ପ୍ରକାଶନର ସମସ୍ୟା ଓ ଆମ ସାହିତ୍ୟ

  • ସାହିତ୍ୟର ସୁରକ୍ଷା ପାଇଁ ପୁସ୍ତକ ପ୍ରକାଶନ ଶିଳ୍ପର ଶୃଙ୍ଖଳିତ ଓ ସଙ୍ଗଠିତ ଢାଞ୍ଚା ଆବଶ୍ୟକ।
ସୌମେନ୍ଦ୍ର ଜେନା

ସାହିତ୍ୟର ସମୃଦ୍ଧିରେ ସଂସ୍କୃତିର ବିକାଶ ହୋଇଥାଏ। ଯେଉଁ ଭାଷାର ସାହିତ୍ୟ ଯେତେ ଉନ୍ନତ ସେହି ଭାଷାର ସାହିତ୍ୟ ପ୍ରକାଶନ ସେତେ ଅଧିକ ସମୃଦ୍ଧ ହୋଇଥାଏ ବୋଲି ସାଧାରଣରେ ଧାରଣା ରହିଆସିଛି। ଏକଥା ସତ ଯେ ସାହିତ୍ୟର ବିକାଶରେ ଭାଷାର ବିକାଶ ହୋଇଥାଏ। ସାହିତ୍ୟରେ ଯେଉଁ ପରୀକ୍ଷା ନିରୀକ୍ଷା ହୁଏ ତାହା ଭାଷାର ଶବ୍ଦ ସମ୍ଭାରକୁ ସମୃଦ୍ଧ କରେ। ସାହିତ୍ୟ ମାଧ୍ୟମ ଦେଇ ଅନେକ ନୂତନ ଶବ୍ଦ ଭାଷାର ଶବ୍ଦ ଭଣ୍ଡାରକୁ ଆସିବାର ସୁଯୋଗ ପାଏ। କିନ୍ତୁ ସାହିତ୍ୟର ପ୍ରସାର ପାଇଁ ଆବଶ୍ୟକ ସୁଦୃଢ ପ୍ରକାଶନର ଢାଞ୍ଚା ଯଦି ନ ରହେ ତେବେ ସାହିତ୍ୟ ଭଲ ଲେଖା ହେଲେ ବି ଲୋକଲୋଚନକୁ ଆସିବାର ସୁଯୋଗ ପାଇପାରେନାହିଁ। ତେଣୁ ସାହିତ୍ୟର ସୁରକ୍ଷା ପାଇଁ ପୁସ୍ତକ ପ୍ରକାଶନ ଶିଳ୍ପର ଶୃଙ୍ଖଳିତ ଓ ସଙ୍ଗଠିତ ଢାଞ୍ଚା ଆବଶ୍ୟକ, ଯେଉଁଠି ଲେଖକର ସୁରକ୍ଷା ସହ ବ୍ୟବସାୟର ସୁରକ୍ଷା କରାଯାଇପାରିବ। ଏହି ପ୍ରକାଶନ ଶିଳ୍ପ ଯେତେ ଅଧିକ ସୁଦୃଢ ହେବ ସେତେ ଅଧିକ ରୋଜଗାର ସୃଷ୍ଟି କରିବ, ସମାଜକୁ ଅର୍ଥ ପ୍ରଦାନ କରିବ। ବ୍ୟବସ୍ଥିତ ପୁସ୍ତକ ବ୍ୟବସାୟର ବିତରଣ ଢାଞ୍ଚା ତଳସ୍ତର ପର୍ଯ୍ୟନ୍ତ ପହଂଚି ପାରିଲେ ପ୍ରକାଶିତ ପୁସ୍ତକ ପାଠକମାନଙ୍କ ହାତରେ ଦେବା ସହଜ ହେବ। ଅନ୍ୟ ଭାଷାରେ କହିଲେ ପାଠକମାନେ ନିଜ ଅଞ୍ଚଳରେ ନିଜ ଆଗ୍ରହର ପୁସ୍ତକ ପାଇପାରିବେ। ଆଜି ସାହିତ୍ୟ କହିଲେ କେବଳ ଗଳ୍ପ, କବିତା, ପ୍ରବନ୍ଧ କିମ୍ବା ଶିଶୁ ସାହିତ୍ୟ ମଧ୍ୟରେ ସୀମିତ ହୋଇ ରହିନାହିଁ, ଏହା ବିବିଧ କ୍ଷେତ୍ରକୁ ପ୍ରସାରିତ ହୋଇଛି, ବିବିଧ ବିଦ୍ୟାକୁ ନିଜ ମଧ୍ୟରେ ସ୍ଥାନ ଦେଇଛି। ଯେମିତି ରହସ୍ୟ ରୋମାଞ୍ଚ, ବିଜ୍ଞାନ, ସ୍ୱାସ୍ଥ୍ୟ, କ୍ରୀଡ଼ା, ପ୍ରତିରକ୍ଷା, ବାଣିଜ୍ୟ ଆଦି ଭିନ୍ନ ଭିନ୍ନ କ୍ଷେତ୍ରକୁ ମଧ୍ୟ ସାହିତ୍ୟ ପ୍ରସାରିତ ହୋଇଛି। ଏନିଡ୍ ବ୍ଲିଟନଙ୍କ ରହସ୍ୟ ରୋମାଞ୍ଚଭରା କିଶୋର ଉପନ୍ୟାସଗୁଡିକ ପୃଥିବୀର ବହୁ ରାଷ୍ଟ୍ରରେ ଭିନ୍ନ ଭିନ୍ନ ସ୍ଥାନୀୟ ଭାଷାର ପାଠକବର୍ଗକୁ ନିଜର କରିପାରିଛି। ସେମିତି ବିଜ୍ଞାନ ସାହିତ୍ୟର ଗୋଟିଏ ଗୋଟିଏ ପୁସ୍ତକ ପୃଥିବୀବାସୀଙ୍କ ମୂଳଧାରଣାକୁ ବଦଳାଇଦେବା ଲାଗି ସକ୍ଷମ ହୋଇଛି। ଏହି ପରିପ୍ରେକ୍ଷୀରେ ଯଦି ଆମେ ଓଡିଆ ସାହିତ୍ୟର ପ୍ରକାଶନ କ୍ଷେତ୍ରକୁ ବିଚାରକୁ ଆଣିବା ତେବେ ଅନେକ କାର୍ଯ୍ୟ ହେବା ଅପେକ୍ଷାରେ ରହିଥିବା ଆମର ଦୃଷ୍ଟିକୁ ଆସିବ। ଓଡ଼ିଆ ଭାଷା-ସାହିତ୍ୟର ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ଏବଂ ତା’ର ସମାଧାନ ପାଇଁ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କ ସମ୍ପର୍କରେ ଏଠାରେ ସଂକ୍ଷେପରେ ଆଲୋଚନା କରାଯାଇପାରେ।

