“ଘେନାଇ ଯେତେ ଆମ୍ଭେ କହିଲୁ ରେ।”
ପିଲାଟି ଦିନରୁ ବେତାର ଯନ୍ତ୍ରରୁ ଶୁଣି ଆସିଥିବା ଏଇ କେତେ ପଦ ଏବେ ଅଙ୍ଗେ ନିଭେଇବାରେ ଲାଗିଛି। ଏଇ ପଦିକ ବୋଲିଲା ବେଳେ କବିସୂର୍ଯ୍ୟଙ୍କୁ ଝୁରୁଛି। କିସ ସମଝି ସେହି ଯୋଗଜନ୍ମା ଏଇ ସବୁ ଲେଖି ଯାଇଥିଲେ। ଏବେ ମୋତେ ଆମ ଓଡ଼ିଆ କବି କୋବିଦଙ୍କୁ ଏଇ କଥା ସମଝାଇବାରେ ଲାଗିଛି। ହେଲେ ଶୁଣୁଛି କିଏ; ବୁଝୁଛି କିଏ। ଜଗତେ କେବଳ!
ଆଜ୍ଞା; ନେଇ ଆଣି ଥୋଇ ଜାଣିଲେ ଚୋରି ବିଦ୍ୟା ଭଲ; ଅଲ୍ବତ୍ ଭଲ। ହେଲେ ଯେଉଁମନ୍ତେ କହିଥିଲି ଯେ; ଲେଖିବା ଲୋକ ତ ନିଜର କିଛି ପ୍ରସଙ୍ଗକୁ ନେଇ ଏଇ କଥା ଲେଖିଦେଇ ପରପାରିକୁ ଚାଲିଗଲେ। ହେଲେ, “ମଳୁ ଲୋଡ଼ୁଥିଲା କାକର ପାଣି, ବଇଦ ବୋଇଲା ଦେ ତୋରାଣୀ’, ପ୍ରାୟେକ, ଏଇ କଥାକୁ କିଛି କାଣ୍ଡୁଆ, ଅଜ୍ଞ, ଭକୁଆ, ବାଇଲ, ଜଡ଼ଭରତ, ଜନମବାଉଳା, ନିର୍ଗ୍ରନ୍ଥ, ହାବା, ଅକା, ଅତିଗବ, ଅପାଣ୍ଡୁକ, ଆଉଡ଼ା, ଓଲ୍ଲୁ, ପ୍ରଭୃତି… ନିଜନିଜର କାମରେ ଲଗାଇ ଚାଲିଲେ।
ହେ ମୋର ଅତିପଣ୍ଡିତଗଣ…!
ମୁଁ ଶୁଣିବାରେ; ଡାହୁକ ବୋଲି ରଥଯାତ୍ରା ବେଳେ ଶୁଣିବାକୁ ମିଳେ, ନିତିପ୍ରତି ପ୍ରଭାତ ବନ୍ଦନା ଅଥବା ସନ୍ଧ୍ୟା ଆଳତୀ ବେଳେ ନୁହେଁ। କାମସୂତ୍ର ଏକ ବିଜ୍ଞାନ ହେଲେ ଏହାକୁ ବିଦ୍ୟାଳୟର ପାଠାଗାରରେ ସାଇତି ରଖା ହୁଏ ନାହିଁ। ଆଜିର ଏଇ ‘କୁମ୍ଭିଳକ’ ପ୍ରସଙ୍ଗରେ ଲେଖିଲା ବେଳକୁ ମନଟା ସିଂଘାରିବାକୁ ଯାଉନି, କିନ୍ତୁ ଆପଣା ଭାଷାଭାଷୀ ସାହିତ୍ୟିକ ସମାଜର ଯେଉଁମାନେ ଏଥିରେ ମଗ୍ନ ଅଛନ୍ତି ସେମାନଙ୍କ କଥା ଭାବି ମନରେ ପୀଡ଼ା ହେଉଛି। ଶବ୍ଦଚୌର୍ଯ୍ୟଙ୍କ ଉତ୍ପାତ ଏବକାର କଥା ନୁହଁ ଓଡ଼ିଆ ସାହିତ୍ୟ ସଂସାରରେ; ଏହା ସଂକ୍ରମିତ ଅନେକ ବର୍ଷରୁ। ଅନେକ ଆଗଧାଡ଼ିଆ ମଧ୍ୟ ଏଥିରେ କୌତୁକ ଅନୁଭବ କରୁଛନ୍ତି ଓ ସମ୍ମାନ ଲୁଟୁଛନ୍ତି।
