ବିଶିଷ୍ଟ କବି ହରିହର ମିଶ୍ରଙ୍କ ସହ ଏକ ସାରସ୍ୱତ ଆଳାପ

  • ଗୋଟିଏ ସମୟରେ ମୁକ୍ତଛନ୍ଦ କବିତା କେନ୍ଦ୍ରଚ୍ୟୂତ ହୋଇଗଲା ଏବଂ ତା’ଭିତରକୁ ବହୁବିଧ ଭାବନା ଆସିଲା।

ଡ. ହରିହର ମିଶ୍ର ଏକାଧାରରେ ଜଣେ କବି, ଗାଳ୍ପିକ ଏବଂ ନାଟ୍ୟକାର। ୧୯୪୦ ମସିହାରେ ଜନ୍ମିତ ଏହି ସାରସ୍ୱତ ପ୍ରତିଭା ଓଡ଼ିଆ ଭାଷା ଓ ସାହିତ୍ୟର ଅଧ୍ୟାପକ ଭାବରେ କାର୍ଯ୍ୟରତ ଥିଲେ। ସେ ମଧ୍ୟ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ବର୍ଷ କାଳ ‘ଓଡିଶା ସାହିତ୍ୟ ଏକାଡେମୀ’ର ସଭାପତି ପଦ ମଣ୍ଡନ କରିଥିଲେ। ତାଙ୍କ ଦ୍ୱାରା ରଚିତ ଅନେକ କବିତା, ଗଳ୍ପ ଓ ନାଟ୍ୟ ପୁସ୍ତକ ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି। ସେ ଶାରଳା ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତଥା ବିଷୁବ ପୁରସ୍କାରରେ ମଧ୍ୟ ସମ୍ମାନିତ। ତା’ଙ୍କ ସହିତ ବିବିଧ ପ୍ରସଙ୍ଗକୁ ନେଇ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସଂପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ସାହିତ୍ୟ ଜଗତରେ ଆପଣ ସୁପରିଚିତ ଜଣେ ବିଶିଷ୍ଟ କବି ଭାବରେ। କିନ୍ତୁ ଆମର ମନେ ହୁଏ ଯେ କବିତା ନୁହେଁ, ବରଂ ନାଟକ ହେଉଛି ଆପଣଙ୍କର ପ୍ରଥମ ପ୍ରେମ। କ’ଣ କହିବେ?
ହରିହର ମିଶ୍ର: ଦେଖନ୍ତୁ, ମୁଁ ଏକାଧାରରେ କବିତା ଓ ନାଟକ ଲେଖିବା ଆରମ୍ଭ କରିଥିଲି। ୧୯୫୯ ମସିହାରେ ଯେତେବେଳେ ଗୋପୀନାଥ ମହାନ୍ତିଙ୍କ ‘ଦାନାପାଣି’ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ମଂଚସ୍ଥ ହେଲା ମୁଁ ସେଥିରେ ଅଭିନୟ କରିଥିଲି।ଏଥିରେ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିଲା। ସେହି ସମୟରେ ସେଠାରେ କବିତାରେ ମଧ୍ୟ ଡ଼. ଗୁରୁ ପ୍ରସାଦ ମହାନ୍ତି ବିଚାରକ ଭାବେ ଥାଇ ମୋତେ ପ୍ରଥମ ପୁରସ୍କାର ପାଇଁ ମନୋନୀତ କରିଥିଲେ।