ପ୍ରକାଶକ
ଓଡ଼ିଶାରେ ଆଜି ତିନିଶହରୁ ଅଧିକ ଛୋଟବଡ ପ୍ରକାଶନ ସଂସ୍ଥା ତିରିଶ ଜିଲ୍ଲାରେ କାର୍ଯ୍ୟରତ। ବଡ ପ୍ରକାଶନ ସଂସ୍ଥା କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ପରି ମହାନଗରରେ ଥିଲାବେଳେ ଅନ୍ୟ ଛୋଟ ସଂସ୍ଥାମାନ ରାଜ୍ୟର ଶତାଧିକ ସହରାଞ୍ଚଳରେ ରହିଛନ୍ତି। ଓଡିଶାରେ ବାର୍ଷିକ ୨୦୦୦ରୁ ଅଧିକ ଶୀର୍ଷକ ପୁସ୍ତକ ପ୍ରକାଶ ପାଉଥିବା ବେଳେ ସେସବୁର ବାର୍ଷିକ ସୂଚୀ ପ୍ରକାଶ ନ ହେବା ଫଳରେ କେଉଁ ପୁସ୍ତକ କିଏ ପ୍ରକାଶ କଲା ତାହା ଜାଣିବା ସମ୍ଭବପର ହେଉନାହିଁ। କେବଳ ରାଜା ରାମମୋହନ ରାୟ ପାଠାଗାର ପାଇଁ ପ୍ରଦତ୍ତ ପୁସ୍ତକଗୁଡିକର ସୂଚନା ଯାହା ରାଜ୍ୟର ହରେକୃଷ୍ଣ ମହତାବ ପାଠାଗାରରୁ ମିଳୁଛି। କିନ୍ତୁ ଏହି ଯୋଜନା ବାହାରେ ଅନେକ ପୁସ୍ତକ ରହିଯାଉଛି ଯାହା ସଂପର୍କରେ କିଛି ଜଣାପଡୁନାହିଁ। ରାଜ୍ୟର ପୁସ୍ତକ ପ୍ରକାଶକ ସଂସ୍ଥାଗୁଡିକ କେବଳ ନିଜ ନିଜର ବହି ବିକ୍ରି ଏବଂ ସରକାରୀ ଯୋଗାଣକୁ ଛାଡି ଦେଲେ ଅନ୍ୟ କିଛି କରିବାକୁ ନାରାଜ। ପୁସ୍ତକ ପ୍ରକାଶକ ସଂଘଗୁଡିକ ମଧ୍ୟରେ ସଂପର୍କର ଅଭାବ ଯୋଗୁ ଅନେକ ସମୟରେ ବାଦ-ବିବାଦ ଉଠି କୋର୍ଟ କଚେରିକୁ ମାମଲା ଯାଉଛି। ଅତୀତରେ ଏଥିପାଇଁ କୋଟି କୋଟି ଟଙ୍କାର ପୁସ୍ତକ ଯୋଗାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି କିମ୍ବା ବନ୍ଦ ହୋଇଯାଇଛି। ଉଦାହରଣ ସ୍ୱରୂପ ଓଡିଆ ଭାଷା ପ୍ରତିଷ୍ଠାନ ମାଧ୍ୟମରେ ହୋଇଥିବା ହାଇସ୍କୁଲଗୁଡିକୁ ପୁସ୍ତକ ଯୋଗାଣ ଯୋଜନା ତନ୍ମଧ୍ୟରୁ ଗୋଟିଏ। ସେମିତି ରାଜା ରାମମୋହନ ରାୟ ପାଠାଗାର ଯୋଜନାରେ ଅନିୟମିତତାକୁ ନେଇ ଅତୀତରେ ପ୍ରକାଶକ ସଂଘଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। ପ୍ରକାଶକମାନେ ପରସ୍ପରର ବିଶ୍ୱାସଭାଜନ ହୋଇ ନ ପାରିବା ହେତୁ ଏବଂ ସେମାନଙ୍କ ମଧ୍ୟରେ ସଂପର୍କର ଅଭାବ ହେତୁ ଏପରି ସମସ୍ୟା ଅତୀତରେ ବାରମ୍ବାର ଦେଖାଦେଇଛି।
ପୁସ୍ତକ ପ୍ରକାଶନର ପ୍ରାକ୍ ସୂଚନା ଦେବା, ଆଗୁଆ ରିହାତି ମୂଲ୍ୟରେ ବିକ୍ରି କରିବା, ଉନ୍ମୋଚନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବା, ଯୋଜନାବଦ୍ଧ ଭାବେ ଦୈନିକ, ସାପ୍ତାହିକ, ପାକ୍ଷିକ, ମାସିକ ଏବଂ ତ୍ରୈମାସିକ ପତ୍ରିକାଗୁଡିକରେ ସମୀକ୍ଷା କରାଇବା, କିଛି କିଛି ବିଜ୍ଞାପନ ଦେବା, ପାଠାଗାରକୁ ଆଗୁଆ ପ୍ରଚ୍ଛଦର ସୂଚନା ପ୍ରେରଣ କରିବା, ପ୍ରତିବର୍ଷ ନୂତନ ପୁସ୍ତକ ତାଲିକା ପ୍ରକାଶ କରିବା, ପୁସ୍ତକ ବିତରଣ ପାଇଁ ସ୍ୱତନ୍ତ୍ର ବୁକ୍ ମଲ୍ ସ୍ଥାପନା, ମହାନଗରଗୁଡିକରେ ନିଜସ୍ୱ ଶାଖା ଖୋଲିବା, ଅନ୍‌ଲାଇନ୍ ସପ୍ ଖୋଲିବା, ବୁକ୍ସ ଅନ ହ୍ୱିଲ ପ୍ରକଳ୍ପ ମାଧ୍ୟମରେ ପୁସ୍ତକର ପ୍ରଚାରଗାଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବା, ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ୱେବସାଇଟ ଖୋଲିବା, ହ୍ୱାଟ୍ସଆପ୍ ଏବଂ ଇନ୍‌ଷ୍ଟାଗ୍ରାମକୁ ଏଥିପାଇଁ ବ୍ୟବହାର କରିବା ଭଳି ଅନେକ କାର୍ଯ୍ୟ ପ୍ରକାଶକଙ୍କ ପାଇଁ କରିବାକୁ ରହିଛି, ଯାହା ହେଲେ ପୁସ୍ତକର ବିକ୍ରି ଏବଂ ପ୍ରସାର ବଢିବ। କିନ୍ତୁ ଓଡିଶାର ବଡ ବଡ ପ୍ରକାଶକମାନେ ଦିନକୁ ଦିନ ସଂକୁଚିତ ହେବା ସହ ସଂସ୍ଥାକୁ କେବଳ ମହାନଗର ମଧ୍ୟରେ ସୀମିତ କରି ରଖିଛନ୍ତି। ଅତୀତରେ କେତେକ ପ୍ରକାଶନ ସଂସ୍ଥା ଏକ ସମୟରେ ଅନେକ ସହରରୁ କାର୍ଯ୍ୟ କରୁଥିଲେ ଯାହା ଆଜି ନାହିଁ। ତେଣୁ ପ୍ରକାଶକମାନଙ୍କୁ ଏ ଦିଗରେ ଅଧିକ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ହେବ। ସବୁ ବହି ଯେପରି ଆନ୍ତର୍ଜାତିକ ମାନକ ପୁସ୍ତକ କ୍ରମାଙ୍କ (ଆଇଏସ୍‌ବିଏନ୍‌) ସହ ପ୍ରକାଶ ପାଏ ସେଥିପ୍ରତି ଅଧିକ ଦୃଷ୍ଟି ଦେବାକୁ ହେବ। ପୂର୍ବେ ପ୍ରତିଟି ପୁସ୍ତକ ୧୧୦୦ କପି ଛପାଯାଉଥିଲା ବେଳେ ଏବେ ତାହା ୧୨୫-୨୫୦କୁ ଖସି ଆସିଲାଣି। କେତେକ ପ୍ରକାଶକ ଆଦୌ ବହି ନ ଛାପି ନିଜ ଅଫିସର ଲେଜର କପିଅର ମାଧ୍ୟମରେ ୩୦-୪୦ କପି କାଢି ସନ୍ତୁଷ୍ଟ ହେଉଛନ୍ତି। ଏହା ପୁସ୍ତକ ଶିଳ୍ପର କିମ୍ବା ଭାଷା ସାହିତ୍ୟର ବିକାଶରେ ସହାୟକ ହେବ ନାହିଁ ବରଂ ସତ୍ୟକୁ ଆଖିଠାର ପରି କଥା ହେଉଛି। ଏହା ଛଡା ପ୍ରଚ୍ଛଦଗୁଡିକରେ ଆଜିକାଲି ଆଦୌ ମୌଳିକତା ରହୁନାହିଁ। ଇଣ୍ଟରନେଟ୍ ଫଟୋରେ ପୁସ୍ତକର ପ୍ରଚ୍ଛଦ କାର୍ଯ୍ୟ ଚଳିଯାଉଥିବା ହେତୁ ଚିତ୍ରକର ଆବଶ୍ୟକ ହେଉନାହାନ୍ତି। କିନ୍ତୁ ପ୍ରତିଟି ପୁସ୍ତକର ନିଜସ୍ୱ ମୌଳିକତା ନେଇ ନିଜସ୍ୱ ପ୍ରଚ୍ଛଦଚିତ୍ର ସହ ପ୍ରକାଶ ପାଇବା ଦରକାର। ପ୍ରକାଶକଗଣ ଏ ଦିଗରେ ଧ୍ୟାନଦେବା ଆବଶ୍ୟକ।

