ପ୍ରବୀଣ ସାରସ୍ୱତ ସ୍ରଷ୍ଟା ରମାକାନ୍ତ ରଥଙ୍କ ସହ କିଛି ଅନ୍ତରଙ୍ଗ ଆଳାପ

  • କିଏ ଜଣେ କହିଲେ,”ରମାକାନ୍ତ ରଥ କି କବି ! ତାଙ୍କର ତ ସବୁ କବିତା ବୁଝିହୋଇଯାଉଛି।”

ଆଧୁନିକ ଓଡ଼ିଆ କବିତାର ଅନ୍ୟତମ ଯୁଗ-ପ୍ରବର୍ତ୍ତକ ରମାକାନ୍ତ ରଥ ବର୍ତ୍ତମାନ ୮୬ ବର୍ଷ ବୟସରେ ଉପନୀତ। ‘ଭାରତୀୟ ପ୍ରଶାସନିକ ସେବା’ରେ ଯୋଗଦେଇ ସେ ଓଡ଼ିଶାର ମୁଖ୍ୟ ସଚିବ ଭାବରେ ୧୯୯୨ ମସିହାରେ ଅବସର ଗ୍ରହଣ କରିଥିଲେ। ୨୦୦୬ ମସିହାରେ ଭାରତ ସରକାର ତା’ଙ୍କୁ ପଦ୍ମଭୂଷଣ ସମ୍ମାନରେ ଭୂଷିତ କରିଛନ୍ତି। ଏହା ବ୍ୟତୀତ ସେ ସରସ୍ୱତୀ ସମ୍ମାନ, ଅତିବଡୀ ସମ୍ମାନ, ଶାରଳା ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଭଳି ବହୁ ମର୍ଯ୍ୟାଦାବନ୍ତ ସମ୍ମାନରେ ମଧ୍ୟ ଭୂଷିତ। ୧୯୯୮ରୁ ପାଞ୍ଚ ବର୍ଷକାଳ ସେ ନୂଆଦିଲ୍ଲୀ ସ୍ଥିତ ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ର ସଭାପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଓଡ଼ିଆ ସାହିତ୍ୟର ଏହି ପ୍ରଥିତଯଶା ବ୍ୟକ୍ତିତ୍ୱଙ୍କୁ ତାଙ୍କର ବାସଭବନରେ ଭେଟି ତାଙ୍କ ସହିତ କିଛି ସାରସ୍ୱତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସଂପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: କବିତା ଲେଖିବାର ପ୍ରଥମ ପ୍ରବଣତା ଆପଣଙ୍କ ଜୀବନରେ କେବେ ଆସିଲା, ଟିକିଏ କହିବେ କି!
ରମାକାନ୍ତ ରଥ: ଯେତେବେଳେ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ଆଇ.ଏ. ପଢୁଥିଲି ସେତେବେଳକୁ ଆରମ୍ଭ କଲି କବିତା ଲେଖା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଏହି ଆଦ୍ୟ କବିତାଗୁଡିକ ସେତେବେଳେ କେଉଁ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା!
ରମାକାନ୍ତ ରଥ: ସେତେବେଳେ ବହୁଳ ପ୍ରସାରିତ ହେଉଥିଲା ‘ରବିବାର ପ୍ରଜାତନ୍ତ୍ର’। ସେଥିରେ ମୋ’ର କିଛି କବିତା ବାହାରିଲା। କିନ୍ତୁ ‘ଝଙ୍କାର’ ମଧ୍ୟ ସେତେବେଳେ ଭାରି ପ୍ରସିଦ୍ଧ ଥିଲା। ଜଣେ କିଏ ହରେକୃଷ୍ଣ ମହତାବଙ୍କୁ କହିଲେ, “ରମାକାନ୍ତ ବୋଲି ନୂଆ ପିଲାଟିଏ ଭଲ କବିତା ଲେଖୁଚି। ଆପଣ ଝଙ୍କାରରେ ତାହା କାହିଁକି ପ୍ରକାଶ କରୁନାହାନ୍ତି?” ମୁଁ ସେତେବେଳେ ରେଭେନ୍‌ସା କଲେଜରେ ପଢୁଥାଏ। ‘ଝଙ୍କାର’ର ସମ୍ପାଦକ ଆସିଲେ ମୋ ହଷ୍ଟେଲକୁ। କହିଲେ, “ମହତାବ ବାବୁ କହିଛନ୍ତି, ଆପଣ ଝଙ୍କାରକୁ କବିତା ଦିଅନ୍ତୁ।” ତା’ପରେ ମୋର କବିତାଟିଏ ଝଙ୍କାରରେ ବାହାରିଲା।
ସାହିତ୍ୟ ଚର୍ଚ୍ଚା: ସେହି କବିତାଟି କ’ଣ ଥିଲା, ଆପଣଙ୍କର କିଛି ମନେଅଛି କି!
