- ଖତୁଆ ମେଟ୍ରିକ ପାସ୍ କରିଛି। ସାହି ଲୋକ ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ତା ଠାରୁ ବେଶୀ ଆଶ୍ଚର୍ଯ୍ୟ ଖତୁଆର ଶିକ୍ଷକମାନେ।
ମହାବାତ୍ୟା ଏବଂ ଫନୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଯେତିକି କ୍ଷତି ଓଡ଼ିଶାର କରିନଥିଲା, କରୋନା ମହାମାରୀର ଲକଡାଉନ ଓ ସଟଡାଉନ ତାଠାରୁ ହଜାର ଗୁଣ କ୍ଷତି କରିଛି, ଉଭୟ ଆମ ଶିକ୍ଷା ବ୍ୟବସ୍ଥା ଓ ଛାତ୍ରକୁଳର ଦକ୍ଷତା ପ୍ରତି। ଏମିତି ହେଲାଣି ଯେ ସ୍କୁଲ ବର୍ଷ ବର୍ଷ ଧରି ଛୁଟିରେ ରହିବାରୁ ଛାତ୍ରଛାତ୍ରୀ ନିଜ ସ୍କୁଲ ନାଁ ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବି ଭୁଲିଯାଇଛନ୍ତି ଏବଂ ସେମିତି ଶିକ୍ଷକ ଶିକ୍ଷୟିତ୍ରୀମାନେ ବି ଛାତ୍ରଛାତ୍ରୀଙ୍କୁ ଭୁଲିଯାଇଛନ୍ତି। ହେଲେ କେହି ଭୁଲିପାରିନାହାନ୍ତି ଖରାଛୁଟି, ପୂଜା ଛୁଟି ତଥା ଧାନକଟା ଛୁଟି ଭଳି ଲମ୍ବା ଲମ୍ବା ଛୁଟିର ମଜା। ଅନଲାଇନ କ୍ଲାସର ମାୟା ଗ୍ରାସ କରିଛି ଉଭୟ ପିତାମାତା ଏବଂ ଛାତ୍ରଛାତ୍ରୀଙ୍କୁ। ତାଛଡ଼ା ସମସ୍ତଙ୍କ ମୁହଁରେ ମାସ୍କ ଏମିତି ବନ୍ଧା ହୋଇଛି ଯେ କାହାକୁ ଚିହ୍ନିବା ମୁସ୍କିଲ।
ଏବେ ସ୍କୁଲ୍ର ଗୋଲି ସାର୍ ତାଙ୍କ ଛାତ୍ର ଖତୁଆ ଭଳି ହେୟାର ଷ୍ଟାଇଲ କରି ଅବିକଳ ଖତୁଆ ପରି ଦେଖାଯାଉଛନ୍ତି, ସାରଙ୍କ ଭଳି ଆଉ କିଛି କିଛି ଶିକ୍ଷକ ମଧ୍ୟ ଘରେ ମାସମାସ ଧରି ରହି ଯୋଗ ସାଧନା ବଳରେ ରଙ୍ଗିଲା ଟୋକା ଛାତ୍ର ଖତୁଆ ଭଳି ଦେଖା ଯାଊଛନ୍ତି। ଏମିତି ଦିନେ ରଘୁପାତ୍ରଙ୍କ ବାଡ଼ିରୁ କୁକୁଡ଼ା ଚୋରି ହେଲା ଏବଂ ଚଗଲା ଛାତ୍ର ଖତୁଆ ଚୋରିକରିଛି ଜଣା ପଡ଼ିଗଲା ପରେ ରଘୁବାବୁ ଖତୁଆ ଭଳି ଦେଖାଯାଉଥିବା ଗୋଲି ସାରଙ୍କୁ ନିର୍ଧୁମ ପିଟିବାରେ ଲାଗିଲେ। ମାଡ଼ ଖାଉଥିବା ବ୍ୟକ୍ତି ଯେ ଖତୁଆ ନୁହେଁ ବରଂ ଖତୁଆ ପରି ଦେଖାଯାଉଥିବା ଗୋଲିସାର୍ ଥିଲେ ଏହା ଜାଣିପାରି ସମସ୍ତେ ମୁଣ୍ଡରେ ହାତ ଦେଲେ। ଅଭିଭାବକମାନଙ୍କ ପାଇଁ ରୋଜଗାର ବନ୍ଦ ସମୟରେ ବ୍ୟୟବହୁଳ ସ୍ମାର୍ଟ ଫୋନ କିଣି ପିଲାଙ୍କୁ ଦେବା ଅତ୍ୟନ୍ତ କଷ୍ଟକର ଥିଲା। ତଥାପି ପିଲାଙ୍କୁ ମୂର୍ଖ ଦୋଷରୁ ଉଦ୍ଧାର କରିବା ପାଇଁ ବାପା ମାଆ ମାନେ ଧାରକରଜ ତଥା ସୁନାଗହଣା ଏବଂ ଜମିବାଡ଼ି ବିକ୍ରିକରି ପିଲାମାନଙ୍କୁ ସ୍ମାର୍ଟ ଫୋନ ଦେବାର ବହୁତ ନଜିର ରହିଛି। ସ୍ମାର୍ଟ ଫୋନ ସହିତ ଇଣ୍ଟରନେଟର ସୁବିଧା ପିଲାମାନଙ୍କ ପାଠ ଅପେକ୍ଷା ଶାଠର ଦକ୍ଷତାକୁ ବହୁତ ପରିମାଣରେ ବଢେଇ ଦେଲା। ଏହି ସ୍ମାର୍ଟ ଫୋନ ପାଇ ପିଲା ପାଠ ବଦଳରେ ଗୀତ ଶୁଣିଲେ, ସିନେମା ଦେଖିଲେ, ଗେମ ଖେଳିଲେ ଆଉ ସବୁଠାରୁ ବେଶୀ ଦକ୍ଷତା ହାସଲ କଲେ ଫେକ୍ ଆକାଉଣ୍ଟ ଖୋଲି ଫେସବୁକ ଏବଂ ହ୍ୱଟ୍ସଅପରେ ଚାଟିଂ କରିବାରେ। ଏହି ଚାଟିଂ ଫଳରେ ଅନେକ ଛାତ୍ରଛାତ୍ରୀ ପାଠ ପଢ଼ିଲେ କମ୍, ପ୍ରେମ ନିଶାରେ ମତୁଆଲା ହେଲେ ଅଧିକ। ଖାଲି ଛାତ୍ରଛାତ୍ରୀ ନୁହନ୍ତି ଶିକ୍ଷକ ଶିକ୍ଷୟିତ୍ରୀମାନେବି ଏଥିରେ ପଛରେ ପଡ଼ିଲେନି। ଏମିତି ଏକ ଛାତ୍ର ଖତୁଆର ଫେକ୍ ଆକାଉଣ୍ଟର ଶିକାର ହୋଇଥିଲେ ତା’ ନିଜର କ୍ଲାସ ଟିଚର ମମତା ମାଡାମ୍। ଯେତେବେଳେ ଉଭୟେ ଉଭୟଙ୍କୁ ସାକ୍ଷାତ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଭେଟାଭେଟି ହେବାକୁ ଉପସ୍ଥିତ ହେଲେ ତା’ପରଠୁଁ କେହି କାହା ମୁହଁକୁ ଚାହିଁ ପାରୁନାହାନ୍ତି। କିସ କରିବା, କପାଳରେ ସିନା କର ମାରିବା!
