- ଗଳ୍ପ ଉପନ୍ୟାସ ଲେଖିଲା ବେଳେ ମୁଁ ନିଜକୁ ଜଣେ ସାହିତ୍ୟ ଅଧ୍ୟାପକ ବୋଲି ଭୁଲିଯାଏ।
![](https://www.sahityacharcha.com/wp-content/uploads/2022/03/Bibhuti-Patnaik-1004.jpg)
ପ୍ରବୀଣ କଥାକାର ଶ୍ରୀ ବିଭୂତି ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତରେ ଜଣେ ବର୍ଷୀୟାନ ତଥା ସମ୍ମାନନୀୟ ବ୍ୟକ୍ତିତ୍ୱ। ୧୯୩୭ ମସିହାରେ ଜନ୍ମିତ ଏହି ପ୍ରଖ୍ୟାତ ଲେଖକଙ୍କର ଏଯାବତ ପ୍ରାୟ ଦେଢ଼ଶହରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ଏବଂ ଏ ବୟସରେ ମଧ୍ୟ ସେ ସେହି ସମାନ ଉତ୍ସାହର ସହ ରଚନା ପ୍ରବଣ। ଶାରଳା ସମ୍ମାନ, କେନ୍ଦ୍ର ଓ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ତଥା ଅତିବଡୀ ଜଗନ୍ନାଥ ପୁରସ୍କାର ଭଳି ଅନେକ ସାରସ୍ୱତ ସମ୍ମାନରେ ଭୂଷିତ ଏହି ବିଶିଷ୍ଟ ସାହିତ୍ୟ ସାଧକ ଅଧ୍ୟାପନା ବୃତ୍ତିରୁ ୧୯୯୫ ମସିହାରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଲେଖକୀୟ ଜୀବନର ବିଭିନ୍ନ ଦିଗ ବିଷୟରେ ତାଙ୍କ ସହିତ ଆଲୋଚନା କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସଂପାଦକ ନିହାର ଶତପଥୀ ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପ୍ରଥମ ଉପନ୍ୟାସ ‘ଶେଷ ବସନ୍ତ’ରୁ ସଦ୍ୟତମ ‘ନୂତନ ଦ୍ରୌପଦୀ’ ପର୍ଯ୍ୟନ୍ତ ଯାତ୍ରା ଦୀର୍ଘ ସାତ ଦଶନ୍ଧିର। ଏ ବିଷୟରେ କିଛି କହିବେ କି!
ବିଭୂତି ପଟ୍ଟନାୟକ: ‘ଶେଷ ବସନ୍ତ’ ୧୯୫୫ ମସିହାରେ ମାସିକ ‘ଜନ ସାହିତ୍ୟ’ର ଚତୁର୍ଥ ସଂଖ୍ୟାରେ ପ୍ରକାଶିତ ହୋଇଥିଲା। ସେତେବେଳେ ନାରୀ ତାର ଭାଗ୍ୟ ଓ ଭବିଷ୍ୟତକୁ ଭଗବାନଙ୍କ ହାତରେ ଛାଡି ଦେଇ ଥିଲା। ସେତେବେଳେ ଟଙ୍କାକୁ ଚଉଷଠି ପଇସା ଥିଲା। ସୁନା ଭରି ଥିଲା ଛୟାନବେ ଟଙ୍କା। ନୂତନ ‘ଦ୍ରୌପଦୀ’ ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି। ୨୦୨୧ ମସିହାରେ ଟଙ୍କାକ ଶହେ ପଇସା, ସୁନାଭରି ପଇଁଚାଳିଶ ହଜାର ଟଙ୍କା। ସେ ଯୁଗର ଦ୍ରୌପଦୀକୁ ଦୁଃଶାସନ କୁରୁସଭାରେ ବିବସ୍ତ୍ର କଲା ବେଳେ ସେ ଦୁଇ ହାତ ଉପରକୁ ଟେକି ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ଥିଲେ। କିନ୍ତୁ ୨୦୨୧ ମସିହାରେ ନୂତନ ଦ୍ରୌପଦୀକୁ କେହି ଭୋଗ ଦଖଲ କରିବାକୁ ତାର କଳା ହାତ ବଢ଼ାଇଲା ବେଳେ ସେ ନିଜ ଇଜ୍ଜତ ରକ୍ଷା ପାଇଁ ଅଦୃଶ୍ୟ ଈଶ୍ୱରଙ୍କୁ ଡାକିବା ପାଇଁ ଉପରକୁ ହାତ ଟେକି ନ ଦେଇ ନିଜ ହ୍ୟାଣ୍ଡ ବ୍ୟାଗ୍ ଭିତରୁ ଏକେ-୪୭ ପିସ୍ତଲ କାଢ଼ି ଆଣି ଟ୍ରିଗର ଉପରେ ଆଙ୍ଗୁଠି ଟିପ ରଖୁଛି।
ସାହିତ୍ୟ ଚର୍ଚ୍ଚା: ଆଜି ଠିଆହୋଇ ଯେତେବେଳେ ପଛକୁ ଫେରି ଦେଖନ୍ତି, ସେତେବେଳେ ଅନୁଭବ କରନ୍ତି କି ଆପଣଙ୍କ ଲେଖକୀୟ ଜୀବନରେ ପରିପୂର୍ଣ୍ଣତାର ପୁଲକ?
