
“ସୁନ୍ଦର ଯେତିକି ଅନ୍ଧାର ସେତିକି ଏଇଯେ ଗହନ ବନ
ତେଣୁ ତୁ ଆପଣା ସଙ୍କଳ୍ପେ ଅଚଳ ଅଟଳ ରହରେ ମନ
ଆଗରେ ପଡ଼ିଛି ପଥ ବହୁଦୂର ଆହୁରି କେତେ ଯେ ବାକି
ଚାଲିବି ଚାଲିବି ଚାଲିବି ନପଡ଼ିବି ଥକି ମୁଦିବା ଆଗରୁ ଆଖି।”
ଆସନ୍ତୁ ଆଜି କହି ବୁଝାଇବି; ଏଇ ଭାବବୋଧରେ ଇଂରାଜୀରେ ଲିଖିତ “ଷ୍ଟପିଙ୍ଗ୍ ବାଇ ଉଡ଼୍ସ ଅନ୍ ଏ ସ୍ନୋଇ ଇଭିନିଙ୍ଗ୍” କବିତାର ଲେଖକ ରବର୍ଟ୍ ଫ୍ରଷ୍ଟ୍ଙ୍କ ସମ୍ବନ୍ଧୀୟ କିଛି ସମ୍ମାନର କଥା, ସାହିତ୍ୟ ସାଧନା ଓ ଦେଶବାସୀଙ୍କ ପାଇଁ ଓ ଭାଷା ନିମନ୍ତେ ତାଙ୍କ ଅବଦାନର ଗୌରବ କଥା। ଆଉ ସେଇ କିଛି କଥା ଭିତରେ ଅପ୍ରତ୍ୟକ୍ଷ ରହିଛି ଆଜିର ଶୀର୍ଷକର ଗୁରୁ କଥା।
୧୯୫୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଶାସନ ସଭା ଏକ ଅଦ୍ଭୁତପୂର୍ବ କାର୍ଯ୍ୟ କରିଥିଲେ। ରବର୍ଟ୍ ଫ୍ରଷ୍ଟ୍ଙ୍କ ପଞ୍ଚସପ୍ତତି ଜନ୍ମ ଦିବସରେ ତାଙ୍କୁ ସମ୍ମାନିତ କରିବା ପାଇଁ ଏକ ରାଜନୈତିକ ଘୋଷଣାନାମା ଜାରୀ କରିଥିଲେ। ଏହା କିଛି ଏହିଭଳି ଥିଲା।
କବି ରବର୍ଟ୍ ଫ୍ରଷ୍ଟ୍, ଆମେରିକୀୟ ଜନତାଙ୍କୁ ନିଜର ସାରା ଜୀବନର ସାଧନାସ୍ୱରୁପ ନିଜର ସାହିତ୍ୟକୃତି ଦେଇଛନ୍ତି ଯାହା ସଭିଏଁ ପଢ଼ିଛନ୍ତି। ତାଙ୍କର ଜ୍ଞାନବୋଧ ଓ ନିର୍ଭରଯୋଗ୍ୟ ଉପସ୍ଥାପନା ଦେଶବାସୀଙ୍କୁ ଚିନ୍ତା ଓ ଚେତନାରେ ପରିମାର୍ଜିତ କରିପାରିଛି। ଏଥି ହେତୁ ଆମେରିକୀୟ ଇତିହାସରେ କବିଙ୍କୁ ଏକ ଉଚ୍ଚ ସମ୍ମାନର ଅଧିକାରୀ ଓ ଗୁଣୀଜନ ରୂପେ ଘୋଷଣା କରୁଅଛି।
ଏଠାରେ କହିବା ବାହୁଲ୍ୟ ଯେ ଏହି ବିଶ୍ୱବିଖ୍ୟାତ କବି ବାଲ୍ୟକାଳରୁ ଲେଖା ଆରମ୍ଭ କରିଥିଲେ ହେଁ ତାଙ୍କର ପ୍ରଥମ କବିତା ଛପା ହୋଇଥିଲା ଏକୋନବିଂଶ ବର୍ଷ ବୟସରେ। ଏହାର ବିଂଶବର୍ଷ ପରେ ହିଁ ତାଙ୍କୁ ସଭିଏଁ ଜଣେ ପ୍ରକୃତ କବିର ସ୍ୱୀକୃତି ଦେଇଥିଲେ। କବିଙ୍କ ଚତ୍ୱାରିଂଶତ୍ ବୟସରେ ବିଦେଶରେ ତାଙ୍କର ପ୍ରଥମ ବହି ମୁଦ୍ରଣ ହୋଇଥିଲା।
ରବର୍ଟ ଫ୍ରଷ୍ଟ୍, ଅଧିକାଂଶ ସାହିତ୍ୟିକଙ୍କ ଭଳି ଶସ୍ତା ଲୋକପ୍ରିୟତା, ହାତଗୁଞ୍ଜା ପୁରସ୍କାର, ଘୋଡ଼ାବେପାର ପ୍ରକାଶନ ପଛରେ କେଭେହେଁ ପଡ଼ିନଥିଲେ। ସାହିତ୍ୟର ଯୁଗସ୍ରଷ୍ଟା ଏହି ସାଧକଙ୍କୁ ତାଙ୍କ ଦେଶ ଓ ଜାତି ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବାରେ କାର୍ପଣ୍ୟ ଦେଖାଇନଥିଲା।
ଏହି କବିଙ୍କ ସର୍ଜନା ସଙ୍କଳନ “ଦି କମ୍ପ୍ଲିଟ୍ ପୋଏମ୍ସ ଅଫ୍ ରବର୍ଟ୍ ଫ୍ରଷ୍ଟ୍” ଉଦ୍ଦେଶ୍ୟରେ ମାର୍କ୍ ଭାନ୍ ଡୋରେନ୍ ସ୍ୱତଃସ୍ଫୁର୍ତ୍ତ ଭାବେ କହି ଉଠିଥିଲେ, “ଏହା ଏକ ମହାନ ସଙ୍କଳନ। ଆମ ସମୟର ଜୀବିତ କୌଣସି ସାହିତ୍ୟ ସାଧକଙ୍କ ହୃଦୟରୁ ଏହି ପ୍ରକାରର ଶବ୍ଦବୋଧ, ଭାବଧାରା ଓ ସୌନ୍ଦର୍ଯ୍ୟପ୍ରେମର ଉଚ୍ଛ୍ୱାସ ଆମ୍ଭେ ଦେଖିନାହୁଁ।”
ଲେୱିସ୍ ଗାର୍ନେଟ୍ ସହମତର ସମସ୍ୱରରେ କହିଥିଲେ, “ଆମ ସମୟର ସମସ୍ତ ସାହିତ୍ୟ ସର୍ଜନାରୁ ଯଦି କେଉଁ କୃତି ଯୁଗଯୁଗ ସମୟର କଷଟିରେ ଉତ୍ତୀର୍ଣ୍ଣ ହେବାର କ୍ଷମତା ରଖିଛି ତେବେ ତାହା ରବର୍ଟ୍ ଫ୍ରଷ୍ଟ୍ଙ୍କର ସାହିତ୍ୟ ସମ୍ଭାର।”
ଏହି ସମ୍ମାନକୁ ଆହୁରି ପାଦଟିଏ ଆଗକୁ ନେଇ ଯାଇଥିଲା ସେତେବେଳର ଟାଇମ୍ସ୍ ମୁଖପତ୍ର। ନିଜର ମୁଖ୍ୟପୃଷ୍ଠାରେ କବିଙ୍କର ପ୍ରତିଚ୍ଛବି ଓ ଭିତର ପୃଷ୍ଠାରେ ସାତଗୋଟି ପ୍ରସିଦ୍ଧ କବିତାକୁ ପ୍ରାଧାନ୍ୟ ଦେଇଥିଲା। ବିଶ୍ୱର ଅନ୍ୟ ଖବରଅନ୍ତର ସେଦିନ ପଛରେ ପଡ଼ିଯାଇଥିଲେ ଏହି କବିଙ୍କର ଶ୍ରଦ୍ଧା ଓ ସମ୍ମାନ ଆଗରେ।
ଆମ ଭାଷା ଓ ସାହିତ୍ୟରେ କିନ୍ତୁ ଅନ୍ୟଥାବାଦୀ ଭାବ। ଆମଭାଷା ଓ ସାହିତ୍ୟସାଧକଙ୍କୁ ଚିହ୍ନିବାରେ ଓ ସେମାନଙ୍କୁ ପ୍ରକୃତ ଶ୍ରଦ୍ଧା ଓ ସମ୍ମାନ ଦେବାରେ କେବଳ ଅଧିକାଂଶ ପାଠକ ନୁହଁ ବରଂଚ ଦେଶର ଜନନାୟକମାନଙ୍କୁ ଅନିମିତ୍ତଲିଙ୍ଗନାଶ ବ୍ୟାଧି ଆକ୍ରାନ୍ତ ହୋଇଥିବାର ବୋଧ ହୁଏ।
ଅଳମତିବିସ୍ତରେଣ।
-ପ୍ରଭୂ
* ଅନିମିତ୍ତଲିଙ୍ଗନାଶ : ନେତ୍ରରୋଗବିଶେଷ; ଏଥିରେ ଅନ୍ଧତା ଜନ୍ମେ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୨ ସଂଖ୍ୟାରେ ପ୍ରକାଶିତ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ । )