ଧଅପ ଚିକଣ *

ପ୍ରଶାନ୍ତ ଭୂୟାଁ

“ଧଅ ବୋଇଲେ କାମୁଡ଼ି ପକାଉଛି”
ଇଏ ହେଲା ଆମର ଅଧିକାଂଶ ଅଧମାଧମ ସ୍ୱଘୋଷିତ ସାହିତ୍ୟିକ ତଥା ତାଙ୍କ ବିରଚିତ ପୁସ୍ତକର ଲକ୍ଷଣ। ବିଭିନ୍ନ ପୁସ୍ତକ, ଚଳଚ୍ଚିତ୍ର, ଧାରାବାହିକ ଓ ଅନ୍ୟାନ୍ୟ ପ୍ରସଙ୍ଗରୁ ଶବ୍ଦ, ଭାବନା, ଆଧାର ସଂଗ୍ରହ କରି ଅହୋରାତ୍ର ଭାଇ-ବନ୍ଧୁ-କୁଟୁମ୍ବଙ୍କ ଶିରୋପୀଡ଼ାର କାରଣ ହୋଇ ପୁସ୍ତକଟିଏ ଲେଖି; ସେଇ ପୁସ୍ତକକୁ ସାହିତ୍ୟର ବାଗ ଧରିନଥିବା ଅଗୁଆଁର ସମ୍ପାଦକଙ୍କ ହାତରେ ଟେକି ଦିଅନ୍ତି। ତାପରେ ଅଳଙ୍କରଣ ହୁଏ ସେହି ପୁସ୍ତକର ଅତିଗବ ଚିତ୍ରକାରଙ୍କ ଦ୍ୱାରା। କାରଣ ଏହି ପ୍ରଚ୍ଛଦପଟ ହିଁ କି ନିର୍ଣ୍ଣାୟକ ପୁସ୍ତକର ଗୁଣବତ୍ତାର! ଏଇ ସଂଶୟରେ ରହିଥାନ୍ତି କେତେଜଣ ଲେଖକ ଓ ପ୍ରକାଶକ। ”
ପୁସ୍ତକର ପ୍ରଚ୍ଛଦ ପୃଷ୍ଠା ପ୍ରସଙ୍ଗରେ କହିବି ଯେ,
“ମୁଁ ଭାବେ ଯେ ପ୍ରତ୍ୟେକ ପୁସ୍ତକର ପ୍ରଚ୍ଛଦ ଲେଖକର ରୁଚି ଆଉ ସୃଜନକୁ ଦୁଇପଦରେ କହୁଥିବ; କୁନିଛୁଆଟିଏ ଗୁଗୁପାଞ୍ଚି ଖେଳିଲା ବେଳେ ଆନନ୍ଦରେ କହିଲା ଭଳି ପାଠକକୁ କିଛି କହୁଥିବ। ପ୍ରତ୍ୟେକ ଲେଖକ ହିଁ ନିର୍ଣ୍ଣାୟକ-କର୍ତ୍ତା ଆପଣା ସୃଷ୍ଟିର। ତେଣୁ, ବହିର ମର୍ମକୁ ନେଇ ପ୍ରଚ୍ଛଦ କରାଯାଉ। ମୁଖବନ୍ଧ ପ୍ରାୟେକ ସିଏ ଯେମିତି କିଛି କହୁଥିବ।
ଏଇ ବିଦେଶରେ ପୁସ୍ତକର ଅଙ୍ଗବିନ୍ନ୍ୟାସ ଦେଖେ। ଅପୂର୍ବ କଳେବର; ପ୍ରଚ୍ଛଦ ହିଁ ଅନେକ କିଛି କହିଯା’ନ୍ତି। ଏଣୁ ମୁଁ କହିବି ଯେ ଘାସଫୁଲଟିଏ ପରି ହେଉ; କିନ୍ତୁ ପ୍ରଚ୍ଛଦଟି ଅନନ୍ୟ ହେଉ। ଏହି ପ୍ରଚ୍ଛଦ ହିଁ ଶବ୍ଦବୋଧକୁ ସର୍ଜନାର ରୂପ ଦେଉ। ଏହି ଭାବବୋଧର ଲେଖକଙ୍କୁ ସକଳ କ୍ଷେମ ପ୍ରାପ୍ତ ହେଉ। ”
ଆରମ୍ଭ ହୋଇଥିବା କଥାକୁ ଆପଣଙ୍କୁ ନେଇ ଆସେ। ପ୍ରସଙ୍ଗରେ ଥିବା ପୁସ୍ତକଟି ପ୍ରକାଶ ହୁଏ। କିଛି ଛପା ହୋଇ ସିଧାସଳଖ ପୁସ୍ତକାଳୟରେ ସଜା ହୁଏ। ହେଲେ ଆଜି କାଲି ପି.ଓ.ଡ଼ିର ଯୁଗ; ଏଣୁ ଅଧିକାଂଶ ବହି ସ୍ଥିର ଅସ୍ଥିରର ଗର୍ଭଗୃହରେ ରହନ୍ତି। ସେହି ପୁସ୍ତକର ଲୋକାର୍ପଣ ନିମନ୍ତେ ମଣ୍ଡପ ସଜା ହୁଏ, ଆଗଧାଡ଼ିରେ ଠେଲାପେଲା କରୁଥିବା କୁତର୍କି ସାହିତ୍ୟିକଙ୍କୁ ସେହି ମଞ୍ଚକୁ ଆମନ୍ତ୍ରଣ କରାଯାଏ। ମଞ୍ଚାସୀନ ବୈଡ଼ାଳବ୍ରତିକ ଅତିଥି ଅଧା ସଂସ୍କୃତରୁ, ଫାଳେ ଇଁରାଜୀରୁ, ବକୁଟେ ଆପଣା ଲେଖାରୁ ବଖାଣି ବସନ୍ତି ପ୍ରସଙ୍ଗରେ ଥିବା ପୁସ୍ତକର ସମ୍ମାନାର୍ଥେ।
