- ଗୋଟାଏ ଦେଖିଥିବା ଲୋକ ଆଉ ଗୋଟାଏ ଅଦେଖା ଲୋକକୁ ମୁଁ ବାରମ୍ବାର ଖୋଜି ହେଉଛି। ବୋଧହୁଏ ଶେଷ ନିଶ୍ୱାସ ଯାଏଁ ମୁଁ ସେ ଦୁଇ ଜଣଙ୍କୁ ଖୋଜି ହେଉଥିବି।
ବାହାରର କିଛି ବକ୍ତବ୍ୟ :
ଲୋକଟି ବସିଥିଲା ଗୋଟିଏ ବନ୍ଦ ଦୋକାନ ସମ୍ମୁଖରେ। ସମୟ ପାଖାପାଖି ସକାଳ ସାଢ଼େ ନଅଟା। ଲୋକଟି ଏକ ୱେଲ୍ଡିଙ୍ଗ ଦୋକାନରେ କାମ କରେ ବୋଲି ମୁଁ ଜାଣିଛି। ଗଲା ଆସିଲା ବେଳେ ତାକୁ ଏଠି କାମ କରୁଥିବା ମୁଁ ଦେଖିଚି। ସବୁ ଦିନ ଏଇ ବାଟ ଦେଇ ଅଫିସ୍ ଗଲା ବେଳେ କେତେବେଳେ କେମିତି ତା’ ଉପରେ ମୋର ନଜର ପଡିଯାଏ। କେତେବେଳେ ୱେଲଡିଙ୍ଗ କରୁଥିବ ତ କେତେବେଳେ ଆଉ କିଛି କାମ କରୁଥିବ। ସବୁବେଳେ ସେ ଚଳଚଞ୍ଚଳ। ଆଜି କିନ୍ତୁ ସେ ସ୍ଥାଣୁ ହୋଇ ବନ୍ଦ ଦୋକାନର ସଟର୍ ଆଗରେ ସାମ୍ନା ରାସ୍ତାକୁ ଚାହିଁ ବସି ରହିଚି। ତା’ ଆଖିରୁ ମୁଁ ଯାହା ଅନୁମାନ କଲି, ସେ ବୋଧହୁଏ ଦୋକାନ ଖୋଲା ହେବାକୁ ଅପେକ୍ଷା କରୁଚି। ତା ଚେହେରାରେ ଗୋଟାଏ ଅଜବ ଉଦାସର ଭସା ବାଦଲ ଭାସି ବୁଲୁଥିଲା। ଆଖିରେ ଗଭୀର ଯନ୍ତ୍ରଣାର ଚିହ୍ନକୁ ସେ ଲୁଚାଇ ପାରୁନଥିଲା। ତା ଚେହେରାରେ ଆଜି କିଛି ଏମିତି କିଛି ଥିଲା, ଯାହା ଥିଲା ସବୁ ଦିନଠାରୁ ଭିନ୍ନ। ତାକୁ ଦେଖିବା କ୍ଷଣି କାହିଁକି କେଜାଣି ଆଜି ମୋ ମେରୁଦଣ୍ଡ ଦେଇ ଗୋଟିଏ ଶୀତଳ ଲହରଟେ ପ୍ରବାହିତ ହୋଇଗଲା। କାହିଁକି ତା ଚେହେରାରେ ଧ୍ୱସ୍ତ, ବିକ୍ଷିପ୍ତ ଓ ପରାଜିତ ହେବାର ଏ ଭାବ? କଣ ହେଇଚି ତାର? ପୁରା ଦିନଟି ସାରା ତା’ କଥା ମୋ ମସ୍ତିଷ୍କକୁ ଆକ୍ରାନ୍ତ କରି ରଖିଲା।
