ସାହିତ୍ୟ ସର୍ଜନା- ଏକ ଦିବ୍ୟ ଉପାସନା

  • ଆମରି ହାତରେ ଆମ ସାହିତ୍ୟର ଭାଗ୍ୟ ଯେ ଦିନେ ବିଡ଼ମ୍ବନାରେ ଜୀର୍ଣ୍ଣ ନ ହୋଇଯିବ ତାହାକୁ କିଏ ବା ଅସ୍ୱୀକାର କରିପାରିବ !
ଦୁର୍ଗା ଚରଣ ଷଡ଼ଙ୍ଗୀ

ସାହିତ୍ୟ ଗୋଟିଏ ଜାତିର ରୂପ ଦର୍ପଣ ସଦୃଶ। ଦର୍ପଣର ସ୍ୱଚ୍ଛତାରେ ରୂପକୁ ଅପରୂପ କରି ଦେଖାଇବା ପରି ବଳିଷ୍ଠ ପ୍ରତିବଦ୍ଧ ଓ ଜୀବନବାଦୀ ସତ୍‌ସାହିତ୍ୟର ପ୍ରଗତି ଧାରା ମଧ୍ୟ ସେପରି ସେହି ଜାତିକୁ ବଳିଷ୍ଠ କରିଥାଏ। ସାହିତ୍ୟ ସମାଜକୁ ଅବଶ୍ୟ ନିର୍ମାଣ କରିପାରେନା ମାତ୍ର ସମାଜକୁ ଏକ ନୂତନ ଦିଶା ଦେଖାଇବାରେ ସମର୍ଥ ହୁଏ। କାରଣ ସାହିତ୍ୟ ସାଧକ ସମାଜ ଉଦ୍‌ଗାତା ନୁହେଁ ବରଂ ସେ ସାହିତ୍ୟ ରୂପକ ବଂଶୀର ଫୁଙ୍କାଳିଟିଏ। ଅନାଦିକାଳରୁ ‘ବଂଶୀ’ ଅଛି ମାତ୍ର ତା’ର ରନ୍ଧ୍ରରେ ସ୍ୱର ଦେବାରେ ସାମର୍ଥ୍ୟ ଦର୍ଶାଇ ପାରୁଥିବା ବଂଶୀବାଦକଟି ହିଁ ତା’ର ନିଜସ୍ୱ ଧ୍ୱନିଦ୍ୱାରା ବ୍ୟକ୍ତିସତ୍ତାକୁ ଆକର୍ଷିତ କରିଥାଏ। ବଂଶୀବାଦକର ଧ୍ୱନି ସଂରଚନାଗତ ଦକ୍ଷତା ଅର୍ଜ୍ଜନ ଯେପରି, ନିଷ୍ଠାଗତ ସାହିତ୍ୟ ସଂରଚନା ମଧ୍ୟ ସେପରି। ସର୍ବୋତ୍ତମ ସର୍ଜନାକୁ ସାହିତ୍ୟିକଟିଏ ସମାଜକୁ ଦାନ ଦେଇ ଜଣେ ସୁଖ୍ୟାତ ସାରସ୍ୱତ ସାଧକର ଆଖ୍ୟା ଅର୍ଜନ କରିବା କ’ଣ କମ୍ କଥା କି?

ପାରଦର୍ଶିତା ନଥିଲେ ସାହିତ୍ୟିକଟିଏ ହେବା ବଡ଼ ଦୂରୁହ! ଦେଶ କାଳ-ପାତ୍ରକୁ ନେଇ ତଥା ଆସ୍ତିକ ଦୃଷ୍ଟିଭଙ୍ଗୀ ରଖିପାରୁଥିବା ଭାବବିହ୍ୱଳ ରସିକ ମଣିଷଟିଏ ହିଁ ସାହିତ୍ୟ ପ୍ରଗତିର ଧାରାକୁ ଗତିଶୀଳ କରାଇଥାଏ। ନିତ୍ୟ ନୈମିତ୍ତିକ ସଂସାର ପ୍ରତି ଉଦାସୀନ ଭାବ, ମାନସିକତାରେ ଭାବ ଆହରଣ ଗତ ଉତ୍କଣ୍ଠା ଓ ସଦାଚାରୀତା ନଥିଲେ ସଚ୍ଚା ସାହିତ୍ୟ ସାଧକଟିଏ ହେବା ସେତେଟା ସହଜ ବ୍ୟାପାର ନୁହେଁ। ପରିଚ୍ଛନ୍ନ ଅନ୍ତର୍ଦୃଷ୍ଟି ହିଁ ସାହିତ୍ୟକାରର ପୁଞ୍ଜି। କାରଣ ଜୀବନ ଓ ସୌନ୍ଦର୍ଯ୍ୟର ଫେଣ୍ଟାଫେଣ୍ଟି ନିଷ୍କର୍ଷ ହିଁ ସାହିତ୍ୟ। ଏତଦ୍‌ବ୍ୟତୀତ ସାହିତ୍ୟ ଆଉ କ’ଣ କି? ବ୍ରହ୍ମାଣ୍ଡ ସଂରଚନାର ସତ୍ୟତାହିଁ ସାହିତ୍ୟରେ ନିହିତ। ଆଗରୁ ଯାହା ଅଛି – ଯାହା କେହି ତିଆରି କରିନାହିଁ। କାଳରୁ କାଳକୁ, ମନରୁ ଆର ମନକୁ ପ୍ରଧାବିତ ହେଉଥିବା ମଣିଷର ବୁଦ୍ଧି ଓ ଭାବନାର ରୂପରେଖ ହିଁ ସାହିତ୍ୟ! ଯାହାର ଭାବନା ଚେତନା ଯେତେ ପ୍ରଗାଢ଼ତର ତା’ର ସାହିତ୍ୟ ସେତେ ବଳିଷ୍ଠ ଓ ଗ୍ରାହ୍ୟ।

