ସଂସାରରେ ପରିବର୍ତ୍ତନ ତ ଏକ ଚିରନ୍ତନ ପ୍ରକ୍ରିୟା। ଆମ ଭାଷା ଓ ସାହିତ୍ଯ ଏଥିରୁ ଅବା ବାଦ୍ ଯାଆନ୍ତା କିପରି! ଆପଣମାନେ ଲକ୍ଷ୍ୟ କରିଥିବେ, କିପରି ଆମର ଫେସବୁକ୍ ଓ ହ୍ବାଟସଆପ୍ ଭଳି ସାମାଜିକ ଗଣମାଧ୍ୟମମାନଙ୍କରେ ଏବେ ଭାବ ପ୍ରକାଶର ଗୋଟିଏ ବିଚିତ୍ର ମାଧ୍ୟମ ଧୀରେଧୀରେ ରୂପ ନେବାରେ ଲାଗିଛି। ଆମେ ଏଠାରେ ‘ଇମୋଜୀ’ ବୋଲି କୁହାଯାଉଥିବା ଶବ୍ଦ-ସୂଚକ କୁନିକୁନି ଚିତ୍ରମାନଙ୍କର କଥା କହୁଛୁ, ଯାହା ଏବେ ଏବେ ସର୍ବତ୍ର ତୀବ୍ର ବେଗରେ ବ୍ୟାପିବାରେ ହେବାରେ ଲାଗିଛି। ଏପରିକି କେତେକ ସ୍ଥଳେ ଏହା ଶବ୍ଦର ଏକ ବିକଳ୍ପ ଭାବରେ ମଧ୍ୟ ଉଭା ହେଲାଣି। ଏହାର ସର୍ବାଧିକ ଉପଯୋଗକର୍ତ୍ତା ହେଲେ ନୂତନ ପିଢ଼ିର ‘ନେଟିଜେନ୍’ମାନେ।
ସାଧାରଣ ଭାବ ପ୍ରକାଶର ଏକ ମାଧ୍ୟମ ଭାବରେ ଏହା କାୟା ବିସ୍ତାରିଥିଲେ ଅବା କିଛି କଥା ନଥିଲା, କିନ୍ତୁ ଆମର ଉଦବେଗର କାରଣ ହେଲା ଯେ ଏହା ଧୀରେ ଧୀରେ ସାହିତ୍ୟର ସଂସାରକୁ ମଧ୍ୟ ସଂକ୍ରମିତ କରିବା ଆରମ୍ଭ କରିଛି – ବିଶେଷତଃ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ତଥାକଥିତ ସାହିତ୍ୟରେ। ଏଠାରେ ଆମେ କେବଳ ଓଡ଼ିଆ ଭାଷା ଓ ସାହିତ୍ୟର କଥା କହୁନାହୁଁ, ବରଂ ବିଶ୍ବର ସମସ୍ତ ଭାଷାର ସାହିତ୍ଯରେ ମଧ୍ୟ ଏଥିଜନିତ ଦୁଃସ୍ଥିତି ଉଣା ଅଧିକେ ମୁଣ୍ଡ ଟେକିଛି।
ସାହିତ୍ୟର ମୂଳ ଆଧାର ହେଉଛି ଶବ୍ଦ। ଶବ୍ଦକୁ ନେଇହିଁ ଲେଖକଟିଏ ସୃଷ୍ଟିକରେ ସର୍ଜନାର ଉଆସ। କବି ନିଜର ଭାବନାକୁ ପ୍ରକାଶଯୋଗ୍ୟ ରୂପ ଦେବାପାଇଁ ଶବ୍ଦର ଆଶ୍ରୟ ନିଏ। ଆମ ସାହିତ୍ୟର ଆଦି ଯୁଗରୁ ନେଇ ଅଧୁନାତନ କାଳ ପର୍ଯ୍ୟନ୍ତ ସାହିତ୍ୟର ଜୟଯାତ୍ରା ଶବ୍ଦର ଅବର୍ତ୍ତମାନରେ ଯେ କେଉଁ ରୂପ ନେଇଥା’ନ୍ତା ତାହା କଳ୍ପନା କରାଯାଇନପାରେ। ବରଂ ଏପରି ସ୍ଥଳେ ଏହାର ସ୍ଥିତି ହିଁ ଅବଲୁପ୍ତ ହୋଇଥାଆନ୍ତା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
କିନ୍ତୁ ଆଜି ସେହି ବିଡମ୍ବନାଟିକୁ ସାକାର କରିବାପାଇଁ ଆମ ନବ୍ୟ ସାହିତ୍ୟକାରଙ୍କ ମଧ୍ୟରୁ କେତେକେ ଉଦ୍ୟତଥିବା ଦୃଷ୍ଟିକୁ ଆସେ। ତରୁଣ ଲେଖକଙ୍କ କଥା ଛାଡ଼ନ୍ତୁ, ଏପରିକି କେତେଜଣ ପ୍ରବୀଣ ସ୍ରଷ୍ଟା ମଧ୍ୟ, ନିଜ ରଚନାରେ ନ ହେଲେବି, ସାମାଜିକ ଗଣମାଧ୍ୟମରେ ପ୍ରକାଶ କରୁଥିବା ନିଜର ବାକ୍ୟଟିମାନଙ୍କରେ ଇମୋଜୀ ଚିହ୍ନ ବ୍ୟବହାର କରିବାକୁ ପଛାନ୍ତି ନାହିଁ; ଯେମିତିକି ‘ନମସ୍କାର’ ସ୍ଥାନରେ ଯୋଡ଼ହସ୍ତର ଚିହ୍ନ, କିମ୍ବା ‘ବଢ଼ିଆ’ ବୋଲି ଲେଖିବା ପରିବର୍ତ୍ତେ ମୁଷ୍ଟିବଦ୍ଧ ହସ୍ତରେ ଏକ ବୃଦ୍ଧାଙ୍ଗୁଳିର ଚିହ୍ନ।