ଲୋକଟି କାମ କରେ ଗୋଟାଏ ଗ୍ୟାରେଜ୍, ନୁମା ୱେଲଡିଙ୍ଗ ଦୋକାନରେ। ଅତି ପୁରୁଣା ମଳିଛିଆ ଗନ ବୁଟ ପିନ୍ଧି ଲୁହା ସହିତ, ନିଆଁ ସହିତ ଯୁଝୁଥାଏ ଅହରହ। ତା’ କଠୋର ମୁହଁରୁ ଝାଳ ଥପ୍ଥପ୍ ନିଗିଡି ପଡୁଥିବ। ସେ ତା କାନ୍ଧକୁ ଟିକେ ଉପରକୁ ଟେକି ନେଇ ମୁହଁକୁ ସେଥିରେ ପୋଛିନେଇ ଏକାତ୍ମ ହୋଇ କାମରେ ମାତିଥିବ। ତାର ଏଇ ନିତିଦିନିଆ ଜୀବନ ଯୁଦ୍ଧ ମୋତେ ଖୁବ୍ ଆକର୍ଷିତ କରେ। ତାର ନିଜ କାମ ପ୍ରତି ଏପରି ଉତ୍ସର୍ଗୀକୃତ ମନୋଭାବ ମୋ ସମୟରେ ମୁଁ କମ୍ ଦେଖିଛି। ତେଣୁ ତା ପ୍ରତି ଗୋଟିଏ ପ୍ରକାର ଭକ୍ତି ଭାବ ଅଙ୍କୁରିତ ହେଉଥାଏ ମୋ ଭିତରେ।
ଫ୍ଲାସ୍ବ୍ୟାକ୍ :
କାଲି ରାତିରେ ଦୋକାନ ବନ୍ଦ କରି ସେ ମାଲିକ ହାତକୁ ଚାବି ବଢ଼ାଇ ଦେଲା। ମାଲିକ କହିଲା ସକାଳେ ଟିକେ ଜଲ୍ଦି ପଳେଇ ଆସିବୁ। ଗୋଟେ ବଡ ଅର୍ଡର ଅଛି। କାମ କରି କରି ଅବଶ ହୋଇପଡିଥିବା ଲୋକଟି କହିଲା ହଁ ଆଜ୍ଞା। ଆଉ ଘରକୁ ଚାଲିଗଲା। ଘରେ ଅପେକ୍ଷା କରିଥିଲେ ପିଲାଛୁଆ ଓ ସ୍ତ୍ରୀ। ଘରେ ନପଶୁଣୁ ଗୋଟାଏ ଶୀତଳ ନୀରବତା ତାକୁ ଆକ୍ରାନ୍ତ କଲା। ଝିଅର ସ୍କୁଲରୁ ନୋଟିସ୍ ଆସିଚି କାଲି ଯେମିତି ହେଲେ ସ୍କୁଲ ଫି ଦାଖଲ କରିବାକୁ ହେବ। ନ ହେଲେ ନାଁ କଟିଯିବ। ପୁଅକୁ ପ୍ରବଳ କାଶ ହେଉଚି। ସମ୍ଭାଳି ପାରୁନି। ହଠାତ୍ ସଂଧ୍ୟାରୁ ଯାହା କାଶ ଆରମ୍ଭ ହେଇଚି ଯେ ଆଉ ଥମିବାର ନାଁ ନେଉନି। ଲୋକଟି ହାତକୁ ପାଣି ଗ୍ଲାସ୍ ବଢ଼ାଇ ଦେଉ ଦେଉ ସ୍ତ୍ରୀ ଅତି କୋମଳ ଅଥଚ ହତାଶର କଣ୍ଠରେ କହିଲେ- ଘରେ କିଛି ବୋଲି କିଛି ନାହିଁ। କାଲିଟିକେ କିଛି ନେଇ ଆସ। ତା ପରେ କେହି କିଛି କହିଲେ ନି। କିଛି ସମୟ ଧରି ଏକ ଭୟଙ୍କର ନିରବତା ଖେଳିଗଲା ଘର ଭିତରେ। ତା’ ଭିତରେ ଶୁଭିଲା କେଇଟି ମିଳିତ ନିଶ୍ୱାସ ପ୍ରଶ୍ୱାସର ସ୍ୱର। ସତେ ଯେମିତି ଅସହାୟତାର ଝଡଟିଏ ଖେଳି ବୁଲୁଚି ଘର ଭିତରେ।
