ଜଣେ ଭାଲୁ-ନଚାଳି ନିଜର ପୋଷା ଭାଲୁଟିକୁ ତାଲିମ ଦେଉଥିବା ବେଳେ ଦୈବାତ୍ ଭାଲୁର ଗୋଟିଏ ନଖ ତା ଦେହରେ ବାଜି ସାମାନ୍ୟ ଆଞ୍ଚୁଡି ହୋଇଯାଇଛି। ଫଳରେ ଭାଲୁ-ନଚାଳି ଜଣକ ରାଗରେ ତମତମ ହୋଇ ତା’ର ପ୍ରିୟ ପୋଷା ଭାଲୁକୁ ଲାଠିରେ ପିଟି ଚାଲିଛି। ଭାଲୁଟି ଯନ୍ତ୍ରଣାରେ ଛଟପଟ ହୋଇ କୁଁ କୁଁ ହେଉଛି ସିନା, ନିଜ ମାଲିକକୁ ପ୍ରତି-ଆକ୍ରମଣ କରୁନାହିଁ। ଏହା ଲକ୍ଷ୍ୟ କରି ତା’ ମାଲିକର ହୃଦୟ କିନ୍ତୁ ତରଳିଯାଇଛି ଏବଂ ସେ ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦିବାକୁ ଆରମ୍ଭ କରିଛି। ସେଠାରେ ଉପସ୍ଥିତ ଆଉ ଜଣେ ବ୍ୟକ୍ତି ଏହା ଦେଖିପାରି ତା’ର ଏଭଳି କାନ୍ଦିବାର କାରଣ ପଚାରନ୍ତେ ସେ କହିଛି, “ଦେଖନ୍ତୁ, ମୁଁ ତାକୁ ଏତେ ପିଟିବା ସତ୍ତ୍ୱେ ସେ ମୋତେ କିଛି କଲାନାହିଁ। ଜଙ୍ଗଲରେ ଖୋଲା ଜୀବଟିଏ ହୋଇ ରହିଥିଲେ ଆଜି ମୋର ଏହି ଦୋଷ ପାଇଁ ସେ ମୋତେ ମାରି ଖିନଭିନ୍ କରିଦେଇଥା’ନ୍ତା। ଜାନୁଆର୍ଟି ମଣିଷ ପାଖରେ ରହି ଜଣେ ମଣିଷ ପାଲଟିଯାଇଛି; ଏବଂ ମୁଁ ମଣିଷଟେ ହୋଇ ଜଣେ ଜାନୁଆର୍ ହୋଇଯାଇଛି।” ପାଠକକୁ ସ୍ତବ୍ଧ କରିଦେବା ଭଳି ଏହି ମହାର୍ଘ ସନ୍ଦେଶଟି ସହିତ ଯବନିକା ପଡିଛି ଗଳ୍ପଟିର।
ଏହା ହେଉଛି ଆମ ସମୟର ସ୍ୱନାମଧନ୍ୟ କଥାକାର ଶ୍ରୀ ଅଚ୍ୟୁତାନନ୍ଦ ପତିଙ୍କ ଦ୍ୱାରା ରଚିତ ‘ଝାନ୍ସିଂ’ ନାମକ ଏକ କାଳଜୟୀ ଗଳ୍ପର କିୟଦଂଶ। ଗୋଟିଏ ଗଳ୍ପର ଏଭଳି ଭାବଗର୍ଭକ ଧାଡିଗୁଡିକ ପଢି ଆମେ ହୁଏତ ନିମିଷକ ପାଇଁ ଅଭିଭୂତ ହୋଇଯାଉ, କିନ୍ତୁ ତା’ପରେ ସହଜ ଭାବରେ ପୃଷ୍ଠାଟିକୁ ଓଲଟାଇ ଆଗେଇଚାଲୁ ପରବର୍ତ୍ତୀ ଗଳ୍ପକୁ; କିମ୍ବା ଅନ୍ୟ କୌଣସି ପୁସ୍ତକକୁ। କିନ୍ତୁ ଆମେ କେବେ ନିମିଷେ ଅଟକିଯାଇ ଚିନ୍ତାକରୁ କି, ଆମକୁ ପରମ ଆହ୍ଲାଦିତ ଓ ଉଦବୁଦ୍ଧ କରୁଥିବା ସାହିତ୍ୟର ସେହି କେଇ ଧାଡ଼ି ପଛରେ ଲୁଚି ରହିଥିବା ଜଣେ ରଚନାକାରଙ୍କର ଅଶେଷ ଆୟାସ ଓ ଅଧ୍ୟବସାୟର କଥା?
