ଡ. ଶକୁନ୍ତଳା ବଳିଆରସିଂହଙ୍କ ସହ ଏକ ସାରସ୍ୱତ ବାର୍ତ୍ତାଳାପ

  • ଓଡିଶା ଜନନୀ କ’ଣ ଏତେ ଗରିବ ଯେ ତାଙ୍କର ସାହିତ୍ୟ ପଢିଥିବା ପୁଅଝିଅମାନଙ୍କୁ ରାସ୍ତାରେ ବସାଇଦେବେ?

ଡ. ଶକୁନ୍ତଳା ବଳିଆରସିଂହ ଓଡ଼ିଶାର ଜଣେ ସୁପରିଚିତ ବ୍ୟକ୍ତିତ୍ୱ। ଅନୁବାଦ, ଭ୍ରମଣ ସାହିତ୍ୟ ଓ ଉପନ୍ୟାସ ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି। ୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଏହି ସାରସ୍ୱତ ପ୍ରତିଭା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଦୀର୍ଘକାଳ ଅଧ୍ୟାପନା କରିବାପରେ ଭୁବନେଶ୍ୱର ସ୍ଥିତ ରାଜଧାନୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବରେ ଅବସର ଗ୍ରହଣ କରିଛନ୍ତି। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ରାଜ୍ୟ ସାହିତ୍ୟ ଏକାଡେମୀର ଅନୁବାଦ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ତାଙ୍କ ସହିତ ବିବିଧ ପ୍ରସଙ୍ଗରେ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସଂପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଅନୁବାଦ ସାହିତ୍ୟକୁ ଆପଣଙ୍କ ଅବଦାନ ବେଶ୍ ଉଲ୍ଲେଖନୀୟ। ସାହିତ୍ୟର ଏହି ଦିଗଟିକୁ କାହିଁକି ଅଧିକ ପ୍ରାଧାନ୍ୟ ଦେଲେ?
ଶକୁନ୍ତଳା ବଳିଆରସିଂହ: ଏହାର କାରଣ ହେଲା, ମୁଁ ଆଗରୁ ଅନୁବାଦ ବହି ଅନେକ ପଢାପଢି କରୁଥିଲି। ନବେ ଦଶକ ବେଳକୁ ଦେଖିଲି ଯେ ଆମ ପତ୍ରିକାଗୁଡିକର ପ୍ରଥମ ପୃଷ୍ଠାରେ ଜଣେ ଦୁଇଜଣଙ୍କ ଅନୁବାଦ ଗଳ୍ପ ବାହାରୁଥିଲା। ଆଉ ବିଶେଷ ଅନୁବାଦ ଲେଖା କିଛି ବାହାରୁ ନଥିଲା। ଏହାକୁ ଦ୍ୱିତୀୟ ଶ୍ରେଣୀର ସାହିତ୍ୟ ବୋଲି ବିଚାର କରାଯାଇଥିଲା। ଅନୁବାଦ ପତ୍ରିକା ବୋଲି କିଛିନଥିଲା।ଏଣୁ ସ୍ଥିର କଲି ଅନୁବାଦ କରିବି, ଏବଂ ଅନୁବାଦ ପତ୍ରିକାଟିଏ ବାହାର କରିବି।
ସାହିତ୍ୟ ଚର୍ଚ୍ଚା: ତେବେ ଅନୁବାଦ ଉପରେ ଆଧାରିତ ଗୋଟିଏ ପତ୍ରିକା ମଧ୍ୟ ଆପଣ ପ୍ରକାଶ କଲେ। ଏହା କ’ଣ ଏବେ ବି ଚାଲିଛି?
ଶକୁନ୍ତଳା ବଳିଆରସିଂହ: ଏହାର ନାମ ‘ଶତଭିଷା’। ଏହି ପତ୍ରିକାଟି ବିଷୟରେ ୯୫ ବେଳକୁ ଚିନ୍ତାକଲି; ଅବଶ୍ୟ ବାହାରୁ ବାହାରୁ ୯୭ ହୋଇଗଲା। ଏଇଟି ଏବେବି ଚାଲିଛି।
ସାହିତ୍ୟ ଚର୍ଚ୍ଚା: ‘ଶତଭିଷା’ କହିଲେ କ’ଣ ବୁଝାଏ?
