ପ୍ରଥମ ପ୍ରାଚୀନ ଓଡ଼ିଆ କାବ୍ୟ ପ୍ରଣେତା : ଅର୍ଜୁନ ଦାସ

  • ଅନେକ ଆଲୋଚକ ଅର୍ଜୁନ ଦାସଙ୍କୁ ଓଡ଼ିଆ ସାହିତ୍ୟର ଆଦିକାବ୍ୟକାର ରୂପେ ଗ୍ରହଣ କରି ନେଇଛନ୍ତି।
ଡ. ଅଶୋକ କୁମାର ପଣ୍ଡା

ଓଡ଼ିଆ ସାହିତ୍ୟର ଅୟମାରମ୍ଭ କେବେ ହୋଇଥିଲା ତାହା ସଠିକ୍ ରୂପେ ନିର୍ଣ୍ଣୟ କରିବା ବର୍ତ୍ତମାନ ସୁଦ୍ଧା ସମ୍ଭବପର ହୋଇପାରିନାହିଁ। ପଞ୍ଚଦଶ ଶତାବ୍ଦୀର ମଧ୍ୟ ଭାଗରେ ରଚିତ ସାରଳା ଦାସଙ୍କର ମହାଭାରତ, ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ ପ୍ରଭୃତି ଓଡ଼ିଆ ସାହିତ୍ୟର ପ୍ରାରମ୍ଭିକ ଯୁଗର ବିପୁଳ ସୃଷ୍ଟି ଏହା ଅସ୍ୱୀକାର କରାଯାଇନପାରେ। ଏଗୁଡିକ କିନ୍ତୁ ପୁରାଣ। ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ମତରେ- ଓଡ଼ିଆ ଭାଷାରେ ଆଦିକାବ୍ୟ କେଉଁ ପରିସ୍ଥିତିରେ ଏବଂ କେଉଁ ସମୟରେ ରଚିତ ହୋଇଥିଲା ତାହା ନିର୍ଣ୍ଣୟ କରିବାର ସୁଯୋଗ ବର୍ତ୍ତମାନ ସୁଦ୍ଧା ସମାଲୋଚକମାନେ ପାଇପାରିନାହାନ୍ତି। ଏହାର କାରଣ, ଏ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର ପୂର୍ଣ୍ଣାଙ୍ଗ ଧାରାବାହିକ ଇତିହାସ ରଚିତ ହୋଇପାରି ନାହିଁ ଏବଂ ତାଳପତ୍ର ପୋଥି ଭିତରେ ରହି କ୍ରମଶଃ ଲୋପ ପାଇଯାଉଥିବା ସାହିତ୍ୟ ରତ୍ନଗୁଡିକ ଆଜି ସୁଦ୍ଧା ସଂଗୃହୀତ ହୋଇପାରିନାହିଁ। କେତେକ ଓଡ଼ିଆ ସାହିତ୍ୟର ଇତିହାସ ଲେଖକ ଅର୍ଜୁନ ଦାସଙ୍କର ରାମବିଭାକୁ ଓଡ଼ିଆ ଭାଷାର ଆଦିକାବ୍ୟ ବୋଲି ଗ୍ରହଣ କଲାବେଳେ ଅନ୍ୟ କେତେକ ସମାଲୋଚକ ବଳଭଦ୍ର ଭଞ୍ଜଙ୍କ ‘ଭାଗବତୀ’ କାବ୍ୟକୁ ପ୍ରଥମ ସ୍ଥାନ ଦେବା ନିମନ୍ତେ ଚେଷ୍ଟା କରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ‘ଭାଗବତୀ’ କାବ୍ୟଟି ଉପଲବ୍‌ଧ ନୁହେଁ। ତେଣୁ ଆଲୋଚକ ବୃନ୍ଦ ଅର୍ଜୁନ ଦାସଙ୍କୁ ଓଡ଼ିଆ ସାହିତ୍ୟର ଆଦିକାବ୍ୟକାର ରୂପେ ଗ୍ରହଣ କରି ନେଇଛନ୍ତି।
ଓଡ଼ିଆ ସାହିତ୍ୟର ଜନୈକ ପ୍ରାଚୀନ କବି ଅର୍ଜୁନ ଦାସଙ୍କର ସମ୍ବନ୍ଧରେ ସ୍ୱର୍ଗତ ଆର୍ତ୍ତବଲ୍ଲଭ ମହାନ୍ତି ପ୍ରଥମ ଆଲୋଚନା କରିଛନ୍ତି। ପୂର୍ବରୁ ସମାଲୋଚକମାନେ ଅର୍ଜୁନ ଦାସଙ୍କର ସମ୍ବନ୍ଧରେ କୌଣସି ଆଲୋଚନା କରିନଥିଲେ। ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଂପାଦନାରେ ପ୍ରାଚୀ ସମିତି ପକ୍ଷରୁ ‘ରାମବିଭା’ ଗ୍ରନ୍ଥଟି ପ୍ରକାଶ ପାଇଥିଲା। ତେଣୁ ଅର୍ଜୁନ ଦାସଙ୍କ ସମ୍ବନ୍ଧରେ ସମାଲୋଚନାର ମାର୍ଗ ପ୍ରଶସ୍ତ ହୋଇଗଲା। ଅର୍ଜୁନ ଦାସଙ୍କର ଅନ୍ୟ କୌଣସି ରଚନା ଥିବାର ସୂଚନା ଉକ୍ତ ଗ୍ରନ୍ଥର ମୁଖବନ୍ଧରେ ସେ ଦେଇନାହାନ୍ତି।

ଅର୍ଜୁନ ଦାସଙ୍କୁ ଯଦି ଓଡ଼ିଆ ଭାଷାର ଆଦି କାବ୍ୟକାର ରୂପେ ଗ୍ରହଣ କରାଯାଏ, ଏବଂ ଗବେଷକ ଶ୍ରୀଯୁକ୍ତ କେଦାରନାଥ ମହାପାତ୍ରଙ୍କ ମତାନୁଯାୟୀ ତାଙ୍କୁ ଯଦି ଖ୍ରୀ. ୧୫୨୦-୧୫୩୦ର ବ୍ୟକ୍ତି ବୋଲି ନିର୍ଣ୍ଣୟ କରାଯାଏ ତା’ହେଲେ ମଧ୍ୟ ତାଙ୍କ ପୂର୍ବରୁ ଯେ ଓଡ଼ିଆ କବିମାନଙ୍କ ଦ୍ୱାରା ଅନ୍ୟ କୌଣସି କାବ୍ୟ ରଚିତ ହୋଇନଥିଲା ଏହା କହିବା ସମୀଚୀନ ହେବ ନାହିଁ ବୋଲି ମନେ ହୁଏ। ଅଦ୍ୟାପି ଅନ୍ୟ କୌଣସି କାବ୍ୟର ସନ୍ଧାନ ମିଳିନଥିବାରୁ ଏ ସଂକ୍ରାନ୍ତୀୟ ବିଶେଷ ଆଲୋଚନା ସମ୍ଭବ ହୋଇପାରିନାହିଁ। ‘ରାମବିଭା’ କାବ୍ୟର ମୁଖବନ୍ଧରେ ଅଧ୍ୟାପକ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ଅର୍ଜୁନ ଦାସଙ୍କୁ ପଞ୍ଚଦଶ ଶତାବ୍ଦୀର ଶେଷ ଭାଗ ଓ ଷୋଡଶ ଶତାବ୍ଦୀର ଆଦ୍ୟଭାଗର କବିରୂପେ ସ୍ଥିର କରିଥିଲେ। ବହୁ ପ୍ରାଚୀନ ଗ୍ରନ୍ଥର ଆଲୋଚକ ପଣ୍ଡିତ ଶ୍ରୀ ସୂର୍ଯ୍ୟନାରାୟଣ ଦାସ, ସ୍ୱୀୟ ଗ୍ରନ୍ଥରେ କବି ଅର୍ଜୁନ ଦାସଙ୍କୁ ଗଜପତି ପ୍ରଚାପ ରୁଦ୍ରଙ୍କ ପୂର୍ବବର୍ତ୍ତୀ ରୂପେ ଗ୍ରହଣ କରିଛନ୍ତି। ପୂର୍ବୋକ୍ତ ଦୁଇ ପ୍ରସିଦ୍ଧ ଆଲୋଚକଙ୍କ ଦ୍ୱାରା କବିଙ୍କ ସମୟ ନିରୂପଣ ଅଭ୍ରାନ୍ତ ନୁହେଁ। କାରଣ ଅର୍ଜୁନ ଦାସ ସ୍ୱୀୟ ଗ୍ରନ୍ଥ ଦ୍ୱୟରେ ନିଜକୁ ଶିଶୁ ଆଖ୍ୟାରେ ଅଭିହିତ କରି ଗୌରବ ଅନୁଭବ କରିଛନ୍ତି। ଉତ୍କଳର ସୁପ୍ରସିଦ୍ଧ ପଞ୍ଚସଖାଙ୍କ ମଧ୍ୟରେ ଏକତମ ମହାପୁରୁଷ ଅନନ୍ତ ଦାସ ଶିଶୁ ସଂପ୍ରଦାୟର ପ୍ରତିଷ୍ଠାତା। ସେ ମହାପ୍ରଭୁ ଶ୍ରୀଚୈତନ୍ୟଙ୍କ ଠାରୁ ଦୀକ୍ଷାଗ୍ରହଣ କରିଥିବାରୁ ୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟଙ୍କ ନୀଳାଚଳ ଆଗମନ ପରେ ଶିଶୁ ସଂପ୍ରଦାୟ ପ୍ରତିଷ୍ଠିତ ହୋଇଥିବା ସୁନିଶ୍ଚିତ। ଯଦି ଶିଶୁ କବି ଅର୍ଜୁନ ଦାସଙ୍କୁ ଶିଶୁ ଅନନ୍ତ ଦାସଙ୍କ ଶିଷ୍ୟରୂପେ ଗ୍ରହଣ କରାଯାଏ ତାହା ହେଲେ ତାଙ୍କର ଶିଶୁ ଦୀକ୍ଷା ଗ୍ରହଣ କାଳ ଖ୍ରୀ: ୧୫୧୦ର ନିଶ୍ଚୟ ପରବର୍ତ୍ତୀ। ଏ ସମ୍ପର୍କରେ ମହାପୁରୁଷ ଶିଶୁ ଅନନ୍ତ ଦାସ ଓ ଆଲୋଚ୍ୟ କାବ୍ୟ ପ୍ରଣେତା ଶିଶୁ ଅର୍ଜୁନ ଦାସଙ୍କ ରଚନାବଳୀ ପ୍ରଣିଧାନ ଯୋଗ୍ୟ। ଶିଶୁ ଅନନ୍ତ ଦାସଙ୍କ ‘ଅଣାକାର ଶବଦ’ ଗ୍ରନ୍ଥର ଶେଷାଂଶ-
“ବିନ୍ଦୁ ଅକ୍ଷରୁ ହୋଇଲା ଅଶେଷ
ଶିଶୁ ଅନନ୍ତ ସେଠିଠାରୁ ଆସ।”
ଅର୍ଜୁନ ଦାସଙ୍କ ‘ରାମବିଭା’ କାବ୍ୟର ପଞ୍ଚମ ଛାନ୍ଦର ରଚିତାରେ-
“ଆଚମନ ଅବକାଶ ଦର୍ଶନ କରି
ଶିଶୁ ଅରଜୁନ କର ଅଛଇ ଯୋଡ଼ି।”
‘କଳ୍ପଲତା’ କାବ୍ୟର ଦ୍ୱିତୀୟ ଛାନ୍ଦରେ-
“ସେ ଜଗନ୍ନାଥ ପଦ୍ମପାଦ ବାସ
ମଧୁପ ଶିଶୁ ଅରଜୁନ ଦାସ।”
ଷୋଡଶ ଶତାବ୍ଦୀବେଳକୁ ଓଡ଼ିଶାର ପଣ୍ଡିତ ମଣ୍ଡଳୀ ଅନେକ ସଂସ୍କୃତ କାବ୍ୟ, ନାଟକ ଆଦି ରଚନା କରି ଭାରତ ବର୍ଷରେ ପ୍ରସିଦ୍ଧି ଅର୍ଜନ କରିସାରିଲେଣି। ଜୟଦେବଙ୍କ ‘ଗୀତ ଗୋବିନ୍ଦ’, ଶ୍ରୀହର୍ଷଙ୍କ ‘ନୈଷଧୀୟ ଚରିତମ୍‌’ ମାର୍କଣ୍ଡେୟ ମିଶ୍ରଙ୍କର ‘ଦଶଗ୍ରୀବବଧ’ ମହାକାବ୍ୟ ପ୍ରଭୃତି ଗ୍ରନ୍ଥ ପ୍ରତି ଦୃଷ୍ଟି ନିକ୍ଷେପ କଲେ ମନେ ହୁଏ ପଣ୍ଡିତ ପରମ୍ପରା ଉତ୍କଳୀୟ କବିମାନସରେ ନିଜ ମାତୃଭାଷାରେ କାବ୍ୟ ରଚନା କରିବା ନିମନ୍ତେ ପ୍ରେରଣା ଯୋଗାଇଥିବ। ଏହି ସଂସ୍କୃତ କାବ୍ୟ ସାହିତ୍ୟର ସୁଦୃଢ଼ ପରମ୍ପରା ଓ ପୃଷ୍ଠଭୂମି ଉପରେ ଓଡ଼ିଆ କାବ୍ୟ ଜଗତ ଦଣ୍ଡାୟମାନ। ତେଣୁ ଅର୍ଜୁନ ଦାସ ଆଦି ଅନ୍ୟ କବିମାନେ ଏହାର ପ୍ରଭାବରେ ପ୍ରଭାବିତ ବୋଲି ଚିନ୍ତା କରିବା ଭୁଲ୍ ହେବ ନାହିଁ।

ଛନ୍ଦୋବଦ୍ଧ ଓଡ଼ିଆ କାବ୍ୟର ଆରମ୍ଭରେ ଅର୍ଜୁନ ଦାସଙ୍କୁ ସ୍ମରଣ କରାଯାଉଥିଲେ ହେଁ, ତାଙ୍କ ପୂର୍ବରୁ ଅନ୍ୟ କାବ୍ୟ କର୍ତ୍ତାମାନେ ପ୍ରସିଦ୍ଧି ଲାଭ କରିଥିବା ଅସମ୍ଭବ ନୁହେଁ। ଓଡ଼ିଆରେ ସର୍ବ ପ୍ରଥମେ ଛନ୍ଦୋବଦ୍ଧ କାବ୍ୟରୂପେ ବିବେଚିତ ‘ରାମବିଭା’ର ଦଶମ ଛାନ୍ଦକୁ ‘ପିଅର ଗମନ’ ବାଣୀ, ଅଷ୍ଟମ ଛାନ୍ଦକୁ ‘ମେଡତୋଳା’ ବାଣୀ, ପୁଣି କଳ୍ପଲତା କାବ୍ୟ ତୃତୀୟ ଛାନ୍ଦକୁ ‘ଜୟ ଦାମୋଦର’ ବାଣୀ, ଅଷ୍ଟମ ଛାନ୍ଦକୁ ‘ମୁନିବର’ ବାଣୀ ଦଶମ ଛାନ୍ଦକୁ ‘ଶ୍ରୀରାମଚନ୍ଦ୍ର ବରିଲେ’ ବାଣୀ, ଦ୍ୱାଦଶ ଛାନ୍ଦକୁ ‘ପିଆର ଜନନୀ ନିଜ ମନ୍ଦିରରେ ମିଳିଲେ’ ବାଣୀ ଓ ତ୍ରୟୋଦଶ ଛାନ୍ଦକୁ ‘ଦଶରଥ ରାୟେ ଘରେ ମିଳିଲେ’ ବାଣୀରେ ଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ବାଣୀମାନ ଅର୍ଜୁନ ଦାସଙ୍କର ପୂର୍ବବର୍ତ୍ତୀ କବିଙ୍କର କାବ୍ୟର ଛାନ୍ଦ ମାନଙ୍କର ଅସ୍ତିତ୍ୱ ସୂଚନା ଦିଏ। କିନ୍ତୁ ଏସବୁ ଆଜି ମଧ୍ୟ କାଳ ଗର୍ଭରେ ବିସ୍ମୃତ, ତଥାପି ଅନାବିଷ୍କୃତ ରହିଅଛି। ମନେ ହୁଏ ଅର୍ଜୁନ ଦାସଙ୍କ ପୂର୍ବରୁ ଓଡ଼ିଆରେ ଅନେକ ଛନ୍ଦୋବଦ୍ଧ କାବ୍ୟ ରଚିତ ହୋଇଥିଲା। କିନ୍ତୁ ସେହି କାବ୍ୟ କୃତିଗୁଡିକ ଅଦ୍ୟାପି ଲୋକଲୋଚନର ଅନ୍ତରାଳରେ ରହିଅଛି। ସେହେତୁ ଅର୍ଜୁନ ଦାସଙ୍କୁ ଓଡ଼ିଆରେ ପ୍ରଥମ ଛାନ୍ଦ କର୍ତ୍ତା ରୂପେ ଗ୍ରହଣ କରିବା ଯଥାର୍ଥ।
ରାଷ୍ଟ୍ରଭାଷା- ରଜତ ଜୟନ୍ତୀ ଗ୍ରନ୍ଥ ପୃଷ୍ଠା-୧୩୬ ରେ ସ୍ୱର୍ଗତ ଆର୍ତ୍ତବଲ୍ଲଭ ମହାନ୍ତି, ଅର୍ଜୁନ ଦାସଙ୍କ ଆବିର୍ଭାବ ଖ୍ରୀ.ଅ. ୧୪୨୦-୧୪୩୦ ମଧ୍ୟରେ ହୋଇଥିବା ସମ୍ଭବ ବୋଲି ନିରୂପଣ କରିଛନ୍ତି। ମାତ୍ର କେଉଁ ଉପାଦାନ ଓ ପ୍ରାମାଣିକତାର ଭିତ୍ତିରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଅଛନ୍ତି ତାହା ଜଣା ନାହିଁ। ଭାଷା ଓ ରଚନାରୀତି ଦୃଷ୍ଟିରୁ ସେ ସାରଳାଙ୍କ ସମସାମୟିକ ଏବଂ ପଞ୍ଚଦଶ ଶତାବ୍ଦୀର ବୋଲି ଗ୍ରହଣ କରାଯାଇପାରେ। ‘ରାମବିଭା’ ଓ ‘କଳ୍ପଲତା’ରେ ମହାଭାରତରେ ବ୍ୟବହୃତ ପ୍ରାଚୀନ ଓଡ଼ିଆ ଶବ୍ଦ ବ୍ୟବହାର ହୋଇଥିବା ପରିଲକ୍ଷିତ ହୁଏ। ଅର୍ଜୁନ ଦାସ ଦୁଇ ଖଣ୍ଡ କାବ୍ୟ ରଚନା କରିଥିବା ବର୍ତ୍ତମାନ ସୁଦ୍ଧା ଜଣାଯାଏ। ରାମାୟଣର କଥାବସ୍ତୁ ଭିତ୍ତିରେ ‘ରାମବିଭା’ ଓ କାଳ୍ପନିକ ରାଜକୁମାର ଓ ରାଜକୁମାରୀଙ୍କ ଚରିତକୁ ନେଇ ‘କଳ୍ପଲତା’ ରଚିତ। ସାରଳା ମହାଭାରତର ପ୍ରଭାବ ଏହି କାବ୍ୟ ଦ୍ୱୟରେ ପରିଦୃଷ୍ଟ ବୋଲି ମନେ ହୁଏ। ତଥାପି କବି ନିଜ ମୌଳିକତା ଦ୍ୱାରା କାବ୍ୟ ଦ୍ୱୟକୁ ପାଠକ ନିକଟରେ ମନୋରଞ୍ଜକ କରିପାରିଛନ୍ତି। ଏ ଦୁଇ କାବ୍ୟ ଧର୍ମାତ୍ମକ ଓ କାଳ୍ପନିକ ଉଭୟ କାବ୍ୟ ଧାରାର ମୂଳ ଭିତ୍ତିପାତ କରିଛି ବୋଲି ମନେ କରିବାକୁ ହେବ। ‘ରାମବିଭା’ର ପରିବର୍ଦ୍ଧିତ ରୂପେ ଆମେ ଦେଖୁ ‘ବୈଦେହୀଶ ବିଳାସ’ କାବ୍ୟରେ ଏବଂ ‘କଳ୍ପଲତା’ ‘ଲାବଣ୍ୟବତୀ’ ଓ ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ ପ୍ରଭୃତି କାବ୍ୟରେ। ଏଠାରେ ଏତିକି କୁହାଯାଇପାରେ ଯେ, ‘ରାମବିଭା’ ଓ ‘କଳ୍ପଲତା’ ରୀତିଯୁଗୀୟ କାବ୍ୟ ସାହିତ୍ୟର ମୂଳଭିତ୍ତି। ତେଣୁ କାଳ୍ପନିକ କାବ୍ୟର ଆଦି ରୂପକାର ଭାବରେ ଅର୍ଜୁନ ଦାସ ହିଁ ଅଗ୍ରଗଣ୍ୟ। ତାଙ୍କରି ପ୍ରଭାବରେ ପରବର୍ତ୍ତୀକାଳରେ ଅନେକ କାବ୍ୟ ରଚିତ ହୋଇଥିବା ଜଣାଯାଏ।
‘ରାମବିଭା’ ଯଥାର୍ଥରେ ଆଦି ଓଡ଼ିଆ କାବ୍ୟର ପ୍ରସିଦ୍ଧିଲାଭ କରିଛି। କିନ୍ତୁ କାବ୍ୟ ବିଚାର ଦୃଷ୍ଟିରୁ ରୀତି ଓ ଚରିତ୍ରରେ ଏହା ମୁଖ୍ୟତଃ ପୌରାଣିକ। କାବ୍ୟ ଓ ସାହିତ୍ୟର ରସଚର୍ଯ୍ୟା ଓ ବର୍ଣ୍ଣନା ବୈଚିତ୍ର‌୍ୟ ଏଥିରେ ପରିଲକ୍ଷିତ ହୁଏ ନାହିଁ। କିନ୍ତୁ ପ୍ରଥମ ଛନ୍ଦୋବଦ୍ଧ କାବ୍ୟ ରୂପେ ଓଡ଼ିଆ କାବ୍ୟ ଜଗତରେ ‘ରାମବିଭା’ ସମ୍ମାନିତ। କବିଙ୍କର ଆଉ ଏକ କାବ୍ୟ କଳ୍ପଲତା ସମ୍ଭବତଃ ସର୍ବପ୍ରଥମ ବିଧିବଦ୍ଧ କାଳ୍ପନିକ କାବ୍ୟର ଆସନ ଗ୍ରହଣ କରେ।
‘କଳ୍ପଲତା’ କାବ୍ୟଟି ୧୩ ଗୋଟି ଛାନ୍ଦରେ ବିଭିନ୍ନ ରାଗରାଗିଣୀକୁ ନେଇ ରଚିତ। କାବ୍ୟରେ କବି ପ୍ରଥମେ ଶ୍ରୀକ୍ଷେତ୍ର ବା ପୁରୀରେ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ମହୋତ୍ସବ ଅବସରରେ ପ୍ରଭୁ ଜଗନ୍ନାଥଙ୍କୁ ନମସ୍କାର କରି ମହୋତ୍ସବର ବର୍ଣ୍ଣନା କରିଛନ୍ତି। ସ୍ନାନପରେ ସ୍ୱର୍ଗରୁ ବ୍ରହ୍ମାଦି ଦେବତାମାନେ ପ୍ରଭୁଙ୍କ ପାଦପଦ୍ମ ଜଳରେ ସ୍ନାନ କରିବାକୁ ଆସିଥିଲେ। କବିଙ୍କ ଲେଖନୀରେ ଶ୍ରୀଜଗନ୍ନାଥଙ୍କ ପ୍ରଶସ୍ତି-
“ ଶୁଣ ହେ ରସିକ ଜନ ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ
ଜ୍ୟେଷ୍ଠ ନକ୍ଷତ୍ର ସେକାଳେ ଟମକ ବାଜେ ସିନ୍ଧୁକୂଳେ।”
‘କଳ୍ପଲତା’ କାବ୍ୟର କାହାଣୀ କାଳ୍ପନିକ, ତଥାପି ବର୍ଣ୍ଣନା ବିଳାସରେ ଆକର୍ଷଣୀୟ। ଦିନେ ଇନ୍ଦ୍ରଙ୍କ ନୃତ୍ୟ ସଭାରେ ଅପ୍‌ସରା ସୁରେଖାର ହଠାତ୍ ତାଳଭଙ୍ଗ ହେଲା। ସୁରେଖା ସେଠାରେ ପ୍ରଣୟୀ ବସନ୍ତକ ଗନ୍ଧର୍ବକୁ ଦେଖି ହଠାତ୍ ଅନ୍ୟ ମନସ୍କ ହୋଇ ପଡିଥିଲା। ବସନ୍ତକ ସହିତ ଦିନେ କେଳି ପ୍ରମତ୍ତ ଥିବା ବେଳେ ଇନ୍ଦ୍ରଙ୍କ ଦ୍ୱାରା ଆକସ୍ମିକ ଭାବରେ ଆହୁତ ହୋଇ ସୁରେଖା ଇନ୍ଦ୍ରଙ୍କ ନୃତ୍ୟ ସଭାକୁ ଆସିଥିଲା। ସେଠାକୁ ଆସିବା ପାଇଁ ବସନ୍ତକକୁ ସୁରେଖା ଆସିବାବେଳେ ବାରମ୍ବାର ବାରଣ କରିଯାଇଥିଲା। ବସନ୍ତକକୁ ଇନ୍ଦ୍ରଙ୍କ ନୃତ୍ୟ ସଭାରେ ଦେଖିଲେ ସୁରେଖାର ତାଳଭଙ୍ଗ ହେବ ଏହାହିଁ ଥିଲା ଆଶଙ୍କା। ଏହାସତ୍ତ୍ୱେ ବସନ୍ତକ ସୁରେଖାର ନୃତ୍ୟ ଦର୍ଶନର ଲୋଭ ସମ୍ବରଣ କରିନପାରି ଇନ୍ଦ୍ରଙ୍କ ନୃତ୍ୟ ସଭାକୁ ଆସିଥିଲା। ସୁରେଖା ଯାହା ଆଶଙ୍କା କରିଥିଲା ତାହା ହିଁ ଘଟିଲା। ସୁରେଖା ସେତେବେଳେ ଭୁବନ ମୋହିନୀ ବେଶରେ ନୃତ୍ୟ କରୁଥିଲା। ତାହା କବିଙ୍କ ବର୍ଣ୍ଣନାରେ-
“ଦେବତାମାନେ ଦେଖନ୍ତି କାମେଣ କୌପୁନି ତିନ୍ତନ୍ତି।
ଉଡଇ ତ୍ରିପୁର ଧୂଳି କୁସୁମ ବରଷନ୍ତି ମିଳିି।
ଷଡଋତୁ ହୋଇଣ ଉଭା କରନ୍ତି ଯେ ଯାହାର ସେବା।
ନୃତ୍ୟ ରସେ ଲାଗିଲା ମୋହ ସମସ୍ତେ ପାସୋରିଲେ ଦେହ।”