ତା’ପରେ ଆରମ୍ଭ ହୁଏ ‘ବାଃ ବାଃ’ର କଳରବ। ଶତାଧିକ ଆସନ ବିଶିଷ୍ଟ ପ୍ରେକ୍ଷାଳୟରେ ପଣେ ଦର୍ଶକ ଅବା ଶ୍ରୋତା ଆଣ୍ଡ୍ରଏଡ଼କୁ ନେଇ ବସି ଯାଆନ୍ତି। ଆପଣାର ଓ ସେହି କକ୍ଷରେ ବସିଥିବା ନିମନ୍ତ୍ରିତ ଅତିଥିଙ୍କ ସହ ଚିତ୍ରୋତ୍ତଳନ ହୁଏ, ଆଉ ତା’ପରେ ମାଗଣାରେ ପ୍ରାପ୍ତି ହୋଇଥିବା ଅପାର ଭଣ୍ଡାର, ଯଥା, ପାଇଥିବା ଫେସ୍‌ବୁକ୍‌, ହ୍ୱାଟ୍‌ସ୍‌ଆପ୍‌, ଇନ୍‌ଷ୍ଟାଗ୍ରାମ୍‌, ପ୍ରଭୃତିର ଶୋଭାମଣ୍ଡନ ହୁଏ ସେଇ ଛବିର। ଶହେ ଆସିଥିଲେ, ଦଶ ଜଣ ସେହି ଶତମାନସିକର ଫଳ ପୁସ୍ତକଟିକୁ ଆଗ୍ରହର ସହ ଦେଖନ୍ତି। ମୁଖବନ୍ଧରୁ ପୃଷ୍ଠଦେଶ ଯାଏଁ ଅଣ୍ଡାଳି ଆଉଁସି ଦେଖନ୍ତି। ଜଣେ ଅଧେ ନିମନ୍ତ୍ରିତ ଅତିଥି କିଣନ୍ତି ମାନସିକ ତାଡ଼ନାରେ ବାଧ୍ୟ ହୋଇ ସେହି ଧଅପ ଚିକଣ ରଚନାକୁ। କେଭେଁ ଆପଣାର ରଚନାକୁ ଏଇ ରସିକ ସାହିତ୍ୟିକ କ୍ରୟ କରିବାର ଅତ୍ୟାଶା ନେଇ।
ଆଜିକାଲି ଅଧିକାଂଶ ଲେଖକ; ନାମୀଦାମୀ ଛାପାଖାନା, ପ୍ରଚ୍ଛଦପଟ ଅଳଙ୍କରଣ ଓ ମଞ୍ଚସଜ୍ଜାର ଭିଡ଼ ନିମନ୍ତେ ହିଁ ପୁସ୍ତକ ରଚନାରେ ବ୍ରତୀ ରହୁଛନ୍ତି। କଦାଚିତେ, ପୁସ୍ତକରେ ଭାବବୋଧ, ଶବ୍ଦ ଚାତୁର୍ଯ୍ୟ ଓ ଏକ ସମୃଦ୍ଧ ସମାଜ ନିମନ୍ତେ ବାର୍ତ୍ତା ପଢ଼ିବାକୁ ମିଳୁଛି। ପୁସ୍ତକ; ପ୍ରକାଶନ ସଂସ୍ଥା, ପୁସ୍ତକ ପ୍ରଦର୍ଶନୀ, ପୁସ୍ତକ ମେଳା, ପୁସ୍ତକ ମଞ୍ଚ, ପ୍ରଭୃତିର କଳରବରେ ପ୍ରକୃତ ପୁସ୍ତକଟିଏ ଦୁଷ୍ପ୍ରାପ୍ୟ। ଆସନ୍ତୁ, ପାଠକଙ୍କ ପାଇଁ ବହିଟିଏ ଲେଖିବା।
ଅଳମତିବିସ୍ତରେଣ

-ପ୍ରଭୂ

* ଧଅପଚିକଣ – ଯେ ଭିତରେ ଅସାର କିନ୍ତୁ ବାହାରେ ଚକଚକିଆ ଦେଖାଯାଏ। (ଯାଜପୁରର ସ୍ଥାନୀୟ ଭାଷା। )

‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର ୨୦୨୨ ସଂଖ୍ୟାରେ ପ୍ରକାଶିତ ଶ୍ରୀ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ 

Leave a Reply

Your email address will not be published. Required fields are marked *