ପରିଚୟ ମିଳିଥାଏ। ସାରଳା ଦାସ ଓଡ଼ିଶାର ଜନଜୀବନରେ ପ୍ରଚଳିତ ଲୋକକଥା କାହାଣୀ ଓ କିମ୍ବଦନ୍ତୀ ସବୁ ବ୍ୟବହାର କରିଅଛନ୍ତି। ଭାରତବର୍ଷର ଉଚ୍ଚ ମାନବିକ ମୂଲ୍ୟବୋଧ, ଉଚ୍ଚ ବିଚାରଧାରା ଓ ନୈତିକ ଆଦର୍ଶର ପ୍ରତିଫଳନ ଏହି ଗ୍ରନ୍ଥରେ ଉପଲବ୍ଧ।
ଧର୍ମ ଦୃଷ୍ଟିରୁ ସଂସ୍କୃତ ମହାଭାରତ ବେକାର୍ଷ୍ଣବେଦମିମଂଦ ସଦୃଶ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ଅଟେ। ମହାଭାରତରେ ଏହାକୁ ‘କାର୍ଷ୍ଣ’ ବେଦ ବୋଲି କୁହାଯାଇଛି। (ସଂମ-ଆଦି-ଅ୬୨/ଶ୍ଳୋକ-୧୮। )(ବିଦ୍ୱାଛାବୟିତ୍ୱାର୍ଥମଶ୍ରୁତେ।) ଏହା ବେଦର ସମକକ୍ଷ। ସାଧାରଣ ଜନତା ପାଇଁ ବେଦ ଦୁର୍ଗମ ହୋଇଥିବାରୁ ସଂସ୍କୃତ ମହାଭାରତ ବେଦଠାରୁ ଅଧିକ ମୂଲ୍ୟବାନ। ଏହା ହିଁ ସଂସ୍କୃତ ମହାଭାରତର ଧାର୍ମିକ ମହତ୍ତ୍ୱ। କିନ୍ତୁ ସାରଳାଙ୍କ ମହାଭାରତ ଏକ ସ୍ୱତନ୍ତ୍ର ସୃଷ୍ଟି। ଉତ୍କଳୀୟ ସମାଜରେ ବିଭିନ୍ନ ଧର୍ମର ଧାରା ପ୍ରବାହିତ ହୋଇ ଆସିଅଛି। ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ ପ୍ରଭୃତି ବିଭିନ୍ନ ସମ୍ପ୍ରଦାୟର ସାଧକଗଣ ଏହି ପବିତ୍ର ଭୂମିରେ ନିଜ ନିଜର ମତବାଦ ପ୍ରଚାର କରିଯାଇଥିଲେ ହେଁ ପରିଶେଷରେ ତାହା ବିଶାଳ ଜଗନ୍ନାଥ ସଂସ୍କୃତିରେ ଲୀନ ହୋଇଯାଇଅଛି। ଏକ ଉଦାର ମୁଦ୍ରାରେ ଦୁଇବାହୁ ପ୍ରସାରିତ କରି ଜଗନ୍ନାଥ ସବୁ ଧର୍ମ ଓ ମତବାଦକୁ ଯେପରି ଆପଣାର କରିନେଇଛନ୍ତି। ସାରଳା ମହାଭାରତରେ ଶ୍ରୀଜଗନ୍ନାଥଙ୍କୁ ପୂର୍ଣ୍ଣବ୍ରହ୍ମର ଠୁଳ ରୂପେ ପରିକଳ୍ପନା କରାଯାଇଥିବା ବେଳେ ଶ୍ରୀକୃଷ୍ଣଙ୍କୁ ସ୍ଥୂଳ ଦେହଧାରୀ ପୂର୍ଣ୍ଣବ୍ରହ୍ମ ଭାବରେ ଗ୍ରହଣ କରାଯାଇଛି। ଅନେକ କ୍ଷେତ୍ରରେ ଶ୍ରୀଜଗନ୍ନାଥ ଏବଂ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଅଭେଦ ପରିକଳ୍ପିତ। ସାରଳା ଦାସଙ୍କ ମାନସିକ ଆଧାରଭୂମି ରୂପେ ତତ୍କାଳୀନ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ଧର୍ମୀୟ, ଐତିହାସିକ, ତଥା ଲୋକ ପରମ୍ପରାକୁ ଗ୍ରହଣ କରାଯାଇପାରେ।

ସ୍ୱତନ୍ତ୍ର ସଂଯୋଜନା
