ସତୁରୀ ବର୍ଷୀୟ ଯୁବ ଲେଖକ!

  • ଏଠି କିଏ ଯୁବକ ଅଛିକି ? ଏଠି ତ ଯୁବ ପୁରସ୍କାର ପାଆନ୍ତି ବୃଦ୍ଧମାନେ।

ଡ. କୁଳାଙ୍ଗାର


ଦିନକୁଦିନ ବୃଦ୍ଧମାନଙ୍କଠାରେ ଯବାନୀ ବୃଦ୍ଧିପାଇବା ଖବରଟା ଆଉ ଆମକୁ ସେତେ ଚକିତ କରିପାରୁନାହିଁ। କାରଣ ଆଜିକାଲିର ସମାଜରେ ବୃଦ୍ଧମାନଙ୍କର ସଂଖ୍ୟା ବହୁତ୍ କମ୍‌! ଆପଣ ଭାବୁଥିବେ ମୁଁ ଗାଲୁଆମୀ କରୁଛି! କାହିଁକି ନା ଘରେଘରେ ତ ବୟସ୍କ ଲୋକମାନେ ଅଛନ୍ତି ! କିନ୍ତୁ ବୟସ୍କ ଲୋକମାନେ ଆଜିକାଲି ନିଜକୁ ବୃଦ୍ଧବୋଲି ନିଜକୁ ମାନିବାକୁ ନାରାଜ୍। ସମସ୍ତେ ନାନା ଫନ୍ଦି ଫିକର କରି ନିଜକୁ ଯୁବକ ଭାବରେ ସଜେଇବାକୁ ତତ୍ପର! ସେଥିରୁ ତାଙ୍କ ଘର ବି ବାଦ୍ ପଡିନି।

ସେଦିନ ସକାଳୁସକାଳୁ ତାର ସତୁରୀ ବୟସ୍କ ବାପା ଯେବେ ଦାଢିନିଶ ସଫା କରି ମୁଣ୍ଡରେ କଳାରଙ୍ଗ ମାରି ଫିଟ୍‌ଫାଟ୍ ହୋଇ ବାହାରିଲେ। ସିଏ କହିଲା- ବାପା କାଲି ପରା ବେଡ୍‌ରୁ ଉଠିଚ, ଆଜି ପୁଣି କୁଆଡେ ବାହାରିଚ?

ସହାସ୍ୟ ବଦନରେ ବାପା କହିଲେ- ଆଜି ଆମ ଯୁବଲେଖକ ସଂଘର ବାର୍ଷିକ ଉତ୍ସବ। ସେଥିରେ ମୋତେ କବିତା ସଂଯୋଜନା କରିବାକୁ ହେବ!

ବାପାଙ୍କର କଥା ଶୁଣି ତାର ଶରୀରରେ ଗୋଟେ ଅପୂର୍ବ ରୋମାଂଚ ଖେଳିଗଲା। ସିଏ ହିସାବ କରି ଦେଖିଲା କି ସିଏ ନିଜେ ବି ଯୁବକ ନୁହେଁ। ଏହା ଭିତରେ ତାକୁ ଛୟାଳିଶ ବର୍ଷ ପାର ହୋଇ ସାରିଛି। ତା ଝିଅ କଲେଜ ଯାଇ ପ୍ରେମ କରିବା ସହ ଆଠ ଦଶଟା କବିତା ଲେଖି ସାରିଲାଣି।

ସିଏ ହସିହସି ପଚାରିଲା- ବାପା, ଏ ଯୁବଲେଖକ ସଂଘଟି କେବେ, କାହିଁକି ଗଠନ ହୋଇଥିଲା?

ବାପା କହିଲେ- ତୋର ତ ୟା ତା ଶୁଙ୍କ ଖୋଜି ବକ୍ରୋକ୍ତି କରିବାରେ ବେଳଗଲା। ତୁ ଏହାର ମାହାତ୍ମ୍ୟ କାହୁଁ ଜାଣିବୁ! ବର୍ଷବର୍ଷ ଧରି ସାହିତ୍ୟ ଦରବାରରେ ଗାଦିମାଡି ବସିଥିବା ଅବଧାନ ମାନଙ୍କୁ ଉଚିତ୍ ଜବାବ ଦେଇ ଯୁବ ଲେଖକମାନଙ୍କ ପାଇଁ ସୁଯୋଗ ସୃଷ୍ଟିକରିବା ପାଇଁ ଆମ ଭଳିଆ ଦଳେ ଦମ୍‌ଦାର ଯୁବ ଲେଖକଙ୍କ ଦ୍ୱାରା ଏହି ଅନୁଷ୍ଠାନଟି ପ୍ରାୟ ପଚାଶ ବର୍ଷ ତଳେ ଗଠନ ହୋଇଥିଲା!

ସିଏ କହିଲା- ହେଲା। ମାନୁଚି, ଏହା ଏକ ମହାନ ଅନୁଷ୍ଠାନ! ହେଲେ, ତମେ କଣ ଆଉ ଯୁବକ ହୋଇ ଅଛ?

ଏତିକି ବେଳେ ବାପାଙ୍କର ବାହାରିଲା ଶ୍ୱାସ। ଧଇଁ ପେଲି ଦିଟା ଲହରା କାଶ କାଶିଲା ପରେ ଔଷଧ ଟାଣି ସିଏ ସାଷ୍ଟାମ ହେଲେ ଆଉ କହିଲେ- ହଁ କଣ କହୁଥିଲୁ ଯେ….ଯୁବକ! ହୈରେ ସାହିତ୍ୟିକ କଣ କେବେ ବୃଦ୍ଧ ହୁଏ? ସୃଜନରେ ବାରଂବାର କାମବାଣ ବିଷ୍ଫୋରଣ କରୁଥିବା ବୃଦ୍ଧଲେଖକ ବି ଜଣେ ସାରସ୍ୱତ ଯୁବକ। ତେଣୁ ଖେଳକୁଦ କି ଚାକିରିରେ ସିନା ତମେମାନେ ବୟସ ହିସାବ କରି ଯୁବକ କି ବୃଦ୍ଧ ବୋଲି କହିବ। ସାହିତ୍ୟରେ କିନ୍ତୁ ସେ ସବୁ ଚଳିବନି।

ବାପା ଏହା ସହିତ କିଛି ସଂସ୍କୃତ ଶ୍ଲୋକ ଉଚ୍ଚାରଣ କରି ଆଉ କିଛି ପୁରାତନ କବିତାର ପଂକ୍ତି ଶୁଣେଇ ତାଙ୍କ ଯୁକ୍ତିକୁ ଶକ୍ତ କଲେ। ସେ ସବୁ ତା ମୁଣ୍ଡରେ କିଛି ପଶିଲାନି। ତେବେ ବାପାଙ୍କର କହିବାର ସାରମର୍ମ ଏୟା ଥିଲା କି- ମରଣ ପର୍ଯ୍ୟନ୍ତ ମଧ୍ୟ ଲେଖାଲେଖି କରୁଥିବା ବୟସ୍କଟିକୁ କେବେ ବି ବୃଦ୍ଧଲେଖକ ବୋଲି କୁହାଯାଇ ପାରିବ ନାହିଁ।

ସିଏ ପଚାରିଲା- ବାପା, ତମେ ଯୁବଲେଖକ ସଂଘରେ କାର୍ଯ୍ୟକ୍ରମ ସଂଯୋଜକ ହେବ ତ ତୁମ ନାତୁଣୀ କଣ କରିବ?

ବାପା କହିଲେ- ଦେଖ, ମୋ ପରି ଜିନ୍ ଗଂଜି ପିନ୍ଧା ଫିଟ୍‌ଫାଟ୍ ବୁଢାଙ୍କ ଆଗରେ, ଧେଡିଆ ଓ ରୋଗୀଣା ଯୁବଲେଖକଟିଏର ଦମ୍ କେତେ? ଏବେ ମଧ୍ୟ ସାହିତ୍ୟସଭାରେ ବହୁ ତରୁଣୀ ମୋତେ ବୁଲିବୁଲି ଚାହାନ୍ତି। ତେଣୁ ଯୁବଲେଖକ ସଂଘର ସଦସ୍ୟ ଓ କର୍ମକର୍ତ୍ତା ହେବା ପାଇଁ ବୟସଗତ ଯୁବକ ହେବା ଜରୁରୀ ନୁହେଁ ବରଂ ଯୁବ ସୁଲଭତା ଜରୁରୀ!

ସିଏ କହିଲା- ବାପା, ତମର ଏ ବିତଣ୍ଡା ଯୁକ୍ତିକୁ ମୁଁ ଗ୍ରହଣ କରିପାରୁନି। ଆଛା, ନାରୀ ସୁଲଭତା ଅଛିବୋଲି ଲେଖକଟିଏ କଣ ଲେଖିକା ସଂସଦର ସଦସ୍ୟ ହୋଇଯିବ? ଏସବୁ ଶୋଭନୀୟ ହେଉନି। ତମେ ଆଉ ତମର କେତେଜଣ ବନ୍ଧୁ ଲୋଭରେ ଏସବୁ ପଦପଦବୀ ଛାଡି ନପାରି ଏମିତିଆ ଗାଲୁଆମି କରୁଚ ଯାହା।

ବାପା ଏଥର ମୁଚୁକୁନ୍ଦ ମାରି କହିଲେ- ଅସଲ କଥାଟି ତୁ କେମିତି ଜାଣିଲୁ କିରେ? ସତକଥା ହେଲା ଆମେମାନେ ଏ ଅନୁଷ୍ଠାନଟିକୁ ଗଢିବା ପରେ ଏମିତି ଜୋସ୍‌ରେ ଘଣିହୋଇ ବୁଲିଲୁ ଯେ ଏଇଟା ଗୋଟେ ପରିବାରରେ ପରିଣତ ହୋଇଗଲାଣି। ତେଣୁ ତୁ କହ, ପରିବାର ଛାଡି ଯିବାକୁ କିଏ କଣ ମନ କରେ?

ସିଏ କହିଲା- ଯଦି ଏମିତି କଥା, ବୟସ ହେଲା ପରେ ଅନୁଷ୍ଠାନର ନାଆଁଟିକୁ ବଦଳେଇ ଦେଲନି?

ବାପା କହିଲେ- ନାଆଁଟି ତ ପ୍ରସିଦ୍ଧି ଅର୍ଜନ କରିଛି। ତା ଛଡା ମଦରେ ପାଣି ମିଶେଇଲା ପରି ଆମେ ମଝିରେ ମଝିରେ ତୋ ବୟସର ଦଳେ ଅର୍ଦ୍ଧବୃଦ୍ଧଙ୍କୁ ଏଥିରେ ମିଶେଇ ଅଭିଯୋଗ ଗୁଡାକୁ ପାଣି ଫଟେଇ ଦେଇଛୁ।

ସିଏ ପୁଣି ପଚାରିଲା- ବାପା, ଏଡେବଡ ସାହିତ୍ୟ ସମୃଦ୍ଧ ରାଜ୍ୟରେ ଏକଥାକୁ କେମିତି କେହି ବି ଯୁବ ଲେଖକ ପାଟି ଫିଟେଇ ବିରୋଧ କରୁନାହାନ୍ତି?

ବାପା କହିଲେ- ଏଠି କିଏ ଯୁବକ ଅଛିକି? ଏଠି ତ ଯୁବ ପୁରସ୍କାର ପାଆନ୍ତି ବୃଦ୍ଧମାନେ, ଅନ୍ୟ ରାଜ୍ୟକୁ ସାହିତ୍ୟ ଚର୍ଚ୍ଚା ଓ ପରିଭ୍ରମଣ ପାଇଁ ଯାଆନ୍ତି ବୃଦ୍ଧମାନେ, ଆନୁଷ୍ଠାନିକ ଯୁବ କବିତା ଆସରରେ ଆସନ ଜମେଇ ବସନ୍ତି ବୃଦ୍ଧମାନେ। ଆମେ କୈାଶଳ କରି ଏମିତି ଜଗିଦେଇଛୁ ଯେ ଯୁବକଟିଏକୁ ମାଇକିଟେ ମିଳିବାର ସୁଯୋଗ ସୃଷ୍ଟି ହେଲେ ସିନା ସିଏ କହିବ! ତା ଛଡା ମଝିରେ ମଝିରେ ପୁରସ୍କାର ପାଇ ମିଡିଆରେ ଚର୍ଚ୍ଚିତ ହେବା ଦ୍ୱାରା ଆମେ ବୟସକୁ ଭୁଲି ଯାଉ। ଏ ସବୁ ପରେ ମଧ୍ୟ ଯିଏ ଖଣ୍ଡେପଟେ ପାଟି ଫିଟାନ୍ତି ଆମର ଗୋଡାଣିଆ ଓ ବୋକଚାବୁହା ମାନେ ତାକୁ ଗାଳିମନ୍ଦ କରି ଚପେଇ ଦିଅନ୍ତି।

ସିଏ କହିଲା- ବାପା, ଏସବୁ କିନ୍ତୁ ସୁନ୍ଦର ହେଉନି। ଆମ ଭାଷା ଓ ସାହିତ୍ୟର ପ୍ରସାର ତଥା ପ୍ରକୃତ ଯୁବଲେଖକ ମାନଙ୍କୁ ସୁଯୋଗ ଦେବାପାଇଁ ତମେ ମାନେ ଏ ପଦପଦବୀ ଛାଡିଦେଇ ସମ୍ମାନର ସହ ଏହାକୁ ଉପଦେଶ ଦେଲେ ସିନା ଶୋଭା ଦିଶନ୍ତା!

ବାପା କହିଲେ- ଆମେ ବି ସେୟା ଠିକ୍ କରିଛୁ। ଏଥର ଯୁବକ ମାନଙ୍କ ହାତରେ ଯୁବ ଲେଖକ ସଂଘକୁ ଟେକି ଦିଆଯିବ। ଆମେ ଢେର୍ ଦିନ କଲୁ, ଏଥର ନିଅନ୍ତୁ ସେମାନେ ସମ୍ଭାଳନ୍ତୁ। ସଭାପତି, ସମ୍ପାଦକ କିଏ ହେବେ ନାଆଁ ବି ଠିକ୍ ହୋଇସାରିଛି।

ସିଏ ବାପାଙ୍କର କଥାଶୁଣି ଖୁସିରେ ତାଳି ବଜେଇ କହିଲା- ବାଃବାଃ ବଢିଆ ହେବ। ସେମାନେ ତ ଯୁବକ ହୋଇଥିବେ ନିଶ୍ଚୟ! ଆଛା ବାପା, ଏ ନୂଆ ସଭାପତି, ସମ୍ପାଦକଙ୍କର ଆନୁମାନିକ ବୟସ କେତେ ହେବ?

ବାପା କହିଲେ- ବେଶିନାଇଁ, ଜଣକୁ ଛପନ ଆଉ ଜଣକୁ ବାଉନ ବର୍ଷ!

Leave a Reply

Your email address will not be published. Required fields are marked *