ରମାକାନ୍ତ ରଥ: ନାଇଁ, ଏବେ ମନେନାହିଁ।
ସାହିତ୍ୟ ଚର୍ଚ୍ଚା: ତା’ପରେ ବୋଧହୁଏ ଆଗକୁ ଗଡ଼ିଚାଲିଲା ଆପଣଙ୍କର କବିତା-ସର୍ଜନାର ଧାରା।
ରମାକାନ୍ତ ରଥ: ହଁ, ତା’ପରେ ବହୁତ ଲେଖାଲେଖି ଚାଲିଲା। କିନ୍ତୁ ମୋର ଗୋଟିଏ ଅଭିଜ୍ଞତା ହେଉଛି, ଜଣେ କବି ଚାହିଁଲେ କବିତାଟିଏ ଲେଖିପାରିବନି। ଯେତେବେଳେ କବିତା ଠିକ୍ କରିବ ଲେଖିହେବାକୁ, ସେତେବେଳେ ସେ ଲେଖିହୋଇଯିବ। ଆପଣ ବିଶ୍ୱାସ କରନ୍ତୁ, ମୋ’ର ‘ଶ୍ରୀରାଧା’ଟିକୁ ମୁଁ ଲେଖିନାହିଁ। ମୋତେ ଜଣେ କିଏ ଜଣେ ଡାକିଦେଇଛି। ସେ ଯଦି କବି ହୁଏ, ମୁଁ ଷ୍ଟେନୋଗ୍ରାଫର ମାତ୍ର।

ସାହିତ୍ୟ ଚର୍ଚ୍ଚା: ଭଲ କଥାଟିଏ କହିଲେ ଆପଣ। କବିତା ଲେଖିହୋଇଯାଏ ଏକ ଦୈବୀ ପ୍ରେରଣାରେ, ଆମେ ତ ଏକ ମାଧ୍ୟମ ମାତ୍ର।
ରମାକାନ୍ତ ରଥ: ଠିକ୍ କହିଛନ୍ତି। ତେଣୁ ଦେଖନ୍ତୁ, ତାହାର ପରବର୍ତ୍ତୀ କବିତା ‘ଶ୍ରୀ ପଳାତକ’ ଯେତେବେଳେ ମୁଁ ନିଜ ଚେଷ୍ଟାରେ ଲେଖିଲି, ସେଇଟା ସେତେ ସଫଳ ହେଲାନାହିଁ।
ସାହିତ୍ୟ ଚର୍ଚ୍ଚା: ତେବେ ସେହି ଅତୀନ୍ଦ୍ରିୟ ପ୍ରେରଣାଟି ହିଁ ବେଶି ଗୁରୁତ୍ୱପୂର୍ଣ୍ଣ।
ରମାକାନ୍ତ ରଥ: ହଁ, ସେହି ପ୍ରେରଣା ହିଁ ସବୁ। ତେବେ ଆଉ ଗୋଟିଏ କଥା ମଧ୍ୟ ମୁଁ କହିବି ଯେ, ଏବର କବିତା ବେଶି ଅବୋଧ୍ୟ ହୋଇଯାଉଛି।
ସାହିତ୍ୟ ଚର୍ଚ୍ଚା: ଏହି ଅବୋଧ୍ୟତା ବୋଧହୁଏ ଆମ କବିତାକୁ ସେତେବେଳେ ଆସିଲା, ଯେତେବେଳେ ଆମେ ଉତ୍ତର-ଆଧୁନିକତା ଦିଗକୁ ମୁହାଁଇଲେ।
ରମାକାନ୍ତ ରଥ: କବିତାଟା ଆପଣ କାହା ପାଇଁ ଲେଖୁଛନ୍ତି? ଜଣେ ପାଠକ ପାଇଁ। ପାଠକ ଯଦି ତାହାକୁ ବୁଝି ନ ପାରିବ, ତେବେ ଆପଣ ଲେଖିବେ କାହିଁକି? ଦେଖନ୍ତୁ, ସେ ଯେକୌଣସି ଭାଷାରେ ହେଉନା କାହିଁକି, ପୃଥିବୀର ଯେତେ ବଡ ବଡ କବି ଅଛନ୍ତି, ସେମାନଙ୍କ ରଚନାରେ ଅବୋଧ୍ୟ କିଛି ଅଛି କି?
