- ଆମ ଭାଷାରେ ହାଣ୍ଡିକୁ ନେଇ ଅନେକ ଢ଼ଗଢ଼ମାଳି, ବୋଲି-ବଚନମାନ ସୃଷ୍ଟି ହୋଇଛି।
ଆମ ସଂସ୍କୃତିରେ ହାଣ୍ଡି ଏକ ଅତ୍ୟାବଶ୍ୟକ ଲୋକୋପକରଣ। ପାରମ୍ପରିକ ସାମାଜିକ ବ୍ୟବସ୍ଥାଠାରୁ ଚଳନ୍ତି ସମୟ ପର୍ଯ୍ୟନ୍ତ ଏହାର ବ୍ୟବହାର ରହିଥିବା ଦେଖାଯାଏ। ‘ହାଣ୍ଡି’- ଅର୍ଥ ହେଉଛି ମାଟିର ଚଉଡାମୁହଁ ଧାନ ପାତ୍ର। ଆକାର ଓ ପ୍ରକାର ଦୃଷ୍ଟିରୁ ଏହା ଭିନ୍ନ ଭିନ୍ନ ହୋଇଥାଏ। ବୃହତ୍ତମ ହାଣ୍ଡି ନଉତା ଓ କ୍ଷୁଦ୍ରତମ ହାଣ୍ଡି ହେଉଛି ଆଟିକା। ପୁଣି ତାଡିଆ, କୁଡୁଆ, ଓଳି, ବଢ଼ା ଇତ୍ୟାଦି ଭେଦରେ ଛୋଟ ହାଣ୍ଡିର ବିଭିନ୍ନ ରୂପ ରହିଛି। ଆମ ପାରମ୍ପରିକ ସଂସ୍କୃତି ସହିତ ବିଭିନ୍ନ କିସମର ହାଣ୍ଡିର ସମ୍ବନ୍ଧ ରହିଆସିଛି। ହାଣ୍ଡିକୁ ନେଇ ମଧ୍ୟ ବିଭିନ୍ନ ଢ଼ଗଢ଼ମାଳି, ବୋଲି-ବଚନମାନ ସୃଷ୍ଟି ହୋଇଛି। ତେବେ ହାଣ୍ଡିକୁ ନେଇ ଗଢ଼ି ଉଠିଥିବା ଏକ ଲୋକୋକ୍ତି ଅନ୍ତରାଳରେ ରହିଛି ଆମ ଚଳଣି, ଆମ ଆଚାର-ବିଚାର ଏବଂ ଆମର ବ୍ୟବସ୍ଥା। ଏଠାରେ ତନ୍ମଧ୍ୟରୁ ସୀମିତ କେତୋଟିକୁ ବିଚାର କରାଯାଇପାରେ। ଯଥା:
‘ଅମୃତ ହାଣ୍ଡିରେ ବିଷ କଣିକାଏ’ – କଣିକାଏ ବିଷ, ହାଣ୍ଡିକ ଅମୃତକୁ ବିଷାକ୍ତ କରିଥାଏ। ସକଳ ମଧୁର ସମ୍ପର୍କକୁ ପଦେ ମାତ୍ର କଟୂବଚନ ନଷ୍ଟ କରିଥାଏ।
‘ଭାତହାଣ୍ଡିରୁ ଗୋଟିଏ ଚିପିବା’ – ଭାତ ରନ୍ଧା ସମୟରେ ଗୋଟିଏ ଭାତକୁ ଚିପି ଦେଲେ ହାଣ୍ଡିକ ଭାତର ଅବସ୍ଥା ଆକଳିତ ହୋଇପାରେ। ସେଇଭଳି କୌଣସି ଗ୍ରାମ, ପରିବାର ସମ୍ପର୍କରେ ଆକଳନ କରାଯିବା ସମୟରେ ଏଇ ଦୃଷ୍ଟାନ୍ତ ଦିଆଯାଏ।
‘ସହସ୍ର ହାଣ୍ଡିକୁ ଗୋଟିଏ ଠେଙ୍ଗା’- ଗୋଟଏ ମାତ୍ର ଠେଙ୍ଗା ପାହାରରେ ବହୁ ସଂଖ୍ୟକ ହାଣ୍ଡି ଭାଙ୍ଗିଯାଏ। ସେମିତି ଜଣେ ବଳିଷ୍ଠ ବୀର୍ଯ୍ୟବନ୍ତ ମଣିଷ, ଅନେକ ନିର୍ବଳଙ୍କୁ ଧ୍ୱଂସ କରି ଦେଇପାରେ।