ସରକାର
ପୁସ୍ତକଗୁଡିକର ପ୍ରସାର କ୍ଷେତ୍ରରେ ସରକାରଙ୍କ ଭୂମିକା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ସରକାର ହିଁ ସବୁଠୁ ବଡ ଥୋକ କ୍ରେତା। ପ୍ରକାଶକ ଚାହେଁ ଥୋକ ବିକ୍ରିରେ ପ୍ରକାଶନର ମୂଳପଇସା ପାଇବା ପାଇଁ। କାରଣ ଖୁଚୁରା ବିକ୍ରି ସମୟରେ ଅନେକ କ୍ଷେତ୍ରରେ ସବୁ ପଇସା ମିଳିପାରି ନ ଥାଏ। ରାଜ୍ୟ ସରକାର ଜିଲ୍ଲା ପାଠାଗାର ଯୋଜନା, ରାଜା ରାମମୋହନ ରାୟ ପାଠାଗାର ଯୋଜନା, କେନ୍ଦ୍ରୀୟ ଅନୁଦାନ ମାଧ୍ୟମରେ ପୁସ୍ତକ ଯୋଗାଣ ମଧ୍ୟରେ ସୀମିତ ନ ରହି ସାଂସଦମାନଙ୍କର ପାଣ୍ଠିରେ ଥିବା ଅର୍ଥକୁ ମଧ୍ୟ ଉପଯୋଗ କରିବା ପାଇଁ ଲକ୍ଷ୍ୟ ରଖିବା ଦରକାର। ଓଡିଶାରେ ୨୧ଜଣ ଲୋକସଭା ଏବଂ ୧୦ଜଣ ରାଜ୍ୟସଭା ସାଂସଦ ଚାହିଁଲେ ପ୍ରତିବର୍ଷ ପୁସ୍ତକ ନିଜସ୍ୱ ପାଣ୍ଠିରୁ ଯୋଗାଇ ପାରିବେ ଯାହା ମିଳିତଭାବେ ରାଜା ରାମମୋହନ ରାୟ ପାଠାଗାର ଯୋଗାଣକୁ ଟପିଯାଇପାରିବ, ଏ ଦିଗରେ ଇଚ୍ଛାଶକ୍ତି ଆବଶ୍ୟକ। ସରକାର ମଧ୍ୟ କେରଳ ପରି ରାଜ୍ୟର ସବୁ ପଞ୍ଚାୟତସ୍ତରରେ ପାଠାଗାର ସ୍ଥାପନା ପାଇଁ ପ୍ରୟାସ କଲେ ଗ୍ରାମାଞ୍ଚଳର ଲୋକେ ବହି ଦେଖିବା ଏବଂ ପଢିବାର ସୁଯୋଗ ଲାଭ କରନ୍ତେ। ଏହାଛଡା ରାମମୋହନ ରାୟ ପାଠାଗାର ପାଇଁ ପୁସ୍ତକ ଆବେଦନ କେବଳ ଭୁବନେଶ୍ୱରରେ ନ ହୋଇ ରାଜ୍ୟର ସବୁ ଜିଲ୍ଲାର ସାଂସ୍କୃତିକ ଅଧିକାରୀଙ୍କ ମାଧ୍ୟମରେ ହେଲେ ଅଧିକ ସଂଖ୍ୟକ ପୁସ୍ତକ ଆସିପାରିବ, ଅଧିକ ପ୍ରକାଶକ ଓ ଲେଖକ ଜିଲ୍ଲା ସ୍ତରରେ ଏଥିରେ ସାମିଲ ହୋଇ ଲାଭର ସୁଯୋଗ ନେଇପାରିବେ। ପୂର୍ବେ ପୁସ୍ତକ ପ୍ରକାଶନ ପାଇଁ ସରକାର ଆର୍ôଥକ ସହାୟତା ଦେଉଥିଲେ ଯାହା ଏବେ ମିଳୁନାହିଁ। ଜୋତା, ଛତା, ଚାଉଳ, ଡାଲି ପାଇଁ ସରକାର ସହାୟତା ଦେଲା ଭଳି ଶସ୍ତାରେ କାଗଜ କ୍ରୟ ପାଇଁ ସୁବିଧା ଦେଲେ ବହୁ ପ୍ରକାଶକ ଲାଭବାନ ହୋଇପାରନ୍ତେ। ଏହା ଛଡା ପ୍ରତିବର୍ଷ ବ୍ଲକସ୍ତରୀୟ ପୁସ୍ତକମେଳା ଆୟୋଜନ ପାଇଁ ସରକାର ଲକ୍ଷ୍ୟ ରଖିଲେ ୩୧୪ ବ୍ଲକରେ ଓଡିଆ ବହିକୁ ଲୋକେ ଦେଖିବା, କିଣିବାର ସୁଯୋଗ ପାଇପାରନ୍ତେ। ଆଞ୍ଚଳିକ ତଥା ଜିଲ୍ଲାସ୍ତରୀୟ ପ୍ରକାଶକ / ଲେଖକମାନେ ଏଥିରୁ ଅଧିକ ଲାଭବାନ ହୋଇପାରନ୍ତେ। ଯୋଜନାରେ ଯାଉଥିବା ଅର୍ଥରୁ ଭଲ ବହି କ୍ରୟ ପାଇଁ ସ୍ଥାନୀୟ ଶିକ୍ଷାନୁଷ୍ଠାନଗୁଡିକ ସୁଯୋଗ ଉପଯୋଗ କରିପାରନ୍ତେ। ଜିଲ୍ଲାପାଳ ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଏହି ଦାୟିତ୍ୱ ଦେଲେ ଅଧିକରୁ ଅଧିକ ସ୍ଥାନରେ ପୁସ୍ତକ ପ୍ରଦର୍ଶିତ ହେବାର ସୁଯୋଗ ସୃଷ୍ଟି ହୁଅନ୍ତା। ଓଡିଶାର ସରକାର ଅନ୍ୟ ରାଜ୍ୟମାନଙ୍କ ପରି ପାଠାଗାରକୁ ସଂସ୍କୃତି ବିଭାଗର ଅଧୀନରେ ନ ରଖି ଏକ ସ୍ୱତନ୍ତ୍ର ବିଭାଗ ଏବଂ ଏଥିପାଇଁ କ୍ୟାବିନେଟ ମନ୍ତ୍ରୀ ନିଯୁକ୍ତ କରିପାରିଲେ ସେହି ବିଭାଗ ସକ୍ରିୟତାର ସହ ବହିଯୋଗାଣ, ବହି କ୍ରୟ, ବହିର ପ୍ରଚାର ପ୍ରସାର ଦିଗରେ ଅଧିକ କାର୍ଯ୍ୟ କରିପାରନ୍ତେ। ବହି ଯୋଗାଣ ବେଳେ ଗୋଟିଏ ଗୋଟିଏ ପ୍ରକାଶନ ସଂସ୍ଥା ୧୨ରୁ ୧୪ଟି ଜାଲିସଂସ୍ଥା ନାମରେ ଅର୍ଡର ପାଉଥିଲାବେଳେ କେନ୍ଦ୍ରୀୟ ଅର୍ଥରେ ମୋଟା ପରିମାଣ ବହି ଯୋଗାଣ ଅର୍ଡର ହାତଗଣା ବହି ମାଫିଆମାନେ ହାତେଇ ନେଉଛନ୍ତି। ସରକାରୀ ବିଜ୍ଞାପନ ନୀତି ଅଳ୍ପ କିଛି ପ୍ରକାଶକଙ୍କ ସ୍ୱାର୍ଥସାଧନ ପାଇଁ କାର୍ଯ୍ୟ କରୁଛି। ସରକାର ଏଥିରେ ସ୍ୱଚ୍ଛତା ଆଣିବା ଆବଶ୍ୟକ। ବଡ ଅନୁଦାନରେ ହେଉଥିବା ଯୋଗାଣ କ୍ଷେତ୍ରରେ ସଂଖ୍ୟାଧିକ ଦଲାଲଙ୍କ ଉପସ୍ଥିତି ଯୋଗୁ ବିଗତ ଦିନରେ ୫୦ ରୁ ୫୫ ପ୍ରତିଶତ ରିହାତି ଦରରେ ପ୍ରକାଶକମାନେ ବିଦ୍ୟାଳୟଗୁଡିକୁ ପୁସ୍ତକ ଯୋଗାଇବାକୁ ବାଧ୍ୟ ହୋଇଛନ୍ତି। ଦଲାଲ-ଅଧିକାରୀ ମଧୁଚନ୍ଦ୍ରିକା ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି।

