କୂହେଳିରେ ଥିବା ଗୌତମୀମାନେ

  • ପ୍ରକାଶ ଅପେକ୍ଷାରେ ଥିବା ସ୍ବନାମଧନ୍ୟ କଥାକାର ସ୍ବର୍ଗତ ଜଗଦୀଶ ମହାନ୍ତିଙ୍କର ଜୀବନୀରୁ ମନଛୁଆଁ ଅଧ୍ୟାୟଟିଏ, ତାଙ୍କର ସହଧର୍ମିଣୀ ତଥା ବିଶିଷ୍ଟ ଲେଖିକା ସରୋଜିନୀ ସାହୁଙ୍କ କଲମରୁ ।
ସରୋଜିନୀ ସାହୁ

ଗୌତମୀ-୧
ଗୌତମୀରେ, ମୁଁ ଯେମିତି ସର୍କସୀ ଝିଅ ଭଳି
ସାରୁ ପତ୍ରର ଶିରରେ ଟୋପାଏ ପାଣ୍ଡିତ୍ୟ
ବାଁ ନା ଡାହାଣ? କେଉଁ କଡ?
ନିରନ୍ଦ୍ର ହଲେଇ ଦିଏ ରଂଗୀନ ଛତା

ଗୌତମୀ-୨
ସୁଖ ନିର୍ଭେଜାଲ ସୁଖ କାହିଁ
କଷ୍ଟବିନା
ତୋ ପ୍ରେମରେ କଷ୍ଟଅଛି
ଗୌତମୀତୋତେ ଦେଖିଲେ
ମୋର କଷ୍ଟହୁଏ- ପ୍ରେମ ହୁଏ ସବୁ ଥର
ମୋତେ ଜଳେଇ ଦେ
ଗୌତମୀରେ ବଂଚେଇ ଦେ।

ଗୌତମୀ-୩
ଯନ୍ତ୍ରଣାର ଧୂଳି ଭିତରେ
ସେଦିନ ଛୁଟିର ବିଗୁଲ ଶୁଣି
ଧାଇଁ ଯାଇଥିଲି ଅମଡା ବାଟରେ
ଦେଖିଲି, ସେଠି ବି ଯନ୍ତ୍ରଣାର କୁହୁଡ଼ି
ପହଁରା ଚାଲିଛି।
ଏଥର ସେଇ ଭିତରେ ମୋତେ ନିରୁଦ୍ଦେଶରେ
ହଜେଇ ଦେ
ମିଳେଇ ଦେ
ଦୁଃଖ ଦେ ରେ
ସୁଖ ଦେ।

ଗୌତମୀ ସେତେବେଳକୁ ଜୀବନ୍ତ ଚରିତ୍ର, ଚଳ ଚଞ୍ଚଳ ଜଗଦୀଶଙ୍କ ଗଳ୍ପମାନଙ୍କରେ। ଇଏ କୌଣସି କାଳ୍ପନିକ ପରି କଥାର ଚରିତ୍ର ନୁହଁ, ପାଠକମାନେ ଜାଣି ସାରିଛନ୍ତି। ଏ କବିତା ତାଙ୍କ ଡାଏରୀରେ ଲେଖାଥିଲା। ସେ ଗାଁରେ ଥିଲା ବେଳେ ଲେଖିଥିଲେ। ଗୌତମୀକୁ ନେଇ ଗଳ୍ପ, ଗୌତମୀକୁ ନେଇ କବିତା, ସେ ସମୟର ଯୁବ ପିଢ଼ିର ଲେଖକ ଓ କବି ମାନଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଗୌତମୀ କିଏ ଜାଣିବାର ଉତ୍ସୁକତାର ରହିଥିଲା ଅନେକଙ୍କର, କିଛ ଝିଅ (ଲେଖିକା) ନିଜକୁ ଗୌତମୀ ବୋଲି ଭାବି ବି ନେଇଥିଲେ। ଜଗଦୀଶଙ୍କ ପାଖକୁ ଲେଖୁଥିବା ସେମାନଙ୍କର କିଛି ଚିଠି ମୁଁ ଦେଖିଥିଲି। ଏମିତିରେ ଜଗଦୀଶ ଚିଠି ଲେଖିବାରେ ଧୁରନ୍ଦର ଥିଲେ। ଯାହା ଲେଖା ତାଙ୍କୁ ଭଲ ଲାଗୁଥିଲା, ସେ ଯେଉଁ ବୟସର (ଲେଖକ ଅବା ଲେଖିକା) ହୁଅନ୍ତୁ ଚିଠି ଦେଇ ଉତ୍ସାହିତ କରିବା, ମତାମତ ଦେବା କାମଟି କରିଥାନ୍ତି। ଯଦି କୌଣସି ଲେଖକ ବା ଲେଖିକାଙ୍କ ସହ ବନ୍ଧୁତା ହେଇ ଯାଇଥାଏ ତେବେ ତିନି ଚାରି ପୃଷ୍ଠାର ଆଲୋଚନା ସମ୍ବଳିତ ଚିଠିଟି ଲେଖି ପାରନ୍ତି। ତେଣୁ କିଛି ଲେଖିକା ଜଗଦୀଶଙ୍କୁ ନିଜର ନିକଟତମ ମଣିଷ ଭାବିବା ସ୍ୱାଭାବିକ ଥିଲା। ଗୌତମୀକୁ ନେଇ ସେତେବେଳେ ଯୁବ ପିଢ଼ିର ଯେଉଁ ‘କ୍ରେଜ’ ଥିଲା, ସବୁ ପ୍ରକାର କଷ୍ଟ ସତ୍ତ୍ୱେ ବି ମୋତେ ଗୌତମୀ ହେଇ ରହିବାକୁ ସୁଖକର ଲାଗୁଥିଲା।

