- ”ସେ ଝିଅଟି ମତେ ଯେପରି କରୁଣ ସ୍ୱରରେ ସାହାଯ୍ୟ ଭିକ୍ଷା କରୁଥିଲା, ମୁଁ ତାକୁ ସାହାଯ୍ୟ ପାଇଁ ନ ବାହାରିଥିଲେ ସାରାଜୀବନ ନିଜକୁ କେବେ କ୍ଷମା କରିପାରିନଥାନ୍ତି। ”

ଏହି ରଚନାଟି ଏକ ସମ୍ପୂର୍ଣ୍ଣ ସତ୍ୟଘଟଣା ଉପରେ ପର୍ଯ୍ୟବେସିତ। ପୁଲିସ ବିଭାଗରେ କାର୍ଯ୍ୟରତ ଥିଲାବେଳେ କେତେଗୁଡିଏ ସତ୍ୟ ଘଟଣାକୁ ନେଇ ଛୋଟ ମୋଟ ଗଳ୍ପ ଲେଖିବାକୁ ପ୍ରୟାସ କରିଛି। ଯେଉଁ ଘଟଣା ଗୁଡିକ ନିରାଟ ସତ୍ୟ ତାହା ମୋ ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରିଛି। ଆମ ସମାଜରେ ସମୟକ୍ରମେ ଘଟିଥିବା ସାଧାରଣ ଲୋକଟିର ଉତ୍ସର୍ଗୀକୃତ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ମୋର ଉଦ୍ଦେଶ୍ୟ। ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସମ୍ପାଦକ ମହୋଦୟ ମୋତେ ଟେଲିଫୋନରେ କହିଥିଲେ କିଛି ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ ଗଳ୍ପଟିଏ ଲେଖି ପଠାଇବାକୁ। ଏଣୁ ଏହି ଗଳ୍ପ ହେଉଛି ମୋର ଏକ ନମ୍ର ଉଦ୍ୟମ।
ଜଣେ ଭାରତୀୟ ସେନାର ଯୱାନ ଶ୍ରୀ ବିଷ୍ଣୁଶ୍ରେଷ୍ଠଙ୍କ ଜୀବନରେ ହୋଇଥିବା ଏକ ବିଶେଷ ଘଟଣା ସମ୍ବନ୍ଧରେ ଲେଖିବାକୁ ଯାଉଛି। ଅପରାଧୀଙ୍କ ସହିତ ସଂଘର୍ଷରେ ସେ ଦେଖାଇଥିବା ବୀରତ୍ୱ, ସାହସିକତା ଓ ମହାନତାର ପଟାନ୍ତର ନାହିଁ। ଏହି ଘଟଣା ଜାଣିବା ପରେ ସମଗ୍ର ଭାରତ ଏପରିକି ସମଗ୍ର ବିଶ୍ୱର ସମ୍ବାଦପତ୍ର ତାଙ୍କର ଯଶ ଗାନରେ ଶତମୁଖ ହୋଇପଡିଥିଲେ।
ସେଦିନ ଥିଲା, ୨ ସେପ୍ଟେମ୍ବର ୨୦୧୦ ମସିହା। ଭାରତୀୟ ସେନାର ଅଷ୍ଟମ ଗୁର୍ଖା ଇନଫାଣ୍ଟ୍ରି ଡିଭିଜନ ଅଧିନସ୍ଥ ସପ୍ତମ ଗୁର୍ଖା ବାଟାଲିୟନର କର୍ପୋରାଲ ଶ୍ରୀ ବିଷ୍ଣୁଶ୍ରେଷ୍ଠ ଭାରତୀୟ ସେନାରୁ ସେବା ନିବୃତ୍ତ ହୋଇ ନିଜର ଘରକୁ ଫେରୁଥିଲେ। ହଟିଆ (ରାଞ୍ଚି)ରୁ ଗୋରଖପୁର ଯାଉଥିବା ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନ୍ରେ ଏସି-୩ ଟାୟାର କମ୍ପାଟମେଣ୍ଟର ସତଚାଳିଶ ନମ୍ବର ତାଙ୍କ ପାଇଁ ସଂରକ୍ଷିତ ଥିଲା। ସମୟ ଅର୍ଦ୍ଧରାତ୍ରରୁ କିଛି ଅଧିକ ହେବ। ନିଜ ନିଜ ବର୍ଥରେ ଯାତ୍ରୀମାନେ ନିଶ୍ଚିନ୍ତରେ ନିଦ୍ରାଶ୍ରିତ ଥିଲେ। ନିଜର ସତଚାଳିଶ ନମ୍ବର ବର୍ଥରେ ଶୋଇବା ଅବସ୍ଥାରେ ଥାଇ ବିଷ୍ଣୁ ନିଜ ଭାବନାରେ ମଗ୍ନ ଥିଲେ। ନିଜ ଚାକିରିର ଦୀର୍ଘ ପନ୍ଦରବର୍ଷ ଧରି କାର୍ଯ୍ୟ କରି ସେ ଜଣେ କର୍ତ୍ତବ୍ୟନିଷ୍ଠ ଅନୁଗତ ଓ ସଚ୍ଚୋଟ ଜୱାନ ଭାବରେ ନିଜର ଉପରିସ୍ଥ କର୍ମଚାରୀଙ୍କର ଆସ୍ଥା ଭାଜନ ଥିଲେ। ତାଙ୍କର ସହକର୍ମୀମାନେ ମଧ୍ୟ ତାଙ୍କୁ ଅତିଶୟ ଭଲ ପାଉଥିଲେ। ବିଷ୍ଣୁଙ୍କର ଜନ୍ମ ୧୯୭୫ ମସିହାରେ ଗୋଲାପର୍ବତ ଜିଲ୍ଲା ଦେଓରାରେ ହୋଇଥିଲା। ତାଙ୍କ ପିତାଙ୍କର ନାମ ଗୋପାଳବାବୁ ଓ ମାତାଙ୍କର ନାମ ସୀତା କୁମାରୀ। ଭାରତୀୟ ସେନାର ଆହ୍ୱାନପୂର୍ଣ୍ଣ କର୍ତ୍ତବ୍ୟକୁ ସେ ସନ୍ତୋଷଜନକ ଭାବରେ ସମ୍ପୂର୍ଣ୍ଣ କରିଥିବାରୁ ମନେ ମନେ ଆଶ୍ୱସ୍ତ ଥିଲେ। ନିଜ ଗ୍ରାମକୁ ଫେରି ସେଠାରେ ନିଜର ପିତାମାତା, ପ୍ରିୟବନ୍ଧୁ ତଥା ଅନ୍ୟାନ୍ୟ ପରିଜନଙ୍କୁ ଦେଖା କରିବାକୁ ଅତ୍ୟନ୍ତ ବ୍ୟଗ୍ରଥିଲେ। ଅବଶ୍ୟ ଏକ ଭାରତୀୟ ସେନାର ଜୱାନ ପାଇଁ ତାହା ସ୍ୱାଭାବିକ ଥିଲା। ସେ ସମୟରେ ମୌର୍ଯ୍ୟ ଏକ୍ସପ୍ରେସ ପଶ୍ଚିମବଙ୍ଗ ଅନ୍ତର୍ଗତ ଚିତ୍ତରଞ୍ଜନ ନିକଟସ୍ଥ ଏକ ଘନ ଜଙ୍ଗଲ ମଧ୍ୟ ଦେଇ ଦ୍ରୁତ ଗତିରେ ଗତି କରୁଥିଲା। ବିଷ୍ଣୁଙ୍କର ଭାବନାରେ ବାଧା ଦେଇ ହଠାତ୍ ମୌର୍ଯ୍ୟ ଏକ୍ସପ୍ରେସର ଗତି ମନ୍ଥରହୋଇ ଆସି ଟ୍ରେନ୍ଟି ଠିଆ ହୋଇଗଲା।