ସାରଳା ନିଜସ୍ୱ ପୃଥିବୀରେ ବିଚରଣ କରି ଅନେକ କଥା ଓ କାହାଣୀର ସଂଯୋଜନା ମାଧ୍ୟମରେ ଏହାକୁ ମୂଳ ମହାଭାରତଠାରୁ ସ୍ୱତନ୍ତ୍ର ଭାବରେ ଗଢ଼ିଅଛନ୍ତି। ଲୋକଜୀବନର ଅନ୍ତଃସ୍ଥଳକୁ ଗଭୀର ଭାବରେ ସ୍ପର୍ଶ କରିବା ପାଇଁ ଏହି ପ୍ରକାର ନୂତନ ସଂଯୋଜନାର ଏକ ଐତିହାସିକ ଆବଶ୍ୟକତା ଥିଲା। ସେ ଥିଲେ ବିଦଗ୍‌ଧ କଳ୍ପନା ବିଳାସୀ। ତାଙ୍କର ନିଜର ମୌଳିକତା ପ୍ରକାଶ ପାଇଁ କିଭଳି ଥିଲେ ସଦା ବ୍ୟାକୁଳ ତା’ର ପ୍ରଚୁର ପ୍ରମାଣ ତାଙ୍କ ନିଜସ୍ୱ ସୃଷ୍ଟି ମଧ୍ୟରେ ସେ ଛାଡ଼ିଯାଇଛନ୍ତି। ସାରଳା ଦାସଙ୍କର ‘ନବଗୁଞ୍ଜର’ ରୂପ ବର୍ଣ୍ଣନା ଏକ ମୌଳିକ ପରିକଳ୍ପନା। ଏହା ଭାରତରେ ଅନ୍ୟ ଭାଷାରେ ରଚିତ ମହାଭାରତରେ ପରିଦୃଷ୍ଟ ହୁଏନାହିଁ। ଅର୍ଜୁନ ଏକାକୀ ବନବାସ ଯାଇଥିବା ବେଳେ ଶ୍ରୀକୃଷ୍ଣ ବନକୁ ଯାଇ ତାଙ୍କୁ ଏହି ରୂପ ପ୍ରଦର୍ଶନ କରିଥିଲେ।
ଅର୍ଜୁନଙ୍କ ବନବାସର କାରଣ ସ୍ୱରୂପ ସଂସ୍କୃତ ମହାଭାରତରେ ବର୍ଣ୍ଣନା ଅଛି ଯେ- ଗୋଟିଏ ତସ୍କର ଦଳ କୌଣସି ଏକ ବ୍ରାହ୍ମଣର ଗୋ-ମାତା ଅପହରଣ କଲେ। ତେଣୁ ବ୍ରାହ୍ମଣ ପାଣ୍ଡବମାନଙ୍କ ନିକଟରେ ପହଞ୍ଚି ସେଥିରୁ ରକ୍ଷା କରିବା ନିମିତ୍ତ ରୋଦନ କଲେ। ଅର୍ଜୁନ ବ୍ରାହ୍ମଣର ଚିତ୍କାର ଶୁଣି ଯେତେବେଳେ ଅସ୍ତ୍ର ଆଣିବା ପାଇଁ ଅସ୍ତ୍ର ଗୃହକୁ ଗଲେ ସେତେବେଳେ ସେଠାରେ ଦ୍ରୌପଦୀଙ୍କ ସହ ଯୁଧିଷ୍ଠିର ଥିଲେ। ତେଣ୍ରୁ ସର୍ତ୍ତ ଭଗ୍ନ ଯୋଗୁ ସର୍ବ ନିୟମାନୁଯାୟୀ ଅର୍ଜୁନ ଦ୍ୱାଦଶ ବର୍ଷ ବନବାସ ଗଲେ। (ସଂ.ମ-ଆଦି-ଅ୨୧୨/ଶ୍ଳୋ-୧୯-୩୫)
ସାରଳା ଦାସ ବ୍ରାହ୍ମଣର ଅନୁରୋଧ, ଯୁଧିଷ୍ଠିର ଓ ଦ୍ରୌପଦୀଙ୍କ କେଳି ଦର୍ଶନ ଓ ଅର୍ଜୁନ ବନବାସ ଏହି ତିନୋଟି କଥାକୁ ଗ୍ରହଣ କରି ଆଉ ସବୁକୁ ପରିବର୍ତ୍ତନ କରି ଦେଇଛନ୍ତି। ଏଥିରେ ବ୍ରାହ୍ମଣ ହେଲେ ଅଗ୍ନିଦେବତା। ସେ ଯୁଧିଷ୍ଠିରଙ୍କୁ ଡାକି ଆଣିବା ପାଇଁ ଅର୍ଜୁନଙ୍କୁ କହିଲେ। ନୋହିଲେ ବଂଶ ଧ୍ୱଂସଯିବ, ତେଣୁ ଅର୍ଜୁନ ବନବାସକୁ ଭ୍ରୂକ୍ଷେପ ନ କରି ଅନ୍ତଃପୁରରେ ପ୍ରବେଶ କଲେ। ଏଠାରେ ମଧ୍ୟ ସାରଳା ଦାସ ଅନ୍ୟ ଏକ ପରିବେଶ ସୃଷ୍ଟି କରି ଯୁଧିଷ୍ଠିରଙ୍କ ସନ୍ତକକୁ ଶ୍ୱାନ ରୂପରେ ଅଗ୍ନିଦେବ ହରଣ କରିବା କଥା କହିଛନ୍ତି। (ସାମ-ମଧ୍ୟ-ପୃ-୧୮-୧୯) ଏଥିରେ ପାଣ୍ଡବମାନେ ସେମାନଙ୍କର ସନ୍ତକ ରୂପେ ଯୁଧିଷ୍ଠିରଙ୍କ ପାଣ୍ଡୋଇ, ଭୀମସେନଙ୍କ ଗଦା, ଅର୍ଜୁନଙ୍କ ଗାଣ୍ଡିବ ଧନୁ, ନକୁଳଙ୍କର ଏକାନ୍ତ ଓ ସହଦେବଙ୍କର ଖଡ୍‌ଗ ରଖି ଦ୍ରୌପଦୀଙ୍କ ପୁରକୁ ବିଜେ କରିବେ ବୋଲି ଜଳ ମଧ୍ୟରେ ହସ୍ତରଖି ଶପଥ କରାଯାଇଥିଲା। ସ୍ୱାଭାବିକ ଶୈଳୀରେ ପରଶୃଙ୍ଗାର ଦେଖିବାର ଦୋଷ ବର୍ଣ୍ଣନାରେ କୁକୁର ଜାତିକୁ ଯୁଧିଷ୍ଠିରଙ୍କ ଅଭିଶାପ ଦର୍ଶାଇଛନ୍ତି।

