ଆମେ ଅନେକ କବି-ବନ୍ଧୁଙ୍କର ସ୍ବୀକାରୋକ୍ତି ଶୁଣୁ, “କବିତା ତ ମୁଁ ଲେଖେ କେବଳ ମୋ ନିଜ ପାଇଁ।” ନିଜର ଭାବନା, ନିଜର ବ୍ୟଥା ଓ ନିଜର ମାନସିକ ଉଦ୍ବେଳନକୁ ଯେନତେନ ପ୍ରକାରେଣ କାଗଜ ଉପରେ ଢାଳିଦେବା ପାଇଁ କବିତା ଯେମିତି ସେମାନଙ୍କ ପାଇଁ ସହଜ ମାଧ୍ୟମଟିଏ ମାତ୍ର। ଏହି ମୁଁ-ମୁଁକାରରେ ଛନ୍ଦି ହୋଇ ଆମ ସମୟର ଅଧିକାଂଶ କବି କବିତା ନାମରେ ନିଜ ମନ ଭିତରର ଉଦ୍ଗାର ହିଁ ଓଗାଳି ଚାଲିଥାଆନ୍ତି। କିନ୍ତୁ ସେମାନଙ୍କର ସେହି ଭାବୋଚ୍ଛ୍ବାସର ଗ୍ରହୀତା, ଅର୍ଥାତ୍ ପାଠକଟିଏ, ସେହି କବିତାଟିକୁ ଯେଭଳି ସୁଗଠିତ ଓ ସୁଷମ ରୂପରେ ଦେଖିବାକୁ ଚାହେଁ ସେଥିପ୍ରତି ଏହି ଆତ୍ମ ଅଭିମୁଖୀ କବିମାନଙ୍କର ପରବାୟ ନଥାଏ। ଅର୍ଥାତ୍ ନିଜଦ୍ବାରା ଅନୁଭୂତ ଭାବାବେଗର ବୋଝକୁ କୌଣସିମତେ ଖଲାସ କରି ମନକୁ ହାଲୁକା କରିବା ହିଁ ଯେମିତି ସେମାନଙ୍କର ମୂଳ ଉଦ୍ଦେଶ୍ୟ। ନିଜର ସୃଷ୍ଟିକୁ ସମସ୍ତଙ୍କର ଗ୍ରହଣକ୍ଷମ କରିବାପାଇଁ ସେଥି ସହିତ ଆଉ କେତୋଟି ଉପାଦାନର ସଂଯୋଗ ମଧ୍ୟ ଯେ ଅତି ଆବଶ୍ୟକ, ସେକଥା ସେମାନେ ଅଣଦେଖା କରିଦିଅନ୍ତି।
ଚାରିଗୋଟି ମୌଳିକ ଉପାଦାନକୁ ନେଇ ଗଢ଼ି ଉଠିଥାଏ ଆଦର୍ଶ କବିତାଟିଏ। ସେଗୁଡିକ ହେଲା, (୧) ଭାବ ତତ୍ତ୍ବ (୨) ବୁଦ୍ଧି ତତ୍ତ୍ଵ (୩) କଳ୍ପନା ତତ୍ତ୍ବ ଓ (୪) ଶୈଳୀ ତତ୍ତ୍ବ। କିନ୍ତୁ ନିଜ ପାଇଁ ନିଜେ କବିତା ଲେଖୁଥିବା ବନ୍ଧୁମାନେ ପ୍ରଥମୋକ୍ତ ତତ୍ତ୍ବ, ଅର୍ଥାତ୍ ଭାବର ଉଚ୍ଛ୍ବାସରୁ ହିଁ ସିଧାସଳଖ ଓହ୍ଲାଇ ଆସନ୍ତି କାଗଜ ଅବା ମୋବାଇଲ୍ ର ପରଦା ଉପରକୁ। ତାହା ସେମାନଙ୍କ ହୃଦୟରୁ ଆସିଥାଉ ଅବା ମସ୍ତିସ୍କରୁ, ସେହି ଆବେଗ ହିଁ ଯେମିତି ସେମାନଙ୍କ କବିତାର ଏକମାତ୍ର ଉପାଦାନ।
ଅବଶ୍ୟ ଏକଥା ଅସ୍ବୀକାର କରାଯାଇନପାରେ ଯେ କବିଙ୍କର ନିଚ୍ଛକ ଭାବାବେଗରୁ ହିଁ ଜାତ ହୋଇଥାଏ କବିତାର ସ୍ଫୁଲିଙ୍ଗ। କିନ୍ତୁ ଆମର ପୌରାଣିକ କାଳରୁ ନେଇ ଆଜି ପର୍ଯ୍ୟନ୍ତ ଯେଉଁ କାବ୍ୟ-କବିତାମାନ କାଳଜୟୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି ସେଗୁଡିକୁ ଲକ୍ଷ୍ୟ କଲେ ଆମେ ଜାଣିପାରିବା ଯେ ସେଗୁଡିକର ସ୍ରଷ୍ଟାମାନେ ନିଜ ଭାବନାକୁ ଯଥାବତ୍ ପରିବେଷଣ କରି କେବଳ ଆତ୍ମସୁଖ ପାଇଁ କବିତାର ଶରଣାପନ୍ନ ହୋଇନାହାନ୍ତି।