ଜଗଦୀଶଙ୍କୁ ପ୍ରେମ କରିବାଟା ହିଁ ସେ ସମୟରେ ମୋର ଥିଲା ସବୁଠୁଁ ବଡ ଅସହାୟତା। ଯଦିଓ ଗୋଟେ ପଟେ ମୁଁ ସ୍ୱାଧୀନ ଭାବରେ ତାଙ୍କ ସହ ମିଶି ପାରୁଥିଲି, ମାତ୍ର ମୋର ମନେ ହେଉଥିଲା ଏସବୁ ଯଦି (ପ୍ରେମ) ମୋ ଜୀବନରେ ନ ଥାନ୍ତା ତେବେ ଆହୁରି ଯଥେଷ୍ଟ ସ୍ୱାଧୀନ ଭାବରେ ଘରେ ବିଚରଣ କରିପାରିଥାନ୍ତି। ସମସ୍ତଙ୍କ ପ୍ରଶ୍ନବାଚୀ ଭରା ଆଖିର ଶୀକାର ହେବାକୁ ପଡିନଥାନ୍ତା। ଶିକ୍ଷିତ ହେଲେ ବି ଆମର ଗୋଟେ ରକ୍ଷଣଶୀଳ ମଧ୍ୟବିତ୍ତ ପରିବାର। ତେଣୁ ବଂଶରେ କେହି କଥାଟାକୁ ସହଜରେ ଗ୍ରହଣ କରିପାରୁ ନ ଥିଲେ। ଯେମିତି ଜଗଦୀଶ ହିଁ ମୋର ପ୍ରାରବ୍ଧ ସବୁ ଦେଖୁଥିଲେ ବି ଜାଣୁଥିଲେ ବି କେହି ମୋତେ ଗାଳି ଗୁଲଜ କରିବା, ମାରପିଟ୍ କରିବା ଭଳି ଆଚରଣ ଦେଖେଇ ନ ଥିଲେ। ତାହା ହିଁ ମୋତେ ସବୁବେଳେ ତାଜୁବ୍ କରୁଥିଲା। ଯଦିଓ ଏମିତି ଏକ ଘଟଣାକୁ ନେଇ ଆମ ଖଞ୍ଜାରେ ଖୁବ୍ ଝାମେଲା ହେଇଥିଲା, ପୂର୍ବରୁ ଅନ୍ୟ ଜଣଙ୍କ ସହ।

ଜଗଦୀଶ ଆମ ଘରୁ ଫେରିଗଲା ବେଳେ, ଡ୍ରଇଁ ରୁମ୍‌ର କାନ୍ଥ ଆଢ଼ୁଆଳକୁ ଟାଣିନେଇ ‘ଚୁମା’ ଟେ ଖାଉଥିଲେ ଓ ତୁରନ୍ତ ଚାଲି ଯାଉଥିଲେ। ଭୟରେ ମୋ ଗୋଡ ହାତ ସେତେବେଳେ ଥରୁଥିଲା। ଏତେ ଅଚାନକ ଭାବରେ ସେ ଉଠି ଯିବା ପାଇଁ ବାହାରୁଥିଲେ ଯେ ମୋର ପ୍ରତିରୋଧ କରିବାର ଶକ୍ତି ରହୁନଥିଲା। ପରେ କିନ୍ତୁ ଚିଠିରେ ମୁଁ ଭୀଷଣ ବିରକ୍ତ ହେଉଥିଲି। ସେ ସବୁବେଳେ ଅତି ଛୋଟିଆ ଉତ୍ତରଟେ ଦେଉଥିଲେ ମୋ କ୍ରୋଧର, “ଏଇଟା ହେଉଛି ପ୍ରେମ”।