ସାହିତ୍ୟାନୁଷ୍ଠାନ
ଓଡ଼ିଆ ସାହିତ୍ୟ ପୁସ୍ତକର ପ୍ରସାର କ୍ଷେତ୍ରରେ ରାଜ୍ୟର ସାହିତ୍ୟାନୁଷ୍ଠାନର ବହୁତ ବଡ ଭୂମିକା ରହିଛି। ରାଜ୍ୟରେ ୨୭ ହଜାର କବି ଥିବା କଥା ଏକଦା ଧରିତ୍ରୀ ଖବରକାଗଜର ପ୍ରକାଶକ ସ୍ୱର୍ଗତ ଦଣ୍ଡପାଣି ମିଶ୍ର କହିଥିଲେ। ସେ ୩୧୪ ବ୍ଲକର ପ୍ରତିନିଧିମାନଙ୍କ ସହାୟତାରେ ପ୍ରତି ବ୍ଲକରୁ କବିଗଣନା କରିଥିଲେ। ଆଜି ଏହି କବି ସଂଖ୍ୟା ସହ ଅନ୍ୟ ଲେଖକ ଲେଖିକାଙ୍କ ସଂଖ୍ୟା ଢେର ବଢିଗଲାଣି। ସେହି ଅନୁପାତରେ ସାହିତ୍ୟାନୁଷ୍ଠାନ ସଂଖ୍ୟା ମଧ୍ୟ ରାଜ୍ୟରେ କମ୍ ନାହିଁ। କିନ୍ତୁ ଦୁର୍ବଳତା ରହିଛି ସାହିତ୍ୟର ପ୍ରସାର କ୍ଷେତ୍ରରେ। ସାହିତ୍ୟ ଉତ୍ସବ କହିଲେ କବିତା ପାଠ, ଜଳଖିଆ, ତାଳି ଓ ଭାଷଣ ମଧ୍ୟରେ ଅନେକ ସଂସ୍ଥା ସୀମିତ ହୋଇ ରହିଛନ୍ତି। କେରଳର ଲେଖକମାନଙ୍କ ପରି ରବିବାର କିମ୍ବା ଛୁଟିଦିନ ଏମାନେ ଓଡିଆ ସାହିତ୍ୟ ପୁସ୍ତକକୁ ଝୁଲାମୁଣି ବ୍ୟାଗରେ ପକାଇ ଲୋକଙ୍କ ଘରେ ପହଞ୍ôଚ ଭଲଭାବେ ବୁଝାଇପାରନ୍ତେ କିଣିବା ପାଇଁ। ଏଥିରେ ଲାଭ କ’ଣ ଅଛି ତାହା ମଧ୍ୟ କହିପାରନ୍ତେ। ଯେଉଁଠି ୨୫ବର୍ଷ ଭିତରେ ସବୁ ଛକରେ କୋକାକୋଲା ବିଦେଶରୁ ଆସି ଥଣ୍ଡାପାନୀୟ ବିକ୍ରି କରିପାରିଲା ସେଠାରେ ସାହିତ୍ୟାନୁଷ୍ଠାନ ଚାହିଁଲେ ନିଜ ଅଞ୍ଚଳରେ ପାଠାଗାର ସ୍ଥାପନା, ସ୍ଥାନୀୟ ସ୍ତରରେ ଦିନିକିଆ ପୁସ୍ତକ ବିକ୍ରି ଅଭିଯାନ ପରି କାର୍ଯ୍ୟକ୍ରମମାନ ହାତକୁ ନେଇପାରିବେ। ଗୋଟିଏ ଅନୁଷ୍ଠାନର ଏକାଧିକ ସଦସ୍ୟ ମିଶି ସମବାୟ ଭିତ୍ତିରେ ନିଜସ୍ୱ ପାଣ୍ଠି ସୃଷ୍ଟିକରି ସ୍ଥାନୀୟ ବେରୋଜଗାର ଯୁବକମାନଙ୍କୁ ପୁସ୍ତକ ବ୍ୟବସାୟରେ ସାମିଲ କରାଇପାରିବେ। ସେମାନଙ୍କୁ ଋଣ ଦେଇ ଏ ଦିଗରେ ପ୍ରୋତ୍ସାହିତ କରିପାରିବେ। ଏହା ଛଡା ବିବାହ, ବ୍ରତ, ଶ୍ରାଦ୍ଧ ଆଦି କାର୍ଯ୍ୟକ୍ରମରେ ଲୋକେ ବହି ଉପହାର, ବହି ବଣ୍ଟନ ଉପରେ ଯେପରି ଜୋରଦେବେ ସାହିତ୍ୟାନୁଷ୍ଠାନଗୁଡିକ ସେଥିପାଇଁ ଅଧିକ ପ୍ରୋତ୍ସାହିତ କରିପାରିବେ।

ପତ୍ରପତ୍ରିକା
ଓଡିଆ ପୁସ୍ତକର ପ୍ରଚାର ପ୍ରସାର କ୍ଷେତ୍ରରେ ଓଡିଆ ଭାଷାର ପତ୍ରପତ୍ରିକାଗୁଡିକର ବଡ ଭୂମିକା ରହିଛି। ଆଜିର ଦରବର୍ଦ୍ଧିଷ୍ଣୁ ସମୟରେ ଦୈନିକ ଖବରକାଗଜରେ ଛୋଟ ପ୍ରକାଶନ ସଂସ୍ଥା ନିଜ ପୁସ୍ତକର ପ୍ରଚାର ନିମନ୍ତେ ବିଜ୍ଞାପନ ଦେବାକୁ ଅସମର୍ଥ ଥିଲାବେଳେ ପତ୍ରପତ୍ରିକାଗୁଡିକ ସ୍ୱତନ୍ତ୍ର ସୁବିଧା ଦେଇ ସହଯୋଗ କରିବା ଆବଶ୍ୟକ। ଓଡିଆ ପ୍ରକାଶନ ସୂଚୀର ପ୍ରସ୍ତୁତି ପାଇଁ ପତ୍ରପତ୍ରିକାଗୁଡିକର ଗୁରୁଦାୟିତ୍ୱ ରହିଛି। ପ୍ରତିବର୍ଷର ପ୍ରକାଶନ, ସେଗୁଡିକର ବର୍ଗୀକରଣ, ଲୋକପ୍ରିୟତା ଦୃଷ୍ଟିରୁ ଶ୍ରେଷ୍ଠ ପୁସ୍ତକର ଚୟନ ଆଦି ଅନେକ କାର୍ଯ୍ୟ ପତ୍ରିକା ସଂସ୍ଥା କରିପାରିବେ। ରାଜ୍ୟର ଦୈନିକ, ସାପ୍ତାହିକ, ମାସିକ ପତ୍ରପତ୍ରିକା ଏ ଦିଗରେ ଦୃଷ୍ଟିଦେଲେ କାର୍ଯ୍ୟ ସହଜ ହେବ।