ପରମୂହୂର୍ତ୍ତରେ ଟ୍ରେନ ଝରକାରେ କାଚଭଙ୍ଗା ଶବ୍ଦ, ପାଟିତୁଣ୍ଡ ଓ ହୋ ହାଲ୍ଲାରେ ଶୋଇଥିବା ଯାତ୍ରୀମାନେ ଆଶ୍ଚର୍ଯ୍ୟ ଚକିତ ଓ ଭୟଭୀତ ହୋଇ ନିଦରୁ ଉଠି ନିଜ ନିଜର ସିଟ୍ରେ ବସି ପଡିଥିଲେ। ବିଷ୍ଣୁଙ୍କର ବର୍ଥ ସବା ଉପରେ ଥିଲା। ସେ ମଧ୍ୟ ଏପରି ପାଟିତୁଣ୍ଡ ଓ ଗଣ୍ଡଗୋଳର ଶବ୍ଦ ଶୁଣି ନିଜର ବର୍ଥ ଉପରେ ବସି ଘଟଣା ବିଷୟରେ ଜାଣିବାକୁ ବ୍ୟଗ୍ର ଥିଲେ।

ପ୍ରକୃତ ଘଟଣା ଥିଲା ପ୍ରାୟ ଚାଳିଶ ଜଣ ଡକାୟତ ବନ୍ଧୁକ, ଛୁରୀ, ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ସମଗ୍ର ମୌର୍ଯ୍ୟ ଏକ୍ସପ୍ରେସ୍ ଟ୍ରେନଟିକୁ ଘେରି ଯାଇଥିଲେ। କେତେଜଣ ଡକାୟତ ଟ୍ରେନ୍ ଦୁଇ ପାଖରେ ରେଲ ଲାଇନ କଡରେ ରହି ଯାତ୍ରୀମାନଙ୍କୁ ଟ୍ରେନରୁ ନ ଓହ୍ଲାଇବାକୁ କହି ଖଣ୍ଡା ଓ ବନ୍ଧୁକ ଦେଖାଇ ଧମକାଉଥିଲେ। ଅନ୍ୟ ପ୍ରାୟ ତିରିଶ ଜଣ ଡକାୟତ କ୍ରମାନ୍ୱୟରେ ଟ୍ରେନର ଗୋଟିଏ ପରେ ଗୋଟିଏ ଡବାରେ ପଶି ବର୍ଥ ପରେ ବର୍ଥ, ସମସ୍ତ ଯାତ୍ରୀ ପୁରୁଷ, ସ୍ତ୍ରୀ ଏପରିକି ଛୋଟ ପିଲାମାନଙ୍କୁ ମାଡ ମାରି ଛୁରୀ ଓ ବନ୍ଧୁକ ମୁନରେ ଟଙ୍କା ପଇସା, ସୁନା ଗହଣା ଓ ମୋବାଇଲ ଫୋନ ଲୁଟି ନେଉଥିଲେ। ପୁରୁଷ ଯାତ୍ରୀମାନଙ୍କୁ ଠିଆ କରାଯାଇ ସେମାନଙ୍କ ତଲାସୀ ନିଆଯାଉଥିଲା। ସ୍ତ୍ରୀଲୋକମାନଙ୍କର ବେକ, କାନ ଓ ହାତରୁ ସୁନା ଗହଣା ଓ ଝୁମୁକା ଇତ୍ୟାଦି ନେଲା ପରେ ବି ବିବସ୍ତ୍ର କରି ଅଧିକ ତଲାସୀ ନେଉଥିଲେ। ଡକାୟତ ମାନଙ୍କର ସଂଖ୍ୟା ଓ ଅସ୍ତ୍ରଶସ୍ତ୍ରର ବିପୁଳତା ଦେଖି କେହି ହେଲେ ସାମାନ୍ୟତମ ପ୍ରତିରୋଧ ବା ପ୍ରତିବାଦର ସ୍ୱର ଉଠାଇବାକୁ ସାହସ କରିପାରୁନଥିଲେ। ସ୍ତ୍ରୀ, ପିଲାମାନଙ୍କର କ୍ରନ୍ଦନ ଓ ପୁରୁଷମାନଙ୍କର ଆର୍ତ୍ତ ଚିତ୍କାରରେ ସମସ୍ତ ଟ୍ରେନ୍ ଥରି ଉଠୁଥିଲା। ଡକାୟତମାନେ ଗୋଟିକ ପରେ ଗୋଟିଏ ବର୍ଥରେ ଥିବା ଯାତ୍ରୀମାନଙ୍କୁ ଲୁଟପାଟ କରି କରି ବିଷ୍ଣୁଙ୍କର ବର୍ଥ ନିକଟରେ ପହଞ୍ଚି ସାରିଥିଲେ। ବିଷ୍ଣୁଙ୍କର ସଂଲଗ୍ନ ତଳ ଓ ଉପର ବର୍ଥର ସମସ୍ତ ଯାତ୍ରୀ ଭୟଭୀତ ହୋଇ ଟଙ୍କା, ସୁନା ଓ ମୋବାଇଲ ଫୋନ ସବୁ ଡକାୟତ ମାନଙ୍କୁ ସମର୍ପଣ କରିଦେଲେ।
ବିଷ୍ଣୁଶ୍ରେଷ୍ଠ ମଧ୍ୟ ତାଙ୍କଠାରେ ଥିବା ପର୍ସ, ହାତଘଡି ଓ ମୋବାଇଲ ଫୋନ ବାହାର କରୁ କରୁ ଡକାୟତମାନେ ସେସବୁ ତାଙ୍କ ହାତରୁ ଝାମ୍ପି ନେଇଥିଲେ। ଏଇଠି ଡକାୟତମାନେ ଗୋଟିଏ ମସ୍ତବଡ ଭୁଲ କରିଥିଲେ। ବିଷ୍ଣୁଙ୍କଠାରୁ ସମସ୍ତ ପଦାର୍ଥ ଲୁଟି ନେଇଥିଲେ କିନ୍ତୁ ସେ ଶୋଇଥିବା ଶେଜ ଉପରେ ପଡିଥିବା ନେପାଳୀ ଖୁକ୍ରୀ (ଭୁଜାଲି)ଟିକୁ ନେଇନଥିଲେ। ଚମଡା ଖୋଳ ମଧ୍ୟରେ ଥିବା ଗୁର୍ଖାମାନଙ୍କର ସାମରିକ ପୋଷାକର ଅଭିନ୍ନ ଅଙ୍ଗ ଖୁକ୍ରୀ (ଭୁଜାଲି)ଟି ସତେ ଯେପରି ନିଜର ମାଲିକଙ୍କର ନିର୍ଦ୍ଦେଶ ପାଳନ କରିବା ପାଇଁ ଅପେକ୍ଷାରତ ଥିଲା।
ଡକାୟତମାନେ ଲୁଟ ଜିନିଷକୁ ଧରି ପରବର୍ତ୍ତୀ ବର୍ଥ ପାଖକୁ ଗଲାବେଳେ ତାଙ୍କ ଭିତରେ ସବୁଠାରୁ ଦୁର୍ଦ୍ଦାନ୍ତ ଦେଖାଯାଉଥିବା ଲୋକଟିର ନଜର ଝରକା ପାଖ ସିଟ୍ରେ ବସି ଭୟରେ ଥରୁଥିବା ଗୋଟିଏ ପନ୍ଦର, ଷୋହଳ ବର୍ଷର ଝିଅ ଉପରେ ପଡିଥିଲା। ସେ ପିସ୍ତଲ ଧରି କିଛି ସମୟ ସେ ଝିଅକୁ ଚାହିଁବା ପରେ ହଠାତ୍ ତାର ହାତକୁ ଧରି ସାଙ୍ଗରେ ନେବା ପାଇଁ ଚେଷ୍ଟା କଲା। ପୂର୍ବରୁ ଯଥେଷ୍ଟ ଆତଙ୍କିତ ହୋଇ ପଡିଥିବା ଝିଅଟି ଦୁର୍ଦ୍ଦାନ୍ତ ଡକାୟତମାନଙ୍କୁ ଦେଖି କେବଳ ଭଗବାନଙ୍କୁ ପ୍ରାର୍ଥନା କରୁଥିଲା। ଡକାୟତର ଟଣାଟଣିର ପ୍ରତିରୋଧ କରିବା ସମୟରେ ସଂଘର୍ଷରେ ସେ ଡବାର ଚଟାଣରେ ପଡିଯାଇଥିଲା। ଏଥର ଡକାୟତଟି ତାର ଚୁଟି ଧରି ଟାଣିବାକୁ ଉଦ୍ୟମ କଲାବେଳେ ଝିଅଟି ଡବାରେ ଥିବା ସମସ୍ତଙ୍କୁ ନେହୁରା ହୋଇ ରକ୍ଷା କରିବାକୁ ଅନୁରୋଧ କରୁଥିଲା। ଉକ୍ତ ନର ରାକ୍ଷସ ମାନେ ତାକୁ ବଳପୂର୍ବକ ନେଇ କଣ ପରିପାରନ୍ତି ଏ ବିଷୟରେ ସେ ସ୍ପଷ୍ଟ ଅନୁମାନ କରିପାରୁଥିଲା। ତାର ବୃଦ୍ଧ ପିତାମାତା ମଧ୍ୟ ହାତଯୋଡି ଡକାୟତମାନଙ୍କୁ ତାଙ୍କର ଝିଅକୁ ଛାଡିଦେବାକୁ ଅନୁରୋଧ କରୁଥିଲେ। “ଆମଠାରୁ ଟଙ୍କା, ପଇସା, ଘଡି, ଚେନ ସବୁ ନେଲ, ଆମ ଝିଅକୁ ଦୟାକରି ଛାଡିଦିଅ। ଆମେ ତମର ଗୋଡତଳେ ପଡୁଛୁ।” ସେ ଝିଅଟି ଯାହାର ନାଁ ଶ୍ରେୟା, ଡବାର ଚଟାଣ ଉପରେ ପଡି ଗଡୁଥିବା ବେଳେ, ତାର ଆଖି ବିଷ୍ଣୁଙ୍କର ଉପରେ ପଡିଗଲା। ସେ ବିକଳ ହୋଇ ତାଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। “ତମେ ମୋର ଭାଇ, ମତେ ଦୟା କରି ରକ୍ଷା କର। ଏମାନେ ଏଠାରୁ ମତେ ଉଠାଇ ନେଲେ ମୁଁ ମରିଯିବି। ମତେ ତମର ନିଜର ସାନ ଭଉଣୀ ଭାବି ଏ ରାକ୍ଷସଙ୍କ କବଳରୁ ମତେ ବଞ୍ଚାଅ ଭାଇ।” ଭାରତୀୟ ସେନାର ଅନୁଶାସନରେ ପ୍ରଶିକ୍ଷିତ ଓ ପ୍ରତିପାଳିତ ବିଷ୍ଣୁଙ୍କର ସମଗ୍ର ଶରୀରରେ ରକ୍ତ ପ୍ରବାହ କ୍ରମେ ଦ୍ରୁତ ହୋଇ ଆସୁଥିଲା। ତାଙ୍କର ମନ ଭିତରେ ଗୁର୍ଖା ରେଜିମେଣ୍ଟର ସଂଗ୍ରାମର ପୂର୍ବ ଚିତ୍କାର, ‘ଆୟୋ ଗୋରଖାଲି, ଜୟ ମହାକାଳୀ’ ବାରମ୍ବାର ସ୍ପନ୍ଦିତ ହେବାକୁ ଲାଗିଲା। ମହାଭାରତରେ ଦ୍ରୌପଦୀଙ୍କର ମାନ ରକ୍ଷା ପାଇଁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଅନ୍ତରାଳରେ ରହି କୋଟିବସ୍ତ୍ର ଦାନ କରିଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତିରେ ବିଷ୍ଣୁଙ୍କ ପାଇଁ ସେ ଅସହାୟ ଝିଅଟିକୁ ରକ୍ଷା କରିବା ପାଇଁ ସେତେ ସମୟ ବା ସୁଯୋଗ ନ ଥିଲା। ଡକାୟତମାନେ ସେ ଝିଅଟିକୁ ଟ୍ରେନ ଡବାର କବାଟ ପର୍ଯ୍ୟନ୍ତ ଟାଣି ନେଇଯାଉଥିଲେ। ବିଷ୍ଣୁଙ୍କର ଡାହାଣ ହାତ ଯାଇ ଚମଡା ଖୋଳରେ ସୁରକ୍ଷିତ ଥିବା ଖୁକ୍ରୀର ଲୁହାବେଣ୍ଟ ଉପରେ ଦୃଢ଼ ଭାବରେ ରହିଗଲା। ଗୋଟିଏ ଝଟକାରେ ଖୁକ୍ରୀଟିକୁ ଖୋଳ ମଧ୍ୟରୁ ବାହାର କରି ବିଷ୍ଣୁ ତାଙ୍କ ବର୍ଥ ଉପରୁ ସିଧା ସଳକୁ ଡେଇଁ ପଡିଥିଲେ।
ୟା’ପରେ ଯେଉଁ ଘଟଣା ହେଲା, ବିଷ୍ଣୁଙ୍କର ନାମ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଚିତ୍ତରଞ୍ଜନ ତଥା ପଶ୍ଚିମବଙ୍ଗର ରେଲୱେ ପୁଲିସର ଅପରାଧର ଇତିହାସରେ ଏପରି ଘଟଣା ଆଗରୁ କେବେ ଘଟିନଥିଲା। ସେ ଲମ୍ଫ ପ୍ରଦାନ କରି ଟ୍ରେନ ଡବାର ଚଟାଣ ଉପରେ ଠିଆ ହେବା ସଙ୍ଗେ ସଙ୍ଗେ ତାଙ୍କର ଖୁକ୍ରୀ ଶ୍ରେୟାର କେଶକୁ ଆକର୍ଷଣ କରି ଧରିଥିବା ଡକାୟତର କହୁଣୀ ଉପରେ ପ୍ରଚଣ୍ଡ ଆଘାତ କରିଥିଲା। ହାତଟି କହୁଣୀ ପାଖରୁ କଟି ଦୁଇଖଣ୍ଡ ହୋଇଯାଇଥିଲା। ବିଷ୍ଣୁ ଆହତ ଡକାୟତର ପିସ୍ତଲ ଧରିଥିବା ହାତକୁ ମୋଡି ତାର ବେକ ପାଖରେ ରଖି ନିଜ ସାମନାରେ ଢ଼ାଲ ସଦୃଶ ଠିଆ କରାଇଥିଲେ। ଆହତ ଡକାୟତକୁ ସାହାଯ୍ୟ କରିବାକୁ ଅନ୍ୟ ଡକାୟତ ମାନେ ମାଡି ଆସିବା ସମୟରେ ପ୍ରତି ଆକ୍ରମଣ ପାଇଁ ତାଙ୍କର ଖୁକ୍ରୀ ବିଜୁଳି ବେଗରେ ଘୁରିବାକୁ ଲାଗିଲା। ଜଣେ ଦୁଇଜଣ, ତିନିଜଣ ସଶସ୍ତ୍ର ଡକାୟତ ଖୁକ୍ରୀର ପ୍ରଚଣ୍ଡ ଆଘାତରେ ତଳେ ପଡି ସେହିଠାରେ ପ୍ରାଣ ହରାଇଥିଲେ। ସେମାନଙ୍କ ପଛକୁ ପଛ ସାହାଯ୍ୟ ଦେବା ପାଇଁ ଦୌଡି ଆସୁଥିବା ଆଠ ଜଣ ଡତାୟତ ବିଷ୍ଣୁଙ୍କର ଅସ୍ତ୍ରଘାତରେ ଗୁରୁତର ଆହତ ହୋଇ ତଳେ ପଡି ଛଟ ପଟ ହେବାକୁ ଲାଗିଲେ। ବିଷ୍ଣୁଙ୍କର ରୁଦ୍ର ମୂର୍ତ୍ତି ଦେଖି ଯାତ୍ରୀମାନେ ସ୍ତବ୍ଧ, ଚକିତ ହୋଇଯାଇଥିଲେ। ଅଳ୍ପ ସମୟ ଆଗରୁ ଟ୍ରେନ୍ ଯାତ୍ରୀମାନଙ୍କର କରୁଣ ଚିତ୍କାରରେ ଫାଟି ପଡୁଥିବା ଟ୍ରେଡ ଡବା ବର୍ତ୍ତମାନ ଆହତ ଡକାୟତମାନଙ୍କର ଆର୍ତ୍ତଚିତ୍କାର ଓ ମୃତ ଡକାୟତମାନଙ୍କର ଜୀବନାନ୍ତ କାଳୀନ ଆର୍ତ୍ତନାଦରେ ପରିପୂର୍ଣ୍ଣ ହୋଇଥିଲା। ଆହତ ଓ ମୃତ ଡକାୟତମାନଙ୍କର ରକ୍ତରେ ରେଳଡବାର ବର୍ଥ ମଝିରେ ଥିବା ଅଣ ଓସାରିଆ ରାସ୍ତା ପିଚ୍ଛିଳ ହୋଇଯାଇଥିଲା। ସେଥିରେ ଭାରସାମ୍ୟ ହରାଇ ବିଷ୍ଣୁ ତଳେ ପଡିଯାଇଥିଲେ ଓ ଅନ୍ୟ ଡକାୟତମାନଙ୍କର