ସାହିତ୍ୟ ଚର୍ଚ୍ଚା: ତେବେ କବିତା ଓ ମଂଚ ପ୍ରତିଭା ସମାନ୍ତରାଳ ଭାବେ ଆପଣଙ୍କଠାରେ ବିକଶିତ ହୋଇଥିଲା।
ହରିହର ମିଶ୍ର: ମୋ’ର ଅଭିନୟ, ନାଟକ ଲେଖା ଓ କବିତା ଏସବୁ ଏକକାଳୀନ ଚାଲିଥିଲା। କେବଳ ସେତିକି ନୁହେଁ, ଉପନ୍ୟାସଟିଏ ମଧ୍ୟ ଲେଖିଲି ୧୯୫୯-୬୦ରେ ‘ବନବିହଙ୍ଗୀ’ ନାମରେ, ଯାହା ‘ଜନସାହିତ୍ୟ’ରେ ପ୍ରକାଶ ପାଇଥିଲା।
ସାହିତ୍ୟ ଚର୍ଚ୍ଚା: ଆମେ ଶୁଣିଛୁ ଯେ ଆପଣ ନିଜ ଶୈଶବରେ ମୋହନ ଦେବ ଗୋସ୍ୱାମୀଙ୍କ ରାସ ଦଳରେ ମଧ୍ୟ ଅଭିନୟ କରୁଥିଲେ।
ହରିହର ମିଶ୍ର: ସେତେବେଳେ ତ ମୁଁ ଛୋଟ ପିଲାଟିଏ ଥିଲି। ମୋତେ କୃଷ୍ଣ ବେଶରେ ସଜାଇ ‘ମାନ ଭଂଜନ’ ନାଟକକୁ ନେଉଥିଲେ। ଏହା ମୋ’ର ମନେ ଅଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପ୍ରକାଶିତ ପୁସ୍ତକର ତାଲିକା ଦେଖିଲେ ଜଣାପଡେ ଯେ ଆପଣଙ୍କ ପ୍ରଥମ ପୁସ୍ତକ ହେଉଛି ଏକ ନାଟକ – ‘କାଗଜ ଡ଼ଙ୍ଗା,’ ଯେଉଁଟିର ପ୍ରକାଶ କାଳ ୧୯୬୦।
ହରିହର ମିଶ୍ର: ସେଇ ସମୟରେ ଏଇଟି ଛପା ହୋଇଥିଲା। ଏହା ମୋ’ର ପ୍ରଥମ ମୌଳିକ ନାଟକ।
ସାହିତ୍ୟ ଚର୍ଚ୍ଚା: ଆମେ ଯେହେତୁ ଏବେ ନାଟକ ପ୍ରସଙ୍ଗରେ ଅଛେ, ଗୋଟିଏ କଥା ମନକୁ ଆସୁଛି ଯେ ଓଡିଶାରେ ଏବେ ଧୀରେ ଧୀରେ ନାଟକର ମଂଚାୟନ କମିଯାଉଥିବାର କାରଣ କ’ଣ?
ହରିହର ମିଶ୍ର: ଭୁବନେଶ୍ୱରରେ ପ୍ରତିଦିନ ନାଟକ ହେଉଛି ପରା!
ସାହିତ୍ୟ ଚର୍ଚ୍ଚା: କଥା ହେଲା, ସେଥିରେ ଦର୍ଶକ କେତେ ହୁଅନ୍ତି, ଏବଂ ସାଧାରଣ ଜନତାଙ୍କ ଲାଗି ତାହା କେତେ ନିକଟତର?
ହରିହର ମିଶ୍ର: ଆପଣ ଲକ୍ଷ୍ୟ କରିଥିବେ ଯେ ଏବେ ଯାତ୍ରାଟା ଖୁବ୍ ଲୋକପ୍ରିୟ ହୋଇଉଠିଛି।
ସାହିତ୍ୟ ଚର୍ଚ୍ଚା: ହଁ, ଯାତ୍ରାର ପ୍ରସାର ହେଉଛି। ଆମେ କିନ୍ତୁ ମଂଚର ନାଟକ କଥା କହୁଥିଲୁ।
ହରିହର ମିଶ୍ର: ଆପଣ ଯଦି ଯାତ୍ରାକୁ ଦେଖୁଥିବେ, ପାଇବେ ଯେ ସେମାନଙ୍କ ମଂଚର ତିନିପାଖ ବନ୍ଦ ହୋଇଆସିଲାଣି। ଦର୍ଶକ ଗୋଟିଏ ପଟରୁ ଦୃଶ୍ୟକୁ ଦେଖୁଛନ୍ତି। ଏହାର ଅର୍ଥ, ଯାତ୍ରାଦଳମାନେ ଏବେ ନାଟକକୁ ବରିନେଲେଣି।
ସାହିତ୍ୟ ଚର୍ଚ୍ଚା: ଏହା ତ ଏକ ଭଲ ଲକ୍ଷଣ! ଯାତ୍ରା ମାଧ୍ୟମରେ ନାଟକ ଏବେ ଗଣ ଅଭିମୁଖୀ ହେଲାଣି ବୋଲି କୁହାଯାଇପାରେ।
ହରିହର ମିଶ୍ର: ନାଟକ ଯେଉଁ ଶୈଳୀରେ ହେଉଛି, ଯାତ୍ରା ମଧ୍ୟ ସେଇ ଶୈଳୀରେ ହେଉଛି।

ସାହିତ୍ୟ ଚର୍ଚ୍ଚା: ଆଉ ଗୋଟିଏ କଥା, ନାଟକର ପର୍ଯ୍ୟାୟବାଚୀ ଅନ୍ୟ ଏକ ଅଭିବ୍ୟକ୍ତି ହେଉଛି ଚଳଚ୍ଚିତ୍ର। ଚଳଚିତ୍ରର ସଂଳାପକାର ଓ ଗୀତିକାର ଭାବରେ ମଧ୍ୟ ଆପଣଙ୍କର ସୁଖ୍ୟାତି ରହିଛି। ଜଣେ ନାଟ୍ୟକାର ଯେତେବେଳେ ସିନେମା ପାଇଁ ଲେଖନ୍ତି, କେତେ ସହଜବୋଧ କରନ୍ତି ନିଜକୁ?
ହରିହର ମିଶ୍ର: ବହୁ ପୂର୍ବରୁ ମୁଁ ‘ଶ୍ରୀ ପତିତପାବନ’ ପାଇଁ ପ୍ରଥମେ ଚିତ୍ରନାଟ୍ୟ ଲେଖିଲି। ତା’ପରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ଚିଲିକା ତୀରେ’ ପାଇଁ ବି ଲେଖିଲି। ନାଟକ ଓ ଚଳଚ୍ଚିତ୍ର ପାଇଁ ଚିତ୍ରନାଟ୍ୟ ଲେଖିବାର ଅନୁଭୂତି ଭିତରେ ଫରକ ବହୁତ।
ସାହିତ୍ୟ ଚର୍ଚ୍ଚା: ସୁଟିଂ ସ୍ପଟ୍‌ରେ ହିଁ ଆପଣଙ୍କୁ ସଂଳାପ ଲେଖିବାକୁ ପଡିଥିବ।
ହରିହର ମିଶ୍ର: ହଁ। କଥା ହେଲା ଯେଉଁ ଚଳଚ୍ଚିତ୍ର ପାଇଁ ମୁଁ ସଂଳାପ ଲେଖୁଥିଲି ସେଗୁଡ଼ିକରେ ମୁଁ ସହନିର୍ଦ୍ଦେଶକ ମଧ୍ୟ ଥିଲି। ତେଣୁ ସୁଟିଂ ଟିମ୍ ସହିତ ବସି କାମ କରିବାକୁ ହେଉଥିଲା। ‘ଚିଲିକା ତୀରେ’ରେ କାହାଣୀଟି ହଠାତ୍ ଲମ୍ବିଗଲା। ଡାଇରେକ୍ଟର ଦିନେ କହିଲେ, ଆଜି ହିଁ ସାରିବା। କ୍ୟାମେରାମ୍ୟାନ୍ କହିଲେ ଯେ ଅନେକ ଫୁଟେଜ୍ ନିଆସରିଲାଣି। ତେଣୁ କ’ଣ କରାଯାଏ! ସଙ୍ଗେସଙ୍ଗେ କାହାଣୀଟିକୁ ବଦଳାଇ ଗୋଟିଏ ଚମକପ୍ରଦ ଉପସଂହାର କଲି। ସେଇଠି, ଯେଉଁଠି ଜ୍ୱଳନ୍ତ ମଶାଲଟିଏ ଧରି ବିଜୟ ମହାନ୍ତି କହିଛନ୍ତି ଯେ ଏହି ଜଳିଯାଉଥିବା ମଶାଲ ହିଁ ଆମକୁ ଆଲୋକ ଦେଖାଇବ। ଏହା ସମସ୍ତଙ୍କ ଦ୍ୱାରା ମନୋନୀତ ହୋଇଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣ ତ ସଂଳାପ ବା ଚିତ୍ରନାଟ୍ୟ କଥା କହିଲେ। ଚଳଚିତ୍ର ପାଇଁ ଆପଣ କିଛି ପ୍ରଚ୍ଛଦପଟ ଗୀତ ମଧ୍ୟ ଲେଖିଛନ୍ତି। ଏବେ ବି ଗୁଣୁଗୁଣାଇବାକୁ ଇଚ୍ଛା ହୁଏ ଆପଣଙ୍କ ରଚିତ ତପସ୍ୟା ଚଳଚିତ୍ରର ସେଇ ଗୀତଟି: “ଢାଳିଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା …।”