୧୯୭୬ ଜୁଲାଇ କି ଅଗଷ୍ଟ ମାସ ହେଇଥିବ, ମୁଁ ରେଭେନ୍ସାକୁ ପଢ଼ିବାକୁ ଆସିଥିଲି। ସେତେବେଳେ ମୋ ବଡ ଭଉଣୀ ରେଭେନ୍ସାରେ ପଢୁଥିଲା। ତେଣୁ ମୁଁ ଲେଡିଜ୍ ହଷ୍ଟେଲ ଯାଇ ତା ରୁମ୍‌ରେ ରହିଲି। ଯେହେତୁ ତାର ପଢ଼ା ସରି ଆସିଥିଲା ଓ ଅଳ୍ପ ଦିନରେ ତାର ଘରକୁ ଫେରିଯିବାର ଥିଲା, ତାରି ବେଡ୍ ଟି ମୋ ନାରେ ହେଇଯାଇଥିଲା। ମୁଁ ଲେଡିଜ୍ ହଷ୍ଟେଲର ଚଉଦ ନମ୍ବର ରୁମ୍‌ରେ ରହୁଥିଲି। ଦିନେ କଲେଜରେ ମୋର କ୍ଲାସ୍ ଚାଲିଥିଲା ବେଳେ ଦେଖିଲି ଜଗଦୀଶ ବାରଣ୍ଡାରେ ଛିଡା ହେଇଛନ୍ତି। ତାଙ୍କୁ ଅଚାନକ କ୍ଲାସ୍ ରୁମ୍ ବାହାରେ ଦେଖି ମୁଁ ଆଉ କ୍ଲାସ୍‌ରେ ମନ ଯୋଗ ଦେଇ ପାରିନଥିଲି। ଘର କଥା ଅଲଗା ଥିଲା। ବାପା-ମା, ଭାଇ-ଭଉଣୀ ସମସ୍ତେ ଥିଲେ। ଏଠି ପଢ଼ିବାକୁ ଆସିଛି, ଅଯଥା ବଦ୍‌ନାମ ହେବା କଥା। କ୍ଲାସ୍ ସରିଲେ ପରେ ମୁଁ ବାହାରକୁ ଆସି ପଚାରିଥିଲି, “କୁଆଡେ ଆସିଛ?”

ସେ ସିଧା ସଳଖ ଉତ୍ତର ଦେଇଥିଲେ, “ତୋତେ ଦେଖା କରିବାକୁ”। “ହେ ଭଗବାନ୍‌, ତମେ ଡିପାର୍ଟମେଣ୍ଟକୁ ସିଧା ପଳେଇ ଆସିଲ? ମୋ ସାଙ୍ଗମାନେ ତମକୁ ଦେଖିବା ଆଗରୁ ତମେ ଏ ଠୁଁ ଯା,” ମୁଁ କାନ୍ଦୁଣୁ-ମାନ୍ଦୁଣୁ ହେଇ କହିଥିଲି। ମୁଁ ପ୍ରକୃତରେ ବହୁତ ନର୍ଭସ ହେଇ ଯାଇଥିଲି। କାରଣ ଢ଼େଙ୍କାନାଳ କଲେଜରେ ମୋ ସଙ୍ଗେ ପଢ଼ୁଥିବା ମାଧୁରୀ ତ୍ରିପାଠୀ, ମୋ ସହ ରେଭେନ୍ସାରେ ପଢ଼ୁଥିଲା। ତା’ଛଡା ଅଧ୍ୟାପକ ରବିନାରାୟଣ ବରାଳ, ଅଧ୍ୟାପକ ରତ୍ନାକର ଚଇନି ଉଭୟେ ଢ଼େଙ୍କାନାଳରେ ମୋର ସାର୍ ଥିଲେ, ରେଭେନ୍ସାରେ ବି। ସେମାନଙ୍କ ଭିତରୁ କାହାରି ନଜର ଯଦି ପଡିଗଲା, ମୁଁ ତାଙ୍କୁ କହିଥିଲି, “ତମେ ଯା’ ଏଠୁ।”

ମୋର ସେଇ ସମୟରେ ମନେ ପଡି ଯାଇଥିଲା, ମୋ ବଡ ଭଉଣୀ ଯେତେବେଳେ ରେଭେନ୍ସାକୁ ପଢ଼ିବା ପାଇଁ ଆସିଲା, ବାପା ତା ପାଖରୁ କଣ୍ଡେ କାଗଜରେ ଲେଖେଇ ନେଇଥିଲେ ଯେ, ମୁଁ ବାହାରକୁ ପାଠ ପଢ଼ିବାକୁ ଯାଇ ଏମିତି କିଛି କାମ କରିବିନି ଯାହା ଦ୍ୱାରା କି ପରିବାର ଇଜ୍ଜତରେ ଆଞ୍ଚ ଆସିବ। ମୋ ପାଖରୁ ବାପା ସେମିତି କିଛି ଲେଖେଇ ନ ଥିଲେ। ତେବେ ବାପାଙ୍କର ବାଣୀବିହାର ଉପରେ ଭଲ ଧାରଣା ନ ଥିଲା। ତେଣୁ ଆମେ ଦି ଭଉଣୀ ଯାକ ରେଭେନ୍ସାରେ ପଢ଼ିଥିଲୁ। ଢ଼େଙ୍କାନାଳରୁ କଟକ ପାଖ ଓ ବାପା ବ୍ୟବସାୟିକ କାମରେ ପ୍ରାୟ କଟକ ଆସୁଥିଲେ। 