ପୁଅର କାଶରେ ପ୍ରକୃତିସ୍ଥ ହେଲା ଲୋକଟି। ଦୀର୍ଘ ଶ୍ୱାସଟିଏ ଛାଡି କହିଲା- ଆଜି ତ ଆଉ କିଛି କହିପାରିବନି। କାଲି ମାଲିକଙ୍କୁ କହି କିଛି ଆଡଭାନ୍ସ ଆଣିଲେ ଯାଇ ଯାହା ହେବ। ୟା ପରେ ଆଉ କେହି କିଛି କଥା ହେଲେନି।
ଲୋକଟି ଆଗରୁ ଅନେକ ଥର ଏମିତି ଆଡଭାନ୍ସ ଆଣିଛି ଓ ସେ ସମୟରେ ଘରେ ଉଠିଥିବା ଅଣଚାଷ ପବନକୁ କିଛିକାଂଶରେ ପ୍ରଶମିତ କରିବାରେ ସଫଳ ହୋଇଛି। ଲୋକଟି ସକାଳର ଅପେକ୍ଷାରେ ରାତିଟିକୁ କିଭଳି ବିତାଇ ଥିବ ତାହା ଅନୁମେୟ।
ଫ୍ଲାସ୍ବ୍ୟାକ୍ ଭିତରେ ଫ୍ଲାସ୍ବ୍ୟାକ୍ :
କାଲି ରାତିରେ ଦୋକାନ ବନ୍ଦ ପରେ ଲୋକଟି ହାତରୁ ଚାବି ନେଇ ମାଲିକଟି ପକେଟରେ ରଖିଲା ଓ ସିଧା ଘରକୁ ଚାଲିଲା। ମାଲିକକୁ କିନ୍ତୁ ଘରେ ଅପେକ୍ଷା କରି ରହିଥିଲା ଗୋଟାଏ ଅନ୍ଧାରି ଅଘଟଣ। ତା ଭାଗ୍ୟ ଆକାଶରେ ଖଣ୍ଡି ଉଡା ଦେଉଥିଲେ କାଳ ଛଞ୍ଚାଣ। ସେ ଘରେ ନପଶୁଣୁ ତା ପଛେପଛେ ଧଡ୍ଧାଡ୍ ହୋଇ ପଶିଯାଇଥିଲେ କେତେଜଣ ପୋଲିସ। ତାକୁ ଗିରଫ କରିଥିଲେ ସଙ୍ଗେ ସଙ୍ଗେ। ଦୁଇ ଦୁଇଟି ଅପରାଧ। ମାଲିକଟି କାହାକୁ ଗୋଟାଏ ଚେକ୍ ଦେଇ ଥିଲା। କିନ୍ତୁ ଚେକ୍ ବାଉନ୍ସ ହୋଇଯାଇଥିଲା। ତେଣୁ ତା ନାଁରେ ଏତଲା ଦେଇଥିଲା ଚେକ୍ ନେଇଥିବା ଲୋକଟି। ସେପଟେ ବ୍ୟାଙ୍କର ଋଣ ଖିଲାପି ଓ କୋର୍ଟର ବାରମ୍ବାର ନୋଟିସ ସତ୍ତ୍ୱେ ମାଲିକଟି ହାଜର ନ ହେବାରୁ ତା ନାଁରେ ବାହାରି ଥିଲା ୱାରେଣ୍ଟ। ମାଲିକଟି କିଛି ବୁଝିବା ଆଗରୁ ତାକୁ ଜୋର କରି ଧରି ନେଇଥିଲେ ଦୁଇଟା କନେଷ୍ଟବଲ।
ମାଲିକଟି ଅନେକ ସଫେଇ ଦେଲା। ନୋଟିସ୍ ପାଇନଥିବା ଜଣାଇଲା। ଟଙ୍କା ଯୋଗାଡ କରୁଛି ବୋଲି କହିଲା। ଠକିବା ତାର ପ୍ରବୃତ୍ତ ନୁହେଁ ବୋଲି କହି କାକୁତିମିନତି ହେଲା। ସେ ବେପାର କରୁଛି। ବିଭିନ୍ନ ସମସ୍ୟା ପାଇଁ ସେ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ତେଣୁ ବ୍ୟାଙ୍କ କିସ୍ତି ଦେଇ ପାରିନି ବୋଲି ବୁଝାଇଲା।