ଶିଳ୍ପସଂସ୍ଥା ଓ ସାମାଜିକ ଅନୁଷ୍ଠାନ
ପ୍ରାଦେଶିକ ଏବଂ ଆଞ୍ଚଳିକ ଭାଷାର ପୁସ୍ତକ ପ୍ରକାଶକ, ପୁସ୍ତକ ବିତରଣ କ୍ଷେତ୍ରରେ ଶିଳ୍ପସଂସ୍ଥା ଓ ସାମାଜିକ ଅନୁଷ୍ଠାନ ଅନେକ ସାହାଯ୍ୟ କରିପାରିବେ। ବଡ ଶିଳ୍ପର ସିଏସ୍‌ଆର୍ ପାଣ୍ଠିକୁ ଉପଯୋଗ କରାଯାଇ ପୁସ୍ତକ କ୍ରୟ କରାଯାଇପାରିବ। ସେହି ପୁସ୍ତକକୁ ଶିକ୍ଷାନୁଷ୍ଠାନ ଏବଂ ପାଠାଗାରଗୁଡିକୁ ବିତରଣ କରାଯାଇପାରିବ। ସେମିତି ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠି ମଧ୍ୟ ଏଥିପାଇଁ ଉପଯୋଗ ହୋଇପାରେ। ଶିଳ୍ପ ସଂସ୍ଥାଗୁଡିକର ଟ୍ରଷ୍ଟ ମାଧ୍ୟମରେ ଏହି ପୁସ୍ତକ ବିତରଣ ହେବାରେ କିଛି ଅସୁବିଧା ନାହିଁ। ସେମିତି ସ୍ୱେଚ୍ଛାସେବୀ ସଙ୍ଗଠନ, ଟ୍ରଷ୍ଟ, ସଂସ୍ଥାଗୁଡିକ ସେମାନଙ୍କ ପ୍ରକଳ୍ପରେ ପୁସ୍ତକ ବିତରଣକୁ ସ୍ଥାନ ଦେଲେ ରାଜ୍ୟରେ ପୁସ୍ତକ ପ୍ରସାର କାର୍ଯ୍ୟ ଅଧିକ ଗତିଶୀଳ ହେବ।

