- ସେ ବିରକ୍ତିଭରା କଣ୍ଠରେ କହିଲା, ‘କଣ ଏଗୁଡ଼ିକ ରାନ୍ଧିଚୁ? ଆମେ ତିନିବର୍ଷ ପରେ ଆସିଚୁ। ଆମିଷ ଗୋଟେ ଆଇଟମ୍ କରିପାରିଲୁନି।’
ପ୍ରଭାତବାବୁ ଓ ନଳିନୀ ଦେବୀ ‘ଓ୍ଯାର୍କ ଫ୍ରମ୍ ହୋମ୍’ ଅନୁଯାୟୀ ପିଲାମାନେ ଭୁବନେଶ୍ୱର ଆସୁଥିବା ଖବର ଶୁଣି ଆନନ୍ଦରେ ଅଭିଭୂତ ହୋଇଗଲେ। ତିନି ବର୍ଷ ତଳେ ବାହାଘର ପରେ ବାଙ୍ଗାଲୋର ଗଲେ ଯେ ଗଲେ, ଆଉ ଆସିନାହାନ୍ତି। ସେମାନଙ୍କ ବାଟକୁ ଅନେଇ ଅନେଇ ବାପା ମାଆଙ୍କର ଆଖିରୁ ପାଣି ମଲାଣି। କାମ ବୋଝର ଦ୍ବାହି ଦେଇ ବର୍ଷଟିଏ ଆସିଲେନି। ତାପରେ ମାଡିଆସିଲା କ୍ରୁର କରୋନାର କାରୁଣ୍ଯ, ନିଜ କଟକଣାର କାୟା ମେଲାଇ ।
ପୁଅବୋହୂ ଆସିବେ ବୋଲି ପ୍ରଭାତ ବାବୁ ଓ ନଳିନୀଙ୍କର ଗୋଡ଼ ତଳେ ଲାଗୁନି। ଦୁହେଁ ବଜାର ଯାଇ ପୁଅବୋହୂଙ୍କର ପ୍ରିୟ ଖାଦ୍ୟ ଜିନିଷ ଘରେ ଜମାଇବାରେ ଲାଗିଯାଇଛନ୍ତି। ବୋହୂ ପାଇଁ ହଳଦୀ ଗରଗର ରଙ୍ଗର ଦୁଇଟି ବନାରସୀ ପାଟ କିଣିଛନ୍ତି ।
ଦିନ ଦୁଇଟାରେ ପୁଅବୋହୂ ଆସି ଘରେ ପହଞ୍ଚିଗଲେ। ଖୁସିରେ ଭିଜିଗଲେ ପ୍ରଭାତବାବୁ ଓ ନଳିନୀ। ପୁଅ-ବୋହୂ ଦୁହେଁ ସଫ୍ଟଓୟାର ଇଞ୍ଜିନିୟର। ବାଙ୍ଗାଲୋରରେ ଉଚ୍ଚବେତନପ୍ରାପ୍ତ ଚାକିରି। ଦୁହେଁ ରଙ୍ଗ ଛାଡି ଛାଡି ଯାଉଥିବା ଜିନ୍ ପ୍ଯାଣ୍ଟ ପିନ୍ଧିଛନ୍ତି। ତାହା ପୁଣି ଚିରାମିରା ଓ ଫଟା। ତା’ର ଫାଙ୍କରୁ ବୋହୂର ଗୋଡ଼ ପିଣ୍ଡାର ମାଂସଳ ଇଲାକା ବୁକେଇ ପଡ଼ି ବାହାରକୁ ଉଙ୍କି ମାରୁଛନ୍ତି। ବୋହୂର ମୁହଁ କଣ ଦେଖିବେ, ସେଇ ଛିଣ୍ଡା ଅଛିଣ୍ଡା ଅରଣ୍ୟର ଅନାବନା ଅଞ୍ଚଳରେ ସେମାନଙ୍କ ଆଖି ଲାଗିଯାଇଥିଲା; ଅସନ୍ତୋଷର ନିଆଁ ହୁତୁହୁତୁ ହୋଇ ଜଳିବା ଆଗରୁ ତାକୁ ଲାଗିପାତି ଲିଭାଇବାକୁ ଚେଷ୍ଟା କରିଥିଲେ।
ପୁଅବୋହୂ ବାଥରୁମରେ ଫ୍ରେଶ ହେଉଥିବାବେଳେ ନଳିନୀ ଡାଇନିଂ ଟେବୁଲ ଉପରେ ଭାତ, ଡାଲି, ପାଞ୍ଚ ପ୍ରକାର ତରକାରି ଓ ଭଜାର ସମ୍ଭାର ସଜାଡି ଦେଲେ। ପୁଅ ଅମରେଶ ଓ ତା’ ସ୍ତ୍ରୀ ଆଭା ଖାଦ୍ୟର ପସରା ଦେଖି ରାଗରେ ତମତମ ହେଲେ। ଅମରେଶ ବିରକ୍ତିଭରା କଣ୍ଠରେ କହିଲା, ‘କଣ ଏଗୁଡ଼ିକ ରାନ୍ଧିଚୁ? ଆମେ ତିନିବର୍ଷ ପରେ ଆସିଚୁ। ଆମିଷ ଗୋଟେ ଆଇଟମ୍ କରିପାରିଲୁନି। ମାଛ, ମାଂସ, ଚିକନ୍, ବିରିଆନି, ପିଜା, ପେଷ୍ଟ୍ରି, ବର୍ଗର ଖାଇବାରେ ଆମେ ଅଭ୍ୟସ୍ତ। ଏ ଖାଦ୍ୟ ଆମକୁ ଚଷୁ ଖାଇଲାଭଳି ଲାଗୁଛି।’ ପୁଅକୁ ବୁଝାଇବାକୁ ଯାଇ ମୁହଁରେ ଦ୍ବିତୀୟା ଚାନ୍ଦ ଭଳି ଚେନାଏ ହସ ଖେଳାଇ ନଳିନୀ କହିଲେ, ‘ଆଜି ପରା ସୋମବାର। ଆମ ଘରେ ଆଜି ଆଇଁଷ ପଶେନି।’
ଚିହିଁକି ଉଠି ଅମରେଶ କହିଲା, ‘ତୋର ସେ ପୁରୁଣା କାଳିଆ ଢ଼ଙ୍ଗ ଗଲାନି। ହଜାରେ ବାର,ହଜାରେ ବ୍ରତ। କଟକଣାର ଜଞ୍ଜିର।’
ଅମରେଶର ଶାଣିତ କଟାକ୍ଷରେ ନଳିନୀଙ୍କ ଆଖି ଲୁହରେ ଛଳଛଳ ହୋଇଗଲା।
ଅମରେଶ ଓ ଆଭା ରହିବାର ଯେତେଦିନ ଅଧିକ ଅଧିକ ହେଉଥାଏ, ପ୍ରଭାତବାବୁ ଓ ନଳିନୀଙ୍କ ଜୀବନ ସେତେ ଦୁର୍ବିସହ ହେଉଥାଏ। ପୁଅବୋହୂ ଶୁଅନ୍ତି ରାତି ଦୁଇଟାରେ, ଉଠନ୍ତି ଦିନ ନଅଟାରେ। ଓ୍ଯାର୍କ ଫ୍ରମ ହୋମ ସରିଗଲା ପରେ ବସିଯାନ୍ତି ଜିଗ୍ରୀଦୋସ୍ତ ମୋବାଇଲ ପାଖରେ। ରାତି ଅଧ ପର୍ଯ୍ୟନ୍ତ ହେଁହେଁ ଫେଁଫେଁ,ଖଟ୍ ଖାଟ୍, ଖଡ଼ଖାଡ଼୍। ଏମାନେ ଆସିଲା ଦିନୁ ପ୍ରଭାତବାବୁ ଶୋଇ ପାରୁନାହାଁନ୍ତି। ନଳିନୀ ସେମାନଙ୍କ ପାଇଁ ଆମିଷ ରାନ୍ଧି ରାନ୍ଧି କ୍ଳାନ୍ତ, ଶ୍ରାନ୍ତ। ରୋଷେଇ ପାଇଁ ସଉଦା, ମାଛ ମାଂସ କିଣି କିଣି ପ୍ରଭାତବାବୁ ତ୍ରାହି ତ୍ରାହି ଡାକଦେଲେଣି। ମାସର କୋଡ଼ିଏ ତାରିଖ ବେଳକୁ ପେନସନ ଖତମ୍। ପୁଅବୋହୂଙ୍କୁ ଭୁବନେଶ୍ବର ଗାଁ’ଭଳି ଲାଗୁଛି। ମେଟ୍ରୋ ସିଟିରେ ଫ୍ଲାଟ୍ କିଣିବାକୁ ତାଙ୍କ ଯୋଜନା। ପଡୋଶୀମାନେ ପଚାରିଲେ, ନଳିନୀ କହନ୍ତି, ‘ପୁଅବୋହୂ ଘରେ ଥିବାରୁ ଆମ ଘର ସ୍ବର୍ଗ ପାଲଟି ଯାଇଛି।’ କଣ କହିବେ? ଅଜାଗା ଘା ଦେଖି ହେଉନି କି ଦେଖାଇ ହେଉନି।