ସଂସ୍କୃତ କାବ୍ୟରୀତି ଓଡ଼ିଆ କାବ୍ୟରଚନାକୁ ପ୍ରଭାବିତ କରିବା ପୂର୍ବରୁ ନିରୋଳା ଓଡ଼ିଆ କାବ୍ୟ ରୂପେ କଳ୍ପଲତା କାବ୍ୟକୁ ଗ୍ରହଣ କରାଯାଇପାରେ। ‘କଳ୍ପଲତା’ର ବର୍ଣ୍ଣନା ଅତି ସରଳ ଏବଂ ହୃଦ୍‌ବୋଧ। ସୁରେଖାର ନୃତ୍ୟ ବା ଅମର ଶିଖର ଓ କଳ୍ପଲତାଙ୍କ ରତିକ୍ରୀଡା, ପୁଣି ଜଳକେଳି ଶୃଙ୍ଗାର ରସ ଦ୍ୟୋତକ ହେଲେ ହେଁ ତାହା ସଂଯତ ଏବଂ ପରିମିତ ବୋଧ ସଂପନ୍ନ। ତଥାପି କାନ୍ତ ବିରହବିଧୁରା କଳ୍ପଲତାର ବର୍ଣ୍ଣନା କବି ବାଦ୍ ଦେଇ ନାହାନ୍ତି। କବିଙ୍କ ଲେଖନୀରେ-
“କୁଚ କୁମ୍ଭ ଉପରୁ ଅଞ୍ଚଳ କାଢ଼ଇ ଦେଖଇ ପ୍ରାଣନାଥର ଚିହ୍ନ
ସୁରେଖା ନଖରେ ଦେଖିଣ ପୁଣ ପୁଣ ଦିଅଇ ଚୁମ୍ବନ।”
କୁଚ ଉପରେ କରଜ ବା ନଖ ଚିହ୍ନ ଦେଖିବା ପରବର୍ତ୍ତୀ କାବ୍ୟ ମାନଙ୍କରେ ଏକ ଧରାବନ୍ଧା ରୀତିରେ ପରିଣତ ହୋଇଯାଇଛି।

‘ରାମବିଭା’ କବିଙ୍କର ଏକ ଜନପ୍ରିୟ କାବ୍ୟ ଏଥିରେ ବିଶ୍ୱାମିତ୍ରଙ୍କ ନିମନ୍ତ୍ରଣଠାରୁ ଆରମ୍ଭ କରି କାକ କାବ୍ୟ, ଅହଲ୍ୟା ଶାପ ମୋଚନ, ବାଳି, ସୁଗ୍ରୀବ ଓ ହନୁମାନଙ୍କର ଜନ୍ମ ବୃତ୍ତାନ୍ତ, ସୀତା ପରିଣୟ, ପରଶୁରାମ ଦର୍ପଭଙ୍ଗ ହୋଇଛି। ସମଗ୍ର କାବ୍ୟଟି ୧୨ ଗୋଟି ଛାନ୍ଦରେ ବିଭିନ୍ନ ରାଗ ରାଗିଣୀରେ ରଚିତ। କବି ଶ୍ରୀରାମଚନ୍ଦ୍ରଙ୍କୁ ପୁରୁଷୋତ୍ତମ କ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ଠାରୁ ଅଭିନ୍ନ ମନେ କରି ତାଙ୍କର ଚରିତ୍ର ବର୍ଣ୍ଣନା କରିଛନ୍ତି। ରାମଚନ୍ଦ୍ରଙ୍କ ଦୈନନ୍ଦିନ ନୀତି ବର୍ଣ୍ଣନା କଲା ବେଳେ କବି ବଡ ଦେଉଳର ନୀତିଗୁଡିକ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ରାମଚନ୍ଦ୍ରଙ୍କ ଆଚମନ- ଅବକାଶ ଓ ଜଗନ୍ନାଥ ମନ୍ଦିରର ଆଚମନ- ଅବକାଶ ଏକ ପ୍ରକାରର। ମିଥିଳାପୁରକୁ ଦଶରଥଙ୍କ ଯାତ୍ରାର ବର୍ଣ୍ଣନା ଓଡ଼ିଆ ରାଜାଙ୍କ ଯାତ୍ରାର ବର୍ଣ୍ଣନା ପରି ହୋଇଛି। ଏ ଦୃଶ୍ୟଟିର ବର୍ଣ୍ଣନା ଅଭିନୀତ ହେଉଥିଲା ପରି ଜଣାଯାଏ। କବିଙ୍କ ଲେଖନୀରେ-
“ବୋଲନ୍ତି ଯେ ମହାଋଷି ପାତ୍ର ବେହରଣେ ବସି
ବଶିଷ୍ଠ ଦୂତକୁ ଧନ ବସନ୍ତ ଦେଲେ