ଶିକ୍ଷାନୁଷ୍ଠାନ
ରାଜ୍ୟରେ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଡାକ୍ତରୀ, ଇଞ୍ଜିନିୟରିଂ, ବ୍ୟାବସାୟିକ, ପରିଚାଳନା, ଆଇନ ଏବଂ ଅନ୍ୟାନ୍ୟ ପେସାପାଇଁ ଶିକ୍ଷାଦାନ କରୁଥିବା ଅନୁଷ୍ଠାନଗୁଡିକର ସଂଖ୍ୟା ୭୦,୦୦୦ରୁ ଅଧିକ ହେବ। ଏଥିରେ ଉଭୟ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ରହିଛି। ଶିକ୍ଷାନୁଷ୍ଠାନଗୁଡିକ ପାଠାଗାର ପୁସ୍ତକ କ୍ରୟ ସମୟରେ ଭଲ ଏବଂ ନିର୍ବାଚିତ ପୁସ୍ତକଗୁଡିକୁ ଚୟନ କରି ପ୍ରତିବର୍ଷ ପ୍ରକାଶନ କ୍ଷେତ୍ରକୁ ସାହାଯ୍ୟ କରିପାରିବେ। ଯଦି ଶିକ୍ଷାନୁଷ୍ଠାନ ସ୍ଥାନୀୟ ଲୋକଙ୍କ ପାଇଁ ସାଧାରଣ ପଠନଗୃହର ସୁବିଧା ପ୍ରଦାନ କରିପାରନ୍ତେ ତେବେ ସେଠାରେ ମଧ୍ୟ ପୁସ୍ତକଗୁଡିକ ରହିପାରିବ। ବହି କ୍ରୟ ପାଇଁ ଶିକ୍ଷାନୁଷ୍ଠାନଗୁଡିକରେ ସବୁଠୁ ଅଧିକ ଅର୍ଥ ରହିଥାଏ। ଏହାର ଉପଯୁକ୍ତ ଉପଯୋଗ ପ୍ରତିବର୍ଷ ହେବା ଉଚିତ୍।

ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ସଂସ୍ଥା
ପୂର୍ବେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଗବେଷଣାତ୍ମକ ସନ୍ଦର୍ଭଗୁଡିକର ପ୍ରକାଶନ, ବିକ୍ରୟ ପାଇଁ ନିଜସ୍ୱ ସଂସ୍ଥା ରଖିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୦୦ରୁ ଅଧିକ ପୃଷ୍ଠାର ଜ୍ଞାନକୋଷ ପୁସ୍ତକ ଅତୀତରେ ପ୍ରକାଶ ପାଇଥିଲା। କମ୍ ମୂଲ୍ୟରେ ଅନେକ ଦୁଷ୍ପ୍ରାପ୍ୟ ଗ୍ରନ୍ଥର ପ୍ରକାଶନ କାର୍ଯ୍ୟ ହୋଇଥିଲା। ଓଡିଶାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ଦିଗରେ ଅଧିକ ଦୃଷ୍ଟିଦେଲେ ଅନେକ ପୋଥି, ଗ୍ରନ୍ଥ, ସନ୍ଦର୍ଭ ଆଦି ପ୍ରକାଶ ହୋଇପାରନ୍ତା। ପ୍ରକାଶନ ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ରହିଥିବା ଯୋଗୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେହି ପାଣ୍ଠିକୁ ଉପଯୋଗ କରିବା ଆବଶ୍ୟକ।
ସରକାରଙ୍କ ସଂସ୍ଥା କେନ୍ଦ୍ର ସାହିତ୍ୟ ଏକାଡେମୀ, ରାଜ୍ୟ ସାହିତ୍ୟ ଏକାଡେମୀ, ଅଭିଲେଖାଗାର, ସଂଗ୍ରହାଳୟ ଆଦି ଅନେକ ପୁସ୍ତକ ପ୍ରକାଶ କରିଛନ୍ତି। କିନ୍ତୁ ଓଡିଆ ସାହିତ୍ୟର ପ୍ରକାଶନ ଓ ବ୍ୟବସ୍ଥିତ ବିକ୍ରୟ ପାଇଁ ଓଡିଶାରେ ଆବଶ୍ୟକ ଭଣ୍ଡାରମାନ ହୋଇପାରିନାହିଁ। ଯାହା ଫଳରେ କଟକ-ଭୁବନେଶ୍ୱରକୁ ବାଦଦେଲେ ସହରରେ ପୁସ୍ତକ ବିକ୍ରୟ ବ୍ୟବସ୍ଥା ନାହିଁ। ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ସଂସ୍କୃତି ଭବନଗୁଡିକ ନିର୍ମିତ ହୋଇଥିବାରୁ ସେଠାରେ ସାହିତ୍ୟ ଏକାଡେମୀ, ନେସନାଲ ବୁକ୍ ଟ୍ରଷ୍ଟ, ପ୍ରକାଶନ ବିଭାଗର ଓଡିଆ ପୁସ୍ତକ ବିକ୍ରିର ବ୍ୟବସ୍ଥା ହେଲେ ଜିଲ୍ଲାର ପାଠକମାନେ ନିଜ ଅଞ୍ଚଳରେ ଭଲ ପୁସ୍ତକ ପାଇପାରନ୍ତେ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ , ୨୦୨୨ ସଂଖ୍ୟାରେ ପ୍ରକାଶିତ । )

5 thoughts on “ପ୍ରକାଶନର ସମସ୍ୟା ଓ ଆମ ସାହିତ୍ୟ

  1. ଏହି ପ୍ରବନ୍ଧରେ ସନ୍ନିବିଷ୍ଟ ତଥ୍ୟାବଳୀ , ପରାମର୍ଶ ପ୍ରଭୃତି ସୌମେନ୍ଦ୍ର ଭାଇଙ୍କ ଓଡ଼ିଆ ସାହିତ୍ୟର ପ୍ରକଶନ ଓ ବ୍ୟାପ୍ତି ପାଇଁ ସଦାସ୍ମରଣୀୟ ମାର୍ଗଦର୍ଶିକା । ମୁଁ ପଢ଼ି କୃତଜ୍ଞ ରହିଲି । ମହାପ୍ରଭୁ ସର୍ବଦା ଓଡ଼ିଆ ସାହିତ୍ୟ ଓ ପ୍ରକାଶନକୁ ଆଶୀର୍ବାଦ କରନ୍ତୁ ଏହି ପ୍ରାର୍ଥନା ।

  2. THANKS TO SAHITYA CHARCHA,
    THIS IS A KIND INFORMATION TO ALL THAT THE PRINTING AROUND 50-500 COPIES OF BOOKS IS VERY LESS PRICE ,HIGH QUALITY & QUICK THROUGH DIGITAL PRINT. BOOK PRINT VIA-JAPAN TECHNOLOGY @0.25 PAISA FOR A4 PRINT. NOW IT HAS STARTED AT PRINTAD,B-49,SAHID NAGAR,BHUBANESWAR-751007,CONTACT-9439538707,9337205280.

