- ଯେତେବେଳେ କଲେଜରେ ପାଦଦେଲୁ, ଇଂରାଜୀ ଆମ ଉପରେ ପ୍ରାଧାନ୍ୟ ଦେଖାଇହେଲା, ଆମ ଓଡିଆକୁ ଟିକିଏ ଟିକିଏ ଠେଲିବାକୁ ଲାଗିଲା।
ମୁଁ ଓଡିଆ ! ସେଥିପାଇଁ ଓଡିଆକୁ ମୋ ଭାଷାରୁପେ ଗ୍ରହଣ କରିନେଇଛି। ମନେଅଛି, ମୋତେ ଯେଉଁ ଦିନ ଚାରିବର୍ଷ ଚାରିମାସ ଚାରିଦିନ ହୋଇଥିଲା, ସେହିଦିନ ମୋର କାନ-ଫୋଡା ସହ ବିଦ୍ୟାରମ୍ଭ ହୋଇଥିଲା ପାରମ୍ପରିକ ରୀତିରେ। ପ୍ରଥମ ପରିଚୟ ତିନୋଟି ଶୂନ ସହ। କୁଳ ପୁରୋହିତଙ୍କ ନିର୍ଦ୍ଦେଶକ୍ରମେ ତାଙ୍କରି ହାତଧରି ମାଟି ଉପରେ ନୂଆ ଖଡିରେ ତିନୋଟି ଶୂନ ଲେଖି ଲିଭାଇ ମୁଣ୍ଡରେ ବୋଳି ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ନମସ୍କାର କରିଥିଲି। ପୁରୋହିତେ ସିଦ୍ଧିରସ୍ତୁ କହି ଆଶୀର୍ବାଦ କରିଥିଲେ। ସିଲଟ ଖଡି ବର୍ଣବୋଧ ବହି ଧରି ଅବଧାନଙ୍କ ଦାଣ୍ଡକୁ ଧାଇଁଲି। ଅ ଆ ରୁ ବିଦ୍ୟା ଆରମ୍ଭ। ଶିଖିଲି “ଅରଣା ମଈଁଷି ରହିଛି ଅନାଇ଼ଁ, ମଈଁଷିର ପାଖ ନଯାଅ ଦନାଇଁ।” ଶିଶୁ ଶ୍ରେଣୀରୁ ପ୍ରଥମ ଶ୍ରେଣୀ ହେଲାବେଳକୁ ମୋ ଆଗରେ ଉଭା ହେଲା ‘ମୋ ଛଵି ବହି’। ସିଏ ଶିଖେଇଲା “ଟେଲିଫୋନର ମଜା, ଶହେକୋଶରୁ ଆଈ ସାଥିରେ କଥା କହୁଛି ଅଜା।”
ଉପର କ୍ଲାସକୁ ଗଲି। ଅନ୍ୟାନ୍ୟ ବିଷୟ ସହ ପରିଚୟ ହେଲା। ଓଡିଆ ଭାଷା ମୋ କାନ୍ଧରେ ହାତପକେଇ ଚାଲିଥାଏ। ଗାଁ ବାଲା ତ! ଗାଁରେ ରହି ପାଲା, ଦାସକାଠିଆ, ଘୋଡାନାଟ ଆଦି ଦେଖି ଓଡିଆ ଭାଷାକୁ ଚିହ୍ନିବାର ସୁଯୋଗ ମିଳିଲା। ପାଠପଢା ଚାଲିଥାଏ।
କଲେଜରେ ପାଦଦେଲୁ ଯେତେବେଳେ, ଇଂରାଜୀ ଆମ ଉପରେ ପ୍ରାଧାନ୍ୟ ଦେଖାଇହେଲା; ଆମ ଓଡିଆକୁ ଟିକିଏ ଟିକିଏ ଠେଲିବାକୁ ଲାଗିଲା। ଠେଲିପେଲି ଓଡିଆ ଭିତରେ ପ୍ରବେଶ କଲା। ନିତିଦିନର କଥାବାର୍ତ୍ତାରେ ଦଖଲ ଦେଲା। ସେତେବେଳକୁ ଆମ ଗାଁ ହଳିଆ, ମୁଲିଆ ବି ଇଂରାଜୀ ମିଶା ଓଡିଆରେ କଥା ହେବାକୁ ସହଜ ମନେକରୁଥିଲେ। ଯଥା, “ଡେଲିଭରି ବର୍ଷା”, ପାଟରେ “ହୋଲଡିଙ୍ଗ ପାଣି”, “ଟିକିଏ ଆଡଜଷ୍ଟ” ଆଦି ଶବ୍ଦର ବହୁଳ ବ୍ୟବହାର ଦେଖାଦେଲା। ଇଂରାଜୀ ମିଶା ଓଡିଆ ହୋଇଗଲା ଓ୍ବେ ଅଫ୍ ଲାଇଫ୍। କେହି ବାରିଲେ ନାହିଁ କି ବାଛିଲେ ନାହିଁ। ଆମେ ସମସ୍ତେ ମାନିନେଲୁ। ସମୟ ଗଡିଚାଲିବା ସାଥିରେ ଆମକୁ ଇଲେକ୍ଟ୍ରୋନିକ ମେଡିଆ, ପ୍ରିଣ୍ଟମେଡିଆଙ୍କ ସାମନା କରିବାକୁ ହେଲା। ସେମାନେ ବାଳକୁ କହିଲେ ଚୁଟି, ଆମେ କହିଲୁ, ଚୁଟି। ସେ ବାଳ ଶବ୍ଦଟା ଯେଉଁ ଅର୍ଥରେ ବ୍ୟବହୃତ ହେଉ ନା କାହିଁକି ଆମେ “ଗିରି ବାମକରେ ଧଇଲେ ନନ୍ଦ ଯଶୋଦା ବାଳ” କୁ କଣ “ନନ୍ଦ ଯଶୋଦା ଚୁଟି” କହିବା? ଯଦିଓ ବାଳ କୁ ବାଳକ ଶବ୍ଦ ରୁପେ ନିଆଯାଇଛି ! ମାହୋଲ, ପର୍ଦ୍ଦାଫାସ, ହସ୍ତି ଆଦି ମେଡିଆ ଜନିତ ଶବ୍ଦମାନଙ୍କୁ ଆମେ ସାଦରେ ଗ୍ରହଣ କରିନେଉଛୁ ! ଯଦିଓ ଆମ ଓଡିଆର ଖାଣ୍ଟି ପଣ କେତେ ଆମେ ଜାଣିଜାଣି ଦୃଷ୍ଟି ପକ୍ଷରୁ ଆଡେଇ ଦେଇଛୁ। ସିଏ କହିଲେ ଠିକ୍ ଆମେ କହିଲେ ଭୁଲ୍ !
ଶାସ୍ତ୍ରୀୟ ଭାଷା ହୋଇଗଲା ଯେ, କଣ ହେଇଛି? ଘରେ ଦରସିଝା ହିନ୍ଦି, ଖଣ୍ଡିଆ ଇଂଲିସ୍ କହୁଛୁ। ପିଲାଙ୍କ ସାଙ୍ଗରେ ଇଂଲିସ୍ , କୁକୁର ସାଙ୍ଗରେ ଇଂଲିସ୍, ପୁରା ବ୍ୟାକରଣ-ଶୁଦ୍ଧ ଇଂଲିସ୍ କହିବାକୁ ଚେଷ୍ଟା କରୁଛୁ। କିନ୍ତୁ ବ୍ୟାକରଣ-ଶୁଦ୍ଧ ଓଡିଆ କହିବାକୁ ପଛେଇ ଯାଉଛୁ । ଯେତେ ଜଙ୍କ୍ ଫୁଡ୍ ଖାଇ ହାର୍ଟ ଆଟାକରୁ ବଞ୍ଚିବାକୁ ଚାହୁଁଛୁ। ମୋ ଓଡିଆ ଆଜି ଯେଉଁ ମୋଡରେ ଠିଆହୋଇଛି ସେଥିପାଇଁ ମୁଁ ନିଜେ ନିଜକୁ ଦାୟୀ କରିବା ଛଡା ଅନ୍ୟକୁ ଦୋଷ ଦେଇ ଲାଭ କଣ ?
ମଝିରେ ମଝିରେ କିଏ ଗୋଟାଏ ବାଣ ଛାଡିଦେଉଛି, ଓଡିଆ ଭାଷା କଥା ଆଉ ନୁହଁ ! ସରିଲା ! ବୁଡିଲା ବେଳ ଆସିଲା ! ଆମେ ଟିକିଏ ଥରି ଉଠୁ ! ଯେମିତି କଳିଯୁଗ ସରିଯିବ। କଳିଯୁଗ ସରିବାକୁ ଆମେ ଏତେ ଗମ୍ଭୀରତାସହ ଗ୍ରହଣ କରୁନାହିଁ, ମାତ୍ର ଓଡିଆ ଭାଷାକୁ ନେଇ ଦିନେ ଦି’ଦିନ ପାଇଁ ସିରିଅସ୍ ହୋଇଯାଇ ପୁର୍ଣଚନ୍ଦ୍ର ଭାଷାକୋଷ ଘାଣ୍ଟି ପକାଉ।
ଆଗରୁ ଯାହା ନାଁ ଶୁଣିଥିଲୁ ,ଏଡେବଡ ଗ୍ରନ୍ଥ ! ଏତେ ଗୁଡାଏ ଶବ୍ଦର ସମୁଦ୍ର ! ଅନୁମାନ କରି ପାରୁ ନଥିଲୁ। ଏବେ ଇଣ୍ଟରନେଟରୁ ଖୋଜିଦେଲେ ଶବ୍ଦମାନେ ଆସି ଆମ ଆଗରେ ହାଜର। ମସଲା ଗୁଣ୍ଡ ଭଳି, ଖାଲି ମିଶେଇ ଦେଲେ ସେହି ଶବ୍ଦମାନଙ୍କୁ ଧରି କବିତା ରେଡି ! ଓଡିଆ ଭାଷା ପୁନର୍ଜୀବିତ ହୋଇ ଉଠିଲା ଯେପରି! ଚାଲିଲା ଗଳ୍ପ: ଗଙ୍ଗାଠାରୁ ଗୋଦାବରୀ ଜୟକରିଥିଲେ ଆମରି ପୂର୍ବଜ, ଜାଭା ସୁମାତ୍ରା ନୌବାଣିଜ୍ୟ, ବୀରତ୍ୱର ଅମରଗାଥା, ପାଇକ ବିଦ୍ରୋହ ! ଯେମିତି ପ୍ରାଣ ସଂଚାର ହୋଇଗଲା, ଲାଇସେନ୍ସ ରିନିୱାଲ ହୋଇଗଲା ! ଆଖିବୁଜି ଖାଲି କବିତା ଅଜାଡି ପକେଇଲେ ! ତହୁଁ ଆଉ କେହି ଓଡିଆଭାଷା ବୁଡିବା କଥା ତୁଣ୍ଡକୁ ଆଣିନାହାନ୍ତି। ଦେଖାଯାଉ କଣ ହେଉଛି।
ଆମେ ଭାବୁଛୁ ବୁଡିବାକୁ ସମୟ ତ ଲାଗିବ ! ସେହି ସମୟ ଭିତରେ ଯାହା ଯାହା ମରାମତି ଦରକାର ଆମେ କରାଇ ନେବୁନି? ଗୋଟାଏ ଆଶା ଜାଗ୍ରତ କରି ରଖିଥିଲେ ବାଟ ବାହାରି ଆସିବନାହିଁ ? ଲେଟ ଅସ୍ ହୋପ ଫର ଦି ବେଷ୍ଟ୍!
Very Nice Dr Saab
ବହୁତ ବଢିଆ
ସଂପୂର୍ଣ୍ଣ ସତ କଥା। ଅଭୟ ଙ୍କ ଲେଖା ର ଶୈଳୀ ଅନନ୍ୟ।