ସାହିତ୍ୟର ଷଡ଼ରିପୁ

ଶାରଦୀୟ ପାର୍ବଣର ଅବକାଶରେ ଶକ୍ତିସ୍ୱରୂପା ଦେବୀ ମହିଷମର୍ଦ୍ଦିନୀଙ୍କୁ ଆବାହନ କରିବାର ଶୁଭ ଲଗ୍ନ ଇଏ। କେବଳ ପୁରାଣବର୍ଣ୍ଣିତ ଅସୁର ନୁହେଁ, ଏବେ ଆମ ମନ ଓ ସମାଜକୁ କଳୁଷିତ କରୁଥିବା ସମସ୍ତ ଆସୁରୀ ପ୍ରବୃତ୍ତିମାନଙ୍କର ସଂହାର ପାଇଁ ମଧ୍ୟ ମାଆଙ୍କର ଏହି ଅବତାର। ସେଇଥିପାଇଁ ବୈଦିକ ଯୁଗରେ ସୃଜିତ ଶ୍ରୀଦୂର୍ଗା ସ୍ତୋତ୍ରରେ କୁହାଯାଇଛି,
ରିପବଃ ସଂକ୍ଷୟଂ ଯାନ୍ତି କଲ୍ୟାଣଂ ଚୋପପଦ୍ୟତେ।
ନନ୍ଦତେ ଚ କୁଳଂ ପୁଂସାଂ ମାହତ୍ମ୍ୟଂ ମମ ଶୃଶ୍ୱତାମ୍।।