ସାହିତ୍ୟ ଚର୍ଚ୍ଚା: ସେହି କଥା ଆପଣଙ୍କ ଶ୍ରୀରାଧାରେ ମଧ୍ୟ ଆମେ ଲକ୍ଷ୍ୟ କରିଛୁ। ସେଥିରେ ଅବୋଧ୍ୟତା ତିଳେମାତ୍ର ନାହିଁ।
ରମାକାନ୍ତ ରଥ: ଆଧୁନିକ କବିତା ବିଷୟରେ ମୋ’ର କହିବାର କଥା ଯେ ତାହା କାହିଁକି ପାଠକଠାରୁ ଦୂରେଇଯାଉଛି! ଏହାର କାରଣ ହେଲା, ସେମାନେ ବୁଝିପାରୁନାହାନ୍ତି କବିତାକୁ। ଆପଣ ଦେଖନ୍ତୁ, ସେକ୍ସପିଅର୍ ଏତେ ବଡ଼ କବି; ତାଙ୍କ କୌଣସି କବିତା ଅବୋଧ୍ୟ କି! ଆମ ଭାଷାରେ ଦେଖନ୍ତୁ, କାଳିଦାସଙ୍କର କବିତାରେ କିଛି ଅବୋଧ୍ୟ ଅଛି କି?
ସାହିତ୍ୟ ଚର୍ଚ୍ଚା: ଏହି ଅବୋଧ୍ୟତା କ’ଣ ଗୋଟିଏ ସମୟରେ ଆମ କବିମାନଙ୍କ ଦ୍ୱାରା ଇଂରାଜୀ କବିତାର ହନୁକରଣର ପରିଣାମ?
ରମାକାନ୍ତ ରଥ: ହଁ, ବୋଧହୁଏ। (ହସି) କିଏ ଜଣେ କହିଲେ,”ରମାକାନ୍ତ ରଥ କି କବି! ତାଙ୍କର ତ ସବୁ କବିତା ବୁଝିହୋଇଯାଉଛି।”
ସାହିତ୍ୟ ଚର୍ଚ୍ଚା: ତେବେ କବିତା ଯେ ଅବୋଧ୍ୟ ହୋଇଯାଉଛି, ଏକଥା ବୁଝିବା ପାଇଁ ଆମକୁ ଏତେ ବର୍ଷ କାହିଁକି ଲାଗିଲା?
ରମାକାନ୍ତ ରଥ: ସେ ସମୟରେ କେତେଜଣ ଭାବିଲେ ଯେ ଆମେ ଯଦି କବି ହେବୁ, ତେବେ ଅବୋଧ୍ୟ ହେବୁ। ଯଦି ଆମକୁ ବୁଝି ହୋଇଯାଉଛି, ତେବେ ତ ଆମେ ସାଧାରଣ କବି ହୋଇଯିବୁ।
ସାହିତ୍ୟ ଚର୍ଚ୍ଚା: ସେମାନେ ଯୁକ୍ତି ଦେଉଥିଲେ ଯେ ଆମର ଭାବଟି ଏତେ ଜଟିଳ, ଅର୍ଥାତ୍ ଏତେ କମ୍ପେ୍ଲକ୍ସ, ଯେ ତାହାକୁ ସରଳ ଭାବରେ ଛନ୍ଦ ଓ ଲାଳିତ୍ୟର ସହ ପ୍ରକାଶ କରିହେବ ନାହିଁ। ସେଥିପାଇଁ ସେମାନେ କବିତାରେ ଏକରକମ ଉଦ୍ଭଟ ଗଦ୍ୟର ପ୍ରୟୋଗ କରୁଥିଲେ ବା ଏବେ ବି କରୁଛନ୍ତି।
ରମାକାନ୍ତ ରଥ: ସେଇଟା ଯଦି ହେଉଛି, ତେବେ ଗଦ୍ୟ ଲେଖ। କବିତାରେ ଗୋଟିଏ ସାବଲୀଳତା ରହିବା କଥା, ଏବଂ ତାହା ବୋଧଗମ୍ୟ ବି ହେବା ଉଚିତ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଏବେ ପୂର୍ବର ସେଇ ଛନ୍ଦ, ସେଇ ସାବଲୀଳତା ବୋଧହୁଏ ଧୀରେ ଧୀରେ ପୁଣି ଫେରିଆସୁଛି କବିତାକୁ।