ବହୁକାଳ ପୂର୍ବେ ଶରାହତ କ୍ରୌଞ୍ଚ ପକ୍ଷୀଯୁଗଳଙ୍କ ଅସହ୍ୟ ଶୋକରେ ମ୍ରିୟମାଣ ହୋଇ ମହାକବି ବାଲ୍ମୀକି ସେ ଯୁଗର ପ୍ରଥମ କବିତାଟିକୁ ଏହି ଭାବରେ ରୂପ ଦେଇଥିଲେ,
ମା ନିଷାଦ ପ୍ରତିଷ୍ଠାଂ ତ୍ବଗମଶ୍ଶାଶ୍ବତୀସ୍ସମାଃ ।
ଯତ୍କ୍ରୌଞ୍ଚମିଥୁନାଦେକମବଧୀଃ କାମମୋହିତମ୍ ।।
କବିଙ୍କର ତୀବ୍ର ଶୋକାନୁଭୂତିରୁ ସୃଷ୍ଟ ହୋଇଥିବାରୁ ଏହାକୁ କୁହାଗଲା ଶ୍ଲୋକ। କିନ୍ତୁ ଏହା ରଚନା କରିବାବେଳେ କବି କେବଳ ନିଜର ସେହି ଅନୁଭୂତିର ଉଦ୍ବେଳନକୁ ହିଁ ଯଥା-ତଥା ଢାଳିଦେବାର ଚେଷ୍ଟା କରିନାହାନ୍ତି, ବରଂ ଶ୍ଲୋକଟିର ଗଢ଼ଣ ପରିପାଟୀ ଓ ସୁସଂହତ ଭାଷାବିନ୍ୟାସ ପ୍ରତି ମଧ୍ୟ ଯଥାଯଥ ଦୃଷ୍ଟି ଦେଇଛନ୍ତି। ସେ ସଚେତନ ଯେ ତାଙ୍କ ଦ୍ବାରା ସୃଜିତ ପଂକ୍ତିଟି କେବଳ ତାଙ୍କ ପାଇଁ ନୁହେଁ, ବରଂ ଅନ୍ୟ ବହୁ ଜଣଙ୍କର ପଠନ ବା ଶ୍ରବଣ ପାଇଁ ମଧ୍ୟ ଉଦ୍ଦିଷ୍ଟ। ତେଣୁ ସେ ନିଜର ପରିପ୍ରକାଶଟିକୁ ଯଥାଯଥ ଭାବରେ ଛନ୍ଦୋବଦ୍ଧ ଓ ରସୋମୟ କରିବା ପାଇଁ ଚେଷ୍ଟିତ ହୋଇଛନ୍ତି। ଫଳରେ ଉପରୋକ୍ତ ଶ୍ଲୋକରେ ଆମେ ଦେଖିବାକୁ ପାଉ ଅନୁଷ୍ଟୁପ୍ ନାମକ ଏକ ଛନ୍ଦର ଅଭିନବ ପ୍ରୟୋଗ। ତା’ସହିତ ‘ଶାଶ୍ବତୀ’ ଭଳି ଭାବଗର୍ଭା ଶବ୍ଦମାନଙ୍କର ଏକ ଅପରୂପ ବିନ୍ୟାସ ମଧ୍ୟ। ଏସବୁ କେବଳ କ୍ଷଣିକ ଆବେଗର ପରିଣାମ ନୁହେଁ, ବରଂ ଏହା ପଛରେ ରହିଛି ସେହି ଆବେଗକୁ ସୁଗଠିତ ଓ ସୁସଂହତ ରୂପରେ କାବ୍ୟ-ରୂପ ଦେବାପାଇଁ କବିଙ୍କର ଏକନିଷ୍ଠ ସାଧନାର ଫଳଶ୍ରୁତି।
ଅଥଚ ଏହିଭଳି ସାଧନାର ବୋଝରୁ ନିଜକୁ ମୁକ୍ତ ରଖି କେବଳ ନିଜର ସୁଖାନୁଭୂତି ପାଇଁ ହିଁ କବିତା ରଚନା କରିବାରେ ଲିପ୍ତ ଅଛନ୍ତି କି ଆମ ସମୟର କେତେକ କବି? ଏଥିପ୍ରତି ଆମକୁ ଦୃଷ୍ଟି ଦେବାର ବେଳ ଆସିଛି।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର ,୨୦୨୨ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )
ସଂପାଦକୀୟଟି ମନଛୁଆଁ ହୋଇଛି।
ସାଧନାର ବୋଝରୁ ନିଜକୁ ମୁକ୍ତ ନରଖି କେବଳ ନିଜର ସୁଖାନୁଭୂତି ପାଇଁ ହିଁ କବିତା ରଚନା ନକରି ଦେଶ ଓ ସମାଜର ଉପକାର କିପରି ହୋଇ ପାରିବ ସେ ବିଷୟରେ କବିତା ଲେଖିବା ପାଇଁ ନିହାର ଶତପଥି ମହୋଦୟ ଯେଉଁ ପ୍ରେରଣା ଦେଇଛନ୍ତି ତାହା ଚିରନ୍ତନ ସତ୍ୟ ।
Very nice