ଚିରନ୍ତନ ଭାବ

ନୂଆ କିଛି ହିଁ ଏ ସଂସାରରେ ଘଟୁନାହିଁ। ଘଟଣାମାନ ଆଗରୁ ଥିଲା ଓ ତାହା ଘଟିବା ହିଁ ନିଧାର୍ଯ୍ୟ। ମଣିଷ ଗୋଟିଏ କାଳଖଣ୍ଡରେ ନିଜେ ଭୋଗି ଚାଲିଥିବା ଘଟଣାମାନଙ୍କୁ ଦିନେ ପୁରାତନତାର ଦ୍ୱାହି ଦେଇ ଫିଙ୍ଗିଦିଏ ତଳକୁ। ସେଠି ଆଉ ଆଉ ଘଟଣାମାନ ନୂଆ ରୂପରେଖ ନେଇ ଅବତାର ହୁଅନ୍ତି। ଆଉ ଏକ ନୂତନ କାଳଖଣ୍ଡ ସେହି ପୁରାତନ ଘଟଣାମାନଙ୍କର ଜୀର୍ଣ୍ଣ ଚରିତ୍ରକୁ ପୁଣିଥରେ ନୂଆ ରୂପରଙ୍ଗ ଦେଇ ଠିଆ କରନ୍ତି, ଯାହାକୁ ଆମେ ଆଧୁନିକତା ବୋଲି କହୁଁ। ହେଲେ ସମୟ ଅତୀତ ବା ପୁରୁଣା ହୁଏ। ଅଥଚ ମଣିଷ ହୃଦୟର ଭାବ କେବେହେଁ ପୁରାତନ ହୁଏନାହିଁ। ଭାବ ଚିରନ୍ତନ। କେବଳ ସମୟକୁ ନେଇ ସେ ରୂପରୁ ରୂପାନ୍ତର ହୋଇଥାଏ ଯାହା। ଆମର ସାହିତ୍ୟ ସେପରି। ଆଗରୁ ଥିଲା ଅଥଚ କେବଳ ଭାବ ବଦଳୁଛି ନୂଆ ରୂପ ନୂଆ ଢଙ୍ଗରେ। ପୋଷାକ ବଦଳା ପରି ସମୟ ତା’ର ପୁରୁଣା କଥାମାନଙ୍କୁ ନୂଆରୂପଟିଏ କରି ସେହି ଭୋଗୁଥିବା କାଳଖଣ୍ଡରେ ଦେଖାଉଛି ଯାହାକୁ ଆମେ ଆଧୁନିକତା ବୋଲି କହୁଛୁ। ଆଧୁନିକତା ମଣିଷ ମନର ଗୋଟେ ନୂଆ ଚାଲାକି! ସଜବାଜର ପୋଷାକ ପିନ୍ଧି ବଜାର ଯିବା ଓ ଘରକୁ ଫେରି ପୁଣି ଗାମୁଛା ପିନ୍ଧିବା ପରି ଏହା କେବଳ ଏକ ନୂଆ ତରିକା, ଯାହା ମଣିଷର ମନକୁ ଛଦ୍ମପଣରେ ବାନ୍ଧି ରଖେ ସିନା ହେଲେ ଅସ୍ମିତାକୁ ବଦଳାଇ ପାରେନା। ଏମିତି ଅନାଦି କାଳରୁ ହିଁ ରୂପରୁ ରୂପାନ୍ତର ଚାଲିଛି। ଆଜି ଯାହା ଦେଖୁଛ ତାହା ଆଗରୁ ଥିଲା ଏବଂ ଆଗକୁ ମଧ୍ୟ ସେପରି ହିଁ ଘଟିଚାଲିଥିବ। ଏହି ଘଟଣାମାନ ଏ ସଂସାରରେ ଯାହା ସବୁ ଘଟୁଛି ତାହା କେବଳ ‘ମୃତ୍ୟୁ’କୁ ସାକ୍ଷୀ ରଖି। ମୃତ୍ୟୁ ନଥିଲେ ସଂସାରୀପଣ ନଥାନ୍ତା। ଅମର ମଣିଷମାନଙ୍କର ସ୍ଥିତାବସ୍ଥା-କ୍ରିୟମାଣତା-ଅଭିରୁଚି କି ସୃଜନାତ୍ମକ ଦିବ୍ୟଗୁଣମାନ କ’ଣ କିଛି ଅଛି କି? ସେଠି ସବୁ କିଛି ନିସ୍ତରଙ୍ଗ-ଭାସମାନ ସତ୍ତା। ସେଥିପାଇଁ ହୁଏତ ଚେତନଶୀଳ-ମରମଣିଷ ହିଁ ସର୍ବସର୍ଜନାର ଆଧାରଶୀଳା। ଭୋଗରେ ସର୍ଜନା ଥାଏ।
ଏ ସୃଜନ-ପୃଥିବୀରେ ମଣିଷ ଚେତନାରୁ ଉଦ୍ଭବ ଅନେକାନେକ ସୃଜନକର୍ମ ମଧ୍ୟରୁ ସାହିତ୍ୟ ସୃଜନ ଅବଶ୍ୟ ଗୋଟିଏ ଧାରା। ମାତ୍ର କ୍ରମକ୍ଷୟଶୀଳ କାଳଖଣ୍ଡରେ ପ୍ରତ୍ୟେକ ସୃଜନକର୍ମ ଭୌତିକତାର ପ୍ରଭାବରେ ଏବେ ଦ୍ରୁତ କ୍ଷୟ ହେବାରେ ଲାଗିଛି। ସାହିତ୍ୟକର୍ମ ମଧ୍ୟ ସେଥିରୁ ବାଦ୍ ପଡ଼ିବ ବା କିପରି? ଦେଖିବାକୁ ଗଲେ କେବେ ଦିନେ ଦୀର୍ଘ ଆୟୁ ଓ ଦୀର୍ଘ କଳେବର ବହନ କରୁଥିବା ମଣିଷମାନେ ଏବେ ଅଳ୍ପାୟୁ-ରୁଗ୍‌ଣ ତଥା କଳେବରରେ ପୃଥୁଳ ବାମନ ଓ କଦାକାର। ଏହାର ମୂଳକାରଣମାନଙ୍କ ମଧ୍ୟରେ ପ୍ରଧାନ କାରଣଟିଏ ହେଉଛି ରୂପାନ୍ତରଣ ପ୍ରକ୍ରିୟା ଯାହା ଭୌତିକ ଗୁଣଧର୍ମରେ ପ୍ରଭାବିତ ଓ ମୂଳ ପ୍ରକୃତିଦତ୍ତ ସୃଜନ ପ୍ରକ୍ରିୟାରୁ ଅଲଗା ହୋଇ ଏକ ନୂଆ ରୂପ ଧାରଣ କରିବା। ତତ୍ତ୍ୱ ରହିବ ମାତ୍ର ରୂପ ଆକାର ପ୍ରକାରରେ ପରିବର୍ତ୍ତନ ହୋଇଚାଲିଥିବ। ଅଧିକ ଅମଳକ୍ଷମ ବିହନ ପରି ସାମ୍ପ୍ରତିକ ଅବସ୍ଥାର ଚାହିଦାକୁ ଚାହିଁ ତାକୁ ପରିପୂରଣ କରିବ, ମାତ୍ର ସ୍ୱାଦ ନ ଥିବ। ସେଇ ଧାରା ବଳରେ ଏବେ ମହଣ ମହଣ ଫଳ ଦେଉଥିବା ହୃଷ୍ଟପୃଷ୍ଟ ବୃକ୍ଷ ସବୁ ଅକାଳ ବାର୍ଦ୍ଧକ୍ୟରେ ଫଳଶୂନ୍ୟ। କହିବାକୁ ଗଲେ ସୁନ୍ଦର ମନୋରମ ଆମର ଏ ପୃଥିବୀଟି ଏବେ ଅକାଳ ବାର୍ଦ୍ଧକ୍ୟରେ ଉପନୀତ। ସବୁକିଛି ଅସ୍ଥିର-ଅସାର ଏଠି। ଦୈବକୃତ ମାୟାର ଭିଆଣରୁ ପୃଥିବୀ ବା ବାଦ୍ ପଡ଼ିବ କିପରି? ଜରାଗ୍ରସ୍ତ ପୃଥିବୀ କ୍ରମଶଃ ଏବେ ଉଷର ଓ ବନ୍ଧ୍ୟା କବଳିତ। ଆଧିଦୈବିକ ଈଶ୍ୱରୀୟ ଚେତନାରେ ଏହାହିଁ ହୁଏତ ଅସାର ପୃଥିବୀର ଭାଗ୍ୟ ଲେଖା !!