ଆଖିପାଣି ଆଖିରେ ମରିଛି ଏଥିପାଇଁ ଯେ, ପ୍ରକାଶନ ଓ ସଞ୍ଚାର (ଫେସ୍ବୁକ୍, ଟ୍ୱିଟର୍, ଇନ୍ଷ୍ଟାଗ୍ରାମ୍, ହ୍ୱାଟ୍ସ୍ଆପ୍, ସମ୍ବାଦପତ୍ର, ପ୍ରଭୃତି) ମାଧ୍ୟମରେ ଶବ୍ଦଚୌର୍ଯ୍ୟଙ୍କ ଦୌରାତ୍ମ୍ୟ ନିତିଦିନିଆ। ଅନ୍ୟ ସଞ୍ଚାର ମାଧ୍ୟମ, ଭାଷା, ଲିପିବଦ୍ଧ ସଂଗ୍ରହରୁ ଉତାରି ଆଣି ସେଥିରେ ନୂଆ ଆବରଣ ଓ ଅଳଙ୍କରଣ ଦେଇ ନିଜ ନାମରେ ଛାପିବାରେ ଲାଗିଛନ୍ତି। ଏଇମାନଙ୍କ ଲେଖା ପ୍ରକାଶ କଲାବେଳେ ସମ୍ପାଦକ ଓ ସଂଗ୍ରହକର୍ତ୍ତା ଲେଖା ବଦଳରେ ସେମାନଙ୍କ ମୁହଁଙ୍କୁ ଦେଖି ମୋହଗ୍ରସ୍ତ ହୋଇ ଛାପିବାରେ ଅକାର୍ପଣ୍ୟ ହୁଅନ୍ତି।
ଏବେ ସେଥିରେ ସହାୟକ ହେଉଛି ଗୁଗୁଲ୍ର ଲିପି ନ୍ୟାସ ପ୍ରକ୍ରିୟା। ଏଇ କୁମ୍ଭିଳକ ଗୋଷ୍ଠୀ ପୃଥିବୀର ବିଭିନ୍ନ ଭାଷାଭାଷୀ ପୁରାତନ ସାହିତ୍ୟ ସଂଗ୍ରହକୁ ପ୍ରଥମେ ଲିପ୍ୟନ୍ତରଣ ପ୍ରକ୍ରିୟାରେ ଇଂରାଜୀକୁ ଓ ତାପରେ ଓଡ଼ିଆକୁ ବଦଳାଇ; ସେଥିରେ ଅକ୍ଷରଚଣ ଭାବବୋଧ ନେଇ ତାହା ନିଜର ଆଲେଖ୍ୟ ବୋଲି ପ୍ରଚାର ଓ ପ୍ରସାର କରିବାରେ ହିଁ ସାହିତ୍ୟ ସାଧନା ବୋଲି ମାନି ନେଇଛନ୍ତି।
ଦଶ ପନ୍ଦର ବର୍ଷ ହେଲା ସାହିତ୍ୟ ତ୍ରିଭୁଜର ଶୀର୍ଷବିନ୍ଦୁରେ ଥିବା ଅନେକ ଲେଖକ, ପ୍ରକାଶକ ଓ ପାଠକ ତଥା କେନ୍ଦ୍ରସ୍ଥ ସମୀକ୍ଷକଗଣଙ୍କୁ ଲେଖି, ବୁଝାଇ, ଶୁଣାଇ ଚାଲିଛି ଏଇ ଅଠର ଭାରତ କଥା; ହେଲେ ଆମ ଅନୁରୋଧର ଖାତିର୍ ନଦାରଦ। ଏଣୁ ଆମ ଭାଷା ଓ ଅକ୍ଷରକୁ ଏଇ ଶବ୍ଦଚୌର୍ଯ୍ୟ କୁମ୍ଭିଳକଗଣଙ୍କ ଠାରୁ ବଞ୍ଚାଇବାର ଏକ ଅଭିଯାନରେ ଆମ୍ଭେ ଅହରହ ସଂଗ୍ରାମରତ; ଯଦି ଆପଣ ଆମ୍ଭର ଏହି ଆଶୟାର୍ଥ ସମଝି ପାରୁଛନ୍ତି ତେବେ ଆସନ୍ତୁ, ଗୂଢ଼ପଥରେ।
ଅଳମତିବିସ୍ତରେଣ।
– ପ୍ରଭୂ
* କୁମ୍ଭିଳକ – ଶ୍ଳୋକାର୍ଥ ଚୌର, ଯେଉଁ ବ୍ୟକ୍ତି ପର ରଚିତ ଭାବ ବା ଶ୍ଳୋକାଂଶକୁ ଚୋରି କରି ଶ୍ଳୋକରଚନା କରେ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୨ ସଂଖ୍ୟାରେ ପ୍ରକାଶିତ ଶ୍ରୀ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ । )