ଲେଖକ ପରିଚୟ

ଆମେ ଜାଣୁ ଯେ ପ୍ରତ୍ୟେକ ସାହିତ୍ୟଧର୍ମୀ ରଚନାଟିଏର ପଛରେ ଥାଆନ୍ତି ଜଣେ ବିନ୍ଧାଣି, ଯାହାଙ୍କୁ ଆମେ କବି ବା ଲେଖକ ଭାବରେ ଅଭିହିତ କରୁ। ସ୍ରଷ୍ଟା ବିନା ସୃଷ୍ଟିର ରୂପାୟନ ଅସମ୍ଭବ। ପ୍ରତିଟି ସୃଷ୍ଟିର ଅନ୍ତରାଳରେ ଝଲସୁଥାଏ ତାହାର ସ୍ରଷ୍ଟିକର୍ତ୍ତାଙ୍କର ଦୃଷ୍ଟିଭଙ୍ଗୀ ଓ ଶୈଳୀ। କିନ୍ତୁ ଆମକୁ ସ୍ବୀକାର କରିବାକୁ ପଡିବ ଯେ, ସେ କବିତା ହେଉ, ଗଳ୍ପ ବା ଉପନ୍ୟାସ – ଏ ସମସ୍ତକୁ ସେମାନଙ୍କର ରଚନାକାରମାନଙ୍କ ବ୍ୟକ୍ତିତ୍ବ ଅବା ପୃଷ୍ଠଭୂମିର ଆଧାରରେ ବିଚାର କରିବାକୁ ଗଲେ ଆମେ ସେଥିପ୍ରତି ଯଥାର୍ଥ ନ୍ୟାୟ କରିପାରିବାନାହିଁ। ପ୍ରତ୍ୟେକ ରଚନାର ଏକ ସୁନିର୍ଦ୍ଦିଷ୍ଟ ଓ ସ୍ବାଧୀନ ସତ୍ତା ରହିଛି ଯାହାକୁ ସେହି ସୃଜନକାରୀ ସ୍ରଷ୍ଟାଙ୍କର ବ୍ୟକ୍ତିଗତ ଜୀବନ ସହ ଯୋଡି ହେବନାହିଁ।
ଆମେ ଏହି ପ୍ରସଙ୍ଗର ଅବତାରଣା କରିବାର ହେତୁ ହେଲା ଯେ ଆଜିକାଲି ଗୋଟିଏ ଲେଖା ବା ବହି ପଢ଼ିବା ପୂର୍ବରୁ ସେଇଟିର ଲେଖକଙ୍କ ବୃତ୍ତି, ପ୍ରବୃତ୍ତି ଓ ଅତୀତ ବିଷୟରେ ଉପଳବ୍ଧ ସୂଚନାର ଆଧାରରେ ଆମେ ତାହାର ଏକ ପୂର୍ବକଳ୍ପିତ ମୂଲ୍ୟାୟନ କରିନେଉ, ଯାହା ଫଳରେ ଆମ ଅବଚେତନରେ ଲେଖାଠାରୁ ଲେଖକର ପରିଚିତି ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଯାଏ। ଏହା କେତେକ ସ୍ଥଳେ ଆମ ମନରେ ଲେଖାଟି ପ୍ରତି ଏକ ପକ୍ଷପାତ ପୂର୍ଣ୍ଣ ଧାରଣା ଜନ୍ମାଇଦିଏ, ଯାହା, ଅନେକ କ୍ଷେତ୍ରରେ, ପରେ ନିରାଧାର ବୋଲି ସାବ୍ୟସ୍ତ ହୁଏ। ଉଦାହରଣ ସ୍ବରୂପ ପତ୍ରିକାଟିଏରେ ଗୋଟିଏ କବିତା ସହିତ ସ୍ଥାନ ପାଇଥିବା କବି-ପରିଚୟରେ ଯଦି ଆମେ ପଢୁ ଯେ କବି ଜଣକ ଉଚ୍ଚ ଡିଗ୍ରୀଧାରୀ ହେବା ସହିତ ଶାସନ କଳର ଶୀର୍ଷ ସୋପାନରେ ଅଧିଷ୍ଠିତ ଜଣେ ବରିଷ୍ଠ ଅଧିକାରୀ, ଯାହାଙ୍କର ବହୁ ସଂଖ୍ୟକ ପୁସ୍ତକ ପ୍ରକାଶିତ ଏବଂ ଯେ ଗଣ୍ଡାଏ ପ୍ରାୟ ମର୍ଯ୍ୟାଦାଜନକ ପୁରସ୍କାରରେ ସମ୍ମାନିତ, ସେତେବେଳେ ସ୍ବାଭାବିକ ଭାବରେ ଆମେ ପଢିବାକୁ ଯାଉଥିବା କବିତାଟି ସଂପର୍କରେ ପୂର୍ବରୁ ହିଁ ଏକ ଉଚ୍ଚତର ଧାରଣା ପୋଷଣ କରିନେଉ। ଅଥଚ କଲେଜର ଦୁଆର ମାଡି ନଥିବା ନିପଟ ଗ୍ରାମାଞ୍ଚଳର ଅନାମଧେୟ ଜଣେ କବିଙ୍କର ତାହାଠାରୁ ବଳି ଅଧିକ ମାନ ସଂପନ୍ନ ରଚନାଟିଏ ଯଦି ଥାଏ, ତେବେ ତାହା ଆମ ଆଖିରେ ନ୍ୟୂନ ଭାବରେ ପ୍ରତୀତ ହୁଏ।
