ଓଡ଼ିଆ ଗଜଲ୍‌ର ଶୈଳୀ ଏବଂ କ୍ରମବିକାଶ

  • ଓଡ଼ିଆ ସାହିତ୍ୟରେ ପ୍ରତ୍ୟକ୍ଷ ରୂପେ ନହେଲେ ହେଁ ଗଜଲ୍‌-ଗୋତ୍ରୀୟ କବିତାମାନ ରୀତିକାଳରୁ ଆଧୁନିକ କାଳ ଯାବତ ରଚିତ ହୋଇ ଆସୁଥିଲା।
ଜ୍ୟୋତି ଶଙ୍କର ପଣ୍ଡା

ଗଜଲ୍ ହେଉଛି କବିତା ରଚନାର ଏକ ଅଭିନବ ଶୈଳୀ ଯାହା ପ୍ରାୟ ୭୦୦ ବର୍ଷ ତଳେ ଇରାନ୍‌ର କାବ୍ୟ ଉପବନରୁ ସୁଗନ୍ଧ ପରି ବାହାରି ଗଙ୍ଗା ନଦୀର ଦେଶ ଭାରତବର୍ଷରେ ବ୍ୟାପି ଯାଇଥିଲା। କିନ୍ତୁ ଗବେଷକମାନଙ୍କ ମତାନୁସାରେ ଏଇ ଶୈଳୀର ଜନ୍ମସ୍ଥଳୀ ସୁଦୂର ଆରବ ଦେଶ। ଆରବୀୟ କବିଗଣ ନିଜର ବାଦଶାହଙ୍କ ପ୍ରଶଂସାରେ ଲେଖୁଥିବା ପ୍ରଶସ୍ତି ଗୀତି ବା କସୀଦାର ପ୍ରାରମ୍ଭିକ ଭାଗରେ ଥିବା ସୌନ୍ଦର୍ଯ୍ୟ ବର୍ଣ୍ଣନାଂଶକୁ ତଶବୀବ୍ କୁହାଯାଏ। ଏଇ ତଶବୀବ୍ ହିଁ ଗଜଲ୍‌ର ପ୍ରାଥମିକ ରୂପ। ଇରାନୀ କବିଗଣ ଏଇ ଶୈଳୀକୁ ଗ୍ରହଣ କରିନେଇ ଏହାକୁ ଏକ ନୂତନ ରୂପ ବିନ୍ୟାସ ଏବଂ ନୂତନ ନାମ ଦେଲେ, “ଗଜଲ୍‌’। 

ଗଜଲ୍ ଶବ୍ଦର ଉତ୍ପତ୍ତି ସମ୍ବନ୍ଧରେ ବିଭିନ୍ନ ବିଦ୍ୱାନଗଣ ବିବିଧ ମତପୋଷଣ କରିଛନ୍ତି। ତନ୍ମଧ୍ୟରୁ ଗୋଟିଏ ମତ ଅଧିକ ଉପଯୁକ୍ତ ବୋଧ ହୁଏ। ତାହା ହେଉଛି – ଗଜଲ୍‌ର ଉତ୍ପତ୍ତି ଏକ ଉର୍ଦ୍ଦୁ ଶବ୍ଦ ଗଜାଲାରୁ। ଗଜାଲାର ଆକ୍ଷରିକ ଅର୍ଥ ହେଉଛି ମରୁ ହରିଣୀ। ଯେପରି ହରିଣୀଟିଏ ଆଖିରେ କଟାକ୍ଷ ହାଣି, ଲୟବଦ୍ଧ ଲମ୍ଫ ପ୍ରଦାନ କରିପାରେ ଗଜଲ୍ ସେହିପରି, ଏକ ଲୟବଦ୍ଧ କାବ୍ୟିକ ରଚନା ଯାହାର ଏକ ନିର୍ଦ୍ଦିଷ୍ଟ ବ୍ୟାକରଣ ରହିଛି। ଗଜଲ୍ ମତଲା, ମକ୍ତା, ରଦୀଫ, କାଫିଆ ଆଦି ଉପାଦାନ ବିନା ଅସମ୍ପୂର୍ଣ୍ଣ। 

ନିମ୍ନରେ ମୁଁ ପ୍ରଥମେ ଗଜଲ୍‌, ବିଶେଷତଃ ଓଡ଼ିଆ ଗଜଲ୍‌ର ବ୍ୟାକରଣ ବିଷୟରେ ସଂକ୍ଷିପ୍ତ ରୂପେ ଆଲୋଚନା କରୁଛି –

(୧) ଗଜଲ୍‌ର ପରିଭାଷା – ଗଜଲ୍‌ର ଆକ୍ଷରିକ ଅର୍ଥ ହେଉଛି ପ୍ରେମାଳାପ। କିନ୍ତୁ ସମ୍ପ୍ରତି ଗଜଲ୍‌ରେ ଆମେ ସବୁ ବିଷୟ କହି ପାରିବା। ଗଜଲ୍ ଏବେ ସୁମଧୁର ସଙ୍ଗୀତର ରାଗିଣୀର କଳେବର ତ୍ୟାଗକରି ଜନତାର ଆର୍ତ୍ତ ଚିତ୍କାରରେ ପରିଣତ ହୋଇଛି। ସାଂପ୍ରତିକ ଗଜଲ୍‌ର ପରିଭାଷା ନେଇ ଆମେ ଏବେ କହିପାରିବା – “ଶିକାରୀ ଫାଶରେ ଆବଦ୍ଧ ମୃଗଶିଶୁର ଆକୁଳ କ୍ରନ୍ଦନ ହିଁ ଗଜଲ୍।’