ପ୍ରତି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ମୌର୍ଯ୍ୟ ଏକ୍ସପ୍ରେସ ସାମାନ୍ୟ ଗତିଶୀଳ ହୋଇ ପୁନର୍ବାର ସ୍ଥିର ହୋଇଯାଇଥିଲା। ରେଲୱେ ପୋଲିସ ଓ ରେଲୱେ ସୁରକ୍ଷାବଳର ଏକ ବିରାଟ ଦଳ ଟ୍ରେନ ଭିତରେ ପହଂଚି ସାରିଥିଲେ। ସେମାନେ ଆହତ ଓ ଭୟାତୁର ରେଳଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ଓ ଆଶ୍ୱାସନା ଦେବାକୁ ଲାଗିଲେ। ତିନିଜଣ ମୃତ ଡକାୟତଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ଓ ଆହତ ଆଠଜଣଙ୍କୁ ଗିରଫ କରାଯାଇଥିଲା। ପାଖ ଜଙ୍ଗଲ ମଧ୍ୟରେ ଫେରାର ହୋଇଯାଇଥିବା ଅନ୍ୟାନ୍ୟ ସମସ୍ତ ଡକାୟତମାନଙ୍କୁ ପର୍ଯ୍ୟାୟକ୍ରମେ ଗିରଫ କରାଯାଇ ଥିଲା। ଆହତ ବିଷ୍ଣୁ ପ୍ରାୟ ମାସାଧିକ କାଳ ଚିକିତ୍ସାରେ ରହି ସୁସ୍ଥ ହୋଇ ଫେରିଥିଲେ।

ତଦନ୍ତକାରୀ ଅଫିସର ଡକାୟତିର ଶିକାର ହୋଇଥିବା ସମସ୍ତ ଯାତ୍ରୀ ତଥା ଶ୍ରେୟାର ବୟାନକୁ ଲିପିବଦ୍ଧ କରିଥିଲେ। ସାମାନ୍ୟ ଗୋଟିଏ ଖୁକ୍ରୀ ଧରି ଚାଳିଶଜଣ ସଶସ୍ତ୍ର ଡକାୟତଙ୍କ ସାଙ୍ଗେ ମୁକାବିଲା କରିଥିବା ବିଷ୍ଣୁଙ୍କର ଭୂମିକା ଜାଣି ସେ ସ୍ତମ୍ଭୀଭୂତ ହୋଇଯାଇଥିଲେ। ଶ୍ରେୟାର ପରିବାର ବର୍ଗ ବିଷ୍ଣୁଙ୍କୁ କୃତଜ୍ଞତାର ନିଦର୍ଶନ ସ୍ୱରୂପ ଏକ ଲକ୍ଷ ଟଙ୍କା ପୁରସ୍କାର ସ୍ୱରୂପ ଯାଚିଥିଲେ। କିନ୍ତୁ ସେ ତାହା ନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିଲେ।
ବିଷ୍ଣୁଙ୍କର ଏହି ଅସାଧାରଣ ବୀରତ୍ୱର ଗାଥା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରକୁ ବ୍ୟାପି ଯାଇଥିଲା। ଭାରତୀୟ ସେନା କର୍ତ୍ତୃପକ୍ଷ ତାଙ୍କୁ ଦିଲ୍ଲୀ ମୁଖ୍ୟାଳୟକୁ ନିମନ୍ତ୍ରଣ କରି ବିଶିଷ୍ଟ ସେନା ମେଡାଲ ଓ ଜୀବନରକ୍ଷାକାରୀ ମେଡାଲରେ ସମ୍ମାନିତ କରିଥିଲେ। ଭାରତୀୟ ସେନା ତରଫରୁ ତାଙ୍କୁ ନଗଦ ପଚାଶହଜାର ଟଙ୍କା ଓ ଗୋଟିଏ ରୌପ୍ୟ ଖଚିତ ଖୁକରୀ ଉପହାର ସଦୃଶ ପ୍ରଦାନ କରାଯାଇଥିଲା।
ଏହି ଘଟଣାପରେ, ସୌଭାଗ୍ୟବଶତଃ ମୁଁ ଏହି ଟ୍ରେନ ଡକାୟତିର ଅନ୍ୟତମ ତଦନ୍ତକାରୀ ଅଫିସର ଶ୍ରୀ ମଣ୍ଡଳଙ୍କ ସମ୍ପର୍କରେ ଆସିଥିଲି। ସେ ଏହି ଘଟଣା ସମ୍ବନ୍ଧରେ ବିଷ୍ଣୁଙ୍କର ବୟାନକୁ ଲିପିବଦ୍ଧ କରିଥିଲେ। ମୋର ତାଙ୍କ ସହିତ ବାର୍ତ୍ତାଳାପ ସମୟରେ ସେ କହିଲେ, “ମୁଁ ବିଷ୍ଣୁଙ୍କୁ ପଚାରିଥିଲି ଆପଣ ତ ବିନା ବାଧାରେ ନିଜର ସମସ୍ତ ମୂଲ୍ୟବାନ ପଦାର୍ଥ ଡକାୟତମାନଙ୍କୁ ଦେଇଦେଇଥିଲେ। ସେ ଝିଅଟି ଯିଏ କି ଆପଣଙ୍କର ସମ୍ପୂର୍ଣ୍ଣ ଅଜଣା ତାର ସାହାଯ୍ୟ ପାଇଁ ଚିତ୍କାରରେ କେହି ବି ସାହାଯ୍ୟ ପାଇଁ ଆଗେଇ ଆସିଲେ ନାହିଁ। ଅର୍ଥାତ୍ ସେ ଅପରିଚିତ ଝିଅଟି ପାଇଁ ଆପଣ ଏକୁଟିଆ ସାମାନ୍ୟ ଖୁକ୍ରିଟିଏ ଧର ଚାଳିଶଜଣ ସଶସ୍ତ୍ର ଡକାୟତଙ୍କ ସହିତ ଲଢ଼ି ଚାଲିଲେ। ଏଥିରେ ନିଜ ଜୀବନ ଚାଲିଯିବାର ଅନେକ ସମ୍ଭାବନା ଥିଲା।” ଉତ୍ତରରେ ବିଷ୍ଣୁ କହିଥିଲେ “ଆପଣ ଠିକ କହୁଛନ୍ତି, କିନ୍ତୁ ଆମମାନଙ୍କଠାରୁ ସମସ୍ତ ମୂଲ୍ୟବାନ ପଦାର୍ଥ ଲୁଟି ସାରିବା ପରେ ସେ ଅସହାୟ ଝିଅଟିକୁ ଟାଣି ସାଙ୍ଗରେ ନେବା ପାଇଁ ସେମାନଙ୍କ ଉଦ୍ୟମ ଅନ୍ୟାୟ ଓ ଅତ୍ୟାଚାରର ସମସ୍ତ ସୀମାରେଖା ଅତିକ୍ରମ କରିସାରିଥିଲା। ବରଂ ଏହି ସଂଘର୍ଷରେ ମୋର ଜୀବନ ଚାଲିଯାଇଥାନ୍ତା କିନ୍ତୁ ସେ ଝିଅଟି ସମସ୍ତ ଯାତ୍ରୀ ତଥା ମତେ ଯେପରି କରୁଣ ସ୍ୱରରେ ସାହାଯ୍ୟ ଭିକ୍ଷା କରୁଥିଲା, ମୁଁ ତାକୁ ସାହାଯ୍ୟ ପାଇଁ ନ ବାହାରିଥିଲେ ସାରାଜୀବନ ନିଜକୁ କେବେ କ୍ଷମା କରିପାରିନଥାନ୍ତି।”
ଗୋଟିଏ ନିଃଶ୍ବାସରେ ଗଳ୍ପଟି ଯେମିତି ପଢି ନେଲି । କାହାଣୀର ଗତିଶୀଳତା ଓ ପରିସ୍ଥିତିର ଗମ୍ଭୀରତା ମୋର ଆଖି ଭିଜେଇ ଦେଲା।
ବହୁତ ସୁନ୍ଦର।
🙏 ବୀର ସୈନିକଙ୍କୁ ପ୍ରଣାମ
ବହୁତ ସୁନ୍ଦର ଲେଖା