ବନ୍ଧୁତ୍ୱର ପରୀକ୍ଷା
ପୂର୍ବସତ୍ୟ ଅନୁସାରେ ଅର୍ଜୁନଙ୍କୁ ଦ୍ୱାଦଶ ବର୍ଷ ବନବାସ ଭୋଗ କରିବାକୁ ପଡିଥିଲା। ବନବାସର ପଞ୍ଚମ ବର୍ଷରେ ଅର୍ଜୁନଙ୍କ ମଣିଭଦ୍ରା ପର୍ବତରେ ଅବସ୍ଥାନ କାଳରେ ଦ୍ୱାରକାଧିପତି ଶ୍ରୀକୃଷ୍ଣ ତାଙ୍କୁ ସାକ୍ଷାତ କରିବାକୁ ଯାଇ ବନ୍ଧୁତ୍ୱର ନିବିଡତା ପରୀକ୍ଷା କରିବା ପାଇଁ:-
“ମନେ ମନେ ବିଚାର କରନ୍ତି ପଦ୍ମନେତ୍ର
କଷଣ କରିବା ଆଜ ବୀରବର ପାର୍ଥ।”
ତେଣୁ ଶ୍ରୀକୃଷ୍ଣ ନଅଗୋଟି ଜୀବନର ରୂପର ବିଚିତ୍ର ସମାବେଶରେ ‘ନବଗୁଞ୍ଜର’ ରୂପରେ ଆବିର୍ଭୂତ ହୋଇ ଅର୍ଜୁନଙ୍କୁ ଆକର୍ଷଣ କରବା ପାଇଁ ନୃତ୍ୟରତ ହେଲେ। ତେଣୁ କବିଙ୍କ ଭାଷାରେ-
“କୁକୁଡାର ମୁଣ୍ଡଗୋଟି ଅତୀୟ ସୁନ୍ଦର ଦିଶଇ
ବୃଷଭର ତୂଳ ଯେ ମୟୂରର କଣ୍ଠ ବିରାଜଇ।
ଅହିବର ପୁଚ୍ଛା ମଝାସିଂଘ କଟିପ୍ରାୟେ
ବ୍ୟାଘ୍ରର ଚରଣେ ଗୋଟି ଅତୀୟ ଶୋଭାପାୟେ।
ତୁରଙ୍ଗ ଚରଣେ ଯେ ଦିଶଇ ସୁନ୍ଦର
ଆବର ପାଦ ଗୋଟି ଅଟଇ କରିବର।
ଆଗ ପାଦ ଗୋଟିକ ମନୁଷ୍ୟର କର ଯେ ଅଟଇ
ସେ କରେ ପଦ୍ମପୁଷ୍ୟ ଗୋଟିୟେକ ଘେନିଲେ ଭାବଗ୍ରାହୀ।”
(ସା.ମ-ମଧ୍ୟ-ପୃ-୩୭)
ଶ୍ରୀକୃଷ୍ଣ ଯେଉଁ ଅଦ୍‌ଭୂତ ଜୀବନ ରୂପ ଧାରଣ କଲେ ତାହା ନଅଗୋଟି ଜୀବର ମିଶ୍ରଣ ଅଟେ। ଯଥା- କୁକୁଡାର ମୁଣ୍ଡ, ବୃଷଭର ଚୂଳ, ମୟୂରର କଣ୍ଠ, ସର୍ପର ପୁଚ୍ଛ, ସିଂହର କଟି, ବ୍ୟାଘ୍ର, ଅଶ୍ୱ, ହସ୍ତୀର ଗୋଟିଏ ଲେଖାଏଁ ପାଦ ଓ ଅନ୍ୟ ପାଦଟି ପଦ୍ମଧାରଣ କରିଥିବା ମଣିଷର ହାତ। ଏଥିରୁ ସାରଳା ଦାସଙ୍କ କଳାନିପୁଣତାର ପରିଚୟ ମିଳେ।
ସାରଳା ଦାସଙ୍କ ଏହି ‘ନବଗୁଞ୍ଜର’ ରୂପକଳ୍ପନା ସମ୍ପର୍କରେ ଅନେକ ଆଲୋଚକ ଭିନ୍ନ ଭିନ୍ନ ମତପୋଷଣ କରିଥାନ୍ତି କିନ୍ତୁ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ଧାର୍ମିକ ପୃଷ୍ଠଭୂମିର ଆଧାରରେ ଏସବୁର ବିଚାର ହୋଇପାରେ।

ପରିକଳ୍ପିତ ଜୀବମାନଙ୍କ ବିଶେଷତ୍ୱ