(୨) ଗଜଲ୍ କେତେକ ପଂକ୍ତିଯୁଗ୍ମ ବା ଶେର୍‌ର ସମାହାର? ଗଜଲ୍‌ର ନିୟମ ଅନୁସାରେ ଗଜଲ୍‌ର ପ୍ରତ୍ୟେକ ଶେର୍ ସ୍ୱତନ୍ତ୍ର ଏବଂ ଏକ ସ୍ୱୟଂସଂପୂର୍ଣ୍ଣ କବିତା ହେବା ବିଧେୟ। ଶେର୍‌ର ପ୍ରତ୍ୟେକ ଧାଡ଼ି/ପାଦ କୁ ମିସ୍ରା କୁହାଯାଏ। ଏହାର ପ୍ରଥମ ପଂକ୍ତିକୁ ମିସ୍ରା ଏ ଉଲା ବା ପୂର୍ବପଦ ଏବଂ ଦ୍ୱିତୀୟ ପଂକ୍ତି କୁ ମିସ୍ରା ଏ ସାନି ବା ପୂରକ ପାଦ କୁହାଯାଏ। ଗଜଲ୍ ର ବିଶେଷତା ହେଉଛି ଏଥିରେ ପ୍ରତ୍ୟେକ ପଂକ୍ତି ସମଲୟାତ୍ମକ ଏବଂ ଏଥିରେ ନିର୍ଦ୍ଦିଷ୍ଟ କ୍ରମ (ଇଇ-ଈଇ-ଉଇ-ଊଇ-ଋଇ)ରେ ଏଥିରେ ସମଧ୍ୱନ୍ୟାତ୍ମକ ଅଭିଧାମିଳନ (କାଫିଆର ବ୍ୟବହାର) ହୋଇଥାଏ।

(୩) ମତଲା – ଗଜଲ୍‌ର ପ୍ରଥମ ଶେର୍ ଯହିଁରେ ଉଭୟ ପାଦ ସମଲୟାତ୍ମକ, ସମଧ୍ୱନାତ୍ମକ ଅଭିଧାଯୁକ୍ତ ହୋଇଥାନ୍ତି। କେତେକ ଗଜଲ୍ ରେ ଏକାଧିକ ମତଲା ମଧ୍ୟ ଥାଏ ଏହାକୁ ହୁସ୍ନେ ମତଲା କୁହାଯାଏ।

(୪) ଶେର୍ – ଶେର୍ ର ପ୍ରଥମ ଧାଡ଼ି ରେ ଅଭିଧା ମିଳନ ହୋଇନଥାଏ। ଦ୍ୱିତୀୟ ଧାଡିରେ ହିଁ ସମଧ୍ୱନ୍ୟାତ୍ମକ ଅଭିଧାମିଳନ ହୋଇଥାଏ। ଏହା ସ୍ୱତନ୍ତ୍ର ଏବଂ ସ୍ୱୟଂ ସଂପୂର୍ଣ୍ଣ କବିତା ହେବା ଆବଶ୍ୟକ।

(୫) ମକ୍ତା -ଗଜଲ୍‌ର ଅନ୍ତିମ ଶେର୍ କୁ ମକ୍ତା କୁହାଯାଏ। ଏଥିରେ ଶାୟର / କବି ନିଜର ଉପନାମ / ଛଦ୍ମନାମ /ତଖଲ୍ଲୁସ୍‌ର ବ୍ୟବହାର କରିଥାନ୍ତି।

(୬) କାଫିଆ – କାଫିଆର ଆକ୍ଷରିକ ଅର୍ଥ ହେଉଛି ସବା ଶେଷରେ ଥିବା ଶବ୍ଦ। ଗଜଲ୍‌ର ମତଲା ର ଉଭୟ ମିସ୍ରା ଏବଂ ଅନ୍ୟ ଶେର୍ ଗୁଡ଼ିକର ଅନ୍ତିମ ମିସ୍ରାରେ ସମଧ୍ୱନ୍ୟାତ୍ମକ କାଫିଆ (ଅଭିଧା)ର ପ୍ରୟୋଗ ହେଇଥାଏ। କେବଳ କାଫିଆକୁ ନେଇ ରଚିତ ଗଜଲ୍‌କୁ ଗୈର ମୁରଦ୍ଦଫ୍ / ମୁକଫ୍ଫା ଗଜଲ୍ କୁହାଯାଏ। ଗଜଲ୍ ରେ କାଫିଆ ର ବ୍ୟବହାର ବାଧ୍ୟତାମୂଳକ।