ବିଭୂତି ପଟ୍ଟନାୟକ: ୧୯୫୫ ରୁ ୨୦୨୦, ଏହି ପଞ୍ଚଷଠି ବର୍ଷର କାଳ ଖଣ୍ଡ ମଧ୍ୟରେ ଆମର ସାମାଜିକ ଜୀବନ ଓ ଅର୍ଥନୈତିକ ପରିବର୍ତ୍ତନ ଫଳରେ ନାରୀ ଜୀବନରେ ଯେଉଁ ପରିବର୍ତ୍ତନ ଖଞ୍ଜି ଯାଇଛି, ତାକୁ ସଠିକ ଭାବରେ ମୋ ଉପନ୍ୟାସରେ ଉପସ୍ଥାପିତ କରି ପାରିଥିବାରୁ ମୁଁ ତୃପ୍ତ।
![](https://www.sahityacharcha.com/wp-content/uploads/2022/03/Badhu-Nirupama-4.jpg)
ସାହିତ୍ୟ ଚର୍ଚ୍ଚା: ଉପନ୍ୟାସ, ଗଳ୍ପ ସଂକଳନ, ପ୍ରବନ୍ଧ ଓ ଭ୍ରମଣ କାହାଣୀ ଓ ଅନ୍ୟାନ୍ୟ ବିଭାଗର ଆପଣ ଏ ଯାବତ ପ୍ରାୟ ଏକଶହ ଷାଠିଏଟି ପୁସ୍ତକର ସ୍ରଷ୍ଟା। ତଥାପି କ’ଣ ଅନେକ କିଛି ରହିଯାଇଛି ଅକୁହା?
ବିଭୂତି ପଟ୍ଟନାୟକ: ଜୀବନର ସବୁ କଥା ଗୋଟିଏ ଜୀବନରେ କେହି କହି ପାରେ ନାହିଁ। କହିବା ଦରକାର ମଧ୍ୟ ନୁହେଁ। ମୋର ପ୍ରକାଶିତ ପୁସ୍ତକରେ ପରିବର୍ତ୍ତନଶୀଳ ଜୀବନ ଓ ଜଗତ ସଂପର୍କରେ ମୁଁ ଯାହା ଲେଖିଛି ବା ଲେଖୁଛି- ତାହା ମୋର ପାଠକ, ପ୍ରକାଶକ ଓ ସଂପାଦକମାନଙ୍କର ପ୍ରୟୋଜନୀୟତା ପୂରଣ ପାଇଁ। ଆବଶ୍ୟକତା ଅତିରିକ୍ତ କିଛି ଲେଖିବା ମୋର କାମ ନୁହେଁ।
ସାହିତ୍ୟ ଚର୍ଚ୍ଚା: ବାମପନ୍ଥୀ ବା ସମାଜବାଦୀ ଚିନ୍ତନ ସହ ଆପଣ ପାଦ ଥାପିଥିଲେ ସାହିତ୍ୟର ଦୁନିଆରେ। ଏ ଦୀର୍ଘ ଯାତ୍ରାପଥରେ ସେହି ଆଦର୍ଶାନୁଭୂତିରେ କିଛି ବିବର୍ତ୍ତନ ହୋଇଛି କି?