ଆମ ସର୍ଜନା ପ୍ରକ୍ରିୟା

ଏବେ ସେହି ରୂପାନ୍ତରଣ ପ୍ରକ୍ରିୟାରେ ସାହିତ୍ୟର ସର୍ଜନାତ୍ମକ ଦିଗ ମଧ୍ୟ ନିମ୍ନଗାମୀ ହେବାରେ ଲାଗିଛି। ମଣିଷ ଜୀବନ ଜିଇଁଛି ହେଲେ ଅସ୍ଥିରତାକୁ ଭୋଗୁଛି। ଚେତନ ଅଛି ହେଲେ ବାବଦୁକ ପରି ଅର୍ଦ୍ଧଚେତନ। ମଣିଷକୁ ଲାଗୁଛି କେହି ଅଦୃଶ୍ୟ ଯେପରି ତା’ର ସବୁକିଛି ସଂସାଧନକୁ ଚୁରମାର କରିଦେବ। ସେଇ ମର୍ମରେ ସେ ନିଜ ଛାଇକୁ ମଧ୍ୟ ଏବେ ଡରୁଛି। ବେଳେବେଳେ ଲାଗେ ମଣିଷଟି ଆଉ ବୋଧହୁଏ ଅତିମାନସଚେତନାକୁ ଛୁଇଁ ପାରିବନି। ଗୌତମବୁଦ୍ଧଙ୍କ ପରି, ଯୋଗୀ ଅରବିନ୍ଦଙ୍କ ପରି ଈଶଦର୍ଶନର ପ୍ରଲୁବ୍ଧ ଆକାଂକ୍ଷା ତା’ ଭାଗ୍ୟରେ ଆଉ ଜୁଟିବନି!! ଅତିମାନସ ଚେତନାର ଏହି ଅମୃତମୟ ପଥରେ ମଣିଷର ଦର୍ଶନ-ଶାସ୍ତ୍ର-ନୃତ୍ୟ-ଗୀତ-ସାହିତ୍ୟ ସବୁକିଛି ଗୋଟିଏ ଗୋଟିଏ ରଶ୍ମୀରେଖା, ଯାହା ନୂଆ ସର୍ଜନାର ପୃଥିବୀଟିଏ ତିଆରି କରିବାର ସାମର୍ଥ୍ୟ ରଖିଥାଏ। ‘ସାହିତ୍ୟ’ ମଧ୍ୟ ତା’ର ଏକ ଅଭିନ୍ନ ପୋଷାକ।
ଏବେ ଯଦି ସାହିତ୍ୟକୁ ନେଇ ଆମେ ଚର୍ଚ୍ଚା କରିବା ତେବେ ଦେଖିବା ଯେ – ସାହିତ୍ୟରେ ଭାବଅଛି ହେଲେ ସୌନ୍ଦର୍ଯ୍ୟ ନାହିଁ। ତତ୍ତ୍ୱ ଅଛି ତଥ୍ୟ ନାହିଁ। ନୈସର୍ଗିକ ଅବବୋଧ ନାହିଁ – ନାହିଁ ବି ଲାଳିତ୍ୟ। ସାହିତ୍ୟ ଏବେ କର୍କଶତାର ଏକ ଚାରଣ ଭୂମି ପରି ଶୁଷ୍କ-ଅର୍ଥହୀନ ଆତ୍ମବଡ଼ିମାର ମହୋତ୍ସବ ପାଲଟି ଯାଇଛି। ଏହା ମୂଳରେ କାଳର ରୂପାନ୍ତରଣ ପ୍ରକ୍ରିୟା ମଧ୍ୟ ପ୍ରଭାବ ପକାଇ ଚାଲିଛି। ମଣିଷର ଦୈତ୍ୟ ଚରିତ୍ରରେ ଦେଖାଦେଇଛି ଯୁଦ୍ଧ-ବିଭତ୍ସତା-ରକ୍ତପାତ-ଆତଙ୍କ, ଫିସାଦର ବିବିଧ ଉପସର୍ଗ। ଏହି ‘ବାଦ’ ସବୁର ସଂକ୍ରମଣରେ ମଣିଷ ଏବେ ରକ୍ତ ଚରିତ୍ର ସାଜିଛି। ଆଧ୍ୟାତ୍ମବାଦରେ କରୁଣ ଦୋହାଗାନର ସକଳ ବିଭୁ ପ୍ରାର୍ଥନା ଏବେ ଭୌତିକ ମାୟାବାଦର କାରାଗୃହରେ ବନ୍ଦୀ। ସେପରି ମଧ୍ୟ ସାହିତ୍ୟର ଗୁଣାତ୍ମକମାନ, ଅମାନବୀୟ ବ୍ୟକ୍ତି ଚରିତ୍ରରେ ଅବକ୍ଷୟ ହୋଇ ଏକ ଉପର ଠାଉରିଆ କର୍ମରେ ପରିଣତ ହୋଇଚାଲିଛି। ସାହିତ୍ୟିକ-ସଙ୍ଗୀତଜ୍ଞ-ପ୍ରବଚକ-ନୃତ୍ୟବିଶାରଦ ସମସ୍ତେ ଅଛନ୍ତି ହେଲେ ଦେଖଣାହାରୀ-ପାଠକ-ଶ୍ରୋତାଙ୍କ ସଂଖ୍ୟା କ୍ରମଶଃ ନ୍ୟୁନ ହେବାରେ ଲାଗିଛି।

ଉଗ୍ର ଶୃଙ୍ଗାର ଚେତନା

ସାହିତ୍ୟ ଏବେ ଅତିମାତ୍ରାରେ ଉଗ୍ର ଶୃଙ୍ଗାର ଚେତନାଧର୍ମୀ। ଭୋଗବାଦର ସଂସାରରେ ଆଧ୍ୟାତ୍ମରସ ଆସ୍ୱାଦନର ଅଭୀପ୍‌ସା କ୍ରମଶଃ ଲୋପ ପାଇଯାଇ କେବଳ ନଗ୍ନ ଅଶ୍ଲୀଳତାର ରୂପକଳ୍ପରେ ସାହିତ୍ୟ ମହିମା ମଣ୍ଡିତ ହେବାରେ ଲାଗିଛି। କାବ୍ୟ ପରମ୍ପରା-କଥା କାହାଣୀ-ଉପନ୍ୟାସ ଆଦି ପ୍ରସଙ୍ଗ ଭିତ୍ତିକ ସାହିତ୍ୟ ସର୍ଜନାରେ ଅଶ୍ଳୀଳତା ଏପରି ଭରିଯିବାରେ ଲାଗିଛି ଯେ ଦେହଭୋଗର ନଗ୍ନ ବାସ୍ତବତାକୁ ରୂପ ନ ଦେଲେ ସାହିତ୍ୟ ଯେପରି ପାଠକଗ୍ରାହ୍ୟ ହୋଇପାରିବନି। ସେ ପାଇଁ ନାନାଦି କଳାକୌଶଳ ଓ ଯୁକ୍ତି ଖଞ୍ଜିବାରେ ମଧ୍ୟ ସାହିତ୍ୟ-ସାଧକଟିଏ ତା’ର ଗଳଦ୍‌ଘର୍ମ ପ୍ରଚେଷ୍ଟା ଜାରି ରଖିଛି। ଏବର ରସହୀନ ସମାଜରେ ସାହିତ୍ୟ ମଧ୍ୟ ସାମାଜିକ ଅବକ୍ଷୟଶୀଳତାର ପଶ୍ଚାତ୍‌ଧାବନ କରିବାରେ ଆଦୌ ଅବହେଳା କରିନାହିଁ। ଏପରି ସ୍ଥଳେ ଅନାଦି କାକଖଣ୍ଡରେ ରଚିତ ଆମ ଭାରତୀୟ ସାହିତ୍ୟକୁ ଅତିକ୍ରମଣ କରିବାର ନୈତିକ ସାହସ ଏବର ସାହିତ୍ୟ ସ୍ରଷ୍ଟାର ଅଛିକି? ପୂର୍ବେ ସାହିତ୍ୟକୁ ନେଇ ସମାଜ ବଂଚିଥିଲା। ହେଲେ ଏବେ ସମାଜକୁ ନେଇ ସାହିତ୍ୟ ବଂଚିଛି। ସାହିତ୍ୟ ଏବେ ‘ସମ୍ବାଦ ବା ଖବରଧର୍ମୀ’। ସମ୍ବାଦକୁ ନେଇ ସାହିତ୍ୟ ରଚନା କରିବା କେବଳ ଲୋକକଥା ହୋଇ ରହିଯିବ ସିନା ତାହା ସୁସଂହତ ସମାଜ ଗଠନରେ କେବେହେଁ ସହାୟକ ହୋଇପାରିବ ନାହିଁ। କାରଣ ସମାଜ ସର୍ବଦା କୌଣସି ନା କୌଣସି ଏକ ପ୍ରେରଣାଦାୟୀ ଦିଗ୍‌ଦର୍ଶନ ଦ୍ୱାରା ପରିଚାଳିତ ହୋଇଆସିଛି।
ସେହି ପ୍ରେରଣାପ୍ରଦାୟୀ ବ୍ୟକ୍ତି ସତ୍ତାଟି ହିଁ କବି-ଲେଖକ। ବ୍ରହ୍ମାଣ୍ଡ ସଂରଚନାର ବୈଦିକ ଶାସ୍ତ୍ର ‘ବେଦଗ୍ରନ୍ଥ’ରେ ଯେଉଁ ସବୁ ତତ୍ତ୍ୱ-ତଥ୍ୟ ଓ ପରମାର୍ଥିକ ଜୀବନ ଜିଜ୍ଞାସାର ବିଶ୍ଲେଷଣ କରାଯାଇଅଛି ତାହା ପରକାଳରେ ‘ରାମାୟଣ’ରେ ମଧ୍ୟ ଦର୍ଶାଯାଇପାରିନାହିଁ। ରାମାୟଣର ଆସ୍ତିକ ମର୍ମବାଣୀ – ଅବବୋଧ ତା ପରକାଳରେ ବ୍ୟାସକୃତ ମହାଭାରତରେ ଆଉ ଦର୍ଶାଯାଇ ପାରିଛି କି? ଅନାଦିକାଳର ସାହିତ୍ୟ କାଳ ସଂକ୍ରମଣରେ କେବଳ ପରକାଳର ସାହିତ୍ୟକୁ ପ୍ରଭାବିତ କରିନାହିଁ ବରଂ ପରବର୍ତ୍ତୀ କାଳର ସାହିତ୍ୟରେ କିପରି ବ୍ୟକ୍ତି ଚରିତ୍ରର ଅବକ୍ଷୟ ଘଟିଛି ଓ ଅବମୂଲ୍ୟାୟନ ହୋଇଚାଲିଛି ତାହାକୁ ଅଙ୍ଗୁଳି ନିର୍ଦ୍ଦେଶ ମଧ୍ୟ କରିଛି। ବେଦ-ପୁରାଣ-ଉଚ୍ଚାଙ୍ଗ ଉପନିଷଦ, ରାମାୟଣ-ମହାଭାରତ ଏସବୁର ମିଶ୍ରିତ ତତ୍ତ୍ୱବୋଧିନୀ ହେଉଛି ପରମେଶ୍ୱର ଶ୍ରୀକୃଷ୍ଣଙ୍କ ମୁଖ ଭାଷ୍ୟ ‘ଗୀତା’। ଗୀତାହିଁ ସନାତନୀ ମଣିଷର ଜୀବନ ଦର୍ଶନର ମହାଗ୍ରନ୍ଥ। ଏଯାବତ୍ ଏହି ଆଧିଦୈବିକ ‘ଗ୍ରନ୍ଥ’ମାନଙ୍କୁ କୌଣିସି ଆଧୁନିକ ଉଚ୍ଚାଙ୍ଗ ସାହିତ୍ୟ କେବେ ଅତିକ୍ରମଣ କରିପାରିଲେ କି? ମନେହୁଏ ଏବଂ ଏହା ମଧ୍ୟ ସୁନିଶ୍ଚିତ ଯେ ଏବର ସାରସ୍ୱତ ସାଧକମାନଙ୍କ କୃତ ସମସ୍ତ ସାହିତ୍ୟ ଦୀର୍ଘ ପାଞ୍ଚ ହଜାର ବର୍ଷ ଧରି ‘ଗୀତା’ ଗ୍ରନ୍ଥ ଦ୍ୱାରା ହିଁ ପ୍ରଭାବିତ।
ସେହିସବୁ ଅମ୍ଳାନ ଦିବ୍ୟ ଗ୍ରନ୍ଥମାନଙ୍କରେ ଯେଉଁ ସନ୍ଦେଶ-ତର୍କ-ସୂତ୍ର, ଗଣିତ ସୂକ୍ତ ମାନଙ୍କର ବିଧିଗତ ପ୍ରୟୋଗ କରାଯାଇଛି ତାହାର ସମସ୍ତ ଛାୟା ଏବର ପୃଥିବୀର ସର୍ବମାନ୍ୟ ଲେଖକଙ୍କ ମନସ୍ତତ୍ତ୍ୱକୁ ମଧ୍ୟ ପ୍ରଭାବିତ କରିଛି ଓ ଆଗାମୀ ଦିନମାନଙ୍କୁ ମଧ୍ୟ ଯେ ପ୍ରଭାବିତ କରିଚାଲିଥିବ, ଏକଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ।
ଯେଉଁ ଦର୍ଶନ ଓ ରହସ୍ୟକୁ ନେଇ ମାନବର ଏ ସଂସାରୀ ବ୍ରହ୍ମାଣ୍ଡର ସଂରଚନା କରାଯାଇଛି ତା’ର ସମସ୍ତ ସୂତ୍ରକୁ ଏହି କଥିତ ମହାନ୍‌ଗ୍ରନ୍ଥମାନଙ୍କରେ ଅତି ଆଶ୍ଚର୍ଯ୍ୟଜନକ ଭାବେ ଅବତାରଣା କରାଯାଇଛି। ଏହାଠୁଁ ବଳି ‘ଦର୍ଶନ’ ଆଉ କିଛି ନାହିଁ। ଆମେ ଯାହା ଶୁଣିଛେ, ଶୁଣୁଛେ ବା ଶୁଣିବାକୁ ଅଛି ତାହା ଅତ୍ୟନ୍ତ ଗୋପନୀୟ ଭାବେ ଏହି ଗ୍ରନ୍ଥମାନଙ୍କରେ ଲିପିବଦ୍ଧ ହୋଇଯାଇଅଛି। ଆଉ ଅଧିକ ଲେଖିବାକୁ ଆମ ପାଇଁ କିଛି ନାହିଁ। କେବଳ ତର୍ଜମା ଅଥବା ବିଶ୍ଲେଷଣ ହିଁ ଏବର ସାରସ୍ୱତ ମଣିଷ ସମାଜର କାର୍ଯ୍ୟ। ତେଣୁ ଏହି କଥିତ ଗ୍ରନ୍ଥମାନଙ୍କର ପ୍ରଣେତାଗଣ ଚିରନମସ୍ୟ। ସେଇ ଆଦିକବିମାନେ ହିଁ ସମକାଳ ସାହିତ୍ୟ ସାଧକମାନଙ୍କର ଆଦିଗୁରୁ ଅଟନ୍ତି। ଆମେ କେବଳ ତରିକାରେ ଶବ୍ଦ ଖଞ୍ଜୁଥିବା ଓ ତାହାକୁ ତର୍ଜମା କରୁଥିବା ଜଣେ ଜଣେ ସାହିତ୍ୟ କର୍ମୀ ଅଟୁଁ। ଅଥଚ କବି ନୋହୁଁ!!