‘ହାଣ୍ଡି ମୁହଁରେ ଉଖୁଡା’ – ହାଣ୍ଡି ମୁହଁରେ ସାମାନ୍ୟ ଉଖୁଡା ରଖାଯାଇ ଉଖୁଡା ହାଣ୍ଡିର ଭ୍ରମ ସୃଷ୍ଟି କରାଯାଏ। ତେଣୁ ସାମାନ୍ୟ ଦ୍ରବ୍ୟ ଉପରେ ରଖି, ଅଭ୍ୟନ୍ତରର ସମସ୍ତ ମନ୍ଦକୁ ଢ଼ାଙ୍କି ଦିଆଯାଏ।
‘ହାଣ୍ଡି ଭିତରେ ସରାଟିଏ’ – ହାଣ୍ଡିର ଆକାରଠାରୁ ସରା କ୍ଷୁଦ୍ରାକାୟ। କ୍ଷୁଦ୍ରକାୟ ସତ୍ତାକୁ ହାଣ୍ଡି ଭାବରେ ଗଣନା କରିବା ଅର୍ଥ, ଦାରିଦ୍ୟ ପୀଡିତକୁ ଧନୀ ଭାବରେ ଗଣନା କରିବା।
‘ଆଟିକା ମୁହଁରେ ମାଇପ ମରେ’ – ଆଟିକା କ୍ଷୁଦ୍ରକାୟ, ଏଥିରେ ଅଳ୍ପ ପରିମିତ ଖାଦ୍ୟ ରନ୍ଧାଯାଏ। ମାତ୍ର ଯେଉଁ ପୁରୁଷ, ଆଟିକାକୁ ଲୋଭ କରିଥାଏ, ତା’ ସ୍ତ୍ରୀ ବିନା ଭୋଜନରେ ଉପବାସ ରହିବା ସାର ହୁଏ।
‘ହାଣ୍ଡିରେ ଖାଏ, ଗୋଡରେ ପଡିଲେ ଗାଧୋଇଯାଏ’ – କିଛି ବ୍ୟକ୍ତିଙ୍କ ଆଚରଣ ପ୍ରତି ଏହା ତୀବ୍ର ବ୍ୟଙ୍ଗ। ହାଣ୍ଡିଖିଆ ଲୋକଟି ଗୋଡରେ ଅଇଁଠା ପଡିଲେ ସ୍ନାନ କରିବା ନ୍ୟାୟ। ଅତି ଅତ୍ୟାଚାରୀର ଲୋକ ଦେଖାଣିଆ ବାହ୍ୟାଚାରୀତାକୁ ଏହା ଇଙ୍ଗିତ କରିଥାଏ।
‘ହାଣ୍ଡିରେ ଚାଉଳ ପକାଇବା’ – ସାଧାରଣତଃ ହାଣ୍ଡିରେ ଚାଉଳ ପକାଇ ପାକଳରେ ଭାତ ରନ୍ଧାଯାଏ। ବାହାଘର ସମୟରେ ଯାହା ହାଣ୍ଡିରେ ଯିଏ ଚାଉଳ ପକାଇବା ପ୍ରସଙ୍ଗରେ ବର କାହା ପାଇଁ ଯିଏ ବର ତାହା ଜଣାପଡେ
‘ହାଣ୍ଡି ଧୁଡୁ ଧୁଡୁ କଲା’ – ଶିଶୁ ଗଳ୍ପରେ କଥକ କହେ ବଳିଆ ବଳଦ ଗଲାରେ ହାଣ୍ଡି ଧୁଡୁ ଧୁଡୁ କଲାରେ। ହାଣ୍ଡିଖିଆ ପ୍ରକୃତିର ଲୋକେ ଛପେଇ ଖାଦ୍ୟ ଖାଇବା ବେଳେ ହାଣ୍ଡି ସହିତ ହାଣ୍ଡି ବାଜି ଧୁଡୁ ଧୁଡୁ ଶବ୍ଦ ହୁଏ।
‘ହାଣ୍ଡିକି ତେଙ୍ଗେଡା ଅନୁତାଣ’– ହାଣ୍ଡିର ତଳପଟ ବର୍ତ୍ତୁଳକାର, ତେଣୁ ତାକୁ ହାଣ୍ଡି ଶାଳରେ ମାପ ଅନୁଯାୟୀ କରାଯାଇଥିବା ମାଟି ଖାଇବା ତେଙ୍ଗେଡାରେ ରଖାଯାଏ। ମାତ୍ର ବଡହାଣ୍ଡି ବସାଇବା ପାଇଁ ତେଙ୍ଗେଡା କ୍ଷୁଦ୍ର ହେଲେ ଏପରି କୁହାଯାଏ। ବିପୁଳ ସଂପଦକୁ ସଂରକ୍ଷଣ କରିବା ପାଇଁ ସୀମିତ ବ୍ୟବସ୍ଥା କ୍ଷେତ୍ରରେ ଏପରି ଉକ୍ତି ଚଳେ।
‘ହାଣ୍ଡିମାରା ହେବା’ – ଆମ ଚଳଣିରେ ଛୁତକ ବା ମୃତକ ଅଶୌଚରେ ହାଣ୍ଡି ମାରା ହୁଏ। ରଜସ୍ୱଳା ନାରୀକୁ ତିନିଦିନ ପାଇଁ ହାଣ୍ଡିଶାଳ ବାରଣ ଥାଏ। କୁକୁରାଦି ପ୍ରବେଶ କଲେ ହାଣ୍ଡି ମାରା ହୁଏ। ଛୁଆ ଲୁଗା ରାତ୍ର ଶୟନ ବସ୍ତ୍ର ପିନ୍ଧି, ହାଣ୍ଡି ଛୁଇଁଲେ ହାଣ୍ଡି ମାରାହୁଏ। ଏସବୁ ଭିତରେ ଓଡ଼ିଆ ସଂସ୍କୃ୍ତିର ସୂଚୀତାକୁ ମାନ୍ୟ ଦିଆଯାଇଥିବା ଲକ୍ଷ୍ୟ କରାଯାଏ। ପାକଶାଳାର ସୂଚୀତାକୁ ଅତି ଗୁରୁତ୍ୱର ବିବେଚନା କରି ଏପରି କୁହାଯାଇଛି।
‘ହାଣ୍ଡି ପଶିଚି ପଣେ, ଧୋଇବା ପାଇଁ କି ଜଣେ’ – ବହୁ କୁଟୁମ୍ବୀ ପରିବାରର ପାକଶାଳାରେ ବହୁ ସଂଖ୍ୟକ ହାଣ୍ଡି ରହିଥାଏ। ମାତ୍ର ଏହାକୁ ଧୁଆ ଧୋଇ କରିବା ଦାୟିତ୍ୱ ସାନ ବୋହୂ ଉପରେ ନ୍ୟସ୍ତ ଥାଏ। କୁଟୁମ୍ବୀ ପରିବାରରେ ଏତାଦୃଶ କାର୍ଯ୍ୟ ଏକ ପ୍ରକାରର ନିର୍ଯ୍ୟାତିତ ଜୀବନର କାରୁଣ୍ୟ ପ୍ରକାଶ କରିଥାଏ।
‘ବିଛା ନାଉ ତ, ହାଣ୍ଡି ଖାଈକୁ ଘରୁ ଘଉଡ’ – ସାଧାରଣତଃ ଟାଉକୀ ଓ ବିଲେଇ ପ୍ରବୃତ୍ତିର ନାରୀଙ୍କ ଅଲକ୍ଷ୍ମୀପଣ ପାଇଁ ତାକୁ ପାରିବାରିକ ଜୀବନରୁ ତଡି ଦେବା, ଆମ ଶାସନ ଶୃଙ୍ଖଳାର ଏକ ଭିନ୍ନ ଦୃଷ୍ଟାନ୍ତ।
‘ଚୁଲିରେ ନ ବସେ ହାଣ୍ଡି, ପୁଅ ମାରୁଥାଏ ଭେଣ୍ଡି’ – ଅତି ଦରିଦ୍ର ପରିବାରର ପୁଅଟି ବାହାରେ ବାହାସ୍ଫୋଟ ପ୍ରଦର୍ଶନ କରିବା ପ୍ରସଙ୍ଗରେ ଏହା ପ୍ରକାଶ କରାଯାଏ। ପଟିବିନ୍ଧା ମାଡ ସହିବ ନାହିଁ, ହାଣ୍ଡିଗଢ଼ା ଭାତ ଖାଇବି ନାହିଁ – ଏହା କୌଣସି ପତି ନିର୍ଯ୍ୟାତିତା ପତ୍ନୀର ସ୍ୱାଗୋତୋକ୍ତି। ହାଣ୍ଡିଶାଳ ଭାତ କରିଲେ ପନତ ଭାତ। ସମ୍ପନ୍ନ ପରିବାରରେ ଭାତ ଖିଆଯାଏ। ମାତ୍ର ମୁଠାଏ ବେତ ଖାଇବା ସେଥିରେ ମା ସ୍ୱୀମୀ ଗୃହରେ ନ ରହିବାର ଘୋଷଣା କରିଛି।
‘ହାଣ୍ଡିଛାଡ ହେବା’ – ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ସମୟର ପାକ ନିଷେଧ ଅବସ୍ଥାର ସୂଚନା।
‘ଭେଣ୍ଡିଆ ସାଙ୍ଗକୁ ଭେଣ୍ଡେଇ ମୁଣ୍ଡେଇଲେ ହାଣ୍ଡି କୁଣ୍ଢେଇ’ – ହାଣ୍ଡିକୁ କୁଣ୍ଢେଇ କରିଲେ ଯାବତୀୟ ପାକ ସରଞ୍ଜାମ। ଯୁବକ ଦରିଦ୍ର ଯୁବଦମ୍ପତ୍ତି, ହାଣ୍ଡିକୁ କୁଣ୍ଢେଇକୁ ନେଇ ସ୍ଥାନରୁ ସ୍ଥାନାନ୍ତର ଘୂରି ବୁଲିବା ପ୍ରଭୃତି ଏହା ଦ୍ୱାରା ସାଂକେତିକ ହେଉଛି।
‘ହାଟରୁ ଆସିଲେ ହାଣ୍ଡିରେ ପଶେ’ – କିଣିଖିଆ ଘରେ ସବୁ ଜିନିଷ ବାହାରୁ କିଣିଲେ ରୋଷେଇ ହୁଏ। ଏହା ଅସଂପନ୍ନତାର ସୂଚକ।
‘ପୁଞ୍ଜେ ଚାଉଳରେ ହାଣ୍ଡିଏ ଜାଉ, ଭୁଆସୁଣୀ କେତେ ଖାଇବ ଖାଉ’ – ଅସମ୍ପନ୍ନ ପରିବାରରେ ନବ ବିବାହିତା ବଧୂଟି ଘୋର ଖାଦ୍ୟାଭାବରେ ପୀଡିତ ହୁଏ। ଅଳ୍ପ ଚାଉଳରେ ପାଣି ଭର୍ତ୍ତି କରି ଏକ ହାଣ୍ଡି ପରିମିତ ଜାଉ ପ୍ରସ୍ତୁତ କରାଯିବା ଏହାର ବାସ୍ତବତାକୁ ପ୍ରକାଶ କରିଥାଏ।
‘ଗୁଡ ହାଣ୍ଡିରେ ପିମ୍ପୁଡି ପଡିଛି’ –
‘ଆଟିକାଖାଇକି ଗୁହାଳ ଯୋଗ’
‘ନଉତି ଖାଇକି ନରସିଂହ ଭୋଗ’ – ସ୍ୱଳ୍ପ ଭୋଜିନୀକୁ ବହୁ କଷ୍ଟରେ ଏବଂ ବିପୁଳ ଭୋଜିନୀକୁ ସୁମିଷ୍ଟ ଖାଦ୍ୟ ପ୍ରଦାନ ଏଇ ନ୍ୟାୟରେ ପ୍ରକାଶିତ।
‘ନଉତେ ପଖାଳ ସକାଳୁ ଖାଇ, ଓଦା ପାରିଅଛି ନାନୀ ଅଖାଇ’ – ବହୁ ଭୋଜିନୀ ଅଖାର ଦାନୀ ନଉତି ପରିମାଣର ପଖାଳ ସେବନ କରି ଓଷା ପାଳନ କରିବା ପ୍ରସଙ୍ଗକୁ ଏଠାରେ ଇଙ୍ଗିତ କରାଯାଇଛି।
‘ହାଣ୍ଡିଏ ଖାଇକି ମାଣ୍ଡିଏ ମଣ୍ଡା, ଗାଁ ମୁଣ୍ଡେ ଦେଖାଏ ଭେଣ୍ଡା’ – ମାଣ୍ଡିଆ ଚୂନାରେ ତିଆରି ଗଣ୍ଡା ଭଳି ସାଧାରଣ ଖାଦ୍ୟ ଖାଇ ଗାଁ ମୁଣ୍ଡରେ ଭେଣ୍ଢା ଫୁଟାଣି ମାରିବା ଘଟଣା ଏଠାରେ ବ୍ୟଞ୍ଜିତ।
‘ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି’ – ଏହା ଚିନ୍ତା ଗ୍ରସ୍ତ ମଣିଷ କ୍ଷୀଣ ହେବା ପ୍ରସଙ୍ଗ ପରି ଲୁଣ ହାଣ୍ଡିକୁ ଜୀର୍ଣ୍ଣଶୀର୍ଣ୍ଣ କରିବା ଘଟଣା ସହିତ ତୁଳିତ ହୋଇଛି।
ଏଇ କ୍ରମରେ ବିଚାର କରି ବସିଲେ ହାଣ୍ଡି, ନଉତି, ଆଟିକାକୁ ନେଇ ଅନେକ ପ୍ରକାରର ଲୋକ ଢ଼ଗ, ଲୋକ ବୋଲି ଗଢ଼ି ଉଠିଥିବା ଲକ୍ଷ୍ୟ କରାଯାଏ। ତେବେ ହାଣ୍ଡିର ସାହିତ୍ୟିକ ଦିଗ ଠାରୁ ଏହାର ସାଂସ୍କୃତିକ ଦିଗଟି ଅଧିକତ ଭାବରେ ଆମ ପରମ୍ପରା ପ୍ରତି ଦୃଷ୍ଟି ଆକର୍ଷଣ କରିଥାଏ। ଏବେ ହାଣ୍ଡି ସ୍ଥାନରେ ଆଲୁମିନିୟମ ପାତ୍ର ପ୍ରଚଳିତ ହେଉଛି। ଆମର ଦୈନନ୍ଦିନ ଜୀବନରେ ଅତୀତରେ ମୁଢ଼ି, ଚୂଡା, ମୁଗ, କୋଳଥ ଇତ୍ୟାଦି ଭାଜିବା ପାଇଁ ଭଜା ଭଜି ହାଣ୍ଡି, ଗୋରୁକୁ ତୋରାଣି ଦେବା ପାଇଁ ତୋରାଣି ହାଣ୍ଡି, ଘରଦ୍ୱାର ଲିପା ପୋଛା କରିବା ପାଇଁ ମାଟି ଗୋବର ହାଣ୍ଡି, ଧାନ ଉସେଇଁବା ପାଇଁ ଧାନ ଉଷୁଆଁ ହାଣ୍ଡି, ପାଉଁଶ ନେବା ପାଇଁ ପାଉଁଶ ହାଣ୍ଡି, କାଞ୍ଜି ତିଆରି ପାଇଁ କାଞ୍ଜିପାଣି ହାଣ୍ଡି, ଖିରି କରିବା ପାଇଁ ଖିରି ହାଣ୍ଡି ପ୍ରଭୃତି ସ୍ୱତନ୍ତ୍ର କ୍ଷେତ୍ର ପାଇଁ ଭିନ୍ନ ଭିନ୍ନ ହାଣ୍ଡି ବ୍ୟବହୃତ ହେଉଥିଲା। ଧର୍ମକାର୍ଯ୍ୟ ପାଇଁ ପଣା ପ୍ରସ୍ତୁତି ନିମିତ୍ତ ପଣା ହାଣ୍ଡି ବ୍ୟବହୃତ ହେଉଥିଲା। ଭାତ ରୋଷେଇ ପାଇଁ ଭାତ ହାଣ୍ଡି, ଡାଲି ତରକାରି ପାଇଁ ତିଅଣ ହାଣ୍ଡି, ଅଟକାଳି ଓ ଜାଉ ପାଇଁ ଜାଉ ହାଣ୍ଡି ଓ ଅଟ୍ଟକାଳି ହାଣ୍ଡି ପ୍ରଭୃତି ବ୍ୟବହୃତ ହେଉଥିଲା।
ବିଶେଷ ଭାବରେ ମୃତ ଅଶୌଚ ସମୟରେ ଛକ ମୁଣ୍ଡରେ ହାଣ୍ଡି ଦିଆଯାଏ। ମୃତକର ଅସ୍ଥି ନିକଟରେ ଅଖଣ୍ଡ ହାଣ୍ଡି ବସାଯାଏ। ଦଶ ଦିନ ଦଶ ହାଣ୍ଡି ବସାଇ ରନ୍ଧନ କରାଯାଏ। ଏକା ଦଶାହରେ ବିସର୍ଜନ ହାଣ୍ଡି ଦିଆଯାଏ। ଦଶ ତୁଠରେ କର୍ତ୍ତା ଦଶ ହାଣ୍ଡି ବାଡେଇ ଜଳ ସ୍ନାନ କରନ୍ତି। ଭୋଜ୍ୟ ପଦାର୍ଥ ହାଣ୍ଡିରେ ରଖି ପୁରୋହିତକୁ ସମର୍ପଣ କରାଯାଏ। ଶୌଚ ହେବା ପରେ ପରେ ପାକଶାଳାର ସମସ୍ତ ମାରା ହାଣ୍ଡିକୁ ଫିଙ୍ଗି ଦେଇ ନୂତନ ପାକ ହାଣ୍ଡି ପ୍ରବେଶ କରାଯାଏ। ପ୍ରତି ଦିନ ପୁଣି ନୂତନ ପାଗ ହାଣ୍ଡି କରାଯାଏ।
ଆମ ସାମାଜିକ ଜୀବନରେ ବିବାହ ଓ ବ୍ରତୋପନୟନ ନିମିତ୍ତ ବିଭିନ୍ନ ପ୍ରକାରର ହାଣ୍ଡିର ବ୍ୟବହାର ଦେଖାଯାଏ। ମଙ୍ଗଳ କୃତ୍ୟରେ ହଳଦୀ, ସିନ୍ଦୂର ଦେଇ ମଙ୍ଗଳ ହାଣ୍ଡି ବସେ, ବ୍ରତ ଘରରେ ଭିକ୍ଷା ହାଣ୍ଡିରେ ଭିକ୍ଷାନ୍ନ ପାକ କରାଯାଏ, ବିବାହରେ ପ୍ରଥମ କରି ନବବଧୂଟି ଚତୁର୍ଥୀ ଦିନ ପାକଶାଳାରେ ପ୍ରବେଶ କରେ- ଯାହା ହାଣ୍ଡି ଛୁଆଁ ଭାବରେ ବିଦିତ। ଏଇ କ୍ରମରେ ଆମର ମାଙ୍ଗଳିକ କାର୍ଯ୍ୟରେ ହାଣ୍ଡିର ବ୍ୟବହାର ରହି ଆସିଛି।
ସଭ୍ୟତାର ଅଗ୍ରଗତି କ୍ରମରେ ସଂସ୍କୃତି ଓ ଚଳଣି ବଦଳିଚି। ମାତ୍ର ଯେତେ ବଦଳିଲେ ମଧ୍ୟ ଆମେ ଆମର ପରମ୍ପରାକୁ ଧରି ରଖିଛେ। ଶ୍ରାଦ୍ଧ, ଶୁଦ୍ଧିଘର, ଇତ୍ୟାଦିରେ ଆମେ ଡେକ୍ଚି ବ୍ୟବହାର କରୁନାହୁଁ। ଯେତେ ଆର୍ଥିକ ସ୍ୱଚ୍ଛଳ ବର୍ଗ ହେଲେ ମଧ୍ୟ, ଏସବୁ କର୍ମରେ ସେଇ ମାଟି ହାଣ୍ଡିର ବ୍ୟବହାର ଏବେ ବି ଚଳି ଆସୁଛି। ବିଭିନ୍ନ ପ୍ରକାରର ହାଣ୍ଡିର ବ୍ୟବହାର ଆମ ଚଳଣିର ସୂଚୀତାରେ ପ୍ରକାଶ। ଗୋଟାଏ ହାଣ୍ଡି ଯେଉଁ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ, ତାହାକୁ ଧୋଇ ମାଜି ଅନ୍ୟ କର୍ମରେ ବ୍ୟବହାର କରିବାର ବାରଣ କରାଯିବା ପ୍ରକୃତରେ ସ୍ୱାଗତଯୋଗ୍ୟ।
କଥାରେ ଅଛି – “ଖପରା ଯୋଡିଲେ ହାଣ୍ଡି ନୁହେଁ, ହାଣ୍ଡି ଭାଙ୍ଗିଲେ ଖପରା ହୁଏ।”
କଥାଟା ନିହାତି ଅନୁଭୂୟମାନ ସତ୍ୟର ଉଦ୍ଘୋଷଣା କରିଥାଏ। ମନ ଫାଟିଗଲେ ଯାହା, ଫଟା ହାଣ୍ଡିରେ କାଦୁଅ ଲେସିବା ତାହା। ସମ୍ପନ୍ନ ପରିବାର ବିଖଣ୍ଡିତ ହେଲେ ଏକକ ପରିବାର ହୁଏ, ଏହା ଖପରା ସହ ସମାନ। ଖପରାକୁ ଅତି ନିମ୍ନ ଦୃଷ୍ଟିରେ ଦେଖାଯାଏ। ସେଥିପାଇଁ କୁହାଯାଏ ‘ଖପରାଖିଆ’ – ଯେ ଖପରା ପାତି ମାଗିଖାଏ। ବିଖଣ୍ଡିତ ପାରିବାରିକ ଜୀବନରେ ତାହା ହିଁ ଫଳ।
‘ହାଣ୍ଡିରେ ଖାଇବା’ – ସର୍ବତ୍ର ଦୂଷଣୀୟ। ଏଥିପାଇଁ ହାଣ୍ଡିରୁ ବାଢ଼ିବା ପାଇଁ ଡଙ୍କା ବା ଅଣକ ରହିଥାଏ। ଖାଦ୍ୟ ବାଢ଼ି ଖାଇବାର ସୂଚୀତା ହାଣ୍ଡିରେ ଖାଇବାରେ ନ ଥାଏ। ହାଣ୍ଡିରେ ଖାଇଲେ ତାହା ଉଚ୍ଚିଷ୍ଟ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟି କୋଣରୁ ତାହା ମଧ୍ୟ ନିନ୍ଦନୀୟ। ଏଣୁ ହାଣ୍ଡିରେ ଖାଇବା ଠାରୁ ବଢ଼ାଯାଏ ଖାଦ୍ୟ ଆହରଣ କରିବାର ଯେଉଁ ଶୁଚିମନ୍ତ ପରମ୍ପରାଟି ଆମ ସଂସ୍କୃତି ବହନ କରି ଆସିଥିଲା, ତାହା ସବୁକାଳ ପାଇଁ ବାରଣୀୟ ନୁହେଁ, ବରଣୀୟ।
ହାଣ୍ଡି – ଓଡ଼ିଆ ଜନଜୀବନରେ ବ୍ୟବହୃତ ଲୋକୋପକରଣର ଅବିଚ୍ଛିନ୍ନ ଅଙ୍ଗ, ଯାହା ଥିଲା, ଅଛି ଥାଉ ରହିବ ମଧ୍ୟ। ଧାର୍ମିକ, ସାମାଜିକ ଉପଚାର ଗୁଡିକରେ ଏହାର ବ୍ୟବହାର ଅଦ୍ୟାବଧି ଅତୁଟ ରହିଛି।
Nice Article Sir.