କିଛିଦିନ ତଳେ ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନରେ ଏକ ଆଲୋଚନା ସଭାରେ ଆମେ ଶ୍ରୋତା ଭାବରେ ଉପସ୍ଥିତ ରହିବାର ଅବସର ପାଇଥିଲୁ। ବିଷୟବସ୍ତୁଟି ଅବଶ୍ୟ ରୋଚକ ଥିଲା, ‘ଲେଖକ ବନ୍ୟା ଓ ପାଠକ ମରୁଡି’। ସାହିତ୍ୟ ଜଗତ ଯେ ଏବେ ବାସ୍ତବରେ ଏହି ଦାରୁଣ ସଙ୍କଟଟିର ସମ୍ମୁଖୀନ, ଏହା ଆମେ ଅସ୍ୱୀକାର କରିପାରିବା ନାହିଁ। ଆମ ଭାଷାରେ ପ୍ରତି ମାସରେ ଶହଶହ ବହି ପ୍ରକାଶିତ ହେଉଛି; ଅଥଚ ତଦନୁପାତରେ ପାଠକଙ୍କ ରୁଚି ଦୃଶ୍ୟମାନ ହେଉନାହିଁ। ଫଳରେ ସଦ୍ୟ ପ୍ରକାଶିତ ଅନେକ ବହି, ଏପରିକି ତନ୍ମଧ୍ୟରୁ କିଛି ଉଚ୍ଚମାନର ହୋଇଥିଲେ ସୁଦ୍ଧା, ଅବିକ୍ରୀ ହୋଇ ପଡ଼ିରହୁଛି।
କିଛି ବକ୍ତା ଏହି ପାଠକୀୟ ଅନାଗ୍ରହର ହେତୁ ଖୋଜିବାକୁ ଚେଷ୍ଟା କରିଥିଲେ ସେଦିନର ଆଲୋଚନା ସଭାରେ। ଏହି ସମସ୍ୟାର ମୂଳ ଖୋଜିବାକୁ ଯାଇ ଅନେକେ କିନ୍ତୁ ଅନ୍ଧାରରେ ବାଡି ବୁଲାଉଥିବା ଭଳି ପ୍ରତୀତ ହେଲା। ତେବେ ‘ସମ୍ବାଦ’ ଖବରକାଗଜର ଅନୁଭବୀ ସଂପାଦକ ଶ୍ରୀଯୁକ୍ତ ସୌମ୍ୟ ରଂଜନ ପଟ୍ଟନାୟକ ଯେତେବେଳେ ଏ ବିଷୟରେ ନିଜର ବକ୍ତବ୍ୟ ରଖିବା ଆରମ୍ଭ କଲେ, ସେତେବେଳେ ଆମେ ଲକ୍ଷ୍ୟ କଲୁ ଯେ ଆଲୋଚ୍ୟ ପ୍ରସଙ୍ଗଟିର ମଂଜଟିକୁ ସେ ଧରିପାରିଛନ୍ତି। ମୁଦ୍ରିତ ପୁସ୍ତକର ଆଦର ହ୍ରାସ ପାଉଥିବା ପଛରେ ଯେ ଏହାର ପ୍ରତିଦ୍ୱନ୍ଦ୍ୱୀ ‘ଡିଜିଟାଲ ମିଡ଼ିଆ’ର ପ୍ରମୁଖ ଭୂମିକା ଅଛି ଏହା ଆମେ ଭୁଲିଗଲେ ଚଳିବ ନାହିଁ। ସାହିତ୍ୟରେ ଚାଲିଥିବା କାଗଜ ଓ କାଳିର ପାରମ୍ପରିକ ମୁଦ୍ରିତ ମାଧ୍ୟମ, ତଥା ସ୍ମାର୍ଟ ଫୋନ୍ ଓ ଲ୍ୟାପ୍ଟପ ଆଦିର ଡିଜିଟାଲ ମାଧ୍ୟମ ମଧ୍ୟରେ ଏହି ଶୀତଳ ଯୁଦ୍ଧର ଗତି ଯେ କୁଆଡ଼େ ମୁହାଁଇଛି ତାହା ସହଜରେ ଅନୁମେୟ।
ଏପରି ସ୍ଥଳେ କି ବା ପନ୍ଥା ଅବଲମ୍ବନ କରିବ ସାହିତ୍ୟ? ଏହି ପ୍ରସଙ୍ଗରେ ବକ୍ତା ଶ୍ରୀଯୁକ୍ତ ପଟ୍ଟନାୟକ ପୂର୍ବକାଳରେ ପାରମ୍ପରିକ କ୍ୟାମେରା ପାଇଁ ଫଟୋଗ୍ରାଫିକ୍ ରିଲ୍ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ନେଇଥିବା କୋଡାକ୍ କମ୍ପାନୀର ଉଦାହରଣ ଦେଇଥିଲେ। କିନ୍ତୁ ଆଜି ଏହି କମ୍ପାନୀର ବ୍ୟବସାୟ ବିଲୁପ୍ତ ପ୍ରାୟ। କାରଣ ଏକଦା ଯେତେବେଳେ ଫଟୋଗ୍ରାଫିର ବଜାରରେ ଡିଜିଟାଲ କ୍ୟାମେରା ପ୍ରବେଶ କରିବା ଆରମ୍ଭ କଲା, ସେତେବେଳେ ଏହି ଟେକ୍ନୋଲୋଜିକୁ ଆୟତ୍ତ କରି ସେହି ଡିଜିଟାଲ ବଜାରରେ ସ୍ୱୟଂ ଭାଗନେବା ପାଇଁ କମ୍ପାନୀଟି ଯଥା ସମୟରେ ନିଜକୁ ପ୍ରସ୍ତୁତ କଲାନାହିଁ। ଏହାର ପରିଣାମ ଆଜି ଆମ ସମସ୍ତଙ୍କ ସମ୍ମୁଖରେ।
