ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଓ ଅନୁବାଦ

  • କି ଉତ୍ତରାଧିକାରୀ ଆମେ ଯଦି ନିଜ ଭାଷାକୁ ଭଲ କରି ଦେଖିନାହେଁ, ଚିହ୍ନି ନାହେଁ, ତାକୁ ନେଇ ଗର୍ବ କରିପାରୁ ନାହେଁ, ବା ଗବେଷଣା କରିପାରୁ ନାହେଁ ?
ଡ. ଶକୁନ୍ତଳା ବଳିଆରସିଂହ

‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଓଡ଼ିଆ ଭାଷାର ଅମୂଲ୍ୟ ଗ୍ରନ୍ଥ। ଏହାର ତୁଳନା ନାହିଁ। ପରମ ବିଦ୍ୱାନ୍ ସାଧକ ଗୋପାଳଚନ୍ଦ୍ର ପ୍ରହରାଜ ମହୋଦୟ ଦୀର୍ଘ କାଳ କଠିନ ପରିଶ୍ରମ କରି ଏକକ ପ୍ରଚେଷ୍ଟାରେ ଏହି ଗୌରବ ଗ୍ରନ୍ଥକୁ ୧୯୩୧ରେ ଛପାଇଥିଲେ। ଏହି ବିରାଟ ଗ୍ରନ୍ଥ, ସାତଟି ଭଲ୍ୟୁମ୍‌ରେ ପୁନର୍ବାର ଲାର୍କବୁକ୍ସଙ୍କ ଦ୍ୱାରା ୨୦୦୬ରେ ପୁନଃ ମୁଦ୍ରିତ ହେଲା। ପ୍ରଥମେ ଏହି ଭାଷାକୋଷ ଯେଭଳି ଖବରକାଗଜ ଆକାର ନେଇ ପ୍ରକାଶିତ ହୋଇଥିଲା ତାହା ଯେଉଁମାନେ ବିବିଧ ଲାଇବ୍ରେରୀରେ ଦେଖିଥିବେ ମନେ ରଖିଥିବେ। ରେଭେନ୍ସା କଲେଜର କନିକା ଲାଇବ୍ରେରୀ ପ୍ରଥମ ଓ ପରେ ବିଜେବି କଲେଜ ଲାଇବ୍ରେରୀରେ ଏହାକୁ ଦେଖି ଓ ଛୁଇଁ ଆମେ କୃତାର୍ଥ ହୋଇଥିଲୁ। ଏହା ଗ୍ରନ୍ଥ ନୁହେଁ, ଡିକ୍ସନାରୀ ନୁହେଁ ଗୋଟିଏ ଜାତୀୟ ତୀର୍ଥସ୍ଥଳୀ। ହଜାର ହଜାର ପୃଷ୍ଠାର ଏହି ଅଭିଧାନରେ ଉତ୍କଳର ଅନେକ ଗ୍ରାମ୍ୟଭାଷା, ନୂତନ ଟିପ୍ପଣୀ, ଟୀକା, ପ୍ରବଚନ, ଢଗଢ଼ମାଳି ଏଥିରେ ସଂଯୁକ୍ତ କରିଛନ୍ତି ଭାଷାକୋଷକାର। ଏହା ସତ୍ତ୍ୱେ ସେ ସନ୍ତୁଷ୍ଟ ହୋଇ ନାହାନ୍ତି, ଲେଖିଛନ୍ତି: “ବଙ୍ଗ, ବିହାର, ମାନ୍ଦ୍ରାଜ, ମଧ୍ୟପ୍ରଦେଶ ଓ ଓଡ଼ିଶା ଗଡଜାତମାନଙ୍କରେ ଥିବା ଉତ୍କଳଭାଷା ଅଞ୍ଚଳର ଗଳିକନ୍ଦି ଯେବେ ଖୋଜାଯିବ ତେବେ ଅନ୍ତତଃ ଆଉ ଦଶହଜାର ପ୍ରାଦେଶିକ, ଦେଶାଂଶରେ ପ୍ରଚଳିତ ଗ୍ରାମ୍ୟ, ପ୍ରାଚୀନ, ବୈଜ୍ଞାନିକ ଓ ବ୍ୟବହାରିକ ଶବ୍ଦ ସଂଗୃହୀତ ହୋଇପାରିବ।”
ଏହି ଭାଷାକୋଷରେ ନିହିତ ଅଛି ଏକ ଲକ୍ଷ ପଞ୍ଚାଅଶୀ ହଜାର (୧,୮୫,୦୦୦) ଶବ୍ଦ। ଲିପିବଦ୍ଧ ନ ହୋଇଥିବା ଶବ୍ଦଗୁଡିକୁ ମିଶାଇଲେ ଓଡ଼ିଆ ଭାଷାର ଶବ୍ଦ ସଂଖ୍ୟା ହେବ ଦୁଇଲକ୍ଷ। ଏଇଥିରୁ ଆମେ କଳନା କରିପାରିବା ଆମ ମାତୃଭାଷା ଓଡ଼ିଆ କେତେ ପ୍ରାଚୀନ ଓ କେତେ ଉନ୍ନତ। ଏହି ଅଭିଧାନରେ ପୁଣି ଇଂରାଜୀ ଅର୍ଥ, ବୈୟାକରଣିକ ଉତ୍ପତ୍ତି ଓ ପ୍ରାଚୀନ ପ୍ରୟୋଗ ଦର୍ଶାଯାଇଛି। ଉଦାହରଣ: ଅକରଟା -ଦେ. ବିଣ, ସ୍ତ୍ରୀ-ଯେଉଁ ଗାଈ ବା ଛଡ଼ା ଶୀଘ୍ର ଗର୍ଭଧାରଣ କରେ।
କରଟା ଅକରଟା ଛନ୍ଦ ଦୁହାଁଳ ଗାଈ
ସୁଖେ କ୍ଷୀର ଦେବେ ତୋର ଯେତେ ଇଚ୍ଛା ହୋଇ।
(ସାରଳା ମହାଭାରତ, ଉଦ୍‌ଯୋଗ।)

ତା୧୧.୩.୨୦୧୪ରିଖ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଆ ଭାଷା ଭାରତର ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କଲା। ଶାସ୍ତ୍ରୀୟ ମାନ୍ୟତା ପାଇଁ ଆବଶ୍ୟକ (୧) ଦୁଇ ହଜାର ବର୍ଷର ଲିପିବଦ୍ଧ ଇତିହାସ ଓ ସଂସ୍କୃତି, (୨) ମହତ୍ତ୍ୱପୂର୍ଣ୍ଣ ପ୍ରାଚୀନ ସାହିତ୍ୟିକ ପରମ୍ପରା, (୩) ଅନ୍ୟ ଭାଷା ଦ୍ୱାରା ପ୍ରଭାବିତ ନ ହୋଇ ମୌଳିକ ସୃଷ୍ଟି ସମ୍ଭାରରେ ସମୃଦ୍ଧ (୪) ପ୍ରାଚୀନ ଓ ଆଧୁନିକ ଭାଷା ରୂପ ମଧ୍ୟରେ ଅବିଚ୍ଛିନ୍ନ ସମ୍ପର୍କ।
ଏ ସମସ୍ତ ଆବଶ୍ୟକତା ଓଡ଼ିଆ ଭାଷା ପୂରଣ କରିଅଛି।
ସ୍ୱୟଂ ଗୋପାଳଚନ୍ଦ୍ର ପ୍ରହରାଜ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ମୁଖବନ୍ଧରେ ଲେଖିଛନ୍ତି “ଦି ଓଡିଆ ଲାଙ୍ଗୁଏଜ୍ ଇଜ୍ ୱାନ୍ ଅଫ୍ ଦି ଓଲ୍‌ଡେଷ୍ଟ ଭର୍ନାକୁଲାର ଇନ୍ ଇଣ୍ଡିଆ, ବଟ୍ ଦି ରିଚ୍‌ନେସ୍ ଅଫ ଇଟ୍‌ସ କ୍ଳାସିକ୍‌ସ ଆଣ୍ଡ ଇଟ୍‌ସ ଭୋକାବୁଲାରୀ”। ଅର୍ଥାତ୍ : “ଓଡ଼ିଆ ଭାଷା ଭାରତର ସର୍ବପୁରାତନ ଭାଷାମାନଙ୍କ ମଧ୍ୟରୁ ଅନ୍ୟତମ। ହେଲେ ଏହି ଭାଷାରେ ବହୁ ଦିନରୁ ପ୍ରସିଦ୍ଧ ସର୍ବୋତ୍କୃଷ୍ଟ ସାହିତ୍ୟିକ ଐଶ୍ୱର୍ଯ୍ୟ ଏବଂ ଏହାର ବ୍ୟବହୃତ ଶବ୍ଦ ସମୂହ ସମ୍ବନ୍ଧେ ବାହାର ଦୁନିଆର କିଛି ବି ଧାରଣା ନାହିଁ।” ଏହି ଖେଦୋକ୍ତି କେବଳ ସ୍ୱର୍ଗତ ପ୍ରହରାଜଙ୍କର ନୁହେଁ, ସମଗ୍ର ଓଡ଼ିଆ ଜାତିର।
ସାରା ବିଶ୍ୱରେ ସମସ୍ତ ବିଦ୍ୱାନଙ୍କର ଏହି ଗୋଟିଏ ମତ; ଯେଉଁ ଜାତି ଯେତେ ପରିମାଣରେ ଉନ୍ନତ ତାହାର ସାହିତ୍ୟ ସେହି ପରିମାଣରେ ଉନ୍ନତ ଓ ଶ୍ରୀସମ୍ପନ୍ନ। କାରଣ ଭାଷା ମଧ୍ୟରେ ବ୍ୟକ୍ତି ଓ ଜାତି ନିଜର ପରିଚୟ ଏବଂ ଉପଲବ୍ଧିମାନଙ୍କୁ ଏକତ୍ରିତ କରିଥାଏ।
ଏଠାରେ ଗୋଟାଏ କଥା ମନେ ରଖିବାକୁ ହେବ; ଯେକୌଣସି ଭାଷା ଲିପିବଦ୍ଧ ହେବା ପୂର୍ବରୁ ଜନସାଧାରଣଙ୍କ ମଧ୍ୟରେ ଦୈନନ୍ଦିନ ଚଳଣିରେ କଥିତ ଭାଷାର ରୂପ ନେଇ ଆଗ ବ୍ୟବହୃତ ହେଉଥାଏ। ଭାରତରେ ଏହାକୁ ଆମେ ‘ପ୍ରାକୃତ’ ନାମ ଦେଇଛୁ। ପ୍ରକୃତି ସମ୍ବନ୍ଧୀୟ ଅର୍ଥାତ୍ ପ୍ରଜାମାନଙ୍କର ଭାଷା ହୋଇଥିବା ହେତୁ ଏହା ‘ପ୍ରାକୃତ’ ଭାଷା।
ଆମର ସର୍ବପ୍ରାଚୀନ ଭାଷା ବୈଦିକ ଭାଷା। ଏହା ସାଧାରଣ ଜନତାଙ୍କ ଦ୍ୱାରା ସରଳ ଭାବରେ ଗୃହୀତ ହୋଇ ନ ପାରିବାରୁ ଏହି ଭାଷାରେ କିଛି ସଂସ୍କାର ଆଣି ସଂସ୍କୃତ ଭାଷାର ସୃଷ୍ଟି ହେଲା। ସଂସ୍କୃତ ଭାଷା ବ୍ୟବହୃତ ହେଲା ଆଚାର୍ଯ୍ୟ, ଋଷି, ବ୍ରାହ୍ମଣ, କବି ଓ ରାଜନ୍ୟମଣ୍ଡଳୀ ଦ୍ୱାରା। ବୈଦିକ ଭାଷା ଏହା ପୂର୍ବରୁ ବ୍ୟବହୃତ ହେଉଥିଲା ଯାଗ, ଯଜ୍ଞ ଓ ଦେବ ଆରାଧନା କାର୍ଯ୍ୟରେ। କିନ୍ତୁ ଜନସାଧାରଣ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥିଲେ ପ୍ରାକୃତ ଭାଷାରେ।
ଖ୍ରୀଷ୍ଟପୂର୍ବ କାଳରୁ ଭିନ୍ନ ଭିନ୍ନ ଅଞ୍ଚଳକୁ ନେଇ ଆର୍ଷୀ ପ୍ରାକୃତ, ଅର୍ଦ୍ଧ ମାଗଧୀ, ଉଡ୍ର ମାଗଧୀ, ଉଡ୍ର ପ୍ରାକୃତ, ଓଡ୍ର ବିଭାଷା, କଳିଙ୍ଗୀ ପ୍ରାକୃତ ଇତ୍ୟାଦି ନାମରେ ବ୍ୟବହୃତ ହୋଇଅଛି। ପରିଶେଷରେ ଓଡ୍ର ଭୂଖଣ୍ଡରେ ବାସ କରୁଥିବା ଲୋକମାନେ ବ୍ୟବହାର କରୁଥିବା ଭାଷାକୁ ଓଡ଼ିଆ କୁହାଯାଉଛି।
ଭାଷାରେ ସଂସ୍କାର ହୋଇ ସଂସ୍କୃତ ଭାଷା ଯେପରି ରାଜାନୁଗ୍ରହ ଲାଭ କରିଛି କଥିତ ଭାଷା ମଧ୍ୟ ଧୀରେ ଧୀରେ ସେହିପରି ଲିପିବଦ୍ଧ ହୋଇଛି। ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀରେ ଭରତମୁନିଙ୍କ ନାଟ୍ୟଶାସ୍ତ୍ରରେ ଅର୍ଦ୍ଧ ମାଗଧୀ (ଓଡ୍ର ମାଗଧୀ)ର ଉଲ୍ଲେଖ ଅଛି। ସେତେବେଳେ ଓଡ୍ର ଭୂଖଣ୍ଡ ଥିଲା ନନ୍ଦବଂଶର ଶାସନାଧୀନ। ନନ୍ଦମାନେ ମଗଧରୁ ଆସିଥିଲେ। ତେଣୁ ଉତ୍ତର ଭାରତ ଓ ମଗଧାଞ୍ଚଚଳର ଭାଷା ଉଡ୍ରଭାଷାକୁ ପ୍ରଭାବିତ କରିବା ସ୍ୱାଭାବିକ। ଏତଦ୍‌ବ୍ୟତୀତ ଖ୍ରୀଷ୍ଟପୂର୍ବ କାଳରୁ ଉଡ୍ର (ଓଡ଼ିଆ)ମାନେ ନୌବାଣିଜ୍ୟରେ ଧୂରୀଣ ଥିଲେ। ଏହାଦ୍ୱାରା ବହୁ ଦୂରାଞ୍ଚଳର ଭାଷା ଉଡ୍ର ସାଧବମାନଙ୍କ ରୀତିନୀତିକୁ ପ୍ରଭାବିତ କରିଥିବ।
ଭାଷା ଏକ ପ୍ରବହମାନ ନଦୀତୁଲ୍ୟ ସର୍ବଦା ସଞ୍ଚରଣଶୀଳ। ପରିବର୍ତ୍ତନ ହିଁ ଏହାର ଚରିତ୍ର। ଆଜି ଆମେ ଯେଉଁ ଓଡ଼ିଆ ଭାଷାରେ କଥା କହୁଛେ ବା ରଚନା କରୁଛେ ତାହା ବହୁ ପଥ ଅତିକ୍ରମି ଏଠାରେ ପହଞ୍ଚିଛି। ଏପରିକି ସଂସ୍କୃତ ଭାଷା ଠାରୁ ଉଡ୍ର ପ୍ରାକୃତ ଆହୁରି ପ୍ରାଚୀନତର ବୋଲି ସାର୍ ଜର୍ଜ ଆବ୍ରାହମ୍ ଗ୍ରୀୟରସନ୍ କହିଛନ୍ତି। ପଣ୍ଡିତ ନୀଳକଣ୍ଠ ଦାସ ଏହି ମତକୁ ଦୃଢ଼ ସମର୍ଥନ କରି କହିଛନ୍ତି; “ଓଡ଼ିଆ ଯେଉଁ ପ୍ରାକୃତ ଭାଷାରୁ ଆସିଛି ସେହି ପ୍ରାକୃତ ଭାଷା ସଂସ୍କୃତ ଭାଷାର ବି ଜନନୀ ହୋଇପାରେ।”
ଇଂରେଜମାନେ ୧୮୦୩ରେ ଓଡ଼ିଶା ଅଧିକାର କରିବା ପରେ ଭାରତୀୟ ସାତଟି ଭାଷାକୁ ଭିତ୍ତିକରି ଜନ ବିମ୍‌ସ ଲେଖିଥିଲେ, “ଏ କମ୍ପାରାଟିଭ୍ ଗ୍ରାମାର ଅଫ୍ ମଡର୍ଣ୍ଣ ଆର୍ଯ୍ୟନ ଲାଙ୍ଗୁଏଜ୍‌ସ ଅଫ୍ ଇଣ୍ଡିଆ”। ଏହି ଆଧୁନିକ ଆର୍ଯ୍ୟଭାଷାମାନ ହେଲେ, ହିନ୍ଦୀ, ପଞ୍ଜାମୀ, ଗୁଜରାଟୀ, ମରାଠୀ, ସିନ୍ଧି, ବଙ୍ଗଳା ଓ ଓଡ଼ିଆ। ଆର୍ଯ୍ୟ ଭାଷାର ଏହି ତୁଳନାତ୍ମକ ବିକାଶକ୍ରମ ଓ ବ୍ୟାକରଣ ବିଧି ପୁସ୍ତକରେ ବୀମ୍‌ସ ଓଡ଼ିଆ ଭାଷାକୁ ସଂସ୍କୃତ ଭାଷାର ନିକଟତମ ରୂପ ବୋଲି କହିଛନ୍ତି। ଆଉ ମଧ୍ୟ ବୈଦେଶିକ ଆକ୍ରମଣ ଭଳି ପ୍ରତିକୂଳ ପରିସ୍ଥିତିରେ ଓଡ଼ିଆ ଭଷା ନିଜର ମୌଳିକତା ନ ହରାଇ ବରଂ ଭାଷା ବିବେଚନାରେ ଆପଣା ଶାସ୍ତ୍ରୀୟତା ବଜାୟ ରଖିଛି। କେବଳ ସେତିକି ନୁହେଁ, ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଅତି ପ୍ରାଚୀନ ଓଡ଼ିଆ ଭାଷା ପ୍ରାକୃତ ଭାଷାର ବ୍ୟାକରଣ ଦ୍ୱାରା ଶୃଙ୍ଖଳିତ ହୋଇରହିଥିଲା।
ଖ୍ରୀ.ପୂ. ୪ର୍ଥ ଶତାବ୍ଦୀରେ ରଚିତ ନାଟ୍ୟ ଶାସ୍ତ୍ରରେ ଭରତ ମୁନି ଲେଖିଲେ-
“ଶକରାଭୀର ଚଣ୍ଡାଳ ସବର ଦ୍ରାବିଡୋଡ୍ରଜା,
ହୀନ ବନେଚରାଣାଞ୍ଚ ବିଭାଷା ନାଟକେ ସ୍ମୃତା।”
ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକଙ୍କ ଧଉଳି ଓ ଜଉଗଡ ଅନୁଶାସନ, ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ସମ୍ରାଟ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ଓ ତାମ୍ରପତ୍ର ଅନୁଶାସନ, ସପ୍ତମ ଶତାବ୍ଦୀରେ ଶୈଳୋଦ୍ଭବ ମହାରାଣୀ କଲ୍ୟାଣୀ ମହାଦେବୀଙ୍କ ନିମିନା ତାମ୍ର ଶାସନ ଇତ୍ୟାଦି ଶିଳାଲେଖ ଓ ତାମ୍ରପତ୍ର ଅନୁଶୀଳନ କରି ଭାଷା ବିଜ୍ଞାନୀମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ ସପ୍ତମ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷାର ବିକାଶ ତୁଙ୍ଗ ସ୍ପର୍ଶ କରିଥିଲା। ସପ୍ତମରୁ ଦଶମ – ଏକାଦଶ ଶତାବ୍ଦୀ ମଧ୍ୟରେ ରଚିତ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କ ଚର୍ଯ୍ୟାଗୀତିଗୁଡିକୁ ପ୍ରଥମ ଓଡ୍ର ସାହିତ୍ୟର ମାନ୍ୟତା ଦିଅନ୍ତି ଭାଷାବିତ୍‌ମାନେ।