ବିଭୂତି ପଟ୍ଟନାୟକ: ୧୯୫୬ ଐତିହାସିକ ସୀମା ଆନ୍ଦୋଳନର ନେତୃତ୍ୱ ନେଲା ପରେ ମୁଁ ସମାଜବାଦୀ ଆନ୍ଦୋଳନ ସହିତ ପ୍ରତ୍ୟକ୍ଷ ଭାବରେ ଜଡିତ ହୋଇ ପଡିଥିଲି। ମାର୍କ୍ସବାଦୀ ଦର୍ଶନ ମୋ ସାହିତ୍ୟିକ ଦୃଷ୍ଟିଭଙ୍ଗୀକୁ ପ୍ରଭାବିତ କରିଥିଲା। ପୂର୍ବରୁ ମୁଁ ପତ୍ର ପତ୍ରିକାରେ ଗଳ୍ପ, କବିତା ଲେଖୁଥିଲି, କିନ୍ତୁ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଲା ପରେ ଆରମ୍ଭ ହେଲା ମୋର ଉପନ୍ୟାସ ଲେଖା, ସେ ସୋସଲିଷ୍ଟ ନେତା ମାୟାଧର ଦାସ ଓ କିଶନ ପଟ୍ଟନାୟକ ମୋ ଉପନ୍ୟାସ ଲେଖାର ପ୍ରରେଣାର ଉତ୍ସ। ୧୯୬୦ରୁ ୧୯୬୫ ମସିହାରେ ପ୍ରକାଶିତ ମୋର ‘ଏଇଗାଁ, ଏଇ ମାଟି’, ‘ଚପଳ ଛନ୍ଦା’, ‘ନାୟିକାର ନାମ ଶ୍ରାବଣୀ’ ଓ ‘ବଧୂ ନିରୂପମା’- ଏହି ପ୍ରଥମ ଚାରିଖଣ୍ଡ ଉପନ୍ୟାସରେ ସେ ଦୁଇ ଜଣଙ୍କ ପ୍ରେରଣା ଓ ପ୍ରଭାବ ବିଶେଷ ଭାବରେ କାର୍ଯ୍ୟ କରିଥିଲା।
ସାହିତ୍ୟ ଚର୍ଚ୍ଚା: ତେବେ ଏହି ଆଦର୍ଶଗତ ଚେତନା ହେଉଛି ଆପଣଙ୍କ ରଚନା ସମଗ୍ରର ମୂଳ ଉତ୍ସ !
ବିଭୂତି ପଟ୍ଟନାୟକ: ମୋର ଦୃଢ଼ ବିଶ୍ୱାସ, ମୁଁ ଯଦି ସମାଜବାଦୀ ଆନ୍ଦୋଳନ ସହିତ ଜଡିତ ହୋଇ ନ ଥାନ୍ତି, ମାର୍କ୍ସବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇ ନ ଥାନ୍ତି, ତାହା ହେଲେ ‘ଦିନ ଯାଏ ଚିହ୍ନ ରହେ’, ‘ରାଗ ଅନୁରାଗ’, ‘ପ୍ରେମିକା’ ଭଳି ଚିତ୍ତାକର୍ଷକ ରୋମାଣ୍ଟିକ ଉପନ୍ୟାସର ଲୋକପ୍ରିୟ, ଔପନ୍ୟାସିକ ହୋଇ ରହି ଯାଇ ଥାଆନ୍ତି; ‘ଏଇ ଗାଁ ଏଇ ମାଟି’, ‘ଚପଳ ଛନ୍ଦା’, ‘ଅଶ୍ୱମେଧର ଘୋଡା’, ‘ଅସବର୍ଣ୍ଣ’ ‘ଦିନକାଳ’, ‘ଘନ କୁହୁଡିର ଦିନ’ କିମ୍ବା ‘ଛବିର ମଣିଷ’, ‘ସ୍ୱପ୍ନର ସୌଦାଗର’, ‘ସମୟ ଅଗ୍ରସର’ ଭଳି ସମାଜ ବାସ୍ତବବାଦୀ ଉପନ୍ୟାସ ଲେଖି ପାରିନଥାନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣ ଥରେ କହିଥିଲେ ଯେ ଜଣେ ବୁଦ୍ଧିଜୀବୀ ଚିନ୍ତକ ନୁହେଁ, ବରଂ ଜଣେ ହୃଦୟଜୀବୀ ଭାବୁକ ଭାବରେ ନିଜକୁ ଦେଖନ୍ତି। କାହିଁକି ମନେକରନ୍ତି ଏମିତି?
ବିଭୂତି ପଟ୍ଟନାୟକ: ବୁଦ୍ଧିକୁ ସାହିତ୍ୟର ସାମଗ୍ରୀ ଭାବରେ ବ୍ୟବହାର କରି ସମାଲୋଚକମାନଙ୍କ ବୁଦ୍ଧିବଣା କରି ଦିଆଯାଇ ପାରେ, କିନ୍ତୁ ପାଠକମାନଙ୍କ ହୃଦୟ ଜିଣି ହୁଏ ନାହିଁ। ମୁଁ ସମାଜ ସଂସ୍କାର ନୁହେଁ, ମୁଁ ସମାଜର ପରିବର୍ତ୍ତନ ଚାହେଁ। ଏହି ସାମାଜିକ ଭାବନାକୁ ପାଠକ ହୃଦୟରେ ପ୍ରବେଶ କରାଇ ଦେଇ ପାରିଲେ ହିଁ ସମାଜ ବିପ୍ଳବର ପଥ ପ୍ରଶସ୍ତ ହୋଇ ପାରେ। ସମାଜ ପରିବର୍ତ୍ତନର ଭାବନା ମତେ ଏ ପର୍ଯ୍ୟନ୍ତ ଭାବୁକ କରି ରଖିଛି ବୋଲି ଏ ପରିଣତ ବୟସରେ ସୁଦ୍ଧା ମୁଁ କଲମ ଥୋଇ ଦେଇ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ସର୍ଜନାର ପ୍ରକ୍ରିୟା ଏବେବି ସକ୍ରିୟ ଥିବାର ବୋଧହୁଏ ଏହାହିଁ ରହସ୍ୟ।
ବିଭୂତି ପଟ୍ଟନାୟକ: ମୋର ପାଠକମାନେ ମତେ କଲମ ଛାଡି ବିଶ୍ରାମ ଦେବାକୁ ଦେଇ ନାହାନ୍ତି, ଦେଉ ନାହାନ୍ତି। ମୋର ସଦ୍ୟ ସମାପ୍ତ ‘କାଳ ଅକାଳ’ ଦୀର୍ଘ ଉପନ୍ୟାସ ତାର ଉଦାହରଣ।
ସାହିତ୍ୟ ଚର୍ଚ୍ଚା: କଥା ସାହିତ୍ୟକୁ ହିଁ କାହିଁକି ନିଜ ରଚନାର ପ୍ରମୁଖ ମାଧ୍ୟମ ଭାବରେ ବାଛିନେଲେ ଆପଣ?
ବିଭୂତି ପଟ୍ଟନାୟକ: ଜୀବନ ଓ ଜଗତ ସଂପର୍କରେ ନିଜ ଭାବନାକୁ ପର୍ଯ୍ୟାପ୍ତ ଭାବରେ ପ୍ରକାଶ କରିବା ପାଇଁ କଥା ସାହିତ୍ୟ ହିଁ ଉତ୍କୃଷ୍ଟ ମାଧ୍ୟମ ବୋଲି ମୋର ଉପଲବ୍ଧି। କଥା ସାହିତ୍ୟ ଜରିଆରେ ହିଁ ବୃହତ୍ତର ପାଠକ ସମାଜ ପାଖରେ ପହଂଚି ହୁଏ ବୋଲି ସମ୍ଭବତଃ ଆୟୁଷ କ୍ଷୟ କରି ବହୁ ଦିବା ରାତ୍ରି ମୁଁ ଗଳ୍ପ, ଉପନ୍ୟାସ ଲେଖାରେ ଖର୍ଚ୍ଚ କରିଛି।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଉପନ୍ୟାସ ଓ ଗଳ୍ପ ସାହିତ୍ୟକୁ ଲୋକଗ୍ରାହ୍ୟତାର ଏକ ସମ୍ଭ୍ରାନ୍ତ ସ୍ତରକୁ ଆଣିବାରେ ଆପଣ ଅଗ୍ରଣୀ ଭୂମିକା ନେଇଛନ୍ତି ବୋଲି ଆମେ ମନେକରୁ।ଓଡ଼ିଆ ଭାଷାରେ କଥା ସାହିତ୍ୟର ଏହି ଲୋକପ୍ରିୟତା ଆଗାମୀ ଦିନରେ ବି ବଜାୟ ରହିବ ବୋଲି ଆପଣ ଆଶା କରନ୍ତି କି?
ବିଭୂତି ପଟ୍ଟନାୟକ: ସ୍ମାର୍ଟଫୋନ୍, କମ୍ପ୍ୟୁଟର, ଫେସ୍ବୁକ୍, ଇ-ବୁକ୍, ପରେ ଅଡିଓ-ବୁକ୍- ଗଳ୍ପ ଉପନ୍ୟାସ ମୁଦ୍ରିତ ବହିର ଚାହିଦା ହ୍ରାସ କରିଛି ବୋଲି ମୁଁ ମଧ୍ୟ ଅଭିଯୋଗ କରୁଛି। ଇଂଲିସ ମିଡିୟମ ସ୍କୁଲରେ ପଢ଼ୁଥିବା ପ୍ରତିଭାଶାଳୀ ଯୁବ ଲେଖକ ଓଡ଼ିଆ ଭାଷାରେ ଗଳ୍ପ, ଉପନ୍ୟାସ ଲେଖି ପାରୁନାହାନ୍ତି ଏବଂ ବହୁ ଓଡ଼ିଆ ପାଠକ ଓଡ଼ିଆ ଗଳ୍ପ ଉପନ୍ୟାସ ପଢ଼ି ଜାଣି ନାହାନ୍ତି, ଫଳରେ ଓଡ଼ିଆ ଗଳ୍ପ ନୁହେଁ, ଓଡ଼ିଆ ଉପନ୍ୟାସ ଲେଖାରେ କିଛି ପରିମାଣରେ ସଂକଟ ସୃଷ୍ଟି ହୋଇଛି। କିନ୍ତୁ ମୋର ଧାରଣା, ଏ ସଂକଟ ଦୀର୍ଘସ୍ଥାୟୀ ହେବ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଅଧିକାଂଶ ଉପନ୍ୟାସରେ ନାରୀ ମନସ୍ତତ୍ତ୍ୱର ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳେ। କ’ଣ ହୋଇପାରେ ଏହା ପଛର ପ୍ରେରଣା?
ବିଭୂତି ପଟ୍ଟନାୟକ: ମୋର ଅଧିକାଂଶ ଉପନ୍ୟାସରେ ନାରୀ ମନସ୍ତତ୍ୱର ନିଚ୍ଛକ ପ୍ରତିଫଳନ ଦେଖାଯାଏ, ପୁରୁଷ ଚରିତ୍ର ଚିତ୍ରଣରେ ଦେଖାଯାଏ ନାହିଁ, ଏ ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଗତ କାଲି ଅଶି ଦଶକରେ ପ୍ରଥମ ସଂସ୍କରଣ ଭାବେ ପ୍ରକାଶିତ ଏକ ଉପନ୍ୟାସ ‘ଅସତ୍ୟ ସହର’ର ନୂତନ ସଂସ୍କରଣରେ ଲେଖୁଥିଲି। ସେ ଉପନ୍ୟାସର ନାୟକ ଗ୍ରାମ୍ୟ କିଶୋର କାଳିଆ, ସହରକୁ ଯାଏ- ଜଣେ ଅବିବାହିତ ଝିଅ ଓ ଜଣେ ବିବାହିତା ନାରୀର ଇଜ୍ଜତ ଓ ଅଭାବ ପୂରଣ ପାଇଁ କିପରି କାଳୀଚରଣ ଓ କାଳୁ ସିଂ ମୂର୍ତ୍ତି ଧରିଥିଲା, ତାହା ପଢ଼ି ମୁଁ ନିଜେ ଚମକି ଉଠିଥିଲି, ଚାଳିଶି ବର୍ଷ ତଳେ ମୁଁ ଏଭଳି ଜଣେ ବଳିଷ୍ଠ ପୁରୁଷ ଚରିତ୍ରକୁ ନେଇ ‘ଅସତ୍ୟ ସହର’ ଉପନ୍ୟାସ ଲେଖିଥିଲି, ଭାବି ଚକିତ ହୋଇ ଉଠିଥିଲି, ନାରୀ-ପ୍ରଧାନ ଉପନ୍ୟାସରେ ପୁରୁଷ ଚରିତ୍ର ଓ ପୁରୁଷ-ପ୍ରଧାନ ଉପନ୍ୟାସରେ ନାରୀ ଚରିତ୍ର ଦୁର୍ବଳ ଦେଖାଯିବ- ଏଇଟା ସ୍ୱାଭାବିକ।
![](https://www.sahityacharcha.com/wp-content/uploads/2022/03/Bibhuti-Patnaik-1000004.jpg)
ସାହିତ୍ୟ ଚର୍ଚ୍ଚା: ଧରାବନ୍ଧା ଦୈନନ୍ଦିନ ଜୀବନଚର୍ଯ୍ୟା ଭିତରେ ଯେତେବେଳେ ଦିନେ କେବେ କେହି ଜଣେ ସମର୍ପିତ ଓ ମୁଗ୍ଧ ପାଠକ ଆପଣଙ୍କ ସହ ମୁହାଁମୁହିଁ ହୋଇଯାଆନ୍ତି, କେମିତି ଲାଗେ ଆପଣଙ୍କୁ।
ବିଭୂତି ପଟ୍ଟନାୟକ: ଅପରିଚିତ ପାଠକ ଅଚାନକ ଦେଖା ହୋଇଗଲେ ମୁଁ ଅପ୍ରତିଭ ବୋଧ କରେ, ଅନେକ ସମୟରେ ମୋ ବହି ପଢ଼ି ମୋ ସଂପର୍କରେ ସେମାନଙ୍କର ଯେଉଁ ଧାରଣା ଥାଏ, ଦେଖା ହେଲା ପରେ ସେ ଧାରଣା ସହିତ ମୋର ମେଳ ନ ଖାଇଲେ ସେମାନେ ଦ୍ୱନ୍ଦ୍ୱରେ ପଡି ଯାଆନ୍ତି।
ସାହିତ୍ୟ ଚର୍ଚ୍ଚା: ଏଭଳି କିଛି ସ୍ମରଣୀୟ ଘଟଣା ମନେଥିଲେ କହିବେ କି!
ବିଭୂତି ପଟ୍ଟନାୟକ: ୧୯୬୨ ମସିହାରେ ଥରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍ରେ ରହୁଥିବା ତତ୍କାଳୀନ ଓଡ଼ିଶା ଘରୋଇ ବିଭାଗ ମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପତ୍ନୀ ନଳିନୀ ଦେବୀ ରାଉତରାୟ ତାଙ୍କୁ ଦେଖା କରିବାକୁ ମତେ ଡକାଇ ପଠାଇ ଥିଲେ। ମୁଁ ଗାଡିରୁ ଓହ୍ଲାଇ ତାଙ୍କ ଦେଖା କରିବାକୁ ଫାଟକ ଖୋଲି ତାକୁ କ୍ୱାଟର୍ସକୁ ଗଲି। ପରିଚାରିକା ଘର ଓଳାଉଥିଲା। ମୁଁ ମୋ ନାମ କହି ମାଡାମଙ୍କୁ ଦେଖା କରିବାକୁ ଆସିଛି ବୋଲି କହିବା ମାତ୍ରେ ପରିଚାରିକା ଝାଡୁ ଦେବା ବନ୍ଦ କରି ଦଉଡ଼ି ଗେଟ୍ ପାଖକୁ ଗଲା, ଗେଟ୍ ପାଖରେ ମତେ ଅପେକ୍ଷା କରି ଯେଉଁ ମଧ୍ୟ ବୟସ୍କା ଭଦ୍ର ମହିଳା ଛିଡା ହୋଇଥିଲେ, ସେ ନଳିନୀ ଦେବୀ ରାଉତରାୟ, ଜାଣି ମୁଁ ଖୁବ୍ ଅପ୍ରସ୍ତୁତ ବୋଧ କରିଥିଲି, ଆଉ ସେ ପରିଚାରିକା ସହ ଫେରି ଆସି ମତେ ଚିହ୍ନି ପାରି ନ ଥିବାରୁ ଜିଭ କାମୁଡି ପକାଇଥିଲେ। ମତେ ଚାହିଁ ମୃଦୁ ହସି କହିଥିଲେ- ଆପଣଙ୍କ ଭଳି କୋଡିଏ, ବାଇଶି ବର୍ଷର ତରୁଣ ଯେ ‘ଚପଳଛନ୍ଦା’ ଭଳି ଏତେ ବଡ, ଏତେ ଭଲ ଉପନ୍ୟାସ ଲେଖିପାରନ୍ତି- ବର୍ତ୍ତମାନ ସୁଦ୍ଧା ମୁଁ ବିଶ୍ୱାସ କରି ପାରୁନାହିଁ, ମୋର ଧାରଣା ଥିଲା ଆପଣଙ୍କ ବୟସ ଚାଳିଶି- ପଚାଣ ବର୍ଷ, ହୋଇଥିବ, ସେଥିପାଇଁ ଗେଟ୍ ପାଖରେ ଆପଣଙ୍କୁ ଦେଖି ସୁଦ୍ଧା ଆପଣ ବିଭୂତି ପଟ୍ଟନାୟକ ହୋଇ ଥିବେ ବୋଲି ଭାବି ପାରିନଥିଲି।
ସାହିତ୍ୟ ଚର୍ଚ୍ଚା: ତହୁଁ, କ’ଣ ଥିଲା ଆପଣଙ୍କ ପ୍ରତିକ୍ରିୟା?
ବିଭୂତି ପଟ୍ଟନାୟକ: ମୁଁ ତାଙ୍କର ଭ୍ରମ ସଂଶୋଧନ କରିଦେଇ କହିଥିଲି- କୋଡିଏ-ବାଇଶି ନୁହେଁ, ମୋର ବୟସ ପଚିଶ ବର୍ଷ, କିନ୍ତୁ କ’ଣ ପାଇଁ ମତେ ଡି.ପି.ଆଇ ଅଫିସରୁ ଡକାଇ ଆଣିଛନ୍ତି? ନଳିନୀଦେବୀ ମତେ ଖୁବ୍ ଆଦର ଯତ୍ନରେ ବସାଇ, ଚାହା ବଦଳରେ ଗୋଟାଏ ବଡ କଂସା ଗ୍ଲାସ୍ରେ ମୋଟା ସର ପଡିଥିବା କ୍ଷୀର ବଳେଇ ବଳେଇ ପିଆଇସାରି କହିଥିଲେ, ଗତ ରବିବାର ଦୈନିକ ‘କଳିଙ୍ଗ’ କାଗଜରେ ମୁଁ ଆପଣଙ୍କ ଚପଳଛନ୍ଦା ବହିର ସମୀକ୍ଷା ଲେଖିଛି। ସମୀକ୍ଷାର ଶେଷରେ ଲେଖିଥିଲି- ଏ ଉପନ୍ୟାସ ନୋବେଲ ପ୍ରାଇଜ୍ ପାଇବା ଭଳି ଉପଯୁକ୍ତ ଉପନ୍ୟାସ। ଏ ଶେଷ ଧାଡିଟା ସଂପାଦକ ମନ ମୋହନ ମିଶ୍ର କାଟି ଦେଇଛନ୍ତି, ମୋ ହାତ ଲେଖା କପି ଆପଣଙ୍କୁ ଦେଖାଇବି ବୋଲି ଡାକିଛି। ମନ ମୋହନ ବାବୁ ସେ ଶେଷ ଧାଡିଟା କାଟି ଦେଇ ମତେ ମୁଖ ଲଜ୍ଜାରୁ ରକ୍ଷା କରିଛନ୍ତି- କହି ମୁଁ ତାଙ୍କୁ ସେଥିପାଇଁ ‘କଳିଙ୍ଗ’ ସଂପାଦକଙ୍କୁ ଦୋଷ ନ ଦେବା ଲାଗି ଅନୁରୋଧ କରିଥିଲି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଗୋଟିଏ ମାତ୍ର କବିତା ପୁସ୍ତକ ପ୍ରକାଶିତ ହୋଇଛି ‘ସେ ଏକ ପ୍ରଗଳ୍ଭା ନଦୀ’ ନାମରେ। ଏହା ପରେ ଆପଣଙ୍କୁ ଆଉ କବିତା ମାଡ଼ି ନାହିଁ, ନା ମାଡ଼ିଲେ ବି ତା’କୁ ନିଜ କଥା ସାହିତ୍ୟ ଭିତରକୁ ଚ୍ୟାନେଲାଇଜ୍ କରିଦେଇଛନ୍ତି!
ବିଭୂତି ପଟ୍ଟନାୟକ: ‘ସେ ଏକ ପ୍ରଗଳ୍ଭା ନଦୀ ଓ ଅନ୍ୟାନ୍ୟ କବିତା’ ଗ୍ରନ୍ଥରେ ସନ୍ନିବିଷ୍ଟ କବିତା ଗୁଡିକ ବ୍ୟତୀତ ମୁଁ ଆଉ କବିତା ଲେଖି ନାହିଁ, କିନ୍ତୁ କବିତାର ଆଙ୍ଗିକରେ ‘ରାଗ ଅନୁରାଗ’ ଓ ‘ପ୍ରେମିକା’ ଭଳି ଉପନ୍ୟାସ ଲେଖିଛି। ଗଦ୍ୟ କବିତା ଓ କାବ୍ୟ ଧର୍ମୀ ଗଦ୍ୟ ମଧ୍ୟରେ ବ୍ୟବଧାନ ଏତେ ସଂକୁଚିତ ହୋଇ ଆସିଛି ଯେ ବ୍ୟକ୍ତି କୈନ୍ଦ୍ରିକ କବିତା ବଦଳରେ ସମାଜ-କୈନ୍ଦ୍ରିକ ଗଳ୍ପ ଉପନ୍ୟାସ କବିତାର ଭାଷାରେ ଲେଖିବାରେ ମୁଁ ଅଧିକ ମନଯୋଗ ଦେଇଛି।
ସାହିତ୍ୟ ଚର୍ଚ୍ଚା: ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ଦୀର୍ଘ ୨୫ ବର୍ଷକାଳର ଅଧ୍ୟାପନାର ଅନୁଭବ ଆପଣଙ୍କ ଲେଖକୀୟ ଜୀବନକୁ ପରିପୁଷ୍ଟ କରିବାରେ ସହାୟକ ହୋଇପାରିଛି କି?
ବିଭୂତି ପଟ୍ଟନାୟକ: ଅଧ୍ୟାପନା ବେଳେ ଶ୍ରେଣୀ ଗୃହରେ ମୁଁ ଜଣେ ଶିକ୍ଷକ, ଲେଖକ ନୁହେଁ। ଆଉ ଘରେ ଗଳ୍ପ ଉପନ୍ୟାସ ଲେଖିଲା ବେଳେ ମୁଁ ଜଣେ ସାହିତ୍ୟ ଅଧ୍ୟାପକ ବୋଲି ଭୁଲିଯାଏ। ସେଥିପାଇଁ ଅଧ୍ୟାପକ ଜୀବନର ତିକ୍ତ ମଧୁର ଅନୁଭୂତି ମୋ ଗଳ୍ପ ଉପନ୍ୟାସ ଉପରେ ଛାୟା ବିସ୍ତାର କରି ନାହିଁ।
ସାହିତ୍ୟ ଚର୍ଚ୍ଚା: ବିଭୂତି ପଟ୍ଟନାୟକଙ୍କ ସର୍ଜନାତ୍ମକ ଉର୍ଜାର ପ୍ରମୁଖ ସ୍ରୋତ କ’ଣ?
ବିଭୂତି ପଟ୍ଟନାୟକ: ସମାଜବାଦୀ ଚେତନା, ମାର୍କ୍ସ, ଗାନ୍ଧି ଆଉ ଦାରୁଦେବତା ଶ୍ରୀଜଗନ୍ନାଥ ମୋ ସାହିତ୍ୟ ସର୍ଜ୍ଜନାର ମୂଳ ଉତ୍ସ। ପତିତ ଜନର ଉତ୍ଥାନ, ଗ୍ରାମ୍ୟ ସମାଜ ଗଠନର ଆଦର୍ଶ- ଏ ତିନି ମୂର୍ତ୍ତିଙ୍କ ଠାରୁ ମୁଁ ପାଇଛି।
ସାହିତ୍ୟ ଚର୍ଚ୍ଚା: ଏବଂ ଦୁର୍ବଳତା?
ବିଭୂତି ପଟ୍ଟନାୟକ: ମୁଁ ଆଧ୍ୟାତ୍ମିକତାରେ ବିଶ୍ୱାସ କରେ କିନ୍ତୁ ଈଶ୍ୱରଙ୍କ ଅସ୍ତିତ୍ୱରେ ନୁହେଁ- ଏହା ହିଁ ବୋଧହୁଏ ମୋର ବଡ ଦୁର୍ବଳତା।
ସାହିତ୍ୟ ଚର୍ଚ୍ଚା: ଆମ ନୂତନ ପୀଢିର ଔପନ୍ୟାସିକ ମାନଙ୍କର ଦଶା ଓ ଦିଶା ସଂପର୍କରେ ଆପଣ କ’ଣ କହିବେ !
ବିଭୂତି ପଟ୍ଟନାୟକ: ଉପନ୍ୟାସ ହେଉଛି ସମୟର ଶିଳ୍ପ ରୂପ, ସମୟର ପରିବର୍ତ୍ତନ ସହ ଜୀବନ ଓ ଜଗତରେ ଯେଉଁ ସବୁ ପରିବର୍ତ୍ତନ ଘଟିଯାଉଛି, ତାକୁ ସଠିକ୍ ଭାବରେ ବୁଝି ଉପନ୍ୟାସରେ ତାର ସଠିକ୍ ରୂପାୟନ କରିବା ହେଉଛି ନୂତନ ଔପନ୍ୟାସିକର ଦାୟିତ୍ୱ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମୁଦ୍ରିତ ସଂସ୍କରଣ, ମାର୍ଚ୍ଚ ୨୦୨୨ ସଂଖ୍ୟାରେ ପ୍ରକାଶିତ। )
ଅତିସୁନ୍ଦର ଓ ଉତ୍କୃଷ୍ଟ ଇପତ୍ରିକା ହୋଇଛି.