- ସେ ଥିଲେ ତୀବ୍ର ଦେଶପ୍ରାଣତା, ଭକ୍ତିମତ୍ତା, ଧାର୍ମିକତା ଓ ପୌରାଣିକ ପରିପକ୍ୱତାର ଏକ ପ୍ରଜ୍ଞାପୁରୁଷ।
କଟକ ଜିଲ୍ଲାର ମାହାଙ୍ଗା ମାଟିରେ ଅନେକ ସାରସ୍ୱତ ସାଧକ ଓ ସାଂସ୍କୃତିକ ପ୍ରତିଭା ଜନ୍ମ ନେଇଛନ୍ତି, ଯେଉଁମାନେ ଉତ୍କଳର ଗର୍ବ ଓ ଗୌରବ ଅଭିବୃଦ୍ଧିରେ ନିଜର ଭୂମିକା ନିର୍ବାହ କରିଛନ୍ତି। ଯେଉଁ ଯୋଗଜନ୍ମା ମହାପୁରୁଷଗଣ ଏ ମାଟିରେ ଜନ୍ମ ହୋଇ ଉତ୍କଳର ଐତିହାସିକ, ରାଜନୈତିକ, ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନରେ ଭାଗନେଇ ସେମାନଙ୍କର ବଳିଷ୍ଠ ସ୍ୱାକ୍ଷର ରଖିଯାଇଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଗୌରୀଶଙ୍କର ରାୟ, ବିଶ୍ୱନାଥ କର, ନନ୍ଦ କିଶୋର ବଳ, ନନ୍ଦଲାଲ ବସୁ, ବୈଷ୍ଣବ ପାଣି, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଏଭଳି ଆହୁରି ଅନେକ ଯୋଗଜନ୍ମା। ଆମ ସମୟରେ ଅର୍ଥାତ୍ ଦ୍ୱାବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ଜଗତରେ ଜଣେ ସୁଦୃଶ୍ୟ ଓ ନିଖୁଣ ବ୍ୟକ୍ତିତ୍ୱ ଭାବେ ଦୃଶ୍ୟପଟ୍ଟରେ ଉଭା ହୁଅନ୍ତି ପଦ୍ମଶ୍ରୀ ରଜତ କୁମାର କର। ଜଣେ ନାଟ୍ୟକାର ଓ ଅଭିନେତା, ଜଣେ ଗୀତିକାର ଓ ସଂଗୀତଜ୍ଞ, ଜଣେ ଗବେଷକ ଓ ଜ୍ଞାନଗ୍ରାହୀ, ଜଣେ ଆଧ୍ୟାତ୍ମିକ ପ୍ରବକ୍ତା ଓ ଭାଷ୍ୟକାର, ଜଣେ ସଂସ୍କୃତିପ୍ରେମୀ ଓ ପାଲାପ୍ରିୟ ଓ ସର୍ବୋପରି ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ହିସାବରେ ତାଙ୍କ ପ୍ରତିଭାର ପଟାନ୍ତର ନାହିଁ। ଗତ ମଇ ୮ ତାରିଖ ଦିନ ତାଙ୍କର ଦୁଃଖଦ ମହାପ୍ରୟାଣ ଓଡ଼ିଶାର ସାରସ୍ୱତ ଜଗତର ଏକ ଅପୂରଣୀୟ କ୍ଷତି।
ତାଙ୍କର ସାଧନା ଗୃହ ‘ଅନନ୍ୟ ନିକେତନ’ରେ ତାଙ୍କ ଅନନ୍ୟ ପ୍ରତିଭାର ମୟୂଖ ସମଗ୍ର ରାଜ୍ୟକୁ ପରିବ୍ୟାପ୍ତ ହୋଇଛି। ପୁଣି ତାଙ୍କ ବ୍ୟକ୍ତିତ୍ୱର ସାହିତ୍ୟିକ ଦିଗ ସହିତ ଅଣସାହିତ୍ୟିକ ଦିଗ ମଧ୍ୟ ସମପରିମାଣରେ ଆକର୍ଷଣୀୟ ହୋଇପାରିଛି। ଆଜି ତାଙ୍କର ଅବର୍ତ୍ତମାନରେ ତାଙ୍କର ଜ୍ଞାନର ବିବିଧତା, ବହୁମୁଖୀ ପ୍ରତିଭାର ପରିବ୍ୟାପ୍ତି, ନାଟ୍ୟ ନିପୁଣତା, ସାଂଗଠନିକ ଦକ୍ଷତା ଓ ଆଧ୍ୟାତ୍ମିକ ଅନୁସନ୍ଧିତ୍ସା ତଥା ସାଂସ୍କୃତିକ ସନ୍ଦେଶ ସମ୍ପର୍କରେ ସମ୍ୟକ ସୂଚନା ଦେବା ପ୍ରାସଙ୍ଗିକ ମନେ ହୁଏ।
ବହୁବିଧ ବ୍ୟକ୍ତିତ୍ୱ :
