ଆମ ସାହିତ୍ୟରେ ବ୍ୟଙ୍ଗ

ବ୍ୟଙ୍ଗକୁ ସାହିତ୍ୟର ଏକ ସ୍ୱତନ୍ତ୍ର ବିଭାଗ ବା ‘ଜନ୍‌ର’ ଭାବରେ ଗ୍ରହଣ କରାଯାଇପାରିବ କି ନାହିଁ ସେ ନେଇ ଦ୍ୱିରୁକ୍ତି ରହିଛି। ସଭିଏଁ କିନ୍ତୁ ଏକମତ ଯେ ଏହା ସାହିତ୍ୟର ଏକ ଅବିଚ୍ଛେଦ୍ୟ ଉପାଦାନ। ଆମେରେକୀୟ ଲେଖକ ଡାଭିଡ଼୍ ଲ୍ୟୁବାର୍‌ଙ୍କ ମତରେ ବ୍ୟଙ୍ଗ ଭିନ୍ନ ଏକ ଶ୍ରେଣୀର ରଚନା ନୁହେଁ, ବରଂ ଏକ ଅନ୍ତର୍ନିହିତ ମୂଳ ତତ୍ତ୍ୱ ଯାହା ସମସ୍ତ ସାହିତ୍ୟଧର୍ମୀ ରଚନାରେ ଉଣା ଅଧିକେ ବିଦ୍ୟମାନ ରହିଥାଏ।
ଆମେ କିନ୍ତୁ ଏଠାରେ ବ୍ୟଙ୍ଗରଚନାକୁ ବିଚାର କରିବା ସାହିତ୍ୟର ଏକ ସ୍ୱତନ୍ତ୍ର ବିଭାଗ ଭାବରେ। ଓଡ଼ିଆ ଭାଷାରେ ବ୍ୟଙ୍ଗ ସାହିତ୍ୟର ସ୍ଥିତି ଯେ ଏତେ ସବଳ ନୁହେଁ ଏହା ସହଜରେ ଅନୁଭବ କରିହୁଏ। ଅଷ୍ଟାଦଶ ଶତାବ୍ଦୀର ବ୍ରଜନାଥ ବଡ଼ଜେନାଙ୍କଠାରୁ ନେଇ ଆଧୁନିକ ଯୁଗର ଫତୁରାନନ୍ଦଙ୍କ ପର୍ଯ୍ୟନ୍ତ ଗଦ୍ୟ ଆଧାରିତ ବ୍ୟଙ୍ଗର ଏକ ସୁନିର୍ଦ୍ଦିଷ୍ଟ ଧାରା ଓଡିଆ ସାହିତ୍ୟକୁ ପରିପୁଷ୍ଟ କରିଆସିଛି। ସେହିପରି ପଦ୍ୟ ରୂପରେ ମଧ୍ୟ ଉତ୍କଳଘଣ୍ଟ ଯଦୁମଣି ବ୍ୟଙ୍ଗକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। କିନ୍ତୁ ବ୍ୟଙ୍ଗ ସାହିତ୍ୟର ଏହି ସୁଦୀର୍ଘ ପରଂପରା ଆଜି ଆମ ଭାଷାରେ ଯେଭଳି ଅବସ୍ଥାରେ ଅଛି ତାହା ଦେଖିଲେ ନିରାଶ ହେବାକୁ ପଡେ। ହାସ୍ୟ, ବକ୍ରୋକ୍ତି ଏବଂ ଅତିଶୟୋକ୍ତି ହେଉଛି ପ୍ରକାରାନ୍ତରେ ବ୍ୟଙ୍ଗର ମୂଳ ଉପାଦାନ। କିନ୍ତୁ ଏହି ରସକୁ ବୋଧହୁଏ ଓଡ଼ିଆ ଜାତି ଏ ଯାବତ ସକାରାତ୍ମକ ଭାବରେ ଗ୍ରହଣ କରିପାରିନାହିଁ। ଏଣୁ ଆମର କାବ୍ୟ-କବିତା, ଗଳ୍ପ, ଉପନ୍ୟାସ, ସଂଗୀତ ଓ ନାଟକ ଇତ୍ୟାଦିରେ ସୁଖବୋଧ ଅପେକ୍ଷା ଦୁଃଖାନୁଭୂତିର ପ୍ରାବଲ୍ୟ ଅଧିକ। ଆମେ କରୁଣ ରସକୁ ଯେପରି ମନଭରି ଉପଭୋଗ କରୁ ହାସ୍ୟ ଓ ବ୍ୟଙ୍ଗକୁ ସେହିଭଳି ନୁହେଁ। ଏଣୁ ଓଡ଼ିଆ ଜାତିକୁ କେହିକେହି ଯେ ଏକ ‘କାନ୍ଦୁରା’ ଜାତି ଭାବରେ ମଧ୍ୟ ଅଭିହିତ କରନ୍ତି, ତାହା ନିରାଧାର ବୋଲି କହିହେବନାହିଁ। ଏପରିକି ଆମ ରାଜ୍ୟର ପୁରପଲ୍ଲୀରେ ଝିଅମାନଙ୍କୁ କାନ୍ଦଣାର ଶିକ୍ଷା ପ୍ରଦାନ କରିବା ପାଇଁ ପୁସ୍ତିକାମାନ ମଧ୍ୟ ରଚିତ ହୋଇ ଉପଲବ୍ଧ ହୋଇଥାଏ। ସେହିପରି ଓଡ଼ିଆ ସଂଗୀତ ଜଗତରେ ମଧ୍ୟ ଜୀବନର ନିରାଶା ଓ ଅସହାୟ ଭାବ ପ୍ରତିଫଳିତ କରୁଥିବା ଗୀତଗୁଡିକ ଶ୍ରୋତାଙ୍କ ଦ୍ୱାରା ଅଧିକ ମାତ୍ରାରେ ଗ୍ରହଣୀୟ ହେଉଥିବାର ଲକ୍ଷ୍ୟ କରାଯାଏ। ଏ ସବୁ ଦେଖିଲେ ମନେହୁଏ ଯେପରି ଆମର ଜନମାନସରେ ହାସ୍ୟରସ ପ୍ରତି ରହିଛି ଏକ ଅସହଜ ଭାବ। ପଂଜାବ ଭଳି କେତେକ ଉତ୍ତର ଭାରତୀୟ ରାଜ୍ୟମାନଙ୍କର ସଂସ୍କୃତି ଯେପରି ହାସ୍ୟରସ ପ୍ରଧାନ, ଆମର କିନ୍ତୁ ଏଠାରେ ସେପରି ନୁହେଁ। ଏହାର ହୁଏତ ଐତିହାସିକ, ଅର୍ଥନୈତିକ ଏବଂ ବୈଚାରିକ ହେତୁ ଥାଇପାରେ, ଯାହା ଗବେଷଣା ସାପେକ୍ଷ।
ତେବେ ଆମର ପ୍ରସଙ୍ଗ ହେଲା ଯେ ବ୍ୟଙ୍ଗରଚନାମାନ (ଉଭୟ ଗଦ୍ୟ ଓ ପଦ୍ୟ ରୂପରେ) ଓଡ଼ିଆ ସାହିତ୍ୟର ଅନ୍ୟ କେତେକ ବିଭାଗ ଭଳି ଜନାଦୃତ ଓ ସ୍ୱୀକୃତ ନୁହନ୍ତି କାହିଁକି? ଆମେ ରମ୍ୟ ରଚନା ଏବଂ ଲଳିତ ନିବନ୍ଧଗୁଡିକୁ ମଧ୍ୟ ଏହି ଶ୍ରେଣୀରେ ରଖିପାରିବା। ଏ ଯୁଗର ଭାରାକ୍ରାନ୍ତ ପାଠକଙ୍କ ପାଇଁ ଏଭଳି ଲଘୁ ପର୍ଯ୍ୟାୟର ରଚନାମାନଙ୍କର ଯେ ବିଶେଷ ଉପଯୋଗିତା ରହିଛି, ଏହା ସ୍ୱୀକାର କରିନେବାର ବେଳ ଆସିଛି।
ଆମ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗକୁ ସୁପ୍ରତିଷ୍ଠିତ କରିବାରେ ବ୍ୟଙ୍ଗ ରଚନାକାରମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେବେ ପରିତାପର ବିଷୟ ଯେ ଏବର ବ୍ୟଙ୍ଗ ସାହିତ୍ୟରେ ହାସ୍ୟରସର ଉଦ୍ରେକ ପାଇଁ କିଛି ନିର୍ଦ୍ଦିଷ୍ଟ ଲେଖକ ଅଶ୍ଳୀଳ ଆଖ୍ୟାୟିକା ଓ ଭାଷାବିନ୍ୟାସର ଆଶ୍ରୟ ନେବାକୁ ପଛାଉନାହାନ୍ତି, ଯାହା ସେମାନଙ୍କ ରଚନାର ଗାରିମା ଓ ଆମ ଭାବନାକୁ କ୍ଷୁର୍ଣ୍ଣ କରୁଛି। ଏହା କେତେକାଂଶରେ ବ୍ୟଙ୍ଗ ସାହିତ୍ୟକୁ ଅବକ୍ଷୟ ଦିଗକୁ ଘେନି ଯାଉଛି ଯାହା ଉଦ୍‌ବେଗର ବିଷୟ। ଏହି ଧାରାକୁ ପ୍ରତିହତ କରିବା ଏବର ବ୍ୟଙ୍ଗକାରମାନଙ୍କ ପକ୍ଷେ ଅନ୍ୟତମ ଆହ୍ୱାନ ବୋଲି ମନେହୁଏ।

ନିହାର ଶତପଥୀ

2 thoughts on “ଆମ ସାହିତ୍ୟରେ ବ୍ୟଙ୍ଗ

  1. ଚମତ୍କାର ରଚନା, ନିହାର ବାବୁ। ମୋ ମତରେ ଓଡ଼ିଆ ସାହିତ୍ୟରେ ବ୍ୟଙ୍ଗ ରଚନା ବେଶ୍‌ ପରିପୃଷ୍ଟ। କେବଳ ସେଥିପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ନେସ୍‌ନାଲ ବୁକ୍‌ ଟ୍ରଷ୍ଟ ଭଳି କିଛି ସଂସ୍ଥା ଓଡ଼ିଆ ବ୍ୟଙ୍ଗ ସାହିତ୍ୟର ବିଭିନ୍ନ ସଙ୍କଳନ ପ୍ରକାଶ କରିଛନ୍ତି। ଏହା ଭିନ୍ନ କଥା ଯେ, କେଉଁ ଲେଖକ ବ୍ୟଙ୍ଗକୁ କିପରି ଲେଖୁଛନ୍ତି । ଗତ କିଛିବର୍ଷ୍ ମଧ୍ୟରେ ଓଡ଼ିଆ ସାହିତ୍ୟରେ ବାମା ଚରଣ ମିତ୍ର, ଗୋଦାବରିଷ ମିଶ୍ର, ଚୌଧୁରୀ ହେମକାନ୍ତ ମିଶ୍ର, ରବି କାନୁନଗୋଙ୍କ ସମେତ ବିଖ୍ୟାତ ବ୍ୟଙ୍ଗ ସାହିତ୍ୟିକ ଫତୁରାନନ୍ଦ ହେଉଛନ୍ତି ଜଣେ ଜଣେ ସଶ୍ରଦ୍ଧ ଓ ପ୍ରଖ୍ୟାତ ବ୍ୟଙ୍ଗ ସାହିତ୍ୟିକ। ମୋ ମତରେ ବ୍ୟଙ୍ଗ ସାହିତ୍ୟ ରଚନା ଅଧିକରୁ ଅଧିକ ହେବା କଥା। କାରଣ ଆଜିର ଭାରାକ୍ରାନ୍ତ ଓ ଚାପମୟ ଜୀବନରେ ବ୍ୟଙ୍ଗ ସାହିତ୍ୟ ବା ବ୍ୟଙ୍ଗ ଲେଖା ପାଠକକୁ ଅନେକ ମାତ୍ରାରେ ଚାପମୁକ୍ତ ହେବାରେ ସାହାଯ୍ୟ କରିବ।

    ଆଉ ଥରେ ଧନ୍ୟବାଦ ଲେଖା ପାଇଁ।

  2. ଶୁଭେନ୍ଦୁ ରଞ୍ଜନ ନାୟକ, ଭୁବନେଶ୍ୱର says:

    ବ୍ୟଙ୍ଗ ସାହିତ୍ୟ ଉପରେ ଆପଣଙ୍କ ମତାମତ ଯଥାର୍ଥ.

Leave a Reply

Your email address will not be published. Required fields are marked *