ଏହି ଉଦାହରଣଟି ଉଲ୍ଲେଖ କରି ଶ୍ରୀଯୁକ୍ତ ସୌମ୍ୟ ରଂଜନ ପଟ୍ଟନାୟକ ସେଦିନର ବକ୍ତବ୍ୟରେ ଏକ ସୁନିର୍ଦ୍ଦିଷ୍ଟ ଇଙ୍ଗିତ ମଧ୍ୟ ଦେଇଥିଲେ ଯେ ସାହିତ୍ୟ ଜଗତକୁ ସମୟ କ୍ରମେ ଡିଜିଟାଲ୍ ବିକଳ୍ପକୁ ଆପଣେଇବାକୁ ହିଁ ପଡ଼ିବ। ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, ‘ଇଫ୍ ୟୁ କ୍ୟାନ୍ ନଟ୍ ବିଟ୍ ଦେମ୍, ଜଏନ୍ ଦେମ୍। ‘ ବେଳ ଥାଉଁ ଆମକୁ ଏଥିପାଇଁ ନିଜକୁ ପ୍ରସ୍ତୁତ କରିବାର ସମୟ ଆସିଛି। ଏଥିରୁ ନିସ୍ତାର ନାହିଁ।
ଏହି ପ୍ରେକ୍ଷାପଟରେ ଆମର ଚଳିତ ସଂଖ୍ୟାରେ ଶ୍ରୀ ଅଜୟ ମହାଲା ପ୍ରସ୍ତୁତ କରିଛନ୍ତି ଏକ ପ୍ରଣିଧାନ ଯୋଗ୍ୟ ରଚନା, ‘ଓଡିଆ ସାହିତ୍ୟର ଅନଲାଇନ୍ ପ୍ଲାଟଫର୍ମ୍’। ସେ ଲେଖିଥିବା ତଥ୍ୟ ଅନୁସାରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଅନଲାଇନ୍ ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଥିବା ବିଭିନ୍ନ ଭାଷାର ପାଠକଙ୍କ ସଂଖ୍ୟା ତିନି କୋଟି ପାଖାପାଖି ଏବଂ ସେଥିରେ ୩,୭୦,୦୦୦ ଜଣ ଲେଖକ ମଧ୍ୟ ସେଥିରେ ନିଜର କୃତି ପ୍ରସ୍ତୁତ କରୁଛନ୍ତି। ଏହା ଜାଣିବା ପରେ ସାହିତ୍ୟ ବଜାରରେ ପାଠକ ମରୁଡି ପଡିଛି ବୋଲି ସ୍ୱୀକାର କରିବାକୁ ମନ ଦୋଦୋପାଞ୍ଚ ହେଉଛି। ଅବଶ୍ୟ ଏହି ଡିଜିଟାଲ ପ୍ଲାଟଫର୍ମର ମଧ୍ୟ ଯେ କେତେକ ନକାରାତ୍ମକ ଦିଗ ନାହିଁ ସେକଥା ଆମେ କହିପାରିବା ନାହିଁ!
ନିହାର ଶତପଥୀ
- ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର ୨୦୨୨ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ ।
ପିସିଓ ବନ୍ଦ ହୋଇଗଲା, ଟେଲିଗ୍ରାମ ବନ୍ଦ ହୋଇଗଲା କିନ୍ତୁ କମ୍ୟୁନିକେସନ ବହୁତ ବହୁତ ବଢିଯାଇଛି l କିଛି ସୀମିତ ଟାଇପ ରାଇଟର ଥିଲେ l ବର୍ତ୍ତମାନ ସମସ୍ତେ ଇଲେକ୍ଟ୍ରୋନିକ୍ସ ଟାଇପ ରାଇଟର l ମୋଵାଇଲ ଫୋନ ବହୁତ କିଛି କରିପାରୁଛି l ଉଦାହରଣ ଅନେକ ମାଗୁଣିର ଶଗଡ଼ ଠାରୁ ଆରମ୍ଭ କରି l
ଏରୋପ୍ଲେନ ସିଟ ପଛପଟେ ଓ଼ ଏଇରପୋର୍ଟ ଯାତ୍ରୀ ପ୍ରକୋଷ୍ଠରେ ଆଉ ଖବର କାଗଜ ରହୁନି l ସମସ୍ତେ ମୋଵାଇଲ କିମ୍ବା କମ୍ପୁଟରରେ ବ୍ୟସ୍ତ l
ଲୋକଙ୍କର ପଢିବା ଆଗ୍ରହ ବଢିଛି l ସାହିତ୍ୟର ପାଠକ ସଂଖ୍ୟା ମଧ୍ୟ ବଢୁଛି l ସାହିତ୍ୟର ଉପାଦାନ ଘୁର୍ଣ୍ଣୟମାନ l
ବହୁତ ଧନ୍ୟବାଦ ସମ୍ପାଦକୀୟ ପାଇଁ l