ରମାକାନ୍ତ ରଥ: ଦେଖନ୍ତୁ, ଉପେନ୍ଦ୍ର ଭଞ୍ଜଙ୍କର ଅନେକ କବିତା କ୍ଲିଷ୍ଟ। କିନ୍ତୁ ତାଙ୍କର ଯେଉଁ କବିତାଗୁଡିକ ଆମର ମନେ ରହିଯାଏ, ସେଗୁଡିକ ଖୁବ୍ ସରଳ। ଆପଣ ଦୀନକୃଷ୍ଣଙ୍କୁ ଦେଖନ୍ତୁ, କବିସୂର୍ଯ୍ୟ ବଳଦେବ ରଥଙ୍କୁ ଦେଖନ୍ତୁ। କବିସୂର୍ଯ୍ୟଙ୍କର ଭାଷା ତ କଥିତ ଭାଷା।
ସାହିତ୍ୟ ଚର୍ଚ୍ଚା: ଆପଣ ତ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ପଦ ମଣ୍ଡନ କରିଥିଲେ ବହୁ ବର୍ଷଧରି। ଏହି ଅଭିଜ୍ଞତାର ଆଧାରରେ କହିବେ କି, କେନ୍ଦ୍ର ଓ ରାଜ୍ୟର ସାହିତ୍ୟ ଏକାଡେମୀଗୁଡିକ ଏବେ ଅଗ୍ରାଧିକାର ଭିତ୍ତିରେ କେଉଁ କାର୍ଯ୍ୟ ହାତକୁ ନେବା ଉଚିତ୍‌?
ରମାକାନ୍ତ ରଥ: ମୁଁ ସେତେବେଳେ ଚେଷ୍ଟା କରିଥିଲି ଯେ ସବୁ ଭାଷାର ଯେଉଁସବୁ କ୍ଲାସିକ୍ ସୃଷ୍ଟି, ତାହାକୁ ଅନ୍ୟ ଭାଷାରେ ଅନୁବାଦ କରାଯାଉ। ସେଇଟା ହେବା କଥା। ଆଉ ଗୋଟିଏ କଥା ଯାହା ଆମର ଏକାଡେମୀମାନେ କରୁନାହାନ୍ତି, ତା’ହେଲା ସାହିତ୍ୟଟା ସମସାମୟିକ ହୋଇଯାଉଛି। ଆମେ କ’ଣ କହିବା ଯେ କେବଳ ଆମ ସମୟରେ ଭଲ କବିତା ଲେଖାହେଉଛି? ଆମ ଆଗରୁ କେତେ ବଡ ବଡ କବି ମୂଲ୍ୟବାନ ସୃଷ୍ଟିମାନ ଛାଡ଼ିଯାଇଛନ୍ତି। ପରବର୍ତ୍ତୀ ପିଢ଼ି ସେସବୁ କବିତା ପଢିବାର ସୁଯୋଗ ପାଉନାହାନ୍ତି। କବିତା କ’ଣ, ଆଉ ଉପନ୍ୟାସ କ’ଣ! ଉପନ୍ୟାସରେ ଆପଣ ଦେଖନ୍ତୁ, କାହ୍ନୁଚରଣ ମହାନ୍ତିଙ୍କ କଥା। ତାଙ୍କୁ ଓଡ଼ିଆ ଉପନ୍ୟାସର ପିତାମହ ବୋଲି କୁହାଯାଇପାରେ। ତାଙ୍କର ଖଣ୍ଡିଏ ବି ବହି ଏବେ ବଜାରରେ ନାହିଁ।
ସାହିତ୍ୟ ଚର୍ଚ୍ଚା: କାହ୍ନୁଚରଣ ତ ଏବେ ଆଉ ଚର୍ଚ୍ଚାରେ ବି ନାହାନ୍ତି। ଏହା କ’ଣ ତାଙ୍କର ଅବଦାନ ଓ ମହାନ କୃତି ପ୍ରତି ଅନ୍ୟାୟ ନୁହେଁ କି?