ଶକୁନ୍ତଳା ବଳିଆରସିଂହ: ଏହା ଗୋଟିଏ ନକ୍ଷତ୍ରର ନାମ। ଅକ୍ଟୋବର ମାସରେ ଚନ୍ଦ୍ରଙ୍କ ପାଖରେ ଶତଭିଷା ନକ୍ଷତ୍ର ଉଦୟ ହୁଏ।
ସାହିତ୍ୟ ଚର୍ଚ୍ଚା: ଆମେ ଲକ୍ଷ୍ୟ କରୁ ଯେ ଅନୁବାଦ ପାଇଁ ପୁସ୍ତକ ଚୟନ କରିବାବେଳେ, ଆପଣ ମୁଖ୍ୟତଃ ପାଶ୍ଚାତ୍ୟ କ୍ଲାସିକ୍‌ଗୁଡିକୁ ପ୍ରାଧାନ୍ୟ ଦିଅନ୍ତି। ଯେମିତି ଦସ୍ତୋଭସ୍କିଙ୍କର ‘ଇଡିଅଟ୍‌’, ଜର୍ଜ ଅଋୱେଲଙ୍କର ‘ବର୍ମିଜ୍ ଡେଜ୍‌’ ଏବଂ ସାମୁଏଲ୍ ବେକେଟଙ୍କର ‘ୱେଟିଂ ଫର୍ ଗୋଡୋଟ୍‌’ ଆଦି। ଏଗୁଡିକ ବୋଧହୁଏ ଜଣେ ପାଠକ ହିସାବରେ ଆପଣଙ୍କୁ ଅଧିକ ପ୍ରଭାବିତ କରିଛି।
ଶକୁନ୍ତଳା ବଳିଆରସିଂହ: ହଁ, ମୁଁ ଯେହେତୁ ବହୁତ ଇଂରାଜୀ ଗପ ବହି ପଢୁଥିଲି, ଏଗୁଡିକ ଦ୍ୱାରା ଅନେକ ପ୍ରଭାବିତ ହୋଇଥିଲି। ଡ଼ସ୍ତୋଭସ୍କିଙ୍କ ଜୀବନ ଦର୍ଶନର ବିଶେଷ ପ୍ରଭାବ ପଡ଼ିଥିଲା ମୋ’ ଉପରେ। ସେଥିପାଇଁ ତାଙ୍କର ବହି ବେଶୀ ଅନୁବାଦ କରିଛି।
ସାହିତ୍ୟ ଚର୍ଚ୍ଚା: ଆପଣ ଦାନ୍ତେଙ୍କ ‘ଡିଭାଇନ୍ କମେଡି’ର ମଧ୍ୟ ଏକ ପ୍ରଭାବଶାଳୀ ଉପସ୍ଥାପନା କରିଛନ୍ତି, ଯାହାକି ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଛି। ବହିଟି ବିଷୟରେ ଆପଣ କିଛି ପାଠକୀୟ ପ୍ରତିକ୍ରିୟା ପାଇଛନ୍ତି କି?
ଶକୁନ୍ତଳା ବଳିଆରସିଂହ: ପାଠକଙ୍କ ପ୍ରତିକ୍ରିୟା ପାଇଛି। ମୋ ଘରେ ରଚନାଟି ଯେତେବେଳେ ଥିଲା, ତା’କୁ ପ୍ରଥମେ ଦେଖିଲେ ମହାପାତ୍ର ନୀଳମଣି ସାହୁ। ସେ କହିଲେ, “କଣ ‘ଡିଭାଇନ୍ କମେଡି’ର ଅନୁବାଦ କରୁଚୁ?” ମୁଁ ହଁ ଭରିବାରୁ ସେ କହିଲେ, “ଏହାକୁ ଛପାଇ ଦେଉନା!” ସେଇଟି ସଂଶୋଧନ କରିବାରେ ଆହୁରି ପାଞ୍ଚ ବର୍ଷ ବିତିଗଲା। ତା’ପରେ ଏକାଡେମୀ ତାହା ଛପାଇଲା। ଯେଉଁମାନେ ଏହା ପଢିଲେ, ପ୍ରତିକ୍ରିୟା ଦେଲେ ଯେ ଏହା ପଢିବାକୁ ଭଲ ଲାଗୁଛି।
ସାହିତ୍ୟ ଚର୍ଚ୍ଚା: ଆପଣ ଅନୁବାଦ ପାଇଁ ଯେଉଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ, ତାହା କିନ୍ତୁ ଏହି ବହିଟି ପାଇଁନଥିଲା।
ଶକୁନ୍ତଳା ବଳିଆରସିଂହ: ନା, ଓଡିଶା ସାହିତ୍ୟ ଏକାଡେମୀର ପୁରସ୍କାରଟି ପାଇଥିଲି ଭଗବତୀ ଚରଣ ବର୍ମାଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକର ଅନୁବାଦ ପାଇଁ। ‘ଡିଭାଇନ୍ କମେଡି’ ପାଇଁ ମୁଁ ଏହା ପାଇପାରି ନଥାନ୍ତି। କାରଣ ଇଂରାଜୀରୁ ଓଡ଼ିଆରେ ଅନୁବାଦ କଲେ ଏକାଡେମୀ ପୁରସ୍କାର ପାଇଁ ତାହା ମାନ୍ୟ ହୁଏନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ ଓଡ଼ିଆ ଭାଷାରେ ଉଚ୍ଚକୋଟୀର ଅନୁବାଦର ଅଭାବ ଅନୁଭବ କରିବା ପରେ ଏହି କ୍ଷେତ୍ରକୁ ଆସିଲେ। ଆପଣଙ୍କର କ’ଣ ମନେ ହୁଏନାହିଁ ଯେ ଅନ୍ୟ ଭାଷାର ପୁସ୍ତକ ଓଡ଼ିଆରେ ଅନୁବାଦ ହେବା ତ ଗୋଟିଏ କଥା; କିନ୍ତୁ ସେହିଭଳି ଆମ ଓଡ଼ିଆ ଭାଷାର ପୁସ୍ତକ ମଧ୍ୟ ଅନ୍ୟ ଭାଷାଭାଷୀଙ୍କ ପାଖରେ ପହଂଚିବା ଆବଶ୍ୟକ !
ଶକୁନ୍ତଳା ବଳିଆରସିଂହ: ଏକଥା ମୋ ମନକୁ ଅନେକ ବାର ଆସିଛି, ଏବଂ ଏକଥା ମୋର ‘ଶତଭିଷା’ର ସଂପାଦକୀୟରେ ମଧ୍ୟ ବହୁଥର ଲେଖିଛି। ଯେମିତି, ବଂଗଳାରୁ ଓଡ଼ିଆରେ ଶହଶହ ବହି ଓଡ଼ିଆରେ ଅନୁବାଦ ହେବା ବେଳକୁ, ସେହି ସମୟରେ ଓଡ଼ିଆରୁ ବଂଗଳାକୁ ହୋଇଛି ମାତ୍ର ଗୋଟିଏ।

ସାହିତ୍ୟ ଚର୍ଚ୍ଚା: ଜଣେ କୃତବିଦ୍ୟ ଅନୁବାଦକ ହେବା ବ୍ୟତିରେକେ, ଆପଣ ମଧ୍ୟ ଜଣେ ପୋଖତ ସମାଲୋଚକ ଓ ପ୍ରାବନ୍ଧିକ। ଆପଣଙ୍କ ପି.ଏଚ୍‌.ଡିରେ ଗବେଷଣାର ବିଷୟ, ‘ଓଡ଼ିଆ ସାହିତ୍ୟରେ ଜାତୀୟ ଚେତନା’, ଏଥିପାଇଁ ଆପଣଙ୍କୁ ପ୍ରେରିତ କରିଛି କି?
