ବରିଷ୍ଠ କବୟିତ୍ରୀ ପ୍ରତିଭା ଶତପଥୀଙ୍କ ସହ ଏକ ସାରସ୍ବତ ଆଳାପ

  • ଭଗବାନ ସଂସାର ପ୍ରତି ଯାହା କରିଯାଉଛନ୍ତି, ମୋ ପ୍ରତି ହେଉ ବା ଅନ୍ୟମାନଙ୍କ ପ୍ରତି, ବା ପ୍ରକୃତି ପ୍ରତି, ମୁଁ ସେଥିସହିତ ଏକମତ ନୁହେଁ। ତେଣୁ ଈଶ୍ବରଙ୍କ ସହିତ ସ୍ପର୍ଦ୍ଧା କରିବାପାଇଁ କବିତା ଲେଖିବାଟାକୁ ବାଛିନେଲି।

ଡ଼. ପ୍ରତିଭା ଶତପଥୀ ଆଧୁନିକ ଓଡ଼ିଆ କବିତା ଜଗତରେ ଜଣେ ବରିଷ୍ଠ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ୧୯୪୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଏହି ପ୍ରବୀଣା ପ୍ରତିଭା ଓଡ଼ିଶାର ବିଭିନ୍ନ ଉଚ୍ଚ-ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରିବା ସହ କବିତା ଓ ସମାଲୋଚନା ସାହିତ୍ୟରେ ଦୀର୍ଘକାଳ ନିରଳସ କଲମ ଚାଳନା କରି ସାହିତ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି, ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର ଓ ମଧ୍ୟପ୍ରଦେଶ ସରକାରଙ୍କ ‘ରାଷ୍ଟୀୟ କବୀର ସମ୍ମାନ’ ଭଳି ମର୍ଯ୍ୟାଦାଜନକ ସମ୍ମାନମାନ ଲାଭ କରିଛନ୍ତି। ତା’ଙ୍କ ସହିତ ତାଙ୍କର ଲେଖକୀୟ ଜୀବନ ତଥା ଅନ୍ୟାନ୍ୟ କିଛି ଅନୁଭୂତି ପ୍ରସଙ୍ଗରେ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସଂପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା – ଓଡ଼ିଆ କବିତା ସହିତ ଆପଣଙ୍କ ସଂପର୍କ ତ ବହୁ ଦଶନ୍ଧିର। ଆପଣ ପାଖାପାଖି ୧୯୬୦ ମସିହାରୁ ଲେଖିଆସୁଛନ୍ତି।
ପ୍ରତିଭା ଶତପଥୀ – ତା’ ପୂର୍ବରୁ ପିଲାଦିନେ ବି ଲେଖିଛି ଯେ, କିନ୍ତୁ ଆପଣ ଷାଠିଏ ମସିହା ବୋଲି ଧରନ୍ତୁ।
ସାହିତ୍ୟ ଚର୍ଚ୍ଚା – କବିତାର ଦୁନିଆରେ ପ୍ରଥମେ କେମିତି ପାଦ ଦେଲେ?