କଥା ହେଲା, ଲେଖାଟିଏକୁ ବୁଝିବା ବା ତାହାର ରସାସ୍ବାଦନ ପାଇଁ ଲେଖକ ପରିଚୟର କିଛି ଆବଶ୍ୟକତା ଅଛି କି? ସମୟ ଆସିଛି, ଆମକୁ ଏହାର ଅସାରତା ସ୍ବୀକାର କରିନେବାକୁ ପଡିବ। କେବଳ ଲେଖକୀୟ ପୃଷ୍ଡଭୂମି ଆଧାରରେ ଲେଖାର ବିଚାର ହୁଏତ ତାହାପାଇଁ ସାମୟିକ ସ୍ବୀକୃତି ଆଣିଦେଇପାରେ, ମାତ୍ର ଏଭଳି ସ୍ବୀକୃତି ଚିରସ୍ଥାୟୀ ନୁହେଁ। କାଳର କରାଳ ଗତିରେ ଏହା ବଦଳିଯାଏ ଏବଂ ସମୟର କଷଟି ପଥରରେ କେବଳ ସେହି ରଚନାଗୁଡିକ କାଳଜୟୀ ହୁଅନ୍ତି ଯେଉଁଥିରେ ଲେଖାର ମୌଳିକ ଉତ୍କର୍ଷ ମହଜୁଦ ଥାଏ, ଲେଖକର ବ୍ୟକ୍ତିତ୍ବର ପୃଷ୍ଠଭୂମି ଯାହା ହୋଇଥାଉନା କାହିଁକି। ଏଣୁ ସର୍ଜନାକାରଙ୍କ ଶିକ୍ଷାଗତ ଯୋଗ୍ୟତା, ବୃତ୍ତି ଓ ସ୍ଥିତି ସହିତ କୌଣସି ସାହିତ୍ୟର ମାନ ନିର୍ଦ୍ଧାରଣକୁ କୌଣସିମତେ ଯୋଡାଯିବା ଉଚିତ ନୁହେଁ। ଏହା ହୋଇଥିଲେ ଆଜି ସ୍ବଭାବକବି ଗଙ୍ଗାଧର ମେହେର, ଗଣକବି ବୈଷ୍ଣବ ପାଣି ଓ ସନ୍ଥକବି ଭୀମଭୋଇଙ୍କ ଭଳି ଜ୍ୟୋତିଷ୍କମାନ ଆମ ସାହିତ୍ୟ ଗଗନରେ ଜାଜ୍ବଲ୍ୟମାନ ହୋଇ ରହିନଥା’ନ୍ତେ।
ଗତ ଶତାବ୍ଦୀର ମଧ୍ୟଭାଗରେ ଇଂରାଜୀ ସାହିତ୍ୟରେ ମଧ୍ୟ ଏଭଳି କିଛି ପ୍ରଶ୍ନକୁ ନେଇ ‘ନିଉ କ୍ରିଟିସିଜମ୍’ ନାମକ ଏକ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସେତେବେଳେ ସମାଲୋଚନମାନେ କହିବା ଆରମ୍ଭ କଲେ ଯେ ଗୋଟିଏ ଲେଖାର ବିବେଚନା କରିବାବେଳେ ସଂପୃକ୍ତ ଲେଖକଙ୍କ ବ୍ୟକ୍ତିଗତ ଜୀବନର କୌଣସି ଦିଗ ବିଚାରକୁ ନିଆଯିବାର ଔଚିତ୍ୟ ନାହିଁ।
ଏଣୁ ଆମର କହିବାର କଥା ଯେ ପାଠକଙ୍କ ପାଇଁ ଲେଖା ହିଁ ହେଉ ଲେଖକର ପରିଚୟ, ଏବଂ ଲେଖା ଭିନ୍ନ ଆଉକିଛି ନୁହେଁ।

  • ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ , ୨୦୨୨ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ। )

2 thoughts on “ଲେଖକ ପରିଚୟ

  1. ପତ୍ରିକାରେ ଲେଖକ ପରିଚୟ ଛାପିବାର ଆବଶ୍ୟକତା ନାହିଁ । କେବଳ ନାମ ଓ ଠିକଣା ଯଥେଷ୍ଟ ।

  2. ଅଜସ୍ର ଅଭିନନ୍ଦନ ସମ୍ମାନନୀୟ ସମ୍ପାଦକ ତଥା ସାହିତ୍ୟି ଚର୍ଚ୍ଚା ର ସ୍ରଷ୍ଟା ।ଚମତ୍କାର ଆଲେଖ୍ୟ ସହ ନିଛକ୍ ସତ୍ୟ ର ଅବତାରଣା ।ମାଲକାନଗିରି ମାଟି ରୁ ପ୍ରଣାମ ଓ କୃତଜ୍ଞତା ଜ୍ଞାପନ କରୁଛି ସ୍ରଷ୍ଟା ।ବଂଦେ ଉତ୍କଳ ଜନନୀ 🙏

Leave a Reply

Your email address will not be published. Required fields are marked *