ଏବେ ଅଫଲାଇନରେ ପରୀକ୍ଷା ହେବା କଥା ଶୁଣି କିଛି ଛାତ୍ରଛାତ୍ରୀ ମେଳିହେବା ଘଟଣା ଶୁଣି ଗୋଟିଏ ଗପ ମନକୁ ଆସୁଛି। ଜଙ୍ଗଲୀ ପଶୁ ପକ୍ଷୀମାନଙ୍କୁ ନିର୍ଯ୍ୟାତନା ଦେଲେ ଆଇନ ଅନୁସାରେ ଦଣ୍ଡିତ ହେବାକୁ ପଡ଼ିବ, ଏହି ନିୟମ ଯେବେ ଭାରତରେ ଲାଗୁହେଲା, ସେତେବେଳେ ବହୁତ ସର୍କସ୍ ବନ୍ଦ ହୋଇଗଲା। ଆମ ଦେଶରେ ଅନେକ ସର୍କସ ଦଳମାନଙ୍କୁ କ୍ଷତି ସହିବାକୁ ପଡ଼ିଲା। ସେହିଭଳି ଆମ କଲିକତାରେ ଗୋଟିଏ ସର୍କସ୍ ଦଳରେ ଦଶଟି ବାଘ ଥିଲେ। ସେମାନଙ୍କୁ କଟା ମାଂସ ଖାଇବାକୁ ଦିଆହେଉଥିଲା, ଆଉ ଖାଇବା ବାବଦରେ କମ୍ପାନୀକୁ ଦିନକୁ ୫୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା, ସେପଟେ ସର୍କସ ଖେଳ ଦେଖାଇବା ବନ୍ଦ, ଏପଟେ ଟଙ୍କା ଖର୍ଚ୍ଚ। କମ୍ପାନୀ ଦେବାଳିଆ ହୋଇଗଲା, ଫଳରେ କମ୍ପାନୀର ମାଲିକ ଉକ୍ତ ବାଘଙ୍କୁ ଜଙ୍ଗଲରେ ଛାଡ଼ିଦେଲେ। ଦୁଇ ଚାରି ଦିନ ପରେ ଜଣାପଡ଼ିଲା ସେ ବାଘଙ୍କୁ ଜଙ୍ଗଲର କୁକୁର ମାରି ଖାଇ ଦେଇଛନ୍ତି। କାରଣ ବାଘ କଟା ମାଂସ ଖାଇଖାଇ ଶୀକାର କରିବା ବିଦ୍ୟା ସହିତ ସେମାନେ ନିଜର ପରାକ୍ରମ ବା ଦକ୍ଷତା ବି ଭୁଲିଯାଇଥିଲେ ଏବଂ ଭୋକିଲା କୁକୁରମାନେ ସେମାନଙ୍କୁ ଦେଖି ଅତ୍ୟନ୍ତ ହିଂସ୍ର ହୋଇଯାଇଥିଲେ। ଫଳରେ ଶୀକାରୀ ମହାବଳ ବାଘ ଶେଷରେ ସାମାନ୍ୟ ଜଙ୍ଗଲୀ କୁକୁରର ଶୀକାର ସାଜିଲା।
ଏହି ଗପଟି କହିବାର ଉଦ୍ଦେଶ୍ୟ ହେଲା ପିଲାମାନେ ସ୍କୁଲ ଏବଂ କଲେଜକୁ ନଯାଇ ଅନଲାଇନରେ ପାଠ ପଢ଼ି ସର୍କସର ବାଘ ସାଜିଛନ୍ତି। ଫଳରେ ଅଫଲାଇନରେ ପରୀକ୍ଷା ଦେବାକୁ ଡରୁଛନ୍ତି। ଏହାର ଫାଇଦା ନେଇ ଜଙ୍ଗଲର କୁକୁର ସଦୃଶ କେତେକ ବେକାର ଅସାମାଜିକ ତତ୍ତ୍ୱ ଓ ଆତ୍ମଘୋଷିତ ଛାତ୍ର ନେତାମାନେ ଆନ୍ଦୋଳନ ଏବଂ ବିକ୍ଷୋଭର ଦ୍ୱାହି ଦେଇ ଏମାନଙ୍କ ଦକ୍ଷତାକୁ ଖିନଭିନ କରି ଝୁଣି ଖାଇଯାଉଛନ୍ତି। ଅବଶ୍ୟ ଯେଉଁମାନେ ପାଠ ପଢ଼ିଛନ୍ତି ସେମାନେ ପ୍ରତ୍ୟେକ ପରୀକ୍ଷାର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଯେଉଁମାନେ ପାଠ ନପଢ଼ି ମୋବାଇଲର ଅସୀମ ବ୍ୟବହାର କରି ଛାତ୍ରଛାତ୍ରୀ ପରିବର୍ତ୍ତେ ଛାୟାର ସଂସାର ଆରମ୍ଭ କରିଦେଇଛନ୍ତି ସେମାନଙ୍କର ତ ପରୀକ୍ଷାକୁ ପ୍ରାଣେ ଡର। ଏହି ଡରର ଫାଇଦା ନେବାପାଇଁ ଅଣ୍ଟା ଭିଡ଼ି ଆଗେଇ ଆସନ୍ତି ଆତ୍ମଘୋଷିତ ଛାତ୍ରନେତାମାନେ।
ଖତୁଆର ଏ ବର୍ଷ ନବମ ଶ୍ରେଣୀ। ଆର ବର୍ଷ ମାଟ୍ରିକ୍ ପରୀକ୍ଷା ଦବ। ସ୍କୁଲ ମାଟି ତ ମାଡ଼ିବାର ନାଇଁ, ଦି ବର୍ଷ ହେଲା କୋଭିଡ୍ ବ୍ୟାଚ୍ ଚାଲିଛି। ଆରାମରେ ଗୋଟେ ଶ୍ରେଣୀରୁ ଆର ଶ୍ରେଣୀକୁ ଡିଆଁ ମାରିଛି। ଦିନେ ଅନଲାଇନ କ୍ଲାସରେ ଇଂଲିଶ ସାରେ କହିଲେ “ଦୁଇଦିନର ଛୁଟି ପାଇଁ ପ୍ରିନ୍ସପାଲ୍ଙ୍କୁ ଇଂରାଜୀରେ ଏକ ଦରଖାସ୍ତ ଲେଖ।” ସାରେ କହିଲେ “୧୦ ମିନିଟ୍ ଭିତରେ ଲେଖିକି ମୋତେ ହ୍ୱାଟ୍ସଆପରେ ପଠାଅ, ଦେଖିବା କିଏ କେମିତି ଲେଖୁଛି।” ଖତୁଆର ତ ପାଠ ପଢ଼ାରେ ମନ ନାହିଁ। ସେପଟେ ପାଠ ପଢ଼ା ହଉଥିବ, ସିଏ ଏପଟେ ୟୁ ଟ୍ୟୁବରେ ଫିଲ୍ମ ଦେଖୁଥିବ କିମ୍ୱା ଫେକ ଆକାଉଣ୍ଟରେ ଚାଟିଂ କରୁଥିବ। ଖତୁଆ ଲେଖିଲା, “ଡିଅର ପ୍ରିନ୍ସପାଲ ସାର୍, ଆଇ ଆମ୍ କ୍ଲାସ୍ ନାଇନ୍ ଖତୁଆ ପରିଡା। ୟଷ୍ଟରଡେ ଆକ୍ସିଡେଣ୍ଟ ଡନ୍। ମାଇ ଲେଫ୍ଟ ଲେଗ୍ ସ୍ଲିପିଙ୍ଗ ଟୁ ରନ୍, ଆଣ୍ଡ ରେଡ୍ କଲର ବ୍ଲଡ ସ୍ପିଡଲି ଗନ୍। ସୋ ଆଇ ନଟ୍ କମ୍। ଥ୍ୟାଙ୍କ ୟୁ।” ଶିକ୍ଷକ ଖତୁଆର ଏଭଳି ଇଂରାଜୀ ଦକ୍ଷତା ଭିତିକ ଦରଖାସ୍ତ ପଢ଼ି ପୂରା ବାୟା ହୋଇଗଲେ। ପଚାରିଲେ, ବାବୁ “ଖତୁ… ଇଏ କୋଉ ପ୍ରକାର ଇଂଲିଶ? ମୁଁ କ’ଣ ତୋତେ ଏୟା ପଢ଼େଇଥିଲି!” ଖତୁଆ କହିଲା, “ସାରେ ଆପଣ କହିଲେ ହ୍ୱାଟ୍ସଆପରେ ଲେଖିବାକୁ ତ, ମୁଁ ସେଇ ହ୍ୱାଟ୍ସଅପ ଷ୍ଟାଇଲରେ ଦରଖାସ୍ତ ଲେଖିଦେଲି।”
ଇଏ ହେଉଛି କୋଭିଡ଼ ମାଡ଼ଖିଆ ଛାତ୍ରଛାତ୍ରୀଙ୍କ ଇଂରାଜୀ। ମୋବାଇଲରେ ଅନଲାଇନ କ୍ଲାସ କରି କରି ଖତୁଆ ମୋବାଇଲିଆ ହୋଇଯାଇଥିଲା। ସବୁ ମାଆମାନଙ୍କ ଭଳି ଖତୁଆ ମାଆ ବି ୟୁଟୁବରୁ ରୋଷେଇ ଦେଖି ଅଜବ ଆଇଟମ ସବୁ ରୋଷେଇ କରୁଥିଲେ। ସେଦିନ ମାଆ ପେସାଲ ଚିକେନ ବିରିଆନି କରିଥିଲେ। ଲୋଭୀ ଖତୁଆ ଅତ୍ୟଧିକ ଖାଇ ଗତକାଲି ରାତିରୁ ଝାଡ଼ାବାନ୍ତିରେ ପଡ଼ିଛି। ସେ କଟକର ଗୋଟିଏ କ୍ଲିନିକରେ ପହଞ୍ଚିଲା। ଯେତେବେଳେ ଖତୁଆର ପାଳି ପଡ଼ିଲା ଡାକ୍ତର ବାବୁ ଖତୁଆକୁ ପଚାରିଲେ, “ତମର କଣ ହୋଇଛି, କୁହ?” ଖତୁଆ ତ ମୋବାଇଲ ପାଗଳ, ସେ ତା’ ଭାଷାରେ କହିଲା, “ସାର୍ କାଲି ‘ଏକ୍ସେସ ଇନକମିଙ୍ଗ’ ମାନେ ଅଧିକ ଖିଆପିଆ ହୋଇଯାଇଥିଲା। କାଲି ରାତିରୁ ‘ଅଟୋମେଟିକ ଆଉଟଗୋଇଙ୍ଗ’ ମାନେ ଝାଡ଼ାବାନ୍ତି ଚାଲିଛି। ‘ସେଟ୍’ରେ ମାନେ ଦେହରେ ବ୍ୟାଟେରି ଡାଉନ ହୋଇ ଗଲାଣି। ପ୍ୟାଣ୍ଟରେ ‘ମିସକଲ୍’ ହୋଇଯାଉଛି। ‘ରିଙ୍ଗଟୋନ୍’ ମାନେ ବାୟୁ ଆସୁନି। ପେଟଟା ଖାଲି ‘ଭାଇବ୍ରେଟ୍’ ଏବଂ ‘ଫଲ୍ସ ରିଙ୍ଗ’ ହେଉଛି।” ଡାକ୍ତର ଜାଣିଗଲେ ଯେ ଇଏ ଝାଡ଼ାବାନ୍ତି ରୋଗୀ ସାଙ୍ଗକୁ ମୋବାଇଲିଆ ରୋଗୀ। ସେ ନର୍ସକୁ ଡାକି ମୋବାଇଲିଆ ଭାଷାରେ କହିଲେ, “ଦିଦି ଏ ପେସେଣ୍ଟର ସେଟ୍ ରେ ‘ଆଣ୍ଟିଭାଇରସ’ (ଇଂଜେକସନ) ଅପଲୋଡ କରିଦିଅ ଏବଂ ବେଡ଼ରେ ଶୁଆଇ ‘ରିଚାର୍ଜ’ ମାନେ ସାଲାଇନ ପିନ୍ ଗେଞ୍ଜି ଦିଅ। ଯେପର୍ଯ୍ୟନ୍ତ ‘ରିଙ୍ଗ-ଟୋନ’ ନବାଜିଛି ବେଡ଼ରେ ରିଚାର୍ଜ ଚାଲୁ ରଖିବ।” ଏହା କହି ଡାକ୍ତର ଚାଲିଯାଉଥିଲେ। କିଛି ବୁଝି ନପାରି ନର୍ସ ଜଣକ ଡାକ୍ତରଙ୍କ ପଛରେ ଧାଇଁ ଯାଇ କହିଲେ, “ସାର ମୋ ‘ମେମୋରି ଫେଲ୍’ ହୋଇଯାଉଛି। ଆଉଥରେ ‘ଡାଟା ଅପଲୋଡ଼’ କରନ୍ତୁ।” ଡାକ୍ତର