୧୯୭୨/୭୩ ଆଡର କଥା। ମୁଁ ଆଇ.ଏ. ପଢ଼ୁଥିଲି ସେତେବେଳକୁ। କଲେଜରେ ମୋ ସାଙ୍ଗ ମାନେ ସେମାନଙ୍କ ପ୍ରେମିକ ମାନଙ୍କ ନାଁ ସର୍ଟଫର୍ମରେ କୁହାକୁହି ହେଇ ଥଟ୍ଟା ମଜ୍ଜା କରୁ ଥିଲେ। ଥରେ ମୋତେ ଧରି ପକେଇ ଥିଲେ ସେମାନେ। “ସତ କହ ତୁ କାହାକୁ ଭଲ ପାଉ”, ଜୋର୍ ଜବରଦସ୍ତି କରିଥିଲେ। ମୁଁ କହିଥିଲି ‘ଜମ’। ତା’ ପରଠୁଁ ମୋତେ ଦେଖିଲେ ସେମାନେ ଜମ ଚିଡେଇଥିଲେ। ମୁଁ କିନ୍ତୁ ସେମାନଙ୍କ ଗ୍ରୁପ୍ ଖୁବ୍ ଶୀଘ୍ର ଛାଡି ଦେଇଥିଲି। ସେଇଟି ବୋଧହୁଏ ପ୍ରଥମ ଥିଲା ବାହାର ମଣିଷଙ୍କ ଆଗରେ, ଜଗଦୀଶଙ୍କୁ ପ୍ରେମ କରେ ବୋଲି ସ୍ୱୀକାର କରିଥିଲି।

କିନ୍ତୁ ମୁଁ କେବେ ବି ଚାହୁଁନଥିଲି ମୋ ପାଇଁ ମୋ ବାପା ମା ଦୁଃଖି ହୁଅନ୍ତୁ। ତେଣୁ ଅଚାନକ ରେଭେନ୍ସାରେ ଜଗଦୀଶଙ୍କୁ ଦେଖି ମୁଁ ମୋର ପ୍ରତିକ୍ରିୟା ପ୍ରକାଶ କରିଥିଲି। ସେ ସଙ୍ଗେ ସଙ୍ଗେ ରେଭେନ୍ସା କଲେଜର ଓଡ଼ିଆ ଡିପାର୍ଟମେଣ୍ଟ ଛାଡି ଚାଲି ଯାଇଥିଲେ। ସେ ଚାଲି ଗଲା ପରେ ମୋର ବହୁତ ମନ ଦୁଃଖ ହେଇଥିଲା, କାହିଁକି ତାଙ୍କୁ ଚାଲିଯିବାକୁ କହିଲି ବୋଲି ମନସ୍ତାପ ବି କରିଥିଲି। ସେଦିନ ହଷ୍ଟେଲ୍ ଫେରି ଚୁପ୍ ଚାପ୍ ଶୋଇ ପଡିଥିଲି। ହଷ୍ଟେଲର ରୁମ୍ ଗୁଡିକରେ ଚାରୋଟି ଝରକା ଥିଲା। ରାସ୍ତାପଟକୁ ଦୁଇଟି, ଭିତର ବାରଣ୍ଡା ଆଡକୁ ଦୁଇଟି। ମୋ ବେଡ୍ ଓ ଟେବୁଲ ରାସ୍ତା ପଟ ଝରକା ପାଖକୁ ରହିଥିଲା। ସଂଧ୍ୟା ଆଡକୁ ଟେବୁଲକୁ ଆଉଜି ବେଡ୍ ଉପରେ ବସିଥାଏ, ଦେଖିଥିଲି କିଛି ପିଲାଙ୍କ ସହ ଜଗଦୀଶ ନିଉ ପି.ଜି ହଷ୍ଟେଲ ଆଡକୁ ଯାଉଛନ୍ତି। ସେଇ ପିଲାମାନଙ୍କ ଭିତରେ, ମୋ କ୍ଲାସ୍‌ର ଦି ଜଣ ପିଲା ଥାନ୍ତି। ମନ୍ମଥ ନାୟକ ଓ ମନ ମୋହନ ଦାଶ।

