ବିଶ୍ୱ ଗାଳି ଦିବସ

  • ଗାଳିର ଅନର୍ଗଳ ବର୍ଷଣରେ ଅନେକ ଅସାଧ୍ୟ ସାଧ୍ୟ ହୁଏ। ଟାଣୁଆ ଗାଳି ଅକାମକୁ କାମରେ, ଅଘଟଣକୁ ଘଟଣାରେ ପରିଣତ କରିଦେଇପାରେ।
ଡ. ଅଜୟ କୁମାର ମିଶ୍ର

ତରକା କାଉ ଶହେ ବର୍ଷ ବଞ୍ଚେ। କାଉ ବଞ୍ଚିଲେ ବି ତା’ ଆହାର କଥା ଚିନ୍ତା କଲେ କେତେ ଅସନ୍ତୋଷ ଦେଖାଦିଏ। ପିଲାକାଳରୁ ଘଣ୍ଟୁ, କାଉର ଏଇ ତରକା ଗୁଣଟାକୁ ବିନା ଗୁରୁରେ ରକ୍ତରେ ମିଶାଇ ଦେଇଚି। ତରକା ପଣ କରି ପ୍ରାଇମେରୀଠାରୁ କଲେଜ୍ ପର୍ଯ୍ୟନ୍ତ ବିନା ପାଠପଢ଼ାରେ ବି ଶ୍ରେଣୀ ପରେ ଶ୍ରେଣୀ ଅବାଧରେ ଡେଇଁ ଚାଲିଚି। ଘଣ୍ଟୁ ଶିକ୍ଷକଙ୍କ ଠାରୁ ଶୁଣିଥିଲା, ଅଧ୍ୟୟନଠାରୁ ଅଧ୍ୟବସାୟ ବଡ଼ କଥା। ତେଣୁ ଅଧ୍ୟୟନରେ ସିନା ସରସ୍ୱତୀ ତାକୁ କରଛଡ଼ା ଦେଲେ, ଗଣେଶ ସିନା ତା’ ସାଙ୍ଗରେ ବିରାଦରୀ କଲେ; ହେଲେ ଘଣ୍ଟୁ ଅଧ୍ୟବସାୟ ଛାଡ଼ିଲା ନାହିଁ। ସରସ୍ୱତୀ ସିନା ତା’ କଣ୍ଠରେ ଲୀଳା ଖେଳା କଲେ ନାହିଁ, ହେଲେ ସେ ସରସ୍ୱତୀଙ୍କୁ ଖେଳେଇଲା। ପରୀକ୍ଷା ବେଳେ, କେଉଁ ସରସ୍ୱତୀ କେଉଁ ପେପରରେ ଆସିବେ, ତାହାକୁ ପଶିବଲ୍ ଓ ଟେଷ୍ଟପେପରରୁ ଚିରି ନେଇ ପକେଟ୍ ସନ୍ଧିରେ ଓ ଶରୀରର କଥାନଥାରେ ଏମନ୍ତ ପ୍ରକାରେ ପୋଷ୍ୟ କଲା ଯେ, ପରୀକ୍ଷକ ଓ ନିରୀକ୍ଷକ କାହିଁକି, ତାଙ୍କମାନଙ୍କ ଚଉଦପୁରୁଷେ ବି ଫୁଣ୍ଟାଏ ପ୍ରମାଣେ ଟେର ପାଇବେ ନାହିଁ। ଏମନ୍ତ ରୀତିରେ ଗୋଟାଏ ଗୋଟାଏ କିଲାସରେ ଘଣ୍ଟୁ ଅବଶ୍ୟ ବର୍ଷେ ନ ହେଲେ ଦି-ତିନି ବରଷ ଘୁଷୁରିଲା। ତା’ ତଳ ଶ୍ରେଣୀର ପିଲାଙ୍କୁ ନିକଟରେ ମନଇଚ୍ଛା ଓସ୍ତାଦୀ ଦେଖାଇ ପାସ୍ କରିବାର ତରିକା ଶିଖାଇ ଶିଖାଇ ସମୂହ ମୂର୍ଖଙ୍କୁ ନେଇ ଏକ ସଂଘ ମଧ୍ୟ ଗଢ଼ିଦେଲା। ଆବଶ୍ୟକ ବର୍ଷ ଠାରୁ ଠିକ୍ ଛଅ ବର୍ଷ ପରେ ଘଣ୍ଟୁ ଅବଶ୍ୟ ମାଟ୍ରିକ ବୈତରଣୀ ପାର ହେଇଗଲା। ଏଇ ଖୁସିରେ ପ୍ରାୟ ମାସେ କାଳ ଘଣ୍ଟୁ ଓ ତା’ର ଚଣ୍ଡିଚାମୁଣ୍ଡାଙ୍କ ମିଳିତ ଚାନ୍ଦାରେ ଭୋଜିଭାତ ଚାଲିଲା। ଏଇ ମାସକ ମଧ୍ୟରେ ଘଣ୍ଟୁ ଗାଆଁରୁ ତିନି ଚାରିଟା ହୋଳି ଛେଳି ଓ ବିଂଶାଧିକ କୁକୁଡାଙ୍କର କୌଣସି ପତ୍ତା ବି ନ ଥିଲା।
ଘଣ୍ଟୁ କଲେଜରେ ପାଦ ଥାପିବା ବେଳକୁ ତା’ ଶ୍ରେଣୀର ସମସ୍ତ ସହପାଠୀଙ୍କର ଜ୍ୟେଷ୍ଠଭ୍ରାତା ରୂପେ ସମ୍ମାନନୀୟ ଆସନର ଅଧିକାରୀ ସାଜି ସାରିଥିଲା। ଏଇ ସୁଯୋଗରେ ତା’ ଶ୍ରେଣୀର ଅଣପାଠୁଆମାନଙ୍କର ଅଘୋଷିତ ନେତା ବନିଗଲା। କଲେଜରେ ବିଭିନ୍ନ ଉତ୍ସବରେ ଘଣ୍ଟୁଆର ରାଜୁତି। କାରଣ ସେତେବେଳକୁ କେବଳ ଅନର୍ଗଳ ଗାଳି ଦେବାରେ କଳାଟିକୁ ଘଣ୍ଟୁ ସମ୍ପୂର୍ଣ୍ଣ ଆୟତ୍ତ କରିସାରିଥିଲା। କାରଣ ଅକାରଣରେ ଦେଶୀ-ବିଦେଶୀ ଶବ୍ଦମାନ ମିଶାଇ ଅବିରାମ ବର୍ଷିଯାଏ ଘଣ୍ଟୁ। ସାଙ୍ଗମାନେ ଏହାକୁ ପୂରା ଉପଭୋଗ କରନ୍ତି।

ତୃତୀୟ ରାସ
ଓଡ଼ିଶାରେ ତିନି ପ୍ରକାର ରାସ। ଶରତ ରାସ, ବସନ୍ତ ରାସ କଥା ସମସ୍ତେ ଜାଣନ୍ତି। ହେଲେ ଅପର ଅତିରିକ୍ତ ରାସଟି କ’ଣ? ଏସବୁ ପାରମ୍ପରିକ ରାସ ପାଞ୍ଚଦିନିଆଁ। ମାତ୍ର କଲେଜ ରାସ ସାତଦିନିଆ, ଭାଲେଣ୍ଟାଇନ୍ ରାସ। ଘଣ୍ଟୁ ଏଥିରେ ବି ନେତୃତ୍ୱ ନେଲା। ହଠାତ୍ ଜଣେ ମଡର୍ଣ୍ଣା ରାଧିକାଠାରୁ ଘଣ୍ଟୁ ଶୁଣିଲା- ‘ରାସ୍କେଲ’ ଓ ‘ଇଡିଏଟ୍‌’ ଭଳି ଶବ୍ଦ। ଆଉ ଘଣ୍ଟୁକୁ ଦେଖେ କିଏ? ମାତିଲା, ତାତିଲା, ମତେଇଲା ଆଉ ତତେଇଲା।