ପ୍ରତିଭା ଶତପଥୀ – କବିତାର ଦୁନିଆରେ କେମିତି ପାଦ ଦେଲି, ତାହା ନିଜେ ମୁଁ ତ ଏବେ କହିପାରିବିନି। ତେବେ ମାଇନର ସ୍କୁଲ୍ ର ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଗୋଟିଏ କବିତା ଲେଖିଥିଲି ରେଡ଼ିଓରୁ ଗୋଟିଏ ଗୀତଟି ଶୁଣି, ତାହାରି ସ୍ବରରେ। ସେହି ସ୍ବରଟି କେବଳ ଯାହା ଅନୁସରଣ କରିଥିଲି, କିନ୍ତୁ କବିତାଟି ଥିଲା ମୋ’ର। ସେଇଟା ଯେତେବେଳେ ସ୍କୁଲ୍ ରେ ସାର୍ ମାନଙ୍କୁ ଦେଖାଇଲି, କାଳେ ସେମାନେ ମୋତେ ନ୍ୟୂନ ଭାବିବେ, ଏଣୁ ସଂକୋଚ କରି ମୁଁ କହିଲିନି ଯେ ସେଇଟି ମୁଁ ନିଜେ ଲେଖିଛି। ବରଂ କହିଲି ଯେ ମୁଁ ତାହା ରେଡ଼ିଓରୁ ଟିପିଛି। କବିତାଟି ସମସ୍ତଙ୍କୁ ଭଲ ଲାଗିଥିଲା ଏବଂ ସ୍କୁଲ୍ ର ବାର୍ଷିକ ଉତ୍ସବରେ ତାହାକୁ ନାଟ୍ୟ ରୂପଦିଆଯାଇ ମଂଚସ୍ଥ କରାଯାଇଥିଲା।
ସାହିତ୍ୟ ଚର୍ଚ୍ଚା – ୧୯୬୨ ମସିହାରେ ପ୍ରକାଶିତ ହୋଇଥିଲା ଆପଣଙ୍କ ପ୍ରଥମ କବିତା ସଂକଳନ।
ପ୍ରତିଭା ଶତପଥୀ – ତା ପୂର୍ବରୁ, ଅର୍ଥାତ୍ ୧୯୬୦ ବେଳକୁ ମୁଁ ଗଳ୍ପ, କବିତା ଆଦି ଲେଖୁଥିଲି, କିନ୍ତୁ ଛପାଇବାପାଇଁ ପଠାଉନଥିଲି। ଥରେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଆମ ସ୍କୁଲକୁ ମୁଖ୍ୟ ଅତିଥି ହୋଇ ଆସିଥିଲେ। ସେହି ଅବସରରେ ଯେଉଁ କବିତା ପ୍ରତିଯୋଗିତା ହୋଇଥିଲା, ମୁଁ ସେଥିରେ ପ୍ରଥମ ହୋଇଥିଲି। କବିତାଟି ତାଙ୍କୁ ଭଲ ଲାଗିଲା। ସେ ତାହାକୁ ନେଇଆସି ‘ପ୍ରଜାତନ୍ତ୍ର’ରେ ପ୍ରକାଶ କରିଦେଲେ।
ସାହିତ୍ୟ ଚର୍ଚ୍ଚା – ତା’ପରେ ବୋଧହୁଏ ଆପଣ ଜଣେ କବୟିତ୍ରୀ ଭାବରେ ପରିଚିତା ହୋଇଗଲେ।
ପ୍ରତିଭା ଶତପଥୀ – ହଁ, ସେତେବେଳେ ଯଦିଓ ମୋ ବହି ବାହାରିନଥିଲା, ସମସ୍ତେ ଜାଣିସାରିଥିଲେ ଯେ ମୁଁ କବିତା ଲେଖେ।
ସାହିତ୍ୟ ଚର୍ଚ୍ଚା – ସେବେଠାରୁ ଏ ପର୍ଯ୍ୟନ୍ତ ଦୀର୍ଘ ପ୍ରାୟ ଷାଠିଏ ବର୍ଷ ବିତିଗଲାଣି। ଏବେ ବି କ’ଣ ଆପଣଙ୍କ କଲମ ସେମିତି ସକ୍ରିୟ ଅଛି?
ପ୍ରତିଭା ଶତପଥୀ – ଦେଖନ୍ତୁ ଗତ ସପ୍ତାହରେ ହିଁ ‘ପ୍ରମେୟ’ର ନୂଆବର୍ଷ ସଂଖ୍ୟାରେ ମୋ’ର କବିତାଟିଏ ପ୍ରକାଶ ପାଇଥିଲା। ସେହିଦିନ ସକାଳରୁ ରାତି ଯାଏ ମୁଁ ପାଠକଙ୍କଠାରୁ ଅଜସ୍ର ଫୋନ୍ ପାଇଛି।
ସାହିତ୍ୟ ଚର୍ଚ୍ଚା – ଉତ୍ତରଟି ପାଇଗଲୁ। ଆପଣ ଠାଏଁ କହିଛନ୍ତି, “ମୁଁ ଶବ୍ଦ ଜରିଆରେ ବିଦ୍ରୋହକୁ ସମ୍ଭବ କରିଥାଏ।” ଏହି ଯେଉଁ ପ୍ରତିବାଦର ସ୍ବର, ତା’ର ମୂଳ ହେତୁ କ’ଣ?