ଜାଣିଲେ ବିସ୍ମିତ ହେବାକୁ ପଡେ ଯେ ଏହି ଗଳ୍ପଟିକୁ ରୂପ ଦେବା ପୂର୍ବରୁ ସଂପୃକ୍ତ ବିଷୟଟି ସଂପର୍କରେ ବାସ୍ତବ ଅନୁଭୂତି ହାସଲ କରିବାପାଇଁ ସେହି ବରେଣ୍ୟ ଲେଖକ ଏକଦା ଜଣେ ଭାଲୁ-ନଚାଳି ଓ ତାହାର ପୋଷା ଭାଲୁକୁ ନିଜ ଘର ବାରଣ୍ଡା ସମୀପସ୍ଥ ଏକ କୋଠରିରେ ମାସାଧିକ କାଳ ଆଶ୍ରୟ ଦେଇଥିଲେ ଏବଂ ନିତିପ୍ରତି ସେମାନଙ୍କ ପାଖକୁ ଯାଇ ତାଙ୍କର ଜୀବନ ଶୈଳୀକୁ ଅନୁଧ୍ୟାନ କରୁଥିଲେ। ଏହି ଦୀର୍ଘ ଅନୁଶୀଳନ ପରେ ହିଁ ତାଙ୍କ କଲମରୁ ପଶୁଟିଏ ମଣିଷ ଏବଂ ମଣିଷଟିଏ ପଶୁ ପାଲଟିଥିବା ଭଳି ଗଭୀର ଭାବ-ବ୍ୟଞ୍ଜକ ବାକ୍ୟଟିଏ ଝରିବା ସମ୍ଭବ ହୋଇପାରିଥିଲା।
ଆମର କହିବାର ମର୍ମ ହେଲା ଯେ ଲେଖକମାନଙ୍କ ଦ୍ୱାରା ସୃଷ୍ଟ ରଚନାଗୁଡିକର ରସାସ୍ୱାଦନ କରୁଥିବା ବେଳେ ଆମେ ହୁଏତ ଭୁଲିଯାଉ ଯେ ଆମକୁ ସାମୟିକ ଆନନ୍ଦ ପ୍ରଦାନ କରୁଥିବା ସେହି କୃତିଗୁଡିକୁ ଆଲୋକକୁ ଆଣିବାପାଇଁ ତାହାର ସ୍ରଷ୍ଟାମାନଙ୍କୁ କେତେ ମଧ୍ୟ-ରଜନୀର ତୈଳ (ମିଡ଼୍ ନାଇଟ୍ ଅଏଲ୍) ସାରିବାକୁ ପଡିଛି! କୌଣସି ରଚନା ପଛରେ ନିହିତ ଏଭଳି ଏକ ଅଧ୍ୟବସାୟର ଅନ୍ୟତମ ଦୃଷ୍ଟାନ୍ତ ସହିତ ଆମେ ସେଦିନ ପରିଚିତ ହେଲୁ ଯେବେ ଆମର ଚଳିତ ସଂଖ୍ୟାରେ ପ୍ରକାଶିତ ଏକ ଶିଶୁଗଳ୍ପର ସ୍ରଷ୍ଟା ଶ୍ରୀ ଶଙ୍କର୍ଷଣ ସାମଲ ନିଜ ଲେଖାଟି ଶେଷ କରିବାପାଇଁ ବେଶ କିଛି ଦିନ ସମୟ ନେଲେ। ପରେ ତାଙ୍କଠାରୁ ଏହି ବିଳମ୍ବର କାରଣ ଅବଗତ ହୁଅନ୍ତେ ଆମେ ଚକିତ ହେଲୁ। କରୋନା କାଳ ଅନ୍ତେ ବନ୍ଦ ପଡିଥିବା ସ୍କୁଲଗୁଡିକ ଖୋଲିବାପରେ କୁନି ପିଲାମାନଙ୍କ ମନୋସ୍ଥିତି