- ପ୍ରତ୍ୟେକ ମୁହୂର୍ତ୍ତରେ ସେ ଭାଙ୍ଗି ପଡ଼ୁଥିଲା, ଏଥିପାଇଁ ଯେ ସେ ବର୍ଷା ଆଉ ଫେରି ଆସିବ ନାହିଁ। ବର୍ଷାସ୍ନାତ ପୃଥିବୀଟିଏ ଆଉ ଦେଖିବାକୁ ମିଳିବ ନାହିଁ।
ଦଶ ଏଗାର ବର୍ଷ ହେଲା ଆଉ ବର୍ଷା ହେଉନାହିଁ। ମେଘ ବର୍ଷୁନାହିଁ। ସବୁଆଡ଼େ ଏଇଭଳି ଅବସ୍ଥା। ପ୍ରାୟ ଛଅସାତ ବର୍ଷ ତଳେ ଆସାମର କେଉଁଠି ଗୋଟେ ଯାଗାରେ ଥରେ ବର୍ଷା ହୋଇଥିଲା। ତ’ପରେ ଆଉ ଆକାଶରେ ମେଘ ଦେଖାଯାଇ ନାହିଁ। ଏପଟେ ରାଜସ୍ଥାନ, ହରିଆଣା, ଗୁଜୁରାଟ ଅଞ୍ଚଳର ଲୋକେ ଆମଠୁ ଚାରିପାଞ୍ଚ ବର୍ଷ ଆଗରୁ ମେଘ ଦେଖିନାହାଁନ୍ତି।
ଫଳରେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ଅଞ୍ଚଳରୁ ସବୁଜିମା ହଜି ଗଲାଣି। ଗଛ ଅଛି, ପତ୍ର ହେଉଛି। କିନ୍ତୁ ଆକାର ଛୋଟ ଛୋଟ ହୋଇ ଯାଉଛି। ପତ୍ରଟି ମୁକୁଳିତ ହେବା ସାଙ୍ଗେ ସାଙ୍ଗେ ବାର୍ଦ୍ଧକ୍ୟରେ ଉପନୀତ ହୋଇ ଯାଉଛି। ତା’ର ସବୁଜ କୋମଳ ଅଙ୍ଗରେ ଧୂସର ରଙ୍ଗ ବୋଳି ହୋଇ ଅକାଳ ବାର୍ଦ୍ଧକ୍ୟ ହାଜର ହୋଇ ଯାଉଛି।
ଜିତୁ ଜନ୍ମ ହେବା ପରଠାରୁ ବର୍ଷା ଦେଖି ନ ଥିଲା। କାରଣ ତା’ ଜନ୍ମର ବର୍ଷେ ଆଗରୁ ବର୍ଷା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଏଇଭଳି ସମୟରେ ଜିତୁ ତା’ର ବାପାଙ୍କୁ କହିଲା – ବାପା, ମୋର ବର୍ଷା ଦେଖିବାପାଇଁ ବହୁତ ଇଚ୍ଛା ହେଉଛି। ମୋତେ ଥରେ କେଉଁଠିକୁ ବର୍ଷା ଦେଖାଇବା ପାଇଁ ନେଇଯାଆନ୍ତୁ।
ବାପା କହିଲେ – ତୁ କ’ଣ ଆଜିଯାଏ ବର୍ଷା ଦେଖିନାହୁଁ? ସିନେମା, ଟିଭି ଧାରାବାହିକମାନଙ୍କରେ ତ ବର୍ଷାର ଦୃଶ୍ୟ ଦେଖିବାକୁ ମିଳୁଛି। ତୁ ସେଇଠି ଦେଖୁନାହୁଁ?
— ମୁଁ ସେଭଳି ଦୃଶ୍ୟ ସବୁବେଳେ ଦେଖେ। ମୋତେ ଭାରି ଭଲ ଲାଗେ। କିନ୍ତୁ ଗୋଟେ ସତସତିକା ବର୍ଷା ଦେଖିବାକୁ ଚାହୁଁଛି।
ଦିନେ ବାପା ଜିତୁକୁ ସାଙ୍ଗରେ ନେଇ ଗୋଟିଏ ସିନେମା ସୁଟିଂ ସ୍ଥାନରେ ପହଞ୍ଚିଲେ। ଖବର ନେଇଥିଲେ ସେଦିନ ବର୍ଷା ଦୃଶ୍ୟ ସୁଟିଂ ହେବାର ଅଛି। ସେମାନେ ପହଞ୍ଚିଲା ବେଳକୁ ବର୍ଷା ଆରମ୍ଭ ହୋଇ ଯାଇଥାଏ। ଗୋଟେ ବଡ଼ ଟ୍ୟାଙ୍କରରେ ପାଣିଥାଏ। ତିନିଟା ଡିଜେଲ ଚାଳିତ ଇଞ୍ଜିନ ଟ୍ୟାଙ୍କରରୁ ପାଣି ଟାଣୁଥାଏ। ଆଉ ସେ ପାଣି ତିନିଟା ମୋଟା ମୋଟା ପାଇପରେ ଉପରକୁ ଫିଙ୍ଗା ଯାଉଥାଏ। ପାଣି ଝର ଝର ହୋଇ ବର୍ଷା ଭଳି ତଳେ ପଡ଼ୁଥାଏ। ଗଛ,ପତ୍ର,ଫୁଲ ଓ ଘାସ ଉପରେ ପାଣି ଝରି ପଡ଼ୁଥିବାରୁ ସେଗୁଡ଼ା ଧୋଇହୋଇ ଯାଉଥାଏ। ଅନେକ ଦିନଧରି ଜମି ରହିଥିବା ଧୂଳି ଧୋଇଯାଇ ସବୁଜ ରଙ୍ଗରେ ଝଲମଲ କରୁଥାଏ। ଚତୁର୍ଦିଗ ଦିଶୁଥାଏ ଜୀବନ୍ତ। ଯୌବନରେ ପରିପୂର୍ଣ୍ଣ। ଜିତୁକୁ ଭାରି ଭଲ ଲାଗୁଥାଏ। ବର୍ଷାରେ ଭିଜିବାପାଇଁ ଇଚ୍ଛା ହେବାରୁ ଜିତୁ ନିଜର ହାତ ଦୁଇଟା ମେଲାଇ ଝର ଝର ହୋଇ ଝରୁଥିବା ପାଣି ତଳକୁ ଚାଲିଗଲା। ଆଃ…ଏମିତି ଖୋଲା ଆକାଶ ତଳେ ଭିଜିବାରେ କି ଆନନ୍ଦ।
କେହି ଦେଖିବା ଆଗରୁ ବାପା ଜିତୁକୁ ଟାଣି ଆଣିଲେ। କହିଲେ – ଏଭଳି ଅନଧିକାର ଚର୍ଚ୍ଚା ପାଇଁ ହୁଏତ ସେମାନେ ତୋ ଉପରେ ବିରକ୍ତ ହୋଇପାରନ୍ତି। ଏପଟକୁ ଚାଲି ଆ’। ବର୍ଷା ତ ଦେଖିଲୁ। ଭିଜିବାର ଆନନ୍ଦ ନେଲୁ। କେମିତି ଲାଗିଲା?
— ବହୁତ ମଜା ଲାଗିଲା। ବାପା, ଏମିତି ବର୍ଷା ତ ଆମେ ଆମଘର ଉପରେ କରି ପାରିବା।
— ହଁ କିଛି ପଇସା ଖର୍ଚ୍ଚ କଲେ ହୋଇ ପାରିବ।
— କିନ୍ତୁ ଏ ବର୍ଷାରେ ମୋ ସାଙ୍ଗମାନେ ଭିଜି ପାରିବେ ନାହିଁ। ମୁଁ ବୁଢ଼ୀମା’ଠୁ ଶୁଣିଛି ଆଗରୁ ଯେତେବେଳେ ଆକାଶରୁ ବର୍ଷା ହେଉଥିଲା , ଆମ ଗାଁ ସାରା ଚାରିଆଡ଼େ ହେଉଥିଲା। ଆପଣ ଆପଣଙ୍କ ସାଙ୍ଗମାନଙ୍କ ସହିତ ଏ ରାସ୍ତା ଉପରେ ବର୍ଷାରେ ଭିଜିଭିଜି ଖେଳୁଥିଲେ। ବାପା, ମୁଁ ସେଇଭଳି ଗୋଟେ ବର୍ଷା ଦେଖିବାକୁ ଚାହୁଁଛି। ସେଇଥିରେ ଭିଜିବାକୁ ଇଚ୍ଛା କରୁଛି।
ସେତେବେଳକୁ ଜୁନ୍ ମାସ ହୋଇ ଯାଇଥାଏ। ବର୍ଷାଋତୁ ହେବା କଥା। କିନ୍ତୁ ବର୍ଷା ଋତୁର ନାଁ ଅନେକ ବର୍ଷ ଆଗରୁ ଲିଭି ଯାଇଥାଏ। ସ୍ମୃତି ହୋଇ ଯାଇଥାଏ। ଜିତୁକୁ କୌଣସି ଅଞ୍ଚଳକୁ ନେଇ ବର୍ଷାଟିଏ ଯେ ଦେଖାଇ ହେବ ସେଭଳି ଆଶା ମଉଳି ସାରିଥାଏ। କିନ୍ତୁ ଆସାମର କେତେକ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରେ ଆଶାଟିମାନ ଖେଳି ବୁଲୁଥାନ୍ତି। କିଛିଲୋକ କହୁଥାନ୍ତି, ସେମାନେ ଆକାଶରେ ଖଣ୍ଡେ ମେଘ ଭାସୁଥିବାର ଦେଖିଥିଲେ। ଖୁବ ଛୋଟ ଖଣ୍ଡେ। କେମିତି ସେଇଟା ସୃଷ୍ଟି ହୋଇ ଯାଇଥିଲା କେଜାଣି। ଲୋକମାନେ ତା’ ପଛେ ପଛେ ଅନେକ ଦୂର ପର୍ଯ୍ୟନ୍ତ ଯାଇଥିଲେ। କିନ୍ତୁ ଚନ୍ଦ୍ରା ଭାରତୀ ପର୍ବତ ସନ୍ଧିରେ ସେ ମେଘ ଖଣ୍ଡକ କୁଆଡ଼େ ମିଳେଇ ଗଲା, ତା’ର ପାଖ ପହଞ୍ଚି ହେଲାନାହିଁ। ତା’ପରଦିନ କିଛି ଯୁବକ ମେଘ ଖଣ୍ଡକ ଗତି କରିଥିବା ଦିଗରେ ଅନୁସନ୍ଧାନ କରିବାପାଇଁ ଯାଇଥିଲେ। ଅନେକ ଦୂର ଗଲାପରେ ମେଘ ଖଣ୍ଡକ ଝରି ପଡ଼ିବାର ସ୍ଥାନଟିକୁ ପାଇଲେ। ସେ ଅଞ୍ଚଳର ଗଛପତ୍ର ସବୁ ଧୋଇହୋଇ ଯାଇଥିଲା। କାଦୁଅ ପଚପଚ ହେବା ସହିତ ଖାଲ ଯାଗାରେ କିଛି ପାଣି ଜମି ଯାଇଥିଲା।
ଜିତୁ ଆସାମ ଯିବାପାଇଁ ଜିଦକଲା। କହିଲା – ବାପା, ମୋତେ ଆସାମ ନେଇ ଚାଲନ୍ତୁ। ସେଇଠି ନିଶ୍ଚୟ ବର୍ଷା ଦେଖିବାକୁ ମିଳିବ।
ବାପା କହିଲେ – ବର୍ଷା ଦେଖିବାପାଇଁ ହେଲେ ଆମକୁ ସେଠି ରହିବାକୁ ପଡ଼ିବ। ବର୍ଷା ହେବାର ବି କିଛି ଠିକ ଠିକଣା ନାହିଁ। ଏତେ ବର୍ଷଧରି ବର୍ଷା ହୋଇ ନଥିଲା। ଗତବର୍ଷ ଅଚାନକ କେମିତି ଖଣ୍ଡେ ମେଘ କେଉଁଠୁ ଚାଲି ଆସିଲା। ଏବର୍ଷ ଯେ ସେମିତି ଖଣ୍ଡେ ନିଶ୍ଚୟ ଆସିବ ସେକଥା କ’ଣ କହିହେବ? ଆଦୌ ନଆସି ପାରେ। ଏଭଳି ଗୋଟେ ଅନିଶ୍ଚିତ କଥାକୁ ଖୋଜିବା ପାଇଁ ଯିବା କ’ଣ ଉଚିତ ହେବ!
ଜିତୁ କହିଲା – ବାପା, ବର୍ଷା ନଦେଖି ପାରିଲେ ବି ଆମେ ସେଠିକା ବର୍ଷାର ଅନୁଭବ ପାଇଥିବା ଲୋକଙ୍କ ପାଖରୁ ପ୍ରାକୃତିକ ବର୍ଷା ବିଷୟରେ କିଛି କଥା ଶୁଣି ପାରିବା।
ଜିତୁ ସେହିବର୍ଷ ଷଷ୍ଠ ଶ୍ରେଣୀରେ ପଢ଼ୁଥାଏ। ଛଅବର୍ଷର ପାଠପଢ଼ା ଭିତରେ ବର୍ଷାର ସୌନ୍ଦର୍ଯ୍ୟକୁ ନେଇ ସେ ଅନେକ କଥା ପଢ଼ିଥାଏ। କବିତାରେ ବର୍ଷା, ପ୍ରବନ୍ଧରେ ବର୍ଷା ଓ ଭୂଗୋଳରେ ବର୍ଷା ବିଷୟରେ ପଢ଼ିଥାଏ। ପୁଅଟାର ଏତେବଡ଼ ଆଗ୍ରହକୁ ବାପା ଆଦୌ ଏଡ଼ାଇ ପାରୁ ନଥାନ୍ତି। ଏଇଟି ଗୋଟେ ସାଧାରଣ ଜିଜ୍ଞାସା ନଥିଲା। ପୁଅଟି ଯଦି ଗୋଟେ ବିଷୟକୁ ନେଇ ଏତେ ଆଗ୍ରହୀ ହୋଇ ଯାଇଛି ତାକୁ ସମର୍ଥନ କରିବା ଉଚିତ। ସେ ବର୍ଷାକୁ ଦେଖୁ। ସେଥିରେ ମଜ୍ଜି ଯାଉ। ହୁଏତ ସେଥିରୁ ସେ କିଛି ବିଶେଷ କଥା ପାଇଯାଇ ପାରିବ। ପ୍ରତ୍ୟେକ ଜିନିଷର ସର୍ବୋଚ୍ଚ ସ୍ଥାନରେ ନିଶ୍ଚୟ କିଛି ନା କିଛି ଜ୍ଞାନ ଅଛି।
ଜିତୁ ବାପାଙ୍କ ସାଙ୍ଗରେ ଆସାମ ଅଭିମୁଖେ ଯାତ୍ରା ଆରମ୍ଭ କଲା। ସେଠାରେ ପହଞ୍ଚି ସେମାନେ ଖବର ପାଇଲେ ଯେ ସ୍ଥାନୀୟ ପାଣିପାଗ ବିଭାଗ ଗତବର୍ଷ ଠାରୁ ଏ ବିଷୟରେ ସଚେତନ ହୋଇ ଯାଇଛନ୍ତି। ସ୍ୟାଟେଲାଇଟ୍ ଜରିଆରେ ବିଭିନ୍ନ ପର୍ବତମାନଙ୍କ ଉପରେ ନଜର ରଖିଛନ୍ତି। ସେମାନେ କହିଛନ୍ତି, ପର୍ବତମାନଙ୍କ ଜଳବାୟୁର ଅବସ୍ଥା ଅନୁଯାୟୀ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ସେହି ଅଞ୍ଚଳ ଶୁଷ୍କ ରହିବ। ବର୍ଷା ହେବାର ଆଦୌ ସମ୍ଭାବନା ନାହିଁ।
ଜିତୁ ଓ ତା’ର ବାପା ପୂର୍ବାନୁମାନ କରାଯାଇଥିବା ଚାରିଦିନକୁ ବିତାଇବା ପାଇଁ ଚିନ୍ତା କରି ସେଠାରେ ରହିଲେ। ଆଶା ଥିଲା ହୁଏତ ପାଣିପାଗ ବିଭାଗର ପୂର୍ବାନୁମାନରେ କିଛି ପରିବର୍ତ୍ତନ ଆସିପାରେ। ବର୍ଷା ହେବାର ସୂଚନା ମିଳିପାରେ। ଚାରିଦିନ ବିତିଲା ପରେ ପୁଣି ଚାରିଦିନ ବିତିଗଲା। ପାଣିପାଗରେ କିଛି ପରିବର୍ତ୍ତନ ଆଶା କରାଯାଇ ପାରିଲା ନାହିଁ। ଅବଶେଷରେ ନିରାଶ ହୋଇ ଜିତୁ ଓ ତା’ର ବାପା ଆସାମରୁ ଫେରି ଆସିଲେ। ତା’ପରେ ଅନେକ ଦିନ ବିତି ଯାଇଥିଲେ ବି ସେଠାରେ ବର୍ଷା ହେବାର କିଛି ଖବର ଆଜିପର୍ଯ୍ୟନ୍ତ ବି ସେମାନଙ୍କୁ ମିଳିନାହିଁ।
ବର୍ଷାକୁ ବ୍ୟାକୁଳ ହୋଇ ଖୋଜୁଥିଲା ଜିତୁ। ବେଳେବେଳେ ବର୍ଷା ବିଷୟରେ ଗଭୀର ଭାବରେ ଚିନ୍ତା କରୁ କରୁ ସେ ଉଦାସ ହୋଇ ଯାଉଥିଲା। କୃତ୍ରିମ ବର୍ଷା ଯଦି ଏତେ ସୁନ୍ଦର ପ୍ରାକୃତିକ ବର୍ଷା କେତେ ସୁନ୍ଦର ହୋଇ ନଥିବ! ଦିନେ ସବୁଆଡ଼େ ବର୍ଷା ହେଉଥିଲା। ଗାଁ ଗଣ୍ଡା,ଘରଦ୍ୱାର, ବଣ ଜଙ୍ଗଲ ସବୁରି ଉପରେ ବର୍ଷା ହେଉଥିଲା। କେତେ ସୁନ୍ଦର ନଥିବ ସେଦିନର ପ୍ରକୃତି। କେତେ ସୁଖି ନଥିବେ ସେ ସମୟର ମଣିଷମାନେ। ଦୀର୍ଘ ଏଗାରବର୍ଷ ହେଲା ବର୍ଷା ହେଉନାହିଁ। ଆଉ ହେବନାହିଁ। ଚିରଦିନ ପାଇଁ ନିରସ ରହିବ ପୃଥିବୀ।
ଜିତୁ ବର୍ଷା ବିଷୟରେ ଚିନ୍ତା କରୁଥିଲା। କୃତ୍ରିମ ବର୍ଷାର ସୌନ୍ଦର୍ଯ୍ୟ, ବର୍ଷାର ଅନୁସନ୍ଧାନରେ ଆସାମ ଗସ୍ତ ଓ ବର୍ଷା ଅଭାବରେ ଅନୁଭବ କରୁଥିବା ଦୁଃଖ ବିଷୟରେ ଲେଖି ରଖୁଥିଲା। ବାପାଙ୍କୁ ଭଲ ଲାଗୁଥିଲା ଜିତୁର ଅଭିବ୍ୟକ୍ତି। ବର୍ଷାପାଇଁ ବ୍ୟାକୁଳତା ଓ ବର୍ଷା ଅଭାବଜନିତ ଉଦ୍ବେଗ। ସ୍କୁଲର ଶିକ୍ଷକମାନେ ମଧ୍ୟ ଜିତୁକୁ ପ୍ରଶଂସା କରୁଥାନ୍ତି। ନିଜର କ୍ଲାସ ଓ ସାରା ସ୍କୁଲରେ ଜିତୁ ପରିଚିତ ହୋଇ ଯାଇଥାଏ , ବର୍ଷାକୁ ଭଲ ପାଉଥିବା ଜଣେ ପିଲା ହିସାବରେ। ବିଦ୍ୟାଳୟର ପରିବେଶ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଶଂସିତ ହେଉଥାଏ ଜିତୁ।
ଜିତୁର ଶ୍ରେଣୀରେ ପଢ଼ୁଥିଲା ଝିଅଟିଏ। ତା’ ନାଁ ବି ଥିଲା ବର୍ଷା। ବର୍ଷା ବସୁଥିଲା ଠିକ ଜିତୁର ଆଗରେ। ଖେଳଛୁଟିରେ ନିଜ ନିଜର ଡେସ୍କ ଉପରେ ଟିଫିନ ଖାଇଲା ବେଳେ ସେମାନେ କଥାବାର୍ତ୍ତା ହେଉଥିଲେ। ମିଠା ଓ ଆଚାର ଭଳି ସ୍ୱାଦିଷ୍ଟ ଖାଦ୍ୟକୁ ବାଣ୍ଟିକୁଣ୍ଟି ଖାଉଥିଲେ। ଗପସପ ହେଉଥିଲେ। ଦିନେ ବର୍ଷା ବିରକ୍ତ ହୋଇ କହିଲା – ଜିତୁ, ତୁମେ ଯେତେବେଳେ ଡିବେଟରେ “ବର୍ଷା ମୋତେ ଭଲ ଲାଗେ, ବର୍ଷାକୁ ମୁଁ ଭଲପାଏ” ବୋଲି କହୁଛ ବା ଅନେକ ଥର ବର୍ଷା ଶବ୍ଦ ଉଚ୍ଚାରଣ କରୁଛ, ମୋତେ ଆଦୌ ଭଲ ଲାଗୁନାହିଁ। ତୁମେ ବର୍ଷା ଶବ୍ଦଟି ଉଚ୍ଚାରଣ କରିବା ମାତ୍ରେ ମୁଁ ଚମକି ପଡ଼ୁଛି। ଆଉ ତୁମେ ଯେତେବେଳେ କହୁଛ, “ବର୍ଷା ମୋତେ ବହୁତ ଭଲ ଲାଗେ, ବର୍ଷାକୁ ମୁଁ ବହୁତ ଭଲପାଏ,” ମୁଁ ଲଜ୍ଜା ଅନୁଭବ କରେ। ତୁମେ ଯେତେଥର ଏ କଥା କହିଛ ସେତେଥର ଜୁଲି ମୋର ହାତକୁ ଚିମୁଟି ଦେଇଛି। ତା’ର ଏଇ ଚିମୁଟିବାର ଅର୍ଥ, ତୁମେ ମୋତେ ଭଲ ପାଉଛ ବୋଲି କହୁଛି। ଏ କଥାକୁ ତୁମେ କିଛି ଉପାୟରେ ବଦଳାଇ ଦେଇ ପାରନ୍ତ ନାହିଁ? ରବି ଓ ଉଦୟ ମଧ୍ୟ କେଇଥର ତୁମ ନାଁ କହି ମୋତେ ପରିହାସ କରିଛନ୍ତି।
ଜିତୁ ବର୍ଷାର ଠିକ ପଛରେ ବସୁଥିଲା। ବର୍ଷାକୁ ଅନେକ ସମୟ ଧରି ଅନ୍ୟମନସ୍କ ଭାବରେ ଦେଖୁଥିଲା। କିନ୍ତୁ ଏପରି ଭାବନାଟିଏ ତା’ ମନକୁ କେବେ ଆସି ନଥିଲା। ବର୍ଷା ତା’ର ଦୁଇଟା ବେଣୀରୁ ବାମ ପାଖଟିକୁ ଆଗକୁ ପକାଇଲା ବେଳେ ଡାହାଣ ପଟ ବେଣୀକୁ ପଛପାଖକୁ ପକାଇଥାଏ। ତାକୁ ବ୍ୟବସ୍ଥିତ କରିବାପାଇଁ ଛାଟି ଦେଲାବେଳେ ସେଇଟି ଜିତୁ ସମ୍ମୁଖସ୍ଥ ଡେସ୍କ ଉପରେ ବେଳେବେଳେ ପଡ଼ିଯାଏ। ବେଳେବେଳେ ଜିତୁର ମୁହଁରେ ବି ବାଜିଯାଏ। ଜିତୁ ଅନ୍ୟମନସ୍କ ଭାବରେ ବର୍ଷାର ବେଣୀକୁ ହାତରେ ଧରି କେତେ ଖେଳିଛି। ତାକୁ ଖୋଲିଛି। ପୁଣି ସେହି ଛନ୍ଦରେ ପକାଇ ପୂର୍ବ ଅବସ୍ଥାକୁ ଫେରାଇ ଆଣିଛି। ଭୁଲ ବଶତଃ ମୁହଁରେ ବୋଳିଛି। ନାକରେ ଶୁଙ୍ଘିଛି। କିଛି ଗୋଟାଏ ଭାବନାରେ ବୁଡ଼ି ରହିଲେ ଏମିତି ଅନେକ ପ୍ରକାରର ଭୁଲ ହୁଏ। ଖାତାରେ ଗାରେଇବା, ବୁଲୁଥିବା ପଙ୍ଖାକୁ ଚାହିଁବା, ଭୂଇଁରେ ଗାର ପକାଇବା ଓ କାଗଜ ଚିରି ଟୁକୁଡ଼ା ଟୁକୁଡ଼ା କରିବା ଭଳି ସାଧାରଣ କଥାଗୁଡ଼ିକ ଅଜାଣତରେ ହୋଇଯାଏ।