୮୪ ଜଣ ବୌଦ୍ଧ ସିଦ୍ଧ ସାଧକ ଏହି ଚର୍ଯ୍ୟାଗୀତିମାନଙ୍କର କବି। ଏମାନଙ୍କ ମଧ୍ୟରୁ ଭୁସୁକୁପାଦ ବା ଭୁସୁକୁ ପାଙ୍କ ଉଦାହରଣ ଆମେ ନେଇପାରିବା। ଭୁସୁକୁ ସପ୍ତମ – ଅଷ୍ଟମ ଶତାବ୍ଦୀର କବି କେନ୍ଦୁଝର ରାଜ୍ୟର ରାଜପୁତ୍ର ଶାନ୍ତିଦେବ ଥିଲେ ବୋଲି କେତେ ମତ ଦିଅନ୍ତି।

୧. ଭୁସୁକୁପାଦ – ଚର୍ଯ୍ୟାଗୀତି
ରାଗ – ପଟମଞ୍ଜରୀ
କାହେରେ ଘିନି ମେଲି ଆଛହୁ କୀସ।
ବୋଢ଼ିଲ ହାକ ପଡଇ ଚୌଦୀସ।ା
ଆପଣା ମାଂସେ ହରିଣା ବୈରୀ।
ଖନହ ନ ଛାଡ଼ଇ ଭୁସୁକୁ ଆହେରୀ
ତିଣ ନ ଛୁବଇ ହରିଣା ପିବଇ ନ ପାଣୀ।
ହରିଣା ହରିଣୀର ନିଲଅ ନ ଜାଣି
ହରିଣା ବୋଲଇ ସୁଣ ହରିଣା ତୋ।
ଏ ବଣ ଛାଡ଼ି ହୋହୁ ଭାନ୍ତୋ।
ତରଙ୍ଗତେ ହରିଣାର ଖୁର ନ ଦୀସଇ
ଭୁସୁକୁ ଭଣଇ ମୂଢ଼ା – ହିଅହିଣ ପଇସଇ।
ଅନୁବାଦ-
କାହାକୁ ନେଇ ମେଲିବୁ ସଂସାର ତୁ କିସ
ବେଢ଼ିଲାଣି ଚାରିଆଡୁ ଶିକାରୀର ଫାଶ।
ନିଜ ଦେହ ପାଇଁ ହେଲୁ ଶତ୍ରୁ ତୁ ନିଜର
କ୍ଷଣକ ପାଇଁ କି ଶତ୍ରୁ ନ ଛାଡେ ଶରୀର।
ତୃଣ ନ ଛୁଏଁ ହରିଣ ନ ପିଅଇ ପାଣି
ହରିଣୀର ଠିକଣା ତ ହରିଣ ନ ଜାଣି।
ହରିଣୀ କହେ ହରିଣ ଶୁଣ ମୋ ବଚନ
ସହସା ପଳାଅ ଛାଡି ଏ ଭ୍ରାନ୍ତିର ବନ।
ଏହା ଶୁଣି ହରିଣର ପଳାୟନ – ଛଇ
ଗତିର ତରଙ୍ଗେ ଆଉ ପାଦ ନ ଦିଶଇ।
(୨)ଶବର ପାଦ – ଚର୍ଯ୍ୟାଗୀତି
ରାଗ – ବଳାଡଡି
ଉଁଚା ଉଁଚା ପିଚ ପରିହଣ ସବରୀ ଗୀବତ ଗୁଞ୍ଜରୀ ମାଳୀ
ଉମତ ସବରୋ ପାଗଳ ସବରୋ ମାକର ଗୁଳୀ ଗୁରିଡ଼ା ତୋହରି
ଣିଅ ଘରଣୀ ନାମେ ସହଜ ସୁନ୍ଦରୀ।
ନାନା ତରୁବର ମୋଉଳିଲରେ ଗଅଣତ ଲାଗେଲି ଡାଳୀ
ଏକେଲୀ ସବରୀ ଏବଣ ହିଣ୍ଡଇ କର୍ଣ୍ଣକୁଣ୍ଡଳ ବଜ୍ରଧାରୀ।
ତିଅ ଧାତୁ ଖଟ ପାଡ଼ିଲା ସବରୋ ମହାସୁଖେ ସେଜି ଛାଇଲା
ସବରୋ ଭୁଜଙ୍ଗ ନୈରାମଣୀ ଦାରୀ ପ୍ରେମହରାତି ପୋହାଇଲୀ।
ହିଅ ତାମ୍ବୋଲା ମହାସୁଖେ କପୂର ଖାଇ
ସୁନ ନୈରାମଣୀ କଣ୍ଡେ ମହାସୁହେ ରାତି ପୋହାଇ।
ଗୁରୁବାକ୍ ପୁଚ୍ଛିଆଁ ବିନ୍ଧ ନିଅମଣ ବାଣେ
ଏବେ ଶରି ସନ୍ଧାନେଁ ବିନ୍ଧହ ବିନ୍ଧହ ପରମଣିବାଣେ।
ଉମତ ସବରୋ ଗରୁଆ ରୋଷେ
ଗିରିବର ସିହର-ସନ୍ଧି ପଇସନ୍ତେ ସବରୋ ଲୋଡ଼ିବେ କଇସେ।
ଅନୁବାଦ-
ଅତି ଉଞ୍ଚା ପର୍ବତେ ଯେ ବସିଛି ଶବରୀ
ମୟୂରପୁଚ୍ଛ ତା’ ମାଥେ, ବେକେ ଗୁଞ୍ଜ ମାଳି।
ଉନ୍ମତ୍ତ ଶବର ଆରେ କିମ୍ପା କରୁ ଗୋଳ
ଅନାରେ ନିଜ ଘରଣୀ, ସହଜ ସୁନ୍ଦର।
ନାନା ତରୁ ମୁକୁଳିଲେ ଗଗନେ ମେଲି ଡାଳ,
ଏବେ କିମ୍ପା ବୁଲୁ ବଣେରେ ଶବର,
କର୍ଣ୍ଣେ ତୋ କୁଣ୍ଡଳ।
ନ ଶୁଣେ ଶବର ମତ୍ତ ଖଟ ଧରି ଧାଏଁ,
ମହାସୁଖ ଆଶାରେ ସେ ଶେଯକୁ ବିଛାଏ।
ବିଟପ ସ୍ୱଭାବ ସେ ଶବର ଅତି ଭୋଳା,
ନୈରାମଣି ଦାରୀ ପାଖେ ରାତି ପୁହାଇଲା।
କର୍ପୂର ମିଶା ତାମ୍ବୁଳ ମହାସୁଖେ ଖାଇ,
ସୁଖେ ନିଶି ଯାପେ ସେ ଶବର
ଶୂନ୍ୟ- ନୈରାମଣି ଗଳେ ଭୁଜ ଦେଇ।
ଗୁରୁବାକ୍ୟ ଅନୁସରି ଛାଡ଼ ମନବାଣ,
ଏକମାତ୍ର ଶର ଯେହ୍ନେ ଭେଦିବ ସୁଖଦ ନିର୍ବାଣ।
ଉନ୍ମତ୍ତ ଶବର ସେ ଯେ ବିନ୍ଧିଣ ଗୁରୁ ରୋଷେ,
ଗିରିବର ଶିଖର ସନ୍ଧିରେ ଗଲା ମିଶି ଲୋ ଶବରୀ,
ଖୋଜିଲେ କାହୁଁ ଆସେ?
ଚର୍ଯ୍ୟା – ସ୍ତ୍ରୀଂ (ଚର୍‌+ୟତ୍‌+ଟାପ୍‌) ଆଚାର- ରୀତି, ଧାର୍ମିକ ବ୍ୟବହାର ବା କରଣୀୟ କର୍ମ। ସିନ୍ଧାଚାର୍ଯ୍ୟମାନଙ୍କର ଆଚରଣୀୟ ପଦଗୁଡ଼ିକ ସମକାଳୀନ ସମାଜକୁ ଚେତାବନୀ।
ଓଡ଼ିଶାର ଗ୍ରାମାଞ୍ଚଳରେ ‘ଦୋହା’ ବା ‘ଧୂଆ’ ନାମରେ ଏକ ପ୍ରକାର ପଦ୍ୟ ପ୍ରଚଳିତ। ‘ଯୋଗୀନ୍ଦ୍ର ଦାଣ୍ଡ ଧୂଆ’, ‘ଶରୀର ଭେଦ ଭଜନ’ (ଏକ ପ୍ରକାର ଦୋହା) ‘ବୌଦ୍ଧଗାନ ଓ ଦୋହା’ର ସମ୍ପୂର୍ଣ୍ଣ ଅନୁରୂପ।
ଖ୍ରୀ. ୧୧୦୦ରେ ଚୋଡଗଙ୍ଗଦେବଙ୍କ ରାଜତ୍ୱକାଳରୁ ‘ମାଦଳାପାଞ୍ଜି’ ଗଦ୍ୟରେ ଲେଖା ହୋଇଆସୁଅଛି। ସମୟକ୍ରମେ ଏହାର ଭାଷା ବ୍ୟବହାରରେ କିଞ୍ଚିତ ପରିବର୍ତ୍ତନ ଦେଖାଦେଇଥିଲେ ହେଁ ମୂଳ ଗଠନ (ଷ୍ଟ୍ରକ୍‌ଚର) ଏକାଦଶ ଶତାବ୍ଦୀର ଗଦ୍ୟ ଭାଷା ହୋଇରହିଛି।
ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି’ ଏକ ଚଉତିଶା। ମାର୍କଣ୍ଡ ଦାସଙ୍କୁ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ପ୍ରଣେତା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ସ୍ଥାପିତ କରିଛନ୍ତି। ଯଦି ଏହା ସତ୍ୟ ହୁଏ ତା’ହେଲେ ଖ୍ରୀ. ୧୧୦୦ ବେଳକୁ ଓଡ଼ିଆ ଭାଷା ବହୁତ ଉନ୍ନତ ହୋଇଥିଲା ବୋଲି ମାନିବାକୁ ହେବ। କିମ୍ବା କେଶବ ଶ୍ରୀକୃଷ୍ଣଙ୍କ ମଥୁରା ଗମନ ଓ ମାତା ଯଶୋଦାଙ୍କ ଅନ୍ତରର ବ୍ୟଥାକୁ କବି ମାର୍କଣ୍ଡ ନିଜ ହୃଦୟରେ ଅନୁଭବ କରି ଏହାକୁ ଅନୁବାଦ କରିଛନ୍ତି ବୋଲି କହିବାକୁ ହେବ।
ଅନୁବାଦ କ’ଣ କି? ପ୍ରତି ମୁହୂର୍ତ୍ତରେ ମନୁଷ୍ୟ ଯାହା ଦେଖୁଛନ୍ତି, ଶୁଣୁଛନ୍ତି ଆଉ ଅନୁଭବ କରୁଛନ୍ତି, ସେସବୁ ମସ୍ତିଷ୍କକୁ ଯାଇ ଅନୂଦିତ ହୋଇ ସ୍ରଷ୍ଟାଙ୍କ ସୃଜନକର୍ମରେ ରୂପାୟିତ ହୋଇଚାଲିଛି। ଅନୁବାଦ ନିଃଶ୍ୱାସ-ପ୍ରଶ୍ୱାସ ଭଳି ଏକ ନିରନ୍ତର ପ୍ରୟାସ। ଶିଶୁଟି ଜନ୍ମରୁ ମାତାଙ୍କଠାରୁ ଶୁଣେ, କାଉ କ’ଣ କହୁଛି? କା- କା। କୋଇଲି କୁହୁ କୁହୁ ଇତ୍ୟାଦି। ଆମ ମୁଣ୍ଡ ଭିତରେ ହିଁ ଏ କାର୍ଯ୍ୟ ସମାହିତ ହୋଇଚାଲିଛି। ଅନୁବାଦକ କେବଳ ନୁହଁନ୍ତି, ପ୍ରତ୍ୟେକ ସୃଜନଶିଳ୍ପୀ ନିଜ ନିଜ ବାଟରେ ଅନୁବାଦ ହିଁ କରିଚାଲିଛନ୍ତି।
ସେଥିପାଇଁ ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷାରେ ପୁରାଣ ଅନୁବାଦର ଯୁଗ ଆସିଛି। ପୁରାଣକୁ ଶାସ୍ତ୍ର କୁହାଯାଏ। ଶାସ୍ତ୍ରରୁ ଆସିଛି ଶାସ୍ତ୍ରୀୟ। ଶାସ୍ତ୍ର କ’ଣ? ସଂ.ବି. (ଶାସ ଧାତୁ = ଶାସନ କରିବା + କରଣ ତ୍ର) ବେଦ, ତନ୍ତ୍ର, ସ୍ମୃତି, ପୁରାଣାଦି ଧର୍ମଗ୍ରନ୍ଥ। ଯାହା ସତ୍ୟ ବିଦ୍ୟା ପ୍ରତିପାଦନ କରେ ଯଦ୍ଦ୍ୱାରା ମନୁଷ୍ୟର ସତ୍ୟାସତ୍ୟ, ଧର୍ମାଧର୍ମ, ନ୍ୟାୟାନ୍ୟାୟ, ବିଧେୟାବିଧେୟ କର୍ମର ଶିକ୍ଷା ଲାଭ ହୁଏ ତାହା ଶାସ୍ତ୍ର।
ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଜ୍ୟୋତିଷ, ଛନ୍ଦ, ଚାରିବେଦ, ମୀମାଂସା, ନ୍ୟାୟ, ଧର୍ମଶାସ୍ତ୍ର, ପୁରାଣ, ଆୟୁର୍ବେଦ, ଧନୁର୍ବେଦ, ଗନ୍ଧର୍ବବେଦ, ଅର୍ଥଶାସ୍ତ୍ର। ଏହି ୧୮ଟି ଶାସ୍ତ୍ରକୁ ୧୮ ବିଦ୍ୟା ବୋଲାଯାଏ। ହିନ୍ଦୁମାନଙ୍କର ସବୁ ଧର୍ମ ପୁସ୍ତକ ଶାସ୍ତ୍ର ସଂଜ୍ଞାର ଅନ୍ତର୍ଭୁକ୍ତ। ମହାଭାରତ, ନୃସିଂହ ପୁରାଣ, ଶିବ ପୁରାଣ, ବିଷ୍ଣୁ ପୁରାଣ ପ୍ରଭୃତି ଅନେକ ପୁରାଣ ଓଡ଼ିଆ ଭାଷାରେ ଅନୁବାଦିତ ଓ ରଚିତ ମଧ୍ୟ।
ବ୍ୟାସକୃତ ‘ଭାଗବତ’ ଗ୍ରନ୍ଥ ଶ୍ରୀଜଗନ୍ନାଥ ଦାସଙ୍କ ଦ୍ୱାରା ଅନୁବାଦିତ ହୋଇଥିଲେ ମଧ୍ୟ ଏଥିରେ ଭାଷାକୁ ଏଭଳି ଆବଦ୍ଧ କରାଯାଇପାରିଛି ଯେ ‘ଭାଗବତ’ କାର ଓଡ଼ିଆ ଭାଷା ନିର୍ମାଣ କରିଥିବା ଏବଂ ଓଡ଼ିଆ ଭାଷାକୁ ‘ମାନକ’ ଭାଷା ପ୍ରଦାନ କରିଥିବାର ଗୌରବ ଲାଭ କରିଛନ୍ତି।
ଏକାଦଶ ଶତାବ୍ଦୀର ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଯେଉଁସବୁ ଓଡ଼ିଆ ପୁସ୍ତକ ରଚିତ ହୋଇଛି ସେଥି ମଧ୍ୟରୁ ଅଧିକାଂଶ ସଂସ୍କୃତରୁ ଅନୁବାଦିତ ବା ସଂସ୍କୃତ ପୁସ୍ତକର ଅନୁକରଣରେ ରଚିତ। ପଞ୍ଚତନ୍ତ୍ର, ହିତୋପଦେଶ ଭଳି କଥା ସାହିତ୍ୟ ଜଗତକୁ ପୁଷ୍କଳ କରିଥିବା ପୁସ୍ତକମାନଙ୍କର ମୂଳ ରହିଛି ସଂସ୍କୃତରେ ହିଁ।
କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଦଶମରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଶାସ୍ତ୍ରୀୟ ଗ୍ରନ୍ଥଗୁଡିକର ଅନୁବାଦ ବିବିଧ ଭାଷାରେ, ବିଶେଷ କରି ଇଂରାଜୀ ଭାଷାରେ କରାଇବାର ଆକୁଳତା ଲକ୍ଷ୍ୟଣୀୟ। ସଂସ୍କୃତ ପରି ରୋମ୍‌ର ଲାଟିନ ଭାଷା ଗୋଟିଏ ଅତି ପ୍ରାଚୀନ ଭାଷା ଓ ବାକରଣର କଠୋର ନିୟମରେ ବନ୍ଧା। ଆଉ ଗୋଟିଏ ପ୍ରାଚୀନ ଭାଷା ହେଉଛି ‘ହିବ୍ରୁ’। ଲାଟିନ ଭାଷାର ସମସ୍ତ ଶାସ୍ତ୍ରୀୟ ଗ୍ରନ୍ଥକୁ ଇଂରାଜୀରେ ଅନୁବାଦ କରି ଇଂରାଜୀ ଭାଷା ଆଜି ବିଶ୍ୱର ଭାଷା ଜଗତର ଅପ୍ରତିଦ୍ୱନ୍ଦୀ ସମ୍ରାଟ ହୋଇପାରିଛି। ‘ହିବ୍ରୁ’ ଭାଷାର ଶାସ୍ତ୍ରୀୟ ପୁସ୍ତକମାନ ଆରବିକ୍ ଓ ପାର୍ସୀ ଭାଷାରେ ଅନୂଦିତ ହୋଇ ଇଂରାଜୀକୁ ଆସିଛି।
ଯେଉଁ ଯେଉଁ ପ୍ରାଚୀନ ଭାଷା ମାନଙ୍କର ଶାସ୍ତ୍ରୀୟ ଗ୍ରନ୍ଥସବୁ ଅନୁବାଦ ମାଧ୍ୟମରେ ପ୍ରସାରିତ ହୋଇପାରିଛନ୍ତି ସେଗୁଡିକର ଶାସ୍ତ୍ରୀୟ ମୂଲ୍ୟ ଦିନକୁ ଦିନ ବଢ଼ୁଛି ସିନା କମିବାର ପ୍ରଶ୍ନ ଉଠୁନାହିଁ। କାଳିଦାସ ମହାକବିଙ୍କ ରଚନାବଳୀ ସେହି ଦୃଷ୍ଟିରୁ ବିଶ୍ୱବାସୀଙ୍କର ଆଦରଣୀୟ ହୋଇପାରିଛି। ଲାଟିନ କବି ଦାନ୍ତେ (ଖ୍ରୀ. ୧୩୦୦)ଙ୍କ ‘ଡିଭାଇନ୍ କମେଡ଼ି’ ମହାକାବ୍ୟର ଅନୁବାଦ ପୃଥିବୀର ୫୧ଟି ଭାଷାରେ ହୋଇସାରିଛି। ଏବେ ବି ହେଉଛି। ନର୍କଯାତ୍ରାର ଏହି ଅତୁଳନୀୟ ବର୍ଣ୍ଣନା ଆଲୋଚକ, ସମୀକ୍ଷକମାନଙ୍କୁ ଏବେ ବି ଆଶ୍ଚର୍ଯ୍ୟ ଚକିତ କରି ଚାଲିଛି। ଦାନ୍ତେଙ୍କ ଡିଭାଇନ କମେଡିର ଏହି ଲେଖକ ଦ୍ୱାରା ଓଡ଼ିଆ ଅନୁବାଦ ପୁସ୍ତକଟି ଆମ ସାହିତ୍ୟ ଏକାଡେମୀ ଦ୍ୱାରା ୨୦୧୮ରେ ପ୍ରକାଶିତ।

ସମଗ୍ର ବିଶ୍ୱବାସୀଙ୍କୁ ଚକିତ କଲା ଭଳି ଅନ୍ୟ ଏକ ପ୍ରତିଭାଧର ହେଉଛନ୍ତି ପଞ୍ଚଦଶ ଶତାବ୍ଦୀର ସାରଳା ଦାସ, ମାଟିର ମହାକବି। ଓଡ଼ିଆ ଭାଷାକୁ ଆପେ ସମ୍ପୂର୍ଣ୍ଣତା ଆଡକୁ ନେଇଗଲେ ସାରଳା ଦାସ। ଏହାକୁ କେହି ଅନୁବାଦ କରିପାରିବେ ନାହିଁ। ମାଟି ତିଆରି ହାଣ୍ଡିକୁଣ୍ଢେଇ ପରି ମାଟିରୁ ବାହାରିଛି ମୌଳିକ କାହାଣୀ ସମୂହ, କଥା ବିନ୍ୟାସ, ଚଳଣି, ରୀତିନୀତି। ମୂଳ କାହାଣୀ ସାଦୃଶ୍ୟରେ ଗଢ଼ି ହୋଇଯାଇଛି ଅନ୍ୟ ଅନ୍ୟ ଓଡ଼ିଆ କାହାଣୀ। ଢ଼ଗଢ଼ମାଳି, ଆପ୍ତ ବାକ୍ୟର ପ୍ରୟୋଗରେ ସଂକ୍ଷିପ୍ତ ବାକ୍ୟମାନ ହୋଇଉଠିଛନ୍ତି ଜୀବନ୍ତ ଓ ଗତିଶୀଳ। ଅନୁଭୂତିର ଗନ୍ତାଘର ତାଙ୍କର ଲୋକଜୀବନ। ହୃଦୟରେ ଅନୁରଣିତ ଲୋକବାଣୀ। ଆତଯାତ ଲୋକବୃତ୍ତ ଭିତରେ। ଓଡ଼ିଆ ମାଟିର ଇଷତ୍ ଲବଣସ୍ୱାଦଯୁକ୍ତ ହୋଇ ପ୍ରକାଶ ପାଇଛି ବୃହତକାୟ ସାରଳା ମହାଭାରତ। ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ। ମହାଭାରତରେ ଯାହା ନାହିଁ ତାହା ଭାରତବର୍ଷରେ ନାହିଁ। ଓଡ଼ିଆ ମାଟିର ସ୍ୱାଦ ଦେଇଛି ଭାରତୀୟ ମାନବୀୟ ମୂଲ୍ୟବୋଧକୁ ନୂତନ ରୂପ। ଛାଞ୍ଚ ଏକଦମ ପ୍ରାଚୀନ, ବ୍ୟାସକୃତ। ଶରୀର ଏକାଧାରରେ ଶାସ୍ତ୍ରୀୟ ଓ ଲୌକିକ। ପାଠକର ସୁଖର ଅନ୍ତ ହୁଏ ନାହିଁ। ଏକାଧାରରେ ପ୍ରାଚୀନ ଓ ନବୀନ, ସେଥିପାଇଁ ଶାସ୍ତ୍ରୀୟ।
ଏଭଳି ଏକ ଚମକପ୍ରଦ ଶାସ୍ତ୍ରୀୟ ଗ୍ରନ୍ଥର ବହୁଭାଷାରେ ଅନୁବାଦ ହେବା ଦରକାର। ଇଂରାଜୀ ଓ ହିନ୍ଦୀରେ ଆଗ ହେବା ଆବଶ୍ୟକ। ବହୁମୂଲ୍ୟ ହୀରାକୁ ଓଡ଼ିଆ ଜାତି ଗୋଟେ ଭଙ୍ଗାଟିଣ ଟ୍ରଙ୍କରେ ପକେଇ ରଖିଛି, ଖୋଲି ଦେଖିବାକୁ ବେଳ ନାହିଁ, ଅନୁବାଦକର ଅଭାବ, ଭାଷାଜ୍ଞାନ ସୀମିତ ଓ ସ୍ତୀମିତ ହୋଇଆସୁଛି।
ସକଳ ଶାସ୍ତୀୟ ଗ୍ରନ୍ଥମାନଙ୍କର ଯେତେଶୀଘ୍ର ଯେତେ ଭାଷାରେ ଅନୁବାଦ ହୋଇପାରିବ ସେତେ ଶୀଘ୍ର ଓଡ଼ିଆ ଭାଷାର ଶାସ୍ତ୍ରୀୟତାର ମହକ ବିଚ୍ଛୁରିତ ହେବ। ଅନୁବାଦ ପରା ବିଶ୍ୱକୁ ଗବାକ୍ଷ।
ବଳରାମ ଦାସଙ୍କ ଜଗମୋହନ ରାମାୟଣ, ଚଣ୍ଡୀ ପୁରାଣ, ଅଚ୍ୟୁତାନନ୍ଦଙ୍କ ଗ୍ରନ୍ଥ ସମୂହ, ଯଶୋବନ୍ତ, ଅନନ୍ତଙ୍କ କାବ୍ୟାବଳୀର ଅନୁବାଦ କାହିଁ? ମନେ ପଡ଼ିଯାଇଛି ବଳରାମ ଦାସଙ୍କ “କମଳଲୋଚନ ଶ୍ରୀହରି, କରେଣ ଶଙ୍ଖ ଚକ୍ରଧାରୀ। ଖଗ ଆସନେ ଖଗପତି। ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ।” ଏହା କ’ଣ କେବଳ ଚଉତିଶା ନା କବିତା? ଏହା ଦୃଶ୍ୟକାବ୍ୟ। ଆମର ଚାଟଶାଳୀ ପାଠ ଆରମ୍ଭ ହୋଇଛି ମାନସ ଚକ୍ଷୁରେ ଶଙ୍ଖଚକ୍ରଧାରୀ ଚତୁର୍ଭୁଜ ଶ୍ରୀହରିଙ୍କୁ ଅବଲୋକନ କରି।