ଗୋଠ ମାତିଲେ ଖଣ୍ଡିଆ ମାତେ। ମାତ୍ର ଏଠି ଘଟଣା ପୂରା ଅଲଗା। ଏଠି ପ୍ରଥମେ ଖଣ୍ଡିଆ ବନାମ ଘଣ୍ଟୁ ମାତିଲା, ତେଣୁ ଘଣ୍ଟୁ ମାତିବାରୁ ସମୁଦାୟ ଗୋଠ ମାତିଲେ। ଅସ୍ତ୍ର ଜବାବ ଅସ୍ତ୍ରରେ, ତାଳିର ଜବାବ ତାଳିରେ- ସେମିତି ଗାଳିର ଜବାବ ଗାଳିରେ ଚାଲିଲା। ଟେକାର ଜବାବ ପଥରରେ ଦେବାର ସମୟ ଏଇଟା। ପାଦେ ଦି’ପଦ ଇଂରେଜୀରେ ଗାଳିର ଜବାବ୍ ଦେଶୀ ଗାଳିରେ ଦିଆଗଲା। ମଡର୍ଣ୍ଣାଙ୍କୁ ଘେରବନ୍ଦୀ କରି କୀର୍ତ୍ତନିଆ ଅଷ୍ଟପ୍ରହରୀ କୁଞ୍ଜ ପରିକ୍ରମା କରିବା ଭଳିଆ ତାଙ୍କୁ ପରିକ୍ରମା କଲେ ସମଗ୍ର ଘଣ୍ଟୁ ବାହିନୀ। ଗାଳିର କୁଆପଥର ମାଡରେ ସାଙ୍କୁଡି ଗଲା ମଡର୍ଣ୍ଣା। ନାରୀଣାଂ ରୋଦନ ବଳଂ- ଏଇ ନ୍ୟାୟରେ ରୋଦନଶୀଳା ମଡର୍ଣ୍ଣା ଏକ ନିଃଶ୍ୱାସନରେ ଥାନ ଛାଡି ଅଥାନ ଆଡ଼େ ମୁହାଁଇଲା।

କେବଳ ଦିବସ
ଘଣ୍ଟୁ ଯାହା ବି ହେଲେ, ସବୁଦିନ ଖବରକାଗଜ ଉପରେ ଆଖି ବୁଲାଇ ଆଣେ। ଘଣ୍ଟୁ ଦେଖିଲା ଆଉ ରାତି ହେବାର ନାହିଁ। ସବୁଦିନେ କେବଳ ଦିବସ। ବିଶ୍ୱସ୍ତରରେ ଏସବୁ ଚାଲିଚି। ରାଗ ଗରଗର ହେଇ ବାପାଙ୍କୁ ମଉସା ଡାକୁଥିବା ଲୋକଟି ‘ବିଶ୍ୱ ପିତୃ ଦିବସ’ରେ ମୁଖ୍ୟବକ୍ତା ସାଜିଚି। ଭାଷା ଦିବସ, କ୍ଷୀର ଦିବସ, ରସଗୋଲା ଦିବସ, ବାତ୍ୟା ଦିବସ, ମରୁଡି ଦିବସ, ହେଙ୍ଗୁ ଦିବସ, ହାଙ୍ଗାମା ଦିବସ, ଆକୁଳ ଦିବସ, ବିକଳ ଦିବସ, ଆଳୁ, ସାରୁ, ଲଙ୍କା, ପିଆଜ, ମୂଳା, ଆଖୁ, ରୋବଟ୍‌, ଦାନ୍ତକାଠି, କୋଦାଳ, କୋଡି, କାଉଡିଆ ଦିବସ ଭଳି ଅନେକ ଦିବସ ପାଳିବାରେ କିଛି ଲୋକ ବ୍ୟସ୍ତ। ଛୁଆ ଜଗିବା ପାଇଁ ନିଜ ମାଆକୁ ଜଗୁଆଳୀ ପୋଷ୍ଟରେ ପୋଷ୍ଟିଂ ଦେଇଥିବା ଭକ୍ତବାବୁଟି ଆଞ୍ଚଳିକ ମାତୃଦିବସ ପାଳନର ସଂପାଦକ। ସମ୍ପର୍କ ନ ଥାଇ ଶଳା ଦିବସ, ମାଡୁଆ ଦିବସ, ଗୋବରା ଦିବସ, ଗୋତ୍ରମାରୁ ଦିବସ, ଚିତାକଟା ଦିବସ- ଏମନ୍ତ ପ୍ରକାରେ ଦିବସ ପାଳନର ଲମ୍ବା ତାଲିକାରେ ଘଣ୍ଟୁ ଯୋଡି ଦେଲେ ‘ବିଶ୍ୱ ଗାଳି ଦିବସ’।