ହରିହର ମିଶ୍ର: ହଁ, ଏହା ଚାରିଆଡେ ଏବେ ପ୍ରାର୍ଥନା ଭାବରେ ବୋଲା ହେଉଛି।
ସାହିତ୍ୟ ଚର୍ଚ୍ଚା: ତେବେ କବିତା ଲେଖିବା ଏବଂ ସିନେମା ପାଇଁ ଗୀତି କବିତା ଲେଖବା – ଏ ଦୁଇଟି ମଧ୍ୟରେ ଅନୁଭୂତିର ମୂଳ ତଫାତ୍ କ’ଣ?
ହରିହର ମିଶ୍ର: ସିନେମା ବା ରେଡ଼ିଓ ପାଇଁ ଲେଖିଲେ ଆପଣ ବାଧ୍ୟ ହେବେ ତିନି ବା ଚାରି ମିନିଟ୍ ଭିତରେ ଗୀତଟିକୁ ସାରିବାକୁ। ଏଥିରେ ଗୋଟିଏ ସମୟ ସୀମା ଅଛି। କିନ୍ତୁ ଗୀତି କବିତା ବା ଅନ୍ୟ କବିତା ଯଦି ବହି ବା ପତ୍ରପତ୍ରିକା ପାଇଁ ଲେଖାଯାଏ ତେବେ ତାହାର ସେମିତି କିଛି ସୀମା ନାହିଁ। କୌଣସି ପ୍ରସିଦ୍ଧ ଗୀତି କବିତାକୁ ରେକର୍ଡିଂ କରିବାବେଳେ ଆପଣ ଲକ୍ଷ୍ୟ କରିଥିବେ ଯେ ସେମାନେ ମୂଳ କବିତାଟିକୁ କାଣ୍ଟଛାଣ୍ଟ କରି ଛୋଟ କରି ଦିଅନ୍ତି। ଗୋଟିଏ ଉଦାହରଣ ଦେବି, କବିସୂର୍ଯ୍ୟଙ୍କର ‘ସର୍ପ ଜଣାଣ’: “ବାଧିଲା ଜାଣି କ୍ଷମା, ନୋହିଲେ ରମା ରମଣ ଦଣ୍ଡେ ଦିଅ ଟାଳି।” ସମୁଦାୟ ଗୀତଟି ତ ତିନି ପୃଷ୍ଠା ହେବ। କିନ୍ତୁ ଯିଏ ଗାଉଛନ୍ତି ସେ ଦୁଇପଦ ବୋଲୁଛନ୍ତି ପୁଣି ଭଣିତାକୁ ଆସୁଛନ୍ତି।
ସାହିତ୍ୟ ଚର୍ଚ୍ଚା: ସେମିତି ମଧ୍ୟ ସୁନନ୍ଦା ପଟ୍ଟନାୟକ ଗାଇଥିବା “ଜୀବନ ପାତ୍ର ମୋ ଭରିଛ କେତେମତେ”ରେ ଆମେ ଏକଥା ଲକ୍ଷ୍ୟ କରୁ। ଏଥିରେ ସଂପୂର୍ଣ୍ଣ ଗୀତଟି ନାହିଁ।
ହରିହର ମିଶ୍ର: ନା ସେ ପୂରା ଗାଇନାହାନ୍ତି। ଆମେ ଜାଣିବାକୁ ପାଇବା ଯେ ଅନେକ ସମୟରେ ଆକାଶବାଣୀ ଓ ଚଳଚ୍ଚିତ୍ର ଗୀତି କବିତାକୁ ସଂକ୍ଷିପ୍ତ କରିଦେଲା, ଏବଂ ଏପରି ହେବା ଯଥାର୍ଥ ମଧ୍ୟ।
ସାହିତ୍ୟ ଚର୍ଚ୍ଚା: ‘ନିନ୍ଦିତ ଗଜପତି’ ନାଟକ ହେଉଛି ଆପଣଙ୍କର ଗୋଟିଏ ସଫଳ ସୃଷ୍ଟି। ଏହା ପଛର ପ୍ରେରଣା କ’ଣ?
