ବନ୍ଦୀ ପ୍ରେମିକ

ଏହା ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ କଲମରୁ ରୂପନେଇଥିବା ଏକ ଗଳ୍ପ ସମାହାର, ଯାହାର ପ୍ରଥମ ସଂସ୍କରଣଟି ପ୍ରକାଶିତ ହୋଇଛି ୨୦୨୨ ମସିହାରେ। ‘ପ୍ରଥମ ସଂସ୍କରଣ?’ ଏହା ଦୃଷ୍ଟିରେ ପଡନ୍ତେ ଆମେ ଟିକିଏ ବିସ୍ମିତ ହେଲୁ। ଆମ ଭାଷାର ବିଶିଷ୍ଟ କଥାଶିଳ୍ପୀ ଅକ୍ଷୟ ମହାନ୍ତିଙ୍କର, ହଁ, ସେହି ସ୍ୱନାମଧନ୍ୟ ସଙ୍ଗୀତଜ୍ଞ ଓ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କର, ଯାହାଙ୍କର ଲେଖକୀୟ ଚେହେରାଟି ହୁଏତ ଅନେକଙ୍କୁ ଅଗୋଚର, ଏହି ଗଳ୍ପ ସଂକଳନଟି ତେବେ କ’ଣ ଏ ଯାବତ ଅପ୍ରକାଶିତ ଥିଲା? ଉତ୍ସୁକତା ମେଣ୍ଟାଇବା ପାଇଁ ପୁସ୍ତକଟିର ପ୍ରକାଶକଙ୍କ ସହ ଯୋଗାଯୋଗ କଲୁ। ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ମିତ୍ରଭାନୁ ବାବୁଙ୍କୁ ମଧ୍ୟ ଫୋନ୍ ଦ୍ୱାରା ପଚାରିଲୁ ଯେ ୨୦୨୨ ମସିହାରେ ଅକ୍ଷୟ ମହାନ୍ତିଙ୍କର ଏଭଳି ଏକ ଗଳ୍ପ ସଂକଳନ ପ୍ରଥମ ସଂସ୍କରଣ ଭାବରେ ପ୍ରକାଶ ପାଇବାର ହେତୁ କ’ଣ!