ଏବେ ଆମ ଦୃଷ୍ଟିକୁ ଏଭଳି କେତେକ କବିତା ମଧ୍ୟ ଆସିଛି ଯେଉଁଥିରେ ଆମର କିଛି ଅତ୍ୟୁତ୍ସାହୀ କବି ନିଜ କବିତାରେ ଭାବ ପ୍ରକାଶ ପାଇଁ, ସଂପୂର୍ଣ୍ଣ ନହେଲେ ବି ଆଂଶିକ ଭାବରେ ଇମୋଜୀମାନଙ୍କର ଆଶ୍ରୟ ନେଉଛନ୍ତି। ଅବଶ୍ୟ ଏହା ଆମ ଭାଷାରେ ସେତେ ଅଧିକ ଭାବରେ ପରିବ୍ୟାପ୍ତ ନୁହେଁ, ଯେଭଳି ଘଟିଛି ଇଂରାଜୀ ସାହିତ୍ୟରେ। କେତେକ ବିଦେଶୀ ଭାଷାରେ ତ ‘ଇମୋଜୀ କବିତା’ ବୋଲି ଏକ ନୂଆ ଜେନର୍ ମଧ୍ୟ ସୃଷ୍ଟି ହୋଇଗଲାଣି।
ଆମର କହିବାର କଥା, ସର୍ବତ୍ର ଇମୋଜୀ ନିଜର କାୟା ବିସ୍ତାର କରୁଥାଉ ପଛେ, ଅନ୍ତତଃ ଆମ ସାହିତ୍ୟ ଜଗତ ଏଥିରୁ ବିରତ ରହୁ। କାରଣ ଶବ୍ଦହିଁ ସାହିତ୍ୟିକର ଉପଜୀବ୍ୟ। ଏହାକୁ ବର୍ଜିତ ହେଲେ ସାହିତ୍ୟର ମୂଳ ସ୍ବରୂପ ହିଁ ବିପର୍ଯ୍ୟସ୍ତ ହେବ। ଅବଶ୍ୟ ‘ଇମୋଜୀ’ର ଅନୁପ୍ରବେଶ ବର୍ତ୍ତମାନ ଆମ ସାହିତ୍ୟ ଜଗତରେ ଅତି ପ୍ରାରମ୍ଭିକ ସ୍ତରରେ ଅଛି। କିନ୍ତୁ ବେଳହୁଁ ସତର୍କ ନ ହେଲେ ଏହି ବ୍ୟାଧିଟି ଯେ ଦିନେ ସାହିତ୍ୟର ସତ୍ତାକୁ ବିପନ୍ନ ନ କରିବ, ସେକଥା କିଏ କହିବ?
ନିହାର ଶତପଥୀ
This is a very good exposition of a new trend which ,as it looks, is counterproductive for healthy literature. Emojis are useful in digital messages or informal exchanges , but they should not gatecrash into scripts of prose or poetry . This article is timely and useful . I hope emoji users will see this.The accompanying cartoon is a nice spoof.
Incidentally, I love emojis but want to keep them where they deserve to be.
ଶବ୍ଦ ହିଁ ସାହିତ୍ୟର ମହାର୍ଘ ଅଳଙ୍କାର।ଇମୋଜୀ ଅନୁପ୍ରବେଶ କରି ସାହିତ୍ୟର ସରୋବରକୁ କଳୁଷିତ କରିଦେବ।ଠିକ୍ ସମୟରେ ଏହା ବିରୋଧରେ ସ୍ବର ଉତ୍ତୋଳନ କରି ସଂପାଦକ ନୀହାର ବାବୁ ଓଡ଼ିଆ ସାହିତ୍ୟକୁ କଳୁଷମୁକ୍ତ କରିବାକୁ କରିଛନ୍ତି ଅନବଦ୍ଯ ପ୍ରଚେଷ୍ଟା।ଉଦ୍ୟମ ପାଇଁ ଅଭିନନ୍ଦନ।