ପଦ୍ମଶ୍ରୀ ସ୍ୱର୍ଗତ କରଙ୍କ ବ୍ୟକ୍ତିତ୍ୱ ଥିଲା ବହୁବିଧ। ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱର ସେ ଥିଲେ ଯଶସ୍ୱୀ ମଣିଷ। ଜଣେ କବି, ନାଟ୍ୟକାର, କଳାକାର, ଶିକ୍ଷକ, ଶିକ୍ଷା ପ୍ରଶାସକ, କଥାକାର, ସମାଲୋଚକ, ଭାଷ୍ୟକାର, ଗୀତିକାର, ଗାୟକ ତଥା ବିଚକ୍ଷଣ ବକ୍ତା ହିସାବରେ ସେ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି। ଜଣେ କବି ହିସାବରେ ସେ ଭକ୍ତି ସଙ୍ଗୀତ ଚମ୍ପୁ ଓ ଛାନ୍ଦ ଆଦି ରଚନା କରିବା ସଂଗେ ସଂଗେ ସେସବୁକୁ ସୁମଧୁର ସ୍ୱରରେ ଗାନ କରି ପାରୁଥିଲେ। ଅନେକ ପଦ୍ୟାଂଶ ତାଙ୍କର ସ୍ମୃତି ମଧ୍ୟରେ ସାଇତା ହୋଇଥିଲା, ଯାହାକୁ ସେ ସଭା ସମିତି, ଯାତ୍ରା ମହୋତ୍ସବ ଓ ପର୍ବପର୍ବାଣୀରେ ଧାରା ବିବରଣୀ ପ୍ରଦାନ ସମୟରେ ଗାନ କରିପାରୁଥିଲେ। ଜଣେ ନାଟ୍ୟପ୍ରେମୀ ହିସାବରେ ସେ ନାଟକର ରଚୟିତା, ଅଭିନେତା ଓ ନିର୍ଦ୍ଦେଶକ ହିସାବରେ ପାରଦର୍ଶିତା ଅର୍ଜନ କରି ପାରିଥିଲେ। ଜଣେ ସୁବକ୍ତା ଭାବରେ ସେ ବେତାର ଓ ଦୂରଦର୍ଶନ କାର୍ଯ୍ୟକ୍ରମରେ ଭାଗ ନେଇ ନିଜସ୍ୱ ପ୍ରତିଭାର ପରିଚୟ ନେଇପାରିଥିଲେ। ଜଣେ ସଂସ୍କୃତିପ୍ରେମୀ ବ୍ୟକ୍ତି ହିସାବରେ ସେ ପାଲା ସଂସ୍କୃତିର ପ୍ରଚାର, ପ୍ରସାର ଓ ପୃଷ୍ଠପୋଷକତା କରିଯାଇଛନ୍ତି। ଅବକ୍ଷୟମୁଖୀ ପାଲା ସଂସ୍କୃତି ତାଙ୍କ ପ୍ରୋତ୍ସାହନରେ ବେତାର ଓ ଦୂରଦର୍ଶନ ମାଧ୍ୟମରେ ଜୀବନ୍ତ ହୋଇଉଠିଛି। ଜଣେ ଧର୍ମପରାୟଣ ବ୍ୟକ୍ତିଭାବରେ ସେ ଓଡ଼ିଆ ଜାତିର ଇଷ୍ଟଦେବତା ଶ୍ରୀଜଗନ୍ନାଥଙ୍କୁ ନେଇ ଭଜନ, ନାଟକ ଓ ପ୍ରବନ୍ଧ ରଚନା କରି ଜନମାନସକୁ ସ୍ପର୍ଶ କରି ପାରିଥିଲେ। ଶ୍ରେଷ୍ଠ ଓଡ଼ିଆ କବି ଉପେନ୍ଦ୍ରଭଞ୍ଜଙ୍କ ରଚନାର ପ୍ରଚାର, ପ୍ରସାର ଓ ବ୍ୟାଖ୍ୟାନ ପାଇଁ ସେ କଳିଙ୍ଗଭାରତୀ ଭଳି ଅନୁଷ୍ଠାନ ସହ ସମ୍ପୃକ୍ତ ହୋଇଥିଲେ। ମୋଟ ଉପରେ ସେ ଥିଲେ ତୀବ୍ର ଦେଶପ୍ରାଣତା, ଭକ୍ତିମତ୍ତା, ଧାର୍ମିକତା ଓ ପୌରାଣିକ ପରିପକ୍ୱତାର ଏକ ପ୍ରଜ୍ଞାପୁରୁଷ ଯାହାଙ୍କର ବ୍ୟକ୍ତିତ୍ୱ ଜନମାନସରେ ବହୁଳ ଭାବରେ ଆକୃଷ୍ଟ ଓ ଆଦୃତ ହୋଇଥିଲା।
ନିମଗ୍ନ ନାଟ୍ୟକାର :
ଡ. କର ଜଣେ ଅଭିନେତା ହିସାବରେ ରଙ୍ଗମଂଚରେ, ଚଳଚ୍ଚିତ୍ରରେ ଓ ବେତାର କାର୍ଯ୍ୟକ୍ରମରେ ଅଭିନୟ କରି କେବଳ ତାଙ୍କର ଆନୁଗତ୍ୟ ପ୍ରକାଶ କରି ନାହାନ୍ତି, ବହୁ ପ୍ରଶଂସାର ମଧ୍ୟ ଆଧାର ପାଲଟି ଯାଇଛନ୍ତି। ତାଙ୍କ ନାଟକ ଅଭିନୀତ ହେଲାବେଳେ ସେ କେତେବେଳେ ଅଭିନେତା ତ, କେତେବେଳେ ନିର୍ଦ୍ଦେଶକ ଓ କେତେବେଳେ ପ୍ରଚ୍ଛଦପଟ୍ଟର ଭୂମିକା ନିର୍ବାହ କରିଛନ୍ତି। ସେ ଏକ ସମୟରେ ମୁଦାଲା, ମୁଦେଇ, ଓକିଲ ଓ ବିଚାରପତି ସାଜି ପାରିଛନ୍ତି। ତାଙ୍କର ନାଟ୍ୟ ମନସ୍କତା ତାଙ୍କୁ ଜଣେ ନିଖୁଣ ଅଭିନେତା ରୂପେ ସଜାଇଛି। ‘ଉଲ୍କା’ ଚଳଚ୍ଚିତ୍ରରେ ସେ ଜଣେ ଚରିତ୍ର ଅଭିନେତାର ଭୂମିକାରେ ଅବତୀର୍ଣ୍ଣ। ସୁରେନ୍ଦ୍ର ସାଏ, ଚନ୍ଦନହଜୁରୀ, ବାଇଶି ପାହାଚ ଓ ବିପ୍ଳବୀ ହଜୁରୀ ଆଦି ତାଙ୍କର ଐତିହାସିକ ନାଟକରୁ ଦେଶପ୍ରେମ ଭାବଧାରା ଓ ଭକ୍ତିମତାର ସନ୍ଧାନ ମିଳେ। ‘ବାଇଶିପାବଚ୍ଛ’ ନାଟକରୁ ତାଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ପ୍ରଗାଢ଼ ବିଶ୍ୱାସ ଓ ପ୍ରେମଭାବ ପରିପ୍ରକାଶ ହୁଏ। ଠିକ୍ ସେହିପରି ‘କବି ସମ୍ରାଟ୍’ ନାଟକରୁ ତାଙ୍କର କବି ଓ ସମ୍ରାଟ ମଧ୍ୟରେ ଏକ ତୁଳନାତ୍ମକ ବିଶ୍ଳେଷଣ ପ୍ରକାଶିତ ହେବା ସଂଗେ ସଂଗେ କବିଙ୍କର ଶ୍ରେଷ୍ଠତା ପ୍ରତିପାଦିତ ହୁଏ। କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମସ୍ତ ରାଜକୀୟ ବିଳାସ ବ୍ୟସନର ଆକର୍ଷଣକୁ ଏଡାଇ କବି ହେବା ପାଇଁ କଠୋର ସାଧନା କରିଛନ୍ତି ଓ ଶେଷରେ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। ତାଙ୍କର ଅନ୍ୟ ନାଟକ ଗୁଡିକ ମଧ୍ୟରେ ଅଛି ‘ସୁରେନ୍ଦ୍ର ସାଏ’, ‘ସଳିତା’, ‘ଅନ୍ଧପୁଟୁଳୀ’, ‘ବାଇଶି ପାବଚ୍ଛ’, ‘ମୁଁ ସେଇ ମକା କହୁଛି’ ଓ ‘ଚାଖି ଖୁଣ୍ଟିଆ’ ଇତ୍ୟାଦି। ଏତଦ୍ବ୍ୟତୀତ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟକୁ ସେ ନାଟ୍ୟରୂପ ଦେଇଛନ୍ତି। ତାଙ୍କର ନାଟ୍ୟକାର ଜୀବନର ଶେଷ ନାଟକ ‘ନିଷିଦ୍ଧ ନୀଳାଚଳ’ ୨୦୨୨ ମସିହା ଏପ୍ରିଲ ୨୮ ତାରିଖରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା। ଏହି ନାଟକ ତାଙ୍କ ଦେହାନ୍ତର ଦୁଇ ସପ୍ତାହ ପୂର୍ବରୁ ମଞ୍ଚସ୍ଥ ହେବା ବେଳେ ସେଥିରେ ସେ ଭାବବିହ୍ୱଳ ହୋଇପଡିଥିଲେ। ମଧୁବାବୁଙ୍କର ଶ୍ରୀଜଗନ୍ନାଥଙ୍କ ସମ୍ମାନ ରକ୍ଷା ପାଇଁ ସମସ୍ତ ଅବିଶ୍ରାନ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କ ପାଇଁ ନୀଳାଚଳ ନିଷିଦ୍ଧ ହୋଇଛି ଏବଂ ସେ ସେଥିରେ ବିଚଳିତ ନ ହୋଇ ଜଗନ୍ନଥଙ୍କର ସାର୍ବଭୌମତ୍ୱ ଗ୍ରହଣ କରିଛନ୍ତି।
ଏହି ନାଟକରେ ନାଟ୍ୟକାର ମଧୁବାବୁଙ୍କର ଜାତିପ୍ରାଣତାକୁ ଯେପରି ଚିତ୍ରଣ କରିଛନ୍ତି, ଜଗନ୍ନାଥଙ୍କ ପ୍ରତି ତାଙ୍କର ଶ୍ରଦ୍ଧା, ଭକ୍ତି ଓ ସମ୍ମାନ ମଧ୍ୟ ଅନୁରୂପ ଭାବେ ପ୍ରଦର୍ଶନ କରିଛନ୍ତି। ଉତ୍କଳର ଇଷ୍ଟଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିଚାଳନା ଭାର ବ୍ରିଟିଶ୍ ସରକାର ହାତକୁ ନେବା ବିରୁଦ୍ଧରେ କଲିକତା ଉଚ୍ଚ ନ୍ୟାୟାଳୟରେ ମାମଲା ଦାଏର କରି ମଧୁବାବୁ ରାଣୀ ସୂର୍ଯ୍ୟମଣି ପାଟ୍ଟ ମହାଦେଇଙ୍କୁ ଜୟଯୁକ୍ତ କରାଇବା ସଂଗେ ସଂଗେ ଓଡ଼ିଆ ଜାତିର ତଥା ଶ୍ରୀ ଜଗନ୍ନାଥଙ୍କର ମାନ ରକ୍ଷା କରିଛନ୍ତି। ତଥାପି ମଧୁବାବୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବାରୁ ତାଙ୍କ ପାଇଁ ନୀଳାଚଳଧାମ ନିଷିଦ୍ଧ ହୋଇପଡିଛି। ବ୍ୟଥିତ ହୃଦୟର ଭାବାବେଗକୁ ବ୍ୟକ୍ତ କରି ଓଡ଼ିଆମାନଙ୍କ ପାଇଁ ସେ ଲେଖିଛନ୍ତି:
‘କୋଟିଏ ଓଡ଼ିଆ ଗୋଟିଏ ସ୍ୱରରେ ଡାକ ତ୍ରାହି ଜଗନ୍ନାଥ
ଅନ୍ଧାର ଘୁଞ୍ôଚବ ନିଶ୍ଚୟ ଦେଖି ଏ ଜାତି ଉନ୍ନତି ପଥ।
ସୁଦର୍ଶନ ଚକ୍ର ଗରଜି ଉଠିବ ବଳିଆର ଭୁଜ କରେ