ହରିହର ମିଶ୍ର: ଶୈଳୀଗତ ଉତ୍କର୍ଷ ଯୋଗୁଁ ବୋଧହୁଏ ଏହା ସଫଳତା ଅର୍ଜନ କଲା। ବିଶିଷ୍ଟ ସମାଲୋଚକ ରତ୍ନାକର ଚଇନି ଭାରତବର୍ଷର ଶ୍ରେଷ୍ଠ ଦଶଗୋଟି ନାଟକ ମଧ୍ୟରେ ଏହାକୁ ପରିଗଣିତ କରିଛନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣ ନାଟ୍ୟ ସାହିତ୍ୟରେ ଗବେଷଣା କରିଛନ୍ତି, ‘ପି.ଏଚ୍‌.ଡି’ରେ ମଧ୍ୟ ଏହା ଆପଣଙ୍କ ସନ୍ଦର୍ଭର ବିଷୟ ଥିଲା।
ହରିହର ମିଶ୍ର: ମୋ’ର ବିଷୟ ଥିଲା ‘ଷ୍ଟେଜ୍ କ୍ରାଫ୍ଟ’।
ସାହିତ୍ୟ ଚର୍ଚ୍ଚା: ହଁ, ମଂଚ କାରିଗରୀ। ଆପଣ ତ ମଂଚରେ ଉପସ୍ଥାପିତ ହେଉଥିବା ନାଟକ ବିଷୟରେ କହିଲେ। କିନ୍ତୁ ଗୋଟିଏ ଲିଖିତ ସାହିତ୍ୟ ଭାବରେ ନାଟକର ଭବିଷ୍ୟତ କ’ଣ?
ହରିହର ମିଶ୍ର: ପଢିବାପାଇଁ ନାଟକ ଓ ମଂଚରେ ଦୃଶ୍ୟମାନ ହେଉଥିବା ନାଟକ ମଧ୍ୟରେ ଗୋଟିଏ ଯୋଗସୂତ୍ର ରହିବା ଦରକାର। କିନ୍ତୁ ମଂଚାୟନ ନହେଲେ ସେହି ନାଟକ, ନାଟକ ନୁହେଁ। କାରଣ ନାଟକ ଏକ ଦୃଶ୍ୟ କାବ୍ୟ। ଅବଶ୍ୟ କିଛି ନାଟକ ମଧ୍ୟ ଅଛି ଯାହା ମଂଚାୟନ ନହେଲେ ମଧ୍ୟ ତାହାର ସାହିତ୍ୟିକ ମୂଲ୍ୟ ରହିବ, ଯେମିତି ଗୀତିନାଟ୍ୟ ବା ପୋଏଟିକ୍ ଡ଼୍ରାମା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ କବିତା କଥା ବିଚାର କଲେ, ଆପଣ ଅନାମ ଆନ୍ଦୋଳନ ବିଚାରଧାରାର ଜଣେ ଅଗ୍ରଣୀ ଅନୁଗାମୀ ବୋଲି ବିଚାର କରାଯାଏ। କ’ଣ ଥିଲା ଏହି କାବ୍ୟ ଆନ୍ଦୋଳନର ଅନ୍ତଃସ୍ୱର?