(୭) ରଦୀଫ – ରଦୀଫ ଗଜଲ୍‌ର ସୌନ୍ଦର୍ଯ୍ୟ କୁ ଦ୍ୱିଗୁଣିତ କରିଥାଏ। ରଦୀଫ ଏବଂ କାଫିଆ ଉଭୟକୁ ନେଇ ରଚିତ ଗଜଲ୍‌କୁ ମୁରଦ୍ଦଫ୍ ଗଜଲ୍ କୁହାଯାଏ। ଏଭଳି କ୍ଷେତ୍ରରେ ରଦୀଫର ଠିକ୍ ପୂର୍ବ ଶବ୍ଦକୁ କାଫିଆ ରୂପେ ଗ୍ରହଣ କରାଯାଇଥାଏ।

(୮) ଗଜଲ୍ ର ବେହେର୍ – ଉର୍ଦ୍ଦୁ ବା ହିନ୍ଦୀ ଗଜଲ୍‌ରେ ବେହେର ନିର୍ଦ୍ଧାରଣ ପାଇଁ ମାତ୍ରା ଗଣନାର ଆବଶ୍ୟକତା ଥାଏ ପରନ୍ତୁ ଓଡ଼ିଆ ଗଜଲ୍ ରେ କେବଳ ଅକ୍ଷର ଗଣନା ଏବଂ ଯତିପାତ କ୍ରମକୁ ଧ୍ୟାନରେ ରଖି ଗଜଲ୍ ରଚନା କରାଯାଇପାରେ।

ନିମ୍ନରେ ସ୍ୱର୍ଗତ ସୋହୈଲ ଅଖତରଙ୍କର ଗୋଟିଏ ଅନୁଦିତ ଗଜଲ୍ ର ତକ୍ତୀ ବା କଳନ ବା ବିଶ୍ଳେଷଣ କରି ମୁଁ ଗଜଲ୍ ର ଉପାଦାନ ସମ୍ବନ୍ଧରେ ଆଲୋଚନା କରୁଛି –

ଅଛି ଟିକେ ଅଭିମାନ ଯାହା ମୋ ଭିତରେ
ନହେଲେ ତ ଖାଲି ଏ ଶୂନ୍ୟତା ମୋ ଭିତରେ।
ଭିତରୁ ଭିତରୁ ମୋତେ ଖାଇ ଯେ ଚାଲିଛି
ଅଛି କେହି ତ ପ୍ରେତ ଭୋକିଲା ମୋ ଭିତରେ।
ଭଗ୍ନ ରାଜବାଟୀ ପରି ଚାଲିଛି ମୁଁ ଭାଙ୍ଗି
ଭଟକେ ଅତୃପ୍ତ କେହି ଆତ୍ମା ମୋ ଭିତରେ।
ସବୁ କଥାରେ ମୁଁ ରାଜି ହୋଇଯାଏ ଏବେ
କେଜାଣି କିଏ ସେ ମରିଗଲା ମୋ ଭିତରେ।
ମୋ ପାଗଳପଣ ଦେଖି ଡରି ଯାଇ ଏବେ
ବାଙ୍କି ଗଲା ମୋହର ହିଁ ରାସ୍ତା ମୋ ଭିତରେ।

ଦେଖିକରି ମୋତେ ଏତେ ମାତ୍ରାରେ ପ୍ରଶାନ୍ତ
ଭରି ଗଲା ଗୋଟିଏ ଦରିଆ ମୋ ଭିତରେ।
ମୁହିଁ ରଖି ନ ପାରିଲି, କାବୁରେ ତାହାକୁ
ରହିଥାଏ ସେ ଯେଉଁ ପାଗଳା ମୋ ଭିତରେ।
ଏପରି କେବେ ମୁଁ ଥିଲି କୁହ ତ “ସୋହୈଲ”
ଏବେ ତ ଅଛି କେହି ଅଲଗା ମୋ ଭିତରେ।
(ମୂଳ ଉର୍ଦ୍ଦୁ ଗଜଲ୍ : ସୋହୈଲ ଅଖତର
ଓଡ଼ିଆ ଅନୁବାଦ : ଲେଖକ)

ବେହେର୍ — ୧୪ ଅକ୍ଷର ବିଶିଷ୍ଟ ବେହେର୍ 
ଓଡ଼ିଆ ଛନ୍ଦ — ଆଶାବରୀ
କାଫିଆ — ଯାହା, ଶୂନ୍ୟତା, ଭୋକିଲା, ଆତ୍ମା, ମରିଗଲା, ରାସ୍ତା, ଦରିଆ, ପାଗଳା, ଅଲଗା ଇତ୍ୟାଦି।
କାଫିଆ ପ୍ରକାର — ଆକାରାନ୍ତ କାଫିଆ
ରଦୀଫ — ମୋ ଭିତରେ
ରଦୀଫ ପ୍ରକାର — ମଧ୍ୟମ ଆକାରର
ଗଜଲ୍ ପ୍ରକାର — ମୁରଦ୍ଦଫ୍ ଗଜଲ୍ ଅର୍ଥାତ୍ ରଦୀଫ୍ ଅଛି।
ଗୈର୍ ମୁସଲସଲ୍ ଅର୍ଥାତ୍ ପ୍ରତ୍ୟେକ ଶେର୍ ସ୍ୱତନ୍ତ୍ର ଏବଂ ସ୍ୱୟଂ ସଂପୂର୍ଣ୍ଣ।
ମତଲା — ଅଛି ଟିକେ ଅଭିମାନ ଯାହା ମୋ ଭିତରେ
ନହେଲେ ତ ଖାଲି ଏ ଶୂନ୍ୟତା ମୋ ଭିତରେ।
ମକ୍ତା — ଏପରି କେବେ ମୁଁ ଥିଲି କୁହ ତ “ସୋହୈଲ’
ଏବେ ତ ଅଛି କେହି ଅଲଗା ମୋ ଭିତରେ।
ତଖଲ୍ଲୁସ୍ — ସୁହୈଲ

ବର୍ତ୍ତମାନ ଆସନ୍ତୁ ଆମେ ଚର୍ଚ୍ଚା କରିବା ଓଡ଼ିଆ ଭାଷାରେ ଗଜଲ୍ ର ଜୟଯାତ୍ରା ସମ୍ବନ୍ଧରେ। ଓଡ଼ିଆ ଗଜଲ୍‌ର ପ୍ରାରମ୍ଭିକ ରଚନାକାର, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ବୋଲି ଓଡ଼ିଆ ଗଜଲ୍‌ର ସଂକ୍ଷିପ୍ତ ଇତିହାସରେ ଗଜଲ୍ ଗବେଷକ ଡ଼. ମହମ୍ମଦ ଆୟୁବ ଉଲ୍ଲେଖ କରିଛନ୍ତି। କବିଚନ୍ଦ୍ରଙ୍କ “କୌତୁକ ଚିନ୍ତାମଣି’ ନାଟକରେ ଏକ ଗଜଲ୍ ଶ୍ରେଣୀୟ ରଚନା ସ୍ଥାନିତ ହୋଇଛି –

‘କା ନିକୁଞ୍ଜେ ପୁହାଇ ରାତି ଆସିଲ ରଙ୍ଗେ ନାଗର ଗୋ
ଡାକି ଦେଲାକି କଜଳପାତି ଫୁଲ ଶେଯ ଭୁଲ ସାଗର ଗୋ।
ଶରତ ଚାନ୍ଦେ ରଜନୀ ଗନ୍ଧା ମେଲିଛି ଛାତି ମାନିନୀ
ଖୋଲିଛି ଦ୍ୱାର ଦେ ଆଙ୍କି ଦେ ଗଣ୍ଡେ ଚୁମ୍ବନର ଗାର ଗୋ।’

କବିଚନ୍ଦ୍ରଙ୍କ ନାଟକଟି ୧୯୨୫ ରେ ରଚିତ। କିନ୍ତୁ ପରବର୍ତ୍ତୀ କାଳରେ ପ୍ରକାଶିତ “ଗୀତି’ (୧୯୬୮) ସଙ୍କଳନରେ ଅମର ଗୀତିକାର ସ୍ୱର୍ଗତ ଅକ୍ଷୟ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ସେ ହିଁ ଆଦ୍ୟ ଓଡ଼ିଆ ଗଜଲକାର। ମାତ୍ର ଅଧୁନା ଅଧିକ ତଥ୍ୟ ପ୍ରାପ୍ତ ହେବା ପରେ ଉପରୋକ୍ତ ଦୁଇଟି ଯାକ ତଥ୍ୟ ଭ୍ରମାତ୍ମକ ବୋଧ ହୁଏ। କାରଣ ଓଡ଼ିଆ ସାହିତ୍ୟରେ ପ୍ରତ୍ୟକ୍ଷ ରୂପେ ନହେଲେ ହେଁ ଗଜଲ୍‌-ଗୋତ୍ରୀୟ କବିତାମାନ ରୀତିକାଳରୁ ଆଧୁନିକ କାଳ ଯାବତ ରଚିତ ହୋଇ ଆସୁଥିଲା। ପୁରାତନ କବିମାନେ ଯଥା କବିସୂର୍ଯ୍ୟ ବଳଦେବ ରଥ, ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର, ଗୋପାଳକୃଷ୍ଣ ପଟ୍ଟନାୟକ, ଭକ୍ତକବି ସାଲବେଗ, ଗଣକବି ବୈଷ୍ଣବ ପାଣି ଏବଂ ଅନ୍ୟାନ୍ୟ କତିପୟ ଗୀତିକବିଙ୍କ ଲେଖନୀରୁ ଝରି ଆସିଥିବା କେତେକ ଗୀତରେ ଗଜଲ୍‌ର ଉପାଦାନ ଗୁଡ଼ିକ ସଠିକ୍ ରୂପେ ବ୍ୟବହାର ହୋଇଥିବାର ନଜିର ରହିଛି। ଗଜଲ୍‌ର ବ୍ୟାପକତା, ଗଭୀରତା ଏବଂ ଭାବବିନ୍ଦୁ ଉଚ୍ଚକୋଟୀର ହୋଇଥିବାରୁ ପୁରାତନ କବିମାନେ ଯେ ଏହାକୁ ଗ୍ରହଣ କରି ନଥିବେ ଏହା କିଏ କହିପାରିବ? ତେବେ ଏଇ କାଳଖଣ୍ଡକୁ ଆମେ ଓଡ଼ିଆ ଗଜଲ୍‌ର ଆଦିକାଳ ବା ଉନ୍ମେଷ କାଳ କହିପାରିବା।