ଲେଖକର ଧର୍ମ

ଦେଶ-କାଳ-ପାତ୍ରକୁ ଘେନି ସାହିତ୍ୟ। ସେହି ସମୟର ସମାଜରେ ଘଟୁଥିବା ଘଟଣାମାନଙ୍କର ଭାବସୂତ୍ରକୁ ନେଇ ସାହିତ୍ୟ ସାଧକ ତା’ର ରଚନାକୁ ପୁଷ୍ଟ କରେ। ଈଶ୍ୱରଙ୍କ ଆପ୍ତବାକ୍ୟର ବିଧିଗତ ପ୍ରୟୋଗ କରି ସାହିତ୍ୟରେ ଆସ୍ତିକତା ପ୍ରକଟ କରିବା ହିଁ ଲେଖକର ଧର୍ମ। ବିଶ୍ୱ ସନ୍ଦର୍ଶନ ସହ ଆସ୍ତିକ ଭାବଥିବା ବିଜ୍ଞ-ବିଚାରବନ୍ତ ଦାର୍ଶନିକ ହିଁ ଲେଖକଟିଏ ହୋଇପାରେ! ମଳିନ ମାନସିକତା-ଅହଂପ୍ରବଣ-ନୀତିହୀନ ବ୍ୟକ୍ତିଟିଏ କୁତ୍ରାପି ଲେଖକୀୟ ମର୍ଯ୍ୟାଦା ପାଇବାକୁ ଯୋଗ୍ୟ ନୁହେଁ। ମହର୍ଷି ବାଲ୍ମୀକି, ଅଥବା କୃଷ୍ଣ ଦ୍ୱୈପାୟନ ବ୍ୟାସଙ୍କ ପରି କବି ଏ ବ୍ରହ୍ମାଣ୍ଡରେ ଆଉ କିଏ ଅଛନ୍ତି କି? ଆଉ ମଧ୍ୟ ଏବର କାଳଖଣ୍ଡରେ ଭାରତୀୟ ସାହିତ୍ୟ ସାଧକମାନଙ୍କର ମଉଡ଼ମଣି ମହାକବି କାଳିଦାସ-ମାଘ-ଭବଭୂତି-ଚାଣକ୍ୟ ଅଥବା ଆମ ଓଡ଼ିଆ ଜାତି ସାହିତ୍ୟର ଅଗ୍ରପୂଜ୍ୟ ସାରଳା ଦାସ-ଉପେନ୍ଦ୍ର ଭଞ୍ଜ-ଦୀନକୃଷ୍ଣ-ଅଭିମନ୍ୟୁ-ପଞ୍ଚସଖା ଆଦିଙ୍କ ସମକକ୍ଷ ଆଉ କେହି ସେପରି ସାହିତ୍ୟ ସାଧକଙ୍କର ଅଭ୍ୟୁଦୟ ହେଲାକି? ତେଣୁ ପ୍ରତ୍ୟେକ କାଳଖଣ୍ଡରେ ପ୍ରତିଷ୍ଠିତ ସାହିତ୍ୟ ସାଧକଙ୍କର ସର୍ଜନାର ଉତ୍କର୍ଷତାକୁ ପରକାଳରେ କେହି ବି ଅତିକ୍ରମଣ କରିପାରିଥିବା ଦୃଷ୍ଟିଗୋଚର ହୁଏନାହିଁ।
ଦିନକୁ ଦିନ ଆମ ଓଡ଼ିଆ ଭାଷା ସାହିତ୍ୟରେ ସର୍ଜନାଗତ କ୍ରମ ଅବକ୍ଷୟଶୀଳ ପରିସ୍ଥିତି ପରିଲକ୍ଷିତ ହୋଇ ଚାଲିଛି। ସାରଳାଙ୍କଠୁଁ ପଞ୍ଚସଖା ଯୁଗ ପର୍ଯ୍ୟନ୍ତ ଆମ ସାହିତ୍ୟକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ। ତତ୍‌ପରବର୍ତ୍ତୀ ସମୟରେ ନବ୍ୟ ଆଧୁନିକ ଯୁଗ ଭାବରେ ପରିଚିତ କବିବର ରାଧାନାଥ, ଫକୀରମୋହନ ଆଦିଙ୍କ ଯୁଗ। ତତ୍‌ପରେ ସବୁଜ ଯୁଗ-ମାନସିଂ-ଗଡ଼ନାୟକଙ୍କ ଯୁଗ ମଧ୍ୟରେ ଆକାଶ ପାତାଳ ବ୍ୟବଧାନ ଆସିଲା। କାଳଖଣ୍ଡର ପ୍ରଭାବରେ ପ୍ରଭାବିତ ଆମ ସାହିତ୍ୟ ଯୁଗରୁଚିକୁ ନେଇ ଅବକ୍ଷୟଶୀଳତାକୁ ସାମ୍ନା କରିବାକୁ ବାଧ୍ୟ ହେଲା। ତତ୍‌ପରବର୍ତ୍ତୀ ସମୟରେ ରମାକାନ୍ତ, ରାଜେନ୍ଦ୍ର ଆଦିଙ୍କ ଯୁଗସନ୍ଧିରେ ବିତିଯାଇଥିବା ଦୀର୍ଘ ପଚାଶ ବର୍ଷର କାଳଖଣ୍ଡରେ ପାଠକେ ଯେଉଁ ସାହିତ୍ୟକୁ ଭେଟିଲେ ତାହା ଓଡ଼ିଆ ସାହିତ୍ୟକୁ କିପରି ଭାବେ କେଉଁ ସ୍ତରକୁ ଯେ ନେଇଛି ତାହା ଅବଶ୍ୟ ବିଚାର ଓ ତର୍ଜମାର ଆବଶ୍ୟକତା ରଖେ!!
ସେହିଭଳି ସଂଗୀତ-ନାଟକ-ଲୋକନାଟକ-ସୁଆଙ୍ଗ-ଲୋକନୃତ୍ୟର କଥା କହିଲେ ପୋଥିଟିଏ ବୋଧେ ହେବ! ପୁରାତନ ପିଢ଼ିର ସମସ୍ତ ପ୍ରକାର କଳା ସଂସାଧନ କାଳଖଣ୍ଡର ପ୍ରଭାବରେ କ୍ରମଶଃ ଅବକ୍ଷୟ କେବଳ ହୋଇନାହିଁ ବରଂ ଗୁଣାତ୍ମକ ମାନଦୃଷ୍ଟିରୁ ତାହା ଆଉ ସମାଜର ମଣିଷଙ୍କ ପାଖରେ ଗ୍ରାହ୍ୟ ମଧ୍ୟ ହୋଇପାରୁନାହିଁ। ଚଳଚ୍ଚିତ୍ର କଥାତ କହିଲେ ନସରେ! ସବୁଠୁଁ ବିପଜ୍ଜନକ ଅବସ୍ଥା ଦେଇ ସମଗ୍ର ଭାରତୀୟ ଭାଷାର ଚଳଚ୍ଚିତ୍ର ଏକରକମର ସ୍ଥାଣୁ ପାଲଟି ଗଲାଣି। ଏସବୁର ମୂଳରେ କି ଯେ ଉଦ୍ଦେଶ୍ୟ ନିହିତ ତାହା ଜଣାପଡ଼ୁନାହିଁ। ଲେଖକ କବି କାହାଣୀକାରର ତ୍ରୁଟି ନା ନିର୍ଦ୍ଦେଶନା-ପ୍ରଯୋଜନାରେ ତ୍ରୁଟି! ତାହା ବିଚାରଯୋଗ୍ୟ ଅବଶ୍ୟ। କାରଣ ସବୁ ସମୟରେ ଉଦ୍ଭଟ କଳ୍ପନା ଓ ଅଶ୍ଳୀଳତାକୁ ସମାଜ ଗ୍ରହଣ କରେନାହିଁ।