ହରିହର ମିଶ୍ର: ଶୁଣନ୍ତୁ, ଗୋଟିଏ ସମୟରେ ମୁକ୍ତଛନ୍ଦ କବିତା କେନ୍ଦ୍ରଚ୍ୟୂତ ହୋଇଗଲା ଏବଂ ତା’ଭିତରକୁ ବହୁବିଧ ଭାବନା ଆସିଲା। ଗୋଟିଏ ରୀତି ଥିଲା ଯେ କବିତାର ବକ୍ତବ୍ୟ ଯାହା ହେବ ଶୀର୍ଷକଟି ତା’କୁ ନିର୍ଣ୍ଣିତ କରିବ। ଉଦାହରଣ ସ୍ୱରୂପ ଯଦି ଶୀର୍ଷକଟି ‘ପରମାଣୁ ଯୁଦ୍ଧ’ ହେଲା ତେବେ ପରମାଣୁ ଅସ୍ତ୍ର ବା ଯୁଦ୍ଧର କଥା ସେଥିରେ ଲେଖାଯାଇଥିବ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଅନାମର ଅନୁଗାମୀମାନେ ତ କବିତାର ଶୀର୍ଷକ ପରିତ୍ୟାଗ କଲେ।
ହରିହର ମିଶ୍ର: ଅନାମମାନେ ଶୀର୍ଷକକୁ ହଟାଇଲେ ନାହିଁ, ବରଂ ଶୀର୍ଷକର ଆଉ ଆବଶ୍ୟକତା ରହିଲାନାହିଁ ଯେହେତୁ ଗୋଟିଏ କବିତା ଭିତରେ ବହୁବିଧ ଭାବନା ରହିଲା। ଖାଲି ଅନାମ କାହିଁକି? ଅନ୍ୟ କେତେକ କବିତାରେ ବି ଏହା ହୋଇଛି। ଅନାମ କହିଲେ କେବଳ ଶୀର୍ଷକ ବିହୀନତା ନୁହେଁ। ଥରେ ସଚ୍ଚି ରାଉତରାୟ ମତ ଦେଲେ ଯେ ଅନାମ କବିତାରେ ଶୀର୍ଷକ ରହିବା ଉଚିତ। ସେ କହିଲେ ଯେ ଏହା ନ ରହିଲେ ଆମେ ଗୋଟିଏ କବିତାର ରେଫରେନ୍ସ କ’ଣ ବୋଲି ଦେବୁ?
ସାହିତ୍ୟ ଚର୍ଚ୍ଚା: ତେଣୁ ବୋଧହୁଏ ଆପଣଙ୍କ ରଚିତ କବିତାଗୁଡିକରେ ଶୀର୍ଷକ ଅଛି।
ହରିହର ମିଶ୍ର: ହଁ, ମୁଁ ଶୀର୍ଷକ ଦେଇ ଲେଖୁଥିଲି।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ସେତେ କଠୋର ଭାବରେ ବୋଧହୁଏ ଅନାମର ନୀତିକୁ ଅନୁସରଣ କରୁନଥିଲେ !
ହରିହର ମିଶ୍ର: ଅନାମ ଗୀତରେ ମଧ୍ୟ ଏକ ଆଳଙ୍କାରିକ ଛନ୍ଦ ଥିଲା। ଯେମିତି କୁମାର ମହାନ୍ତିଙ୍କ: “ବାନ୍ଧି ନେଇଯିବ ପୁଲିସିବାଲା।”
ସାହିତ୍ୟ ଚର୍ଚ୍ଚା: କୁମାର ମହାନ୍ତିଙ୍କ କବିତାକୁ ଯଦି ଆମେ ଅନାମ ଶୈଳୀର ଏକ ମାନକ ଭାବରେ ଧରିନେଉ, ତେବେ ସେଭଳି ଧରଣର କବିତାଠାରୁ ଆପଣ ଟିକିଏ ଦୂରତା ରକ୍ଷା କରୁଥିଲେ କି?
ହରିହର ମିଶ୍ର: କୁମାର ମହାନ୍ତି ଯେହେତୁ ‘ଇଂରାଜୀ ଅନର୍ସ’ରୁ ଆସିଥିଲେ, ସେ ‘ଟ୍ରାଡିସନ୍ ଏଣ୍ଡ୍ ଇଣ୍ଡିଭିଜୁଆଲ୍ ଟାଲେଣ୍ଟ୍‌’ ଭିତରେ ଆମର ଟ୍ରାଡିସନ୍ କେଉଁଠି ଅଛି ତାହା ଦର୍ଶାଉଥିଲେ। ମୁଁ ତ ଯେମିତି ଲେଖିବା କଥା ସେମିତି ହିଁ ଲେଖୁଥିଲି। ସୁରେନ୍ଦ୍ର ମହାନ୍ତି ତାହା ପଢି ମତ ଦେଲେ ଯେ ଓଡ଼ିଆ କବିତାର ସାମ୍ଭ୍ରାନ୍ତ୍ୟ ଆଜି ଅନାମର କାବ୍ୟାଘାତରେ ଜର୍ଜରିତ।
ସାହିତ୍ୟ ଚର୍ଚ୍ଚା: ଆମେ ଶୁଣିଛୁ ଯେ ସୁରେନ୍ଦ୍ର ମହାନ୍ତି କିନ୍ତୁ ଆପଣଙ୍କ କବିତାକୁ ନେଇ ଥରେ ଗଭୀର ଆସ୍ଥା ପ୍ରକଟ କରିଥିଲେ।
ହରିହର ମିଶ୍ର: ହଁ, ସେ ଏହା କହିଥିଲେ ଏବଂ ଚିତ୍ତରଂଜନ ଦାସ ମଧ୍ୟ ଏହା ତାଙ୍କ ବହିରେ ଲେଖିଛନ୍ତି।
ସାହିତ୍ୟ ଚର୍ଚ୍ଚା: ଅନାମ ଅନୁଗାମୀମାନେ ନିଜର ସାହିତ୍ୟ ପାଇଁ କୌଣସି ପୁରସ୍କାର ଗ୍ରହଣ ନ କରିବା ପାଇଁ ଶପଥ ନେଇଥିଲେ। ଆପଣ ବୋଧହୁଏ ଏହାର ଅନୁସରଣ କରିନଥିଲେ।
ହରିହର ମିଶ୍ର: ମୁଁ ଜାଣେ, ପୁରସ୍କାର କଥା ନେଇ ମୋ ପ୍ରତି କିଛି ଲୋକଙ୍କର ଆକ୍ଷେପ ଅଛି। ମୁଁ ତ ପିଲାଦିନୁଁ ପୁରସ୍କାର ପାଇଲି। ବିଷୁବ ସମାରୋହରେ ତିନୋଟି ପୁରସ୍କାର ପାଇସାରିଥିଲି। ଅନାମ ପରେ ଆସିଲା। ଏଣୁ ପୁରସ୍କାର ଗ୍ରହଣ କରିସାରିବା ପରେ ତାହାକୁ ପୁଣି ବର୍ଜନ କରିବାର ମାନେ କ’ଣ? ଅନେକ ଅନାମ ଅନୁଗାମୀ ମଧ୍ୟ ବିନା ଦ୍ୱିଧାରେ ପୁରସ୍କାର ଗ୍ରହଣ କରିଛନ୍ତି। ଏଣୁ ଏ ବିଷୟରେ ମୋ ଉପରେ ଏଭଳି ଆରୋପ କରାଯିବାର କାରଣ ନାହିଁ।
ସାହିତ୍ୟ ଚର୍ଚ୍ଚା: କେବଳ ସୁରେନ୍ଦ୍ର ମହାନ୍ତିଙ୍କ କାର୍ଯ୍ୟକାଳକୁ ଛାଡିଦେଲେ, ଆପଣ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ ସର୍ବାଧିକ କାଳ, ଅର୍ଥାତ୍ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ। ଏହି ଅବଧିରେ ଏକାଡେମୀର କାର୍ଯ୍ୟଧାରା ପ୍ରତି ନିଜର ଅବଦାନକୁ ନେଇ ଆପଣ ସନ୍ତୁଷ୍ଟ କି?