କିନ୍ତୁ ବିଧିବଦ୍ଧ ରୂପେ ଆଧୁନିକ ଓଡ଼ିଆ ଗଜଲ୍‌ର ବିକାଶ କାଳ ସମ୍ପର୍କରେ ଆଲୋଚନା କଲେ ଏହା ନିଶ୍ଚିତ ଯେ ସ୍ୱର୍ଗତ ଅକ୍ଷୟ ମହାନ୍ତି ହିଁ ଆଧୁନିକ ଓଡ଼ିଆ ଗଜଲ୍ ଧାରାର ପ୍ରଥମ ପୃଷ୍ଠପୋଷକ। ତାଙ୍କର “ଗୀତି’ ସଙ୍କଳନରେ ସଙ୍କଳିତ ୩୧ ଗୋଟି ଗଜଲ୍ ହିଁ ଆଧୁନିକ ଓଡ଼ିଆ ଗଜଲ୍ ର ପ୍ରାରମ୍ଭିକ ଦସ୍ତାବିଜ। ଅକ୍ଷୟ ମହାନ୍ତିଙ୍କ ଗଜଲ୍ ମଧ୍ୟରୁ କେତେକ ବିଷୟ ପଂକ୍ତି ନିମ୍ନରେ ଦେଖନ୍ତୁ –

(୧) ସେ କାହିଁ ଆଜି କହୁଥିଲା ଯିଏ ଭଲ ପାଇବାଟା ସହଜ
ସହଜ ମାନିବି କୁହ ଯଦି ତୁମେ କରଜ କରିବା ସହଜ।

(୨) ଏମିତି ଲୋଡ଼ିବା ନାୟିକାଟିଏ ଆସି ଯେ ଏକ ରାତି
କାହାଣୀ କହି ବିତେଇ ଦେବ ହଜାରେ ଏକ ରାତି।

ବହୁତ ମିଠା ବହୁତ କଡ଼ା ଅକ୍ଷୟ ତୋର ପ୍ରୀତି
ନ ଭାବି କେବେ ନାୟିକା କଥା ପାହେନା ଏକ ରାତି।

୨୦୦୧ ମସିହାରେ ଡ଼. ରେଣୁବାଳା ମିଶ୍ର ଙ୍କ ସମ୍ପାଦନାରେ ପ୍ରକାଶିତ “ମଧୁଶାଳା” ସଙ୍କଳନରେ ଅକ୍ଷୟ ମହାନ୍ତି ଙ୍କ ୫୧ଟି ଗଜଲ୍ ସଂକଳିତ ହୋଇଛି। କିନ୍ତୁ ସ୍ଥଳବିଶେଷରେ ଦୃଶ୍ୟ ହୁଏ ଯେ ଏଥିରେ ଅନେକତଃ ଗଜଲ୍‌ର ବ୍ୟାକରଣ ପାଳନ କରାଯାଇନାହିଁ। କିନ୍ତୁ ପ୍ରାରମ୍ଭିକ ସ୍ତରରେ ଏପରି ବିଚ୍ୟୁତିକୁ ନଜର ଅନ୍ଦାଜ କରାଯାଇପାରେ।

ପରବର୍ତ୍ତୀ ସମୟରେ ଶ୍ରୀଯୁକ୍ତ ନନ୍ଦକିଶୋର ସିଂହଙ୍କ “ଗୀତି ଓ ଗଜଲ୍‌’ (୧୯୭୭) ପୁସ୍ତକରେ “ପାଉଁଶ’ ଏବଂ “କଳଙ୍କ’ ଶୀର୍ଷକରେ ଦୁଇଟି ଗଜଲ୍ ଦୃଶ୍ୟ ହୁଏ। ଏତଦବ୍ୟତୀତ କେତେକ ଗଜଲ୍ ଗୋତ୍ରୀୟ ରଚନା ମଧ୍ୟ ଏଥିରେ ସ୍ଥାନିତ। କିନ୍ତୁ ଏଥିରେ ମଧ୍ୟ ଗଜଲ୍‌ର ବ୍ୟାକରଣର ଉଲ୍ଲଂଘନ ହୋଇଥିବା ଦୃଶ୍ୟ ହୁଏ।

ଏହାପରେ ୧୯୮୯ ମସିହାରେ ପ୍ରକାଶିତ ଲକ୍ଷ୍ମୀଧର ନାୟକ ଙ୍କ “ଗଜଲ୍ ଝର୍ଣ୍ଣା’ ସଂକଳନ ଟି ଓଡ଼ିଆ ଗଜଲ୍ କ୍ଷେତ୍ରରେ ଏକ ମାଇଲଖୁଣ୍ଟ, କାରଣ ଏଥିରେ ଶୃଙ୍ଗାରିକ ଗଜଲ୍ ବ୍ୟତୀତ ଭିନ୍ନ ଭିନ୍ନ ଭାବନାର ମଧ୍ୟ ଗଜଲ୍ ସ୍ଥାନିତ ହୋଇଛି। ଏହାର ଦୁଇବର୍ଷ ପୂର୍ବେ ସ୍ୱର୍ଗତ ନାୟକଙ୍କ ଗଜଲ୍ ଗୁଡ଼ିକ ମଞ୍ଚସ୍ଥ ହୋଇଥିଲା ଏବଂ ଏଚ୍ ଏମ୍ ଭି କମ୍ପାନୀ ଦ୍ୱାରା ସ୍ୱର୍ଗତ ନାୟକଙ୍କର ୮ଟି ଗଜଲ୍ କୁ ନେଇ ପ୍ରଥମ ଓଡ଼ିଆ ଗଜଲ୍ ରେକର୍ଡ ପ୍ରସ୍ତୁତ କରାଯାଇଥିଲା। ଗଜଲ୍ ଗୁଡ଼ିକୁ ଗାଇଥିଲେ ବର୍ଷୀୟାନ କଣ୍ଠଶିଳ୍ପୀ ସୁବାଷ ଦାସ। 

ଏହାପରେ କୌଣସି ଅଜ୍ଞାତ କାରଣରୁ ଗଜଲ୍ ରଚନାର କ୍ରମ ବାଧିତ ହୋଇଥିଲା ଏବଂ ଏହା ବହୁବର୍ଷ ପର୍ଯ୍ୟନ୍ତ ଏହି ଧାରାର ସେହିପରି କିଛି ବିକାଶ ହୋଇଥିବା ଦୃଶ୍ୟ ହୁଏ ନାହିଁ।

ପୁନଶ୍ଚ ୨୦୦୬ ମସିହାରେ ଓଡ଼ିଆ ଗଜଲ୍ କ୍ଷେତ୍ରରେ ଏକ ନୂତନ ଉତ୍ସାହ ଦେଖାଯାଇଥିଲା। ଏଇ ବର୍ଷରେ କବି କୁଦରତ ଅଲୀ କୁଦରତ, ଜଫ଼ର ଅକ଼ବରୀ ଏବଂ ଡ଼. ମହମ୍ମଦ ଆୟୁବଙ୍କର ଯଥାକ୍ରମେ ବୀଚିବିଚିତ୍ରା, ଶ୍ରାବଣୀ ଏବଂ ସ୍ମୃତି ଲହରୀ ସଂକଳନ ପ୍ରକାଶିତ ହୋଇଥିଲା। ଏହି ସଂକଳନଗୁଡିକରେ ଯଦିଓ ଗୀତିକବିତା ଏବଂ ଗଜଲ୍ ମିଳିତ ରୂପେ ରହିଛି କିନ୍ତୁ ଏଗୁଡ଼ିକ ମଧ୍ୟ ଓଡ଼ିଆ ଗଜଲ୍ କୋଷର ଗୋଟିଏ ଗୋଟିଏ ଅସରପି। ନିମ୍ନରେ ତିନିଜଣ କବିଙ୍କର ଗୋଟିଏ ଗୋଟିଏ ଶେର୍ ଦେଖନ୍ତୁ —

(୧) ପ୍ରେମର ନିୟମ ବଦଳାଇ ଦେଖ
ମୋର ଏ ସରାଗ କମିବନି କେବେ
ପରଖିବା ଧାରା ବଦଳେଇଲେ ବି
ମୋର ଅନୁରାଗ କମିବନି କେବେ।
(କୁଦରତ ଅଲୀ କୁଦରତ)

(୨) ତୋ ପରି ମୋତେ କେହି ମିଳିବ ନାହିଁ
ତୋ ଭଳି ମୋତେ କେହି ନାଶିବ ନାହିଁ।
(ଜଫ଼ର ଅକ଼ବରୀ)

(୩) ମୋଠାରୁ ଅଧିକ ଭାଗ୍ୟବାଲା ଏଇ ଆଇନା
ନିତି ତା ଚେହେରା ଦେଖୁଥିଲା ଏଇ ଆଇନା।
(ଡ଼. ମହମ୍ମଦ ଆୟୁବ)