ପ୍ରତିଭା ଶତପଥୀ – ମୋତେ ଥରେ ଗୋଟିଏ ସମ୍ବାଦପତ୍ର ପକ୍ଷରୁ ପଚରାଯାଇଥିଲା ଯେ ମୁଁ କାହିଁକି ଲେଖେ? ମୁଁ କହିଥିଲି, ଭଗବାନ ସଂସାର ପ୍ରତି ଯାହା କରିଯାଉଛନ୍ତି, ମୋ ପ୍ରତି ହେଉ ବା ଅନ୍ୟମାନଙ୍କ ପ୍ରତି, ବା ପ୍ରକୃତି ପ୍ରତି, ମୁଁ ସେଥିସହିତ ଏକମତ ନୁହେଁ। ତେଣୁ ଈଶ୍ବରଙ୍କ ସହିତ ସ୍ପର୍ଦ୍ଧା କରିବାପାଇଁ କବିତା ଲେଖିବାଟାକୁ ବାଛିନେଲି।
ସାହିତ୍ୟ ଚର୍ଚ୍ଚା – ଈଶ୍ବରଙ୍କ ସହିତ ସ୍ପର୍ଦ୍ଧା! ସାମ୍ୟବାଦ ଅବା ସମାଜବାଦର ସ୍ପର୍ଶ କିଛି କିଛି ବି ରହିଥିଲା କି ଆପଣଙ୍କ କବିତାରେ?
ପ୍ରତିଭା ଶତପଥୀ – କୌଣସି ‘ବାଦ’କୁ ମୁଁ ଖୋଲାଖୋଲି ଗ୍ରହଣ କରିନାହିଁ। ମୋ ମନରେ ଯେତେବେଳେ ଯାହା ଆଘାତ ଦେଇଛି, ସେ ବିଷୟରେ ମୁଁ କହିଛି।

ସାହିତ୍ୟ ଚର୍ଚ୍ଚା – ଆପଣଙ୍କ ସମୟର କବିତା, ଅର୍ଥାତ ଅଶୀ ଦଶକ ପାଖାପାଖିର କବିତା ଏବଂ ଏବର କବିତା – ଏହା ଭିତରେ କିଛି ଫରକ ଆପଣ ଅନୁଭବ କରନ୍ତି କି?
ପ୍ରତିଭା ଶତପଥୀ – ଆପଣ ଯେ କହୁଛନ୍ତି ଅଶୀ ମସିହା, ସେତେବେଳକୁ କେବଳ ଓଡ଼ିଆ ନୁହେଁ, ବରଂ ସମଗ୍ର ଭାରତୀୟ କବିତାରେ କବିମାନେ ନିଜର ସ୍ବର ପରିବର୍ତ୍ତନ କଲେ।
ସାହିତ୍ୟ ଚର୍ଚ୍ଚା – ଅର୍ଥାତ୍ ଗୁରୁ ମହାନ୍ତି ଏବଂ ସଚ୍ଚି ରାଉତରାୟ ଆଦିଙ୍କ ପ୍ରବର୍ତ୍ତିତ ଓଡ଼ିଆ କବିତାର ଆଧୁନିକ ଧାରା ନୂଆ ମୋଡ଼ ନେବା ଆରମ୍ଭ କଲା!
ପ୍ରତିଭା ଶତପଥୀ – ହଁ ସେତେବେଳକୁ ଏକ ନୂଆ ସ୍ବର ଆରମ୍ଭ ହେଲା। ଯେମିତି, ଆମ ନିଜ ମାଟି ଓ ନାରୀ ପ୍ରତି ସହାନୁଭୂତିଶୀଳତା। ପ୍ରେମ ତ ସବୁକାଳେ ଥିଲା। କିନ୍ତୁ ଅଶୀ ପରଠାରୁ କବିମାନେ ନାରୀଙ୍କ ସମସ୍ୟା ପ୍ରତି ବିଶେଷ ସଚେତନ ହେଲେ। ତା’ର ଯନ୍ତ୍ରଣା, ତା’ର କଥା ନକହିବାର ଦୁଃଖ ଆଦି କବିତାରେ ରୂପ ପାଇଲା।
ସାହିତ୍ୟ ଚର୍ଚ୍ଚା – ଆପଣ ଏକଦା ଆଧୁନିକୋତ୍ତର ଓଡ଼ିଆ କବିତା ବିଷୟରେ ବି ନିଜର ମହତ୍ବପୂର୍ଣ୍ଣ ଦୃଷ୍ଟିକୋଣ ରଖିଥିଲେ।
ପ୍ରତିଭା ଶତପଥୀ : ସେ ସମୟରେ ମୁଁ ଗୋଟିଏ ପ୍ରଵନ୍ଧ ଲେଖି ପଢିଥିଲି ଉତ୍କଳ ବିଶ୍ବବିଦ୍ୟାଲୟ ଦ୍ବାରା ଆୟୋଜିତ ଏକ ସେମିନାରରେ – ‘ଉତ୍ତର ଆଧୁନିକ ଓଡ଼ିଆ କବିତା’। ପ୍ରବନ୍ଧଟି ସେଠାରେ ସମସ୍ତଙ୍କର ପସନ୍ଦ ହେଲା। ମୋ ମତରେ, ଉତ୍ତର ଆଧୁନିକତାର ଅର୍ଥ କବିତାରୁ ଉତ୍ତୀର୍ଣ୍ଣ ହେବା ନୁହେଁ, ବରଂ ଆଧୁନିକତାକୁ ରକ୍ଷାକରି ତା’କୁ ଭିନ୍ନ ଭାବରେ ପ୍ରକାଶ କରିବା। ମୁଁ କହିଥିଲି ଯେ ସେତେବେଳକୁ କବିମାନଙ୍କର ମାନସିକତା ଓ ଚିନ୍ତା-ଚେତନାରେ ପରିବର୍ତ୍ତନ ଆସିଛି।
ସାହିତ୍ୟ ଚର୍ଚ୍ଚା – କବିତାର ଏହି ଗତିଧାରା ଭିତରେ ଆପଣ କେଉଁଠି ରଖନ୍ତି ନିଜ କବିତାକୁ, ଆଧୁନିକ ନା ଉତ୍ତର-ଆଧୁନିକ?
ପ୍ରତିଭା ଶତପଥୀ – ମୋ କବିତାର ସ୍ବରୂପ ସଂପର୍କରେ ପାଠକ ହିଁ କହିପାରିବେ। କିନ୍ତୁ ମୁଁ ଭାବେ ଯେ ଅଳ୍ପ ବୟସରେ ବିବାହ କରି ଦୁଃଖ, କଷ୍ଟ ଭିତରେ ଛଟପଟ ହେଉଥିବାବେଳେ ତାହାକୁ ନେଇ ମୁଁ ସେତେବେଳେ କବିତା ଲେଖିଥିଲି। ପରେ ଅନୁଭବ କଲି ଯେ ମୋ ସତ୍ତା ଭିତରେ ଆଉ ଗୋଟିଏ ସୁନ୍ଦର ସତ୍ତା ଅଛି। ଅର୍ଥାତ୍ ଜୀବନକୁ ଗ୍ରହଣ କରିବା ଏବଂ ତାକୁ ପରିପ୍ରକାଶ କରିବାର ସତ୍ତା। ଏହାକୁ ଆଧାର କରି ଏବଂ ଲୋକକଥାରୁ କିଛି ଖିଅକୁ ନେଇ ମୁଁ ‘ସାହାଡା ସୁନ୍ଦରୀ’ କବିତା ସଂକଳନଟି ରଚନା କରିଥିଲି। ତାହା ଥିଲା ମୋ ଜୀବନ-ଭାବନାର କବିତାର ମୋଡ଼।
ସାହିତ୍ୟ ଚର୍ଚ୍ଚା – ୨୦୦୬ ମସିହା ବେଳକୁ ପ୍ରକାଶ ପାଇଲା ଆପଣଙ୍କ ‘ଉତ୍ତର ଆଧୁନିକ ଓଡ଼ିଆ କବିତା ଓ ଅନ୍ୟାନ୍ୟ ପ୍ରବନ୍ଧ’। ତେବେ ଏହି ଉତ୍ତର ଆଧୁନିକ ଯୁଗଟି ଓଡ଼ିଆ କବିତାରେ ଠିକ କେତେବେଳେ ଆତ୍ମପ୍ରକାଶ କଲା ବୋଲି ଆପଣ ଭାବନ୍ତି?