ଆହା, ଭାଷାର ଅତୀତ ଅତ୍ୟନ୍ତ ଆଡମ୍ବରମୟ। ପ୍ରାଚୀନ ବୋଲି ଯାହାକୁ କହୁଚେ ତାହା କେତେ ଆଧୁନିକ ସତେ! ଭଲ କରି ପଢ଼ି ବି ପାରିନେ, ତାହାକୁ ହେଜିବା ଦୂରର କଥା। ଅନୁବାଦ କଥା ପଡ଼ିଲେ ଭୟ ଜାତ ହେବା ସ୍ୱାଭାବିକ। ଆତ୍ମବୋଧ, ଆତ୍ମବିଶ୍ୱାସ ଆସେ ମାତୃଭୂମି ଓ ମାତୃଭାଷା ପ୍ରୀତିରୁ। ପୁଣି ଓଡ଼ିଶା ଭଳି ୪୮୫ କିଲୋମିଟର ଉପକୂଳ ଥିବା ଘନବନଭୂମି ଶୋଭିତ, ଐଶ୍ୱର୍ଯ୍ୟମୟୀ ଭୂଖଣ୍ଡ ଆଉ ଓଡ଼ିଆ ଭଳି କେତେ ହଜାର ବର୍ଷର ଗୌରବମୟ ଐତିହ୍ୟ ବହନ କରୁଥିବା ଭାଷାର ଉତ୍ତରାଧିକାରୀ ଆମେ। କି ଗୌରବମୟ ଐତିହ୍ୟ ବହନ କରୁଥିବା ଭାଷାର ଉତ୍ତରାଧିକାରୀ ଆମେ। କି ଉତ୍ତରାଧିକାରୀ ଆମେ ଯଦି ନିଜ ଭୂମି ନିଜ ଭାଷାକୁ ଭଲ କରି ଦେଖିନାହେଁ, ଚିହ୍ନି ନାହେଁ, ତାକୁ ନେଇ ଗର୍ବ କରିପାରୁ ନାହେଁ, ବା ଗବେଷଣା କରିପାରୁ ନାହେଁ। ‘କପିଳ ସଂହିତା’ କହନ୍ତି:
ବର୍ଷାଣାଂ ଭାରତଃ ଶ୍ରେଷ୍ଠା ଦେଶାନାମୁତ୍କଳଃ ଶ୍ରତଃ।
ଉତ୍କଳସ୍ୟ ସମୋଦେଶୋ ଦେଶୋ ନାସ୍ତି ମହୀତଳେ।ା
ଓଡ଼ିଆ ଶାସ୍ତ୍ରୀୟ ସାହିତ୍ୟର ପ୍ରଚୁରରୁ ପ୍ରଚୁର ଅନୁବାଦ ହିନ୍ଦୀ ଓ ଇଂରାଜୀରେ ହେଉ। ସାହିତ୍ୟ ଏକାଡେମୀ ଓ ବିଶ୍ୱବିଦ୍ୟାଳୟଗୁହିକ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଯୋଗିତା କରି ଏହି କାର୍ଯ୍ୟ କରନ୍ତୁ। ପ୍ରାଚୀନ ସାହିତ୍ୟମାନଙ୍କର ବହୁଳ ପୁନଃ ପ୍ରକାଶନ ଦାୟିତ୍ୱ ପ୍ରକାଶନ ସଂସ୍ଥାମାନଙ୍କୁ ଦିଆଯାଉ। ଜାତୀୟ କାର୍ଯ୍ୟରେ ସମସ୍ତେ ମିଳିମିଶି କାମ କରିବା। ମାଆର ସେବାରେ କାର୍ପଣ୍ୟ କାହିଁକି? ଚରୈବେତି ଚରୈବେତି।

3 thoughts on “ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଓ ଅନୁବାଦ

  1. ଅତି ସୁନ୍ଦର ସମୀକ୍ଷା ଶକୁନ୍ତଳା। ଧନ୍ୟବାଦ।

  2. “… ଏବେ ବି ହେଉଛି। ନର୍କଯାତ୍ରାର ଏହି ଅତୁଳନୀୟ ବର୍ଣ୍ଣନା ଆଲୋଚକ, ସମୀକ୍ଷକମାନଙ୍କୁ ଏବେ ବି ଆଶ୍ଚର୍ଯ୍ୟ ଚକିତ କରି ଚାଲିଛି। ଦାନ୍ତେଙ୍କ ଡିଭାଇନ କମେଡିର ଏହି ଲେଖକ ଦ୍ୱାରା ଓଡ଼ିଆ ଅନୁବାଦ ପୁସ୍ତକଟି ଆମ ସାହିତ୍ୟ ଏକାଡେମୀ ଦ୍ୱାରା ୧୯୧୮ରେ ପ୍ରକାଶିତ।”

    ଚମତ୍କାର ଓ ସୁନ୍ଦର ଆଲେଖ୍ୟ ପାଇଁ ଶକୁନ୍ତଳା ମାଡାମଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି। କିନ୍ତୁ ଉପରୋକ୍ତ ବାକ୍ୟର ବର୍ଷ – ୧୯୧୮ ଭୁଲ୍‌ ଥିଲାଭଳି ଲାଗୁଛି, ଦୟାକରି ପରିବର୍ତ୍ତନ କରନ୍ତୁ।

    1. ଲେଖିକାଙ୍କଠାରୁ ଆବଶ୍ୟକୀୟ ସ୍ପଷ୍ଟୀକରଣ ପାଇବାପରେ ଆମେ ଲେଖାଟିରେ ଏବେ ଆବଶ୍ୟକୀୟ ସଂଶୋଧନ କରିଦେଇଛୁ। ମସିହାଟି ୧୯୧୮ ପରିବର୍ତ୍ତେ ୨୦୧୮ ହେବ।
      ଏ ସଂପର୍କରେ ଆମର ଦୃଷ୍ଟି ଆକର୍ଷଣ କରିଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ।

Leave a Reply

Your email address will not be published. Required fields are marked *