ଓଡ଼ିଆ ଗଜଲ୍ ରଚନା କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ଡ଼. ମହମ୍ମଦ ଆୟୁବ। ସେ ସ୍ଥାପନା କରିଥିଲେ ଓଡ଼ିଆ ଗଜଲ୍ ର ପ୍ରଥମ ଅନୁଷ୍ଠାନ “ଓଡ଼ିଆ ଗଜଲ୍ ଏକାଡେମୀ”। ଏଇ ଅନୁଷ୍ଠାନ ଆନୁକୁଲ୍ୟରେ ସେ ଆୟୋଜନ କରାଇଥିଲେ ଓଡ଼ିଆ – ଉର୍ଦ୍ଦୁ ମୁଶାୟରା। ସମ୍ବର୍ଦ୍ଧିତ କରିଥିଲେ ଓଡ଼ିଆ ଗଜଲ୍‌ର ପୃଷ୍ଠପୋଷକ ଶ୍ରୀଯୁକ୍ତ ନନ୍ଦକିଶୋର ସିଂହ ଏବଂ ସୁବାଷ ଦାସଙ୍କୁ। ଏବଂ “ଉର୍ଦ୍ଦୁ ଗଜଲ୍ ଛାୟାରେ ଅକ୍ଷୟ ମହାନ୍ତି ଙ୍କ ଓଡ଼ିଆ ଗଜଲ୍‌’ ଓ “ଓଡ଼ିଆ ଗଜଲ୍ ର ସଂକ୍ଷିପ୍ତ ଇତିହାସ’ ଭଳି ଦୁଇଟି ଅମୂଲ୍ୟ ଗ୍ରନ୍ଥ ପ୍ରଣୟନ କରି ସେ ଗଜଲ୍ ଗବେଷଣାକୁ ଦେଇଥିଲେ ଏକ ନୂତନ ଦିଗ। ଯଦି ଅଧୁନା ଶ୍ରୀମାନ ଦୀପୁନ ପୁହାଣ ଓଡ଼ିଆ ଗଜଲ୍ ବିଷୟରେ ଗବେଷଣା କରି ଏମ୍ ଫିଲ୍ ଡିଗ୍ରୀ ଲାଭ କରିଛନ୍ତି ତେବେ ଏହା ମଧ୍ୟ ସେଇ ଦିଗର ଏକ ନବୀନ ଅନ୍ୱେଷଣ। ଓଡ଼ିଆ ଗଜଲ୍ କ୍ଷେତ୍ରରେ ଆଉ ଦୁଇଟି ସଙ୍କଳନ ୨୦୧୯ ମସିହାରେ ପ୍ରକାଶିତ ହୋଇଥିଲା। ସେଗୁଡିକ ହେଉଛି ଯୋଗାନନ୍ଦ ସାହୁଙ୍କ “ଝଡ଼ର ଗଜଲ୍‌’ ଏବଂ ମହମ୍ମଦ ଇନାୟତ ଅଲୀ ଖାଁଙ୍କର “ଜୀବନ ଗୀତ’। ଏହାପୂର୍ବରୁ ଶ୍ରୀଯୁକ୍ତ ହରପ୍ରସାଦ ଦାସଙ୍କର ମଧ୍ୟ ଏକ ଗଜଲ୍ ସଂକଳନ ପ୍ରକାଶିତ ହୋଇଥିଲା “ଅବଧୂତ ର ଦୀୱାନ’। ଦ୍ୱିଭାଷୀ ଗୀତିକବିତା ରଚନା କରୁଥିବା ବିଶିଷ୍ଟ ଉର୍ଦ୍ଦୁ କବି ମୁବାରକ ହୁସେନ “ସଲାମତ’ ମଧ୍ୟ କେତେକ ଓଡ଼ିଆ ଗଜଲ୍ ରଚନା କରିଛନ୍ତି।