ହରିହର ମିଶ୍ର: ସମ୍ପୂର୍ଣ୍ଣ। କାହିଁକି ନା ପାଞ୍ଚ ବର୍ଷ ଭିତରେ ଚାରିବର୍ଷର ପୁରସ୍କାର ଦିଆଯାଇପାରିଛି। ସେ ସମୟରେ ଏକାଡେମୀର ମୁଖପତ୍ର ‘କୋଣାର୍କ’ର ପ୍ରକାଶନ ମଧ୍ୟ ନିୟମିତ କରାଯାଇପାରିଛି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ କୁହାଯାଏ ଯେ ଆପଣଙ୍କ ସମୟରେ ପୁରସ୍କାର ପ୍ରଦାନ କାର୍ଯ୍ୟଧାରା ବିଳମ୍ବିତ ହୋଇଯାଇଥିଲା!
ହରିହର ମିଶ୍ର: କିଛି ଲୋକ ତ୍ରୁଟିପୂର୍ଣ୍ଣ ଭାବେ କହୁଛନ୍ତି ସେକଥା। କିନ୍ତୁ ମୋ ସମୟରେ ପୁରସ୍କାର ବିଳମ୍ବିତ ହୋଇନାହିଁ, ବରଂ ରେଗୁଲାରାଇଜ୍ ହୋଇଛି।
ସାହିତ୍ୟ ଚର୍ଚ୍ଚା: କେତେକ ମହଲରେ ଆହୁରି ମଧ୍ୟ ଅଭିଯୋଗ ଶୁଣିବାକୁ ମିଳେ ଯେ ଆପଣଙ୍କ ସଭାପତିତ୍ୱ କାଳରେ ଏକାଡେମୀ ତରଫରୁ ଆପଣଙ୍କର ଅନେକ ପୁସ୍ତକ ପ୍ରକାଶ ପାଇଥିଲା।
ହରିହର ମିଶ୍ର: କେତେକେ କହନ୍ତି ଯେ ମୋ’ର କାଳେ ୧୨ ଗୋଟି ବହି ଏକାଡେମୀ ଛପାଇଥିଲା। ଏହା ଠିକ୍ ନୁହେଁ। ମୋ’ର ମାତ୍ର ଦୁଇଟି ବହିର ଇଂରାଜୀ ଅନୁବାଦ ଏକାଡେମୀ ପକ୍ଷରୁ ପ୍ରକାଶିତ।
ସାହିତ୍ୟ ଚର୍ଚ୍ଚା: ସାହିତ୍ୟ ଏକାଡେମୀର ସଭାପତି ଭାବରେ ଆପଣଙ୍କୁ କିଛି ପ୍ରତିବନ୍ଧକର ସମ୍ମୁଖୀନ ହୋବାକୁ ପଡ଼ିଛି କି?
ହରିହର ମିଶ୍ର: ସେମିତି କିଛି ପ୍ରତିବନ୍ଧକର ସମ୍ମୁଖୀନ ହୋଇନାହିଁ। ପ୍ରତିବନ୍ଧକ କହିଲେ କେବଳ ଯାହା ଥିଲା କରୋନା କାଳ ଏବଂ ମୋ ସ୍ୱାସ୍ଥ୍ୟ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥା ଦୃଷ୍ଟିରୁ, ଆପଣ ଏବେ ବି ପୂର୍ବ ଭଳି ରଚନା ପ୍ରବଣ ଅଛନ୍ତି କି?
ହରିହର ମିଶ୍ର: ଏବେ ତ ଯୁଦ୍ଧ ଉପରେ କବିତା ଲେଖିଛି, ଯାହା ପ୍ରକାଶ ଅପେକ୍ଷାରେ ଅଛି। ନାଟକ ଲେଖା ବି ଚାଲିଛି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ସାର୍ଥକ ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ।

  • ‘ସାହିତ୍ୟ ଚର୍ଚ୍ଚା ‘ ପତ୍ରିକାର ଜୁନ୍, ୨୦୨୨ ସଂଖ୍ୟାରେ ପ୍ରକାଶିତ।

Leave a Reply

Your email address will not be published. Required fields are marked *