ଭୀମଭୋଇଙ୍କ ରଚନାରେ ବ୍ରହ୍ମ-ବିଚାର

  • ବ୍ରହ୍ମ ପାଇଁ ବ୍ୟାକୁଳ-ପ୍ରାଣ ଓ ବ୍ରହ୍ମଙ୍କ ଶ୍ରେଷ୍ଠଭକ୍ତ ଭୀମ ଭୋଇ ନାସ୍ତିକତାର ଅପବାଦରେ ଲୋକାୟତନରେ ନିନ୍ଦିତ ହୋଇଛନ୍ତି।
ଡ. ଦୋଳଗୋବିନ୍ଦ ବିଶୀ

ସତ୍ୟ ମହିମା-ଧର୍ମର ପରମ ନିଷ୍ଠାପର ପୁରୋଧା ଓ ଶ୍ରେଷ୍ଠ ଚାରଣ କବି ଭୀମ ଭୋଇ ଥିଲେ ସତ୍ୟର ସାଧକ ଓ ବ୍ରହ୍ମବାଦୀ ସନ୍ଥ। ମହାତ୍ମା ଭୀମ ଭବ୍ୟବାଣୀ ସ୍ୱରୂପରେ ଯଥାର୍ଥରେ ପ୍ରଚାର କରି ଯାଇଛନ୍ତି, “ଜାତି ଲୋଡ଼ିଲେ ମୁକ୍ତି ନାହିଁ ଓ ମୁକ୍ତି ଲୋଡ଼ିଲେ ଜାତି ନାହିଁ।” ସଚରାଚର ବିଶ୍ୱ ବ୍ରହ୍ମାଣ୍ଡରେ ବ୍ରହ୍ମଙ୍କର ସାମ୍ୟ-ବିଚାର ହିଁ ଏକମାତ୍ର ସତ୍ୟ। ସେଥିପାଇଁ ତ ପଙ୍କରୁ ଜାତ ପଦ୍ମ ସକଳ ପଙ୍କିଳତାରୁ ମୁକ୍ତ-ପ୍ରମୁକ୍ତ ହୋଇ ବିମୁକ୍ତ ବ୍ରହ୍ମଙ୍କର ପରମଜ୍ୟୋତି ରସ ଆସ୍ୱାଦନ କରିବାକୁ ସକ୍ଷମ ହୋଇଥାଏ; ତାର ଏକଗ୍ରତା ଓ ସାଧନା ବଳରେ ପଦ୍ମ-ପରମ ଭକ୍ତ ହୋଇପାରେ। ପଦ୍ମଠାରୁ ସେହି ପ୍ରକାର ସତ୍ୟ ପୁଣ୍ୟବ୍ରତ ଶିକ୍ଷା କରିବା ପାଇଁ ବ୍ରହ୍ମବାଦୀ ମହର୍ଷି କବିମାନେ ନତମସ୍ତକରେ ଶରଣାପନ୍ନ ହୋଇଥାନ୍ତି। ଠିକ୍ ସେହିପରି ଅଶିକ୍ଷା ଅନ୍ଧକାରରେ ଆଚ୍ଛନ୍ନ, ବନଚର କନ୍ଧକୁଳରେ ଜନ୍ମି ମଧ୍ୟ କବିକୁଳ ଚାନ୍ଦ ଭୀମଭୋଇ ଅଲେଖ ବ୍ରହ୍ମ ନିରଞ୍ଜନଙ୍କର କୃପାଲୋକ ଲାଭ କରି ପାରିଥିଲେ। ତାଙ୍କ ସାହିତ୍ୟ ମଧ୍ୟସ୍ଥ ବ୍ରହ୍ମ-ବିଚାରର ତାତ୍ତ୍ୱିକ ମାର୍ଗର ଆଲୋଚନା ବେଳେ ଜ୍ଞାନ- ବିକ୍ରମ ସିଂହମାନଙ୍କର ମଧ୍ୟ ହୃତ୍‌କମ୍ପ ଜାତ ହୋଇଥାଏ। ସମଗ୍ର ବିଶ୍ୱକୁ ପଶ୍ଚିମ ଓଡ଼ିଶାର କନ୍ଧ ସଂସ୍କୃତିର ମହାର୍ଘ ଅବଦାନ ହେଉଛି- “ଭୀମଭୋଇ” ଓ ଭୀମ ଭୋଇଙ୍କ ମାଧ୍ୟମରେ ବିଶ୍ୱପ୍ରେମ ତତ୍ତ୍ଵ’। ‘ଏଇ ଭାରତର ମହାମାନବର ସାଗର ତୀରେ’ ଏକାକାର ହୋଇଯାଇଥିବା ସମନ୍ୱୟାତ୍ମକ ସଂସ୍କୃତିର ପୃଷ୍ଠଭୂମିରେ ଉପଲବ୍ଧ ହୋଇଥିଲା ଯେଉଁ ଅମୂଲ୍ୟ ରତ୍ନ- ତାହାହିଁ ‘ବିଶ୍ୱପ୍ରେମ’। ଏହାର ପରିପୂର୍ଣ୍ଣ ପ୍ରତିଷ୍ଠାର ପ୍ରଚେଷ୍ଟା ନିମିତ୍ତ ସତେ ଯେପରି ବନବାସୀ ସଂସ୍କୃତିର ଦାୟାଦ କବି ଭୀମ ଭୋଇ ବ୍ରହ୍ମଙ୍କର ଯଥାର୍ଥ ବିବେଚନାରେ ଭୂମିଷ୍ଟ ହୋଇଥିଲେ ଓ ବିଶ୍ୱର ସକଳ ମାନବଧର୍ମୀ ଜ୍ଞାନର ଅଭିନବ ମାର୍ଜିତ ପ୍ରକାଶକୁ ନିଜ ଅନ୍ତଃର୍ଗତ ଅନୁଭବ ସମତା ମଧ୍ୟରେ ଉପଲବ୍ଧି କରି ସ୍ୱୀୟ ବାଙ୍ମୟ ମାଧ୍ୟମରେ ଏକ ଯଥାର୍ଥ ମାନବବାଦୀ ଦର୍ଶନ ଘୋଷଣା କରିଗଲେ-
“ଧର୍ମ ପଛେ ନିନ୍ଦା ପାଉ – ଧରଣୀ ମଣ୍ଡଳ ରହୁ।
ଶୂନ୍ୟ ଧରଣୀ ଆକାଶ – ଏ ତିନିହେଁ ହସୁଥାଉ।।”