ପିଢ଼ିରୁ ପିଢ଼ି କ୍ରମେ ଭାଗବତୀୟ ନୀତି-ଆଦର୍ଶ-ସଂସ୍କାର-ପରମ୍ପରାରେ ବଂଚିତ ଚାଲିଥିବା ମଣିଷ ଯେବେ ବୟସାନୁକ୍ରମେ ଅଥବା ପରିସ୍ଥିତି ଚାପରେ କଦବା କେବେ ଯଦି ଅଣପାରମ୍ପରିକ ଜୀବନଶୈଳୀକୁ ନିଜର ଆଦର୍ଶ ବୋଲି ମାନିଚାଲିଥାଏ ଅଥଚ ବେଳ ଆସେ ତା’ର ମୋହଭଙ୍ଗ ଘଟେ, ସେ ପୁନର୍ବାର ସେଇ ଭାଗବତୀୟ ଜୀବନାଦର୍ଶକୁ ନେଇ ବଂଚିବାକୁ ମନରେ ବାଞ୍ଛା କରେ, ସେବେଳେ ଉଦ୍ଭଟ-ଅଶ୍ଳୀଳତାକୁ ବି ସେ ବିରୋଧ କରିବା ଶିଖେ ଓ ପରିବାରକୁ ମଧ୍ୟ ଶିଖାଏ। ଏସବୁ ଦ୍ରୁତକ୍ଷୟଶୀଳ ସର୍ଜନାଗତ ତ୍ରୁଟି ବିଚ୍ୟୁତିର କାରଣ କେବଳ ହିଁ ଆହରଣ, ଯାହା ଅର୍ଥଗତ ଓ ଅହଂସର୍ବସ୍ୱ। ଅର୍ଥକୁ ଉପାର୍ଜନର ପନ୍ଥା କରି ସାଧକଟିଏ ଯେବେ ତା’ର ସାଧନାକୁ କ୍ରୟ-ବିକ୍ରୟ କରିବାର ମସୁଧା ରଖେ ସେବେଳେ ତା’ର ଯେକୌଣସି ସାଧନାଗତ କଳା-କୌଶଳ କ୍ରମଶଃ ବୈଷୟିକ ପଦ୍ଧତିରେ କ୍ଷୟ ଯାଏ। ‘ବିପ୍ପଣନ’ ବ୍ୟବସ୍ଥା କଳାସାଧନର ପରମ ଶତ୍ରୁ। ନୃତ୍ୟ-ସଂଗୀତ-ଚିତ୍ର-ସାହିତ୍ୟ ପରି ହୃଦୟଗ୍ରାହ୍ୟ ସଂସାଧନ ଯଦି ବିପଣନ ବ୍ୟବସ୍ଥାରେ ନିଲାମ ହୁଏ ତେବେ ସାଧକର ବିଭୁଦତ୍ତ ପ୍ରେରଣା-ସାଧନାଗତ ଉତ୍କର୍ଷତାର ଅନ୍ତ ହୋଇଯାଏ। ପୃଥିବୀ ପ୍ରସିଦ୍ଧ ଦାର୍ଶନିକ-ଚିତ୍ରକର, ନୃତ୍ୟ ବିଶାରଦ-କବି-ବଂଶୀବାଦକ ଆଦି ସାଧକମାନେ ସେବେଳେ ଅବଶ୍ୟ କଳାଗ୍ରାହୀ ରାଜ ପ୍ରୋତ୍ସାହନରେ ଉଦର ପ୍ରତିପୋଷଣ ଯେ କରୁଥିଲେ ଏହା ସତ, ମାତ୍ର ସାଧନାଲବ୍ଧ ଐତିହ୍ୟକୁ ବିକ୍ରୟ କରୁନଥିଲେ। ସେ ପାଇଁ ସେମାନଙ୍କର କୃତିଗୁଡ଼ିକ ଆଜିପର୍ଯ୍ୟନ୍ତ ମଧ୍ୟ ବିଶ୍ୱବିଦିତ ହୋଇରହିଛି। ଭୋଜରାଜାଙ୍କ ସକଳ ଅନୁଦାନ-ପ୍ରୋତ୍ସାହନ, ସମ୍ମାନ ସତ୍ତ୍ୱେ ମହାକବି କାଳିଦାସଙ୍କ ଜୀବନାୟନ କିପରି ଯେ ପତିତାଳୟରେ ବିତୁଥିଲା ତାହାର ଅନେକ ଉଦାହରଣମାନଙ୍କ ବିଷୟରେ ଆମେ ଅବଗତ ଅଛେଁ। କଳାସାଧନାର ଦୃଷ୍ଟିଭଙ୍ଗୀ ସର୍ବଦା ଭିନ୍ନ, ଅଣପାରମ୍ପାରିକ, ଓପ୍ରୋଧହୀନ ଭାବେ କାର୍ଯ୍ୟ କରେ। ସାଧକର ଜୀବନାଦର୍ଶ କଥାଟି ସାଧକ ହିଁ ଜାଣେ, କାରଣ ସେ ତଥ୍ୟାଭିଜ୍ଞ, ଈଶମନସ୍କ, ବସୁଧୈବ କୁଟୁମ୍ବକମ୍‌ର ଜଣେ ଆଦର୍ଶ ପ୍ରତିନିଧି। ନଚେତ୍ ସାମାନ୍ୟ କଥାକୁ ଅସମ୍ଭବ ପ୍ରକାରେ କବି-ଲେଖକଟିଏ କେମିତିବା ଉଲ୍ଲେଖ କରିପାରନ୍ତା ତା ସୃଷ୍ଟିରେ…!! ମାନସିଂହଙ୍କର ଗୋଟିଏ ଛୋଟ ଧାଡ଼ିଟି ଏଠାରେ ଉଲ୍ଲେଖ କରିବା ସମୀଚୀନ ହେବ : ‘ପଥିକ ଯେ ପଥେ ଚାଲ – ସେଇପଥେ ଜାଣ ପ୍ରଣୟିନୀ ଏକ ରଚୁଥାଏ ଅଭିସାର।’ ଯାହା ଆମେ ଜାଣି ନାହେଁ, ତାହାହିଁ କବି କହିଥାଏ। ସାଧକ ନିକଟରେ ଆଦର୍ଶ-ପରମ୍ପରା ଆଦି କିଛି ହିଁ ତା’ ଭାବକୁ ପ୍ରତିହତ କରିପାରିବ ନାହିଁ। ସେ ମୁକ୍ତ, ପକ୍ଷୀପରି। ସତ୍ୟ ହିଁ ତା’ର ଅନ୍ତର୍ମନର ଅଭୀପ୍‌ସା।
ଏବେ କାଳ ସହିତ ସମତାଳ ଦେଇ ଅବଶ୍ୟ ଲେଖକଟିଏ ତା’ର ସାଧନା ଜାରି ରଖିଛି, ମାତ୍ର କାଳର ପଶ୍ଚାତ୍‌ଧାବନ ନ କରି ତାକୁ ପ୍ରତିହତ କରି ଆଗାମୀ କାଲିର ସୂଚନା ତା’ ସୃଷ୍ଟିରେ କାହିଁ? ତେଣୁ ତ ଆମ ସାହିତ୍ୟ ଆଜି ସମ୍ବାଦଧର୍ମୀ, ଆଜି ଅଛି କାଲିକି ନାହିଁ! ଦେଖିବାକୁ ଗଲେ ଦିଗ୍‌ଗଜ ଭବିଷ୍ୟଦ୍ରଷ୍ଟା ‘ପଞ୍ଚସଖା’ଙ୍କ ସାହିତ୍ୟ ତ କାଳକୁ ଅତିକ୍ରମଣ କରି ଏକ ଭବ୍ୟ ପୃଥିବୀର ସନ୍ଧାନରେ ପ୍ରାର୍ଥନା ଲେଖିଦେଇଗଲା। ଅଥଚ ଏବେ ଦେଖିବାକୁ ଗଲେ ଆମ ଓଡ଼ିଆ ସାହିତ୍ୟ ଏକ ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛି ବୋଲି ମନେହୁଏ ନାହିଁକି? ସାରଳା ଯୁଗ, ପଞ୍ଚସଖା-ନବ୍ୟଆଧୁନିକ ଯୁଗ ଯଥା ରାଧାନାଥ-ଫକୀରମୋହନ ଯୁଗ, ସବୁଜ ଯୁଗ, ମାନସିଂହ ଯୁଗ ଓ ରମାକାନ୍ତ ଯୁଗ। ଏହି ଯୁଗମାନଙ୍କ ମଧ୍ୟରେ ସାହିତ୍ୟର ଯେଉଁ ବିଭବମଣ୍ଡନ କଥା କୁହାଗଲା ତାହା କ୍ରମ ପରିଣାମରେ ଅପଭ୍ରଂଶ ହୋଇ ଅଧୁନା ପାଞ୍ଚଦଶନ୍ଧି ଭିତରେ ତା ସତ୍ତାକୁ ହରାଇ ବସିଲା। ଅବଶ୍ୟ ମନୋଜ-ଚନ୍ଦ୍ରଶେଖର-ମହାପାତ୍ର ନୀଳମଣି, ସୁରେନ୍ଦ୍ର, ଗୋପୀନାଥ, କାହ୍ନୁଚରଣ, ଚିତ୍ତରଞ୍ଜନଙ୍କ ଭଳି ଏବର ନୂଆ ଧାରା ପ୍ରବର୍ତ୍ତକ ସାହିତ୍ୟ ସାଧକଙ୍କର ଶୂନ୍ୟତା ତ ଆମ ସାହିତ୍ୟକୁ ଆଉ କଦ୍ୟପି ଆଗକୁ ଯିବାକୁ ଦେଉନାହିଁ! କାରଣ ଆମ ସାହିତ୍ୟ ଏବେ ପ୍ରଳାପ ଓ ପ୍ରହସନରେ ପରିଣତ। ଅବକ୍ଷୟ ହୋଇ ଚାଲିଛି ତା’ର ସୁଷମା-ସଂହତି ଓ ଭାବ ବିନ୍ୟାସ, ରସ, ମଧୁରତା। ଅବାସ୍ତବ କଳ୍ପନା ପ୍ରବଣର ଶିକାର ହୋଇଛି ଏବର ସ୍ରଷ୍ଟା। ସମାଜମନସ୍କ ସାହିତ୍ୟିକର ଜିଜୀବିଷାରେ ଅହଂପ୍ରବଣତା, ଶ୍ଲେଷ, ବିରୋଧାଭାଷ, ଯଶଲାଳସା ରହିଲେ ସାହିତ୍ୟ କୀର୍ତ୍ତିମାନ ହୋଇପାରିବ ନାହିଁ। ଏବର ସାହିତ୍ୟର ଭାବରେ ତ କେବଳ ଶୃଙ୍ଗାର, ନଗ୍ନ ଯୌନତା, ବିଦ୍ରୂପାତ୍ମକ ଭାବନା, ଅବାସ୍ତବ ଚିତ୍ରକଳ୍ପ, କଥାର ଅଯଥା ପ୍ରାବଲ୍ୟ, ଅଣାଦର୍ଶ ଆସ୍ତିକତା, ‘ମୁଁ’ ତ୍ୱ ଆଦିରେ ଭରପୁର। ଏପରି ହେଲେ ସାହିତ୍ୟକୁ ରସଗ୍ରାହୀ ପାଠକେ ଆଦରିବେ ତ!!