ଶକୁନ୍ତଳା ବଳିଆରସିଂହ: ଆଜ୍ଞା, ପ୍ରବନ୍ଧ ତ ମୋ’ର ପ୍ରାଣର ଧନ। ଜାତୀୟ ଚେତନା ମୋତେ ଅଧିକ ଉଦବୁଦ୍ଧ କରିଛି। ଏହା ଉତ୍କଳ ବିଶ୍ୱବିଦ୍ୟାଳୟର ୨୭ ନମ୍ବର ଥେସିସ୍ ଯାହା ସାରିବାକୁ ମୋତେ ଦଶବର୍ଷ ଲାଗିଥିଲା। ମୋ’ର ଗାଇଡ଼୍ ଥିଲେ ସ୍ୱର୍ଗତ ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)। ଏହା ଗ୍ରନ୍ଥ ମନ୍ଦିର ଦ୍ୱାରା ପ୍ରକାଶିତ ହୋଇଛି।
ସାହିତ୍ୟ ଚର୍ଚ୍ଚା: ଜାତୀୟବାଦୀ ଚେତନା ପ୍ରତି ଆପଣଙ୍କ ଏହି ଆକର୍ଷଣର ମୂଳ ହେତୁ କ’ଣ?
ଶକୁନ୍ତଳା ବଳିଆରସିଂହ: ମୁଁ ତ ସେହି ପରିବେଶରେ ବଢିଛି। ବାପା ସ୍ୱାଧୀନତା ସଂଗ୍ରାମୀ ଥିଲେ। ଧଳା-ଗୋରା, ଉଚ୍ଚ-ନୀଚ, ମୂର୍ଖ-ପଣ୍ଡିତ – ଏହି ବିଭାଜନ ସମାଜକୁ ଖାଇଯାଏ। ଏହା ମୁଁ ବାପା ଓ ବୋଉଙ୍କଠାରୁ ଶିଖିଛି।
ସାହିତ୍ୟ ଚର୍ଚ୍ଚା: ଆମ ଓଡ଼ିଆ ଭାଷାର ଭାଷାତାତ୍ତ୍ୱିକ ଅଧ୍ୟୟନରେ ମଧ୍ୟ ଆପଣଙ୍କ ରୁଚି ଦେଖି୍ବାକୁ ମିଳେ। ଏ ବିଷୟରେ ଆପଣଙ୍କର କିଛି ପ୍ରବନ୍ଧ ପ୍ରକାଶିତ। ଆପଣଙ୍କର ‘ମୋ ମାତୃଭାଷା ଓଡ଼ିଆ’ ମଧ୍ୟ ଏ ବିଷୟରେ ଏକ ପ୍ରାମାଣିକ ବହି। ଏହି ଦିଗଟି ପ୍ରତି ଆପଣ କେମିତି ଆକର୍ଷିତ ହେଲେ?
ଶକୁନ୍ତଳା ବଳିଆରସିଂହ: ଭାଷା-ଭିତ୍ତିକ ପ୍ରବନ୍ଧ ଲେଖିବାକୁ ମୁଁ ପ୍ରରୋଚିତ ହେଲି, ୨୦୧୪ରେ ଯେତେବେଳେ ଆମର ଭାଷା ଓଡିଆ ଏକ କ୍ଲାସିକାଲ୍ ଭାଷା ଭାବରେ ଘୋଷିତ ହେଲା। ସେତେବେଳେ କିନ୍ତୁ ବହୁତ ପାଟିତୁଣ୍ଡ ହେଲା। ମୁଁ ଏ ବିଷୟରେ ବହିସବୁ ଆଣି ପଢାପଢି କଲି। ଏମିତିରେ ତ ମୁଁ ଓଡ଼ିଆର ଛାତ୍ରୀ। ଏଣୁ ଏହାର ଅଧ୍ୟୟନରେ କିଛି ଅସୁବିଧା ହେଲାନାହିଁ। ସିଦ୍ଧାଚାର୍ଯ୍ୟମାନଙ୍କ ପ୍ରବନ୍ଧ ଓ ପୁସ୍ତକସବୁ ପଢିଲି। ଶ୍ରୀଯୁକ୍ତ କୀର୍ତ୍ତନ ପାଢ଼ୀ ଓ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଲେଖା ଏଥିରେ ମୋତେ ବିଶେଷ ସାହାଯ୍ୟ କଲା। ମୁଁ ଦେଖିଲି ଯେ ଭାଷା ଉପରେ ସେମାନେ ବହୁତ ବଡ଼ବଡ଼ ବହି ଲେଖିଛନ୍ତି। ଭାବିଲି, କିନ୍ତୁ ଛୋଟଛୋଟ ପ୍ରବନ୍ଧ ଲେଖି ତାହା ଲୋକଙ୍କ ମୁଣ୍ଡରେ ନ ପୂରାଇଲେ ହେବ ନାହିଁ।
ସାହିତ୍ୟ ଚର୍ଚ୍ଚା: ଏଭଳି ଏକ ସାଧୁ ଉଦ୍ୟମର ବଶବର୍ତ୍ତୀ ହୋଇ ଆପଣ ତେବେ ଲେଖିଲେ ପ୍ରବନ୍ଧଗୁଡିକ।
ଶକୁନ୍ତଳା ବଳିଆରସିଂହ: ମୋ ମନରେ ଆଉ ଗୋଟିଏ କଥା ଅଛି ଆଜ୍ଞା। ରବୀନ୍ଦ୍ରନାଥ ଠାକୁରଙ୍କୁ, ଯାହା କୁହନ୍ତୁ ପଛେ, ବଙ୍ଗଳୀମାନେ ବଞ୍ଚାଇ ରଖିଛନ୍ତି, ରବୀନ୍ଦ୍ର ସଂଗୀତ ମାଧ୍ୟମରେ। ଉପେନ୍ଦ୍ର ଭଞ୍ଜଙ୍କର ଛାନ୍ଦ ଓ ଚମ୍ପୂ ପୃଥିବୀରେ ଅଦ୍ୱିତୀୟ। ଏସବୁ ତ ରାଗ ଭିତ୍ତିକ, ଘରେଘରେ କାହିଁକି ଗାୟନ କରାଯାଉନାହିଁ! ମୁଁ ତ ଭାବିଛି ଯେ ଉପେନ୍ଦ୍ର ଭଞ୍ଜଙ୍କର ଯେତେ ଛାନ୍ଦ ଓ ଚଉପଦୀ ଅଛି ସେସବୁ ଏକାଠି କରି ବହି ଆକାରରେ ଚାରିଆଡ଼େ ବାଣ୍ଟିବି।
ସାହିତ୍ୟ ଚର୍ଚ୍ଚା: ଆପଣ ମଧ୍ୟ ଦୁଇମାସ ତଳେ ଆମ ପତ୍ରିକାରେ ଗୋଟିଏ ପ୍ରବନ୍ଧ ଲେଖିଥିଲେ, ‘ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଓ ଅନୁବାଦ’ ଉପରେ। ସେଥିରେ ଆପଣ ଏକ ଆବେଗପୂର୍ଣ କଥା କହିଛନ୍ତି, “କି ଉତ୍ତରାଧିକାରୀ ଆମେ, ଯଦି ଆମେ ନିଜ ଭୂମି ଓ ନିଜ ଭାଷାକୁ ଭଲକରି ଦେଖିନାହେଁ, କି ଚିହ୍ନିନାହେଁ।” ଏ ବିଷୟରେ ଆପଣଙ୍କର କ’ଣ ମନେହୁଏ ଯେ ପ୍ରକୃତରେ ଆମ ଓଡ଼ିଆଙ୍କର ଭାଷାପ୍ରେମ ନାହିଁ?
