- ଆମେ ତ ଟେଲିଗ୍ରାମ୍ ରୁ ଆଗକୁ ବଢି ନଥିଲୁ। ଆଜିକାଲି ପିଲାଏ କିନ୍ତୁ ଏ ବାବଦରେ ଆମଠାରୁ ବହୁତ ଆଗରେ।
ଆମ ଫର୍ଟି-ସେଭେନ୍ ମଡେଲଙ୍କ ପାଇଁ ଗୋଟାଏ ନୁଆ ପରିଚୟ – ଟୁଇଟର। ଏଇ କମ୍ପ୍ୟୁଟର ଆସିବା ସାଙ୍ଗରେ ସିଏ ଆସିଛି ଆଉ କେତେଜଣଙ୍କୁ ସାଙ୍ଗରେ ନେଇ। ଯଥା, ଇଣ୍ଟରନେଟ୍, ଇନଷ୍ଟାଗ୍ରାମ୍, ଫେସବୁକ୍, ହ୍ବାଟସଆପ୍ ଆଦି। ଆମେ ତ ଟେଲିଗ୍ରାମ୍ ରୁ ଆଗକୁ ବଢି ନଥିଲୁ। ଆଜିକାଲି ପିଲାମାନେ ଏ ବାବଦରେ, ଆମଠାରୁ ବହୁତ ଆଗରେ। ଏ ସବୁ ତାଙ୍କର ବାଁ ହାତର ଖେଳ। ହେଲେ ମିଶାଣ, ଫେଡାଣ, ହରଣ, ଗୁଣନ ଏସବୁ ଆମର ବାଁ ହାତର ଖେଳ। ସେମାନେ କମ୍ପ୍ୟୁଟର, କାଲକୁଲେଟର୍ ବିନା ହଲିବେ ନାହିଁ। ଏଗୁଡା କିନ୍ତୁ ମୁଖସ୍ତ, ଆମର ଆଙ୍ଗୁଠି ଅଗରେ।
ଆମେ ଏମାନଙ୍କୁ ଯାହା ଦୂରରୁ ଦେଖିଛୁ। ତାଙ୍କ ସହ କଥାବାର୍ତ୍ତା ନାହିଁ। ଏଠୁ ସେଠୁ ଶୁଣି ଯେତିକି ଜାଣୁଛୁ, ଏ ଟୁଇଟର ଭାରି ପାୱାରଫୁଲ୍। ସବୁଦିନ ତା ନାଁ ଶୁଣିବାକୁ ମିଳିଯାଏ । ବିଶେଷକରି ରାଜନୀତି ଗଳିରେ ଏହାର ପ୍ରବେଶ, ମାନିବାକୁ ହେବ। ଆମେ ଯେତିକି ଶୁଣିବାକୁ ପାଇଛୁ,ଏହାର ଗୋଟାଏ ବେଣ୍ଟ ଅଛି। ଧରିବା ପାଇଁ ସୁବିଧା ହେଉଥିବ? ବେଣ୍ଟ ବା ହାଣ୍ଡଲ୍ ଯାହା ହାତରେ, କଣ୍ଟ୍ରୋଲ ତାହାରି ହାତରେ ଥିବା ସ୍ବାଭାବିକ। ଯାହା ଆମେ ବୁଝିଲୁ!
ଅଫିସରୁ ଛୁଟି ନେବାକୁ କି ଦରଖାସ୍ତ ଦେବାପାଇଁ ଏହାର ମାନ୍ୟତା ବୋଧେ ନାହିଁ। ଏଥିରେ ଗୋପନୀୟତାର କିଛି ଗ୍ୟାରେଣ୍ଟି ବୋଧହୁଏ ନାହିଁ। ନହେଲେ ରାଜନୈତିକ ମହଲରେ ପ୍ରଚାରିତ ପ୍ରସାରିତ ଟୁଇଟର, ଖବରକାଗଜ ମେଡିଆ ବଜାର ଦେଇ, ସାଧାରଣ ଜନତାଙ୍କୁ ଦୋହଲେଇ ଦିଏ କିପରି? ଆମଘରେ କଣ ଫୁଟଣ ଫୁଟିଲା, ଟୁଇଟର ତା’କୁ ନେଇ କାହିଁ ଦୂରଦେଶରେ ପହଞ୍ଚାଇ ଦିଏ। ତା’ପରେ ଯାହାହୁଏ, ଆମେ ଦେଖୁଛୁ! ଏଠି ଆମ ଘର ଚାରିପଟେ ଭଦ୍ରଲୋକ ଖୋଳ ପିନ୍ଧି ବୁଲୁଥିବା ବାବୁଙ୍କ କଥା କୁହନା! ଗୋଟାଏ ବିତର୍କର ଗ୍ରାଉଣ୍ଡ ପ୍ରସ୍ତୁତ ହୋଇଯାଏ। ସାଙ୍ଗେ ସାଙ୍ଗେ ଦୁଇଦଳ। ବାହାରେ ହେଲେ ଟେକା ପଥର, ଚାକୁ ଛୁରୀ, ସଂସଦ ସଦନରେ ଟେବୁଲ ବାଡିଆ, ଚୌକୀ ଫୋପଡା, ମାଇକ ଭଙ୍ଗା, କାଗଜ ଚିରା, ପାଣ୍ଡେମୋନିୟମ, ମୁଲତବି, ନୋ ବିଜନେସ୍! ଗଲା ଆଜି ଦିନଟା! କାଲି ? କ୍ଷମା ମାଗ। ଇସ୍ତଫା ଦିଅ। ଆଉ ଭଲକଥା କିଛି ନାହିଁ? ଟୁଇଟର ହାଣ୍ଡଲ୍ ଟା ଖୋଜାପଡେ ! ଖୋଜୁ ଖୋଜୁ ତା ଚେରଟା କାହିଁ କେତେଦୂରେ ମିଳେଯେ, କଣ କରିବା? ନିନ୍ଦା ପ୍ରସ୍ତାବ ! ଘୋର ନିନ୍ଦା !
ଅନ୍ୟ ମାନେ ଟୁଇଟର ଆକାଉଣ୍ଟ ବ୍ୟବହାର କରନ୍ତି ଯେ, ରାଜନୀତିର ଟୁଇଟର ହାଣ୍ଡଲ୍ ଟା ବହୁତ ଷ୍ଟ୍ରଙ୍ଗ୍! ଭାଷା! ଭାଷା କଣ ଏମିତି ବଦଳେ? କି ଉଗ୍ର? କାହିଁକି? କାହିଁକି ଏତେ ତରବର? କାହାକୁ କଷ୍ଟ ଦେବା କଣ ଭଲ? ଭଦ୍ରତାର ସୀମା ଉଲଙ୍ଘନ କରି କଣ ମିଳିଲା? ଗୁଡାଏ ଅଶାନ୍ତି! ଆମେ କଣ ଏଥିପାଇଁ ଟୁଇଟରକୁ ଦୋଷଦେବା? ନାଁ ଆତ୍ମ ସମୀକ୍ଷା କରିବା?
ସେ ଯାହା ହେଉ , ଆମେ ଏସବୁରେ ଅଜ୍ଞ। କାହିଁକି ସେଥିରେ ମୁଣ୍ଡ ପୁରେଇବା?