କେତେକ ଗୀତିକବି ଯଥା ପ୍ରେମଚାନ୍ଦ ମହାନ୍ତି, ଅଜୟ କୁମାର ମହାନ୍ତି “ମଜନୁ’, ଅରବିନ୍ଦ ବିଶ୍ୱାଳ ଆଦି ମଧ୍ୟ କେତେକ ଗଜଲ୍ ରଚନା କରିଥିବା ଦୃଶ୍ୟ ହୁଏ। କରୋନା କାଳରେ ପୁନଃ ଏକ ହ୍ୱାଟ୍‌ସଆପ୍ ଗ୍ରୁପ୍ ରୂପେ “ଗଜଲ୍‌ର ସର୍ଫ’ ଆକାରରେ, ୨୦୨୧ ମସିହାରେ ଡ଼. ମହମ୍ମଦ ଆୟୁବ ଓଡ଼ିଆ ଗଜଲକାରମାନଙ୍କୁ ସମ୍ମିଳିତ କରେଇ ଥିଲେ। ଏହି ଅନୁଷ୍ଠାନର ଦୁଇଟି ଆଭାସୀ ଆସର ହେବା ସହିତ ଇ-ପତ୍ରିକା ଆକାରରେ ମଧ୍ୟ ଏହା ଓଡ଼ିଆ ଗଜଲ୍‌ର ପ୍ରଚାର ପ୍ରସାରରେ ରତ। ଗଜଲ୍‌ର ସଫର୍ ଗ୍ରୁପ୍ ସୃଷ୍ଟି ହେବାପରେ ଅନେକ ନୂତନ ସାହିତ୍ୟିକ ଓଡ଼ିଆ ଗଜଲ୍ ରଚନା କ୍ଷେତ୍ରରେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ଏଇ ସମୟଖଣ୍ଡରେ ଅର୍ଥାତ୍ ଓଡ଼ିଆ ଗଜଲ୍‌ର ସାଂପ୍ରତିକ ଯୁଗର ରଚନାକାର ହେଉଛନ୍ତି – ସର୍ବଶ୍ରୀ ଦୁର୍ଗାମାଧବ ପଣ୍ଡା “ଗାନ୍ଧାର’, ଇଂ. ଦୁଃଶାସନ ବାରିକ୍‌, ଜାକିର ଖାନ୍‌, ରାଧାଶ୍ୟାମ ମହାନ୍ତି “କାମଦେବ’, ଅଧ୍ୟାପକ ମନୋରଞ୍ଜନ ବିହାରୀ “ମନୋଜ’, ତାରାପ୍ରସାଦ ଜେନା, ବୈଦ୍ୟନାଥ ଖିଲାର “ରିନ୍ଦ୍‌’ ଆଦି। ଏମାନଙ୍କ ବ୍ୟତୀତ ନବ ପ୍ରଜନ୍ମର ମଧ୍ୟ କେତେକ ଯୁବକବିଗଣ ଓଡ଼ିଆ ଗଜଲ୍ ରଚନା କରିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବଶ୍ରୀ ଜ୍ଞାନୀ ଦେବାଶିଷ ମିଶ୍ର, ସୂର୍ଯ୍ୟସ୍ନାତ ତ୍ରିପାଠୀ, ନିଖିଳେଶ ମିଶ୍ର, ସୌମ୍ୟ ସାରସ୍ୱତ ଦାସ, ପ୍ରଣୟ ସୁଧା ଆଦି ପ୍ରମୁଖ। ଅଧୁନା ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ ଗଜଲ୍ ସଙ୍କଳନ ‘ଶବ୍ଦ ସବୁ ଅଣସର ଘରେ’ ମଧ୍ୟ ପ୍ରକାଶିତ ହୋଇଛି। ଓଡ଼ିଆ ଗଜଲ୍ କ୍ଷେତ୍ରରେ ଅନୁବାଦର ମଧ୍ୟ ଯଥେଷ୍ଟ ଯୋଗଦାନ ରହିଛି। ସ୍ୱର୍ଗତ ଲକ୍ଷ୍ମୀଧର ନାୟକ, ମହଜବୀନ ବାଲେଶ୍ୱରୀ, ନନ୍ଦକିଶୋର ସିଂହ, ହରପ୍ରସାଦ ଦାସ, ଡ଼ ମହମ୍ମଦ ଆୟୁବ ଆଦି କିଛି ଉର୍ଦ୍ଦୁ ଗଜଲ୍ ଅନୁବାଦ କରିଥିବାର ଦେଖାଯାଏ। 

ସଂପ୍ରତି ଓଡ଼ିଆ ଗଜଲ୍ ଗାୟନର ମଧ୍ୟ ଏକ ପରମ୍ପରା ସୃଷ୍ଟି ହୋଇଛି ଯେଉଁଥିରେ ଶ୍ରୀଯୁକ୍ତ ପ୍ରେମଚାନ୍ଦ ମହାନ୍ତି, ଅଜୟ ଶତପଥୀ, ଦିବ୍ୟଜିତ ସାସମଲ୍ ଏବଂ ସ୍ୱରାଜ ମହାନ୍ତି ପ୍ରମୁଖଙ୍କ ଯୋଗଦାନ ସ୍ମରଣୀୟ।

5 thoughts on “ଓଡ଼ିଆ ଗଜଲ୍‌ର ଶୈଳୀ ଏବଂ କ୍ରମବିକାଶ

  1. ଗଜଲ୍ ଉପରେ ସମ୍ୟକ୍ ଧାରଣା ଆଣିବାରେ ସୁନ୍ଦର ଆଲେଖ୍ୟଟି ନିଶ୍ଚିତ ଭାବରେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ !

  2. Good read କିନ୍ତୁ ଲେଖକ ଓଡିଆ ଗଜଲ ଦୁନିଆର ଅନେକ ଦିଗ୍ଗଜଙ୍କ ଅବଦାନ ବିଷୟରେ କିଛି ଉଲ୍ଲେଖ କରିପାରିନାହାନ୍ତି, ଉଦାହରଣ ସ୍ବରୂପ ସ୍ବର୍ଗତ ଜୀବନାନନ୍ଦ ପାଣି ଓ ଡଃ ଅନ୍ତର୍ଯାମି ମିଶ୍ର । Articleଟିକୁ ଆଉ କିଛି ଅନୁସନ୍ଧାନର ଆବଶ୍ୟକତା ରହିଛି ।

  3. ସୁନ୍ଦର ଆଲେଖ୍ୟ ଜ୍ୟୋତି। ଗଜଲର ବ୍ୟାକରଣ ଠାରୁ ଗଜଲର ବିକାଶ: ସଂକ୍ଷିପ୍ତ ହେଲେ ହେଁ ତଥ୍ୟାତ୍ମକ ଓ ବିଶ୍ଲେଷଣାତ୍ମକ।

Leave a Reply

Your email address will not be published. Required fields are marked *