ଅନୁଭୂତି ବା ଜ୍ଞାନ ଓ କଳ୍ପନାର ଏକ ସଂବେଦନାତ୍ମକ ସଂଯୋଗରୁ ହିଁ ସାହିତ୍ୟର ସୃଷ୍ଟି। ଯେତେବେଳେ ଏକଦା ମହର୍ଷି ବାଲ୍ମିକୀ ବ୍ୟାଧ ଦ୍ୱାରା ଶରାହତ କ୍ରୌଂଚ ପକ୍ଷୀଟିଏ ମର୍ମନ୍ତୁଦ ଭାବେ ଛଟପଟ ହୋଇ ପ୍ରାଣ ତ୍ୟାଗ କରିବାର କରୁଣ ଦୃଶ୍ୟ ପ୍ରତ୍ୟକ୍ଷ କଲେ, ସେତେବେଳେ ସେ ଶୋକାକୁଳ ହୋଇ ଗାଇ ଉଠିଥିଲେ:
ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ ଶାଶ୍ୱତୀଃ ସମାଃ।
ଯତ୍କ୍ରୌଞ୍ଚମିଥୁନାଦେକମବଧୀଃ କାମମୋହିତମ୍।
ଏହାହିଁ ଭୂପୃଷ୍ଠର ପ୍ରଥମ କବିତା। ଏହି ଶ୍ଲୋକର ସ୍ଫୁଲିଙ୍ଗଟି ସୃଷ୍ଟି ହୋଇଥିଲା ମର୍ମସ୍ପର୍ଶୀ ବାସ୍ତବ ଘଟଣାଟିଏରୁ। ପରବର୍ତ୍ତୀକାଳୀନ ସାହିତ୍ୟର ବିହଙ୍ଗାବଲୋକନ କଲେ ଆମେ ଦେଖିବା ଯେ ଏହିଭଳି କିଛିନା କିଛି ବାସ୍ତବ ଅନୁଭୂତିରୁ ହିଁ ସାହିତ୍ୟ ନିଜର ରୂପ ପରିଗ୍ରହଣ କରିଥାଏ। କବି ବା ଲେଖକ ସେହି ଘଟିତ ଅନୁଭୂତି ବା ଜ୍ଞାନ ଉପରେ କଳ୍ପନାର ପୁଟ ଦେଇ ସୃଷ୍ଟି କରନ୍ତି କବିତା ଓ ଗଳ୍ପ ଭଳି କାଳ୍ପନିକ ସୃଷ୍ଟି ସମ୍ଭାର। ଏହି ଶ୍ରେଣୀର ସୃଷ୍ଟିରେ ପ୍ରକୃତ ଘଟଣାମାନ ସିଧାସଳଖ ଭାବରେ ବର୍ଣ୍ଣିତ ହୋଇନଥାଆନ୍ତି। ବରଂ ଏଥିରେ ସ୍ରଷ୍ଟା ନିଜର ଅନ୍ତର୍ଦୃଷ୍ଟି ବା କଳ୍ପନାର ପ୍ରୟୋଗ ପୂର୍ବକ ନିଜ ସର୍ଜନାଟିକୁ ରୂପାୟିତ କରିଥାଆନ୍ତି। ଆମେ ଜାଣୁ ଯେ ଏହି ଶ୍ରେଣୀର କଳ୍ପନା ଆଶ୍ରିତ ରଚନାବଳୀରେ ଏବର ଓଡ଼ିଆ ସାହିତ୍ୟ ଭରପୁର। ଅର୍ଥାତ୍ ଆଜିକାଲି ସାହିତ୍ୟ ଧର୍ମୀ ପୁସ୍ତକ ଓ ପତ୍ରପତ୍ରିକା ଖେଳାଇଲେ ଦେଖିବାକୁ ମିଳେ ଯେ ସେହି ରଚନା-ସମଗ୍ରର ରାଜଭାଗ ଅକ୍ତିଆର କରନ୍ତି କବିତା, ଗଳ୍ପ, ଉପନ୍ୟାସ ବା ନାଟକ ଭଳି କଳ୍ପନାଶ୍ରିତ ସୃଷ୍ଟିମାନ। ଅବଶ୍ୟ ‘କଳ୍ପନାଶ୍ରିତ’ ବୋଲି କହିବା ବେଳେ ଆମେ ଇତିହାସ ବା ଘଟଣା ଆଧାରିତ କାବ୍ୟ-କବିତା ଓ ଉପନ୍ୟାସଗୁଡିକୁ ଏଥିରେ ଅନ୍ତର୍ଭୁକ୍ତ କରୁନାହୁଁ।