‘ନବଗୁଞ୍ଜର’ ରୂପ ପରିକଳ୍ପନାରେ ଯେଉଁ ଜୀବମାନଙ୍କୁ ସାରଳା ଦାସ ଗ୍ରହଣ କରିଅଛନ୍ତି, ତାହାର ବିଶେଷତ୍ୱକୁ ଅନୁଧ୍ୟାନ କରାଯାଇପାରେ। ଯଥା- କୁକ୍‌କୁଟ ଶକ୍ତି ଓ ପୌରୁଷର, ମୟୂରର କଣ୍ଠ ସୌନ୍ଦର୍ଯ୍ୟ ଓ ଶୈର୍ଯ୍ୟର ବୃଷଭର, ଚୂଡ ପୌରୁଷର, ସିଂହ କଟି ଶକ୍ତି ଓ ବୀରତ୍ୱର, ବ୍ୟାଘ୍ର ପଦ ଶକ୍ତିର, ହସ୍ତୀ ପାଦ ଅମାପ ଶକ୍ତିର, ଘୋଡା ତେଜ ଓ ଶକ୍ତିର, ସର୍ପ ଭୟର, ମନୁଷ୍ୟର ହସ୍ତ ଶକ୍ତି ସାମର୍ଥ୍ୟର ପ୍ରତୀକ ଭାବରେ ଗ୍ରହଣ କରାଯାଇପାରେ। ପ୍ରତୀକ ହେଉଛି ଏକ ଚିହ୍ନ ବା ସଂକେତ। ମନୁଷ୍ୟର ମନ ଭିତରର ଭାବରାଜିର ପ୍ରକାଶ ନିମିତ୍ତ ଏକାନ୍ତ ଉପଯୋଗୀ। ଯେଉଁ ଅନୁଭୂତି ବା ଭାବରହସ୍ୟକୁ ଭାଷାର ପରିଧିରେ ଆୟତ୍ତ କରିବାକୁ ମଣିଷ ସମର୍ଥ ହୁଏ ନାହିଁ, ତାହାର ପରିପ୍ରକାଶ ପାଇଁ ସାହିତ୍ୟରେ ବ୍ୟବହୃତ ହୁଏ ପ୍ରତୀକ ବା ସଂକେତ। ପାରିପାର୍ଶ୍ବିକ ଅବସ୍ଥାର ଭୂମିକା ଏ ଦିଗରେ ଯଥେଷ୍ଟ ବେଶି।
ସାରଳା ମହାଭାରତରେ କୁହାଯାଇଛି ଯେ, କୃଷ୍ଣ ଓ ଜଗନ୍ନାଥ ଅଭିନ୍ନ। ଏକ ପକ୍ଷରେ ସେ ଯେପରି ଜଗତର ନାଥ ଜଗନ୍ନାଥ, ଅନ୍ୟ ପକ୍ଷରେ ଜଗତରୂପୀ ନାଥ ଜଗନ୍ନାଥ। ତେଣୁ ସାରଳା ଦାସ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଦେଖି ସମସ୍ତ ମହାଭାରତଟି ଜଗନ୍ନାଥଙ୍କ କର୍ମ ପରମ୍ପରା ବୋଲି ଦେଖାଇଛନ୍ତି। କୃଷ୍ଣଙ୍କ ଶରୀର ତ୍ୟାଗ ପରେ ଜଗନ୍ନାଥଙ୍କ ଆବର୍ଭାବ ସାରଳା ଦାସଙ୍କ ସମ୍ପୂର୍ଣ୍ଣ ନୂତନ କଳ୍ପନା। ଓଡ଼ିଶାର ସଂସ୍କୃତି କହିଲେ, ଜଗନ୍ନାଥ ସଂସ୍କୃତି, ଧର୍ମ କହିଲେ ଜଗନ୍ନାଥ ଧର୍ମ। ସତେ ଯେପରି ଜଗନ୍ନାଥ ହିଁ ଓଡ଼ିଶାର ସକଳ ବିଭାବର ପ୍ରାଣକେନ୍ଦ୍ର। ଜଗନ୍ନାଥ ହିଁ ସର୍ବଧର୍ମର ସମନ୍ୱୟର ପ୍ରତୀକ। ସାରଳା ଦାସଙ୍କ ‘ନବଗୁଞ୍ଜର’ ପରିକଳ୍ପନାରେ ସେହିପରି ସର୍ବଧର୍ମର ସମନ୍ୱୟ ଘଟିଅଛି। ଯେପରିକି ବୃଷଭର ଚୂଳ ଓ ସର୍ପ। ଶିବଙ୍କର ବାହନ ବୃଷଭ ଏବଂ ଶିବଙ୍କର କଣ୍ଠରେ ଶୋଭମାନ ସର୍ପ। ସିଂହ ଓ ବ୍ୟାଘ୍ର ଆମ ସଂସ୍କୃତିରେ ମା’ ଦୁର୍ଗା ଓ ମା’ ମଙ୍ଗଳାଙ୍କର ବାହନ। ସେ ଶକ୍ତି ସ୍ୱରୂପିଣୀ। ମୟୂର ଦେବତାମାନଙ୍କର ସେନାପତି କାର୍ତ୍ତିକେୟଙ୍କର ବାହନ। ହସ୍ତୀ ଲକ୍ଷ୍ମୀଙ୍କର ମଧ୍ୟ ବାହନ। କୁକ୍‌କୁଟ ଶ୍ରୀରାମଙ୍କର ପ୍ରିୟ। କାରଣ ସୀତାଙ୍କୁ ରାବଣ ହରଣ କରିବା ବେଳେ କୁକ୍‌କୁଟ ହିଁ ତ୍ରେତୟା ଯୁଗରେ ଶ୍ରୀରାମଙ୍କୁ ଏ ବାର୍ତ୍ତା ପ୍ରଦାନ କରିଥିଲା। ଏହି କଥା ରାମାୟଣରେ ବର୍ଣ୍ଣିତ ଅଛି। ତେଣୁ ଖୁସିରେ ଶ୍ରୀରାମଚନ୍ଦ୍ର କୁକ୍‌କୁଟକୁ ମୁକୁଟ ପ୍ରଦାନ କରିଥିଲେ। ତେଣୁ ଲାବଣ୍ୟବତୀ କାବ୍ୟରେ ଉପେନ୍ଦ୍ର ଭଞ୍ଜ ସଂକ୍ଷିପ୍ତ ରାମାୟଣ କଥା ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି ଯେ-