ପ୍ରତିଭା ଶତପଥୀ – ୧୯୮୦ ବେଳକୁ ଏହା ଆରମ୍ଭ ହୋଇଗଲାଣି।
ସାହିତ୍ୟ ଚର୍ଚ୍ଚା – କେଉଁମାନେ ଥିଲେ ଏହି ନୂତନ ଧାରାର ଅଗ୍ରଣୀ କବି?
ପ୍ରତିଭା ଶତପଥୀ – ସେତେବେଳେ ନୂଆ ଅଗ୍ରଣୀ କବି ଭାବରେ ରମାକାନ୍ତ, ସୀତାକାନ୍ତ ଥିଲେ, ଆଉ ସୌଭାଗ୍ୟ, ରାଜେନ୍ଦ୍ର ଆଦି ଥିଲେ – ମୁଁ ବି ତା’ଙ୍କ ଭିତରେ ଥିଲି।
ସାହିତ୍ୟ ଚର୍ଚ୍ଚା – ଆପଣ ‘ଇସ୍ତାହାର’ ପତ୍ରିକାର ସଂପାଦନା ସହିତ ପ୍ରାୟ ୨୫ ବର୍ଷ କାଳ ସଂପୃକ୍ତ ଥିଲେ। ‘ଉଦ୍ଭାସ’ର ମଧ୍ୟ ସମ୍ପାଦନା କରିଛନ୍ତି। କହନ୍ତୁ ତ, ଜଣେ ସଫଳ କାବ୍ୟ ସ୍ରଷ୍ଟା ଏବଂ ଜଣେ ସଂପାଦକ ହେବା ମଧ୍ୟରେ କେଉଁ କାର୍ଯ୍ୟଟି ଅଧିକ କଠିନ ?
ପ୍ରତିଭା ଶତପଥୀ – ସଂପାଦନା ତ ଅଧିକ କଠିନ କାର୍ଯ୍ୟଟିଏ, ନିଶ୍ଚୟ। ତଥାପି ଲେଖାଟିଏ ଲେଖିବା ବି କଷ୍ଟସାଧ୍ୟ। ଲେଖାଟି ତ ଚିନ୍ତା, ଚେତନା, ଅନୁଭବ ଭିତରୁ ବାହାରେ। ସଂପାଦକ କିନ୍ତୁ ଲେଖାକୁ ଦେଖିବ, ପଢିବ, ତା’କୁ ବିଚାର କରିବ – ଭଲ, କି ମନ୍ଦ, ଏବଂ ତାହା କେମିତି ସୁନ୍ଦର ଭାବରେ ପ୍ରକାଶିତ ହେବ ସେଥିପ୍ରତି ଦୃଷ୍ଟି ଦେବ। ତେଣୂ ଦୁଇଟିଯାକରେ କଷ୍ଟ ତ ଅଛି, ଗୋଟିଏ ସ୍ବୟଂକ୍ରିୟ ଭାବରେ ମନକୁ ଓହ୍ଲାଇ ଆସିଥାଏ, କେବଳ ଯେ ଓହ୍ଲାଇ ଆସେ ତା’ ନୁହେଁ, ସେଥିପାଇଁ ମଧ୍ୟ ବହୁତ ପ୍ରସ୍ତୁତି ଦରକାର, ଛଟପଟ ଦରକାର, ଚିନ୍ତା ଓ ଉପଲବ୍ଧି ଦରକାର। ତଥାପି ସଂପାଦକର କାର୍ଯ୍ୟଟି ଗୁରୁତ୍ବପୂର୍ଣ୍ଣ। ମୁଁ ‘ଇସ୍ତାହାର’ର ସଂପାଦକ ପଦରେ ନଥିଲେ ବି ଡ. ନିତ୍ୟାନନ୍ଦ ଶତପଥୀଙ୍କୁ ଏହାର ସଂପାଦନା ଆଦିରେ ସାହାଯ୍ୟ କରୁଥିଲି। ଅବଶ୍ୟ ମୋ ନିଜ ସଂପାଦକତ୍ବରେ ପ୍ରକାଶିତ ହେଉଥିବା ପତ୍ରିକାଟି ହେଲା’ ‘ଉଦ୍ଭାସ’। ଏହା ମୁଖ୍ୟତଃ କବିତା ଆଧାରିତ ପତ୍ରିକାଟିଏ।
ସାହିତ୍ୟ ଚର୍ଚ୍ଚା – ଆପଣ ତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନେକ ସମ୍ମାନଜନକ ପୁରସ୍କାରର ବିଚାରକ ମଣ୍ଡଳୀରେ ଥିଲେ। ଏହି ଭୂମିକାରେ ଦାୟିତ୍ବ ତୁଲାଉଥିବା ବେଳେ କୌଣସି ସାହିତ୍ୟିକ କୃତି ସଂପର୍କରେ ନିଷ୍ପତ୍ତି ନେବାକୁ ଯାଇ ଆପଣ କେବେ ଦ୍ବନ୍ଦ୍ବରେ ପଡିଛନ୍ତି କି?
ପ୍ରତିଭା ଶତପଥୀ – ମୁଁ ଯେତିକି ବିଚାର ପ୍ରକ୍ରିୟାରେ ଭାଗ ନେଇଛି, ସେଥିରେ ଦ୍ବନ୍ଦ୍ବର ସମ୍ମୁଖୀନ ପ୍ରାୟ ହୋଇନାହିଁ। କାରଣ ମୁଁ ଯାହା ଠିକ୍ ବୋଲି ଭାବେ, ତାହାହିଁ କରେ – ସେଥିରେ ଦ୍ବନ୍ଦ୍ବ ନଥାଏ। ମନେକରନ୍ତୁ, କେନ୍ଦ୍ର ସାହିତ୍ୟ ଏକାଡେମୀର ଅନୁବାଦ ପୁରସ୍କାର। ନନ୍ଦିନୀ ଶତପଥୀ ସେ ବର୍ଷ ପୁରସ୍କାରଟି ପାଇଲେ। ମୁଁ ତା’ଙ୍କ ‘ରସିଦି ଟିକଟ’ ବହିଟିକୁ ସର୍ବୋଚ୍ଚ ସ୍ଥାନରେ ରଖି ସୁପାରିଶ କରିଥିଲି। କାରଣ ସେ ଜଣେ ଯୋଗ୍ୟ ଲେଖିକା। ଏଥିରେ ଦ୍ବନ୍ଦ୍ବ ନଥିଲା।

ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ରାଷ୍ଟ୍ରୀୟ କବୀର ସମ୍ମାନ ଗ୍ରହଣ କରୁଥିବା ଅବସରରେ କବୟିତ୍ରୀ ପ୍ରତିଭା ଶତପଥୀ ।

ସାହିତ୍ୟ ଚର୍ଚ୍ଚା – ଏହି ଯେ ଏତେ ରକମର ଏବଂ ଏତେ ସଂଖ୍ୟାର ପୁରସ୍କାର ସବୁ ଦିଆଯାଉଛି, ଏହା ସାହିତ୍ୟର ଉନ୍ନତତର ସର୍ଜନା ପାଇଁ କବି ଓ ଲେଖକମାନଙ୍କୁ ପ୍ରକୃତରେ ପ୍ରେରିତ କରେ କି?