ଯାହା ଜ୍ଞାତ ହେଲୁ ତାହେଲା ଯେ ‘ଅକ୍ଷୟ ମହାନ୍ତିଙ୍କ ଗଳ୍ପ ସମଗ୍ର’ ଦୀର୍ଘ କଳେବରଟିଏ ନେଇ ପ୍ରଥମେ ପ୍ରକାଶ ପାଇଥିଲା ୨୦୧୮ ମସିହାରେ। ଏହାର ଅନ୍ତରାଳରେ ଅକ୍ଷୟଙ୍କ କିଛି ଶୁଭେଚ୍ଛୁ ଓ ପ୍ରଶଂସକଙ୍କର ଆର୍ଥିକ ପ୍ରୋତ୍ସାହନ ମଧ୍ୟ ରହିଥିଲା, ଯେଉଁ କାରଣରୁ ସେହି ସଂକଳନଟିର ମୂଲ୍ୟ ଯଥେଷ୍ଟ କମ୍ ରଖିବା ସମ୍ଭବ ହୋଇପାରିଥିଲା। କିନ୍ତୁ ୨୦୨୧ ମସିହା ବେଳକୁ ଯେତେବେଳେ ମିତ୍ରଭାନୁ ମହାଶୟ ଏହାର ଦ୍ୱିତୀୟ ସଂସ୍କରଣଟି ପ୍ରକାଶ କଲେ, ସେତେବେଳକୁ ସେଭଳି କିଛି ପ୍ରୋତ୍ସାହନ ନଥିଲା। ଫଳରେ ତାଙ୍କ ପକ୍ଷରେ ୯୨୫ ପୃଷ୍ଠାର ଏହି ପୃଥୁଳକାୟ ବହିଟିର ମୂଲ୍ୟ ଏକ ହଜାର ଟଙ୍କା ରଖିବା ଅନିର୍ବାର୍ଯ୍ୟ ହୋଇପଡିଲା। ପରିଣାମ ସ୍ୱରୂପ, ଅକ୍ଷୟ-ଅନୁରାଗୀ ପାଠକଙ୍କ ନିକଟରେ ଏହି ସଂକଳନଟି ସହଜରେ ପହଞ୍ଚି ପାରିଲାନାହିଁ। ଏହାର ସମାଧାନ କରିବାକୁ ଯାଇ ‘ଅକ୍ଷୟ ମହାନ୍ତି ଗଳ୍ପ ସମଗ୍ର’ର ମୂଳ ସଂସ୍କରଣରୁ କିଛି ଚୟନିତ ଗଳ୍ପକୁ ଅପେକ୍ଷାକୃତ କମ ପୃଷ୍ଠାର ଏକ ପୁସ୍ତକ ଆକାରରେ ପ୍ରକାଶ କରି ତାହାକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବାର ନିଷ୍ପତ୍ତି ନିଆଗଲା। ଏହାର ଫଳଶ୍ରୁତି ହେଉଛି ଆମର ଏହି ଆଲୋଚ୍ୟ ସଂକଳନ ‘ବନ୍ଦୀ ପ୍ରେମିକ’। ଏହି ନୂତନ ଶୀର୍ଷକ ଆଧାରରେ ପ୍ରକାଶିତ ପୁସ୍ତକଟିକୁ ଏଣୁ ଏହାର ପ୍ରଥମ ସଂସ୍କରଣ ଭାବରେ ପରିବେଷଣ କରାଯାଇଛି।
ଅକ୍ଷୟ ମହାନ୍ତିଙ୍କ ୧୪ଟି ସୁନିର୍ବାଚିତ ଗଳ୍ପକୁ ନେଇ ସଂକଳନଟି ରୂପାୟିତ ହୋଇଛି। ନିଜ ଗୀତର କୁହୁକରେ ଅସୁମାରୀ ଶ୍ରୋତାଙ୍କ ହୃଦୟ ଜିଣିବାର ସାମର୍ଥ୍ୟ ରଖୁଥିବା ଅକ୍ଷୟଙ୍କ କଲମ ମଧ୍ୟ ଯେ ସମରୂପରେ ସୃଜନ ପ୍ରବଣ, ଏହା ସହଜରେ ହୃଦୟଙ୍ଗମ କରିହୁଏ ଏହି ଗଳ୍ପଗୁଡିକୁ ପାଠ କଲେ।
ଅକ୍ଷୟଙ୍କ କଥାବସ୍ତୁ ଆପେକ୍ଷିକ ଗତିରେ ଓ ସ୍ୱାଭାବିକ ରୀତିରେ ଆଗକୁ ବଢୁଥାଏ, ଯହିଁରେ ଭାଷାଗତ ଆଡମ୍ବର ବା ଅନାବଶ୍ୟକ ବର୍ଣ୍ଣନା-ବହୁଳତାର ଚିହ୍ନବର୍ଣ୍ଣ ପ୍ରାୟତଃ ମିଳେନାହିଁ। ଯେମିତି,

ମୋର ବୟସ ସେତେବେଳେ କୃଷ୍ଣଚୂଡା। ଆଉ କୃଷ୍ଣଚୂଡା ଖୋଜେ ଗୋଟେ ଚାହାଣି, ଯେଉଁ ଆଖିର ମାଲିକାଣୀ କହୁଥିବ – ‘ଏ ମା’, କେତେ ସୁନ୍ଦର ହେଇଛି ଏ କୃଷ୍ଣଚୂଡା। ଇଚ୍ଛାହଉଛି ସବୁ ଫୁଲ ତୋଳିନେବାକୁ। ସେମିତି ଗୋଟେ ଝିଅ କୃଷ୍ଣା ହଠାତ୍ ହୋଇଗଲା ମୋ’ବୟସର କେତୋଟି ଲୋହିତ ତାରିଖ।

ସେହି କୃଷ୍ଣଚୂଡା ପରାୟ ଏହି ଗଳ୍ପସବୁ। ପାଠକର ମନ ହୁଏତ ଉଚ୍ଚାଟ ହେବ ସବୁଗୁଡିକ ତୋଳିନେବାକୁ।

ନିହାର ଶତପଥୀ

Leave a Reply

Your email address will not be published. Required fields are marked *