ଅର୍ଥାତ୍‌, ଆମକୁ ଶତ୍ରୁମାନଙ୍କ କବଳରୁ ରକ୍ଷା କର, ଆମ ମନଭିତରର ନକାରାତ୍ମକତାକୁ ସଂହାର କର, ଏବଂ ଆମ ଜୀବନରେ ଭରିଦିଅ ସୁଖ ଓ ସମୃଦ୍ଧି।
ତେବେ କିଏ ଏହି ଶତ୍ରୁ, ଯେଉଁମାନଙ୍କର କବଳରୁ ମୁକ୍ତି ପାଇଁ ଆମେ ମାଆଙ୍କର ଶରଣାପନ୍ନ ହେଉ? ସାହିତ୍ୟ ପତ୍ରିକାଟିଏ ଭାବରେ ଏହି ସନ୍ଦର୍ଭରେ ଯେତେବେଳେ ଏକଥା ଆମେ ମନକୁ ଆଣୁ ସେତେବେଳେ ସ୍ୱାଭାବିକ ଭାବରେ ଆମର ସମ୍ମୁଖରେ ଉଦ୍‌ଭାସିତ ହୁଏ ଆମ ସାହିତ୍ୟ ଜଗତକୁ କବଳିତ କରିରଖିଥିବା କେତେକ ଶତ୍ରୁ ପ୍ରତିମ ପ୍ରବୃତ୍ତି।
ଶାସ୍ତ୍ରୋକ୍ତ ମତରେ ଆମ ଜୀବନଧାରା ଷଡରିପୁ, ଅର୍ଥାତ୍ ଛଅଟି ଶତ୍ରୁଙ୍କ ଦ୍ୱାରା ପରିବେଷ୍ଟିତ। ସେମାନେ ହେଲେ, (୧) କାମ, (୨) କ୍ରୋଧ, (୩) ଲୋଭ, (୪) ମୋହ, (୫) ମଦ ଏବଂ (୬) ମାତ୍ସର୍ଯ୍ୟ। ସାହିତ୍ୟ ତ ଏକ ସାରସ୍ୱତ ସାଧନା, ଯାହା ମଣିଷର ମନକୁ ଲୌକିକରୁ ଏକ ଅଲୌକିକ ଦିଗକୁ ଘେନିଯାଏ। ତଥାପି ଏହା ଷଡରିପୁଙ୍କ ଦ୍ୱାରା କବଳିତ।
କାମ: ସାହିତ୍ୟ ବାସନା ରହିତ ସ୍ୱର୍ଗୀୟ ଚେତନାର କଥା କହେ। ତା ସତ୍ତ୍ୱେ ନିଜର ବାସ୍ତବ ଜୀବନରେ କାମନା ଓ ବାସନା ପରିହାର କରିଥିବା ସ୍ରଷ୍ଟାଟିଏ ଆଜି ଦୁର୍ଲଭ। ପୁରସ୍କାର ପ୍ରତି ଲାଳସା, ପଦପଦବୀର ଆକାଂକ୍ଷା ଓ ଆତ୍ମପ୍ରଚାର – ଏହି ମନୋଭାବ ଗୁଡ଼ିକ କଳୁଷିତ କରିଥାନ୍ତି ତାହାର ସୃଜନଧର୍ମୀତାକୁ।
କ୍ରୋଧ: କ୍ରୋଧ ବା ଅସହିଷ୍ଣୁତା ତ ଆମର ଅନେକ ସାହିତ୍ୟସେବୀଙ୍କର ଏକ ସହଜାତ ପ୍ରବୃତ୍ତି। ଅଳ୍ପ କେତେକଙ୍କୁ ଛାଡିଦେଲେ ଅନେକ ସାହିତ୍ୟ ସାଧକ ଆଜି ବିଭିନ୍ନ ଗୋଷ୍ଠୀ ଓ ମତବାଦରେ ବିଭକ୍ତ। କେହି ଅନ୍ୟ କାହାକୁ ସହ୍ୟ କରିବାକୁ ପ୍ରସ୍ତୁତ ନୁହନ୍ତି।
ଲୋଭ: ସମସ୍ତେ ନ ହେଲେ ବି, କତିପୟ ସାହିତ୍ୟସ୍ରଷ୍ଟାଙ୍କର ସରସ୍ୱତୀଙ୍କ ଅପେକ୍ଷା ଲକ୍ଷ୍ମୀଦେବୀଙ୍କ କୃପା ଉପରେ ନଜର ଅଧିକ। ନିଜର ଲୋଭ ଚରିତାର୍ଥ କରିବା ପାଇଁ ସେମାନେ ସାହିତ୍ୟକୁ ବ୍ୟବସାୟର ମାଧ୍ୟମ କରିବାକୁ ପଛାଇ ନ ଥାନ୍ତି।
ମୋହ: ସାହିତ୍ୟ ଜଗତର ମୋହ ପ୍ରତିଭାତ ହୁଏ ପ୍ରିୟାପ୍ରୀତି ତୋଷଣ ରୂପରେ। ନିଜର ବନ୍ଧୁ ବା ପରିଜନଙ୍କ ଲେଖା ନିମ୍ନମାନର ହୋଇଥିବା ସତ୍ତ୍ୱେ ତାହାର ବାହାବା କରିବା କିମ୍ବା ତାହାକୁ କୌଣସି ପୁରସ୍କାର ପାଇଁ ସୁପାରିଶ କରିବା ଏହାର ଏକ ଲକ୍ଷଣ।
ମଦ: ସଂସ୍କୃତର ‘ମଦର୍ଥେ’ରୁ ଜାତ ଏହି ଶବ୍ଦ। ଅର୍ଥାତ୍‌, ‘କେବଳ ମୋ’ ପାଇଁ’। ମୁଁ ହିଁ ଶ୍ରେଷ୍ଠ। ମୁଁ ଲେଖିଥିବା ସାହିତ୍ୟ ହିଁ ସଂସାରର ଶେଷ କଥା। ଏହିଭଳି ଅହଂକୁ ନେଇ ବଂଚୁଥିବା ସାହିତ୍ୟିକମାନେ ଆମ ସାରସ୍ୱତ ଜଗତରେ ବିରଳ ନୁହଁନ୍ତି।
ମାତ୍ସର୍ଯ୍ୟ: ଏହା ଈର୍ଷାକୁ ବୁଝାଏ। ସେ ଲେଖକ ହୁଅନ୍ତୁ ଅବା କବି – ସେମାନଙ୍କ ମଧ୍ୟରୁ କେତେକଙ୍କର ଯେ ଅପର ସମଗୋତ୍ରୀୟ ସ୍ରଷ୍ଟାମାନଙ୍କ ପ୍ରତି ଈର୍ଷା ବା ପ୍ରତିଯୋଗିତାର ମନୋଭାବ ଅଛି, ଏହା ଅଛପା ନୁହେଁ।
ହେ ଦୁର୍ଗତିନାଶିନୀ ମାଆ! ଏହି ଷଡ଼ରିପୁଙ୍କ କବଳରୁ ରକ୍ଷା କର ଆମ ସାହିତ୍ୟର ସଂସାରକୁ।

ନିହାର ଶତପଥୀ

  • ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର ,୨୦୨୨ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ 

One thought on “ସାହିତ୍ୟର ଷଡ଼ରିପୁ

  1. ଆଜ୍ଞା ନମସ୍କାର। ଆପଣକଂର ସଂପାଦକୀୟଟି ବେଶ୍ ମନକୁ ଛୁଇଁଲା। ସେଥିପାଇଁ ଅଜସ୍ର ଧନ୍ୟବାଦ।ତାହା ଯେପରି ବଳିଷ୍ଠ, ସେହିପରି ଶାଣିତ। ସାହିତ୍ୟ ଜଗତରେ ପ୍ରତି ଛତ୍ରେଛତ୍ରେ ତାହା ଅନୁଭୂତ ହୁଏ। ଏହି ଷଡ଼ରିପୁକୁ ଦମନ କରି ଯଦି ସ୍ରଷ୍ଟା ତାର ସୃଜନ ପଥରେ ଅଗ୍ରସର ହୁଅନ୍ତା ତେବେ ପାଠକ ଉକୃଷ୍ଟ ସାହିତ୍ୟ ଲାଭ କରନ୍ତା। ପାଠକହିଁ ଶ୍ରେଷ୍ଠ ବିଚାରକ ଏବଂ ସମୟର କଷଟି ପଥରରେ ତାର ପ୍ରକୃତ ମୂଲ୍ୟାୟନ ହୋଇଥାଏ।

Leave a Reply

Your email address will not be published. Required fields are marked *