କିନ୍ତୁ ତାର ଆକୁଳ ବିନତି, ତାର ସତ୍ୟର ଆର୍ତ୍ତନାଦ ନିଷ୍ପଳ ହେବାରେ ଲାଗିଲା। ମାଲିକଟି କହି ଚାଲିଲା- ଆଜ୍ଞା ମୋତେ ନିଅନ୍ତୁନି। ଦୋକାନକୁ ସିଲ୍ କରନ୍ତୁନି। କେବଳ ମୋ ପରିବାର ନୁହେଁ। ଆହୁରି ଚାରୋଟି ପରିବାର ଏଇ ଛୋଟ ଦୋକାନ ଉପରେ ନିର୍ଭରଶୀଳ। ଆଜ୍ଞା, ପାଞ୍ଚ ପାଞ୍ଚଟି ପରିବାର ଭାସିଯିବେ, ଆଜ୍ଞା। ଦୟା କରନ୍ତୁ। ଟିକେ ସମୟ ଦିଅନ୍ତୁ। ପୋଲିସ ସେ ଆଡକୁ ଧ୍ୟାନ ମଧ୍ୟ ଦେଲା ନାହିଁ। ତାଙ୍କ କାମ ଅପରାଧୀଙ୍କୁ ଗିରଫ କରିବା। ନ୍ୟାୟ ଦେବା ନୁହେଁ। ସେ କାମ କୋର୍ଟର। ଏହା କହି ମାଲିକକୁ ଭ୍ୟାନରେ ବସାଇ ପୋଲିସ ଦଳ ଫେରିଗଲେ। ମାଲିକଟିର ରାତିଟି କଟିଲା ଥାନାର ହାଜତରେ।
ବକ୍ତବ୍ୟର ଆଉ କିଛି ଅଂଶ :
ଶୀଘ୍ର ଦୋକାନରେ ପହଂଚିବା ପାଇଁ ଆଜି ବେଶ ଭୋରରୁ ଘରୁ ବାହାରିଥିଲା ଲୋକଟି। ଟାଉନ ବସ୍ ଧରି ପହଞ୍ଚିଥିଲା ଦୋକାନ ଆଗରେ। ଦୋକାନ ଏଯାଏଁ ଖୋଲିନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲା। ଲୋକଟି ତା’ପରେ ଦୋକାନ ଆଗରେ ଲଥ୍ କରି ବସିପଡି କେବଳ ଚାହିଁ ରହିଥିଲା ରାସ୍ତାକୁ, ଶୂନ୍ୟକୁ। ମାଲିକ ଏଇ ଆସିଯିବେ ବୋଧେ। ଆଉ ୟା ଭିତରେ ସମୟ ଆଗକୁ ଆଗକୁ ବଢ଼ୁଥିଲା ଅତି ଧୀମା ଗତିରେ। ଅପେକ୍ଷାର ସମୟ, କ୍ରମେ ଅଧୈର୍ଯ୍ୟତା ଭିତରେ ଆଗକୁ ବଢ଼ୁଥିଲା। ଆଶା ଓ ଅପେକ୍ଷାର କୁହୁଡି ଭିତରେ ଆଶଙ୍କାର ବରଫ ଅଧିକରୁ ଅଧିକ ଜମାଟ ବାନ୍ଧିବାରେ ଲାଗିଥିଲା।
ବକ୍ତବ୍ୟର ଭିତରକୁ :
ଅଫିସ୍ରେ ମୁଁ କାମରେ ବ୍ୟସ୍ତ ରହିଲେ ବି ଲୋକଟି କିନ୍ତୁ ସବାର ଥିଲା ମୋ ମୁଣ୍ଡ ଭିତରେ। ