କଥାରେ ମହାଭାରତ

ଆମ ଦେଶର କାଳଜୟୀ ମହାକାବ୍ୟ ମହାଭାରତର କଥାବସ୍ତୁ ପ୍ରାଚୀନଠାରୁ ନେଇ ଆଧୁନିକ କାଳ ପର୍ଯ୍ୟନ୍ତ ଅନେକ ପ୍ରଥିତଯଶା କବି ଓ ଲେଖକଙ୍କ ଲେଖନୀ ମୁନରେ ବିବିଧ ଭାବରେ ରୂପ ପାଇଛି। ବ୍ୟାସଦେବଙ୍କ ଦ୍ବାରା ସଂସ୍କୃତ ଭାଷାରେ ମହାଭାରତ ରଚିତ ହେବାପରେ ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାରେ ସାରଳା ଦାସ ମହାଭାରତ ରଚନା କରି ଆମ ଜାତିର ଏକ ଦିବ୍ୟ ଆବଶ୍ୟକତାର ପରିପୂରଣ କରିପାରିଥିଲେ। ଏଥି ଉପରାନ୍ତେ ଏହି ମହାଭାରତ ପରଂପରା ଅବ୍ୟାହତ ରହି ଅନ୍ୟାନ୍ୟ ବହୁ ସାରସ୍ବତ ସ୍ରଷ୍ଟାଙ୍କ ଦ୍ବାରା ମଧ୍ୟ ଆହୁରି ସମୃଦ୍ଧ ହୋଇଛି। ଏହି ସୁଦୀର୍ଘ ପରଂପରାକୁ ଏବେ ଏକ ନବୀନ ରୂପରେ ସାକାର କରିଛନ୍ତି ଆମ ସମୟର ଗ୍ରନ୍ଥକାର ଡ଼. ଅଭିରାମ ଦାସ।
ମହାଭାରତର ସଂପୂର୍ଣ୍ଣ ବୃତ୍ତାନ୍ତଟି ଗଦ୍ୟାକାରରେ ଅତ୍ୟନ୍ତ ସୁଖପାଠ୍ୟ ଢ଼ଙ୍ଗରେ ପରିବେଷିତ ହୋଇଛି ଡ଼. ଦାସଙ୍କର ଏହି ବୂହତ୍ କଳେବର ସଂପନ୍ନ ପୁସ୍ତକଟିରେ। ପ୍ରାରମ୍ଭରେ ଲେଖକଙ୍କ ଦ୍ବାରା ଉପସ୍ଥାପିତ ମୁଖବନ୍ଧଟି ମହାଭାରତର ଉଦ୍ଭବ, ବିକାଶ ଓ ଅନ୍ତଃସ୍ବରର ଏକ ତାତ୍ତ୍ବିକ ପ୍ରବନ୍ଧର ରୂପ ନେଇଛି । ତତ୍ପରେ ଗୋଟିକ ପରେ ଗୋଟିଏ, ୩୦୦ ଗୋଟି ଅଧ୍ୟାୟରେ, ସଭାରେ ବିଶ୍ବାମିତ୍ରଙ୍କ କ୍ରୋଧଠାରୁ ଆରମ୍ଭ ହୋଇ ଯୁଧିଷ୍ଠିରଙ୍କ ନର୍କ ଦର୍ଶନ ପର୍ଯ୍ୟନ୍ତ ମହାଭାରତର ଟିକିନିଖି ପ୍ରକରଣ ଚିତ୍ତାକର୍ଷକ ଶୈଳୀରେ ଉପସ୍ଥାପିତ ହୋଇଛି ଏହି ପୁସ୍ତକଟିରେ। ଲେଖକଙ୍କ ଗଦ୍ୟ କୌଣସି କ୍ଲିଷ୍ଟ ଆଭିଧାନିକ ଶବ୍ଦବିନ୍ୟାସ ଉପରେ ଆଶ୍ରିତ ହୋଇନାହିଁ। ଏହା ଆଖ୍ୟାୟିକାଟିର ସହଜ ଓ ସାବଲୀଳ ପ୍ରବାହରେ ସାହାଯ୍ୟ କରିଛି।
ଦୃଷ୍ଟାନ୍ତ ସ୍ବରୂପ, ଏଠାରେ ‘ରାଜସୂୟ ଯଜ୍ଞ’ ଶୀର୍ଷକ ଅଧ୍ୟାୟଟିରୁ କିଛି ବାକ୍ୟ ଉଦ୍ଧାର କରାଯାଇପାରେ :