ଜନନୀର ରୂପ ପୂର୍ବବତ୍ ହେବ ଶତ୍ରୁ ପଳାଇବେ ଖରେ।’
ବଳିଷ୍ଠ ଜାତିପ୍ରାଣତା ଓ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବ ସତ୍ତ୍ୱେ ମଧୁବାବୁଙ୍କୁ ନୀଳାଚଳ ଧାମ ନିଷିଦ୍ଧ ହେବା ଇତିହାସର ଏକ ବିଡମ୍ବନା। ଏହି ବିଡମ୍ବନାକୁ ନାଟକର ସଂଳାପ ଓ ବାର୍ତ୍ତାଳାପର ବଳିଷ୍ଠ ସ୍ୱର ମାଧ୍ୟମରେ ସେ ପ୍ରକାଶ କରିଛନ୍ତି ସେ। କଥୋପକଥନ ମାଧ୍ୟମରେ ସମାଜକୁ ଜାତୀୟତାର ବାର୍ତ୍ତା ପ୍ରଦାନ ହିଁ ତାଙ୍କ ନାଟକର ବୈଶିଷ୍ଟ୍ୟ।
ଇତିହାସର ଘଟଣାବଳୀକୁ ଆଦୌ ରୂପାନ୍ତରିତ ନ କରି ଉପସ୍ଥାପନା କରିବା ଏକ ସଫଳ ନାଟକର ଧର୍ମ, ଯାହା ସ୍ୱର୍ଗତ କରଙ୍କର ଐତିହାସିକ ନାଟକରେ ଦେଖାଯାଏ।
ଜ୍ଞାନ ପିପାସୁ :
ଜଣେ ବ୍ୟକ୍ତି କେଉଁ ବିଷୟରେ ଶିକ୍ଷାପ୍ରାପ୍ତ ହେଲେ ବା କେଉଁ ବିଷୟରେ ଡିଗ୍ରୀ ହାସଲ କଲେ ତାହା ସମ୍ପୃକ୍ତ ବ୍ୟକ୍ତିର ଜ୍ଞାନର ପ୍ରକୃତ ମାପକାଠି ନୁହେଁ। ବରଂ ଯେଉଁ ବିଷୟରେ ପ୍ରବୀଣତା ଲାଭ କଲେ ତାହା ହିଁ ସମ୍ପୃକ୍ତ ବ୍ୟକ୍ତିର ଶିକ୍ଷାର ସଠିକ୍ ପରିମାପକ। ଏହି ଦୃଷ୍ଟିରୁ ଡ. କରଙ୍କ ଦୃଷ୍ଟାନ୍ତ ବିଚାର୍ଯ୍ୟ। ଡ. କର ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମ୍.ଏ. ଡିଗ୍ରୀ ହାସଲ କରିଛନ୍ତି। ଏହା ବ୍ୟତୀତ ଶିକ୍ଷା ପ୍ରଶାସନର ଏକ ପ୍ରାମାଣିକ ପାଠ୍ୟକ୍ରମରେ ତାଲିମ ପ୍ରମାଣ ପତ୍ର ହାସଲ କରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଡ. କର ପ୍ରବୀଣତା ହାସଲ କରିଛନ୍ତି ରାଜନୀତି ବିଜ୍ଞାନ ପାଠ ଓ ଓଡ଼ିଆ ଭାଷା କ୍ଷେତ୍ରରେ। ଏଥିପାଇଁ ମଧ୍ୟ ତାଙ୍କୁ ସ୍ୱୀକୃତି ମିଳିଛି। ଉଦାହରଣ ସ୍ୱରୂପ ସେ ଅର୍ଥନୀତି ପାଠ୍ୟକ୍ରମରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ ହୋଇଥିଲେ ମଧ୍ୟ ରାଜନୀତି ବିଜ୍ଞାନର ଅଧ୍ୟାପକ ଭାର ଗ୍ରହଣ କରି ରାଜନୀତି ବିଜ୍ଞାନର ପ୍ରଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି ଏହା ବ୍ୟତୀତ ଓଡ଼ିଆରେ ପ୍ରାମାଣିକ ଡିଗ୍ରୀ ନ ଥିଲେ ମଧ୍ୟ ସେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପରିଦର୍ଶନକାରୀ ପ୍ରଫେସର ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରିଛନ୍ତି। ଏଭଳି ତିନି ତିନି ଗୋଟି ବିଭାଗର କାର୍ଯ୍ୟ ଦକ୍ଷତା କେବଳ ଜଣେ ଅସାଧାରଣ ଜ୍ଞାନୀ ଓ ଧୀଶକ୍ତି ସମ୍ପନ୍ନ ବ୍ୟକ୍ତିଙ୍କ ପକ୍ଷେ ସମ୍ଭବ ହୋଇପାରେ।
କବିସମ୍ରାଟଙ୍କ କାବ୍ୟାନୁରାଗୀ :
ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର ସନ୍ଧିକ୍ଷଣର କବି ଉପେନ୍ଦ୍ରଭଞ୍ଜ ଓଡ଼ିଆ କାବ୍ୟ କବିତାର ଯୁଗାନ୍ତକାରୀ ସ୍ରଷ୍ଟା। ସେ ଉତ୍କଳର ସର୍ବଶ୍ରେଷ୍ଠ କବି ଓ ଶବ୍ଦ ସୌରଭର ଏକ ଉତ୍ତୁଙ୍ଗ ହିମକାନ୍ତ ପ୍ରତିଭା। ତାଙ୍କ ରଚନାରେ ବହୁ ନାରୀ ମାନସ ପ୍ରଗଲ୍ଭତା ଓ ଦୁର୍ବୋଧ୍ୟ ଶବ୍ଦ ସମ୍ଭାର ଭରି ରହିଥିବାରୁ ତାଙ୍କ ରଚନା ବିଷୟରେ ସମାଲୋଚକମାନେ ‘ନାରୀ ଓ ଡିକ୍ସିନାରୀ’ ବୋଲି କଟୂକ୍ତିପୂର୍ଣ୍ଣ ମତ ପ୍ରଦାନ କରିଛନ୍ତି। କିନ୍ତୁ ପ୍ରାବନ୍ଧିକ ଡ.ରଜତ କର ଉପେନ୍ଦ୍ରଭଞ୍ଜଙ୍କ କାବ୍ୟ କବିତାରେ ସ୍ୱକୀୟ ପ୍ରେମ ମାଧୁର୍ଯ୍ୟ ଭରି ରହିଥିବାରୁ ତାହାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭଞ୍ଜ ସାହିତ୍ୟରେ ପତି-ପତ୍ନୀ ମଧ୍ୟରେ ଥିବା ଶୃଙ୍ଗାର-ରସ ସିକ୍ତ ପ୍ରେମକୁ ସେ ସ୍ୱୀକାର କରିବା ସଂଗେ ସଂଗେ ଉଚ୍ଚତର ମର୍ଯ୍ୟାଦା ପ୍ରଦାନ କରିଛନ୍ତି।
ଡ. କରଙ୍କ ଦୃଷ୍ଟିରେ ଉପେନ୍ଦ୍ର ଭଞ୍ଜ ରାଜପଦବୀରୁ ବଂଚିତ ହେବା ଯୋଗୁ ନୈସର୍ଗିକ କବି ପ୍ରତିଭାର ଅଧିକାରୀ ହୋଇଥିଲେ। ପଣ୍ଡିତ ମଣ୍ଡଳୀଙ୍କଠାରୁ ଶିକ୍ଷା ଗ୍ରହଣ ଓ ସେମାନଙ୍କ ସହ କାବ୍ୟାଶାସ୍ତ୍ର ଆଲୋଚନା କରିବା ଫଳରେ ସେ ଆସାଧାରଣ ପାଣ୍ଡିତ୍ୟ ଓ ପ୍ରତିଭାର ଅଧିକାରୀ ହୋଇପାରିଥିଲେ। ପାଣ୍ଡିତ୍ୟ ସହ ଶବ୍ଦ ବୈଚିତ୍ର୍ୟ ଓ ଆଳଙ୍କାରିକତା ଦୃଷ୍ଟିରୁ ଭଞ୍ଜ ସାହିତ୍ୟ ହେଉଛି ଯୁଗାନ୍ତକାରୀ। ପ୍ରେମ, ବିବାହ ଓ ବିଚ୍ଛେଦ ଆଦି ଘଟଣାବଳୀ ଭଞ୍ଜକାବ୍ୟକୁ ଶୃଙ୍ଗାର ରସ ଓ କାରୁଣ୍ୟ ରସରେ ପରିପୂର୍ଣ୍ଣ କରିଦେଇଛି। ହେଲେ କେତେକ କାବ୍ୟ ଆରମ୍ଭରେ ଜଗନ୍ନାଥ ବନ୍ଦନା ଓ ମଧ୍ୟଭାଗରେ ଶ୍ରୀକ୍ଷେତ୍ର ବର୍ଣ୍ଣନା ଆଦି କବିଙ୍କ ଭୂମିପ୍ରୀତିର ପ୍ରମାଣ ଦିଏ। ବହୁ ଛାନ୍ଦ, ଯମକ ଓ ଚମ୍ପୁ ଆଦିରେ ପରିପୂର୍ଣ୍ଣ ତାଙ୍କର କାବ୍ୟ କୃତି ଯୁଗାନ୍ତକାରୀ। ଉପେନ୍ଦ୍ରଭଞ୍ଜଙ୍କ କବିତାର ମୂଲ୍ୟାୟନ ଶ୍ରୀ କରଙ୍କର ସମୀକ୍ଷା ସମ୍ଭାର ମଧ୍ୟରେ ଅନ୍ୟତମ। ‘ଜନମାନସରେ ଭଞ୍ଜ’ ପୁସ୍ତକଟି ୨୦୦୩ରେ ପ୍ରକାଶିତ ହୋଇଥିଲା।
ଏହିସବୁ ପ୍ରବନ୍ଧ ଗୁଡିକରେ ସେ କବି ସମ୍ରାଟଙ୍କର ସାହିତ୍ୟର ମାଧୁର୍ଯ୍ୟ, ଛନ୍ଦଲାଳିତ୍ୟ, ରାଗରାଗିଣୀ ଓ ସୁଶୃଙ୍ଖଳ ଭାବର ସନ୍ଧାନ ପାଇଛନ୍ତି ବୋଲି ପ୍ରତୀୟମାନ ହୁଏ। ତାଙ୍କ ବିବେଚନାରେ ପତି-ପତ୍ନୀ ମଧ୍ୟରେ ଥିବା ଦୈହିକ ସମ୍ଭୋଗର ରୁଚିପୂର୍ଣ୍ଣ ଓ କଳାତ୍ମକ ପ୍ରକାଶ ହିଁ ପ୍ରେମ। ଭଞ୍ଜ ସାହିତ୍ୟର ଏହି ଦିଗକୁ ଏକ ମାନବୀୟ ସୁସଂଯତ ଭାବର ପରିପ୍ରକାଶ ବୋଲି ଡ. କର ଲେଖିଛନ୍ତି। ତାଙ୍କ ମତରେ ପ୍ରେମ ଉପରେ ଦେହ ଓ ଚିତ୍ତର ପ୍ରଭାବ ଥାଏ। ଅର୍ଥାତ୍ ଦେହ ଓ ମନର ଭାରସାମ୍ୟ ଏକ ସ୍ତରରେ ରହିଲେ ତାହା ସ୍ଥାୟୀ, ସୁନ୍ଦର ଓ ସୁଖକର ହୋଇଥାଏ। ନାରୀର ସହଯୋଗକୁ ପୁରୁଷ ଅବଜ୍ଞା କରିପାରିବ ନାହିଁ। କବିଙ୍କ ଭାଷାରେ :
“ମୁଁ ସଂସାରୀ ପାସୋରି ପାରିବିକି କିଶୋରୀ
ଅଛି ମୋ କେଉଁ ଦମ୍ଭପଣ।”
ବୈବାହିକ ଜୀବନରେ ପ୍ରେମର ନିରବଚ୍ଛିନ୍ନତା ପ୍ରୟୋଜନ ବୋଲି କବି ପ୍ରକାଶ କରିଛନ୍ତି ଯାହା ପାଶ୍ଚାତ୍ୟ ସାହିତ୍ୟରେ ଦେଖିବାକୁ ମିଳେ ନାହିଁ। ବିବାହ ପୂର୍ବ ଅପେକ୍ଷା ବିବାହ ପର ପ୍ରେମ ଜୀବନକୁ ଅଧିକ ସରସ ଓ ସୁନ୍ଦର କରେ ବୋଲି କବିଙ୍କ ବର୍ଣ୍ଣନାରୁ ସ୍ପଷ୍ଟ ହୁଏ। କବି ସମ୍ରାଟଙ୍କ କବିତାରେ ଦେହ ଉପଭୋଗର ସାର୍ଥକତା ନାୟକ ନାୟିକାଙ୍କର ପରସ୍ପର ପ୍ରତି ଥିବା ସ୍ନେହ ଓ ଅନୁରାଗକୁ ପ୍ରକାଶ କରେ। ଜଣକର ଅନୁପସ୍ଥିତି ଅନ୍ୟର ହୃଦୟରେ ଅନ୍ତର୍ଦାହ ସୃଷ୍ଟି କରେ।
“ରସଲେଖାରେ ନାୟକଙ୍କ ଭକ୍ତି ହେଲା
ଅଲଗା ହେଲେ ହୃଦୁହୃତ୍, ତାକୁ ଯେ ନ ଆସଇ ନିଦ।”
ଡ. କରଙ୍କର ମତରେ ବୈବାହିକ ଜୀବନକୁ ସୁଖମୟ କରିବା ଏକ ସ୍ୱତନ୍ତ୍ର କଳା ଯାହାର ସଫଳ କଳାକାର ହେଉଛନ୍ତି କବିସମ୍ରାଟ୍ ଉପେନ୍ଦ୍ରଭଞ୍ଜ। ମୋଟ ଉପରେ କବି ସମ୍ରାଟ ଅନାବିଳ ଦାମ୍ପତ୍ୟ ପ୍ରେମର ସର୍ବଶ୍ରେଷ୍ଠ ଚିତ୍ରକର। ଏହାର ଏକ ସରସ, ସୁନ୍ଦର, ସାବଲୀଳ ଓ ମନୋଜ୍ଞ ଚିତ୍ର ତାଙ୍କ ରଚନାରେ ପ୍ରତିଫଳିତ ବୋଲି ଡ. କର ବେଶ୍ ହୃଦୟଙ୍ଗମ କରିଛନ୍ତି।
ଜଣେ ସୁଦକ୍ଷ ସଂଗଠକ
ସାହିତ୍ୟ ଓ ସଂସ୍କୃତିର ଅନ୍ତରାଳରେ ଯାହାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଲୁଚି ରହିଥାଏ, ସେ ହେଉଛି ଜଣେ ସଂଗଠକ। ସଂଗଠକର ଅବଦାନ ସାହିତ୍ୟ ଓ ସଂସ୍କୃତିର ବିକାଶ ଓ ପ୍ରସାର ପାଇଁ କିଛି ନ୍ୟୂନ ନୁହେଁ। ଡ. ରଜତ କର ସେହିଭଳି ଜଣେ ତୃଣମୂଳ ସ୍ତରର ସଂଗଠକ। ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ହୋଇଥିବା କଳିଙ୍ଗ ଭାରତୀର କାର୍ଯ୍ୟକ୍ରମରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେ ଛାତ୍ରାବସ୍ଥାରୁ ମଧ୍ୟ କଳିଙ୍ଗ ଭାରତୀ ଛାତ୍ର ସାହିତ୍ୟ ସମାଜ ସହ ସମ୍ପୃକ୍ତ ହୋଇଛନ୍ତି। ଏହି ଅନୁଷ୍ଠାନ ମାଧ୍ୟମରେ ସେ କଳିଙ୍ଗର ବହୁ ସମାଦୃତ ପ୍ରଚଣ୍ଡ ପ୍ରତିଭାଧାରୀ କବି ଉପେନ୍ଦ୍ରଭଞ୍ଜଙ୍କ ରଚନାକୁ ବ୍ୟାଖ୍ୟା କରିବା ସଂଗେ ସଂଗେ ତାହାର ପ୍ରଚାର ଓ ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦୀର୍ଘ ୫୭ ବର୍ଷ ଧରି ସେ ଏହି ସଂସ୍ଥାର ସଭାପତି ପଦରେ ରହିଥିଲେ ଓ ଭଞ୍ଜ ଜୟନ୍ତୀ ଆଲୋଚନାଚକ୍ର ଆୟୋଜନ କରୁଥିଲେ। ଓଡ଼ିଶା ପାଲାକାର ସଂଘର ସଭାପତି ହିସାବରେ ସେ ବିଭିନ୍ନ ବାଦିପାଲା ମଞ୍ଚ ଓ ଉତ୍ସବରେ ଯୋଗଦେଇ ପାଲାକାରମାନଙ୍କୁ ଉତ୍ସାହିତ କରୁଥିଲେ। ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଦୀକ୍ଷା ନେଇଥିବା ଯୋଗୁଁ ମଧ୍ୟ ସେ ସେହି ସଂପର୍କୀୟ ଦୁଇଖଣ୍ଡ ପୁସ୍ତକ ରଚନା କରିଥିଲେ। ବିଭିନ୍ନ ସାହିତ୍ୟ ଆଲୋଚନାରେ ଭାଗ ନେଇ ସେ ଗୋପାଳକୃଷ୍ଣ, ଦୀନକୃଷ୍ଣ, କବି ସୂର୍ଯ୍ୟ ଓ ଅଭିମନ୍ୟୁ ଆଦିଙ୍କ ସାହିତ୍ୟ ସମ୍ଭାର ଉପରେ ବିଷଦ ଆଲୋଚନା କରୁଥିଲେ। ମୋଟ ଉପରେ ସେ ଥିଲେ ଓଡ଼ିଆ ସାଂସ୍କୃତିକ ଜାଗରଣର ଏକ ବାର୍ତ୍ତାବହ ଓ ବିଶିଷ୍ଟ ସାରସ୍ୱତ ସଂଗଠକ।
ଜଣେ ସମାଦୃତ ବ୍ୟକ୍ତିତ୍ୱ:
ସ୍ୱର୍ଗତ କର ବହୁ ମାନବୀୟ ସୁଗୁଣାବଳୀର ଅଧିକାରୀ ଥିଲେ। ଜଣେ ବ୍ୟକ୍ତି ହିସାବରେ ସେ ସଂଯତ ଓ ଶୃଙ୍ଖଳିତ ଆଚରଣ ପରିପୂର୍ଣ୍ଣ ମାନବ ଥିଲେ। ସେ ଯେତିକି ମିଷ୍ଟଭାଷୀ ସେତିକି କ୍ଷଣକୋପୀ ଥିଲେ। ଯେତିକି ପ୍ରଶଂସା ପ୍ରିୟ ସେତିକି ଗୁଣଗ୍ରାହୀ ଥିଲେ। ମୋଟ ଉପରେ ସେ ଜଣେ ଭାଗବତ ପ୍ରେମୀ, ଜାତୀୟବାଦୀ, ଭାଷାପ୍ରେମୀ, ଈଶ୍ୱର ବିଶ୍ୱାସୀ, ବନ୍ଧୁବତ୍ସଳ, ହୃଦୟବାନ, ସ୍ପଷ୍ଟବାଦୀ ଓ ବହୁଗୁଣ ସମ୍ପନ୍ନବ୍ୟକ୍ତି ଭାବେ ବିଦିତ ଥିଲେ।
ସଂସ୍କୃତି ପୁରୁଷ :
ଓଡ଼ିଶାର କଳା ଓ ସଂସ୍କୃତି ପ୍ରତି ଗଭୀର ରୁଚି ଓ ସମ୍ମାନବୋଧ ରଖୁଥିବା ଜଣେ ନିଷ୍ଠାପର ମଣିଷ ହେଉଛନ୍ତି ଡ. କର। ଓଡ଼ିଶାର ସଂସ୍କୃତି କହିଲେ ଆମେ ମୁଖ୍ୟତଃ ଜଗନ୍ନାଥ ସଂସ୍କୃତି ଓ ସାହିତ୍ୟ, ସଙ୍ଗୀତ, ନାଟକ ଧାର୍ମିକ ଭାବନା ଓ ଲୋକକଳାକୁ ବୁଝିଥାଉ। ସେହି ସାଂସ୍କୃତିକ ଭାବନାରେ ପ୍ରଭାବିତ ହୋଇ ଅନେକ ପୁସ୍ତକ ରଚନା କରିବା ସଂଗେ ସଂଗେ ତାହାର ପ୍ରଚାର ଓ ପ୍ରସାର ପାଇଁ ନିବଚ୍ଛିନ୍ନ ଉଦ୍ୟମ କରି ଡ. କର ଓଡ଼ିଆ ସଂସ୍କୃତିର ଆମ ସମୟର ପ୍ରମୁଖ କର୍ଣ୍ଣଧାର ସାଜିଛନ୍ତି। ଜଗନ୍ନାଥ ସଂସ୍କୃତିରେ ଭଜନ, ଜଣାଣ ପୁସ୍ତକ ରଚନା ସଂଗେ ସଂଗେ ଏହି ଦିଗରେ ଦୁଇଗୋଟି ନାଟକ ଓ ଦୁଇଗୋଟି ପ୍ରବନ୍ଧ ପୁସ୍ତକ ଲେଖିଛନ୍ତି। ତାଙ୍କର ଐତିହାସିକ ନାଟକ ‘ବିପ୍ଲବୀ ହଜୁରୀ’, ‘ଚାଖିଖୁଣ୍ଟିଆ’, ‘ନିଷିଦ୍ଧ ନୀଳାଚଳ’ ଆଦି ମଧ୍ୟ ଶ୍ରୀଜଗନ୍ନାଥଙ୍କ ଉପାସନାକୁ ଏଡାଇ ଯାଇପାରିନାହିଁ। ‘ଜନଜୀବନରେ ଜଗନ୍ନାଥ’ ଓ ‘ଅନନ୍ୟ ଜଗନ୍ନାଥ’ ତାଙ୍କର ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀତ ପ୍ରବନ୍ଧ ପୁସ୍ତକ ଦ୍ୱୟ। ଜଣେ ଭାଷ୍ୟକାର ହିସାବରେ ମଧ୍ୟ ସେ ରଥଯାତ୍ରା ସମୟରେ ବଜ୍ରଗମ୍ଭୀର ସ୍ୱରରେ ଉଦ୍ଘୋଷଣ କରି ଭକ୍ତି ଭାବର ପ୍ଲାବନ ସୃଷ୍ଟି କରିଛନ୍ତି। ଆକାଶବାଣୀ ଓ ଦୂରଦର୍ଶନ ତାଙ୍କର ଏହି ପ୍ରତିଭାକୁ ସ୍ୱୀକୃତି ଦେଇଛି।
ଏତଦ୍ବ୍ୟତୀତ ଓଡ଼ିଆ ସଂସ୍କୃତିର ଏକ ପ୍ରମୁଖ ଅଂଗ ହେଉଛି ପାଲା-ସଂସ୍କୃତି, ଯାହା ମଧ୍ୟରେ ପୁରାଣ, ଲୋକକଥା, ସଂଗୀତ, ନାଟକ, ଗଳ୍ପ ଓ ସାହିତ୍ୟ ଏକାଧାରରେ ସମନ୍ୱିତ ହୋଇରହିଛି। ସେ ପ୍ରାର୍ଥନା ଚ୍ୟାନେଲ୍ରେ ନିୟମିତ ଭାବରେ ବାଦୀପାଲାର ବିଚାରକ ଓ ମତ ପ୍ରକ୍ଷାପକ ଭାବେ ଉପନୀତ ହୋଇଛନ୍ତି। ତାଙ୍କର ସଂଗୀତ ସୃଷ୍ଟି ମଧ୍ୟରେ ରହିଛି ‘ଜଣାଣ ବାଇଶି ପାହାଚ’, ‘ଭକ୍ତ ଭଜଇ ଭଗବାନ’, ‘ଜଣାଣ ଜଣାଉଛି ଜଗନ୍ନାଥଙ୍କୁ’। ଏହିସବୁ ଗୀତିକବିତାରେ ତାଙ୍କର ଗଭୀର ଭକ୍ତିଭାବ ପ୍ରକଟିତ ହୋଇଛି। ସେଥିରୁ ଗୋଟିଏ ପଦ- “କୋଟି ଜଳଧିର ଅତଳ ଜଳରେ ତିନ୍ତେନା ଯାର ଶରୀର, ଗୋଟିଏ ଭକ୍ତର ଟୋପାଏ ଲୁହରେ ହୁଏ ଓଦା ସରସର।”