ପାଠକ ନୁହେଁ ସାହିତ୍ୟର ଅଭାବ

ଅନେକ ସମୟରେ ପାଠକଙ୍କ ଅଭାବ କଥା କୁହାଯାଇଛି ମାତ୍ର ଏହା ଅର୍ଦ୍ଧ ସତ୍ୟ ଅଟେ। ପାଠକ ଅଛନ୍ତି ମାତ୍ର ପାଠକଗ୍ରାହ୍ୟ ସାହିତ୍ୟର ଅଭାବ ହୋଇଛି। ଏହାର ମୂଳ କାରଣ ହେଉଛି ଉତ୍କର୍ଷହୀନ ସାହିତ୍ୟ ସଂରଚନା। ସାଧକର ଯଶ-ଅର୍ଥ ଲାଳସା ଏବେ ସୀମାସରହଦ ଟପିବାରେ ଲାଗିଛି। ହାତଗଣତି କେତୋଟି ଲେଖା ଲେଖି ଦେଇ ପୁରସ୍କାର-ସମ୍ବର୍ଦ୍ଧନା ମଞ୍ଚ ପାଖରେ ଭିକ୍ଷାପ୍ରାର୍ଥୀ ହୋଇପଡ଼ିଛି ଏବର ସାହତ୍ୟିକ। କାମଳ ସାହିତ୍ୟର ଧାତାମାନେ ଯଦିବା ଏଣୁତେଣୁ ଲେଖି ଜାତୀୟ ପୁରସ୍କାର ଓ ସମ୍ମାନରେ ମହିମା ମଣ୍ଡିତ ହୁଅନ୍ତି ତେବେ ସେମାନଙ୍କର ମୁଦ୍ରିତ ସାରସ୍ୱତ କୃତିକୁ ପାଠକରି ପରପିଢ଼ିର ପାଠକେ ଲୋକହସା ହେବେନାହିଁ ତ? ଜାତିର ଭାଷା ଭାବନା ବିଲୟମୁଖୀ ହେବ ହିଁ ଯେ ହେବ ଏଥିରେ ଦ୍ୱିରୁକ୍ତି ନାହିଁ। କାରଣ ଉତ୍କୃଷ୍ଟ ଜୀବନବାଦୀ ସାହିତ୍ୟ ହିଁ ଗୋଟିଏ ଗୌରବାବହ ଜାତିର ସୁନ୍ଦର-ସମୃଦ୍ଧ ମୁଖଶାଳା। ଯେଉଁଥିପାଇଁ ଆମ ଓଡ଼ିଆ ଭାଷା ସାହିତ୍ୟ ଆଜି ଜାତୀୟ ସ୍ତରରେ କୀର୍ତ୍ତିମାନ ହୋଇପାରିଛି। ଅଥଚ ଏବେ ଦେଖିବାକୁ ମିଳେ ଯେ ରାଜ୍ୟର ପାଞ୍ଚ କୋଟି ଲୋକ ସଂଖ୍ୟାରେ ଯଦି ସାହିତ୍ୟ ରୁଚିଭୁକ୍ତ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ପଚାଶ ଲକ୍ଷ ହୋଇଥିବ ତେବେ ଆମ ସାହିତ୍ୟିକମାନଙ୍କ ଦ୍ୱାରା ପ୍ରକାଶିତ ‘ସାହିତ୍ୟ’ର ପୁଷ୍ଟି କେତେ? ଖୁବ୍ ନଗଣ୍ୟ। ଏହା କମ୍ ବେଦନାଦାୟକ ନୁହେଁ! ଜାତି ସାହିତ୍ୟର ପୁନରୁଦ୍ଧାର ପାଇଁ ଗୋଷ୍ଠୀଗତ ପ୍ରଚେଷ୍ଟାଟି ସାଧନାରତ ବ୍ୟକ୍ତିବିଶେଷଙ୍କ ନିକଟରେ ରହିବାଟା ଜରୁରୀ ମନେହୁଏ। ଲୁବ୍ଧକମାନଙ୍କ ହାତରେ ପଡ଼ିଯାଇଥିବା ଆମ ସାହିତ୍ୟର ‘ଭାଗ୍ୟ’କୁ ଉଦ୍ଧାର କରିବାର ସଂକଳ୍ପର ଆବଶ୍ୟକତା ମଧ୍ୟ ମନେ ହେଉଛି। ନଚେତ ଆମରି ହାତରେ ଆମ ସାହିତ୍ୟର ଭାଗ୍ୟ ଯେ ଦିନେ ବିଡ଼ମ୍ବନାରେ ଜୀର୍ଣ୍ଣ ନ ହୋଇଯିବ ତାହାକୁ କିଏ ବା ଅସ୍ୱୀକାର କରିପାରିବ!!

2 thoughts on “ସାହିତ୍ୟ ସର୍ଜନା- ଏକ ଦିବ୍ୟ ଉପାସନା

  1. ‘ସାହିତ୍ୟ ସର୍ଜନା – ଏକ ଦିବ୍ୟ ଉପାସନା’ ଲେଖାଟି ଏକ ସୃଜନ ବିଭୋର ମନର ଏମିତି ଏକ ସ୍କେଚ ଯାହାକୁ ପଢ଼ିସାରିଲେ ସାରସ୍ବତ – ଆର୍ଦ୍ରଭୂଇଁରେ ବହୁ ନବ ଚିନ୍ତନର ଉନ୍ମେଷ ଘଟାଏ । ପ୍ରଥମ ଥର ପାଇଁ ‘ସାହିତ୍ୟ ଚର୍ଚ୍ଚା’ର ଅନ୍ୟ ଲେଖାଗୁଡିକ ମଧ୍ୟ ପଢ଼ିବାର ସୁଯୋଗ ପାଇଲି। ସଂପାଦକୀୟ ‘ସାହିତ୍ୟରେ ଇମୋଜୀ ‘ ଓ ‘ଶେଷ କଥା ‘ ମୂର୍ଦ୍ଧଭିଷିକ୍ତ ‘ ମୋ ମୂର୍ଦ୍ଧନକୁ ବେଶ ଉଷୁମ କରି ଦେଲା । ଆଉ ସବୁ ଲେଖା ମଧ୍ୟ ସୁନିର୍ବାଚିତ । ଏ ସାରସ୍ବତ ଯାତ୍ରାର ଅୟମାରମ୍ଭ ପାଇଁ ସଂପାଦକ ଓ ସହଯୋଗୀ ମାନଙ୍କୁ ଆନ୍ତରିକ ଶୁଭକାମନା ।

Leave a Reply

Your email address will not be published. Required fields are marked *