- ସାହିତ୍ୟର କଲମି ଚାରାଗୁଡାକ ହୁ ହୁ ହୋଇ ବଢିବାରେ ଲାଗିଛନ୍ତି।
ଓଡ଼ିଆ! ମୋ ଭାଷା, ଶାସ୍ତ୍ରୀୟ ଭାଷା, ଗାଁ ବାଲାଙ୍କ ଭାଷା, ସହରିଆଙ୍କ ବେପାର। ସବୁଦିନେ ଶୁଣୁଛୁ, “ମରିଗଲା, ମରିଯିବ, ମରିଆସିଲାଣି, ଅବସ୍ଥା ଖରାପ, ମଣିଷ ଚିହ୍ନୁ ନାହିଁ, ପାଟିରେ ତୋରାଣିପାଣି ଟିକିଏ ଗଳୁନାହିଁ।” ନଈ ମୁଣ୍ଡରେ କେତେ କିମ୍ଭୀର କାନ୍ଦୁଛନ୍ତି। ସରିଲା! ଓଡ଼ିଆ ଭାଷାର କୁଳ ବୁଡିଲା! ହେଃ! ଏଡେ ଅଲକ୍ଷଣିଆ କଥା କାହିଁକି ତୁଣ୍ଡରେ ଧରୁଛ କହିଲ? ତୁମ ମୋବାଇଲ କୁ ଦେଖିଲ ! ତୁମେ ସମସ୍ତେ ସକାଳେ ଚାହା ସାଙ୍ଗରେ ହ୍ବାଟସଆପ୍ ସେବା କରୁଥିବା ଆମେ ଜାଣିଛୁ। ଆମେ ବି ସେଇଥି୍ରୁ ଜଣେ। ଆଜିକାଲି ଗ୍ରୁପିଜିମ୍ ପ୍ରବଳ। ଜାତିଆଣ, ପ୍ରାନ୍ତୀୟ , ମଣ୍ଡଳୀୟ , ଜିଲା ସ୍ତରୀୟ କିଲା ସ୍ତରୀୟ , ସାହିତ୍ୟ ଗୋଷ୍ଠୀ, ସଂଗୋଷ୍ଠୀ, ଚର୍ଚ୍ଚା, ଅନୁଷ୍ଠାନ, ସତସଙ୍ଗ ଆଦି ଶହେଏକ ଗ୍ରୁପ୍ ରେ ମୋବାଇଲ ପଟଳ ଭର୍ତ୍ତି। ଶନିବାର ରବିବାର, ଛୁଟି ଦିନ ଦେଖିବାକୁ ମିଳେ ଯେମିତି ଗାଁରେ କି ସହର ତଳି ଅଞ୍ଚଳରେ ହାଟ ବସିଛି। କରୋନା ଆସି, ଏ ହାଟକୁ ବଢ଼ିବାରେ ସାହାଯ୍ୟ କଲା। ଭର୍ଚୁଆଲ୍, ଉଏବିନାର, ଭିଡିଓ କନଫରେନ୍ସିଂ ଯେମିତି ସାହିତ୍ୟ ବିଲରେ ଖତ ଅଜାଡି ଦେଲା। ସାହିତ୍ୟର କଲମି ଚାରାଗୁଡା ହୁ ହୁ ହୋଇ ବଢିବାରେ ଲାଗିଛନ୍ତି। କବି ଯେ, ଆଉ ନକହ। ଆଉ ଗୋଟାଏ ଦୁଇଟା କରୋନା ଉଏଭ୍ ଆସିଗଲେ ସାହିତ୍ୟ, ବିଶେଷରେ କବିତା ମାଡି ଯାଆନ୍ତା! ଲୋକେ କବିତାରେ କଥା ହୁଅନ୍ତେ ଯେମିତି, “ସଖୀଲୋ, ଥା ଟିକିଏ ମୋ ପଶିଲା କଣ୍ଟା, ଜଳେ ପାଦଟା, ପାରିଲେ ଉଠା, କରନା ଥଟା। କଣ୍ଟାବୋଲି ଏମିତି କଣ୍ଟା, ଯେମିତି ଗୋଟାଏ କାଳିଆ ଖୁଣ୍ଟା !”
ବଙ୍ଗଳା ବୈଷ୍ଣବ ସାହିତ୍ୟର ଶୁକ ଶାରୀ ସମ୍ବାଦ, “ଶୁକ ବଲେ ଆମାର କ୍ରିଷ୍ଣ ମଦନ ମୋହନ। ଶାରୀ ବଲେ ଆମାର ରାଧା ବାମେ ଯତ କ୍ଷନ୍ ନାଇତ ହଇବେ କେମନ୍? ଶୁକ ବଲେ ଆମାର କ୍ରିଷ୍ଣ ଗିରି ଧରେଛିଲ ,ଶାରୀ ବଲେ ଆମାର ରାଧା ଶକ୍ତି ସଞ୍ଚରିଲ , ନାଇତ ପାଇବେ କେମନ୍?”
କେତେ ଗ୍ରୁପ୍ କେତେ ସଂସ୍ଥା, କବିତାର କି ସେବା? ଦେଖିଲେ ମନେ ପଡନ୍ତି ଜାତୀୟ କବି ବୀରକିଶୋର, “ଯେ ଜାତି ବୋଇତ ଭସାଏ ,ସାତ ସମୁଦର ତେର ନଈରେ , ସେ ଜାତିକୁ ହତଭାଗା ବୋଲି ,ଏଡେ ଛାତି କାର ଯିବ କହିରେ?” କେତେ ଗ୍ରୁପ୍ କେତେ କବିତା ଦେଖି ଆମ ରିସର୍ଚ୍ଚ ଟିମ ଗୋଟାଏ କବିତାର ଅଡିଟ୍ ଆରମ୍ଭ କରିଦେଇଛି।
କବିତାର ପ୍ରକାର ଭେଦରେ କମ୍ପ୍ୟୁଟର ଆପ୍ଲିକେସନ କରିବା ଆରମ୍ଭ କରିଛୁ। ଏକ୍ସଏଲ୍ ଫରମାଟରେ ପକାଇ ଦେଖିଲୁ କବିତା ମୋଟ ଉପରେ ଆଠ ଦଶ ପ୍ରକାର। ସବୁ ଖେଳ ତାହାରି ଭିତରେ। ସୌନ୍ଦର୍ଯ୍ୟକୁ ନେଇ ଭଞ୍ଜ କବି ଗଦେଇ ଦେଇଗଲେ ଛାନ୍ଦ, ଯମକ ଆଉ କେତେ କଣ। ସବୁ ସୁନ୍ଦରୀ, ଅପ୍ସରୀ, ଲଳନା, ରାଜଜେମା, ତାଙ୍କ ଭୁରୁ, କଟି, ନିତମ୍ବ, ଜାନୁ, ବାଳ ବା କେଶ, ପାନଖିଆ ଦାନ୍ତ, ଗୋଇଠି, ଆଙ୍ଗୁଠି, ଆଖି , ସେ ପୁଣି ପୋଟଳ ଚିରା ଆଖି। କେହି ଟେରି ବା ସ୍କୁଇଣ୍ଟ ନୁହନ୍ତି, ତୀକ୍ଷ୍ଣ ନାସିକା, ଡାଇମଣ୍ଡ ନାକଫୁଲ, କାନରେ କୁଣ୍ଡଳ, କାହା କାନରେ ହିୟରିଂ ଏଡ୍ କି ଆଖିରେ ଚଷମା ନାହିଁ। ଗୋଇଠି ଏକବାରେ ମସୃଣ ଟିକିଏ ବି ଫାଟ ନାହିଁ, ବୋରୋପ୍ଲସ୍ ଆଡଭର୍ଟାଇଜମେଣ୍ଟ ପାଇଁ ପୁରା ଫିଟ୍। ଚାଲି ଧୀର ମନ୍ଥର, ବସ୍ ପଛେ ଛୁଟିଯାଉ, ନୋ ପ୍ରୋବ୍ଲେମ। କଟି ଧୀରେ ଧୀରେ ହଲୁଥିବା ବିଧି। କଟି କିଙ୍କିଣି ବାଜେ ଟିଣି ଟିଣି , କିଣି କିଣି, ପାନଖାଇ ଛେପ ପକାଇ ଚାଲିଥିବ, ନୋ ଟିସୁ ପେପର । କବରୀ ମଲ୍ଲୀମାଳ ଆଉ ଅନେକ ଆସେସରିଜ୍ ର ପ୍ରୟୋଗ, ତାର ପୂରା ଲଜିଷ୍ଟିକ୍ ଭଞ୍ଜଙ୍କ ପାଖରେ ଥିଲା। କବିସୂର୍ଯ୍ୟ ଆଦି ସେଇ ଲେଡିସ ପୋଏମ୍ ସ୍ପେସିଆଲିଷ୍ଟ୍। ହେଲେ ତାଙ୍କର ନାୟିକା ମାନେ ରଜାଘର ଝିଅ। ଗରିବ ଘର ଝିଅକୁ ଦେଖିବାକୁ ତାଙ୍କର ସମୟ ନଥିଲା ବୋଧହୁଏ? ତାଙ୍କ ପରେ ମାନସିଂ, ସାହିତ୍ୟ ଚର୍ଚ୍ଚାର ଜାନକୀ ବାବୁ, ଅଜୟ ବାବୁ ,ଉମାକାନ୍ତ ବାବୁ ଆଦିଙ୍କ ନାମ ଉଲ୍ଲେଖଯୋଗ୍ୟ । ତାପରେ ନେଚର , ପ୍ରକୃତି , ଗଛ ଲତା ,ପାହାଡ ପର୍ବତ ନଈ, ବରଫ, ହିମ ,ସୂର୍ଯ୍ୟ, ଚନ୍ଦ୍ର, ତାରା, ବିଜୁଳି ଘଡଘଡି, ମୟୁର କୋଇଲି ସବୁ ଆସିଯିବେ। ଗଙ୍ଗାଧର ମେହେରଙ୍କ ଠାରୁ ଆରମ୍ଭ ହୋଇ ଆଜିଯାଏ ଚାଲିଆସିଛି। ଏ ବଜାରଟା ଖୁବ୍ ଚଳ ଚଞ୍ଚଳ। ପ୍ରେମ କବିତା, ସେ ଭଞ୍ଜ ମାର୍କା ନୁହେଁ, ଲେଡିଜ୍ ହଷ୍ଟେଲ ମାର୍କା ‘ତୁମେ ଓ ମୁଁ’ କବିତା ପ୍ରବଳ। ଗ୍ରାହକ ଅଭାବ। ଆଉ ପଞ୍ଝାଏ କମ୍ୟୁନିଷ୍ଟ ଚିନ୍ତାରେ ଉବୁ ଟୁବୁ। ଭୋକ, ଦାରିଦ୍ର୍ୟ, ସେ ଫ୍ରି ରାସନ, ଆୟୁଷ୍ମାନ ଯୋଜନା କିଛି ନୁହେଁ। ଚିରି ଦିଅ, ଫାଡିଦିଅ, ମାଡିଯାଅ ! ନକ୍ସଲ କବିତା, ମାଓବାଦୀ କବିତା ଉଗାଳି ଯିବେ ଯେ ଯଦି ପଢିବା ଆରମ୍ଭ କରିବେ ମାଇକ ଛାଡିବେ ନାହିଁ। ସୁଇସ୍ ବନ୍ଦ କରନ୍ତୁ, ଗାଇ ଚାଲିଥିବେ ବୀର ରସରେ ଉଦବୁଦ୍ଧ ହୋଇ। ଗୋଟାଏ ସୁଜ୍ଞାନୀ କବିତା ଅଛି, ଶ୍ରବଣ କୁମାର ମଡେଲ, ଶାଶୁ ନଣନ୍ଦ, ଘର କରଣା, ପିତୃ ଭକ୍ତି, ସ୍ବାମୀ, ଶାଶୁ, ଶଶୁର, ଘର ସଂସାର, ଚକୁଳି ପିଠା ମଡେଲ୍। ଏ ବଜାରରେ ଲେଡିସ୍ କବିଙ୍କର ଆଧିପତ୍ୟ ,ପ୍ରତୀୟମାନ ହୁଏ। ଏମାନଙ୍କ ବାଇଓଡାଟା ଷ୍ଟଡି କରି ଜାଣିଲୁ ବାହାଘର ସାତମଙ୍ଗଳା ବାସି ଭୁବନେଶ୍ୱର ଆସି ଆଉ ପଛକୁ ଚାହିଁ ନାହାନ୍ତି। ଯାହା ‘ସୁଚରିତା’ ପତ୍ରିକାରେ ପଢିଥିଲେ, ଆଉ ବିଭୁତି ପଟ୍ଟନାୟକଙ୍କ ‘ବଧୁ ନିରୁପମା’ରୁ ମନେ ରଖିଥିଲେ ତାକୁ କବିତାରେ ଫୁଟେଇ ଫିଟେଇ ଦେଇଛନ୍ତି। ଗୋଟାଏ ସିଜିଓନାଲ କବିତାର ପୃଷ୍ଠପୋଷକ ଗ୍ରୁପ୍ ଅଛନ୍ତି ଉଭୟ-ଲିଙ୍ଗି କବିଙ୍କ ଦଖଲରେ। ସ୍ତ୍ରୀ ଲିଙ୍ଗର ପାୱାର୍ ବେଶି। କବିତାରେ ବର୍ଷା ସାଙ୍ଗରେ ସାରୁଗଛ, ବେଙ୍ଗ, ଧଣ୍ଡସାପ, ଗେଣ୍ଡାଙ୍କ ରୋଲ୍ ପରିଲକ୍ଷିତ ହୁଏ।
ଶେଷରେ ଜଗନ୍ନାଥଙ୍କୁ ଧରି ବାହୁନିବା, ଭଜନ, ଜଣାଣ, କୀର୍ତ୍ତନ, ବ୍ରହ୍ମଜ୍ଞାନ। “ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା, ଅଠା କାଠି ପଞ୍ଜୁରୀରେ ନ ଦିଏ ଧରା।” ସମର୍ପଣ ଭାବର କବିତା । ଏହିପରି, କବିତାମାନଙ୍କୁ ବିଭାଜିତ କରି କମ୍ପ୍ୟୁଟରରେ ଚଢେଇ ଦେଇଛୁ ଭବିଷ୍ୟତ ପିଢିର ଦାୟାଦମାନଙ୍କ ପାଇଁ। ତେଣିକି ତାଙ୍କ ଇଛା ଓ କବିତାର କର୍ମଫଳ? ଓଡିଆ କବିତା କଣ ! ବିଶ୍ୱର କବିତାମାନେ ଏଇ ଫର୍ମାଟରେ ବଢିଚାଲିଛନ୍ତି ,ଗଡିଚାଲିଛନ୍ତି। ୱର୍ଡସଓର୍ଥଙ୍କ ଡାଫୋଡିଲ୍ସ ଆମର କାଶତଣ୍ଡି। ତାଙ୍କ ରୋଜ୍ ଆମ ଗୋଲାପ, ଚାଲିଛି ନା କେଉଁ କାଳରୁ ! ଭବିଷ୍ୟତ କିଏ ଦେଖିଛି? ହଁ ଛାଡିଦେଲୁ ,ପଲ୍ଲୀ କବି ନନ୍ଦକିଶୋର ବଳଙ୍କ ଠାରୁ ରାଧାକୃଷ୍ଣ ଭଞ୍ଜ ଯାଏ। “ସିନ୍ଦୁରା ଫାଟିଲା କାଉ ଡାକଦେଲା ପଡିଆସୁଥିଲା ଖରା ,ଗ୍ରାମ ସିମନ୍ତିନି ଜଳ ଆହରଣେ ଧରି ଯାଉଥିଲେ ଗରା, କୁଉଁ କୁଉଁ କୁଉଁ କେନ୍ଦରା ବାଜିଲା, ନାଥ ଗୀତ ଗାଏ ପରା।” ସାରୁ ଗଛ ମୁଳେ ବେଙ୍ଗ ବସି କହେ ଶୁଣ ଆଲୋ ବେଙ୍ଗରାଣୀ, କହିପାରିବୁକି ସାରୁ ପତରରେ ବରଷିଲା କେତେ ପାଣି?” ସଚି ରାଉତରାୟଙ୍କ “ଛୋଟମୋର ଗାଁ ଟି” ମଡେଲ। ସବୁ ଆମ ରିସର୍ଚ୍ଚ ଅନ୍ତର୍ଗତ। ବର୍ତ୍ତମାନ ସମୟରେ ଷ୍ଟୋରେଜ୍ ଫାସିଲିଟି ଅଭାବ, ଯାହା ରହିବ ଯାହା ପୋକ ଖାଇଯିବେ ?
ଆମ କହିବା କଥା, ସମସ୍ତେ କହନ୍ତି ଉପେନ୍ଦ୍ର ଭଞ୍ଜ , କେତେଟା ପଢିଛନ୍ତି? କାହାଘରେ ଖଣ୍ଡିଏ ବହି ଅଛି? ରମାକାନ୍ତ ରଥଙ୍କ ‘ଶ୍ରୀ ରାଧା’ କେତେଜଣ ଚିହ୍ନିଛନ୍ତି? ହର ପ୍ରସାଦ ଦାସଙ୍କୁ କେତେଜଣ ଦେଖିଛନ୍ତି? ଏଇଥିରୁ ବୁଝୁଥିବେ ଆମ କବିତା ଓ କବିଙ୍କ ଭବିଷ୍ୟତ।
ଚମତ୍କାର ବ୍ୟଙ୍ଗ। ଖଟା ମିଠା ଚୋକଲେଟ ଭଳି ସ୍ଵାଦିଷ୍ଟ ଲାଗିଲା। ଚକୋଲେଟ ଖାଇସାରିବା ପରେ ଖାଲି ଜିଭ ଟା ଚାଟି ଚାଟି ଖୋଜୁଥିଲା ଆଉଟିକେ ବ୍ୟଙ୍ଗ ପାଇଁ।