- ଓଡ଼ିଆ ଭାଷା ଯେତେବେଳେ ଦୁର୍ବଳ ହୋଇଯିବ, ତା’କୁ ଆଉ କେହି ପଢିବେନାହିଁ। ଚିନ୍ତାଶୀଳ ଲୋକ ସେଥିରେ ଲେଖିବା ପାଇଁ ଆଉ କାହିଁକି ପ୍ରବୃତ୍ତ ହେବେ?
ବର୍ଷୀୟାନ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡିଶା ସାହିତ୍ୟ ଜଗତର ଜଣେ ଯଶସ୍ୱୀ ସାଧକ। ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିବା ଏହି ପ୍ରବୀଣ ସାହିତ୍ୟିକ ଓଡ଼ିଆ ଗଳ୍ପ, ଉପନ୍ୟାସ ତଥା ଶିଶୁସାହିତ୍ୟକୁ ନିଜର ବହୁ ଉଚ୍ଚକୋଟୀର ରଚନାବଳୀରେ ସମୃଦ୍ଧ କରିଛନ୍ତି। ୧୯୫୮ ମସିହାରେ ଜଣେ ରସାୟନ ବିଭାଗର ଅଧ୍ୟାପକ ଭାବରେ ଯୋଗଦେଇ ସେ ଶିକ୍ଷା ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେବା ପ୍ରଦାନ କରିବା ପରେ ୧୯୯୨ ମସିହାରେ ଅବସର ଗ୍ରହଣ କରିଥିଲେ। ସେ ଅତିବଡୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ମର୍ଯ୍ୟାଦାଜନକ ସମ୍ମାନମାନଙ୍କରେ ଭୂଷିତ। ତା’ଙ୍କ ସହିତ ବିବିଧ ସାରସ୍ୱତ ପ୍ରସଙ୍ଗରେ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସଂପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଖୁବ୍ ନିକଟରେ ପ୍ରକାଶ ପାଇଛି, ଆପଣ ନିଜ ବାଲ୍ୟାବସ୍ଥାରେ ଲେଖିଥିବା ଏକ କବିତା ସଂକଳନ ‘ମନ୍ଦାକିନୀ’। ଏଥିରୁ ଜାଣିବାକୁ ପାଇଲୁ ଯେ ଆପଣ ଜୀବନର ପ୍ରଥମ କବିତାଟି ଲେଖିଥିଲେ ମାତ୍ର ୧୧ ବର୍ଷ ବୟସରେ। କ’ଣ ଥିଲା ଏହି କବିତା ପଛର ପ୍ରେରଣା?
ଶାନ୍ତନୁ କୁମାର ଆଚାର୍ଯ୍ୟ: ଏଥିପାଇଁ ମଣିଷର ପ୍ରେରଣା ଦୁଇଟି ସ୍ରୋତରୁ ଆସେ, ଗୋଟିଏ ହେଲା ଶୋକ ଏବଂ ଅନ୍ୟଟି ହେଲା ଏକ୍ଟାସିଆ ବା ଆନନ୍ଦ। ଏ ଦୁଇଟି ଯାକ ମୋ କବିତାର ପୃଷ୍ଠଭୂମିରେ ଥିଲା। ପ୍ରଥମଟି ହେଉଛି ମାତୃ ବିଚ୍ଛେଦ, ଏବଂ ଦ୍ୱିତୀୟଟି ହେଉଛି ଯେ ମୁଁ ସେ ସମୟରେ ବାଙ୍କି ସୁବର୍ଣ୍ଣପୁର ଏମ୍.ଇ ସ୍କୁଲରେ ପଢୁଥିଲି; ସ୍କୁଲ ସାମନାରେ ଦିନେ ପ୍ରଭାତରେ ମହାନଦୀ ଗର୍ଭରେ ସୂର୍ଯ୍ୟୋଦୟର ଦୃଶ୍ୟ ଦେଖିଲି। ସେହି ସ୍ୱର୍ଗୀୟ ପରିବେଶ ଓ ଦୃଶ୍ୟ ମୋତେ ଅଭିଭୂତ କରିଦେଲା। ଏହାରି ପ୍ରଭାବରେ ଲେଖିଲି ମୋର ପ୍ରଥମ କବିତାଟି, ‘ପ୍ରଭାତ’।
ସାହିତ୍ୟ ଚର୍ଚ୍ଚା: ‘ପ୍ରଭାତ’ କବିତାରେ ଆପଣ ଯେଉଁ ପ୍ରକୃତି ବର୍ଣ୍ଣନା ଦେଇଛନ୍ତି, ତାହା ନୈସର୍ଗିକ ପରିଦୃଶ୍ୟର ଏକ ଉପରଠାଉଣିଆ ଚିତ୍ରଣ ନୁହେଁ, ବରଂ ତାହା ପ୍ରକୃତି ପ୍ରତି ଏକ ନିବିଡ଼ ଅନ୍ତର୍ଦୃଷ୍ଟି। ମାତ୍ର ଏଗାର କିମ୍ବା ବାର ବର୍ଷ ବୟସରେ ଏଭଳି ଏକ ଅନନ୍ୟ ସମ୍ବେଦନଶୀଳତା ଆପଣଙ୍କର ଆସିଲା କେମିତି?