କ୍ରମାଗତ ରାତ୍ରି ଅନିଦ୍ରା ଯୋଗୁଁ ପ୍ରଭାତବାବୁ ଅସୁସ୍ଥ ହୋଇପଡିଲାପରେ ନଳିନୀ ଦେବୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ତାଙ୍କ ମୁହଁ ଆକାଶରେ ଘୋଟି ଯାଇଥିଲା କଳାହାଣ୍ଡିଆ ମେଘ। ମନ ଉଦାସ ଉଜୁଡା ଉପବନ। ଆଖି ଦୁଇଟି ନିଃସ୍ବ, ନିଥର ହ୍ରଦ। ତାଙ୍କର ଥିଲା ଫୁଲର ପାଖୁଡା ପରି ହୃଦୟ, ଚନ୍ଦ୍ରାଲୋକ ଭଳି ସୁଶୀତଳ ମନ। ସେ ପାଲଟି ଗଲେ ରଣଚଣ୍ଡୀ। ପୁଅକୁ ରୁକ୍ଷ ସ୍ବରରେ କହିଲେ, ‘ତୁମେମାନେ ପନ୍ଦର ଦିନ ଭିତରେ ଘରଛାଡି ବାଙ୍ଗାଲୋର ଚାଲିଯାଅ। ତମେ ଅଧିକ ଦିନ ରହିଲେ, ଆମେ ଦି ପ୍ରାଣୀ ଅକାଳରେ ଝଡି ପଡିବୁ।’
ଅମରେଶ ତାର ସ୍ନେହମୟୀ ଜନନୀର ଏପରି ରୂପ ଦେଖି ଓ ତାର କଣ୍ଠରୁ ବାହାରୁଥିବା ଶବ୍ଦର ଗର୍ଜନ ଶୁଣି ସ୍ତମ୍ଭୀଭୁତ ହୋଇଯାଇଥିଲା। ଆଶ୍ଚର୍ଯ୍ୟ ଚକିତ ହୋଇ ବୋଉର ମୁହଁକୁ ଅପଲକ ନୟନରେ ଅନାଇରହିଥିଲା।
Fantastic story. It was amazing. It is a reflection of the present society. I congratulate the writer.
This is the behavior of so called qualified son and daughter in law of present society. They only recognize money. Nice story. Congratulations Sir.
Beautiful story, reflecting the contemporary reality in a superb manner.
Hearty congratulations, Manoj.
Fantastic story. Beautifully, it presents difference in old and new generation lifestyle and thinking. Many many congratulations to the writer for writing such a beautiful story.
ଗଳ୍ପ ଉପରେ କିଛି ମନ୍ତବ୍ୟ ଦେବା ଆଗରୁ ଉପରେ ଦିଆ ଯାଇଥିବା କିଛି ମନ୍ତବ୍ୟ ଉପରେ ଆଲୋଚନା କରିବାକୁ ଚାହୁଁଛି।
ଗଳ୍ପ ଅଛି ଓଡ଼ିଆ ଭାଷାରେ, ମନ୍ତବ୍ୟକାରୀ ବି ଓଡ଼ିଆ – ଅଥଚ ମନ୍ତବ୍ୟ ଇଂରାଜୀ ରେ? ଓଡ଼ିଆ ଲିପି download କରିବା ପସନ୍ଦ ନଥିଲେ ବି ati sundar galpa ବୋଲି ଲେଖି ପରିଥାନ୍ତେ।
ଏବେ ଆସିବି ଗଳ୍ପ ଉପରକୁ – ଭୁବନେଶ୍ୱର ରେ swiggy , Zomato ଇତ୍ୟାଦି ଅନେକାଂଶରେ ଏଭଳି କର୍ମଯୋଗୀ ମାନଙ୍କ ପାଇଁ ସେବା ଯୋଗାଇ ଦେଉଛନ୍ତି ଏବଂ ମୋଟା ଦରମା ଵାଲା ହାତ ଖୋଲି ଖର୍ଚ୍ଚ ବି କରୁଛନ୍ତି।
ଆଜିକାଲି ଘରର ନିଚ୍ଛକ କାହାଣୀ ଯେଉଁ ପୁଅ ବୋହୁ ବାଙ୍ଗାଲୋର ରୁ ଫେରି work from home କରୁଛନ୍ତି. ଏକଦମ ଠିକ ଲେଖିଛନ୍ତି
ଆଧୁନିକ ସମାଜର ଅତି ବାସ୍ତବ ଚିତ୍ର ଅଣୁ ଗଳ୍ପ,,,work from home ମାଧ୍ୟମରେ ଦର୍ଶାଯାଇଛି ।ଆଜିର ତଥାକଥିତ ଉଚ୍ଚ ଶିକ୍ଷିତ, ଉଚ୍ଚବେତନପ୍ରାପ୍ତ ,ଆତ୍ମକୈନ୍ଦ୍ରିକ,
ଉଗ୍ର ସ୍ଵଭାବଯୁକ୍ତ ,ନିଜକୁ ସଭ୍ୟ ବୋଲାଉଥିବା,ଆଧୁନିକ ଖୋଳପା ପିନ୍ଧା ହୃଦୟହୀନ ସନ୍ତାନ ମାନଙ୍କର ମାନସିକତା ର ନିଖୁଣ ପଟ୍ଟଚିତ୍ର କୁ ଉପସ୍ଥାପନ କରି ସେମାନଙ୍କର ମୁଖା ଖୋଲି ଦେଇଛନ୍ତି ଲେଖକ,, କ୍ରୂର ମିଜାଜ୍,, ସଂସ୍କାର,ସଂସ୍କୃତି କୁ ପୋଡ଼ି ଖାଇବା,,ପିତା ମାତାଙ୍କର ସ୍ନେହ,ଆଦର,ଆନ୍ତରିକତା କୁ ଅଣଦେଖା କରିବା ଓ ନିଜର ଔଦ୍ଧତ୍ୟପୂର୍ଣ୍ଣ ଆଦବ, କାଇଦା କୁ ପିତା ମାତାଙ୍କ ଉପରେ ଜବରଦସ୍ତି ଲଦିଦେବା ଅମାନୁଷ୍ୟତା ର ଚରମ ପର୍ଯ୍ୟାୟ କହିଲେ ଅତ୍ୟୁକ୍ତି ହେବନାହିଁ ।।ବ୍ୟବହାର ଅତିଷ୍ଠ ହେବାରୁ କୋମଳମତି ନଳିନୀ ଦେବୀଙ୍କର ସହନଶୀଳତା ର ବନ୍ଧ ଭାଙ୍ଗିବା ,ଉଗ୍ର ଚଣ୍ଡୀ ରୂପ ଧାରଣ କରିବା, ପୁଅ ବୋହୂଙ୍କୁ ଉଚିତ୍ ଜବାବ ଦେବା ହିଁ ଯଥାର୍ଥ ବୋଧ ହୋଇଛି ।। ସାଂପ୍ରତିକ ପରିସ୍ଥିତି ପାଇଁ ଏହି ଗପ ଅତ୍ୟନ୍ତ ଶିକ୍ଷଣୀୟ ଅଟେ ଓ ବିପଥଗାମୀ ସନ୍ତାନଙ୍କୁ ସଠିକ ଦିଗଦର୍ଶନ ପ୍ରଦାନ କରିବ।।ଅନେକ ଅଭିନନ୍ଦନ ଲେଖକଙ୍କୁ ସଂସ୍କାରଭିତ୍ତିକ କ୍ଷୁଦ୍ରଗଳ୍ପ ପାଇଁ ।।