ରାଉତ ମାହୁନ୍ତ ଘାସି ସବୁ ପରିବାରେ ଆସି
ଯେ ଯାହାରେ ଭାତ ବରତନ ଯେ ନେଲେ
ବିଚାରିଣ ମାହେନ୍ଦ୍ର ବେଳ,
ବଶିଷ୍ଠେ ଆପଣେ ଦେଲେ ସୁ ଅନୁକୂଳ।”
କୌଶଲ୍ୟାଙ୍କ ଠାରୁ ବିଦାୟ ନେଇ ଯିବା ଠାରେ ଶ୍ରୀରାମଙ୍କ (ଜଗନ୍ନାଥଙ୍କ) ଆହାର ଓ ବେଶର ବର୍ଣ୍ଣନା ଅତି ରମଣୀୟ ହୋଇପାରିଛି। କବିଙ୍କ ଲେଖନୀରେ-
“ରାମ ମୁଖେ ଚୁମ୍ବନ ଦେଇଣ କଉଶୁଲ୍ୟା
ଆନନ୍ଦ ଦଳଧି ତାର ମନ ମଜ୍ଜାଇଲା ହେ।
ଗୋପାଳ ବଲ୍ଲଭ ସାରି ନୀଳଗିରି ପତି
ଆଗେବନ ସାରି ଚଢ଼ାଉ ଲାଗି ହୋନ୍ତି ହେ।”
‘ରାମବିଭା’ ପ୍ରାଚୀନ କାଳର ଲୋକପ୍ରିୟ କାବ୍ୟ ହେଲେ ମଧ୍ୟ ରାମଚରିତ କାବ୍ୟମାନଙ୍କ ଭିତରେ ସର୍ବୋଚ୍ଚସ୍ତରର ହୋଇନପାରେ। କିନ୍ତୁ ପ୍ରଥମ ଛନ୍ଦୋବଦ୍ଧ କାବ୍ୟ ରୂପେ ‘ରାମବିଭା’ ଯେପରି ସ୍ମରଣୀୟ ସଂସ୍କୃତ ପ୍ରଭାବମୁକ୍ତ ଓଡ଼ିଆ କାଳ୍ପନିକ କାବ୍ୟ ରୂପେ ‘କଳ୍ପଲତା’ ସେହିପରି ଖ୍ୟାତି ସଂପନ୍ନ। ଏହାର ଶୈଳୀ ନିରାଡମ୍ବର ହେଲେ ମଧ୍ୟ ଏଥିରେ ଶବ୍ଦାଳଙ୍କାର ବିନ୍ୟାସ ପରିଲକ୍ଷିତ ହୋଇଥାଏ।
କବିଙ୍କର ‘ରାମବିଭା’ ଓ ‘କଳ୍ପଲତା’ ବ୍ୟତୀତ ଅନ୍ୟ କୌଣସି କାବ୍ୟ ଦୃଷ୍ଟିଗୋଚର ହୁଏ ନାହିଁ। ଦୁଇ ଗ୍ରନ୍ଥରେ କବି ନିଜର ସମୟ ସୂଚନା ଦେଇନାହାନ୍ତି। ସେ ଯାହାହେଉ କବି ଅର୍ଜୁନ ଦାସ ଯେଉଁ ସମୟର କବି ହୁଅନ୍ତୁନା କାହିଁକି, ସେ ‘ରାମବିଭା’ ଓ ‘କଳ୍ପଲତା’ ନାମକ ଯେଉଁ ଦୁଇଟି ଅମୂଲ୍ୟ ଗ୍ରନ୍ଥ ପ୍ରାଚୀନ ଓଡ଼ିଆ ସାହିତ୍ୟର ଗନ୍ତାଘରକୁ ଦାନ କରିଛନ୍ତି ତାହା ଓଡ଼ିଆ ଜାତି ପାଇଁ ସ୍ମରଣୀୟ।

3 thoughts on “ପ୍ରଥମ ପ୍ରାଚୀନ ଓଡ଼ିଆ କାବ୍ୟ ପ୍ରଣେତା : ଅର୍ଜୁନ ଦାସ

  1. ତଥ୍ୟ ସମ୍ବଳିତ ସୁନ୍ଦର ଆଲୋଚନା।

  2. ପ୍ରବନ୍ଧ ପାଠ କରି ମତାମତ ଦେଇଥିବା ଯୋଗୁଁ ମୁଁ ଧନ୍ୟବାଦ ଜଣାଉଛି ।

  3. ଖୁବ୍ ମନନଧର୍ମୀ ଆଲେଖ୍ୟ। ପ୍ରଂଶସନୀୟ ପଦକ୍ଷେପ। ଧନ୍ୟବାଦ

Leave a Reply

Your email address will not be published. Required fields are marked *