ରମାକାନ୍ତ ରଥ: ସେ ତ ଭୁଲି ହୋଇଗଲେଣି। ମୁଁ ସେଇଆ କହୁଥିଲି, କେବଳ ସମସାମୟିକ ସାହିତ୍ୟକୁ ଦେଖିଲେ କ’ଣ ହେବ? ଆମକୁ ଟିକିଏ ପଛକୁ ମଧ୍ୟ ଫେରି ଚାହିଁବାକୁ ପଡିବ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କର କହିବାର କଥା ଯେ ଏକାଡେମୀମାନେ ଏଥି ପ୍ରତି ଯଥାର୍ଥ ଦୃଷ୍ଟି ଦେବା ଉଚିତ।
ରମାକାନ୍ତ ରଥ: ହଁ, ଏହା ହେବା ଉଚିତ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ଥିଲେ ଇଂରାଜୀ ସାହିତ୍ୟର ଛାତ୍ର। ପାଶ୍ଚାତ୍ୟ ସାହିତ୍ୟର ଏହି ଅଧ୍ୟୟନ ଆପଣଙ୍କ କବି ଜୀବନର ସୃଷ୍ଟି ସମ୍ଭାର ଉପରେ କିଛି ପ୍ରଭାବ ପକାଇଛି କି?
ରମାକାନ୍ତ ରଥ: ବିଭିନ୍ନ ଭାଷାର କବିତା ପଢ଼ିବା ବେଳେ ଆପଣଙ୍କ ଭିତରେ ଏକ ଆଲୋଡ଼ନ ସୃଷ୍ଟି ହୁଏ। ସେହି ଆଲୋଡ଼ନରୁ ଆପଣ କବିତା ଲେଖିବେ, ଏବଂ ଲେଖିଲା ବେଳକୁ ନିଜ ଭାଷାରେ ଲେଖିବେ। ସୁତରାଂ ବିଦେଶୀ ଭାଷାଟା ଏକ ମାଧ୍ୟମ ମାତ୍ର। କବି ଭିତରେ ଯେଉଁ ଆବେଗ, ସେଇଟି ତ ସାର୍ବଜନୀନ।
ସାହିତ୍ୟ ଚର୍ଚ୍ଚା: ଆପଣ ଯାହା କହିଲେ, କବିତାର ଆତ୍ମା ସାର୍ବଜନୀନ। ତେବେ ଆମ ଏବେକାର କବିତାର ଗଢ଼ଣ ଓ କାରିଗରି-କଳା ଉପରେ ବିଦେଶୀ କବିତାର କିଛି ମାତ୍ରାରେ ପ୍ରଭାବ ପଡିଛି କି?
ରମାକାନ୍ତ ରଥ: ମୋ ମତରେ, କବିତାରେ ଟେକନିକ୍ ବୋଲି ସେମିତି କିଛି ନାହିଁ। ଯେଉଁଥିରେ ଟେକନିକ୍ ଉପରେ ଗୁରୁତ୍ୱ ଦିଆଯାଇଛି, ସେ କବିତା ଜନପ୍ରିୟ ହୋଇପାରିନାହିଁ।


ସାହିତ୍ୟ ଚର୍ଚ୍ଚା: ଆଉ କଥାଟିଏ ମଧ୍ୟ ମନକୁ ଆସୁଛି, ଯେଉଁ ବିଷୟରେ ଆପଣ ଟିକକ ଆଗରୁ ଇଙ୍ଗିତ ଦେଇଥିଲେ, ଆପଣଙ୍କ ‘ଶ୍ରୀ ପଳାତକ’ କାବ୍ୟଗ୍ରନ୍ଥଟି ‘ଶ୍ରୀରାଧା’ ଭଳି ସଫଳତା ଅର୍ଜନ କରିପାରିଲା ନାହିଁ କାହିଁକି?