ଏହି ପ୍ରସଙ୍ଗରେ ଆଉ ଏକ ଶ୍ରେଣୀର ରଚନା ମଧ୍ୟ ବେଳେବେଳେ ଆମ ଦୃଷ୍ଟିରେ ପଡେ, ଯେଉଁଥିରେ ଗଳ୍ପକାର ବା ଉପନ୍ୟାସକାର ନିଜ ଲେଖାର ପାଦଟୀକାରେ ସୂଚାଇଥାଆନ୍ତି ଯେ ତାଙ୍କର ରଚନା ‘ବାସ୍ତବ ଘଟଣା ଉପରେ ଆଧାରିତ’। ଏମନ୍ତ ସ୍ଥଳେ ଲେଖକ ବାସ୍ତବ ଘଟଣାବଳୀର ସ୍ଥାନ, କାଳ ଓ ପାତ୍ର ଆଦି ପରିବର୍ତ୍ତନ କରି ନିଜକୁ ନିରାପଦ ଦୂରତାରେ ରଖିବା ପାଇଁ ଚେଷ୍ଟା କରିଥାଆନ୍ତି। ଆମେ ଏଠାରେ ଏହି ପର୍ଯ୍ୟାୟର ରଚନାମାନଙ୍କ ବିଷୟରେ ବି ଆଲୋଚନା କରିବାକୁ ଯାଉନାହୁଁ।
ଆମର ବିଚାରଣୀୟ ହେଲା ସାହିତ୍ୟର ସେହି ବିଭାଗଟିମାନ ଯେଉଁଥିରେ ବାସ୍ତବ ଘଟଣାବଳୀ ସଂପୂର୍ଣ୍ଣ ଓ ସିଧାସଳଖ ଭାବରେ ବର୍ଣ୍ଣିତ ହୋଇଥାଆନ୍ତି। ଜୀବନୀ, ଭ୍ରମଣ କାହାଣୀ, ଓ ଅନୁଭୂତି ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଲକ୍ଷ୍ୟ କରାଯାଏ ଯେ ସାହିତ୍ୟର ଏହି ବିଭାଗଗୁଡିକୁ ସବଳ ଓ ଲୋକପ୍ରିୟ କରିବାପାଇଁ ସାରସ୍ୱତ ମହଲରେ ଯଥାଯଥ ଦୃଷ୍ଟି ଦିଆଯାଇନାହିଁ। ଏଥିମଧ୍ୟରୁ ଶେଷୋକ୍ତ, ଅର୍ଥାତ ‘ଅନୁଭୂତି’ ଶ୍ରେଣୀୟ ରଚନା ଆମ ଭାଷାରେ ପ୍ରାୟ ନାହିଁ କହିଲେ ଚଳେ।
ଏହି ଅନୁଭୂତି ବା ସଂସ୍ମରଣ ପର୍ଯ୍ୟାୟର ଲେଖାକୁ ଯଥାଯଥ ମାନ୍ୟତା ଦେବା ଏବର ଅନ୍ୟତମ ଆବଶ୍ୟକତା। କାରଣ ସମସ୍ତ ସାରସ୍ୱତ ରଚନାକ୍ଷମ ଲେଖକ ଯେ କବିତା ଓ ଗଳ୍ପ ଭଳି କଳ୍ପନାଶ୍ରିତ ସର୍ଜନା ପାଇଁ ସମ ଭାବରେ ଦକ୍ଷତା ସଂପନ୍ନ ସେ କଥା ମଧ୍ୟ କହିହେବନାହିଁ। ତେଣୁ କୌଣସି ସମୟରେ ନିଜେ ଅଙ୍ଗେନିଭାଇଥବା ଘଟଣା ବା ଅନୁଭବ ସବୁକୁ ଯଦି ଜଣେ ଲେଖକ କଲମରେ ସିଧାସଳଖ ଉପସ୍ଥାପନା କରନ୍ତି ତେବେ ତାହାକୁ ଉପଯୁକ୍ତ ମୂଲ୍ୟ ବା ନଦେବା କାହିଁକି। ଏହି ଅଭିପ୍ରାୟରେ ଆମେ ନିଜ ପତ୍ରିକାରେ ବାସ୍ତବ ଅନୁଭୂତିର ବର୍ଣ୍ଣନା ସମ୍ବଳିତ ଲେଖାଗୁଡ଼ିକୁ ପ୍ରୋତ୍ସାହିତ କରିବାପାଇଁ ଯତ୍ନଶୀଳ। ଏହି ସନ୍ଦର୍ଭରେ ଆମର ଚଳିତ ସଂଖ୍ୟାରେ ପ୍ରକାଶିତ ହୋଇଛି ପ୍ରକାଶ ନାୟକଙ୍କ ଏକ ଅନୁଭୂତିର ଆଲେଖ୍ୟ, ‘ଇଟାଲିଆନ୍ ସେଲୁନ୍’। ବିଶିଷ୍ଟ କଥାକାର ସ୍ୱର୍ଗତ ଜଗଦୀଶ ମହାନ୍ତିଙ୍କ ଜୀବନର କେତେକ ରୋଚକ ଘଟଣାବଳୀକୁ ନେଇ ରଚିତ, ତାଙ୍କ ସହଧର୍ମିଣୀ ତଥା ସୁଲେଖିକା ସରୋଜିନୀ ସାହୁଙ୍କ ଦ୍ୱାରା ଲିଖିତ ଜୀବନ ଚରିତରୁ ଅଧ୍ୟାୟଟିଏ ମଧ୍ୟ ଆମେ ଏହି ମର୍ମରେ ସ୍ଥାନିତ କରିଛୁ। ଆଶା, ସହୃଦୟ ପାଠକଙ୍କ ଦ୍ୱାରା ଏହା ଆଦୃତ ହେବ।
ନିହାର ଶତପଥୀ