“ଶିଶୁପାଳ କଥାରେ ଭୀମ ଅତ୍ୟନ୍ତ ଉତ୍କ୍ଷିପ୍ତ ହୋଇ ତା’ ଆଡ଼କୁ ଚିହିଙ୍କି ଗଲେ।ଆଖି ଲାଲ୍ କରି ଦାନ୍ତ କାମୁଡି ଶିଶୁପାଳକୁ ମାରିଦେବାକୁ ଭୀମ ଉଦ୍ୟତ ହେଲେ। ଭୀଷ୍ମ ଭୀମକୁ ଶାନ୍ତ କରାଇଲେ। ଭୀଷ୍ମ କହିଲେ- ଭୀମ, ତୁମେ ଶିଶୁପାଳକୁ ଛାଡ଼ିଦିଅ, ତା’ ଉପରେ କ୍ରୋଧିତ ହୁଅନାହିଁ, ଦେଖିବ ସେ କେମିତି ପତଙ୍ଗ ପଡିଲାପରି ଛଟପଟ ହେବ।”
ଏହି ଶୈଳୀର ରଚନା ମହାଭାରତର କଥାବସ୍ତୁଗତ ରସର ଆସ୍ବାଦନ ପାଇଁ ପାଠକ ସମକ୍ଷରେ କୌଣସି ପ୍ରତିବନ୍ଧକ ସୃଷ୍ଟିକରେନାହିଁ। ବରଂ ସେ ଏଥିରେ ନିଜର ଗ୍ରହଣଶୀଳତା ଓ ସଂବେଦନାର ନିଚ୍ଛକ ପ୍ରତିଫଳନ ପ୍ରତ୍ୟକ୍ଷ କରେ। ଏହା ପୂର୍ବରୁ ଆମ ଭାଷାରେ ମହାଭାରତର ଏହି ପର୍ଯ୍ୟାୟର ଗଦ୍ୟାନୁବାଦ ଯେ ରଚିତ ହୋଇନାହିଁ ତାହା ନୁହେଁ। ବରଂ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ଭଳି କୃତବିଦ୍ୟ ପଣ୍ଡିତ ମଧ୍ୟ ମୟୂରଭଂଜର ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେବଙ୍କ ପୃଷ୍ଠପୋଷକତାରେ ମହାଭାରତର ଏକ ଗଦ୍ୟାନୁବାଦ ଲେଖି ଏକ ସ୍ମରଣୀୟ ନଜିର ସୃଷ୍ଟି କରିଯାଇଛନ୍ତି।
ଆଲୋଚ୍ୟ ପୁସ୍ତକଟିର ଅନ୍ୟତମ ବୈଶିଷ୍ଟ୍ୟ ହେଲା ଯେ ଲେଖକ ସମକାଳୀନ ପାଠକର ଚାହିଦାକୁ ଦେଖି ଏକ ସୁବୋଧ୍ୟ ଓ ସୂଗମ ଗଦ୍ୟ ରୂପରେ ମହାକାବ୍ୟଟିର ପରିବେଷଣ କରିଛନ୍ତି।
ଏହି ଯୁଗର ପାଠକ, ବିଶେଷତଃ ଆମ ଦେଶର ମହାନ ମହାକାବ୍ୟ ପରଂପରା ପ୍ରତି ଅନୁସନ୍ଧିତ୍ସୁ ନୂତର ପିଢ଼ିର ଓଡ଼ିଆଙ୍କ ପାଇଁ ଏହି ଗ୍ରନ୍ଥଟି ଏକ ଉପଯୁକ୍ତ ଅବସର ପ୍ରସ୍ତୁତ କରିଛି ବୋଲି କୁହାଯାଇପାରେ। ଏ ଦୃଷ୍ଟିରୁ ଏହା ବିଶେଷ ଭାବେ ଆଦୃତ ହେବା ଆଶା କରାଯାଏ।

ନିହାର ଶତପଥୀ

2 thoughts on “କଥାରେ ମହାଭାରତ

  1. ଅନୁପମ ଗ୍ରନ୍ଥଟି ପାଇଁ ଡ.ଅଭିରାମ ଦାସଙ୍କୁ ଅନେକ ଶୁଭେଚ୍ଛା।

  2. ସ୍ବାଗତଯୋଗ୍ୟ swagatam ଆଶା ପାଠକୀୟ ଆଦୃତି ଲାଭ କରିବ କିନ୍ତୁ ଏହା ସୁଲଭ ମୂଲ୍ୟରେ ପ୍ରାପ୍ତ ହେଲେ ସବୁ ସ୍ତରର ପାଠକଙ୍କ ପାଖରେ ପହଞ୍ଚି ପାରନ୍ତା

Leave a Reply

Your email address will not be published. Required fields are marked *