ଜିତୁ ମନେ ମନେ ଭାବିଲା, ବର୍ଷା ନାଁଟା ତ ଭଲ ଲାଗୁଛି। ହେଲେ ସେ ବର୍ଷା ସହିତ ଏ ବର୍ଷାର ସେଭଳି କିଛି ସାମ୍ୟ ଅଛି କି? କିନ୍ତୁ ବର୍ଷା ଶବ୍ଦଟି ଉଚ୍ଚାରଣ କରିବା ମାତ୍ରେ ଜିତୁକୁ ଭଲ ଲାଗୁଥିଲା। ମନେ ପଡ଼ି ଯାଉଥିଲା ରୁଣୁଝୁଣୁ ବର୍ଷାର ରୂପ ସହିତ ଶ୍ରେଣୀରେ ପଢ଼ୁଥିବା ବର୍ଷାର ହସ ହସ ମୁହଁଟା। ହସ ବି ଗୋଟେ ବର୍ଷା। ସେମିତି କିଛି ରୁଣୁଝୁଣୁ ଶବ୍ଦ କରି ଝରି ଯାଉଥିଲା ବର୍ଷାର ମୁହଁରୁ।
ସେଦିନ ମୁଣ୍ଡର କେଶ ଧୋଇଥିଲା ବର୍ଷା। କିଛି ଶୁଖିଥିଲା,କିଛି ଶୁଖି ନଥିଲା। କେଶ ମୁକୁଳା କରି ବର୍ଷା ଆସିଥିଲା ସ୍କୁଲକୁ। ବର୍ଷା ଅପେକ୍ଷା ବେଶି ଦୃଷ୍ଟିଗୋଚର ହେଉଥିଲା ତା’ର ମୁକୁଳା କେଶ। ଝୁଲୁଥିଲା, ହଲୁଥିଲା, ପଙ୍ଖା ପବନରେ ଉଡ଼ୁଥିଲା ଠିକ ଗୋଟେ ପ୍ରାକୃତିକ ବର୍ଷା ପରି। କାହାର କିଛି ନିୟନ୍ତ୍ରଣ ନଥିଲା ତା’ ଉପରେ। ଜିତୁର ଠିକ ଆଗରେ ବସିଥିଲା ବର୍ଷା। ତା’ର କଳା କେଶର ଆଢ଼ୁଆଳରେ ଲୁଚି ଯାଇଥିଲା ବର୍ଷାର ଦେହଟା। କେବଳ ଦିଶୁଥିଲା କଳା ରଙ୍ଗର ମେଞ୍ଚାଏ କେଶ। ଖଣ୍ଡେ ବର୍ଷା ଆସନ୍ନ ମେଘ ଭଳି। ସତେ ଯେମିତି ସରୁ ସରୁ କେଶମାନେ ମୁଣ୍ଡରୁ ଝରିଆସି ତଳକୁ ବୋହି ଯାଉଥିଲେ। ଯେମିତି ବର୍ଷାର କୁନି କୁନି ବୁନ୍ଦାମାନ ଆକାଶରୁ ଖସିଲା ବେଳେ ସରୁ ସରୁ ଗାରର ଭ୍ରମ ସୃଷ୍ଟି କରିଥାଏ। ଠିକ ସେମିତି ଦେଖା ଯାଉଥିଲେ, କଳା ସୁତାର ଗୁଚ୍ଛ ଭଳି। ଜିତୁ ଏକାଗ୍ର ଚିତ୍ତରେ, ନିଶ୍ଚଳ ଦୃଷ୍ଟିରେ ଚାହିଁ ରହିଥିଲା ସେଠାକୁ। ବର୍ଷା ଧାରାରୁ ସୃଷ୍ଟି ହେଉଥିବା ଗାରଭଳି ଗହଳ କେଶର କଳା ରଙ୍ଗ ବ୍ୟତିତ ତାକୁ ଆଉକିଛି ଦେଖାଯାଉ ନଥିଲା। କେବଳ କଳା। କ୍ରମେ ଚତୁର୍ଦିଗ ବ୍ୟାପି ଯାଇଥିଲା ସେ ରଙ୍ଗ। ଚତୁର୍ଦିଗରେ ବର୍ଷା ହିଁ ବର୍ଷା। ବର୍ଷାରୁ ଆଞ୍ଜୁଳାଏ ଆଣି ଜିତୁ ନିଜ ମୁହଁରେ ବୋଳି ପକାଇଲା। ବର୍ଷା ପଛକୁ ବୁଲିପଡ଼ି କହିଲା – ଜିତୁ, ବର୍ଷା ନାମରେ ଏବେ ଗୋଟେ ବହି ବାହାରିଛି। ସେଇଟି ମୋ ନାଁ ହୋଇ ଥିବାରୁ ବାପା ବହିଟି କିଣିଆଣି ମୋତେ ଦେଇଛନ୍ତି। ବହୁତ ମୋଟା ବହି। ମୁଁ ସେଇଟି ପଢ଼ିନାହିଁ। ତୁମପାଇଁ ନେଇ ଆସିଛି। ଖେଳଛୁଟି ବେଳେ ତୁମକୁ ଦେବି।
ବହିଟି ପଢ଼ିଲା ପରେ ଜିତୁ ବର୍ଷା ବିଷୟରେ ଅନେକ କଥା ଜାଣିଲା। ବର୍ଷାକୁ ଆହୁରି ଭଲ ପାଇଲା। ଜାଣିଲା ‘ବରଷା କାଳ ଅଟେ ମଙ୍ଗଳକାରୀ, ପାଳଇ ପରଜାଙ୍କୁ ବରଷି ବାରି।’ ପ୍ରଥମ ବର୍ଷାର ଗନ୍ଧ ଥିଲା ମଧୁର। ଧୁସର ଜୀବନକୁ ଭରି ଦେଉଥିଲା ସବୁଜିମାରେ। ଝିପଝିପ ବର୍ଷା ରିମଝିମ ସଂଗୀତ ସୃଷ୍ଟି କରୁଥିଲା। କେବେ ତୁଷାର ଭଳି ଝରୁଥିଲା ତ କେବେ ବରକୋଳିଆ ଟୋପାରେ ଭିଜାଇ ଦେଉଥିଲା ଦୁନିଆକୁ। ଝଡ଼ି ବର୍ଷାରେ ବିତି ଯାଉଥିଲା ସପ୍ତାହ ଓ ପକ୍ଷ। ନଈ ବଢ଼ୁଥିଲା। ଜଳମଗ୍ନ ହୋଇ ଯାଉଥିଲା ଦୁନିଆଁ। ଭରି ଯାଉଥିଲା ପ୍ରକୃତିରେ ଯୌବନ। ନୂଆ ଡାଳପତ୍ର ମେଲି ବୃକ୍ଷମାନେ ଅଜାଡ଼ି ହୋଇ ପଡ଼ୁଥିଲେ ପୃଥିବୀ ଉପରେ। ବର୍ଷାଋତୁ ଗୋଟେ ସଂଗୀତମୟ ଜୀବନର ଆରମ୍ଭ ଓ ଯୌବନର ପୂନରାବର୍ତ୍ତନ ସମୟ।
ପୁସ୍ତକର ଅଧ୍ୟାୟ ଓ ଅଧ୍ୟାୟ ପରେ ବର୍ଷାର ରୂପ ଅଧିକରୁ ଅଧିକ ଆକର୍ଷଣୀୟ ହୋଇ ଉଠୁଥିଲା ଜିତୁପାଇଁ।
ପୁସ୍ତକଟିର ଶେଷ ଅଧ୍ୟାୟରୁ ଜାଣିଲା, ଏବେବି ଏ ଦୁନିଆରେ ବର୍ଷା ହେଉଛି। ପାଣିପାଗ ବିଜ୍ଞାନୀମାନେ ବର୍ଷାକୁ ଖୋଜି ପାଇଛନ୍ତି। ମୌସୁମୀ ବାୟୁର ଗତିପଥ ବଦଳି ଯାଇଛି। ଭାରତର ଭୂଖଣ୍ଡରୁ ଏହା ଦୂରେଇ ଯାଇଛି ଅନେକ ଦୂରକୁ। ଉପକୂଳରୁ ପ୍ରାୟ ଦୁଇଶହ ମାଇଲ୍ ସମୁଦ୍ର ଭିତରକୁ। ମୌସୁମୀ ବାୟୁ ସମୁଦ୍ରରୁ ଜଳୀୟବାଷ୍ପ ନେଇ ମେଘ ତିଆରି କରୁଛି। ସେଇ ସମୁଦ୍ର ଉପରେ ଉପରେ ତାକୁ ଭସାଇ ନେଇ ସମୁଦ୍ର ଭିତରର କେଉଁ ଏକ ଅଜଣା ଇଲାକାରେ ଅଜାଡ଼ି ଦେଉଛି ପାଣି। ସମୁଦ୍ରର ସେହି ଅଞ୍ଚଳ ହୋଇ ଯାଇଛି ଏବେ ପର୍ଯ୍ୟଟନ ସ୍ଥଳୀ। ବର୍ଷା ଦେଖିବା ପାଇଁ ଆଗ୍ରହୀ ମଣିଷମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ସମୁଦ୍ର ଭିତରକୁ ଯାଇ ବର୍ଷା ଉପଭୋଗ କରୁଛନ୍ତି। ଜିତୁ ବାପାଙ୍କୁ ସବୁକଥା ଜଣାଇ ଅନୁରୋଧ କଲା ଥରେ ମାତ୍ର ବର୍ଷା ଦେଖିବାପାଇଁ। ଜିତୁର କଥା ରଖି ଗୋଟେ ପର୍ଯ୍ୟଟନ ବ୍ୟବସାୟ ସଂସ୍ଥାକୁ ଅଗ୍ରୀମ ଦେଇ ଜିତୁର ବାପା ଲଞ୍ଚଟିଏ ଯୋଗାଡ଼ କରି ରଖିଲେ। ବର୍ଷା ଦେଖିବାର ବ୍ୟବସ୍ଥାଟି ଏହିପରି ଥିଲା, ପାଣିପାଗ ବିଭାଗରୁ ପୂର୍ବାନୁମାନର ଖବର ମିଳିଲା ପରେ ବର୍ଷା ହେବାର ନିର୍ଦ୍ଦିଷ୍ଟ ଦିନରେ ଲଞ୍ଚଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଧରି ସମୁଦ୍ର ଭିତରକୁ ଯାତ୍ରା କରୁଥିଲେ। ଲୋକମାନେ ସେଠି ଆକାଶରେ ଭାସୁଥିବା ମେଘମାନଙ୍କୁ ଦେଖୁଥିଲେ। ମେଘ ସହିତ ମେଘର ସଂଘର୍ଷରୁ ଉତ୍ପନ୍ନ ହେଉଥିବା ବଜ୍ରାଲୋକ ଓ ଭୟଙ୍କର ଘଡ଼ଘଡ଼ି ଶବ୍ଦକୁ ଉପଭୋଗ କରୁଥିଲେ। ମନଖୋଲି ଭିଜୁଥିଲେ ବର୍ଷାର ପାଣିରେ। ବଡ଼ ବଡ଼ ପର୍ଯ୍ୟଟନ କମ୍ପାନୀମାନେ ସେହି ଅଞ୍ଚଳରେ ଜାହାଜ ଭସାଇ ରଖିଥିଲେ। ଯେଉଁ ଜାହାଜରେ ଥିଲା ବଡ଼ ବଡ଼ ବଗିଚା ଓ ଘାସର ଲନ୍। ସେଠି ପ୍ରକୃତି କୋଳରେ ବର୍ଷାକୁ ଉପଭୋଗ କରିବା ଭଳି ଅନୁଭବ ମିଳୁଥିଲା। ଜିତୁ ଉପଭୋଗ କରିଥିଲା ସବୁକିଛି। ଭିଜିଥିଲା ପ୍ରାକୃତିକ ବର୍ଷାରେ। ଆଞ୍ଜୁଳାରେ ବର୍ଷାର ଟୋପା ମାନଙ୍କୁ ଧରି ରଖିବାର ପ୍ରୟାସ କରୁଥିଲା। ଆକାଶରୁ ତଳକୁ ଖସୁଥିବା ବର୍ଷା ବିନ୍ଦୁମାନଙ୍କୁ ଲକ୍ଷ୍ୟ କରି ଦେଖୁଥିଲା ଅଦୃଶ୍ୟ ଗାରମାନଙ୍କୁ। ଶୁଣୁଥିଲା ଝରଝର ଶବ୍ଦକୁ। ଅଦୃଶ୍ୟ ଗାରମାନେ ଦିଶୁଥିଲେ ବର୍ଷାର ରେଶମ କେଶ ପରି ଆଉ ଝରଝର ଶବ୍ଦରୁ ଶୁଭୁଥିଲା ବର୍ଷାର ହସ। ଜିତୁ ହୋଇ ଯାଇଥିଲା ସଂପୂର୍ଣ୍ଣ ବର୍ଷା ମନସ୍କ।
କିନ୍ତୁ ପ୍ରତ୍ୟେକ ମୁହୂର୍ତ୍ତରେ ସେ ଭାଙ୍ଗି ପଡ଼ୁଥିଲା, ଏଥିପାଇଁ ଯେ ସେ ବର୍ଷା ଆଉ ଫେରି ଆସିବ ନାହିଁ। ବର୍ଷାସ୍ନାତ ପୃଥିବୀଟିଏ ଆଉ ଦେଖିବାକୁ ମିଳିବ ନାହିଁ।
ବର୍ଷା ନାମକ ବହିଟିକୁ ସେ ବର୍ଷାକୁ ଫେରାଇଲା ବେଳେ ଜିତୁ ଦେଖୁଥିଲା ବର୍ଷାକୁ। ବର୍ଷାର ମୁକୁଳା କେଶ ବର୍ଷା ଭଳି ନାଚୁଥିଲା ତା’ ପିଠି ଉପରେ। ଅଶ୍ରୁତ ରୁଣୁଝୁଣୁ ଶବ୍ଦଟିଏ ଶୁଭୁଥିଲା। ପିଠି ଉପରେ ପଡ଼ିଥିବା କେଶ କେଇଦିନ ଭିତରେ ଲମ୍ବି ଯାଇଥିଲା କଟି ପର୍ଯ୍ୟନ୍ତ। ସତେଯେମିତି ବର୍ଷାଋତୁ ଗଭୀରରୁ ଗଭୀରତର ହେଉଥିଲା। ରିମଝିମ ବର୍ଷା ଘନିଭୁତ ହେଉଥିଲା ଘନ ଅନ୍ଧକାରର ରୂପନେଇ ଅବାରିତ ବାରିପାତ ପାଇଁ। ଆଞ୍ଜୁଳିରେ ତୋଳିଆଣି ନିଜ ମୁଣ୍ଡ ଉପରେ ଅଜାଡ଼ିଦେଲା ଜିତୁ। ମୁହଁ, ନାକ, ଆଖି, ଗାଲ, କାନ୍ଧ, ଛାତି ଓ ଦେହ ଉପରେ ଝରିଗଲା ବେଳେ ଜିତୁ ଆଖିବୁଜି ଅନୁଭବ କରୁଥିଲା ଗୋଟେ ସୁନ୍ଦର ବର୍ଷାକୁ। ବର୍ଷା ବୁଲିପଡ଼ି ଜିତୁର ମୁହଁରେ ଦେଖୁଥିଲା ଗୋଟେ ବିଭୋର ଭାବକୁ। ତା’ର ଗାଲକୁ ଜୋରରେ ଚିମୁଟି ଦେଇ କହିଲା- ମୁଁ କ’ଣ ସେହି ବର୍ଷା ?
ଜିତୁ ଚମକି ପଡ଼ିଲା। ବଜ୍ରପାତରେ ଆମୋଦିତ ହେଲାଭଳି ଆହୁରି ନିବିଡ଼ ଭାବରେ ସେ ଆଖି ମୁଦିଦେଲା।
Very beautiful story.