ପ୍ରତିଭା ଶତପଥୀ – ଶୁଣନ୍ତୁ, କବି ବା ଲେଖକ, ଅର୍ଥାତ୍ ଯେ ସତ୍-କବି ବା ସତ୍-ଲେଖକ, ସେ ପୁରସ୍କାର ପାଇଁ ଲେଖେନାହିଁ, କି ତା’କୁ ଚାହିଁ ବସେନାହିଁ। କିନ୍ତୁ ଯଦି ପୁରସ୍କାରଟିଏ ମିଳିଲା, ସେ ନିଶ୍ଚୟ ଆନନ୍ଦିତ ଓ ଉତ୍ସାହିତ ହୁଏ। ସେ ଭାବେ ଯେ ତା’ର ବହି ଅନ୍ୟମାନଙ୍କର ପସନ୍ଦକୁ ଆସିଛି।
ସାହିତ୍ୟ ଚର୍ଚ୍ଚା – ଆପଣ ତ ପୋଷ୍ଟ-ମଡର୍ଣ୍ଣ ଓଡ଼ିଆ କବିତାକୁ ଚିହ୍ନିତ କରିବାରେ ଜଣେ ଅଗ୍ରଦୂତ ଥିଲେ। ଟିକିଏ କହନ୍ତୁ, ଆଗକୁ ଓଡ଼ିଆ କବିତା କିଭଳି ରୂପ ନେବାକୁ ଯାଉଛି?
ପ୍ରତିଭା ଶତପଥୀ – ଓଡିଆ କବିତାର ଯୁବ ସ୍ରଷ୍ଟାମାନେ ଏବେ ଟିକିଏ ସମାଜ ସଚେତନ ହୋଇଛନ୍ତି। ସେମାନେ ଯଦି ତାଙ୍କର ଯଶ-ଲିପ୍ସା ଛାଡ଼ି, ସ୍ବୀକୃତି ଓ ପୁରସ୍କାର ପାଇବାର କୌଶଳର ଅନୁସରଣ ଛାଡ଼ି, ଏବଂ ପ୍ରକୃତରେ ହୃଦୟ ଦେଇ ଲେଖିବେ ତେବେ ନିଶ୍ଚୟ ଭଲ ହେବ।
ସାହିତ୍ୟ ଚର୍ଚ୍ଚା– ତେବେ ଆପଣ କ’ଣ ଆଶାବାଦୀ ଯେ ଓଡ଼ିଆ କବିତା ଉନ୍ନତି ପଥରେ ଆହୁରି ଆଗେଇଯିବ?
ପ୍ରତିଭା ଶତପଥୀ – ହଁ, ମୁଁ ଆଶାବାଦୀ। କାରଣ ମଣିଷ ଯେତେଦିନ ବଂଚିଛି, ସେ କେବେହେଲେ କଳା, ସାହିତ୍ୟ, ସଂଗୀତକୁ ଛାଡ଼ିପାରିବନାହିଁ।
ସାହିତ୍ୟ ଚର୍ଚ୍ଚା – ଆଜିର ଏହି ସାର୍ଥକ ଆଳାପ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

One thought on “ବରିଷ୍ଠ କବୟିତ୍ରୀ ପ୍ରତିଭା ଶତପଥୀଙ୍କ ସହ ଏକ ସାରସ୍ବତ ଆଳାପ

  1. ସାକ୍ଷାତକାରର ଆଲୋଚନା ବହୁତ ହୃଦୟଗ୍ରାହୀ।କବୟିତ୍ରୀ ପ୍ରତିଭା ଶତପଥୀଙ୍କ ଉତ୍ତର ଆଢୁଆଳରେ ରହିଛି ଓଡ଼ିଆ ସାହିତ୍ୟର ଇତିହାସର ଚିତ୍ରପଟ, ତାଙ୍କ ଜୀବନ ଯନ୍ତ୍ରଣା ଓ ସାହିତ୍ୟିକ ପ୍ରତିଭାର ଉନ୍ମେଷର ଜୀବନ୍ତ ଦୃଶ୍ୟରାଜି। ବହୁତ ଭଲଲାଗିଲା ପ୍ରଖ୍ୟାତ କବୟିତ୍ରୀଙ୍କର ମନର କଥା ଓ ଗାଥା ଶୁଣି।ଧନ୍ୟବାଦ ନୀହାର ବାବୁ।

Leave a Reply

Your email address will not be published. Required fields are marked *