ଚିଡ଼ିଆଖାନାର ଚିତ୍ର

ନିଜ ଗଳ୍ପ ସଂକଳନଟିର ସ୍ୱରୂପକୁ ଲେଖକ ବୋଧହୁଏ ସ୍ୱୟଂ ହିଁ ପରିଭାଷିତ କରିଦେଇଛନ୍ତି ‘ବେତାଳ କଥା’ ଶୀର୍ଷକ ନିଜର ମୁଖବନ୍ଧଟିରେ: ‘ଖୁବ୍ ଛୋଟ କଥାଟିଏକୁ ଫେଣାଏ ଗୋଟେ ଗପ। ଥରେଥରେ ତ ମନେହେଇଛି, ଏଇ ଫେଣେଇବା ଇ ଏକମାତ୍ର ଗୋପନ ଇଚ୍ଛା କୌଣସି ସର୍ଜନାର।’ ଅନ୍ୟ ଭାଷାରେ କହିଲେ, ମଗ୍ ଭିତରର କଫିର ସ୍ୱାଦ ଅପେକ୍ଷା ତାହାର ଫନ୍ଦରେ ଭାସୁଥିବା ଫେଣକୁ ପରିବେଷଣ କରି ପାଠକକୁ କେମିତି ମସଗୁଲ୍ କରିହୁଏ ତାହାର ନିଦର୍ଶନ ଏହି ସଂକଳନଟି। ସେ ଦୃଷ୍ଟିରୁ ଏଇଟିକୁ ବରଂ ଏକ ଭିନ୍ନ ସ୍ୱାଦର ଗଳ୍ପ ସଂକଳନ ବୋଲି କହିବା ଅଧିକ ଯଥାର୍ଥ ହେବ।
ପୁସ୍ତକଟିରେ ସ୍ଥାନିତ ଏଗାରଟି ଯାକ ଗଳ୍ପର ବ୍ୟାପ୍ତି ବେଶ୍ ପ୍ରସାରିତ; କିନ୍ତୁ ସବୁଗୋଟିର ଅନ୍ତଃସ୍ୱର ସେହି ଗୋଟିଏ। ଜୀବନକୁ ନିରେଖିବାର ଓ ପରଖିବାର ଏକକ ଦୃଷ୍ଟିଭଙ୍ଗୀଟିଏ ଯେମିତି ବିସ୍ତରିଯାଇଛି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକଟି ଗଳ୍ପରେ। କେବଳ ଏକ ଭାବନାର ବନ୍ଧନ ନୁହେଁ, ସମସ୍ତ ଗଳ୍ପ ମଧ୍ୟ ଯେମିତି ଏକ କମନ୍ ପ୍ରୋଟାଗୋନିଷ୍ଟକୁ ନେଇ ଗଠିତ। ‘ମୁଁ’ (ଲେଖକ ନୁହଁ – ଗଳ୍ପର ଚରିତ୍ର ବା ‘ପର୍ସୋନା’) ଏବଂ ସେହି ‘ମୁଁ’ର ଧର୍ମପତ୍ନୀ ନନ୍ଦିତାଙ୍କୁ ଆମେ ଅଗ୍ରଣୀ ଭୂମିକାରେ ଭେଟୁ ପ୍ରତିଟି ଗଳ୍ପରେ। ଏହି ନନ୍ଦିତା ହିଁ ଯେମିତି ସକଳ ଗଳ୍ପକୁ ଯୋଡୁଥିବା ଏକ କମନ୍ ଥ୍ରେଡ୍।
ଏ ଦିଗରୁ ଦେଖିଲେ, ପୁସ୍ତକଟି ଗୋଟିଏ ଉପନ୍ୟାସ ନହେଲେ ବି କଥାକ୍ରମଗୁଡ଼ିକର ଗଢ଼ଣ ଶୈଳୀ ଉପନ୍ୟାସ ପ୍ରତିମ, ଯାହା ପ୍ରତ୍ୟକଟି ଅଧ୍ୟାୟରେ ଏକ ସ୍ୱୟଂସଂପୂର୍ଣ୍ଣ ଗଳ୍ପ ଭାବରେ ଉପସ୍ଥାପିତ। ତେବେ ଆମେ ଯଦି ଏଥିରେ ସେଇ ଧରାବନ୍ଧା ଘଟଣା ଓ ଅ-ଘଟଣାମାନଙ୍କୁ ନେଇ ନାଟକୀୟ ମୋଡ଼ ସଂପନ୍ନ କଥାବସ୍ତୁ ଖୋଜିବା ତେବେ ନିଶ୍ଚୟ ନିରାଶ ହେବା। କାରଣ ସଂପୂର୍ଣ୍ଣ ପ୍ରସ୍ତୁତିଟିକୁ ଗଳ୍ପ ଅପେକ୍ଷା ଏକ ଗଦ୍ୟରୂପି କବିତା ବୋଲି କହିବା ଅଧିକ ସମୀଚିନ ହେବ। ତେଣୁ ଯେଉଁମାନେ ସାରଶୂନ୍ୟ ଫେଣର ମାଦକତା ଉପଭୋଗ କରିବାପାଇଁ ପ୍ରସ୍ତୁତ ନୁହଁ ସେମାନେ ବରଂ ଏଥିରୁ ଦୂରେଇ ରହିପାରନ୍ତି।
ଦ୍ୱିତୀୟରେ, ଭାଷାବିନ୍ୟାସର ନିଆରାପଣର କଥା, ଯାହା ନ କହିଲେ ସଂକଳନଟିର ପରିଚୟ ଅଧୁରା ରହିଯିବ। ଏଥିରେ ସନ୍ନିବେଶିତ ପ୍ରତ୍ୟେକଟି ଗଳ୍ପର ପ୍ରତିଟି ଶବ୍ଦ ଜଣେ ସାଧାରଣ ମଣିଷର ଅନ୍ତରରୁ ଝରିଆସୁଥିବା ଅନ୍ତରଙ୍ଗ ଉଚ୍ଚାରଣ ମାତ୍ର। କୌଣସି କୃତ୍ରିମ ଭାଷା-ପାଣ୍ଡିତ୍ୟ ପ୍ରଦର୍ଶନର ପ୍ରବଣତାରୁ ଲେଖକ ଯୋଜନ ଯୋଜନ ଦୂରରେ। ଏଠି, ସେଠି, ସବୁଠି ଦିଶିଯାଏ କଥିତ ଭାଷାର ସ୍ଫୁରଣ। ଦୃଷ୍ଟାନ୍ତଟିଏ ଦେଖିବା :
‘ସକାଳ ଆହୁରି ହେଇନି। ସତେ ଯେମିତି, ସକାଳ ହେବା ଆଗରୁ କେହି ମରିପାରିବନାହିଁ। ବୁଢ଼ୀକୁ ଯୋଉ ଗପ ମୁଁ କହିଥିଲି, ତା ଥିଲା ମୋ ମା’ ବିଷୟରେ। ସେ କେମିତି ଦିନେ ସକାଳେ ଆମେ ଉଠିବା ପୂର୍ବରୁ ମରିଯାଇଥିଲା। କେଜାଣି ରାତିରେ ବି ମରିଯାଇଥାଇପାରେ। କିନ୍ତୁ ଆମେ କେହି ଜାଣି ନଥିଲୁ। ଗୋଟେ ଭୟଙ୍କର ଶବ୍ଦରେ ମୋ ନିଦ ଭାଙ୍ଗିଗଲା ପରେ, ମୁଁ ହିଁ ପ୍ରଥମେ ଦେଖିଥିଲି, ମା ଆଉ ନଥିଲା ଆମ ଭିତରେ।’
ପୁସ୍ତକଟିର ମୁଦ୍ରଣ ପରିପାଟି ତଥା ପୃଷ୍ଠାସଜ୍ଜା ସୁଦୃଶ୍ୟ ଓ ରୁଚି ସମ୍ପନ୍ନ। କଳେବରଟି ଯେମିତି ପାଠକକୁ ପ୍ରଲୁବ୍ଧ କରୁଛି ଦୁଇ ମଲାଟ ଭିତରରେ ଥିବା ରଚନାର ଆତ୍ମାକୁ ଛୁଇଁବାପାଇଁ। ସର୍ବୋପରି ଏକ ସାର୍ଥକ ସଂକଳନ।

ନିହାର ଶତପଥୀ

Leave a Reply

Your email address will not be published. Required fields are marked *