- ରମ୍ୟ ରଚନାକାରଙ୍କ କଲମରୁ ସମାର୍ଜନୀର ଏକ ନିଆରା ରୂପ ।
![](https://www.sahityacharcha.com/wp-content/uploads/2021/02/Ajay-Mahalla-12.jpg)
ଭଉଣୀ କୁନି ତା ଶାଶୁଘରେ ନିର୍ଯ୍ୟାତିତ ହେଲା ପରେ ମୁଁ ଉତ୍କଳ ପ୍ରାନ୍ତରେ ବ୍ୟବହାର ହେଉଥିବା ବିଭିନ୍ନ ଝାଡୁ ବିଷୟରେ ଜାଣିବାକୁ ହଠାତ ଉତ୍ସୁକ ହୋଇ ପଡ଼ିଥିଲି। ଶେଷରେ ଏହାର ସୁଫଳ ମିଳିଲା। ଏବେ କୁନି ତା ଶାଶୁଘରେ ଖୁସିରେ ଅଛି। ମୁଁ ଝାଡୁ ବିଷୟରେ ସଂଗ୍ରହ କରିଥିବା ତଥ୍ୟ ଏଠାରେ ରଖୁଛି, ହୁଏ ତ ଆଉ କାହା କାମରେ ଲାଗିବ।
ଫୁଲ ଝାଡୁ : ଏଇଟା ଫୁଲ ଝାଡୁ। ଜଙ୍ଗଲରୁ ଟ୍ରକ ଟ୍ରକ ବୋଝେଇ କରି ନେଇ କମ୍ପାନୀମାନେ ପ୍ଲାଷ୍ଟିକ ହ୍ୟାଣ୍ଡଲ ଲଗେଇ ବ୍ରାଣ୍ଡିଙ୍ଗ କରି ବିକୁଛନ୍ତି। କିଣିବାକୁ ଗଲେ ପଇସା ଟିକେ ଅଧିକା ପଡିବ। ଏହାର ଲମ୍ବା ହ୍ୟାଣ୍ଡଲ ଅନେକ ପ୍ରୟୋଗ ପାଇଁ ସୁବିଧାଜନକ। ହ୍ୟାଣ୍ଡଲ ଲମ୍ବା ଥିବାରୁ ଡେଙ୍ଗା ପତିଙ୍କୁ ସହଜରେ ପିଟି ହେବ। ଦରକାର ପଡିଲେ ଝାଡୁ ପଟ ଧରି ହ୍ୟାଣ୍ଡଲରେ ସ୍ୱାମୀଙ୍କୁ ପିଟି ହେବ। ଏହା ବେଶୀ ଜାଗା ମାଡି ବସେନା। ଏହାକୁ ଘର କୋଣରେ ଡେରି ରଖିହେବ।
ବ୍ୟବହାର ବିଧି: ପ୍ରୟୋଗ କରିବା ପୂର୍ବରୁ ଗୋଟିଏ ଜାଗାରେ ପିଟି ଶୁଖିଲା ଗୁଣ୍ଡପରି ଝଡି ପଡୁଥିବା ଶୁଖିଲା ଫୁଲ ସବୁକୁ ଝାଡ଼ିଦେବେ।ଏପରି ଝାଡୁକୁ ଅନାବଶ୍ୟକ ଓଦା କରିବେ ନାହିଁ।
![](https://www.sahityacharcha.com/wp-content/uploads/2022/03/Lady-with-Broom-4.png)
ଫୁଲ ଝାଡୁର ଅନ୍ୟ ବ୍ୟବହାର: ଖଟ ତଳକୁ ହାତ ନ ପାଉଥିଲେ ଫୁଲଝାଡୁଦ୍ୱାରା ସହଜରେ ଝାଡୁ କରି ହୁଏ। ଖଟ ତଳକୁ ଗଡ଼ି ଯାଇଥିବା କଏନ, ପଙ୍ଖାରେ ଉଡି ଯାଇଥିବା କାଗଜ ଗହୀର ଅନ୍ଧାରୁଆ ଜାଗାରୁ ଏହାଦ୍ୱାରା ଉଦ୍ଧାର କରି ହୁଏ। କାନ ଭିତର କୁଣ୍ଡାଇ ହେଉଥିଲେ ନୂଆଝାଡୁରୁ ଛୋଟ ଛୋଟ ଖଣ୍ଡ ଭାଙ୍ଗି କାନରେ ପୂରେଇଲେ ଆନନ୍ଦ ମିଳେ ଓ କଷ୍ଟ ଉପଶମ ହୁଏ।
ମାର୍ବଲ ଓ ଖସଡ଼ା ଘର ଝାଡୁ ପାଇଁ ଉତ୍ତମ।
ଗୋଟାକର ମୂଲ୍ୟ ୭୦ ଟଙ୍କା।
ଦେଶୀ ଖଜୁରୀ ଝାଡୁ: ସ୍ଥାନୀୟ କଥିତ ଭାଷାରେ ଦକ୍ଷିଣୀ ଝାଡୁ ବା ଶାନ୍ତି ସମାର୍ଜନୀ କହନ୍ତି। କନ୍ଧମାଳ ଓ କୋରାପୁଟର ଗ୍ରାମ୍ୟହାଟରୁ ସଂଗୃହିତ। ଏଥିରେ ଫୁଲଝାଡୁ ପରି ପ୍ଲାଷ୍ଟିକର ବ୍ୟବହାର ଦରକାର ପଡେନି। ଦୂରରୁ ଦେଖିଲେ ଗାହଣଙ୍କ ଚାମର ପରି ଲାଗେ। ଏହା ଦ୍ୱାରା ମାଡ଼ ମାରିଲେ ସ୍ୱାମୀଙ୍କୁ କୁତୁକୁତୁ ଲାଗିବ। ସେଥିପାଇଁ ଛୋଟ ମୋଟ ଆରୋପ ପାଇଁ ଏପରି ବ୍ୟବହାର କରିହେବ। ସାମୟିକରୂପେ ବିଗିଡିଯାଇଥିବା ସ୍ୱାମୀଙ୍କୁ ସୁଧାରିବା ପାଇଁ ଉତ୍ତମ।
![](https://www.sahityacharcha.com/wp-content/uploads/2022/03/Khajuri-Jhadu-4.jpg)
ଅନ୍ୟ ବ୍ୟବହାର:
ଏହି ଝାଡୁ ପୁରାତନ ମାଟି ଘର ପାଇଁ ଉତ୍ତମ। ଫୁଲ ଝାଡୁପରି ସହଜରେ ଭାଙ୍ଗି ଯାଏ ନାହିଁ। ଘରେ ଚୁନ କିମ୍ବା ଚାଉଳ ଚୁନା ଝୋଟି ପାଇଁ ପେଣ୍ଟ ବ୍ରଶ କାମ କରେ। ମାଟି କାନ୍ଥକୁ କ୍ଷତି ପହୁଞ୍ଚାଏ ନାହିଁ। ଚୌଡା ହୋଇଥିବାରୁ ଧାବମାନ ମୂଷାଙ୍କୁ କାବୁ କରିବାରେ ସାହାଯ୍ୟ କରେ।
ପ୍ରତ୍ୟେକର ବଜାର ମୂଲ୍ୟ: ୩୭ ଟଙ୍କା।
ବଣ ଖଜୁରୀ ଝାଡୁ:
ଏହା ବଣ ଖଜୁରୀ ଝାଡୁ। ଉଦଣ୍ଡ ସମାର୍ଜନୀ। କେତେକ ଏହାକୁ ଚିରୁଗୁଣି ବା ପିଶାଚୁଣୀ ଝାଡୁ କହିଥାନ୍ତି। ଫୁଲ ଝାଡୁ ଆଉ ଶାନ୍ତି ସମାର୍ଜନୀଠାରୁ ଅପେକ୍ଷାକୃତ ଛୋଟ ହ୍ୟାଣ୍ଡଲ। ପତ୍ର ରୁକ୍ଷ ଆଉ କର୍କଶ। ବ୍ୟବହାର ହେଲାପରେ ଝାଡୁ କ୍ରମଶଃ ନରମ ହୋଇଯାଏ। ଏହାଦ୍ୱାରା ଅଳ୍ପ ଉଚ୍ଚତା ଥିବା ସ୍ୱାମୀଙ୍କୁ ପିଟି ଅଳ୍ପ ସମୟରେ ଧରାଶାୟୀ କରିହେବ। ଫକୀରମୋହନଙ୍କ ପେଟେଣ୍ଟ ମେଡ଼ିସିନ ଗଳ୍ପରେ ଏହି ସମାର୍ଜନୀ ବ୍ୟବହାର ହୋଇଥିଲା ବୋଲି ବିଶେଷଜ୍ଞମାନେ କହନ୍ତି। କିମ୍ବଦନ୍ତୀ ହିସାବରେ ଏହାର ପ୍ରାଚୀନତମ ପ୍ରୟୋଗ ଭାରତବର୍ଷରେ ହୋଇଥିଲା। କାଳିଦାସଙ୍କ ପତ୍ନୀ ବିଦ୍ୟାବତୀ କାଳିଦାସଙ୍କ ଉପରେ ଏହାର ପ୍ରୟୋଗ କରିଥିଲେ।
ବ୍ୟବହାର ବିଧି : ସ୍ୱାମୀଙ୍କ ଉପଚାର ପୂର୍ବରୁ ଏହା ପଛପଟେ ପତ୍ନୀ ନିଜର ମୁଖ ଚନ୍ଦ୍ରମା ଲୁଚାଇ ରଖିବେ। ଚନ୍ଦ୍ରମାରୁ ଗ୍ରହଣ ଧୀରେ ଧୀରେ ଛାଡିବା ପରି ନିଜେ ପ୍ରକଟ ହୋଇ ସ୍ୱାମୀଙ୍କ ଉପରେ ଝାଡୁବର୍ଷା କରି ଚାଲିବେ।
ଅନ୍ୟ ବ୍ୟବହାର: ସିମେଣ୍ଟ ପକ୍କାଘର ପାଇଁ ଉପଯୁକ୍ତ। ଗୁଣୀ ଗାରେଡି ପାଇଁ ଏହି ଝାଡୁ ବ୍ୟବହୃତ ହୋଇଥାଏ। ପିଲାମାନେ ଡରିଲେ କେବଳ ଏହି ଝାଡୁରୁ ପତ୍ର ଛିଣ୍ଡାଇ ବେକରେ ବନ୍ଧା ଯାଇଥାଏ। ବିବାହିତା ନାରୀଙ୍କ ଉପରେ କାହାର ନଜର ନ ପଡିବା ପାଇଁ ଶାଶୁମାନେ ଏହାକୁ ବୋହୂଙ୍କ ବେକରେ ବାନ୍ଧି ଦେଉଥିଲେ। ପରକୀୟା ପ୍ରୀତି, ମଦ, ଜୁଆ ଆଉ ଶେୟାର ମାର୍କେଟ ଖେଳିବା ପରି ପୁରୁଣା ନିଶା ଛଡାଇବାରେ ଏହା ସକ୍ଷମ।
ଚେତାବନୀ: ଏହା ପରିଜନ ମାନଙ୍କୁ ଲୁଚାଇ କରିବା ବିଧେୟ। ପିଲାମାନଙ୍କ ସ୍କୁଲ ନ ଯାଇଥିଲାବେଳେ ଏହାର ପ୍ରୟୋଗ ବାଞ୍ଛନୀୟ ନୁହେଁ। “ବାପା ଲୋ ବୋଉ ଲୋ’ ପାଞ୍ଚ ଥର କହିଲା ପରେ ଏହାର ପ୍ରୟୋଗ ତୁରନ୍ତ ବନ୍ଦ କରି ଦେବା ଉଚିତ।
ବଜାର ମୂଲ୍ୟ: ୧୦୦ ଟଙ୍କାରେ ୪ ଗୋଟି।
ନଡିଆ ଝାଡୁ:
ନଡ଼ିଆ ବାହୁଙ୍ଗାରୁ ପିଂଛ ବା ଖଡିକା କାଠି ଏକତ୍ର କରି ନଡ଼ିଆ ଝାଡୁ ତିଆରି କରାଯାଇଥାଏ। ସବୁଠୁଁ ଲୋକପ୍ରିୟ ନାଆଁ “ପହଁରା’। ସୁନା ଖଡିକାରେ ତିଆରି ପହଁରାରେ ଜଗନ୍ନାଥ ମହାପ୍ରଭୁଙ୍କ “ଛେରା ପହଁରା’ ହୋଇଥାଏ। ଏହା ମୁଖ୍ୟତଃ ଆଉଟଡୋର ବ୍ୟବହାର ପାଇଁ। ଘର ବାହାରର ପଥୁରିଆ ଆଉ କର୍କଶ ଅଗଣା ପାଇଁ ବ୍ୟବହାର କରାଯାଇଥାଏ। ସକାଳେ ମାଆମାନେ ପହଁରା ଝାଡୁ କଲାବେଳେ ଏହାର “ଖଅର ଖଅର’ ଶବ୍ଦ ଶୟନରତ ଅନ୍ୟ ପୁରୁଷ ସଦସ୍ୟମାନଙ୍କ ପାଇଁ ସକାଳ ହୋଇଗଲା ବୋଲି ଅଲର୍ମ ଘଡିର ପୂର୍ବ ରୂପ କହିଲେ ଭୁଲ ହେବନି।