ହସି ହସି କହିଲେ, “ତାକୁ ସାଲାଇନ ଦେଇ ଛାଡ଼ି ଦିଅ।” ନର୍ସ ଏବେ ସବୁ ବୁଝି ହାତରେ ସାଲାଇନ ଧରି ଖତୁଆ ବେଡ୍ ପାଖରେ ପହଞ୍ଚିଲେ। ନର୍ସଙ୍କ ହାତରେ ସାଲାଇନର ବଡ଼ ଛୁଞ୍ଚି ଦେଖି ଖତୁଆ କହିଲା, “ମାଡାମ ମୋ ‘ସେଟ୍’ ଏବେ ‘ଅପ୍ଡେଟ’ ହୋଇ ଗଲାଣି, ‘ରିଙ୍ଗଟୋନ୍’ ବି ଆସିଲାଣି,” ଏହା କହି ଡାକ୍ତରଖାନାରୁ ଡିଆଁ ମାରି ଚଂପଟ ଦେଲା।
ଗାଁଟା ସାରା ଚର୍ଚ୍ଚାର ବିଷୟ, ଖତୁଆ ମେଟ୍ରିକ ପାସ୍ କରିଛି। ସାହି ଲୋକ ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ତା ଠାରୁ ବେଶୀ ଆଶ୍ଚର୍ଯ୍ୟ ଖତୁଆର ଶିକ୍ଷକମାନେ। ହେବେନି କେମିତି କହୁନାହାନ୍ତି! ଯେଉଁ ଖତୁଆ ବର୍ଷକ ଯାକ ପଢ଼ି ପରୀକ୍ଷା ଦେବାପରେ ଅଷ୍ଟମ ଶ୍ରେଣୀରେ ୨୮% ରୁ ଅଧିକ ଆଣିନଥିଲା, କରୋନାରେ ସ୍କୁଲ ନଯାଇ, ପରୀକ୍ଷା ନଦେଇ ସେଇ ଖତୁଆ ୮୨% ମାର୍କ ରଖି ବ୍ଲକରେ ଟପର। ନବମ ଶ୍ରେଣୀରେ ଅନଲାଇନ ପରୀକ୍ଷା ଖାତାରେ ତା ବାପା ଲେଖିଦେଇଥିଲେ। ହେଲେ ଏବେ ଅସନ୍ତୁଷ୍ଟିଆ ଖତୁଆ ଏପଟେ ବିରୋଧୀ ଦଳିଆ ଛାତ୍ର ନେତାଙ୍କ ପ୍ରରୋଚନାରେ ପଡ଼ି ଅଧିକ ମାର୍କ ପାଇଁ ଦାବି କରୁଛି। ଖତୁଆର ରାସ୍ତାରେ ହଙ୍ଗାମା ଦେଖି ଗଣମାଧ୍ୟମଙ୍କ ଭିଡ଼ ଜମିଗଲା। ମିଡିଆ ବାଲାଙ୍କୁ ଦେଖି ଖତୁଆ ଉତ୍ସାହିତ ହୋଇ ଜଣେ ଦକ୍ଷ ତଥା ପ୍ରବୀଣ ଛାତ୍ର ନେତା ଭଳି କହିଲା, “ଆଜ୍ଞା ମୋ କାଲକୁଲେସନ ହିସାବରେ ମୁଁ ୯୮% ରଖିବା ପିଲା, ମୋତେ ୮୨% ମିଳିଛି ଏକଥା ମୁଁ ‘ଟଏଲେଟ’ କରିପାରୁନି।” ସାମ୍ବାଦିକ ମାନେ ପ୍ରଶ୍ନ କଲେ, ‘ମାର୍କ ସହିତ ‘ଟଏଲେଟ’ର ସମ୍ପର୍କ କଣ ଅଛି? ଆପଣ ଟଏଲେଟ ନକଲେ ଆପଣଙ୍କ ଦେହ ଖରାପ ହେବଯେ! ସେକଥା ଛାଡ଼ନ୍ତୁ, ଆପଣ କିପରି ଜୋରଦେଇ କହୁଛନ୍ତି ଯେ ଆପଣଙ୍କୁ ୯୮% ମିଳିଥାନ୍ତା ବୋଲି।” ଖତୁଆ କହିଲା, “କହିବିନି କେମିତି? ଶୁଣନ୍ତୁ ମୋ ବାପା ମେଟ୍ରିକ ରେ ୯୮% ରଖିଥିଲେ ନା?” ସାମ୍ବାଦିକ ମାନେ କହିଲେ, “ଆପଣ ଅଷ୍ଟମ ଶ୍ରେଣୀରେ୨୮% ପାଇଥିଲେ ଏବେ ୮୨% ପାଇଛନ୍ତି। ବାପାଙ୍କ ମେଟ୍ରିକ ପରୀକ୍ଷାରେ ପାଇଥିବା ନମ୍ବର ଭଳି ଆପଣ ଆପଣଙ୍କ ମେଟ୍ରିକରେ ନମ୍ବର ପାଇବେ ବୋଲି ଆଶା କରୁଛନ୍ତି କିପରି?” ଖତୁଆ କହିଲା, “ଆଶା କରିବନି କିପରି କହିଲେ, ନବମ ଶ୍ରେଣୀର ଅନଲାଇନ ପରୀକ୍ଷାରେ ବାପା ଲେଖିଦେଇଥିଲେ, ଦଶମ ପ୍ରିଟେଷ୍ଟ ଅନଲାଇନ ପରୀକ୍ଷାରେ ବି ମୋ ବାପା ଲେଖିଦେଇଥିଲେ।” ସାମ୍ବାଦିକ ମାନେ ହସି ହସି କହିଲେ, “ବାପା ତ ପରୀକ୍ଷା ଦେଉଥିଲେ, ଆପଣ କୋଉ ବୁକ୍ ପଢୁଥିଲେ କି?” ଖତୁଆ ଚଟାପଟ ଉତ୍ତର ଦେଲା, “ମୁଁ ଫେସବୁକ୍ ପଢୁଥିଲି।” ସାମ୍ବାଦିକ ମାନେ ନିଜ ନିଜ ଭିତରେ କୁହାକୁହି ହେଉଥିଲେ, ସେଇଥିପାଇଁ ଏ ଜ୍ଞାନୀ ପ୍ରବର ଟଏଲେଟ କରିପାରୁନାହାନ୍ତି। ସବୁ ସାମ୍ବାଦିକ ପରିହାସ କରି କହିଲେ, “ବାବୁ ଆପଣ ଘରକୁ ଯାଇ ଶୌଚାଳୟରେ ଟଏଲେଟ କରିଦିଅନ୍ତୁ। କାରଣ ସରକାର ଘୋଷଣା କରିଛନ୍ତି ଯେଉଁ ଛାତ୍ର ଛାତ୍ରୀ ଅସନ୍ତୁଷ୍ଟ ସେମାନଙ୍କ ପାଇଁ ପରୀକ୍ଷା ହେବ। ଯାଅ ଫର୍ମ ଫିଲପ କରି ଅଫଲାଇନରେ ପରୀକ୍ଷା ଦେବ।” ଖତୁଆ ଫର୍ମ ଫିଲଅପ ଏବଂ ଆଉଥରେ ଅଫଲାଇନରେ ପରୀକ୍ଷା ଦେବାକଥା ଶୁଣି ଛାନିଆ ହୋଇଗଲା ଏବଂ କହିଲା, “ନାଇଁ, ମୁଁ ଆଉ ପରୀକ୍ଷା ଦେବିନି।” ତହୁଁ ଡିଆଁମାରି ସେ ସେଠାରୁ ଉଭାନ୍ ହୋଇଗଲା।
ଲେଖାଟି ବହୁତ ସୁନ୍ଦର ହେଇଛି। ବିଭୁ ପ୍ରସାଦ ସାରଙ୍କ ପ୍ରତ୍ୟେକ ଲେଖା ଚମତ୍କାର।
ଚମତ୍କାର ବ୍ୟଙ୍ଗ, ବିଶେଷ କରି ମୋବାଇଲ ଭାଷାରେ ଲେଖାଯାଇଥିବା ଶବ୍ଦ ପଢ଼ି ଲାଗୁଛି, ଲେଖକ ମଧ୍ୟ ବହୁତ ମୋବାଇଲ ବ୍ୟବହାର କରୁଛନ୍ତି ବୋଧେ, ଆମେ ମଧ୍ୟ ବ୍ୟଙ୍ଗ କରୁଛୁ ମ, ଦେହକୁ ନେବେନି।