- ଆମ ପିମ୍ପୁଡି ସମାଜରେ କେହି ଭିକାରି ନାହାନ୍ତି। ଅଭାବ କଣ ସେମାନେ ଜାଣନ୍ତି ନାହିଁ ।
ନିକଟରେ ଦୂରଦର୍ଶନ କେନ୍ଦ୍ର ତରଫରୁ ଜନସାଧାରଣଙ୍କ ପାଇଁ ଏକ ଲୋକପ୍ରିୟ କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଥିଲା। ସେଥିରେ କେନ୍ଦ୍ରର ନିର୍ଦ୍ଦେଶକଙ୍କର, ପିମ୍ପୁଡି ସମାଜର ପ୍ରତିନିଧିଦଳଙ୍କ ସହିତ ଏକ ସାକ୍ଷାତକାରର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପିମ୍ପୁଡି ପ୍ରତିନିଧିଙ୍କ ନେତା ତାଙ୍କ ସାମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରି ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁଷ୍ୟଙ୍କ ସହିତ ସେମାନଙ୍କର ସମ୍ପର୍କ ଦୃଢ଼ୀଭୂତ କରିବାପାଇଁ ଆହ୍ୱାନ ଦେଇଥିଲେ। ନିମ୍ନରେ ପିମ୍ପୁଡି ପ୍ରତିନିଧିଙ୍କ ନେତା ଓ ଦୂରଦର୍ଶନ କେନ୍ଦ୍ରର ଉପସ୍ଥାପକଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାରର କିୟଦଂଶ ଉଦ୍ଧାର କରାଗଲା :-
ଉପସ୍ଥାପକ – ମନୁଷ୍ୟମାନଙ୍କ ନିମନ୍ତ୍ରଣ ସ୍ୱୀକାର କରି ଆପଣ ଆମ କେନ୍ଦ୍ରକୁ ଆସି ଅନୁଗୃହୀତ କରିଥିବାରୁ ମୁଁ ଆପଣଙ୍କୁ କେନ୍ଦ୍ର ତରଫରୁ ସ୍ୱାଗତ ଜଣାଉଛି।
ପିମ୍ପୁଡ଼ି ନେତା – ସ୍ୱାଗତ ପାଇଁ ଧନ୍ୟବାଦ। ଆଜି ମୋ ପାଇଁ ଏକ ଆନନ୍ଦର ବିଷୟ ଯେ ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁଷ୍ୟ ଆମ ଭଳି କ୍ଷୁଦ୍ର ଅକିଞ୍ଚନ ପିମ୍ପୁଡ଼ି ସମାଜ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଓ ଆମକୁ ଏଠାକୁ ନିମନ୍ତ୍ରଣ କରିଛନ୍ତି। ଏହା ସହିତ ଆପଣଙ୍କୁ ବିଶେଷ ଧନ୍ୟବାଦ ଦେଉଛି ଯେ ବର୍ତ୍ତମାନ ବଜାରରେ ଚିନିର ଅତ୍ୟଧିକ ଅଭାବ ସତ୍ତ୍ୱେ ଆମ ପ୍ରିୟଖାଦ୍ୟ (ଚିନି)ର ବ୍ୟବସ୍ଥା କରି ଆପଣମାନେ ଅତିଥି ବତ୍ସଳତାର ପରିଚୟ ଦେଇଛନ୍ତି।
ଉପସ୍ଥାପକ – ବର୍ତ୍ତମାନ ମୁଁ ଆପଣଙ୍କୁ କେତେକ ପ୍ରଶ୍ନ ପଚାରିବି। ଆଶାକରେ ଆପଣ ତାର ଯଥାର୍ଥ ଉତ୍ତର ଦେବାକୁ କୁଣ୍ଠାବୋଧ କରିବେ ନାହିଁ।
ପିମ୍ପୁଡ଼ି ନେତା – ନିଶ୍ଚୟ, ଆପଣ ଉତ୍ତରଯୋଗ୍ୟ ଯେ କୌଣସି ପ୍ରଶ୍ନ ପଚାରି ପାରିବେ।
ଉପସ୍ଥାପକ – ଆପଣ କଣ ଏକ ନିର୍ଦ୍ଦିଷ୍ଟ ସ୍ଥାନ ବା ଦଳର ପିମ୍ପୁଡ଼ିମାନଙ୍କ ପ୍ରତିନିଧି ରୂପେ ନେତୃତ୍ୱ ନେଇ ଏଠାକୁ ଆସିଛନ୍ତି?
ପିମ୍ପୁଡ଼ି ନେତା – ନାଁ ନାଁ, ଆପଣ ଭୁଲ ବୁଝିଛନ୍ତି। ମୁଁ ମନୁଷ୍ୟଙ୍କ ଭଳି ଏକ ନିର୍ଦ୍ଦିଷ୍ଟ ଦଳ ବା ଗୋଷ୍ଠୀର ନେତା ରୂପେ ଏଠାକୁ ଆସିନାହିଁ। ସମଗ୍ର ପୃଥିବୀର ପିମ୍ପୁଡ଼ି ସମାଜ ମୋତେ ନେତା ରୂପେ ନିର୍ବାଚିତ କରିଛନ୍ତି।
ଉପସ୍ଥାପକ – କ୍ଷମା କରିବେ। ଆପଣଙ୍କ ସମାଜରେ କଣ ଗଣତାନ୍ତ୍ରିକ ବ୍ୟବସ୍ଥା ମୂଳରୁ ଅନୁସୃତ ହୋଇଆସୁଛି?
ପିମ୍ପୁଡ଼ି ନେତା – ଏହା ଠିକ୍। ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ। ଏହା ସହିତ ପୁରାତନ ପରମ୍ପରାକୁ ସମ୍ମାନ ଦେଇ ରାଣୀ ପିମ୍ପୁଡିଙ୍କ ନିର୍ଦ୍ଦେଶରେ ପରିଚାଳିତ ହୋଇଥାଉ ଓ ରାଜ କାର୍ଯ୍ୟରେ ସର୍ବଦା ସହଯୋଗ କରିଥାଉ। ଏତଦ୍ବ୍ୟତୀତ, ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଆମେ ପିମ୍ପୁଡ଼ିମାନେ ନିରାପଦ ସ୍ଥାନରେ ଏକତ୍ରିତ ହୋଇ ନେତା ପିମ୍ପୁଡି ପଦବୀ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କର ଏକ ଲିଖିତ ପରୀକ୍ଷା ଆୟୋଜନ କରିଥାଉ। ସେଥିରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ପିମ୍ପୁଡ଼ିଙ୍କୁ ସମସ୍ତେ ନେତା ରୂପେ ସ୍ୱୀକାର କରନ୍ତି।
ଉପସ୍ଥାପକ – ସମଗ୍ର ବିଶ୍ୱର ଏତେ ସଂଖ୍ୟକ ପିମ୍ପୁଡି କିପରି ଗୋଟିଏ ସ୍ଥାନରେ ଏକତ୍ର ହୁଅନ୍ତି? ଏହା କଣ ସମ୍ଭବପର?