    THANKS
    SAROJ KUMAR NAYAK

  3. ଏହା ସମ୍ପୁର୍ଣ୍ଣ ସତ୍ୟ ଯେ ସାହିତ୍ୟର ପ୍ରସାର ପାଇଁ ଆବଶ୍ୟକ ସୁଦୃଢ ପ୍ରକାଶନର ଢାଞ୍ଚା ଯଦି ନ ରହେ ତେବେ ସାହିତ୍ୟ ଭଲ ଲେଖା ହେଲେ ବି ଲୋକଲୋଚନକୁ ଆସିବାର ସୁଯୋଗ ପାଇପାରେନାହିଁ।

  4. ମୂଳ କଥା ହେଲା ସାହିତ୍ୟ ରଚନା, ପ୍ରକାଶନ , ବିତରଣ ଓ ପ୍ରଚାର ପ୍ରତିକ୍ଷେତ୍ରରେ ସଂକୀର୍ଣ୍ଣ ନିହିତ ସ୍ୱାର୍ଥ ଜଡିତ। ଲେଖକ ଅପରିପକ୍ୱ କିଛିଟା ଲେଖି ତାକୁ ଯେନ କେନ ପ୍ରକାରେ ଛପାଇବା ପାଇଁ ବ୍ୟଗ୍ର । ତାପରେ କବି ବା ଗାଳ୍ପିକ ଭାବେ ନିଜ ଢୋଲ ନିଜେ ପିଟିବା କଥା। କିଛି ତଥାକଥିତ ଲେଖକ ଏକାଠି ଏକ ଗୋଷ୍ଠୀ ଗଢି ପରସ୍ପର ପିଠି କୁଣ୍ଡାଇବା ନୀତିରେ ଜଣେ ଜଣଙ୍କର ବଡାଇ କରିବା ମାନପତ୍ର ଦେବା। ପ୍ରକାଶକ ମାନେ ଯାହା ପାଇଲେ ତାହା ୧୫୦-୨୫୦ କପି ଛାପି ତଥାକଥିତ ଲେଖକଙ୍କ ଲମ୍ବା ଧାଡି ତିଆରି କଲେ ସତ ହେଲେ ତା ମଧ୍ଯସରୁ ପୁସ୍ତକ ପଦବାଚ୍ୟ ପୁସ୍ତକ ସଂଖ୍ୟା କେତେ!
    ପ୍ରକାଶକଙ୍କ ସଙ୍କୁଚିତ ବେପାର ଏବଂ ପ୍ରତିଯୋଗିତା ଯୋଗୁଁ ସେମାନଙ୍କ ମଧ୍ୟରେ ସମନ୍ୱୟ, ସହଯୋଗ ଏବଂ ଲେଖାର ମାନ ବଜାୟ ରଖିବା ପାଇଁ ସହମତି କେଉଁଠୁ ଆସିବ? ସରକାରଙ୍କ କଥା ନକହିଲେ ଭଲ।
    ହାତ ଗଣା କେତେକ ସାହିତ୍ୟ ଚର୍ଚ୍ଚା,ପୁସ୍ତକ ସମୀକ୍ଷା ଓ ସାହିତ୍ୟର ପ୍ରଚାର ପ୍ରସାର କରୁଥିବାର ଦାବି କରୁଥିବା ସଂଗୋଷ୍ଠୀ କେବଳ ସ୍ୱୟଂ-ସ୍ୱାର୍ଥ-ସେବାରେ ନିୟୋଜିତ ଥିବାପରି ମନେହୁଏ।
    ଏଥିପାଇଁ ଏକ ସଶକ୍ତ,ରାଜ୍ୟର ପ୍ରତି ଅନୁକୋଣରେ ଭିତ୍ତିଭୂମି ଯୁକ୍ତ ଏକ ସ୍ୱୟଂସେବୀ ପୁସ୍ତକ ପ୍ରସାର ସଂସ୍ଥା ଗଢିବାର ଆବଶ୍ୟକତା ଅଛି ଯାହା ଲେଖକ, ପ୍ରକାଶକ ଓ ପାଠକଙ୍କ ମଧ୍ୟରେ ସେତୁ ରୂପେ କାର୍ଯ୍ୟ କରିବ। ଉତ୍ତମ ଲେଖାର ମୂଲ୍ୟାୟନ, ପ୍ରକାଶନ, ବିତରଣ , ପାଠକ ଗୋଷ୍ଠୀର ସୃଷ୍ଟି ତଥା ଉତ୍ତମ ଲେଖକଙ୍କୁ ସମ୍ମାନ ପ୍ରଦାନ ଏ ସବୁରେ ଅଣୁଘଟକର (catalyst) ଭୂମିକା ନେଇ ପାରିବ।

  5. ପୁସ୍ତକ ପ୍ରକାଶ ପାଇଲା ପରେ ବହୁ ସମୟ ପର୍ଯ୍ୟନ୍ତ ଆଗ୍ରହୀ ପାଠକ ଜାଣି ପାରୁନାହାଁନ୍ତି। ତେଣୁ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରକାଶିତ ପୁସ୍ତକ ସମ୍ବନ୍ଧରେ ସବିଶେଷ ବିବରଣୀ ବାରମ୍ବାର ଲୋକଲୋଚନକୁ ଆସିବା ଜରୁରୀ।

Leave a Reply

Your email address will not be published. Required fields are marked *