ରମାକାନ୍ତ ରଥ: (ହସି) ଶ୍ରୀ ପଳାତକ ପାଇଁ ମୁଁ ବହୁତ ପରିଶ୍ରମ କରିଥିଲି। ଶ୍ରୀରାଧା ପାଇଁ ଯେତିକି ସମୟ ଦେଇଥିଲି ଶ୍ରୀ ପଳାତକ ପାଇଁ ତାହାର ଦୁଇଗୁଣ ସମୟ ଦେଇଛି। କିନ୍ତୁ… ମଣିଷ ଭଳି, ବହିମାନଙ୍କର ମଧ୍ୟ ଗୋଟିଏ ଗୋଟିଏ ଭାଗ୍ୟ ଥାଏ।
ସାହିତ୍ୟ ଚର୍ଚ୍ଚା: ‘ଶ୍ରୀରାଧା’ର ପ୍ରସଙ୍ଗ ଯେତେବେଳେ ଆସିଛି, ଏ ବିଷୟରେ ଗୋଟିଏ କଥା ପଚାରିବି। ଆମେ ଦେଖୁ ଯେ କାବ୍ୟଟିର ଶେଷରେ ଆପଣ ଗୋଟିଏ ‘ପୃଷ୍ଠବନ୍ଧ’ ଲେଖିଛନ୍ତି, ଗଦ୍ୟରେ। ତେବେ କବିତାଟି ଭିତରେ ଏମିତି କିଛି ଅବ୍ୟକ୍ତ ରହିଯାଇଥିଲା କି, ଯାହା ପାଇଁ ଆପଣଙ୍କୁ ଏହି ସୁଦୀର୍ଘ ସ୍ପଷ୍ଟୀକରଣଟି ଲେଖିବାକୁ ପଡିଲା?
ରମାକାନ୍ତ ରଥ: ସେତେବେଳେ ଲେଖିବାର ଉତ୍ସାହ ଥିଲା, ଏବଂ ମୋ’ର ଆଉ କିଛି କହିବାର ଅଛି ବୋଲି ଭାବି ମୁଁ ଏହା ଲେଖିଥିଲି। ତେବେ କବିତାଟିକୁ ବୁଝାଇବା ଏହି ପୃଷ୍ଠବନ୍ଧଟିର ଉଦ୍ଦେଶ୍ୟ ନ ଥିଲା। ବରଂ ଏଥିରେ କବି ନିଜକୁ ବୁଝାଇବାର ଚେଷ୍ଟା କରିଛି। ଅବଶ୍ୟ ମୋ’ର ପରବର୍ତ୍ତୀ କୌଣସି କବିତା ବହିରେ ମୁଁ ଆଉ ଏଭଳି ପୃଷ୍ଠବନ୍ଧ ଲେଖିନାହିଁ।
ସାହିତ୍ୟ ଚର୍ଚ୍ଚା: ଏବେ ଏ ବୟସରେ ବି ଆପଣଙ୍କ କିଛି କିଛି ଲେଖୁଛନ୍ତି କି?
ରମାକାନ୍ତ ରଥ: କେତେଦିନ ହେଲା କିଛି ଲେଖିପାରିନି। କ’ଣ କି, ଯେବେ ଲେଖାଟା ଆସିବ, ସେ ଲେଖିହୋଇଯିବ। ଆପଣ ବସିକରି କଲମ-କାଗଜ ଧରିବେ, କିନ୍ତୁ ସେ ହେବନାହିଁ।
ସାହିତ୍ୟ ଚର୍ଚ୍ଚା: ଆମ କବିତାର ଭବିଷ୍ୟତକୁ ଆପଣ କିଭଳି ଦେଖନ୍ତି?
ରମାକାନ୍ତ ରଥ: ଦେଖନ୍ତୁ, ସାରା ପୃଥିବୀରେ କବିତାର ଭବିଷ୍ୟତ ବିପନ୍ନ। ଇଂଲଣ୍ଡ ଓ ଆମେରିକାରେ କବିତା ବହି କେତେଟା ବିକ୍ରି ହେଉଛି? ତା’ଙ୍କ ବହିର ପ୍ରଥମ ସଂସ୍କରଣର ଛପା ସଂଖ୍ୟା ମାତ୍ର ତିନି ଶହ କି ଚାରି ଶହ। ଚାରିଆଡେ କବିତା ପ୍ରତି ଆଗ୍ରହ କମିଗଲାଣି।
ସାହିତ୍ୟ ଚର୍ଚ୍ଚା: କବିତା ଯେ ଧିମେଇ ଯାଉଛି, ଏହା ତେବେ ଏକ ଆନ୍ତର୍ଜାତିକ ପ୍ରକ୍ରିୟା! ତଥାପି କବିତା ଓ କବି ତ ତିଷ୍ଠି ରହିବ ଯୁଗେଯୁଗେ?
ରମାକାନ୍ତ ରଥ: ହଁ, ନିଶ୍ଚୟ ତିଷ୍ଠି ରହିବ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ କୃତଜ୍ଞତା ଜଣାଉଛୁ।

(‘ ସାହିତ୍ଯ ଚର୍ଚ୍ଚା ‘ ପତ୍ରିକାର ଅକ୍ଟୋବର , ୨୦୨୨ ସଂଖ୍ଯାରେ ପ୍ରକାଶିତ)

One thought on “ପ୍ରବୀଣ ସାରସ୍ୱତ ସ୍ରଷ୍ଟା ରମାକାନ୍ତ ରଥଙ୍କ ସହ କିଛି ଅନ୍ତରଙ୍ଗ ଆଳାପ

  1. ପ୍ରକୃତରେ ଶ୍ରୀ ରମାକାନ୍ତ ରଥ ମୋର ପ୍ରିୟ କବି ଏବଂ ଶ୍ରୀ ରାଧା ମୋର ଅତିପ୍ରିୟ ପୁସ୍ତକ ମାନଙ୍କ ମଧ୍ୟରୁ ଗୋଟିଏ । ଶ୍ରୀରାଧାର ଅଧିକାଂଶ ପଂକ୍ତି ମୋର ମୁଖସ୍ଥ । ଦୁର୍ବୋଧ୍ୟ କବିତା ଆଦୌ ଗ୍ରହଣ କରନ୍ତି ନାହିଁ ପାଠକ । କେବଳ ସରଳ ଓ ସାବଲୀଳ ଯୋଗୁଁ ଭାଗବତ ପଦାବଳୀ ଜନାଦୃତ । ଗାଇଆଳଠାରୁ ପଣ୍ଡିତ ମଣ୍ଡଳୀ ସମସ୍ତେ ତାହା ପଢିଥିଲେ ଏବଂ ସାକ୍ଷରତା ହାର ସର୍ବାଗ୍ରେ ରହିଥିଲା ଓଡିଶାରେ । ମନୋଜ ଦାସଙ୍କର ଗୋଟିଏ ଛୋଟ ଗପ ରହିଛି ଏ ବିଷୟରେ । କବିଟିଏ ଗୋଟେ ସିଂହକୁ କୂଅରୁ ଉଦ୍ଧାର କଲା କବିତା ଶୁଣାଇବ ବୋଲି । କବିତା ଶୁଣାଇଲା ବେଳକୁ ତା ଆଖିରୁ ଲୁହ ଝରୁଥିଲା । କବି କହିଲେ ମୋ କବିତା ଶୁଣି ତୁମେ କାନ୍ଦୁଛ କାହିଁକି । ସିଂହ କହିଲା ଆଉ କେତେ ସମୟ ଅଛି ? କବି କହିଲେ ଆଉ ଦୁଇଘଣ୍ଟା । ସିଂହ କହିଲା ମୋତେ କୂଅକୁ ପୁଣି ଠେଲିଦିଅ । ଅର୍ଥାତ ଏତେ କ୍ଳିଷ୍ଟ ଯେ କୂଅରେ ପଡିବାକୁ ସେ ପୁଣିଥରେ ପସନ୍ଦ କଲା ।
    କବି ରମାକାନ୍ତଙ୍କ ପ୍ରାୟ ସବୁ ବହି ପଢିଛି । ଅଂନ୍ତତଃ ଚେତନାର ଚୌହଦୀ ଭିତରେ ସ୍ପର୍ଶ କରିଛନ୍ତି ସେ ମଣିଷର ସମଗ୍ର ସତ୍ତାକୁ । ପ୍ରଣାମ ତାଙ୍କ କାଳଜୟୀ ସୃଷ୍ଟିକୁ ଏବଂ ତା’ଙ୍କୁ।

Leave a Reply

Your email address will not be published. Required fields are marked *