ବିଶ୍ୱ ଗାଳି ଦିବସରେ ଘଣ୍ଟୁ ହେଲେ ଆତ୍ମଘୋଷିତ କେନ୍ଦ୍ର ସଚିବ। ଏଥିପାଇଁ ବିଭିନ୍ନ ବିଜ୍ଞାପନ ବି ଆରମ୍ଭ ହେଲା। କୌତୂହଳରେ ବୟସ ନିର୍ବିଶେଷରେ ଅନେକ ଏଥିରେ ସଦସ୍ୟତା ଗ୍ରହଣ କରି ଆପଣାକୁ ଧନ୍ୟ ମଣିଲେ।
ବିଶ୍ୱ ଗାଳି ଦିବସର ପ୍ରଥମ ବୈଠକରେ କଣ୍ଡୁ କୌଣ୍ଡିନ୍ୟ ମୁଖ୍ୟ ଅତିଥି, ବର୍ଷଣ ବିଶ୍ୱମୁଖ ମୁଖ୍ୟବକ୍ତା ଭାବରେ ଯୋଗଦେଇ, ଗାଳିର ଉପଯୋଗିତା ସମ୍ପର୍କରେ ବୈଠକରେ ସର୍ବସାଧାରଣଙ୍କୁ ଅବଗତ କରାଇଲେ। ପ୍ରକୃତରେ ଗାଳି ଦେହରେ ଶିହରଣ ସୃଷ୍ଟି କରି ବୀରତ୍ୱ ଭରିଦିଏ, ମନରେ ଅମାପ ଆନନ୍ଦ ଭରିଦେଇ ବେଳେ ବେଳେ, ମର୍ତ୍ତ୍ୟର ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନୁହେଁ, ସ୍ୱର୍ଗର ଇନ୍ଦ୍ର ପଦବୀରେ ବସାଇଦିଏ। ଅନୁନୟ ବିନୟର ବର୍ଷାରେ, ଯେଉଁ କଠିନ ହୃଦ ମାଟି ବତୁରି ପାରେ ନାଇଁ, ଭିଜେ ନାଇଁ, ଦି’ଫାଳ ଦୋ’ ଅକ୍ଷରୀ ହାଙ୍କି ଦେଲେ ଟାଣୁଆ ପର୍ବତିଆ ମଣିଷ ବି ଭୟ, ଲଜ୍ଜା, ଲୋକ ହସାରୁ ବଞ୍ଚିତ ହେବା ପାଇଁ କାମଟି କରିଦିଏ। କାଦୁଆ ହେଇଯାଏ ତା’ର ହୃଦୟ। ଗାଳିର ଅନର୍ଗଳ ବର୍ଷଣରେ ଅନେକ ଅସାଧ୍ୟ ସାଧ୍ୟ ହୁଏ, ଟାଣୁଆ ଗାଳି ଅକାମକୁ କାମରେ, ଅଘଟଣକୁ ଘଟଣାରେ ପରିଣତ କରିଦେଇପାରେ।

ଗାଳିଆ ମହାସଂଘ
ଗାଳି ଦିବସରେ ମହାବକ୍ତାଙ୍କ ଅଭିଭାଷଣ ଶୁଣିବା ପରେ ଘଣ୍ଟୁ ଏଥର ଗାଳି କ୍ଲବ ଗଢ଼ି, ଗ୍ରାମୀଣ, ଅର୍ଦ୍ଧ ଗ୍ରାମୀଣ ଓ ଅର୍ଦ୍ଧ ସହରିଆ, ସହରିଆ ଗାଳିକାରମାନଙ୍କୁ ଏକତ୍ର କରି ଗଢ଼ି ଦେଲା ଗାଳିଆ ମହାସଂଘ। ଗାଳି ସଂଗ୍ରହରେ ଡାଏରୀ ଫୁଲ୍ ହେଇଗଲା। ନିଜେ ବି କିଛି ଗାଳି ନିଜ ମନକୁ ନୂଆ କବିମାନଙ୍କ ଅବୋଧ୍ୟ ଶବ୍ଦ ବସାଣ ଭଳି ସୃଜି ଦେଲା। ଯେମିତିକି – ଅତି ଗ୍ରାମୀଣ ଗାଳି ସଂବୋଧନ- ଶଳା, ବେଧୁଆ, ମାଧୁର ବେହିଆ, ମାଇଆ, ମାଇଗୁଲିଆ, ଚୁଲିପଶା, ଗାତପଶା, ନଈଶୁଆ, କୋଷ୍ଠିଆ, ଖୋଡିଆ, ଗଜା, ଠାଇଁଆ, ଗାତୁଆ, ସବାଖିଆ, ବାଡିପଡା, ଯୋଗଣିଖିଆ, ରଇଜଳା ଇତ୍ୟାଦି। ଲିଙ୍ଗାନ୍ତରେ ଏସବୁର ପ୍ରୟୋଗ ବି କରାଯାଇପାରେ। କିଛି ସଂସ୍କୃତିଆ ପଦ ଭାବରେ ଶ୍ୟାଳକ (ଶଳା), ଶଶୁର ସନ୍ତାନ (ଶଳା), ଶାଶୁ କନିଷ୍ଠା କନ୍ୟା (ଶାଳୀ), ପତ୍ନୀକନିଷ୍ଠା (ଶାଳୀ), ଛତ୍ରଭକ୍ଷକ (ଛତରଖିଆ), ବିପଣିଭ୍ରମଣା (ବଜାରୁଣୀ), ବିପଣି ଭ୍ରମକ (ବଜାରି) ଅଗ୍ନିଭକ୍ଷକ (ନିଆଁଗିଳା) ଧୌତ ହୀନ (ବେଧୁଆ) ଇତ୍ୟାଦି।
ସବୁଠୁଁ ମାତବରି ହେଲା ଇଂରେଜୀ ସଂବୋଧନ। ନନ୍‌ସେନ୍ସ, ଇଡିୟଟ୍‌, ରାସ୍କେଲ, ହୋପଲେସ୍‌, କାୱାର୍ଡ ଇତ୍ୟାଦି। ଘଣ୍ଟୁ ଏସବୁର ବିଶେଷଣ ବସାଇ ତିଆରି କଲେ ରେକ୍ଟିଫାଏଡ୍ ଇଡିୟଟ୍‌, ସେଣ୍ଟପରସେଣ୍ଟ ନନ୍‌ସେନ୍ସ, ଡବଲ୍ ରାସ୍କେଲ୍‌, ସ୍କୋୟାର ବାଷ୍ଟାର୍ଡ ଇତ୍ୟାଦି ସମ୍ବୋଧନ।
ଘଣ୍ଟୁଙ୍କ ଶବ୍ଦ କାରିଗରିର ନବସର୍ଜନରେ ସୃଷ୍ଟି ହେଲା ଦେଶୀମିଶା ବିଦେଶୀ ଶବ୍ଦ। ଏହାର କେତୋଟି ନମୁନା ହେଲା- ଇଲୋକ୍‌ଟ୍ରୋନିକ୍ ବେହିଆ, ନମ୍ବରୀ ଛତରା, ଡବଲ୍‌ଗାଲୁଆ, ଟ୍ରିପଲ ଫାଜଲ୍‌, ଇମ୍ପୋର୍ଟେଡ୍ ଲଫଙ୍ଗା, ସାର୍ଟିଫାଏଡ୍ ଡହରା, ଗଭର୍ଣ୍ଣମେଣ୍ଟ ବାତରା, କ୍ୟୁବିକ ବାନା, ସ୍କୋୟାର ଡହରା ଇତ୍ୟାଦି। ଏସବୁଗୁଡିକୁ ଦଫାୱାରି ଭରଣା କରିବାକୁ ଜୋରଦାର ରିହର୍ସାଲ୍ କରାଗଲା। ୟା ବାଦ୍ ଶରୀର ଭେଦକୁ ନେଇ ଅନେକ ପ୍ରକାର ନୂଆ ନୂଆ ଗାଳିମାନ ତିଆରି ହେଲା। ଘଣ୍ଟୁ ଇଙ୍ଗିତରେ ପ୍ରତି ପ୍ରକାର ଗାଳି ପାଇଁ ଜଣେ ଜଣେ ଗାଳିପତି ଦାୟିତ୍ୱ ନେଲେ। ବିଦ୍ୟାଟା ଆୟତ୍ତ ହେଲେ ସିନା, ତା’ର ପ୍ରୟୋଗ କରାଯିବ। ତେଣୁ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ଭଳି ପ୍ରୟୋଗ ଆରମ୍ଭ ହେଲା।