ଓ ଦୁର୍ଦ୍ଦଶା ଉପରେ ଆଧାରିତ ଏହି ଗଳ୍ପଟିକୁ ରଚନା କରିବାକୁ ସ୍ୱୟଂ ଲେଖକ ବହୁଦିନ ଧରି ବିଭିନ୍ନ ବିଦ୍ୟାଳୟକୁ ଯାଇ ସେଠାକାର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହିତ ଭାବ ବିନିମୟ କରିବାରେ ସମୟ ବିନିଯୋଗ କରିଥିଲେ।
ଅଧିକାଂଶ ସାର୍ଥକ ସାହିତ୍ୟିକ ରଚନାଗୁଡ଼ିକର ପଛରେ ନିହିତ ଏଭଳି ଆୟାସସାଧ୍ୟ ଲେଖକୀୟ ଅଧ୍ୟବସାୟକୁ ଆମେ ଯଥାର୍ଥ ସ୍ୱୀକୃତି ଦେବା ଉଚିତ।
ନିହାର ଶତପଥୀ
( ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ୍, ୨୦୨୨ ସଂଖ୍ୟାରେ ପ୍ରକାଶିତ)
ପ୍ରକୃତରେ ଠିକ୍ କଥା କହିଛନ୍ତି ସମ୍ପାଦକ ମହୋଦୟ। କୌଣସି ଏକ ପ୍ରସଙ୍ଗକୁ ଅଙ୍ଗେ ନ ନିଭାଇଲେ ସେହି ପ୍ରସଙ୍ଗ ସମ୍ପର୍କୀତ କୌଣସି ଗଳ୍ପ ବା କବିତା ମନଛୁଆଁ ହୋଇପାରିବ ନାହିଁ। ବିଶେଷ କରି ଆମ ଓଡ଼ିଆ ସାହିତ୍ୟରେ କାଳଜୟୀ ରଚନା ଭାବେ ଗଣାଯାଉଥିବା କିଛି ହାତଗଣତି କବିତା ଯେପରି – ଶେଫାଳି ପ୍ରତି, କାଳିଯାଇ ବା ରାମଚଣ୍ଡୀରେ ସନ୍ଧ୍ୟା ହେଉ କି ବୁଢ଼ା ଶଙ୍ଖାରୀ ବା ନୀଳ ମାଷ୍ଟ୍ରାଣି କିମ୍ବା ନଚିକେତାର ହାତ କିମ୍ବା ଭୋଜି ଭଳି ଗଳ୍ପ ହେଉ, ଏହିସବୁ ଲେଖାର ଲେଖକମାନେ ଜଣେ ଜଣେ ସମ୍ବେଦନଶୀଳ ଲେଖକ ହୋଇଥିବାରୁ ଏହିସବୁ ଲେଖାଗୁଡ଼ିକ ଲେଖାଯିବାର ଅନେକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ପାଠକୀୟ ଆଦୃତି ଲାଭ କରିଚାଲିଛି।
ତେଣୁ ଜଣେ ସମ୍ବେଦନଶୀଳ ବ୍ୟକ୍ତି ହିଁ କୌଣସି ସୃଜନାତ୍ମକ କଳାକୁ ଅଧିକରୁ ଅଧିକ ନ୍ୟାୟ ଦେଇପାରିବ।