ଶକୁନ୍ତଳା ବଳିଆରସିଂହ: ଆମକୁ ଓଡ଼ିଆ ଭାଷାରେ କଥା କହିବାକୁ ଲାଜ ଲାଗୁଛି, ଓଡିଆ ବୋଲି ପରିଚୟ ଦେବାରେ ଲାଜ ଲାଗୁଛି। ଏହି କଥାଟିକୁ ମୁଁ ନିଜକୁ ନିଜେ ବି ପ୍ରଶ୍ନ କରି ଦେଖୁଛି, ଆମେ କି ଓଡ଼ିଆ, ଆମେ କି ଉତ୍ତରାଧିକାରୀ! ଏ ଆକ୍ଷେପ ତ ମୋ ନିଜ ପ୍ରତି। ଅନ୍ୟମାନଙ୍କୁ କହିବାର ଅଧିକାର ମୋ’ର କୁଆଡୁ ଆସିଲା? ସବୁ ଛାତ୍ରଙ୍କର ଆମ ଓଡ଼ିଆ ସଂସ୍କୃତି ବିଷୟରେ ମଧ୍ୟ କିଛି ଜ୍ଞାନ ରହିବା ଦରକାର। ଭାଷା ଓ ସଂସ୍କୃତି ପରସ୍ପର ଜଡିତ।
ସାହିତ୍ୟ ଚର୍ଚ୍ଚା: ହଁ, ଗତକାଲି ଆମେ ଏକ ୱେବିନାରରେ ଜଣେ ବିଶିଷ୍ଟ ଭାଷାତତ୍ୱବିତ୍ ଓ ପ୍ରଫେସର କହୁଥିବାର ଶୁଣିଲୁ ଯେ, ଭାଷା ଓ ସଂସ୍କୃତି ହେଉଛି ଏକ ଓ ଅଭିନ୍ନ। ଆପଣ ମଧ୍ୟ କହିବାର କଥା ଯେ ଓଡ଼ିଆ ଭାଷାର ଛାତ୍ରମାନେ ଓଡ଼ିଆ ସଂସ୍କୃତି ବିଷୟରେ ସଚେତନ ରହିବା ଆବଶ୍ୟକ।
ଶକୁନ୍ତଳା ବଳିଆରସିଂହ: କେବଳ ଓଡ଼ିଆ ଭାଷାର କାହିଁକି, ସମସ୍ତ ବିଭାଗର ଛାତ୍ର ଏହା ଜାଣିବା ଆବଶ୍ୟକ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଅନର୍ସ ଓ ଓଡ଼ିଆ ଏମ୍‌.ଏରେ ନାମ ଲେଖାଇବା ପାଇଁ ମେଧାବୀ ଛାତ୍ରମାନେ ଆଗ୍ରହ ଦେଖାଉନାହାନ୍ତି। ଏହି ବିଭାଗର ଜଣେ ଅଧ୍ୟାପିକା ଭାବରେ, ଏହାର କାରଣ କ’ଣ ହୋଇପାରେ ବୋଲି ଆପଣ ମନେକରନ୍ତି?
ଶକୁନ୍ତଳା ବଳିଆରସିଂହ: ସେମାନେ ଭାବୁଛନ୍ତି ଯେ ଓଡ଼ିଆ ପଢିଲେ ପଇସା ରୋଜଗାର କରିହେବନାହିଁ। ଏବେ ସବୁତ ପଇସା ଭିତ୍ତିକ ହୋଇଗଲା ନା! କିନ୍ତୁ ସେମାନେ ଭାବିବା କଥା ଯେ ଓଡିଶା ଜନନୀ କ’ଣ ଏତେ ଗରିବ ଯେ ତାଙ୍କର ସାହିତ୍ୟ ପଢିଥିବା ପୁଅଝିଅମାନଙ୍କୁ ରାସ୍ତାରେ ବସାଇଦେବେ? ଅନେକ ଓଡ଼ିଆ ଅଧ୍ୟାପକ ଓ ଅଧ୍ୟାପିକା ଚାକିରୀ ପାଇସାରିଛନ୍ତି। ଅନ୍ୟ ଭାଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରମାନେ ବରଂ ବୁଲୁଛନ୍ତି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ , ୨୦୨୨ ସଂଖ୍ୟାରେ ପ୍ରକାଶିତ । )

Leave a Reply

Your email address will not be published. Required fields are marked *