ଧରଣୀ ମଣ୍ଡଳରେ ହସ ଓ ଖୁସିର ଫୁଲ ଫୁଟାଇବାରେ ହିଁ ଧର୍ମର ପ୍ରତିଷ୍ଠା। ଏଥିପାଇଁ ଧର୍ମ ନିନ୍ଦା ପାଇଲେ ପାଉ ପଛେ ହେଲେ ଧରଣୀ ସଦା ହସୁଥାଉ-ସେଥିରେ ରହିଛି ତା’ର ବାସ୍ତବ ଗୌରବବୋଧ। ପ୍ରକୃତିର ସଦା ହାସ୍ୟମୁଖର ଫୁଲମନିଆ ଜାତି ହେଉଛନ୍ତି-ବନବାସୀ। ଅମାବାସ୍ୟା ରଜନୀରେ ହସର ଜୁଆର ବୁଣିବା ପାଇଁ ସେମାନେ ନିଜ ମସ୍ତକକୁ ଛେଦନ କରି ଆକାଶରେ ଚନ୍ଦ୍ରମା ରୂପରେ ଖଞ୍ଜିଦେବାକୁ ଆଗଭର ହୋଇ ପଡ଼ନ୍ତି। (ମିଥ୍‌) ହେଉ ପଛେ କାହା ମତରେ ଅନ୍ଧ ବିଶ୍ୱାସ-ଶୂନ୍ୟ, ଧରଣୀ ଓ ଆକାଶକୁ ହସାଇବା ପାଇଁ ନିଜ ପୁଅକୁ ମେରିଆ ବଳିରେ ଉତ୍ସର୍ଗ କରିବାର ଶକ୍ତି ଓ ସାହସ କେବଳ ବନବାସୀର ହୃଦୟରେ ହିଁ ଦେଖିବାକୁ ମିଳେ। ବିଂଶ ଶତାବ୍ଦୀର ଅଶାନ୍ତିମୟ କାଳରେ ମଧ୍ୟ ବନବାସୀ ହିଁ ନିଜେ ନର୍କରେ ପଡ଼ି ଜଗତକୁ ଉଦ୍ଧାର କରିବାରେ ଲାଗି ପଡ଼ିଛି। ଭୀମଭୋଇଙ୍କର ସାହିତ୍ୟ ସମୀକ୍ଷା ପରିପ୍ରେକ୍ଷୀରେ ତେଣୁ ମୋର ମନେ ପଡ଼େ ଏକ ବନବାସୀ ଲୋକୋକ୍ତି-
“କୁଦୋ ଭାତ ଖୁଦ ମଡ଼ିଆ ଜଉ
ଖିରି ପୁରି କରି ସାଇବ ଖଉ,
ଆମ ଧରତୁନି ହଁସୁତି ଥଉ …”

ବନବାସୀ ସଂସ୍କୃତିର ଏହି ଧରଣୀକୁ ହସାଇବାର ସକଳ ପ୍ରଚେଷ୍ଠାର ସାଧନାମନ୍ତ୍ରକୁ ହିଁ ଭୀମଭୋଇ ଜପିଛନ୍ତି। ତେଣୁ ତାଙ୍କ ସୃଷ୍ଟ ସତ୍ୟ-ମହିମା-ଧର୍ମ ସାହିତ୍ୟ ଦର୍ଶନର କୁସୁମ ଭିତରେ ଏକ ଜୀବନ ସତ୍ୟ ମଧୁ-ସ୍ରାବୀ ବ୍ୟକ୍ତି ଓ ସମାଜ ସାପେକ୍ଷ ସୁରଭି ରହିଛି। ଏହା କେବଳ ବୌଦ୍ଧିକ ତର୍ଜମାକୁ ଅପେକ୍ଷା କରି ନାହିଁ। “ପ୍ରତିଟି ସର୍ବକାଳୀନ ପ୍ରଚାରକ କବି ପରି ଭୋଇ ସାହିତ୍ୟରେ ମଧ୍ୟ ସତ୍ୟ ମହିମା ଧର୍ମର ପୃଷ୍ଠଭୂମି ଉପରେ ଜୀବନର ଚେର ସଂକ୍ରମି ଯାଇଛି ଦୁର୍ବାର ଆକର୍ଷଣରେ, ମଳୟ ମର୍ମରିତ ଧୂପଛାୟା ସ୍ନିଗ୍‌ଧ ପରିବେଶ ଭିତରେ ଜୀବନର ଉପଭୋଗ ସହ ଦିଗ୍‌ବଳୟ ଚୂମ୍ବିତ ସାଗରର ମହାବିସ୍ମୃତିକୁ ଛୁଇଁ ଯିବାର ଅପ୍ରତିହତ ଶାଶ୍ୱତ ଜୀବନର କାମନାକୁ ଚିରାୟିତ କରି ମାନବବାଦର ପ୍ରତିଷ୍ଠା କରାଯାଇଛି ଏହି ସାହିତ୍ୟରେ।” ତେଣୁ ଅଲେଖ କୈନ୍ଦ୍ରିକ ସତ୍ୟମହିମା ଧର୍ମର ବରେଣ୍ୟ କବିଙ୍କର ତତ୍ତ୍ୱଭୂମି ସ୍ୱୀୟ ସଂସ୍କୃତି ରସରେ ପୃଷ୍ଟ ହେବା ସଙ୍ଗେ ସଙ୍ଗେ “ଉଭୟ ଜୀବନ ଓ ଜୀବନୋତ୍ତର ସତ୍ୟପଥର ସନ୍ଧାନ ଦେଇଛି।”
ପ୍ରତିଟି କନ୍ଧ ପାଇଁ “ଭୀମା” ନିରାକାର ଦେବତା ହେଲେ, ଭୀମ ଥିଲେ ମାନବ ରୂପୀ ମହାତ୍ମା ଦେବତା। ମୌଖିକ ଢ଼ାପ୍‌ଗୀତ ରେ ପ୍ରତିଫଳିତ ବହୁ ତତ୍ତ୍ୱର ସନ୍ଧାନ ଯେପରି ଭୀମ ଭୋଇଙ୍କ ସାହିତ୍ୟରେ ମିଳିଥାଏ, ଠିକ୍ ସେପରି ଭୀମଭୋଇଙ୍କର ଦୁଇଟି ଶିଷ୍ୟ କନ୍ଧ କବି ଦଇତାରୀ ମାଝୀ ଓ ମାଦୁକା ମାଝୀଙ୍କର ରଚିତ ଢ଼ାପ୍ ଗୀତ ଓ ଅନ୍ୟାନ୍ୟ ଭଜନ ଗୁଡ଼ିକରେ ମଧ୍ୟ ସତ୍ୟ-ମହିମା-ଧର୍ମର ଗଭୀର ପ୍ରଭାବ ଦେଖିବାକୁ ମିଳିଥାଏ। ଯେମିତି, କବି ଦଇତାରୀ ମାଝୀଙ୍କ ଏକ ରଚନାରେ,- “ଆମର୍ ଗୁରୁ ଅଲେଖ, ଶୁଇନେ ରହିଛେ ଦେଖ”। ଆଦି…
ଢ଼ାପ୍ ଗୀତର ଏକ ଜନପ୍ରିୟ ପାୟାର ହେଉଛି – “ଯାଶୁନିଯା’ ବାୟାର ମନ ହୋ… ମୁଜି ଖାଇ ଚୁକା ବୁନ…”। ମୁଜି ହେଉଛି ମୂଳବୀଜ ବା ପରମ ବୀଜ ବ୍ରହ୍ମ-ଏକେଶ୍ୱର। କୁଟିଆ କନ୍ଧମାନଙ୍କର ନିରାନ୍ତାଲୀ ଓ କନ୍ଧମାନଙ୍କର ଭୀମାଙ୍କର ବର୍ଣ୍ଣନା ଠିକ୍ ଏହାର ଅନୁରୂପ। ତହିଁରୁ ଜାତ ପରବର୍ତ୍ତୀ କାଳୀନ ସାକାରବାଦ ହେଉଛି “ଚୁକା”(ସମସ୍ତ ସ୍ଥୁଳ ସୃଷ୍ଟି)। ନିରାନ୍ତାଲୀ ପ୍ରଥମେ ନିରାକାର ରୂପରେ ହିଁ ଥିଲେ, ପରେ ପ୍ର୍ରକଟିତ ହେଲେ। ତେଣୁ ତାଙ୍କୁ ଆର୍ଯ୍ୟ ସିଦ୍ଧାନ୍ତର ନିରାକାରଙ୍କ ସହ ତୁଳନା କରାଯାଇ ପାରେ। ଭୋଇଦର୍ଶନରେ ନିର୍ଗୁଣବ୍ରହ୍ମଙ୍କର ବିଚାର ବା ତାଙ୍କ ବ୍ରହ୍ମତତ୍ତ୍ୱ ସଂପର୍କରେ ଆଲୋଚନା କଲାବେଳେ, ବେଦାନ୍ତ ଦର୍ଶନକୁ ଅଗ୍ରାଧିକାର ଦେବାବେଳେ,କନ୍ଧସଂସ୍କୃତିରେ କଳ୍ପିତ ମୂଳବୀଜ ଚିନ୍ତାକୁ ଏଡ଼ାଇ ଦେବା ଉଚିତ ହେବନାହିଁ। ଏହି ସୂତ୍ରରୁ ହିଁ ଭୀମଭୋଇ ତାଙ୍କ ବାଙ୍ମୟରେ ଆର୍ଯ୍ୟଗ୍ରନ୍ଥାଦି ରେ ବର୍ଣ୍ଣିତ ପରିପୂର୍ଣ୍ଣ ବ୍ରହ୍ମଙ୍କର ବିଳାସ କରାଇଛନ୍ତି। ମହିମାପନ୍ଥୀ ମାନେ ବ୍ରହ୍ମ(ଅଲେଖ)ଙ୍କୁ ଧ୍ୟାନ କରନ୍ତି। ସେ ଅଧିକାଂଶ ଧର୍ମ ଦର୍ଶନରେ ପୁରୁଷ ଭାବରେ କୀର୍ତ୍ତିତ ହୋଇଛନ୍ତି। କନ୍ଧମାନଙ୍କର ଢ଼ାପଗୀତରେ ତାଙ୍କ ଉଦ୍ଦେଶ୍ୟରେ କୁହାଯାଇଛି,-“ଦେଖ ଦେଖ ଛେକ ଛେକ… ଶୁନ ପଛେ ଅଛେ ଏକ।” ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ମତରେ ମୂଳବସ୍ତୁକୁ ଫେରି ଯିବାର ଆହ୍ୱାନ ସବୁଯୁଗର ଶାଖା ଓ ପଲ୍ଲବାଶ୍ରିତ ଯୁଗ ଜନତାକୁ ଧର୍ମଦ୍ରଷ୍ଟାମାନେ ଏକବୃକ୍ଷକୁ ଫେରି ଯିବାକୁ ପରାମର୍ଶ ଦେଇଥାନ୍ତି। ପଞ୍ଚସଖା ଗୋଷ୍ଠୀ, ଅଲୱାର ଗୋଷ୍ଠୀ, ତଥା କବିର ପନ୍ଥୀ ସବୁଠି ସେହି ଏକତ୍ୱର ହିଁ ଦର୍ଶନ। ଋଗ୍‌ବେଦର “ଏକମ୍ ଏବ ସମିଧ,ଏକଂ ସୂର୍ଯ୍ୟ ବିଶ୍ୱମନୁ ପ୍ରଭୁତଃ” ଠୁ ଆରମ୍ଭ କରି ବେଦ, ଉପନିଷଦ ଯାଏଁ ସେହି ଏକା କଥା। ସେ ଏକ ଓ ଅଦୈ୍ୱତ। ଶଙ୍କରାଚାର୍ଯ୍ୟଙ୍କ ଭାଷାରେ ସେ “ନେତି ନେତି” ପୁଣି ଏଯୁଗର ଦ୍ରଷ୍ଟା ଜୋନସ୍‌ଙ୍କ ଭାଷାରେ “ହି ଇଜ୍ ମୋର”। କେନୋପନିଷଦର “ନାସ୍ୟମତଂ ସ୍ୟେମତଂ ମତଂନାସ୍ୟ ନା ବେଦସଃ”। ସକ୍ରେଟିସ୍ ଉପଲବ୍ଧିରେ ପ୍ରକାଶ କଲେ, “ଆଇ ନୋ ଦ୍ୟାଟ୍‌, ନଥିଂ।” ଅରୁପବ୍ରହ୍ମ ଅଣାକାର ‘ଭୀମା’ ଥିବାରୁ କନ୍ଧବିଶ୍ୱାସରେ ଦେହେରି ମୁଣ୍ଡରେ ଅବତରି ଥାନ୍ତି। ଆଧାର ପାଣି ଖାଇ ଏକାଦିକ୍ରମେ ଯାତ୍ରା ଦିନରେ ଝାଙ୍କର ହାତରୁ ଭୋଗ ଗ୍ରହଣ କରନ୍ତି। କନ୍ଧ ସଂସ୍କୃତିର ବିଶ୍ୱାସ ହିଁ ଏହିପରି। ଭୀମ ଭୋଇ ଏହି ଏକବ୍ରହ୍ମଙ୍କ ମଞ୍ଜୁଳ ବର୍ଣ୍ଣନାର ଚମତ୍କାର ଅବତାରଣା କରିଛନ୍ତି। ଯଥା –
“ଅରୂପ ବ୍ରହ୍ମ ସେ ରୂପେ ନ ଦିଶଇ ନାହିଁନା ତାହାର ଛାଇ।
ଜନମ ଦିନୁର ଇଚ୍ଛାରେ ବଢ଼ିଛି ଅଧାର ପାଣି ନ ଖାଇ।।
ମାତା ପିତା ନାହିଁ ଅଯୋନି ସମ୍ବୁତ ନାହିଁ ରଜ ବୀର୍ଯ୍ୟ ଗନ୍ଧ।
କେ ଗଢ଼ିନାହିଁ ଆପେ ଗଢ଼ି ହୋଇଛି ଅରୂପ ଅନାଦି କନ୍ଦ।।’
ଭୀମଭୋଇଙ୍କ ମତରେ ସେ ଅନିର୍ବଚନୀୟ ହେବାରୁ ସବୁ ଯୁଗରେ କବିମାନେ ତାଙ୍କୁ ଲେଖିବାକୁ ଅକ୍ଷମ ହୋଇ‘ଅଲେଖ’ବୋଲି ନାମ ଦେଲେ। ଏହି ଦୃଶ୍ୟାଦୃଶ୍ୟ ବିଶ୍ୱବ୍ରହ୍ମାଣ୍ଡ ଭିତରେ ଅଲେଖଙ୍କର ‘ଖେଡ଼ଘର’ ହିଁ ଚାଲିଛି। ତାଙ୍କୁ ପୁଣି ଭୀମଭୋଇ ପୁରୁଷ ଭାବରେ ସମ୍ବୋଧନ କରିଛନ୍ତି। ଏହି ଶବ୍ଦଟି ବହୁ ପୂର୍ବବର୍ତ୍ତୀ। ଯଥା:-
(କ) ଏତାବାନ ଅସ୍ୟ ମହିମାତୋ ଜାୟନ୍ତେ ପୁରୁଷଃ
ପୁରୁଷ ସୂକ୍ତ ୧୦ମ ମଣ୍ଡଳ।
(ଖ) ଯ ସର୍ବଜ୍ଞ ସର୍ବବିଧ ଯସୋଷ ମହିମାଭୂବିଃ
ମଣ୍ଡୁକ-୨-୨-୭।
(ଗ) ସହୋବାଚ ମହିମାନ୍ ଏବୈଷାସେତେଃ-
ବୃହଦାରଣ୍ୟକ-୩-୯-୭।
ଭୀମଭୋଇଙ୍କ ବାଙ୍ମୟରେ ଏହି ଅଲେଖ ମହିମା ବା ନିରଞ୍ଜନ ସକଳ ସୃଷ୍ଟି, ସ୍ଥିତି ଓ ବିଳୟର ମୂଳାଧାର,କାରଣ। ଏହି ତତ୍ତ୍ୱ ପ୍ରଭାବିତ ତାଙ୍କର ସୃଷ୍ଟି ପ୍ରକରଣ ମଧ୍ୟ ଅତି ଆଶ୍ଚର୍ଯ୍ୟ ଭାବରେ ଅବିକଳ କନ୍ଧସଂସ୍କୃତିର ସୃଷ୍ଟି ସଂପର୍କୀତ ଲୋକମିଥ୍ ପରି। ‘ଶୂନ୍ୟ ଶୂନ୍ୟ ମହାଶୂନ୍ୟରୁ ପ୍ରଥମେ ନିଜେ ନିଜକୁ ପ୍ରକାଶ କଲେ ମହାପ୍ରଭୁ ନିରାନ୍ତାଲୀ-ନିରାକାର। ତାଙ୍କଠାରୁ ହିଁ ପରବର୍ତ୍ତୀ ସମୟରେ ପ୍ରକାଶ୍ୟମାନ ଜୀବଜଗତ ଓ ଦେବାଦେବୀଙ୍କ ସୃଷ୍ଟି ହେଲା।’ ଭୀମଭୋଇଙ୍କ ମତରେ ସୃଷ୍ଟି, ସ୍ଥିତି ଓ ପ୍ରଳୟ ପ୍ରକ୍ରିୟା ଏହିପରି, –
“ଏ ମାଟିର ପୁର ସମୀରଣ ଜଳ ଏମାନେ ନଥିଲେ କେହି।
ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଅନ୍ଧକାର ଥିଲା ନିଶବଦ ହୋଇ।।
ଚନ୍ଦ୍ର ସୂର୍ଯ୍ୟ କେହି ଆକାଶେ ନଥିଲେ ନବଲକ୍ଷ ତାରାଗଣ।
ଦିବସ ରଜନୀ ଏକ ହୋଇଥିଲା ନଥିଲା ରଚନା ମାନ।।
ସ୍ୱର୍ଗ ମର୍ତ୍ତ୍ୟପୁର ପାତାଳ ନଥିଲା ବ୍ରହ୍ମାବିଷ୍ଣୁ ରୂପ ତିନି।
ତେତିଶକୋଟି ଦେବ ତହିିଁ ନଥିଲେ ନଥିଲା ଶବଦ ଧୂନି।।
ନିଶବଦ ଘରୁ ଅନାମ ବ୍ରହ୍ମରୁ ଜନମ ହୋଇଲା ଶୂନ୍ୟ।
ଶୂନ୍ୟ ସସ୍କାରରୁ ଆକାର ଧରିଲା ବାହାର ହୋଇଲା ବର୍ଣ୍ଣ।।
ଅନାମରୁ ଅଗ୍ନି ପବନ ଜନ୍ମିଲା ଆକାଶେ ରହିଲା ପୁରି।
ଘୁଘୁ ଶବଦ ନିରନ୍ତର ହୋଇଲା ତାମସ ଗୁଣକୁ ଧରି।।
ଅନାମରୁ ତହିଁ ଜଳ ଜାତ ହେଲା ଅଗ୍ନି ପବନେ ମିଶିଲା।
ସତ ରଜ ତମ ତିନି ନାମ ବହି ତିନି ଗୁଣ ପ୍ରକାଶିଲା।।
ଇତ୍ୟାଦି।

ଶ୍ରୁତିନିଷେଧ ଗୀତା, ବ୍ରହ୍ମ ନିରୂପଣ ଗୀତା, ନିର୍ବେଦ ସାଧନ, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ପଦ୍ମକଳ୍ପ ଓ ବ୍ରହ୍ମଚାଳକ ଆଦି ଗ୍ରନ୍ଥଗୁଡ଼ିକରେ ଭୀମଭୋଇ ବ୍ରହ୍ମଙ୍କର ଅଭିନବ ବର୍ଣ୍ଣନା ଓ ବିଚାର କରି ବ୍ରହ୍ମତତ୍ତ୍ୱର ପ୍ରସାର ଓ ପ୍ରଚାର ପାଇଁ ବ୍ୟାକୁଳ ହୋଇଛନ୍ତି ତଥା ଏହାର ନିର୍ଯାସରେ ଅଲେଖ ବ୍ରହ୍ମହିଁ ସର୍ବୋତ୍ତମ ତତ୍ତ୍ୱ ବୋଲି ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ସେ ଉପନିଷଦୀୟ ଆନନ୍ଦବାଦୀ ଦର୍ଶନ ଦ୍ୱାରା ପରିଚାଳିତ ହୋଇଛନ୍ତି। ଯଥା:-
“ତାହାର ନାହିଁ ଘଡ଼ିବେଳା। ସଦା ଆନନ୍ଦ ମତିଭୋଳା।ା
ସହି ପାରଇ ପୃଥ୍ୱୀପଣେ। ମୋହି ପାରଇ ସର୍ବଜନେ।ା
ଚାହଁଇ ଚନ୍ଦ୍ର କୃପାଜଳେ। ପଛକୁ ଆଗକୁ ନ ଚଳେ।ା
କହଇ ବୀର ପଣେ କଥା। ସାଧିବା ପଣେ ସମରଥା।ା
ଏମନ୍ତ ବ୍ରହ୍ମ ସେ ବୋଲାଇ। ଆଶ୍ରୟ କଲେ ମୁକ୍ତିପାଇ।ା”
(ଶ୍ରୁତି ନିଷେଧ ଗୀତା)
ଏହି ବ୍ରହ୍ମ ହେଉଛନ୍ତି ଅଲେଖ ଓ ସେ ଶୂନ୍ୟରୂପୀ, ଶୂନ୍ୟବିହାରୀ। ବ୍ରହ୍ମାଶ୍ରୟ ହେଉଛି- ଅଲେଖ ଏକାକ୍ଷର ନାମବ୍ରହ୍ମର ଜପ ଓ ଏକଶୂନ୍ୟଙ୍କ ସାନ୍ନିଧ୍ୟରେ ଶରଣାପନ୍ନ। ଭୀମଭୋଇଙ୍କ ମତରେ ଏହା ଅନ୍ତଃର୍ଗତ ଅନୁଭବ ସମତା ବା ଓଦ୍ଭଗ୍ଧଙ୍କଗ୍ଧସକ୍ଟଦ୍ଭ ଦ୍ୱାରା ସମ୍ଭବ ହୋଇଥାଏ। ଅନ୍ତର୍ଗତ ଅନୁଭବ ସମତା ଏକ ପ୍ରକାର ସାତ୍ତ୍ୱିକ ବ୍ୟାକୁଳତା- ଯହିଁରେ ଅନୁଭବ ମାଧ୍ୟମରେ ବ୍ରହ୍ମସତ୍ତାକୁ ଉପଲବ୍ଧି କରି ହେବାର ଆଶାବୋଧ ତୀବ୍ର ଭାବରେ ରହିଥାଏ।
“ଅନୁଭବ ମୂଳ ଅଟଇ କେବଳ ତେଜ ବିବେକର ମତି।
ନ ଜାଣିଣ ଭଣ୍ଡ ଜ୍ଞାନୀ କରି ଭଣ୍ଡ ବିକର୍ମରେ ମାତିଥାନ୍ତି।ା”
ଆଲୋଚକମାନଙ୍କ ମତରେ ଏହି ଅନ୍ତର୍ଗତ ଅନୁଭବ ସମତାରେ ଲୟଯୋଗର ପ୍ରାଧାନ୍ୟ ରହିଥାଏ। ତାହା ଚିତ୍ତଶୁଦ୍ଧିରେ ପର୍ଯ୍ୟବସିତ ହୁଏ। ଅନ୍ତଃର୍ଦୃଷ୍ଟି ଦେଇ ବିଚାରକଲେ ଯଥାର୍ଥରେ ସତ୍ୟମହିମା ଧର୍ମ ସାହିତ୍ୟରେ ବର୍ଣ୍ଣିତ ଲୟ ଯୋଗ ଆଦିଗୁରୁଙ୍କର ନାଦାନୁସନ୍ଧାନକୁ ମଧ୍ୟ ଅତିକ୍ରମ କରିଯାଇଛି। ଦୈନନ୍ଦିନ ଜୀବନଚର୍ଯ୍ୟା ଭିତରେ ଅହରହ ପରଂବ୍ରହ୍ମଙ୍କର ମନୋଗତ ଅରୂପକୁ-ଧ୍ୟାନ କରିବାକୁ ମହିମା ଧର୍ମରେ ନିର୍ଦ୍ଦେଶ ଦିଆଯାଇଛି ଓ କୁହାଯାଇଛି ଯେ କର୍ମ ଅକର୍ମ ଭେଦରେ ‘କର୍ମଦେବ’ ପାଦରେ ହିଁ ସେବା କରିବା ଉଚିତ ଓ ଏହା ମଧ୍ୟରେ ଶୁଦ୍ଧଚିତ୍ତରେ ବ୍ରହ୍ମଶରଣର କାମନାକୁ ଧରି ରଖିବା ଆବଶ୍ୟକ-
“ପଚିଶକୁଳ ବାଉନ ଯେ ପାଟକ ଯେ ଅଛ ସ୍ତିରୀ ପୁରଷ।
ଉଚ୍ଚନୀଚ୍ଚ ବୋଲି ବାରଣ ନକରି ନାମରେ ଶରଣ ପଶ।।
ବ୍ୟାଧ ହୋଇ ଯେବେ ଜୀବମରା ବୃତ୍ତି ଜୀବ ବଧୁ ଥାଅ ପଛେ।
ଅଲେଖ ମହିମା ଭଜୁଥାଅ ଏକା ଦୃଢ଼ କରିଥାଅ ଚିତ୍ତେ।।
ଧୀବର ହୋଇଣ ମୀନ ମାରୁ ପଛେ ମହିମାକୁ ଥାଉ ଧ୍ୟାୟୀ।
ତାହାର ବୃତ୍ତି ତାହାକୁ ଦିଆ ଅଛି କେମନ୍ତେ ଛାଡ଼ିବ ସେହି।।
ହାଡ଼ି ହୋଇ ଯେବେ ଦାଣ୍ଡ ପହଁରଇ ବାଡ଼ିଘର ପଛେ ଖଟୁ।
ଗୁରୁ ପାଦ ତଳେ ଚିତ୍ତବୃତ୍ତି ରଖି ଦୃଢ଼ଚିତ୍ତେ ନାମରଟୁ।।”
କନ୍ଧକବି ଦିଇତାରୀ ମାଝୀଙ୍କର କେତୋଟି ଗୀତରେ ଓ ଢ଼ାପଗୀତର ଅନେକ ପଦରେ ଏହି କର୍ମ-ଅକର୍ମ ଭେଦରେ କର୍ମଦେବ ପାଦରେ ନିଷ୍ଠା ଓ ବ୍ରହ୍ମରେ ଶରଣ ଭାବକୁ ପ୍ରଚାର କରାଯାଇଛି।
ବନବାସୀ ବିଶେଷତଃ କନ୍ଧମାନଙ୍କ ଏକ ଜନପ୍ରିୟ ଲୋକୋକ୍ତି ହେଉଛି- ‘ବୁଝଲେ ବୁଝ, ନାଇଁ ବୁଝଲେ ମାଇଁ କୁକ୍‌ରା ପୁଜ’। ଏହା “ଗୁରୁ ନ କଲେ ହେ ଅର୍ଜୁନ, କାହୁଁ ପାଇବୁ ସଦଜ୍ଞାନ” ର ସମାର୍ଥକ। ଏହାର ଅନ୍ତରାଳରେ ଗୁରୁବାଦର ପ୍ରତିଷ୍ଠା କଥା କୁହାଯାଇଛି। ଢ଼ାପ୍‌ଗୀତର ଚଖ୍‌ନାରେ ମଧ୍ୟ ରହିଛି-
ସଦ୍‌ଗୁରୁ ଜୁହାର !
ପୁଡ଼ି ଯଉଛେ ସଁସାର ସୁଧାର।ା
ଜୀବାତ୍ମାକୁ ଯେଉଁ ପରମ ଶକ୍ତିମାନ ‘ଗୁ’ ରୁ ‘ରୁ’ କୁ ଉନ୍ନିତ କରାଇଥାନ୍ତି ସେ ହେଉଛନ୍ତି- ‘ଗୁରୁ’ ତେଣୁ ଗୁରୁ ଶବ୍ଦର ତାତ୍ତ୍ୱିକ ଭାବାର୍ଥ ହେଉଛି’-
ଗୁକାରୋଽନ୍ଧକାରସ୍ତୁ ରୁକାରସ୍ତନିବର୍ତ୍ତକଃ
ଅନ୍ଧକାର ନିବୃତ୍ତ୍ୟାତୁ ଗୁରୋରୀତ୍ୟଭିଧୀୟତେ।’
ତେଣୁ ‘ଗୁରୁ’ ର ପରିଚୟ ଆହୁରି ଦିଆଯାଇଛି-
‘ଗୁଣାବଚ ଗୁଣାତୀତଂ ରୁ ଶବ୍ଦ ରୂପବର୍ଜିତମ
ଗୁଣରୂପଂ ଦ୍ୱୟନାସ୍ତି ତସ୍ମୈଶ୍ରୀ ଗୁରବେ ନମଃ।
ଭୀମଭୋଇ ମଧ୍ୟ ଏହି ଗୁରୁଙ୍କର ଯଥାର୍ଥ ପରିଚୟ ଦେଇ କହିଛନ୍ତି- “ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ”। ଗୁରୁଙ୍କର ସାମୀପ୍ୟ ବ୍ୟତିରେକେ ମୁକ୍ତି ଅସମ୍ଭବ। ଏହା ଚିତ୍ତବୃତ୍ତି ଶୁଦ୍ଧତାର ଚରମ ସୋପାନ। ଏଥିପାଇଁ ସାଧକକୁ ବିଭିନ୍ନ ସୋପାନ ଦେଇ ଗତି କରିବାକୁ ପଡ଼ିଥାଏ। ଏହା ଜ୍ଞାନ ଓ ଭକ୍ତିର ପୂର୍ବାପର ସଙ୍ଗତିର ଏକ ଶୃଙ୍ଗଳିତ ମହତ୍ତର କ୍ରମ ମାତ୍ର। ଯାହାକୁ ଏ ଯୁଗର ଦାର୍ଶନିକ ଡ଼କ୍ଟର ରାଧାକୃଷ୍ଣନ୍ ବୁଝାଇ କହିଛନ୍ତି- ‘ପ୍ରତିବୋଧ ବା ପ୍ରଜ୍ଞାନକୁ ବୋଧ ବା ବିଜ୍ଞାନ ଠାରୁ ଭିନ୍ନ କରି ଦେଲେ, କେବଳ ଆତ୍ମ ସନ୍ତୁଷ୍ଟି ରହସ୍ୟ ବିଳାସରେ ପର୍ଯ୍ୟବେସିତ ହୋଇ ପଡ଼ିବ। ଜ୍ଞାନ ମାର୍ଗରେ ଶ୍ରେଷ୍ଠ ତତ୍ତ୍ୱର ଅନ୍ୱେଷଣ କରି ଶେଷରେ ଆମେ ଈଶ୍ୱରୋପଲବ୍ଧିର ଅବସ୍ଥାନରେ ଉପନୀତ ହୋଇ ପାରିବା।’ ଏହି ନିର୍ଦ୍ଦେଶିତ ସୋପାନ ଗୁଡ଼ିକୁ ମହିମା ଧର୍ମର ପ୍ରବକ୍ତା ବିଶ୍ୱନାଥ ବାବା ନିମ୍ନମତେ ବର୍ଣ୍ଣନା କରିଛନ୍ତି।
“ପ୍ରଥମେ ସୁ ସାଧୁସଙ୍ଗ ଶାସ୍ତ୍ର ଅଧ୍ୟୟନ।
ବୈରାଗ୍ୟ ଭାବରେ ସଦା ହେବ ସଚେତନ।।
ଜ୍ଞାନଭୂମିର ମଧ୍ୟରେ ହୋଇବ ପ୍ରବେଶ।
ସଂସାର ବିଷୟେ ସଦା ହୋଇବ ଉଦାସ।।
ଶୁଭେଚ୍ଛା ପଦ ସହଜେ ହୋଇଲେ ସମ୍ପନ୍ନ।
ଦ୍ୱିତୀୟ ପଦକୁ ଚିତ୍ତ କରିବ ଚାଳନ।।
ସତ୍‌ଶିକ୍ଷା ସଦାଚାର କରିବ ପାଳନ।
ଅସତ୍ କାର୍ଯ୍ୟରୁ ସଦା ହୋଇବ ବିଚ୍ଛିନ୍ନ।।
ତୃତୀୟ ପାଦ ଯେ ତନୁ ମାନସ ଅଟଇ।
ଇନ୍ଦ୍ରିୟ ପଣକୁ ସଦା ଜୟ କରିଥାଇ।।
xxxxx
ଏହି କ୍ରମରେ…..
ଏହାର ଅନ୍ତିମ ଗତି ପ୍ରାପତ ହୁଅଇ।
ଜୀବନ୍ମୁକ୍ତ ପଦେ ଆତ୍ମା ସଦା ବିହରଇ।।
ଏହା ହେଉଛି ପଞ୍ଚମନର ଏକତ୍ୱ ଅବସ୍ଥାରେ ଯୋଗ ଅବସ୍ଥା। ଏହି ପ୍ରକାର ଧ୍ୟାନ ଓ ଧାରଣାରେ ଗୁରୁଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ସେହି ଗୁରୁ ଆଉ କେହି ନୁହନ୍ତି, ନିଜେ ଅଲେଖ, ଅଣାକାର, ବ୍ରହ୍ମନିରଞ୍ଜନ। ଭୀମଭୋଇ ଲେଖିଛନ୍ତି:-
“ଅମଡ଼ା ଅପୋଡ଼ା ଭୁଇଁ ଚନ୍ଦ୍ର ସୂର୍ଯ୍ୟ ନାମ ନାହିଁ
ଲୋଡ଼ ସେ ସ୍ଥାନକୁ ଗୋ, ସୁମରି ଗୁରୁଙ୍କୁ।
ପାଞ୍ଚମନ କଲେ ତତ୍ତୁ ପାଇବ ପୂର୍ବର ହେତୁ
ଭାଜନ ହୋଇଲେ ଗୋ, ଦାସପଣକୁ।।
କନ୍ଧ ସଂସ୍କୃତିର ଢ଼ାପ୍‌ଗୀତରେ ଏହାର ଅବିକଳ ପ୍ରତିଫଳନ ଶୁଣିବାକୁ ମିଳେ। ଯଥା-
“ଅମଡ଼ା ଭୁଇଁ ନେ ଅପୁଡ଼ା ଭୁଇଁ ନେ ହାପୁଡ଼ୁ ହାପୁଡ଼ୁ ମନ,
ପାଁଚ ଝନିଆରି ଝନକେ ବିଚାର ପରମ ଗୁରୁକେ ଚିନ,
ଅଲେଖ! ଆମର୍ ବେହେକା ଦେକ (ଦେଖ)
ଅଲେଖ ହେଲେ ତୁଇ ଅଲେଖ ମିଲାବୁ
ଅଲେଖ ଅଲେଖ ଡ଼ାକ।।”
ଢ଼ାପ୍‌ଗୀତର ଏହି ତତ୍ତ୍ୱକୁ ଉପନିଷଦ ମଧ୍ୟ ସମର୍ଥନ କରିଛି। ଏହାହିଁ ଆମ ମହାଭାରତୀୟ ସଂସ୍କୃତିରେ ମହାସମନ୍ୱୟର ଦୃଷ୍ଟାନ୍ତ। ଉପନିଷଦ ଅନୁସାରେ ବ୍ରହ୍ମବିଦ୍ ବ୍ରହ୍ମହିଁ ହୋଇଯାଏ। ଭୀମଭୋଇ ତାଙ୍କ ଶାଶ୍ୱତ ସାହିତ୍ୟରେ ସେହି ବ୍ରହ୍ମ ହୋଇଯିବା କଥାହିଁ କହିଛନ୍ତି।-
“ସିନ୍ଧୁ ପରାଏ ବ୍ରହ୍ମ ସେହି। ତଦନ୍ତ କହିତ ନୁହଇ।।
ଯେ ବ୍ରହ୍ମ ବ୍ରହ୍ମ ହୋଇପାରେ। ତାଙ୍କ ମହିମା ସେ ଉଚ୍ଚାରେ।।
ନୋହିଲେ ଚନ୍ଦ୍ର ସୂର୍ଯ୍ୟ ବଣା। କେ ଅବା କରୁଛି କଲଣା।।
ବ୍ରହ୍ମ ପାଇଁ ବ୍ୟାକୁଳ ପ୍ରାଣ ଓ ବ୍ରହ୍ମଙ୍କ ଶ୍ରେଷ୍ଠଭକ୍ତ ଭୀମଭୋଇ ନାସ୍ତିକର ଅପବାଦରେ ଲୋକାୟତନରେ ନିନ୍ଦିତ ହୋଇଛନ୍ତି। ଧର୍ମଧ୍ୱଜୀ ମାନଙ୍କ ନିନ୍ଦାଗାଳି ଶୁଣିଛନ୍ତି। କନ୍ଧ ପରିବାରରେ ସେ ଏକ ଅରକ୍ଷିତ ଓ ଅବହେଳିତ ମଣିଷ ରୂପରେ ଆବିର୍ଭାବ ହୋଇଥିଲେ ହେଁ ‘ନିଜ ଜୀବନକୁ ନର୍କରେ ପକାଇ ଜଗତକୁ ଉଦ୍ଧାର କରିବା’ ପ୍ରୟାସୀ ହୋଇଛନ୍ତି। ତାଙ୍କ ଏହି ମାନବବାଦୀ ମହତ୍ତ୍ୱକୁ କେହି ଗ୍ରହଣ କରିପାରି ନାହାନ୍ତି। ପ୍ରବଞ୍ଚନାମୟ ଧର୍ମ ପ୍ରତି ତାଙ୍କ ଅସହଯୋଗ ମନୋବୃତ୍ତି, ମାନବ ପରିକଳ୍ପିତ ଧର୍ମର ଭ୍ରାନ୍ତିପୂର୍ଣ୍ଣ ପ୍ରହସନକୁ ଅସ୍ୱୀକାର କରି ଦୃଢ଼ ମନୋବଳରେ ଅସତ୍ୟକୁ ପ୍ରତ୍ୟାଖ୍ୟାନ କରିବା କ୍ଷମତା ହିଁ ତାଙ୍କୁ ସନ୍ଥ ଭାବରେ ଚିହ୍ନାଇଛି। ଭୀମଭୋଇ ଥିଲେ ବ୍ରହ୍ମର ଉପାସକ। ଶ୍ରୀ ଜଗନ୍ନାଥ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ। ଭୀମଭୋଇ ଥିଲେ ବନବାସୀ କନ୍ଧ। ଶ୍ରୀ ଜଗନ୍ନାଥ ହେଉଛନ୍ତି ମୂଳତଃ ବନବାସୀ ଦେବତା। ତେବେ ସେ ତଥାକଥିତ ବଡ଼ପଣ୍ଡାଙ୍କ ଦୃଷ୍ଟିରେ ନାସ୍ତିକ ହେଲେ କାହିଁକି? ଶ୍ରୀ ଜଗନ୍ନାଥ ଶବର ପଲ୍ଲୀରୁ ବନଫୁଲ ଫଳ ର ମୋହଛାଡ଼ି ଯେତେବେଳେ ରାଜଭୋଗର ଆସକ୍ତିରେ ଶ୍ରୀ ନୀଳାଚଳରେ ବିରାଜମାନ କରିଛନ୍ତି,ସେତେବେଳେ ସେ ହୋଇପଡ଼ିଛନ୍ତି ଧର୍ମଧ୍ୱଜୀ ବଡ଼ବଡ଼ିଆ ମାନଙ୍କର ବଡ଼ ଦେବତା। ପୂର୍ବରୁ ସେ ଥିଲେ ମୂଳତଃ ବନବାସୀ ସଂସ୍କୃତିର ବିଶ୍ୱପ୍ରେମର ପ୍ରତୀକ। ପୁଣି, ‘ଜାତି ଲୋଡ଼ିଲେ ମୁକ୍ତି ନାହିଁ ଓ ମୁକ୍ତି ଲୋଡ଼ିଲେ ଜାତି ନାହିଁ’ ତତ୍ତ୍ୱର ଦେବତା। ଯେଉଁ ସଂସ୍କୃତି ଏକ ସାଂସ୍କୃତିକ ସହାବସ୍ଥାନ ପାଇଁ ଆଗ୍ରହୀ ହୋଇ ସାରା ମାନବସମାଜକୁ ନିଜର ପରମପ୍ରିୟ ଦେବତାଙ୍କୁ ଦାନ କଲା, ପ୍ରତିଦାନରେ ସେ ପାଇଲା ଅନ୍ୟମାନଙ୍କଠାରୁ ଅବହେଳା ପୂର୍ଣ୍ଣ ବ୍ୟବହାର। ସେଠି ଆଉ ବନବାସୀର ବିଶ୍ୱଭାତୃତ୍ୱବୋଧ କାହିଁ? ଏହା କ’ଣ ବ୍ରହ୍ମଙ୍କର ପରିଚୟ? ସେ ପ୍ରକାର ଧାର୍ମିକ ବଡ଼ିମାର ପ୍ରତୀକ ପ୍ରତିମାଟିକୁ ବା ଭୀମଭୋଇ ବ୍ରହ୍ମବୋଲି ସ୍ୱୀକାର କରନ୍ତେ କିପରି ? ଏ ମିଥ୍ୟାଚାର ଓ ଭଣ୍ଡାମୀ ଭୀମଙ୍କୁ ଅତି ବାଧକ ହୋଇପଡ଼ିଛି। ବ୍ରହ୍ମଙ୍କୁ ନେଇ ବ୍ୟବସାୟ ! ନା ନା ଏହା ସଂପୂର୍ଣ୍ଣର୍ ମିଥ୍ୟାଚାର। ବ୍ରହ୍ମ ଏପରି ହୋଇପାରେନା। ତେଣୁ ସେ ଅନ୍ୟତ୍ର ବ୍ରହ୍ମଙ୍କୁ ବା ପ୍ରଭୁଙ୍କୁ ଯାଇ ଲୋଡ଼ିବା ପାଇଁ ପ୍ରଚଣ୍ଡ ଆତ୍ମାଭିମାନ ଛଳରେ ଅକପଟ ସତ୍ୟର ପ୍ରକାଶ ଆଳରେ ତାଙ୍କର ଅନେକ ପଦରେ ବ୍ୟାକୁଳ ଭାବରେ ନାସ୍ତିକତାକୁ ବରି ନେଇଛନ୍ତି ଓ ବ୍ରହ୍ମଙ୍କୁ ଖୋଜିବା ପାଇଁ ଆହ୍ୱାନ ଦେଇଛନ୍ତି। ଯଥା:-
“ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ
ଶ୍ରୀକ୍ଷେତ୍ରେ ଅଛନ୍ତି ବୋଲି ପ୍ରତେ ନୋହୁଛି ମନକୁ।”
ଅଚ୍ଛବ ଭାବରେ ଦୂରେଇ ଦେଇ ତାଙ୍କୁ ଆମର ଧର୍ମ ଉଦ୍‌ଗାତାମାନେ କାଷ୍ଠପାଷାଣର ଜଗନ୍ନାଥ ବିଗ୍ରହ ଦେଖିବାର ସୁଯୋଗ ମଧ୍ୟ ଦେଇନାହାନ୍ତି। ଭୀମ ତେଣୁ ବିପ୍ଳବୀର ଭୀମସ୍ୱର ଉତ୍ତୋଳନ କରି ପ୍ରତିବାଦ କଣ୍ଠରେ ଘୋଷଣା କରିଛନ୍ତି- “ସତକଥା ଏହା କାଷ୍ଠପାଷାଣର ଏକ ବୃକ୍ଷ ପିଣ୍ଡ ସିନା।”… ଦେବତାତ ନୁହେଁ ? ଅର୍ଥାତ ସେ ଆଉ ବନବାସୀର ସେହି ଆପଣାର ଦେବତା ନୁହେଁ। ତାଙ୍କୁ କେନ୍ଦ୍ରକରି ବ୍ରହ୍ମଜୀଜ୍ଞାସା କରିବା ବୃଥା ମାତ୍ର। ବରଂ ଆକୁଳ ନୟନରେ ଶୂନ୍ୟକୁ ଚାହିଁ ସେହି ଶୂନ୍ୟ ପୁରୁଷ ଅଲେଖ ବ୍ରହ୍ମଙ୍କୁ ଲାଭ କରାଯାଇପାରେ।

Leave a Reply

Your email address will not be published. Required fields are marked *