ଶାନ୍ତନୁ କୁମାର ଆଚାର୍ଯ୍ୟ: ସେତେବେଳେ ମୋ’ର ମାତୃ ବିଚ୍ଛେଦ ଜନିତ କିଛି ଭାବନା ମନକୁ ଆନ୍ଦୋଳିତ କରୁଥିଲା। ଭାବିଲି, ବଂଚିଥିବା ମଣିଷଟିଏ ଗଲା କୁଆଡେ? ବାଳୁତ ମନରେ ସ୍ଥିର କଲି ଯେ ସେ ପ୍ରକୃତି ଭିତରେ ହିଁ ଲୀନ ହୋଇଗଲା। ପ୍ରକୃତି ତାହେଲେ କ’ଣ? ଏହା ଜାଣିବା ପାଇଁ ଏକାକୀ ଯାଇ ନଦୀ କୂଳରେ ବସେ। ସୂର୍ଯ୍ୟୋଦୟର ଆଲୋକରେ ମୁଁ ତନ୍ମୟ ହୋଇ ଦେଖିଲି ଯେ ନଦୀରେ ଅସଂଖ୍ୟ ତରଙ୍ଗ, ଏବଂ ସେଠାରେ ନିରନ୍ତର ଭଙ୍ଗା ଓ ଗଢା ଚାଲିଛି। ଅନୁଭବ କଲି ଯେମିତି ଏ ବିସ୍ମୟକର ଜଗତ ପ୍ରଚ୍ଛନ୍ନ ଭାବରେ ଚାଲିଛି। ଏହା ମୋତେ ପ୍ରେରିତ କଲା କବିତାଟି ଲେଖିବାପାଇଁ।
ସାହିତ୍ୟ ଚର୍ଚ୍ଚା: ସେହି ଏଗାର ବର୍ଷ ବୟସରେ କେବଳ ଏହି ଗୋଟିକ ନୁହେଁ, ବରଂ ଆପଣ ଏମିତି ୫୪ଟି କବିତା ଲେଖିପକାଇଥିଲେ। କିନ୍ତୁ ତାହା ପ୍ରକାଶିତ ହେଲା ବର୍ତ୍ତମାନ, ଅର୍ଥାତ୍ ଯେତେବେଳେ ଆପଣଙ୍କୁ ୮୯ ବର୍ଷ ବୟସ। ଏହାର ରହସ୍ୟ କ’ଣ?
ଶାନ୍ତନୁ କୁମାର ଆଚାର୍ଯ୍ୟ: ରହସ୍ୟ କିଛି ନୁହେଁ। ସେତେବେଳେ ପ୍ରକାଶନର କୌଣସି ପନ୍ଥା ନଥିଲା। ମୁଁ ଅଳ୍ପ ବୟସରେ ଯେଉଁ କବିତାଗୁଡିକ ଲେଖିଥିଲି ସେସବୁକୁ ଏକାଠି କରି ‘ମନ୍ଦାକିନୀ’ ନାମକ ଏକ ହାତଲେଖା ବହିର ରୂପ ଦେଇଥିଲି, ଏବଂ ବାପାଙ୍କୁ ସେଇଟି ଉପହାର ଦେଇଥିଲି। ବାପା ତା’କୁ ନେଇ ଆମ ପ୍ରଧାନ ଶିକ୍ଷକ ଓ ଅନ୍ୟମାନଙ୍କୁ ଦେଖାଇଲେ। ଏଇଟି ପଢି ସମସ୍ତେ ଖୁସି ହେଲେ ଏବଂ ମୋତେ କବିର ପରିଚୟ ମିଳିଲା।
ସାହିତ୍ୟ ଚର୍ଚ୍ଚା: ତା’ପରେ ଲେଖିଲେ କି ଆହୁରି କିଛି?
