ଟଙ୍କାର

  • ହେ ଅର୍ଜୁନ ! କଷିଥାନ୍ତ ଗୁଣ, ଯୋଖିଥାନ୍ତ ବାଣ, ନା ଶୁଭିଥାନ୍ତା ପଞ୍ଚଜନ୍ୟ ଶଙ୍ଖ ଧ୍ୱନି, ନା ବାଜିଥାନ୍ତା ଯୁଦ୍ଧର ନାଗରା, ରକ୍ତେ ଭିଜିନଥାନ୍ତା ଏହି ବସୁନ୍ଧରା ।
ଡ. ହିମାଂଶୁ ଶେଖର ବିଶ୍ୱାଳ

ଉନ୍ମୁକ୍ତ କେଶ, ଖୋଲା ବେଣୀ
ଲୁହଭିଜା ଏକ ନିଃସହାୟ ନାରୀ
କୁରୁସଭାରେ…
ପଞ୍ଚବୀରର ରାଣୀ, ଘରଣୀ,
ଯଜ୍ଞ-ସମ୍ଭୂତା ଯାଜ୍ଞସେନୀ
କାହିଁଥିଲ-
ହେ ବନ୍ଧୁ ସଖା – ସହୋଦର
ଶରଶଯ୍ୟା ର ବିନ୍ଧାଣି
ଫାଲଗୁନି, ପାର୍ଥ, ଧନଞ୍ଜୟ।
ତୁମେଥିଲ ବାକ୍ୟଶୁନ୍ୟ !!!

ଶୁଭୁନଥିଲା କି
ଆତୁର ଚିତ୍କାର, କରୁଣ କ୍ରନ୍ଦନ
କିବା ଥିଲ ତୁମେ
ବାହୁବଳ ହୀନ
ତୃଣିର ଥିଲା ପୁରା ଶୂନ୍ୟ ?
ଲୋଡିଥିଲି ମୁଁ
ଗୋଟିଏ ଟଙ୍କାର
ଧରିଥାନ୍ତ ବାମହସ୍ତେ “ଗାଣ୍ଡିବ”
କଷିଥାନ୍ତ ଗୁଣ, ଯୋଖିଥାନ୍ତ ବାଣ
ସଭିଏଁ ଦେଖିଥାନ୍ତେ ତୁମ ବୀରପଣ
ତାହା ହୋଇଥାନ୍ତା ଉପକାର
ନାରୀ ଜାତି ପାଇଁ ଶ୍ରେଷ୍ଠ ଉପହାର
ଏକ ବୀରର ଭାସ୍କର
“ଗାଣ୍ଡିବ’ର ଟଙ୍କାର। (୧)

ହାତେ ଥିଲା କାନି
ମୁହେଁ ଅଶ୍ରାବ୍ୟ ବାଣୀ
ଯେବେ ଭିଡୁଥିଲା କୂଳବଧୂର ଶାଢ଼ି
ଦେଉଥିଲା ପରସ୍ତ ପରସ୍ତ ଉତାରି
ଦେହ ଭିକ୍ଷୁ ସେହି ଅଶରୀରି,
କାହିଁଥଲ-
ହେ ବନ୍ଧୁ, ସଖା ସହୋଦର
ପ୍ରଥମ ପ୍ରେମ ମୋର
କର୍ତ୍ତବ୍ୟର ଅନ୍ୟନାମ
ଉତ୍ସର୍ଗ ଈଶ୍ୱର,
ହେ ଅପରାଜେୟ ରାଧେୟ,
ତୁମେ ବି ତ ଦେଖୁଥିଲ
ଶୁଣୁଥିଲ ଟାହି-ଟାପରା, ହସ-ପରିହାସ
ବିବସ୍ତ୍ର ହେବାର ଆବାହନମାନ
ଲୁହରେ ଭିଜୁଥିବା କଜ୍ଜଳ ଗାର
ଶୁଷ୍କ ଓଠ, ଭୟ-କମ୍ପିତ ବକ୍ଷୋଜ ମୋର
ଜାଣିଛି…
ବାନ୍ଧିଥିଲା ତୁମକୁ ବନ୍ଧୁର ବେଡ଼ି
ସମର୍ପିତର ଶିକୁଳି
ପ୍ରତିଶୋଧେ ଜଳୁଥିଲ ଖାଲି
ଅବା ପ୍ରତିଜ୍ଞାରେ ପଡିଯାଇଥିଲ ବଳି ?

ଲୋଡିଥିଲି ମୁଁ
ଗୋଟିଏ ଟଙ୍କାର
ଧରିଥାନ୍ତ ବାମହସ୍ତେ “ବିଜୟ”
କଷିଥାନ୍ତ ଗୁଣ, ଯୋଖିଥାନ୍ତ ବାଣ
ହେ ପର୍ଶୁରାମଙ୍କ ସ୍ୱାକ୍ଷର
ପୁଣିଥରେ ଶୁଣିଥାନ୍ତେ
ସଭାମଧ୍ୟେ ଉପସ୍ଥିତ
ସବୁ କ୍ଷତ୍ରିୟ ବୀରଗଣ
ଭୀଷ୍ମ ପିତାମହ ଆଉ ଗର୍ବୀ ଦୁର୍ଯୋଧନ
ଏକ ବୀରର ଭାସ୍କର
“ବିଜୟ’ର ଟଙ୍କାର। (୨)

ନଥିଲା ତିଳେମାତ୍ର କ୍ଳେଶ
ସ୍ଥିତପ୍ରଜ୍ଞ, ସ୍ମିତହାସ୍ୟ
ସ୍ଥିରେ ବସିଥିଲ ତୁମେ
ହେ ବାସୁଦେବ, କେଶବ
ଏତେ ଡେରିରେ ଜ୍ଞାତହେଲ
ସେହି ମୁହୂର୍ତ୍ତର ଯନ୍ତ୍ରଣା
ମୃତ୍ୟୁଠାରୁ ଭୟଙ୍କର
ସେହି କଟୁଶବ୍ଦ ସବୁ,
ଲୋଲୁପ୍ତ ଯାତନା।
ବସ୍ତ୍ର ଦେଲ, କଲ ଲଜ୍ଜା ନିବାରଣ
କିନ୍ତୁ ହୋଇଥିଲା ବହୁତ ଉଛୁର
ଲୋଟୁଥିଲା ଶାଢ଼ି ମୋର
ରଚୁଥିଲା ଏକ ଧବଳ ପାହାଡ
ଅନ୍ତବସ୍ତ୍ରମାନେ କରୁଥିଲେ ପରିହାସ ସତେ,
କୃଷ୍ଣ – କୃଷ୍ଣା ର ବାଞ୍ଛିତ ବନ୍ଧୁତ୍ୱ
ଯାହା ମୀରା ପ୍ରେମ ଠାରୁ ବି ଅଧିକ ଶାଶ୍ୱତ।
ଲୋଡିଥିଲି ମୁଁ
ଗୋଟିଏ ଟଙ୍କାର
ଧରିଥାନ୍ତ ବାମହସ୍ତେ ‘ଶାରଙ୍ଗ’
କଷିଥାନ୍ତ ଗୁଣ, ଯୋଖିଥାନ୍ତ ବାଣ
ନା ଶୁଭିଥାନ୍ତା ପଞ୍ଚଜନ୍ୟ ଶଙ୍ଖ ଧ୍ୱନି
ନା ବାଜିଥାନ୍ତା ଯୁଦ୍ଧର ନାଗରା
ରକ୍ତେ ଭିଜିନଥାନ୍ତା ଏହି ବସୁନ୍ଧରା
ମରିନଥାନ୍ତେ ବହୁ ନିରୀହ – ନିରୀହା
କାକା – ପିତା – ପୁତ୍ର – ପୌତ୍ର
ସଖି – ସଖା – ବନ୍ଧୁ – ସହୋଦର
ଯଦି ଶୁଭିଥାନ୍ତା
ଏକ ବୀରର ଭାସ୍କର
‘ଶାରଙ୍ଗ’ ର ଟଙ୍କାର। (୩)

2 thoughts on “ଟଙ୍କାର

  1. କବିତାଟି ବହୁତ ସୁନ୍ଦର୍ ହୋଇଛି। ଧନ୍ୟବାଦ୍ ଡ. ହିମାଂଶୁ ଶେଖର ବିଶ୍ୱାଳ।

Leave a Reply

Your email address will not be published. Required fields are marked *