ସାହିତ୍ୟ ସେବା – ଜଗନ୍ନାଥ ସେବା

ଓଡିଆ ଜାତି ଯେ ସ୍ୱଭାବତଃ ଜଗନ୍ନାଥ-ମନସ୍କ, ଏଥିରେ ଦ୍ୱିମତ ନାହିଁ। ଆମର ତନ, ମନ, ଆଚାର, ବିଚାର, ନୃତ୍ୟ, ସଂଗୀତ, ଭାବ ଓ ସ୍ୱଭାବ ଆଦି ସମସ୍ତ ସ୍ତରରେ ଶ୍ରୀ ଜଗନ୍ନାଥ, ପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ, ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇରହିଥାଆନ୍ତି। ଓଡ଼ିଆ ସ୍ୱୟଂ ଜଗନ୍ନାଥଙ୍କୁ ନିଜର ନେତା ବୋଲି ସ୍ୱୀକାର କରିଥାଏ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଭାଷାରେ, ‘ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ।’
ରାଜସ୍ଥାନ ପ୍ରଦେଶରେ ଜନ୍ମିତ ଜଣାଶୁଣା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ (ବର୍ତ୍ତମାନର ରେଳବାଇ ମନ୍ତ୍ରୀ), ନିଜ ଚାକିରୀ ଜୀବନର ସ୍ୱଳ୍ପ କାଳ ଓଡିଶାରେ କଟାଇବା ପରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଏପରି ପ୍ରଗାଢ଼ ଭାବରେ ଭଲ ପାଇବସିଲେ ଯେ କିଛି ବର୍ଷ ତଳେ ଯେତେବେଳେ ସେ ନିର୍ବାଚିତ ହୋଇ ରାଜ୍ୟସଭାକୁ ଗଲେ ସେତେବେଳେ ଜାତୀୟ ପାର୍ଲିଆମେଣ୍ଟରେ ନିଜର ପ୍ରଥମ ଅଭିଭାଷଣରେ ଦୃପ୍ତ କଣ୍ଠରେ ଘୋଷଣା କରିଥିଲେ, “ମୁଁ ଏଭଳି ଏକ ରାଜ୍ୟରୁ ନିର୍ବାଚିତ ହୋଇ ଆସିଥିବାରୁ ଗର୍ବିତ ଯାହାର ଭାଷା ହେଉଛି ସ୍ୱୟଂ ଜଗନ୍ନାଥଙ୍କର ଭାଷା। ଓଡ଼ିଆ ସାଧାରଣ ଭାଷାଟିଏ ନୁହେଁ, ବରଂ ଏକ ଦେବ-ଭାଷା।’
ଆଜିର ରଥଯାତ୍ରା ଅବସରରେ ତାଙ୍କର ଏହି ବକ୍ତବ୍ୟକୁ ସ୍ମରଣକୁ ଆଣିବା ବେଳେ ଆମର ହୃଦବୋଧ ହେଉଛି ଯେ କେବଳ ଭାଷା କାହିଁକି, ଆମର ତତ୍ ସଂଶ୍ଲିଷ୍ଟ ସାହିତ୍ୟ ମଧ୍ୟ ଜଗନ୍ନାଥଙ୍କର; ଏବଂ ଏବେ ଯେଉଁ ଅଗଣିତ କବି ଓ ଲେଖକମାନେ ଓଡ଼ିଆ ସାହିତ୍ୟର ସେବାରେ ବ୍ରତୀ ଅଛନ୍ତି ସେମାନେ ସମସ୍ତେ ଏତଦ୍ୱାରା ସେହି ପରମ କାରୁଣିକ ମହାପ୍ରଭୁଙ୍କ ସେବାରେ ହିଁ ବିନିଯୁକ୍ତ ଅଛନ୍ତି।
ଜଗନ୍ନାଥଙ୍କୁ ଛାଡ଼ି ଓଡ଼ିଆ ସାହିତ୍ୟର ପରିଚୟ ନାହିଁ। ପଞ୍ଚଦଶ ଶତାବ୍ଦୀରେ ଆଦିକବି ସାରଳା ଦାସ ଯେତେବେଳେ ଓଡ଼ିଆ ଭାଷାରେ ମହାଭାରତ ଗ୍ରନ୍ଥର ରୂପାୟନ କଲେ ସେତେବେଳେ ସେ ପୁରାତନ ସଂସ୍କୃତ ମହାଭାରତରେ ବର୍ଣ୍ଣିତ କେତେକ ପ୍ରକରଣରେ ସାମାନ୍ୟ ପରିବର୍ତ୍ତନ ଆଣି ସେଥିରେ ଜଗନ୍ନାଥପ୍ରାଣତାର ସଂଯୋଗ ଘଟାଇଥିଲେ। ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ସମୁଦ୍ର ଗର୍ଭରେ ନିପତିତ ହେବାପରେ ପୁରୀର ମହୋଦଧିକୁ ଦାରୁ ରୂପରେ ଭାସିଆସି ଉତ୍କଳରେ ଶ୍ରୀ ଜଗନ୍ନାଥ ତତ୍ତ୍ୱର ସୂତ୍ରପାତ ଘଟାଇଥିବା କଥା ସେ ନିଜର ରଚନାରେ ବର୍ଣ୍ଣନା କରିଛନ୍ତି। ସେହିପରି ପରବର୍ତ୍ତୀ କାଳରେ ପଞ୍ଚସଖା ଯୁଗର କବିମାନେ ମଧ୍ୟ ନିଜସ୍ୱ ଭକ୍ତିମାର୍ଗରେ ସେହି ଦାରୁବ୍ରହ୍ମଙ୍କ ମହିମାଗାନରେ ଶତମୁଖ ହୋଇଉଠିଛନ୍ତି। ଅବଧି ଆମର କାବ୍ୟ, କବିତା, ପ୍ରବନ୍ଧ, ଗଳ୍ପ ଆଦିରେ ମଧ୍ୟ ସେହି ଜଗନ୍ନାଥ-ମନସ୍କତାର ପ୍ରଭାବ ବହୁବିଧ ରୂପରେ ଦେଖିବାକୁ ମିଳେ। ଓଡ଼ିଆ ଭଜନ ଓ ଜଣାଣ ଆମର କଳା ଠାକୁରଙ୍କ ପରମ ପ୍ରିୟ। ଭକ୍ତର ଭାବନା ତାଙ୍କ ସମୀପରେ ପହଞ୍ଚେ ଆମର ଭାଷା ଓ ସାହିତ୍ୟ ଜରିଆରେ। ଏଣୁ କୁହାଯାଏ ଯେ ଓଡ଼ିଆ ଭାଷା ହେଉଛି ତାହାଙ୍କର ଅତି ପ୍ରିୟ।
ଏହି ପ୍ରେକ୍ଷାପଟରେ ସାହିତ୍ୟର ରଚନା ଓ ପ୍ରସାରରେ ନିମଗ୍ନ ଓଡିଶାର ସାରସ୍ୱତ ସ୍ରଷ୍ଟାମାନେ ନିଜର ସାହିତ୍ୟ ସାଧନାକୁ ଜଗନ୍ନାଥ ଉପାସନାର ଏକ ପନ୍ଥା ଭାବରେ ବରି ନେବା ବିଧେୟ। ଯେତେବେଳେ ସାହିତ୍ୟ ଐଶ୍ୱରୀୟ ଅନୁପ୍ରେରଣାର ଏକ ମାଧ୍ୟମ ହୋଇଯାଏ ସେତେବେଳେ ଅନ୍ତର୍ହିତ ହୁଏ ମନୁଷ୍ୟର ଅଭ୍ୟନ୍ତର ଓ ବାହ୍ୟ ଆଚରଣର ସମଗ୍ର ଆବିଳତା ଓ ଭେଦଭାବ।
ଆଜି ଯେତେବେଳେ ଆମ ସାହିତ୍ୟର ଦୃଶ୍ୟପଟରେ କେତେକ ଗୋଷ୍ଠୀବିବାଦ ଓ ପରଶ୍ରୀକାତରତାର ଦୃଷ୍ଟାନ୍ତ ଦୃଷ୍ଟିଗୋଚର ହେବାରେ ଲାଗିଛି, ସେତେବେଳେ ଆମର ଲେଖକ କୁଳ ବିଶୁଦ୍ଧ ଚିତ୍ତରେ ନିଜର ସାହିତ୍ୟ ସାଧନାକୁ ଜଗନ୍ନାଥ-ମନସ୍କତାରେ ନିମଗ୍ନ କରି ସାହିତ୍ୟରେ ସହାବସ୍ଥାନର ଏକ ସକାରାତ୍ମକ ଧାରା ପ୍ରବାହିତ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି।

  • ନିହାର ଶତପଥୀ
    (‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୨ ସଂଖ୍ୟାରେ ପ୍ରକାଶିତ ସଂପାଦକୀୟ। )

2 thoughts on “ସାହିତ୍ୟ ସେବା – ଜଗନ୍ନାଥ ସେବା

  1. “ଜଗନ୍ନାଥ ମହାବାହୁ ନିଳlଦ୍ରିଶ ମଙ୍ଗଳ ଦାୟକ ଦେବ ହରେ ”
    — ଧାରା ଶ୍ରୀରାଧା

  2. ବାସ୍ତବରେ ଓଡ଼ିଆ ସାଧାରଣ ଭାଷାଟିଏ ନୁହେଁ, ବରଂ ଏକ ଦେବ-ଭାଷା।

Leave a Reply

Your email address will not be published. Required fields are marked *