ଶାନ୍ତନୁ କୁମାର ଆଚାର୍ଯ୍ୟ: ପରବର୍ତ୍ତୀ ସମୟରେ ଅର୍ଥାତ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ମୋ’ର ଚିନ୍ତାଧାରା ଟିକିଏ ଭିନ୍ନ ମୋଡ଼ ନେଲା, ଏବଂ ମନ ଟିକିଏ ବିଜ୍ଞାନ ଧର୍ମୀ ହୋଇଗଲା। ମୁଁ ଆଉ ସଂସାରର ବାସ୍ତବିକତାଗୁଡ଼ିକୁ ପ୍ରକୃତି ମଧ୍ୟରେ ଅନ୍ୱେଷଣ ନକରି ମଣିଷ ସମାଜ ମଧ୍ୟରେ ତାହାକୁ ଖୋଜିବାକୁ ଚେଷ୍ଟା କଲି।
ସାହିତ୍ୟ ଚର୍ଚ୍ଚା: ତେବେ ଏହି ବିଜ୍ଞାନ ସୁଲଭ ହେତୁବାଦ ପ୍ରତି ଢ଼ଳିବା ପରେ ବୋଧହୁଏ ଆପଣ ନିଜର ଅଳ୍ପ ବୟସରେ ରଚିତ ସେହି ପ୍ରକୃତି ଆଧାରିତ କବିତା ପ୍ରତି ବିଶେଷ ନଜର ଦେଲେନାହିଁ।
ଶାନ୍ତନୁ କୁମାର ଆଚାର୍ଯ୍ୟ: ମୁଁ ଭାବିଲି ଯେ ସେ ଧରଣର କବିତାରେ ଆମେ ପ୍ରକୃତିକୁ କେବଳ ବର୍ଣ୍ଣନା ହିଁ କରୁଛୁ। ଏଇଟା ମୋତେ କେମିତି ଅପୂର୍ଣ୍ଣ ଲାଗିଲା।
ସାହିତ୍ୟ ଚର୍ଚ୍ଚା: ସେହେତୁ ଆପଣ ଏହି ‘ମନ୍ଦାକିନୀ’ରେ ସଂକଳିତ କବିତାଗୁଡିକ ପ୍ରତି ବୋଧହୁଏ ଆଶ୍ୱସ୍ତ ନଥିଲେ।
ଶାନ୍ତନୁ କୁମାର ଆଚାର୍ଯ୍ୟ: ସେ ଆଶ୍ୱସ୍ତି ଆଉ ଏକ ପ୍ରକାରେ ପ୍ରକାଶ ପାଇଲା। କବି-ଭାବ ଯେତେବେଳେ ‘ରିଜନିଂ’ ଆଡ଼କୁ ଚାଲିଯାଏ ସେତେବେଳେ ଆଉ ଏକ ପ୍ରକାରର ମନୋସ୍ଥିତି ଆସିଯାଏ, ଯାହା ହୋଇପାରେ ମଡ଼ର୍ଣ୍ଣ ସାଇକୋଲୋଜି। ସେତେବେଳକୁ ଆମେ ହାଇସ୍କୁଲ ଓ କଲେଜ ମାଡ଼ିଲୁଣି; ଯୁକ୍ତିସିଦ୍ଧ ନହେଲେ କୌଣସି କଥା ସହଜରେ ଗ୍ରହଣ କରିହେଉନଥିଲା। ‘ମନ୍ଦାକିନୀ’ର କବିତାଗୁଡିକ ଯେମିତି ଥିଲା ମୋ’ର ପୂର୍ବ ଜନ୍ମର ସଂସ୍କାର। ପରବର୍ତ୍ତୀ ସମୟରେ ମୋ ମନରେ ସେଇ ଧରାବନ୍ଧା ମୂଲ୍ୟବୋଧ ପ୍ରତି ଅବିଶ୍ୱାସ ଆସିଥିଲା।
ସାହିତ୍ୟ ଚର୍ଚ୍ଚା: ସେଇଥିପାଇଁ ବୋଧହୁଏ ‘ମନ୍ଦାକିନୀ’କୁ ଏତେକାଳ ଗୁରୁତ୍ୱ ଦେଇନଥିଲେ।
ଶାନ୍ତନୁ କୁମାର ଆଚାର୍ଯ୍ୟ: ଗୁରୁତ୍ୱ ନଦେବା କଥା ନାହିଁ। ପ୍ରତ୍ୟେକ ଜୀବନର ଏକ ‘ଫେଜ୍’ ଅଛି। ପ୍ରତି ମଣିଷ ବିଭିନ୍ନ ବୟସରେ, ବିବିଧ ରୂପରେ ଆବିର୍ଭୂତ ହୁଏ।
ସାହିତ୍ୟ ଚର୍ଚ୍ଚା: ତେବେ ୭୮ ବର୍ଷ ଗୋଟିଏ ଦୀର୍ଘ ସମୟର ବ୍ୟବଧାନ ନୁହେଁ କି, ଆପଣ କବିତା ସଂକଳନଟିକୁ ଲେଖିବା, ଏବଂ ତାହାକୁ ପ୍ରକାଶ କରିବା ମଧ୍ୟରେ?