ପରଦିନ ସକାଳେ ଜଗଦୀଶ ହଷ୍ଟେଲ୍ ଆସି ମୋତେ ପ୍ଲାଷ୍ଟିକ୍ ତାରରେ ବୁଣା ବ୍ୟାଗ୍‌ଟେ ଦେଇଥିଲେ। ଯେଉର୍ଟା ପୂର୍ବ ସଂଧ୍ୟାରେ ତାଙ୍କ କାନ୍ଧରେ ଝୁଲୁଥିଲା। ବ୍ୟାଗ୍‌ଟି ମୋତେ ଦେଇ କହିଥିଲେ ଏଇଟା ମୋ ସାନ ମଝିଆ ଭାଉଜ ବନେଇଛନ୍ତି। “ନେ, ରଖ,” ମୁଁ ବ୍ୟାଗ୍‌ଟା ତାଙ୍କ ପାଖରୁ ନେଇଥିଲି। ମୋ ସହ କଥାବାର୍ତ୍ତା କରି ବିଦା ହେଲା ପରେ ମୁଁ ବ୍ୟାଗ୍‌ଟା ନେଇ ମୋ କିପ୍ ବୋର୍ଡର ଉପର ଥାକରେ ରଖି ଦେଇଥିଲି। ମୋ ଅଲକ୍ଷ୍ୟରେ ବ୍ୟାଗ୍‌ର ଫିତାଟା ତଳକୁ ଝୁଲି ରହିଥିଲା ମୋ ଝରକାରେ ପର୍ଦ୍ଦା ଥିଲେ ବି ପବନ ଆସିବା ପାଇଁ ମୁଁ ପର୍ଦ୍ଦା ମୋଡି କରି ରଖି ଦେଇଥିଲି। ତିନି ମହଲା ବିଶିଷ୍ଟ ସେ ହଷ୍ଟେଲର ମୁଁ ଦ୍ୱିତୀୟ ମହଲାରେ ରହୁଥିଲି। ଜଗଦୀଶଙ୍କ ସହ ବୁଲାବୁଲି କରୁଥିବା ମୋର ସହପାଠୀମାନଙ୍କ ଭିତରୁ କାହାର କେଜାଣି ନଜର ସେ ବ୍ୟାଗ୍ ଉପରେ ପଡିଯାଇଥିଲା। ତା’ ପରଠୁଁ ଗୌତମୀଟି କିଏ ଜାଣିବାରେ ଅସୁବିଧା ହେଇ ନ ଥିଲା ସେମାନଙ୍କର।

ସେତେବେଳେ ରେଭେନ୍ସା ଓ ବାଣୀ ବିହାରରେ ତାଙ୍କର ବହୁ ପ୍ରଶଂସକ ରହିଥିଲେ। ସେ ଯେମିତି ସାହିତ୍ୟ ଜଗତରେ ଗୋଟେ ଝଡ। କେବଳ ବାଣୀବିହାର ନୁହଁ, ଜ୍ୟୋତି ବିହାର ଭଞ୍ଜ ବିହାରରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଥାନ୍ତି। ବିଭିନ୍ନ ସମୟରେ ମିଟିଂକୁ ଡାକନ୍ତି ସେମାନେ। ଜଗଦୀଶ ମଧ୍ୟ ପହଞ୍ôଚ ଯାଆନ୍ତି।

ସେଇ ଯେ ଲେଡିଜ୍ ହଷ୍ଟେଲ୍ ଆସି ବ୍ୟାଗ୍‌ଟି ଦେଇ ଯାଇଥିଲେ ସେ, ତା’ପରେ ସେ ରାମପୁରକୁ ଫେରିଲେ କି ନାହିଁ ମୋ ପାଖରେ କିଛି ଖବର ନ ଥିଲା। ହଠାତ୍ ଗୋଟେ ପୋଷ୍ଟକାର୍ଡ ଚିଠି ମୋ ପାଖରେ ଆସି ପହଞ୍ôଚଥିଲା। ଚିଠିଟି ଆସିଥିଲା ଜଗଦୀଶଙ୍କ ପାଖରୁ। ଜଗଦୀଶ କେବେ ବି ମୋତେ ପୋଷ୍ଟକାର୍ଡରେ ଚିଠି ଦେଉ ନଥିଲେ। ମୁଁ ଚିଠି ଟି ପଢ଼ିଥିଲି। ଲେଖା ଥିଲା, ମୋତେ ଚିକେନ୍ ପକ୍ସ ହୋଇଛି। ମୁଁ ଏଠି କଟକ ମେଡିକାଲ୍‌ର ଇନ୍‌ଫେକେସିୟସ୍ ୱାର୍ଡରେ ଭର୍ତ୍ତି ହେଇଛି। ଚିଠି ପଢ଼ି ମନ ବହୁତ ଖରାପ ହେଇଯାଇଥିଲା। ମୋ ରୁମ୍ ମେଟ୍‌, ଇଂରାଜୀରେ ଏମ୍‌.ଏ ପଢ଼ୁଥିବା ପ୍ରତିମା ନାୟକକୁ ମୁଁ ଜଗଦୀଶଙ୍କ କଥା କହିଲି। ପ୍ରତିମା ଯଦିଓ ମୋ ସାଙ୍ଗରେ ପଢ଼ୁଥିଲା। ମାତ୍ର ବୟସରେ ମୋ ଠୁ ଦି ବର୍ଷ ବଡଥିଲା। ସାଙ୍ଗ ହେଲେ ବି ସେ ମୋ ପ୍ରତି ଖୁବ୍ ଯତ୍ନଶୀଳ ଥିଲା। ମୁଁ ଜଗଦୀଶଙ୍କ ଚିଠି ବେଳେବେଳେ ଏଣେ ତେଣେ ପକେଇ ଦେଇଥାଏ। ସେ ହସ୍ତାକ୍ଷରରୁ ଇଏ ଜଣେ ନିର୍ଦ୍ଦିଷ୍ଟ ଲୋକର ଚିଠି ବୋଲି ଜାଣି ପାରି, ଚିଠି ସବୁକୁ ମୋ ଗଦି ତଳେ ରଖି ଦେଉଥିଲା। କ୍ରମଶଃ ଜଗଦୀଶଙ୍କ ସହ ମୋ ଘନିଷ୍ଠତା କଥା ତାକୁ ଜଣା ପଡିଥିଲା ଓ ଦିନେ ବଜାର ଯାଇ ଆମେ ଉଲ୍ କିଣି ଆଣିଥିଲୁ ଓ ସେ ଜଗଦୀଶଙ୍କ ପାଇଁ ସ୍ୱେଟର ଟେ ବି ବୁଣି ଦେଇଥିଲା।

ତେଣୁ ଜଗଦୀଶଙ୍କ ପୋଷ୍ଟକାର୍ଡ ପାଇବା ପରେ ପ୍ରତିମା (ରୁନା) ଓ ମୁଁ ଦିହେଁ ଏସ୍‌.ସି.ବି ମେଡିକାଲକୁ ଯାଇଥିଲୁ। ଏସ୍‌.ସି.ବି.ରେ ସେତେବେଳେ ମୋ ବଡବାପାଙ୍କ ଝିଅ, ମୋର ଜଣେ ନାନୀ ଗାଇନୋକଲଜିରେ ପି.ଜି. କରୁଥିଲେ। ତାଙ୍କୁ ତ ସିଧା ସଳଖ ଇନ୍‌ଫେକସିୟସ୍ ୱାର୍ଡ ବିଷୟରେ ପଚାରିବା ସମ୍ଭବ ନ ଥିଲା, ତାଙ୍କର ଜଣେ ସାଙ୍ଗ ସଙ୍ଗେ ଦେଖା ହେଇ ଯାଇଥିଲା ରାସ୍ତାରେ। ତାଙ୍କ ପାଖରୁ ସେଇ ୱାର୍ଡକୁ ଯିବା ରାସ୍ତା ଜାଣି ପାରିଥିଲୁ ଓ ଆମେ ଦିହେଁ ଯାଇ ଥିଲୁ ତାଙ୍କ ବତେଇଥିବା ରାସ୍ତାରେ। ଗୋଟେ ନାଲି କମ୍ବଳ ଘୋଡେଇ ହେଇ ଶୋଇଥିଲେ ଜଗଦୀଶ। ପାଖରେ ଗୋଟେ ରଂଗଛଡା, କଳଙ୍କି ଲଗା ଛୋଟ ମେଜ ଥିଲା। ତା ଉପରେ ଧଳା ଏନାମେଲ ଛାଡି ଯାଇଥିବା ଟିଣ ବାସନଟେ ଥୁଆ ଯାଇଥାଏ। ସେଇ ୱାର୍ଡଟା ଗୋଟେ ବସ୍‌ଷ୍ଟାଣ୍ଡର ୱେଟିଂ ରୁମ୍ ପରି ଦିଶୁଥିଲା। ଭିତରେ କୁକୁର ଦି’ଟା ବୁଲୁଥିଲେ। ଯିଏ ସେ ଦୃଶ୍ୟ ଦେଖିବ ସେ କେବେ ବି ହସ୍ପିଟାଲରେ ଭର୍ତ୍ତି ହେବାକୁ ଚାହିଁବ ନାହିଁ। ତାଙ୍କ ସଂଗେ ପାଞ୍ଚ ଦଶ ମିନିଟ୍ କଥା ହୋଇ ମୁଁ ଚାଲି ଆସିଥିଲି। ତାଙ୍କ ମୁହଁ ସାରା ଫୋଟକା ପରି ହେଇ ଚିକେନ୍ ପକ୍ସର ଘା’ ସବୁ ହେଇଥିଲା। ମୋତେ ତାଙ୍କ ଅବସ୍ଥା ଦେଖି ଦୁଃଖ ଲାଗି ଥିଲା। ସେ ଏଇଠି ଭର୍ତ୍ତି ନ ହେଇ ରାମପୁର ଫେରିଯାଇ, ସେଇଠି ହସ୍ପିଟାଲରେ ଭର୍ତ୍ତି ହେଇଥିଲେ ଭଲ ହେଇଥାନ୍ତା ବୋଲି କହିଥିଲି। ସେ କହିଥିଲେ, ତାଙ୍କୁ ପ୍ରଚଣ୍ଡ ଜ୍ୱର ଆସିଛି। ଜ୍ୱର ଦେହରେ ରଖି ଆଠ ଘଣ୍ଟା ବସ୍ ଯାତ୍ରା କଷ୍ଟକର ହେଇ ପଡିଥାନ୍ତା। ତାଙ୍କ ଚେହେରା ଖୁବ୍ ମଳିନ ପଡି ଯାଇଥିଲା। ତାଙ୍କ ପୁରୁଣା ଡାଏରୀରେ ସେ ସମୟରେ ଲେଖିଥିବା କିଛି ଅଂଶ ଏଇଠି ରଖୁଛି। 