ଏଥିରେ ଭକ୍ତିରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯେଉଁ ପାରସ୍ପରିକ ଘନିଷ୍ଠଭାବ ପ୍ରକାଶିତ ହୋଇଛି, ତାର ପଟାନ୍ତର ନାହିଁ। ଓଡ଼ିଆ ସଂସ୍କୃତିର ସୃଷ୍ଟି, ସ୍ଥିତି ଓ ବିଲୟ ଯେଉଁ ମହାନ୍ ଜଗନ୍ନାଥ ସଂସ୍କୃତିରୁ ଉତ୍ପନ୍ନ ତାର ସଫଳତମ ବାର୍ତ୍ତାବହ ହେଉଛନ୍ତି ଡ. କର। ପୁଣି ଓଡ଼ିଆ ଜାତିର ବିଚକ୍ଷଣ କବି ଉପେନ୍ଦ୍ର ଭଞ୍ଜଙ୍କ ସୃଷ୍ଟିକୁ ଗଭୀର ଅନୁଧ୍ୟାନ କରି କଳିଙ୍ଗ ଭାରତୀ ଓ ଅନ୍ୟାନ୍ୟ ଅନୁଷ୍ଠାନ ମାଧ୍ୟମରେ ବହୁଳ ପ୍ରଚାର ଓ ପ୍ରସାର କରିବାରେ ସଫଳ ହୋଇଛନ୍ତି। ତାଙ୍କର ପୁସ୍ତକ ‘ଜନମାନସରେ ଭଞ୍ଜ’ ଏକ ବିରଳ ରଚନା। ମୋଟ ଉପରେ ଶ୍ରୀଜଗନ୍ନାଥ ସଂସ୍କୃତି, ପାଲା ସଂସ୍କୃତି ଓ ଭଞ୍ଜ ସାହିତ୍ୟର ଆମ୍ବାସାଡର ବା ଅଗ୍ରଦୂତ ଭାବେ ସେ ସଂସ୍କୃତିପୁରୁଷ ପାଲଟି ଯାଇଛନ୍ତି।
ବୋଧହୁଏ ଡ. ରଜତ କର ଥିଲେ ଆମ ସମୟର ବହୁବିଧ ପ୍ରତିଭାଧାରୀ ଓଡ଼ିଆ ବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ରେଷ୍ଠତମ। ତାଙ୍କର ତିରୋଧାନରେ ଓଡ଼ିଆ ସଂସ୍କୃତି ଆକାଶରୁ ଏକ ଉଜ୍ଜଳତମ ନକ୍ଷତ୍ର ଅନ୍ତର୍ହିତ ହୋଇଯାଇଛି। ଏବେ ଆଉ ରଥଯାତ୍ରା ସମୟରେ ପୁରୀ ବଡଦାଣ୍ଡରୁ ଅଥବା ଲିଙ୍ଗରାଜ ମନ୍ଦିର ନିକଟରୁ ତାଙ୍କର ପ୍ରଭାବୀ ଉଦ୍ଘୋଷଣ ଓ ସୁଲଳିତ ସ୍ୱର କେବେବି ଶୁଭିବ ନାହିଁ। ପ୍ରାର୍ଥନା ଚ୍ୟାନେଲ୍ରେ ଆଉ ବାଦୀପାଲାର ବିଚାରକ ଭାବରେ ତାଙ୍କୁ ଦେଖିବାକୁ ମିଳିବ ନାହିଁ। ଓଡ଼ିଶାର ପ୍ରମୁଖ ମଣ୍ଡପରେ ନାଟ୍ୟ ପରିବେଷଣ ପରେ ଆଉ ତାଙ୍କୁ ମଞ୍ଚରେ ଦେଖିବାକୁ ମିଳବ ନାହିଁ। ତଥାପି ଯେତେଦିନ ପର୍ଯ୍ୟନ୍ତ ଓଡ଼ିଆ ଜାତି ବଞ୍ôଚ ରହିଥିବ ଯେତେଦିନ ଯାଏ ପୁରୀ ବଡଦାଣ୍ଡରେ ଜଗନ୍ନାଥଙ୍କ ରଥ ବଜ୍ର ନିର୍ଘୋଷରେ ଗତି କରୁଥିବ, ସେତେଦିନ ଯାଏ ଓଡ଼ିଆ ଜାତିର ଜନମାନସରେ ପଦ୍ମଶ୍ରୀ ରଜତକରଙ୍କ ସ୍ମୃତି ଜୀବନ୍ତ ହୋଇ ରହିଥିବ। ତାଙ୍କର ସ୍ୱର ବାରମ୍ବାର କର୍ଣ୍ଣକୁହରରେ ଅନୁରଣିତ ହେଉଥିବ। କାରଣ ତାଙ୍କର ସୃଷ୍ଟିର କ୍ଷୟ ନାହିଁ, ତାଙ୍କର ଅମର ଆତ୍ମାର ବିଲୟ ନାହିଁ। ଏହି ସନ୍ଦର୍ଭରେ କବିବର ରାଧାନାଥଙ୍କର ଉକ୍ତି ଉଦ୍ଧାର କରିବା ପ୍ରାସଙ୍ଗିକ ହେବ :
“ତୁମ ମାଟି ଦେହ ଗ୍ରାସିଛି ଶ୍ମଶାନ,
କିନ୍ତୁ ଯଶ ଦେହେ ତୁମେ ଆୟୁଷ୍ମାନ।”
- ‘ସାହିତ୍ୟ ଚର୍ଚ୍ଚା ‘ ପତ୍ରିକାର ଜୁନ୍, ୨୦୨୨ ସଂଖ୍ୟାରେ ପ୍ରକାଶିତ।
ଏହି ସୁନ୍ଦର ଆଲେଖ୍ୟ ଲାଗି ଧନ୍ୟବାଦ।
ପରିବାର ତରଫରୁ ଆପଣଙ୍କୁ ସାଧୁବାଦ।
ବହୁତ ସୁନ୍ଦର ଆଲେଖ୍ୟ।