ପିମ୍ପୁଡି ନେତା – ଆପଣ ବୋଧେ ମୋ କଥା ବୁଝିପାରିଲେ ନାହିଁ। ସବୁ ପିମ୍ପୁଡ଼ିଙ୍କ ଏକାଠି ହେବା ଆବଶ୍ୟକ ନାହିଁ କି ଏହା ଆଦୌ ସମ୍ଭବ ନୁହେଁ। ଆଉ, ଯଦି ପୃଥିବୀର ସବୁ ପିମ୍ପୁଡି ଏକାଠି ହୁଅନ୍ତେ ତେବେ ମନୁଷ୍ୟର ଛିଡା ହୋଇ ରହିବାପାଇଁ ମଧ୍ୟ ଜାଗା ରହନ୍ତା ନାହିଁ। ଆମ ସମାଜରେ ରାଜନୀତିରେ ଆଗ୍ରହ ରଖୁଥିବା ବ୍ୟକ୍ତି କମ ଅଛନ୍ତି। ବୟସ , ବିଚାରବୁଦ୍ଧି, ଶିକ୍ଷାଗତ ଯୋଗ୍ୟତା, ଶକ୍ତି, ସାମର୍ଥ୍ୟ ତଥା ସାଧୁତା , ଏ ସମସ୍ତ ଗୁଣଥିବା ପିମ୍ପୁଡି ହିଁ ଏ ଦିଗରେ ଆଗ୍ରହ ପ୍ରକାଶ କରିଥାନ୍ତି ଏବଂ ନେତା ରୂପେ ନିଜକୁ ପ୍ରସ୍ତୁତ କରିବାପାଇଁ ସେମାନେ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥାନ୍ତି। ତେଣୁ ଆମେ ଆମର ନେତା ନିର୍ବାଚନର ପରୀକ୍ଷାପାଇଁ ଟେଲିଭିଜନ ମାଧ୍ୟମରେ ଘୋଷଣା କରିଥାଉ।
ଉପସ୍ଥାପକ – ତେବେ ଆପଣଙ୍କ ସମାଜରେ ରାଜନୀତି ପାଇଁ କୌଣସି ଯୋଗ୍ୟତା ନିର୍ଣ୍ଣୟ କରାଯାଇଛି କି?
ପିମ୍ପୁଡି ନେତା – ଆପଣ ଠିକ କହୁଛନ୍ତି। ଅଳସୁଆ, କର୍ମକୋଢ଼ୀ, ଅସାଧୁ, ତଥା ନିର୍ବୁଦ୍ଧିଆ ପିମ୍ପୁଡିମାନେ ନେତା ପଦବୀ ପାଇଁ ପ୍ରତିଯୋଗିତା କରିପାରିବେ ନାହିଁ, ଏଭଳି ନିୟମ ଆମେ କରିଛୁ।
ଉପସ୍ଥାପକ – ଆଛା , ଆପଣମାନେ ଏତେବଡ ନେତା ନିର୍ବାଚନ ପରିଚାଳନା କିଭଳି ଭାବରେ କରିପାରୁଛନ୍ତି ତାହାର ରହସ୍ୟ କହିବେ କି?
ପିମ୍ପୁଡି ନେତା – ଭଲ ପ୍ରଶ୍ନଟିଏ ପଚାରିଲେ।. ଆମେ ଆମର ବିଭିନ୍ନ ସ୍ଥାନରେ ଥିବା ବେତାର କେନ୍ଦ୍ର ତଥା ଟେଲିଭିଜନ ମାଧ୍ୟମରେ ନିର୍ବାଚନ ତାରିଖ ଘୋଷଣା କରିଥାଉ। ଆଗ୍ରହୀ ପିମ୍ପୁଡିମାନେ ନିର୍ଦ୍ଦିଷ୍ଟ ଦିନରେ ରେଡ଼ିଓ ଓ ଟି. ଭି. ଇତ୍ୟାଦି ଗଣମାଧ୍ୟମ ଜରିଆରେ ନିଜ ନିଜର ଯୋଗ୍ୟତା ପ୍ରଦର୍ଶନ କରିଥାନ୍ତି। ରାଜନୀତି ସମ୍ବନ୍ଧୀୟ କେତେକ ପ୍ରଶ୍ନ ପଚରାଯାଇ ପ୍ରାର୍ଥୀମାନଙ୍କର ବୁଦ୍ଧି ପରୀକ୍ଷା କରାଯାଏ ଓ ତା’ପରେ ସେମାନେ ଗଣମାଧ୍ୟମ ଜରିଆରେ ନିଜ ନିଜର ବକ୍ତବ୍ୟ ପିମ୍ପୁଡିସମାଜ ସମ୍ମୁଖରେ ଉପସ୍ଥାପନ କରିଥାନ୍ତି।
ଉପସ୍ଥାପକ – ଆପଣମାନେ କଣ ମନୁଷ୍ୟଙ୍କ ଭଳି ରେଡ଼ିଓ ଶୁଣନ୍ତି ଓ ଟି. ଭି. ଦେଖନ୍ତି ?
ପିମ୍ପୁଡି ନେତା – ଖାଲି ସେତିକି ନୁହେଁ, ମନୁଷ୍ୟ ଜାଣି ନ ଥିବା ଅନେକ ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମେ କରିସାରିଛୁ, ଯାହା ଫଳରେ ନିଜର ସଂଖ୍ୟାକୁ ଆମେ ମନୁଷ୍ୟଙ୍କ ତୁଳନାରେ କୋଟି କୋଟି ଗୁଣ ବଢାଇବାରେ ସକ୍ଷମ ହୋଇପାରିଛୁ।
ଉପସ୍ଥାପକ – ଆପଣମାନେ କଣ ଏପର୍ଯ୍ୟନ୍ତ ଜନ୍ମ-ନିୟନ୍ତ୍ରଣ ବ୍ୟବସ୍ଥା ଅନୁସରଣ କରିନାହାନ୍ତି କି ?
ପିମ୍ପୁଡି ନେତା – ନାଁ , ଆମେ ସେ କଥା ଚିନ୍ତା ମଧ୍ୟ କରିନାହୁଁ କାରଣ ଆମର ସଂଖ୍ୟା ବଢିବା ଅନୁସାରେ ଖାଦ୍ୟ ଉତ୍ପାଦନ ଆନୁପାତିକ ହାରରେ ବଢିଥାଏ। ମନୁଷ୍ୟମାନେ ଅଳସୁଆ ବୋଲି ଉତ୍ପାଦନ ନ ବଢ଼ାଇ ଜନ୍ମ ନିୟନ୍ତ୍ରଣ କରୁଛନ୍ତି। ଏହା ପ୍ରକୃତି ପ୍ରତି ଉପହାସ ନୁହେଁ ତ ଆଉ କଣ ?
ଉପସ୍ଥାପକ – ଆଛା, ଆପଣଙ୍କ ସାମାଜିକ ଚଳଣି ବିଷୟରେ କିଛି କହିବେ କି ?
ପିମ୍ପୁଡି ନେତା – ଆମ ପିମ୍ପୁଡି ସମାଜ ବହୁତ ପରିଶ୍ରମୀ, ଶୃଙ୍ଖଳିତ ଓ ସଂଯତ। ନିହାତି ଦରକାର ନ ପଡିଲେ ସେମାନେ ଯୁଦ୍ଧ କରନ୍ତି ନାହିଁ। ମନୁଷ୍ୟଙ୍କ ପରି ଅଯଥା ଯୁଦ୍ଧ କରି ସମାଜର କ୍ଷତି ସାଧନ କରନ୍ତି ନାହିଁ। ତାପରେ, ଆମର ପରିଶ୍ରମ ତ ଆପଣମାନେ ପ୍ରତିଦିନ ନିଜ ଆଖିରେ ଦେଖୁଥିବେ। ଆଉ, ଶୃଙ୍ଖଳାଜ୍ଞାନରେ ଆମେ ମନୁଷ୍ୟଙ୍କ ଠାରୁ ବହୁ ଆଗୁଆ। ଆମେ ସଂଖ୍ୟାରେ କୋଟି କୋଟି ହେଲେ ମଧ୍ୟ ତହିଁରେ ତିଳେ ମାତ୍ର ବିଶୃଙ୍ଖଳା ସୃଷ୍ଟି ହୁଏନାହିଁ। ଅଥଚ, ମନୁଷ୍ୟମାନେ ଏକରୁ ଅଧିକ ହେବା ମାତ୍ରେ ବିଶୃଙ୍ଖଳା ଆରମ୍ଭ କରିଦିଅନ୍ତି। ତା ଛଡା, ଆମେମାନେ ଅଯଥା କୌଣସି ଖାଦ୍ୟଦ୍ରବ୍ୟ ନଷ୍ଟ କରୁନାହୁଁ। ତେଣୁ ପୁରା ବର୍ଷାକାଳ ବାହାରକୁ ନ ବାହାରିଲେ ମଧ୍ୟ ଆମର ଖାଦ୍ୟର ଆଦୌ ଅଭାବ ରହେ ନାହିଁ। କିନ୍ତୁ, ଅପରପକ୍ଷରେ ମନୁଷ୍ୟମାନେ ଅଯଥା ଭୋଜିଭାତ କରି ଯେତିକି ଖାଆନ୍ତି ତାର ଦୁଇଗୁଣ ନଷ୍ଟ କରନ୍ତି। ତେଣୁ ସବୁବେଳେ ସେମାନଙ୍କର ଅଭାବ ଲାଗିରହିଥାଏ।
ଉପସ୍ଥାପକ – ଆପଣଙ୍କ ସମାଜରେ କଣ କେହି ଦରିଦ୍ର ବା ଭିକାରି ନାହାନ୍ତି?
ପିମ୍ପୁଡି ନେତା – ନାଁ, ଆମ ପିମ୍ପୁଡି ସମାଜରେ କେହି ଭିକାରି ନାହାନ୍ତି। ଅଭାବ କଣ ସେମାନେ ଜାଣନ୍ତି ନାହିଁ।
ଉପସ୍ଥାପକ – ଆପଣଙ୍କ ବୈଜ୍ଞାନିକ ପ୍ରଗତି ବିଷୟରେ କିଛି କୁହନ୍ତୁ?
ପିମ୍ପୁଡି ନେତା – ନିଶ୍ଚୟ, ଆମେ ଗବେଷଣା ବଳରେ ନିଜକୁ ବିଦ୍ୟୁତ ପ୍ରବାହରୁ ମୁକ୍ତ ରଖିପାରିଛୁ ଓ ପାଣିରେ ଭାସିବାର କୌଶଳ ମଧ୍ୟ ଆବିଷ୍କାର କରିପାରିଛୁ। ଆପଣମାନେ ଲକ୍ଷ୍ୟ କରିଥିବେ ଇଲେକ୍ଟ୍ରିକ ତାରରେ ଆମେ ଚଢିଲେ ମଧ୍ୟ ଆମର କୌଣସି କ୍ଷତି ହୁଏନାହିଁ ବା ସକ୍ ଲାଗେ ନାହିଁ। ସେହିପରି ପାଣି ଅଧିକ ହେଲେ ମଧ୍ୟ ଆମେ ଆଦୌ ନ ବୁଡି ଭାସି ରହିପାରୁ।
ଉପସ୍ଥାପକ – ଆଛା , ଆପଣମାନେ କଣ ଖାଆନ୍ତି ଓ ରହନ୍ତି କେଉଁଠି?
ପିମ୍ପୁଡି ନେତା – ଆମେ ମନୁଷ୍ୟଙ୍କ ଭଳି ସବୁ ଖାଦ୍ୟଖାଉ ଓ ମାଟିଭିତରେ ହୁଙ୍କା ତିଆରି କରି ବାସ କରୁ। ଏହା ବର୍ଷା ଖରା ଓ ଶୀତରୁ ଆମକୁ ରକ୍ଷା କରେ। ତେଣୁ ହୁଙ୍କା ଆମପାଇଁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଭଳି କାର୍ଯ୍ୟ କରେ।
ଉପସ୍ଥାପକ – ତାହା ହେଲେ ତ ପିମ୍ପୁଡିମାନେ ଖାଦ୍ୟ ସାଇତି ରଖିବା ପାଇଁ ଫ୍ରିଜ ବ୍ୟବହାର କରୁଥିବେ?
ପିମ୍ପୁଡି ନେତା – ନାଁ, ଏହାର ଆଦୌ ଆବଶ୍ୟକ ନାହିଁ। ଆମେ ଖାଦ୍ୟଦ୍ରବ୍ୟ ସାଇତି ରଖିବା ପାଇଁ ମାଟିରେ ତିଆରି ଉନ୍ନତ ଧରଣର ପ୍ରିଜରଭେଟିଭ ବ୍ୟବହାର କରୁଛୁ। ତେଣୁ ଖାଦ୍ୟଦ୍ରବ୍ୟ ବର୍ଷ ବର୍ଷ କାଳ ସାଇତି ରଖିପାରୁଛୁ।
ଉପସ୍ଥାପକ – ପରିବେଶ ପ୍ରଦୂଷଣ ବିଷୟରେ କିଛି କହିବେ କି?
ପିମ୍ପୁଡି ନେତା – ହଁ, ମନୁଷ୍ୟ ଯୋଗୁ ପରିବେଶ ଏତେ ପ୍ରଦୂଷିତ ହେଉଛି ଯେ ଆମେ ଶୁଦ୍ଧ ଅମ୍ଳଜାନ ଆଦୌ ପାଇପାରୁନାହୁଁ। ସେଥିପାଇଁ ଆମକୁ ମାଟି ଭିତରେ ଅମ୍ଳଜାନ ତିଆରି କରି ବଞ୍ଚିବାକୁ ପଡୁଛି। ଏଥିରେ ଆମେ ଉଇ ଭାଇମାନଙ୍କ ସାହାଯ୍ୟ ମଧ୍ୟ ନେଉଛୁ। ଯଦି ମନୁଷ୍ୟମାନେ ଏଇଭଳି ପରିବେଶ ପ୍ରଦୂଷଣ କରିଚାଲିବେ, ତେବେ ଆମେ ଆସନ୍ତା ଶତାବ୍ଦୀ ବେଳକୁ ମାଟି ଭିତରେ ସହର ନିର୍ମାଣ କରି ସବୁଦିନ ପାଇଁ ରହିଯିବାକୁ ବାଧ୍ୟ ହେବୁ।
ଉପସ୍ଥାପକ – ଆପଣମାନେ ଏକାଠି ଏତେ ସଂଖ୍ୟାରେ ବାସ କରୁଥିବାରୁ ଚୋରି, ଡକାୟତି, ଦୁର୍ନୀତି ଏସବୁ ତ ଚାଲୁଥିବ?
ପିମ୍ପୁଡି ନେତା – ନାଁ , ଯଦିଓ ଏଥିପାଇଁ ଆମର ଆଇନ କାନୁନ ସବୁ ଅଛି ତଥାପି ଆମେ ଏତେ ଶୃଙ୍ଖଳିତ ଯେ ଆମ ଭିତରେ କେହି କେବେ ଚୋରି କରିନାହିଁ କି ଦୁର୍ନୀତିର ଆଶ୍ରୟ ନେଇନାହିଁ।
ଉପସ୍ଥାପକ – ଆଛା ଉଇ, ପିମ୍ପୁଡି, ମାଛି, ଅସରପା, ମଶା. ପ୍ରଭୃତି ମାରିବା ପାଇଁ ମନୁଷ୍ୟ ଯେଉଁ ତେଲ ବା ଚକ ପାଉଡର ବ୍ୟବହାର କରୁଛି ସେ ବିଷୟରେ ଆପଣଙ୍କ ମତ କଣ?
ପିମ୍ପୁଡି ନେତା – ଏହା ଅତୀବ ଲଜ୍ଜାର ବିଷୟ। ଏହା ସତ ଯେ ଏ ସବୁ ତେଲ, ପାଉଡର ଇତ୍ୟାଦି ବ୍ୟବହାର କରିବାଦ୍ୱାରା ଆମ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। କିନ୍ତୁ ଏପରି କରିବା ଦ୍ୱାରା ମନୁଷ୍ୟ ନିଜେ କ୍ଷତିଗ୍ରସ୍ତ ହେଉଛି କାରଣ ଅଯଥା ନଷ୍ଟ ହେଉଥିବା ଓ ପଚାସଢା ଖାଦ୍ୟ ଆମେ ଖାଇବା ଫଳରେ ମନୁଷ୍ୟ ପରିଷ୍କାର, ପରିଚ୍ଛନ ପରିବେଶରେ ବାସ କରୁଥିଲା। କିନ୍ତୁ ଏଣିକି ମନୁଷ୍ୟ ଅପରିଷ୍କାର ପରିବେଶରେ ବାସ କରିବା ଦ୍ୱାରା ନାନା ରୋଗର ଶିକାର ହେବ। ତାପରେ, ପରିବେଶ ସଫା କରିବାକୁ ଆମ ଛଡା କାଉ, ଶାଗୁଣା ଆଉ କାହାନ୍ତି ଯେ? ସେମାନଙ୍କର ବଂଶ ଲୋପ ପାଇଯିବାକୁ ବସିଲାଣି। ତେଣୁ ଆମକୁ ମାରିବା ଦ୍ୱାରା ମନୁଷ୍ୟ ନିଜ ବିନାଶର ରାସ୍ତା ତିଆରି କରୁଛି।
ଉପସ୍ଥାପକ – ମନୁଷ୍ୟ ସମାଜ ପ୍ରତି ଆପଣଙ୍କର ବାର୍ତ୍ତା କଣ?
ପିମ୍ପୁଡି ନେତା – ମନୁଷ୍ୟଙ୍କ ସାମାଜିକ ବ୍ୟବସ୍ଥା ଉପରେ ମୋର କିଛି କହିବାର ନାହିଁ। କିନ୍ତୁ ଏତିକି କହିବି ଯେ ମନୁଷ୍ୟ ବର୍ତ୍ତମାନ ଯେଉଁ ଡାଳରେ ବସିଛି ସେଇ ଡାଳକୁ ହାଣୁଛି। ଏହାର ଅର୍ଥ ଆପଣ ଭଲ ଭାବରେ ବୁଝୁଥିବେ। ଏବେ ମଧ୍ୟ ବେଳ ଅଛି। ଏବେଠୁ ନ ଚେତିଲେ ଆଉ କିଛି ବର୍ଷ ପରେ ମନୁଷ୍ୟ ସମାଜ ମଧ୍ୟ ନ ଥିବ।
ଉପସ୍ଥାପକ – ସେ ଯାହାହେଉ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟ କରି ସାକ୍ଷାତକାର ପାଇଁ ଆମକୁ ସୁଯୋଗ ଦେଇଥିବାରୁ ଦୂରଦର୍ଶନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।
ଭିନ୍ନ ସ୍ବାଦର ସୁନ୍ଦର ରମ୍ୟ ରଚନା !
Very nice, you keep writing like this.
ପିମ୍ପୁଡ଼ି ଓ ମନୁଷ୍ୟଙ୍କ ସମ୍ପର୍କରେ ଏକ ଚମତ୍କାର ତଥା ତୂଳନାତ୍ମକ ଉପସ୍ଥାପନ ପାଇଁ ଧନ୍ୟବାଦ। ଏହି ଲେଖାଟି ଲଳିତ ନିବନ୍ଧ ପର୍ଯ୍ୟାୟର ହୋଇଥିଲେ ମଧ୍ୟ ଏହାର ଉପସ୍ଥାପନା ଶୈଳୀ ବେଶ୍ ଉଚ୍ଚକୋଟୀର ଏବଂ ପ୍ରଣିଧାନଯୋଗ୍ୟ। ଏଥିପାଇଁ ଆଉଥରେ ଲେଖକଙ୍କୁ ଧନ୍ୟବାଦ। ସବୁବେଳେ ସାହିତ୍ୟ ଚର୍ଚ୍ଚା କିଛି କିଛି ନୂତନ ସ୍ୱାଦର ଲେଖା ନିୟମିତ ବ୍ୟବଧାନରେ ପ୍ରକାଶ କରୁଥିବାରୁ ଏଥିପାଇଁ ଶୁଭେଚ୍ଛା ଓ ଶୁଭକାମନା। ଏହିଭଳି ଚାଲୁଥାଉ।