“କୁକ୍‌କୁଟକୁ ମୁକୁଟ ସେ ଗିରିକୂଟେ ଦେଇ
ଲଭି ବଲଭୀ ଉଦନ୍ତ ଦୂତ ପଠିଆଇ ୟେ।”
(ଲାବଣ୍ୟବତୀ-୧୫ଶ ଛାନ୍ଦ/୨୬ ପଦ)
ଜଗନ୍ନାଥ ଓ ବଳଭଦ୍ର ଠାକୁର ଅଶ୍ୱପୃଷ୍ଠରେ ଆରୋହଣ କରି ଯୁଦ୍ଧ କ୍ଷେତ୍ରକୁ ଆଗମନ କରିଅଛନ୍ତି। ପଦ୍ମ ମଧ୍ୟ ଲକ୍ଷ୍ମୀ ଓ ବିଷ୍ଣୁଙ୍କର ଅତିପ୍ରିୟ। ତେଣୁ ଏଥିରୁ ମନେ ହୁଏ ଏହି ‘ନବଗୁଞ୍ଜର’ ରୂପ କଳ୍ପନାରେ ଦେବତାମାନଙ୍କ ସହିତ ସମ୍ପର୍କିତ ନଅଗୋଟି ପ୍ରାଣ ଭିନ୍ନ ଅବୟବ ଗ୍ରହଣ କରିଥିବା ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥ ଯେ ଅଭିନ୍ନ ତାହାର ପ୍ରମାଣ ଦର୍ଶାଇଅଛନ୍ତି। ଏଠାରେ ଶୈବ, ବୈଷ୍ଣବ, ଶାକ୍ତ ଧର୍ମର ସମନ୍ୱୟ ସାଧିତ ହୋଇଅଛି। ଶ୍ରୀକୃଷ୍ଣ ଏହି ରୂପରେ ଅର୍ଜୁନ ବାସ କରୁଥିବା ମଣିଭଦ୍ରା ପର୍ବତର ପାଦଦେଶରେ ଅର୍ଜୁନଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଏପରି ବିଚିତ୍ର ଜୀବକୁ ଦର୍ଶନ କରି ଅର୍ଜୁନ ଦ୍ୱିଧା ଓ ସଂକୋଚରେ କଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲେ। ପରେ ସେ ବିଚିତ୍ର ଜୀବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ପଡି ରହିଲେ। ସେତେବେଳେ ତାଙ୍କ ମନରେ ଭାବନା ଥିଲା- “ଶୋଇବି ମୁଁ ଏହା ପଦତଳେ ଗଡଘାଲି। ଅନ୍ୟଜୀବ ହୋଇଥିଲେ ନିଶ୍ଚେ ଯିବ ଜଳି।” ଅର୍ଜୁନଙ୍କ ଏହି ସମର୍ପିତ ଭାବ ଦେଖି ଶ୍ରୀକୃଷ୍ଣ ନିଜର ରୂପ ପ୍ରଦର୍ଶନ କରିଥିଲେ।

ଦିଅଁମାନଙ୍କର ତିନିରୂପ
ସାରଳା ଦାସ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ହର, ବ୍ରହ୍ମା ଓ ହରି ରୂପରେ କଳ୍ପନା କରିଛନ୍ତି। (ସା.ମ. ମୂଷଳୀ-ପୃ୧୧୬) ଭୁବନେଶ୍ୱର ଏକାମ୍ର କ୍ଷେତ୍ର ହେଲେ ହେଁ ସେଠାରେ ବିନ୍ଦୁସାଗର ପୁଷ୍କରିଣୀର ପୂର୍ବତଟରେ ଅନନ୍ତ ବାସୁଦେବ ମନ୍ଦିରରେ (୧୨୭୫ ଖ୍ରୀଷ୍ଟାବ୍ଦରେ ନିର୍ମିତ) ବଳରାମ, ଶ୍ରୀକୃଷ୍ଣ ଓ ସୁଭଦ୍ରା ଯଥାକ୍ରମେ ବିଷ୍ଣୁ, ଶିବ ଓ ଦୁର୍ଗାଙ୍କର ପ୍ରତୀକ। (ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ ଜର୍ଣ୍ଣାଲ- ଭାଗ୧୦-୧୯୬୩, ପୃ-୨୮୦) ଏଥିରୁ ଜଣାଯାଏ ଯେ, ସାରଳା ଦାସଙ୍କ ବହୁ ପୂର୍ବରୁ ଏହି ସମନ୍ୱୟ ସାଧନ ପରମ୍ପରା ଶୈବ ଧର୍ମ ସହ ବୈଷ୍ଣବ ଧର୍ମ ତଥା ଜଗନ୍ନାଥ ଧର୍ମ ସମନ୍ୱିତ ହୋଇଯାଇଥିଲା। ତେଣୁ ସେହି ପରମ୍ପରାରେ ‘ନବଗୁଞ୍ଜର’ ରୂପରେ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ମିଳନ ଘଟିଅଛି। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର- ଏହି ତ୍ରିଦେବ ବାଦ କବିଙ୍କର ରଚନାରେ ସୁନ୍ଦର ଭାବେ ବର୍ଣ୍ଣିତ (ସା.ମ. ମୂଷଳୀ- ପୃ୧୧୬)
ପୁଣି ଆଲୋଚନା ହୁଏ ଯେ, ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ପୁରୀ ଶ୍ରୀମନ୍ଦିର ଉତ୍ତର ପାଶ୍ୱର୍ ଗାତ୍ରରେ ‘ନବଗୁଞ୍ଜର’ ଚିତ୍ର ଖୋଦିତ। ନୀଳଚକ୍ରରେ ମଧ୍ୟ ନବଗୁଞ୍ଜର ଆକୃତିର ସମାବେଶ ହୋଇଛି। କିନ୍ତୁ ପୁରୀ ଶ୍ରୀମନ୍ଦିର ଉତ୍ତର ପାଶ୍ୱର୍ରେ ଥିବା ନବଗୁଞ୍ଜର ଚିତ୍ର ସାରଳା ଦାସଙ୍କ ପରବର୍ତ୍ତୀ ଚିତ୍ର। ଏଠାରେ ଚିତ୍ରକର ପଦ୍ମଫୁଲ ପରିବର୍ତ୍ତେ ଚକ୍ର ଓ ପତାକା ହସ୍ତରେ ଧରାଇ ଦେଇଛନ୍ତି। ସାରଳା ଦାସଙ୍କ ମହାଭାରତ ରଚନାର ବହୁ ପୂର୍ବରୁ ଶ୍ରୀମନ୍ଦିର ଗାତ୍ରରେ ‘ନବଗୁଞ୍ଜର’ ଚିତ୍ର ଖୋଦିତ ହୋଇସାରିଥିଲା ବୋଲି ଯାହା କୁହାଯାଉଛି, ତାହାର କୌଣସି ଐତିହାସିକ ପ୍ରମାଣ ଆମ ନିକଟରେ ନାହିଁ। ନବଗୁଞ୍ଜର ଆମ ସଂସ୍କୃତି ଐତିହ୍ୟର ନିଦର୍ଶନ। ଏହା ଓଡ଼ିଶାର କଳା ଓ ସଂସ୍କୃତିର ବାହନ ଓ ପ୍ରତୀକ ଭାବରେ ସ୍ୱତନ୍ତ୍ର ଅଧିକାର କରିଛି। ଏହାର ପ୍ରଭାବରେ ଓଡ଼ିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମଧାରା। ବହୁରୂପରେ ପ୍ରଭାବିତ ହୋଇଛି।

ନୀଳଚକ୍ର ପ୍ରସଙ୍ଗ
ଶ୍ରୀମନ୍ଦିରର ନୀଳଚକ୍ର ହେଉଛି ଉତ୍କଳୀୟ ଶିଳ୍ପକଳାର ଅପୂର୍ବ ନିଦର୍ଶନ ଏବଂ ଉତ୍କଳୀୟ ପରମ୍ପରା ଓ ସଂସ୍କୃତିର ପ୍ରତୀକ। ନୀଳଚକ୍ରଙ୍କର ଉଚ୍ଚତା ୧୨ ଫୁଟ ଓ ବ୍ୟାସ ୭ଫୁଟ ୬ ଇଞ୍ଚ। ବାହ୍ୟଚକ୍ର ଓ ଅନ୍ତଃଚକ୍ର ଦୁଇଟି ଚକ୍ରକୁ ନେଇ ନୀଳଚକ୍ର ନିର୍ମିତ। ଏଥିରେ ଆଠଗୋଟି ଅର ଅଛି। ପ୍ରତ୍ୟେକ ଅରର ଦୈର୍ଘ୍ୟ ୧ ଫୁଟ ୧୦ ଇଞ୍ଚ। ନୀଳଚକ୍ରଙ୍କ ବିଗ୍ରହ ଅଷ୍ଟଧାତୁରେ ନିର୍ମିତ। ଶ୍ରୀ ନୀଳଚକ୍ରଙ୍କ କେନ୍ଦ୍ରସ୍ଥିତ ବୃତ୍ତାକାର ଶୂନ୍ୟମଣ୍ଡଳକୁ ନେମି ବା ଜ୍ୱାଳାପିଣ୍ଡି, ଅର ସମୂହକୁ ବହ୍ନିଶିଖା, ଚକ୍ରଧାରସ୍ଥ ଅଳଂକୃତ ଅଂଶକୁ ଜ୍ୟୋତିଜ୍ୱଳା ଓ ଚକ୍ରଶୀର୍ଷକୁ କର୍ଣ୍ଣିକା କୁହାଯାଏ। ବିଦ୍ୱାନମାନଙ୍କ ମତରେ ନୀଳଚକ୍ରର ଆଠଗୋଟି ଅର ଭଗବାନଙ୍କ ଦ୍ୱାରା ସୃଷ୍ଟ ବଡ ପ୍ରକୃତିର ୮ଟି ବିଭାଗର ସୂଚକ ଅଟନ୍ତି। (ଶ୍ରୀଜଗନ୍ନଥଙ୍କ ଜ୍ଞାନ କୋଷ: ଲେ-ଡକ୍ଟର ଭାସ୍କର ମିଶ୍ର, ପୃ ୫୪୮-୫୪୯) ଶ୍ରୀମନ୍ଦିରର ମୂଳ ନୀଳଚକ୍ର ନଷ୍ଟ ହୋଇଯାଇଛି। ଐତିହାସିକ ଶ୍ରୀକେଦାରନାଥ ମହାପାତ୍ରଙ୍କ ମତାନୁଯାୟୀ ଦିବ୍ୟସିଂହ ଦେବଙ୍କ ଅ୯ଙ୍କରେ ଅର୍ଥାତ୍ ୧୬୯୪ ଅକ୍ଟୋବର ମାସ ୬ ତାରିଖରେ ଭୟଙ୍କର ଝଡ ତୋଫାନ ଯୋଗୁ ବଡ ଦେଉଳ ଉପରୁ ନୀଳଚକ୍ର ଉପୁଡି ପଡିଥିଲା। ସେହିକାଳରୁ ଶ୍ରୀମନ୍ଦିର ନୀଳଚକ୍ର ଶୂନ୍ୟ ଥିଲା। ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୩୩ଅଙ୍କ ମକର ୨୮ ଦିନ ମନ୍ଦିର ଶିଖରରେ ଶ୍ରୀନୀଳଚକ୍ର ପୁନଃ ପ୍ରତିଷ୍ଠିତ ହୋଇଥିବାର ଅଭିଲେଖରୁ ଜଣାଯାଏ। “ଶ୍ରୀ ଦିବ୍ୟସିଂହ ଦେବ ମହାରାଜଙ୍କ ଅ୩୩ଙ୍କ ମକର ଦି୨୮ନ ଓ ଶ୍ରୀନୀଳଚକ୍ର ତିଆରି ହୋଇ ବିଜେ ହୋଇଲେ।” ଗଣନା ଅନୁସାରେ ଏହି ସ୍ମରଣୀୟ ଘଟଣା ୧୭୫୧ ମସିହା ଜାନୁଆରୀ ମାସ ୨୬ ତାରିଖରେ ଘଟିଥିଲା।

ମାଦଳା ପାଞ୍ଜିର ବିବରଣୀ
ମାଦଳା ପାଞ୍ଜି ବିବରଣୀ ଅନୁଯାୟୀ ପରମାନନ୍ଦ ପଟ୍ଟନାୟକଙ୍କ ପୁଅ ଧରମୁ ହରିଚନ୍ଦନ ମହାପାତ୍ର ନୂଆ ହୋଇ ନିର୍ମିତ ହୋଇଥିବା ନୀଳଚକ୍ରକୁ ବଡ ଦେଉଳ ଉପରେ ସିଧାସଳଖ ଭାବରେ ବସାଇଲେ। ଏକଥା ଶ୍ରୀ ମହାପାତ୍ରଙ୍କ “ଖୁରୁଆ ଇତିହାସ”ରେ ଉଲ୍ଲେଖ ଅଛି। ଶ୍ରୀମନ୍ଦିର ଚୂନରା ସେବକଙ୍କ ଠାରୁ ସଂଗୃହୀତ ତଥ୍ୟ ଅନୁଯାୟୀ ଶ୍ରୀ ନୀଳଚକ୍ରର କେନ୍ଦ୍ରସ୍ଥ ଗୋଲାକାର କ୍ଷେତ୍ର ଫଳକରେ ଉଲ୍ଲେଖ ଅଛି- “ଦିବ୍ୟସିଂହ ଦେବ ମହାରାଜଙ୍କ ୩୩ଅଙ୍କ ମକର ୨୮ ଦିନ ଶ୍ରୀନୀଳଚକ୍ର ତିଆରି ହୋଇଣ ବଡ଼ ଦେଉଳେ ବିଜେ ହୋଇଥିଲେ। (ଶ୍ରୀଜଗନ୍ନାଥ ଜ୍ଞାନକୋଷ- ପୃ ୫୪୮)। ଶ୍ରୀନୀଳଚକ୍ରରେ ‘ନବଗୁଞ୍ଜର’ ଚିତ୍ର ଖୋଦିତ ନାହିଁ। କିନ୍ତୁ ନୀଳଚକ୍ରର ସ୍ୱାତନ୍ତ୍ର‌୍ୟ, ସୌନ୍ଦର୍ଯ୍ୟ ଓ ମହିମା ଅତ୍ୟନ୍ତ ବିସ୍ମୟକର। ପୁରାଣମାନଙ୍କରେ ଅଦ୍‌ଭୂତ ଜୀବ ଓ ରାକ୍ଷସମାନଙ୍କର ଅଦ୍‌ଭୂତ ରୂପର ବର୍ଣ୍ଣନା ପରିଦୃଷ୍ଟ ହୁଏ। ଏପରିକି ଭଗବାନଙ୍କର ଦଶଟି ଅବତାର ମଧ୍ୟରେ ନୃସିଂହ ଅବତାର ଏକ ଅଦ୍‌ଭୂତ ପରିକଳ୍ପନା। ଏହା ମଣିଷର ଶରୀର ଏବଂ ସିଂହ ମସ୍ତକର ଏକ ମିଶ୍ରିତ ରୂପ। ସେହିପରି କାମଧେନୁ ନାରୀର ଶିର ଏବଂ ଶରୀର ଗାଈ, ଗଣେଶ-ଶିର ହସ୍ତୀ ଓ ଶରୀର ମନୁଷ୍ୟ, ମହିଷାସୁର-ଅର୍ଦ୍ଧେକ ମହିଷ ଓ ଅର୍ଦ୍ଧେକ ମନୁଷ୍ୟ ପ୍ରଭୃତିର ବର୍ଣ୍ଣନା ପୁରାଣମାନଙ୍କରେ କରାଯାଇଛି। ସାରଳା ଦାସ ହୁଏତ ଏହି କଳ୍ପନା ଦ୍ୱାରା ଉଦ୍‌ବୁଦ୍ଧ ହୋଇ ନଅଗୋଟି ଜୀବର ମିଶ୍ରଣରେ ଏକ ଅଦ୍‌ଭୂତ ରୂପ ସୃଷ୍ଟି କରିଥାଇପାରନ୍ତି।
ଗ୍ରୀକ୍‌, ଚୀନ୍‌, ବାଲି ପ୍ରଭୃତି ଦେଶର ପୁରାଣ ଶାସ୍ତ୍ରରେ ଡ୍ରାଗନ୍ ନାମକ ପକ୍ଷ ଓ ନଖ ବିଶିଷ୍ଟ ଏକ ଅଗ୍ନିଶ୍ୱାସୀ ସର୍ପର ବର୍ଣ୍ଣନା ରହିଛି। ଏହା ପାଞ୍ଚଗୋଟି ଜୀବର ମିଶ୍ରଣରେ ଏକ କାଳ୍ପନିକ ସର୍ପ। ତ୍ରୟୋଦଶ ଶତାବ୍ଦୀ ପୂର୍ବରୁ ଏହାର ରୂପ କଳ୍ପିତ। ପୂର୍ବେ ବାଲିଦ୍ୱୀପ ସହିତ ଭାରତର ସାଂସ୍କୃତିକ ତଥା ବାଣିଜ୍ୟିକ ସମ୍ପର୍କ ଥିଲା। ତେଣୁ ସାରଳା ଦାସ ହୁଏତ ଡ୍ରାଗନର ଛବି ଦେଖିଥିବେ କିମ୍ବା ଏପରି ଅଦ୍‌ଭୁତ ଜୀବନ ସଂପର୍କରେ ଶୁଣିଥିବେ। ତେଣୁ ସେ ‘ନବଗୁଞ୍ଜର’ ପରି ଏକ କାଳ୍ପନିକ ଜୀବ ସୃଷ୍ଟି କରିବା ପାଇଁ ପ୍ରେରଣା ପାଇଥିବେ।
ମୋଟାମୋଟି ଭାବରେ କୁହାଯାଇପାରେ ଯେ, ‘ନବଗୁଞ୍ଜର’ ପରିକଳ୍ପନା ସାରଳା ଦାସଙ୍କ ନିଜସ୍ୱ ପରିକଳ୍ପନା। ଏହି ନବଗୁଞ୍ଜରର ରୂପକଳ୍ପ ଓଡ଼ିଶା ଐତିହ୍ୟର ପରିଚୟ ବହନ କରିଛି ଏବଂ ତାହା ପଟ୍ଟଚିତ୍ରରେ ପ୍ରତିଫଳିତ ହୋଇ ସମଗ୍ର ବିଶ୍ୱରେ ଆଦୃତ ହୋଇଛି। ଓଡ଼ିଶାର ଲୋକସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ସହିତ ସମ୍ପର୍କିତ ‘ନବଗୁଞ୍ଜର’ ଭାବଧାରା ଓଡ଼ିଶାର ଲୋକସମାଜରେ ଏକ ଦୃଢ଼ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଛି। ଜଗନ୍ନାଥ ହିଁ ଓଡ଼ିଶାର ସକଳ ବିଭାବର ପ୍ରାଣକେନ୍ଦ୍ର। ବିଷ୍ଣୁ-କୃଷ୍ଣ-ଶ୍ରୀଜଗନ୍ନାଥ ସମନ୍ୱୟର ଆଧାର ‘ନବଗୁଞ୍ଜର’ ରୂପକଳ୍ପରେ ସାରଳା ଦାସଙ୍କ ମୌଳିକ ଚିନ୍ତା, ଜନଶ୍ରୁତି ଓ ଶାସ୍ତ୍ରୀୟ ପ୍ରସଙ୍ଗର ଚମତ୍କାର ବିନ୍ୟାସ ଦେଖିବାକୁ ମିଳେ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୨ ସଂଖ୍ୟାରେ ପ୍ରକାଶିତ ପ୍ରବନ୍ଧ।)

One thought on “ସାରଳା ଦାସଙ୍କ ନବଗୁଞ୍ଜର : ନବ ଚିନ୍ତନ

Leave a Reply

Your email address will not be published. Required fields are marked *