“ସ୍ୱପ୍ନ ସମ୍ରାଟଙ୍କୁ ଜ୍ୱର ଆସିଛି। ତଣ୍ଟି ବ୍ୟଥା। ଦେହ ଯାକ ବସନ୍ତର ଫୋଟକା। ସାରା ଦେହ ବିଭୂତି ବୋଳା। ବ୍ୟାଟିକ୍ ପ୍ରିଣ୍ଟର ଲୁଙ୍ଗି ପିନ୍ଧି, ସ୍ୱପ୍ନ ସମ୍ରାଟ ନଇଁ ପଡିଥିଲେ। ଟ୍ୟୁବ୍ ୱେଲ୍ ପାଖରେ। ତମେ ଦେଖିଛ ଗୋଟେ ଗୋରୁ, ଗୋଟେ କୁକୁର ଡରି ଯାଇ ଭୁରୁଡି ଯାଇଥିଲେ।-

ସ୍ୱପ୍ନ ସମ୍ରାଟଙ୍କ ଗର୍ବ ଅଛି। ଇଗୋ ଅଛି। ଗୌତମୀ ଭଳି ସୁନ୍ଦରୀ ପ୍ରେମିକା ଅଛି। ତାଙ୍କର ନିଜସ୍ୱ ରାଜତ୍ୱ ଅଛି। କବିତାର ଶବ୍ଦ ନେଇ ନିତି ବାହାରନ୍ତି ଅଭିସାରରେ।

ତାଙ୍କ ଚାରିପଟେ ଏବେ ମୁର୍ଖଙ୍କର ମେଳ। ଭଙ୍ଗା ତାଟିଆରେ ସେ ଦୁଧ ଓ ପାଉଁରୁଟି ଧରି ଶୂନ୍ୟରେ ଆକାଶକୁ ଅନେଇ କହନ୍ତି, ମୋର ଗୋଟେ ସୁନ୍ଦର କବିତା ଭଳି, ନାରୀଟିଏ ଅଛି। ଗରମ ନିଃଶ୍ୱାସ ତଳେ, ଏଭଳି ଚାଲିଯାଏ ଦିନ। ଚିରକାଳ ବସିଥାନ୍ତି କି ଗୌତମୀର ଅପେକ୍ଷାରେ। ସେ ସ୍ୱପ୍ନ ସମ୍ରାଟ, ତାଙ୍କ କଲମ ମୁନରେ, କବିତା ରାଜ୍ୟରେ ଆସେ ଭୂମିକମ୍ପ। ଶୈଶବରେ ତାର ପ୍ରତିଟି ଜ୍ୱର ଭିଜା ଦିନର ଦାମ୍ ଥିଲା ଚାରିଅଣା। ସେଇ ଦରଦୀ ଅଥଚ ଦୀର୍ଘ ବପୁ ପ୍ରଚଣ୍ଡ ବ୍ୟକ୍ତିତ୍ୱ ବାପା, ଯିଏ ପୋଛି ନେଇଥିଲେ ତା ଆଖିରୁ ଗରମ ଲୁହକୁ ସେ ଆଜି ସ୍ୱର୍ଗରେ। ଏବେ ତାକୁ ଜ୍ୱର ହେଇଛି। ହସ୍ପିଟାଲର ମସିଆ ବେଡ୍‌ରେ, ଘଡି ଦେଖି ସଫା ସୁତୁରା ନର୍ସଟିଏ ଔଷଧ ଦେଇ ଯିବା ପରେ, ଏକାକୀ ଭାବରେ ସେ ଏକା। ଫ୍ୟାନ୍‌ର ଗରମ ହାୱା, ପୃଥିବୀଟା ଯେମିତି କାଚ ବାକ୍ସରେ ବନ୍ଦୀ। ସେ କିଛି କହିବାକୁ ଚାହେଁ। ଅନେକ କିଛି ସେ ପାଇନି ବହୁତ ଦିନରୁ। ତା ପ୍ରେମିକାର ଓଠ ଅନେକ କିଛି ଭୁଲ୍ କରିବି ପାଇଛି। ହସ୍ପିଟାଲର ନିରବ ଚିତ୍ର ଭିତରୁ ତାକୁ କହିବାକୁ ଦିଅ; ମୁଁ ସୁଖୀ ଲୋକ, ମୋ ଜ୍ୱର ଭିଜା ଦିନର ଦାମ୍ ଚାରିଅଣା।” (ଜଗଦୀଶଙ୍କୁ ପିଲା ଦିନେ ଜ୍ୱର ହେଉଥିଲେ, ତାଙ୍କ ବାପା ପ୍ରତିଦିନ ଚାରିଅଣା ଦେଉଥିଲେ)

ବହୁଦିନରୁ ସେ ଭୁଲି ଯାଇଥିଲେ ସୁଖ। ବହୁଦିନରୁ ଭୁଲିଯାଇ ଥିଲେ ନିଦ। ନକ୍ଷତ୍ରର ସ୍ୱପ୍ନ ସବୁ ତାଙ୍କର ନ ଥିଲା। ତେଣୁ ସେ ସୁଖର ଇଲାକାରୁ ନିର୍ବାସନରେ ଚାଲିଯାଇଥିଲେ। କିନ୍ତୁ ତଥାପି ଛାତି ଭିତରେ, ଥଣ୍ଡା ସ୍ନାନ ପରେ ଶାନ୍ତ ହାତରେ କେହି ତୋଳି ନେବ ସୁଖର ଫସଲ। ଦେହରେ ଖେଳିବ ସଂଧ୍ୟାର ସୁଖୀ ପବନ। ଏବଂ ଗୌତମୀ ହିଁ ଜାଣେ ସର୍ବସତ୍ତ୍ୱ ସଂରକ୍ଷିତ ସ୍ୱର୍ଗର ଠିକଣା। ଏଇ ଭଳି ଏମିତି ଧାରଣା ନେଇ ଖୋଳି ପକେଇବ କଷ୍ଟରେ କିଣିଥିବା ନିଜସ୍ୱ ପୃଥିବୀକୁ ସେ ଦିନେ ଚାଲି ଆସିଲେ ପୁରୁଣା ସହରକୁ। ସେ ରାଜକୁମାର- ରାଜକୁମାର ଗୌତମୀର ଛାତିର ବ୍ରଜ ପାଖକୁ।

ସହରରେ ପହଂଚି କିନ୍ତୁ ବନ୍ଦୀ ହେଲେ। ଏମିତି ହିଁ ଥାଏ ଭାଗ୍ୟରେ। ସୁନେଲି କବରରେ ଅଛନ୍ତି ସେ ସମ୍ରାଟ ଭଳି, ରାଜଦଣ୍ଡ ଛୁଇଁ। ଏବେ ସେ ରାସ୍ତା କଡର ଷ୍ଟାଚ୍ୟୁ। ଗୌତମୀର ହାତର ସ୍ପର୍ଶରେ କେବେ ଦିନେ ମୁକ୍ତ ହେବେ ଏଇ ପ୍ରତୀକ୍ଷାରେ। 

(ପ୍ରକାଶ ଅପେକ୍ଷାରେ ଥିବା ସ୍ୱର୍ଗତ ଜଗଦୀଶ ମହାନ୍ତିଙ୍କର ଜୀବନୀ ‘ଜଣେ ବୋହେମିଆନ୍‌ର କାହାଣୀ’ରୁ ଗୋଟିଏ ଅଧ୍ୟାୟ।)

3 thoughts on “କୂହେଳିରେ ଥିବା ଗୌତମୀମାନେ

  1. ପ୍ରେମ ଅମର। ମନ ଦେହ ମାଧ୍ୟମ ମାତ୍ର। ଏ ସ୍ମୃତି କୁହେ ପ୍ରେମ ବେଶୀ ସ୍ୱର୍ଗୀୟ ଦେହାତୀତ, ପବନ ଭଳି ପ୍ରେମ ଜୀବନକୁ ବଞ୍ଚେଇ ଥାଏ, ଯୌବନରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ ..

  2. କଥା ସମ୍ରାଟଙ୍କ ସ୍ମୃତିମୟ ଚିତ୍ରଣ, ମନ୍ତ୍ରମୁଗ୍ଧ କରିବାର ଆସ୍ପର୍ଦ୍ଧା ରଖେ।

Leave a Reply

Your email address will not be published. Required fields are marked *