କୁକୁର, ଚଣ୍ଡାଳ ଓ ଦୁଷ୍ଟ ମାନଙ୍କୁ ଘଉଡ଼ାଇବାକୁ ଏହାର ପ୍ରୟୋଗ କରା ଯାଇଥାଏ। ଖଡିକା ସଂଗ୍ରହ କରିବା କଷ୍ଟକର ବ୍ୟାପାର ହୋଇଥିବାରୁ ଏ ପ୍ରକାର ଝାଡୁର ମୂଲ୍ୟ ସର୍ବାଧିକ।
ଅନ୍ୟ ପ୍ରୟୋଗ: ଖଡିକା କାଠି ସରୁଆ, ଶକ୍ତ ଓ ମୁନିଆଁ ହୋଇଥିବାରୁ ଏହାର ଅନେକ ପ୍ରୟୋଗ ଅଛି। ଝିଅମାନେ ନାକ କାନ ଫୋଡାଇଲା ପରେ ଛିଦ୍ର ବନ୍ଦ ନ ହୋଇଯାଉ ସେଥିପାଇଁ ନିମ କାଠି ଅବା ଖଡିକାର ପ୍ରୟୋଗ କରିଥାନ୍ତି। ରଜପର୍ବ ପାଇଁ ଗୁଡି ତିଆରି କଲାବେଳେ ପୁଅ ପିଲାମାନେ ପହଁରାରୁ ଖଡିକା ଭାଙ୍ଗି ଥାଆନ୍ତି। କାଠଖଟ ଫାଙ୍କରେ ଛାରପୋକ ଲୁଚିଥିଲେ ପିଂଛ ପୂରାଇ ସେମାନଙ୍କୁ ସେମାନଙ୍କ ଗୋପନ ସ୍ଥାନରୁ ବାହାରକୁ ବାହାରିବାକୁ ବାଧ୍ୟ କରା ଯାଉଥିଲା। ଦହିବରା ପାଇଁ ପତ୍ର ଠୋଲା ତିଆରି କରିବାରେ ବି ପିଂଛ କାଠି ବ୍ୟବହାର ହୋଇଥାଏ।
ଚେତାବନୀ: ଏହାକୁ ନିଜ ପ୍ରିୟ ଲୋକଙ୍କ ଉପରେ ବ୍ୟବହାର କରିବା ସର୍ବାଦୌ ବର୍ଜିତ। ବିଦ୍ୱାନଙ୍କ ମତ ଅନୁସାରେ ସମାର୍ଜନୀର ପ୍ରୟୋଗ ମାନସିକ ଉପଚାର ପାଇଁ, କୌଣସି ଶାରୀରିକ କ୍ଷତି ପହଞ୍ଚାଇବା ନୁହେଁ।
ବଜାର ମୂଲ୍ୟ: ୮୦ ଟଙ୍କା।
ବି.ଦ୍ର : ଗଳ୍ପରେ ଦିଆଯାଇଥିବା ତଥ୍ୟ ଲେଖକଙ୍କ ସଂପୂର୍ଣ୍ଣ ନିଜର। ପ୍ରତ୍ୟେକ ଭଉଣୀ ନିଜର ବୁଦ୍ଧି ବିବେକ ହିସାବରେ କାମ କରିବେ। କିଛି ଦୁଷ୍ପରିଣାମ ଆସିଲେ ଲେଖକ ଦାୟୀ ନୁହେଁ।
🤣🤣🤣🤣🤣🤣
Thank you!💐
Funny . Spreads pleasure through pure humour. We need more of this variety , which is in short supply
Thank you, Satya for this esteemed opinion!💐💐