ମହାଗାଳି ସେଣ୍ଟର
ଘଣ୍ଟୁର କାରନାମାକୁ ପ୍ରତ୍ୟକ୍ଷ ଭାବରେ ଖୁଣ୍ଟୁଥିବା ଜଣେ ବୟସ୍କ ଓ ସମ୍ମାନନୀୟଙ୍କଠାରେ ପ୍ରୟୋଗ କରାଗଲା ଘଣ୍ଟୁଙ୍କ ମହାଗାଳି ସେଣ୍ଟରର କିଛି ସଂଭ୍ରାନ୍ତ ଇଂରେଜୀଗାଳି। ଏଥିରେ ଅଦିନିଆ ବରଫ ମାଡରେ ନୂଆ ଆମ୍ବକଷି ଘାଇଲା ହେବା ଭଳି ସମ୍ମାନନୀୟ ଜଣକ କ୍ରମେ ଶାଙ୍କୁଡି ଗଲେ। ପ୍ୟାଣ୍ଟ ସାର୍ଟ, ଟାଇ ପିନ୍ଧିଥିବା ଏଇ ଭଦ୍ର ବ୍ୟକ୍ତିଙ୍କଠାରେ ଅକାଳ ଝାଳୋଦଗମ୍ ଆରମ୍ଭ ହେଇଗଲା। ଲୋକେ ତାଙ୍କୁ ନୁଙ୍ଗାଚୋର ଦୃଷ୍ଟିରେ ଦେଖିବାକୁ ଲାଗିଲେ। ମାତ୍ର କେତେପଦ ଶ୍ରାବ୍ୟ ଗାଳିରେ ଭଦ୍ରଲୋକଙ୍କ ଅବସ୍ଥା ହେଲା ଶୋଚନୀୟ। ସଫଳ ହେଲା ଘଣ୍ଟୁଙ୍କ ବିଦ୍ୟା ପ୍ରୟୋଗ। ନିକଟରେ ଥିବା ଭଦ୍ର ମହିଳା ଜଣକ ଦେହରେ ସେଥିରୁ କେତେପଦ ଗାଳି ମଧ୍ୟ ଛିଟିକି ପଡ଼ିଲା। ତାଙ୍କର ଅତ୍ୟାଧୁନିକ ବେଶ ପରିପାଟୀରେ ଏମନ୍ତ ଗାଳି କାଦୁଅର ଛିଟା ପଡ଼ିଗଲା। ସେମାନେ ଅପଦସ୍ଥ ହେଲେ।
ଘଣ୍ଟୁ ସଦଳବଳେ ପ୍ରଥମ ପ୍ରୟୋଗ ଅସାଧାରଣ ସଫଳତା ପାଇ ଉତ୍ସାହିତ ହେଲେ। ଏଣିକି ଆଉ ପଛକୁ ଅନାଇବାକୁ ସମୟ ନାହିଁ। “ନିଖିଳ ଉତ୍କଳ ଗାଳି ସେଣ୍ଟର”ର ଏକ ବୋର୍ଡ ଝୁଲାଇ ଘଣ୍ଟୁ ତାଙ୍କ କାୟା ବିସ୍ତାରିଲେ। କେଉଁ ଲାଞ୍ଚଖୋର ଅଫିସର୍‌ଙ୍କ କଳାକାରନାମାର କାହାଣୀ ଖବରକାଗଜରେ ବାହାରିଲା ତ, ସେଠି ଘଣ୍ଟୁ ସଦଳବଳ ହାଜର ହୋଇ ରୋଷଣିରେ ହାବେଳି ଫୁଟିବା ଭଳିଆ ଶୁଣାଇଲେ ଅଶ୍ରାବ୍ୟ ଭାଷଣ। ଅଫିସର୍ ବା ଚିହ୍ନନ୍ତି କାହାକୁ? ଅଗତ୍ୟା କାମ ହେଇଗଲା। ଅଫିସର୍‌ଙ୍କଠାରୁ କିଛି ଆଦାୟ ହେଇଗଲା। ଯେ କୌଣସି ସଂସ୍ଥାର ମୁଖ୍ୟଙ୍କୁ ଯିବା ଆସିବା ବେଳେ ବୁଲା କାମୁଡା କୁକୁର ଅଜଣା ଲୋକଙ୍କୁ ଗୋଡ଼େଇବା ଭଳିଆ, ଗୋଡେଇ ଗୋଡେଇ ଗାଳି କଲେ। ମୁଖଲଜ୍ଜା ଓ ଲୋକଲଜ୍ଜାକୁ ଡରି ସେମାନେ ବି କିଛି ଦେଲେ। ଏମନ୍ତ ପ୍ରକାରେ ତାଙ୍କ ପକେଟ୍ ଓ ପର୍ସ ବେଙ୍ଗଫୁଲା ଭଳିଆ ଫୁଲିଲା।
ଖବରକାଗଜକୁ କିଛି ଦେଇ ଏଣିକି ଘଣ୍ଟୁ ପାଳିଲେ ବିଶ୍ୱ ଗାଳି ଦିବସ। ବଛା ବଛା ଗାଳିକାରଙ୍କୁ ନେଇ ବିବିଧ ସ୍ଲୋଗାନ୍ ଲେଖି ଛାଡିଲେ। ଖଡ଼ା ଦିବସ, ରସୁଣ ଦିବସ, ହଡ଼ା ଦିବସ, ବିକଳିଆ ଦିବସ ଭଳି, ଏଣିକି ପାଳିତ ହେଇଗଲା ଘଣ୍ଟୁଙ୍କ ଉଦ୍ଭାବିତ ଓ ପ୍ରାୟୋଜିତ ‘ଗାଳି ଦିବସ’। ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରି ଏହାର ସଫଟୋ ବିବରଣୀ ମଧ୍ୟ ପ୍ରକାଶ କରାଗଲା। ଗାଳି ଭୟରେ ସେମାନେ ବି ଅଗତ୍ୟା ହାଜର ହେଇ ଘଣ୍ଟୁଙ୍କ ଜୟଗାନ କଲେ। ଗାଳି ଦିବସ ପାଳନ ବେଳେ ଘଣ୍ଟୁଙ୍କ ବଳର ମିଳିତ ସ୍ଲୋଗାନରେ ସଭାସ୍ଥଳ କମ୍ପମାନ ହେଇଗଲା। ବାହାରେ ଥିବା ଲୋକେ ଏଥିପାଇଁ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେ ବି କିଛି ମନ୍ତବ୍ୟ ଦେବାକୁ ଡରୁଥିଲେ। କାରଣ ଘଣ୍ଟୁଙ୍କ ଅଚଞ୍ଛା ଗାଳିକିଳାକୁ କିଏ ବା ସିଟି ମାରି ନିମନ୍ତ୍ରଣ କରନ୍ତା??

(‘ ସାହିତ୍ୟ ଚର୍ଚ୍ଚା ‘ ପତ୍ରିକାର ଅକ୍ଟୋବର , ୨୦୨୨ ସଂଖ୍ୟାରେ ପ୍ରକାଶିତ । )

2 thoughts on “ବିଶ୍ୱ ଗାଳି ଦିବସ

  1. ବହୁତ ସୁନ୍ଦର ଆଲେଖ୍ୟଟିଏ। ଲେଖକଙ୍କୁ ଧନ୍ୟବାଦ ମନଲାଖି ଲେଖାଟିଏ ପରସି ଥିବାରୁ। 🙏

Leave a Reply

Your email address will not be published. Required fields are marked *