ଶାନ୍ତନୁ କୁମାର ଆଚାର୍ଯ୍ୟ: କଥା ହେଲା, ମୁଁ ଭାବିନଥିଲି ଯେ ପରବର୍ତ୍ତୀ କାଳର ଆଧୁନିକ କବିତାର ପରିବେଶ ଭିତରେ ସେ ଧରଣର କବିତା ଗ୍ରହଣୀୟ ହେବ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ଟିକିଏ ଦୋଦୋପାଞ୍ଚ ଥିଲେ ଯେ ତାହା ଗ୍ରହଣୀୟ ହେବ କି ନାହିଁ। କିନ୍ତୁ ଆପଣ ଯେତେବେଳେ ସେହି କବିତାଗୁଡିକ ଲେଖିଥିଲେ, ଏବଂ ଆଜିର ପରିବେଶ – ଏହା ଭିତରେ କବିତାର ସ୍ୱରୂପ ବଦଳିଯାଇଛି।
ଶାନ୍ତନୁ କୁମାର ଆଚାର୍ଯ୍ୟ: ପୁନରାୟ ସେହି ପୂର୍ବାବସ୍ଥା ଫେରିଆସୁଛି।
ସାହିତ୍ୟ ଚର୍ଚ୍ଚା: କବିତାକୁ ଯେ ଛନ୍ଦ ଓ ଗୀତିମୟତା ଫେରିଆସୁଛି, ଏହା ସହିତ ଆପଣ ଏକମତ କି?
ଶାନ୍ତନୁ କୁମାର ଆଚାର୍ଯ୍ୟ: ହଁ, ନିଶ୍ଚୟ।
ସାହିତ୍ୟ ଚର୍ଚ୍ଚା: ଅନ୍ୟ ଅନେକ ଲେଖକଙ୍କ ଭଳି ଆପଣ ସାହିତ୍ୟ ଜଗତରେ ପାଦ ଥାପିଥିଲେ କବିତାକୁ ନେଇ। ତେବେ ପୁଣି ଗଦ୍ୟ ରାଜ୍ୟରେ ପ୍ରବେଶ କଲେ କେବେ?
ଶାନ୍ତନୁ କୁମାର ଆଚାର୍ଯ୍ୟ: ମୁଁ ଗଦ୍ୟରେ ପ୍ରବେଶ କଲି ସେତେବେଳେ ଯେବେ ମୋ’ର ଉପନ୍ୟାସ ‘ନର କିନ୍ନର’ ପ୍ରକାଶିତ ହେଲା ୧୯୬୨ ମସିହାରେ। ଅବଶ୍ୟ ଏହା ଲେଖିବା ଆରମ୍ଭ କରିଥିଲି ୧୯୫୯ ମସିହାରୁ।
ସାହିତ୍ୟ ଚର୍ଚ୍ଚା: ସେହି ୧୯୫୯ ବେଳକୁ ଆପଣଙ୍କ ଗଳ୍ପ ‘ମନ ମର୍ମର’ ମଧ୍ୟ ପ୍ରକାଶିତ ହୋଇଥିଲା। ତେଣୁ ସେଇଟି ବୋଧହୁଏ ଆପଣଙ୍କ ପ୍ରଥମ ଗଦ୍ୟ ରଚନା।
ଶାନ୍ତନୁ କୁମାର ଆଚାର୍ଯ୍ୟ: ଉପନ୍ୟାସ ଲେଖା ଚାଲିଥିବା ସମୟରେ ଲେଖିଥିଲି ଏହି ଗଳ୍ପଟି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପ୍ରଥମ ଗଳ୍ପ ‘ମନ ମର୍ମର’ରେ ପିଲାମାନେ ଖେଳୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିବାର ଏକ ମାର୍ମିକ ଆଲେଖ୍ୟ ରୂପ ପାଇଛି। ଗୋଟିଏ ବାସ୍ତବ ଅନୁଭୂତିର ପୃଷ୍ଠଭୂମି ନଥିଲେ କୌଣସି ଘଟଣାକ୍ରମର ଏଭଳି ଜୀବନ୍ତ ବର୍ଣ୍ଣନା ସମ୍ଭବ ନୁହେଁ। ଏଇଟି ତେଣୁ ସେଭଳି କିଛି ବାସ୍ତବ ଘଟଣା ଉପରେ ଆଧାରିତ ଥିଲା କି?
ଶାନ୍ତନୁ କୁମାର ଆଚାର୍ଯ୍ୟ: ପିଲାଦିନେ ମୁଁ ମୋ ବଡ଼ ଭଉଣୀ ସହ ଖେଳୁଥିଲି। ଏମିତି ଖେଳୁଥିବା ବେଳେ ତା’କୁ ମୁଁ ଅନେକ ସମୟରେ ଠେଲିଦିଏ। ଯେମିତି ସାଧାରଣତଃ ପିଲାମାନେ କରନ୍ତି, ମୁଁ ଅଜାଣତରେ କରୁଥିଲି ଏହା। କିନ୍ତୁ ପରେ ମୋ’ର ହୃଦବୋଧ ହେଲା ଯେ ମୁଁ ଅଜାଣତରେ ତାହା କରୁନଥିଲି। ବରଂ ଏହା ପଛରେ ଥିଲା ମୋ’ର ଈର୍ଷା। ଯେତେବେଳେ ଏକଥା ମନ ଭିତରେ ପ୍ରବେଶ କଲା, ସେତେବେଳେ ଲାଗିଲା ଯେ ମୁଁ ଦୋଷୀ। ଏହା ମୋ’ର ଭାବ ଜଗତରେ ଜଡିତ ହୋଇ ଗଳ୍ପର ରୂପ ନେଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପ୍ରଥମ ଉପନ୍ୟାସ ‘ନର କିନ୍ନର’ରେ ମଣିଷର ଆତ୍ମ-ଅନୁସନ୍ଧାନର ଏକ ନୂଆ ଦିଗକୁ ଛୁଇଁଛନ୍ତି ଆପଣ।
ଶାନ୍ତନୁ କୁମାର ଆଚାର୍ଯ୍ୟ: ହଁ, ଏଥିରେ ‘ମଣିଷ କିଏ?’ – ଏ ପ୍ରଶ୍ନର ପୁରାତନ ଓ ଆଧୁନିକ, ଉଭୟ ପ୍ରେକ୍ଷାପଟରେ ଆଲୋଚନା ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟର ବିଚାରଧାରାଗତ ଦ୍ୱନ୍ଦ୍ୱରୁ ଏହି ପ୍ରଶ୍ନର ସୃଷ୍ଟି।
ସାହିତ୍ୟ ଚର୍ଚ୍ଚା: ଏହି ଦ୍ୱନ୍ଦ୍ୱର ମୂଳ ବିନ୍ଦୁ କ’ଣ ଥିଲା?
ଶାନ୍ତନୁ କୁମାର ଆଚାର୍ଯ୍ୟ: ମୋତେ ୧୯ ବର୍ଷ ବୟସ ହୋଇଥିଲା ବେଳେ ମୋ ମନରେ ଏକ ଆତ୍ମସଂଘାତ ହେଲା ଯେ, ଭଗବାନ ଯଦି ଅଛନ୍ତି ତେବେ ବିଜ୍ଞାନର ଅର୍ଥ କ’ଣ? ‘ନରକିନ୍ନର’ର ପୃଷ୍ଠଭୂମି ହେଉଛି, ଈଶ୍ୱରଙ୍କୁ ଚ୍ୟାଲେଂଜ୍ କରିବା। ମୁଁ ଯୁକ୍ତିର ମାଧ୍ୟମ ଦେଇ ବ୍ୟବସ୍ଥାକୁ ଦେଖିଲି। ମୋ’ର ପ୍ରକୃତି ହେଉଛି ଦସ୍ତୋଭସ୍କିଆନ୍, ଟଲଷ୍ଟୟାନ୍ ନୁହେଁ।
ସାହିତ୍ୟ ଚର୍ଚ୍ଚା: ଏ ଦୃଷ୍ଟିରୁ ଏହି ଉପନ୍ୟାସଟି ଏକ ମେଟାଫିଜିକାଲ୍ ଦ୍ୱନ୍ଦ୍ୱ ଉପରେ ଆଧାରିତ।
ଶାନ୍ତନୁ କୁମାର ଆଚାର୍ଯ୍ୟ: ହଁ, ଏହା ମେଟାଫିଜିକାଲ୍ ଉପନ୍ୟାସଟିଏ ବୋଲି କୁହାଯାଇପାରେ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ବୃତ୍ତିଗତ ଜୀବନରେ ପ୍ରଥମେ ଥିଲେ ଘରୋଇ ଉଦ୍ୟୋଗରେ ଜଣେ କେମିଷ୍ଟ। ତାପରେ ହେଲେ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ। ତେବେ ବିଜ୍ଞାନ ଆଧାରିତ ବୃତ୍ତି ସହିତ ଏକ ସାହିତ୍ୟିକ ପ୍ରବୃତ୍ତିର ସହାବସ୍ଥାନ କେମିତି ସମ୍ଭବ ହେଲା?
ଶାନ୍ତନୁ କୁମାର ଆଚାର୍ଯ୍ୟ: ସମ୍ଭବ ହେଲାନାହିଁ, ତେଣୁ ତ କମ୍ପାନୀର ଚାକିରୀ ଛାଡିଦେଲି।
ସାହିତ୍ୟ ଚର୍ଚ୍ଚା: ଶ୍ରୀ ଅରବିନ୍ଦଙ୍କ ଦର୍ଶନର କିଛି ପ୍ରଭାବ ପଡ଼ିଛି କି ଆପଣଙ୍କ ରଚନାରେ?
ଶାନ୍ତନୁ କୁମାର ଆଚାର୍ଯ୍ୟ: ନା, ସେମିତି କିଛି ହୋଇଛି ବୋଲି ମୁଁ ଭାବୁନାହିଁ। ଅନ୍ୟ କାହାର ପ୍ରଭାବ ବି ପଡିନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଆତ୍ମଜୀବନୀ, ‘ମୋ ଜୀବନ – ଅନ୍ୟ ଏକ ଉପନ୍ୟାସ’ ପ୍ରକାଶ ପାଇଥିଲା ୨୦୧୩ ରେ। ଏହାର ପରବର୍ତ୍ତୀ ସମୟର ଜୀବନାନୁଭୂତିକୁ ନେଇ ଦ୍ୱିତୀୟ ଭାଗ ଲେଖିବାର ଯୋଜନା ଅଛି କି?
ଶାନ୍ତନୁ କୁମାର ଆଚାର୍ଯ୍ୟ: ପରବର୍ତ୍ତୀ ଘଟଣାବଳୀ ମୋ’ର ‘ଆମେରିକା ଭ୍ରମଣ’ ପୁସ୍ତକରେ ଉପଲବ୍ଧ ଅଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଲେଖକୀୟ ଜୀବନରେ ଶିଶୁ ସାହିତ୍ୟ ପ୍ରତି ବିଶେଷ ଅବଦାନ ରହିଛି। ଆପଣଙ୍କର ପ୍ରାୟ ଦଶଗୋଟି ଶିଶୁ ସାହିତ୍ୟମୂଳକ ପୁସ୍ତକ ପ୍ରକାଶ ପାଇସାରିଛି। ଏଗୁଡିକ ଶିଶୁସାହିତ୍ୟରେ ଏକ ନୂଆ ଧାରା ଆଣିବାର ପ୍ରୟାସ ଥିଲା କି?
ଶାନ୍ତନୁ କୁମାର ଆଚାର୍ଯ୍ୟ: ଶିଶୁ ସାହିତ୍ୟ କେବଳ ଶିଶୁମାନଙ୍କ ପାଇଁ ଲେଖା ହେଉନଥିଲା। ଏହା ଥିଲା ସର୍ବସାଧାରଣ ସାହିତ୍ୟ। ଯେମିତି ରାମାୟଣ; ଏହା ଶିଶୁମାନଙ୍କ ପାଇଁ ଯେତିକି ଉପଯୋଗୀ, ବୟସ୍କଙ୍କ ପାଇଁ ବି ସେତିକି।
ସାହିତ୍ୟ ଚର୍ଚ୍ଚା: ଆମର ସାମ୍ପ୍ରତିକ ସାହିତ୍ୟରେ ସବୁଠାରୁ ଉଦ୍ବେଗଜନକ ସମସ୍ୟାଟି କ’ଣ ବୋଲି ଆପଣ ଭାବନ୍ତି?
ଶାନ୍ତନୁ କୁମାର ଆଚାର୍ଯ୍ୟ: କଥା ହେଉଛି ଅଧିକାଂଶ ଲେଖକ ଘଟୁଥିବା ଘଟଣାମାନଙ୍କର ସାମ୍ବାଦିକତା ସୁଲଭ ଉପସ୍ଥାପନା କରୁଛନ୍ତି।
ସାହିତ୍ୟ ଚର୍ଚ୍ଚା: ସେମାନଙ୍କଠାରେ ସମ୍ବେଦନଶୀଳ ଦୃଷ୍ଟିକୋଣ ଏବଂ ସୃଜନଶୀଳତାର ଅଭାବ ରହୁଛି କି?
ଶାନ୍ତନୁ କୁମାର ଆଚାର୍ଯ୍ୟ: ସାମ୍ବାଦିକତା ହେଲା, ଘଟିଯାଇଥିବା ଘଟଣାର ଆଲୋଚନା। ସାହିତ୍ୟ ଅଘଟିତ ଓ ସମ୍ଭାବ୍ୟ ଘଟଣାର ଆତ୍ମପ୍ରକାଶ। ଆଜିର ସାହିତ୍ୟରେ କିନ୍ତୁ ଏହି ଦିଗଟି ବିଶେଷ ଦୃଷ୍ଟିଗୋଚର ହେଉନାହିଁ।
ସାହିତ୍ୟ ଚର୍ଚ୍ଚା: ଆଗାମୀ ଦିନମାନଙ୍କରେ ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିଭଳି ଦେଖନ୍ତି?
ଶାନ୍ତନୁ କୁମାର ଆଚାର୍ଯ୍ୟ: ଯଦି ଆମେ ଏମିତି ତଳକୁ ଖସି ଖସି ଚାଲିଥିବା ତେବେ ତ ଭବିଷ୍ୟତ ଉଦ୍ବେଗଜନକ। ଗତକାଲି କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ଲକ୍ଷ୍ୟ କଲି ଯେ ରାସ୍ତାକଡର ସାଇନବୋର୍ଡ଼ଗୁଡିକରେ ଓଡ଼ିଆ ଭାଷାର ସ୍ଥାନ ନାହିଁ। ମନେହେଲା ଯେମିତି ଓଡ଼ିଆମାନେ ନିଜର ଭାଷା ଓ ନିଜର ସଂସ୍କୃତିକୁ ନେଇ ଆଉ ଗର୍ବିତ ନୁହନ୍ତି।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ କହିବାର କଥା ଯେ ଓଡ଼ିଆ ଭାଷାର ଏହି ବିପର୍ଯ୍ୟୟ ସହ ସମତାଳ ଦେଇ ଓଡ଼ିଆ ସାହିତ୍ୟ ମଧ୍ୟ ବିପତ୍ତିର ସମ୍ମୁଖୀନ !
ଶାନ୍ତନୁ କୁମାର ଆଚାର୍ଯ୍ୟ: ନିଶ୍ଚିତ ଭାବରେ। ଓଡ଼ିଆ ଭାଷା ଯେତେବେଳେ ଦୁର୍ବଳ ହୋଇଯିବ, ତା’କୁ ଆଉ କେହି ପଢିବେନାହିଁ। ଚିନ୍ତାଶୀଳ ଲୋକ ସେଥିରେ ଲେଖିବା ପାଇଁ ଆଉ କାହିଁକି ପ୍ରବୃତ୍ତ ହେବେ?
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଉପଯୋଗୀ ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୨ ସଂଖ୍ୟାରେ ପ୍ରକାଶିତ। )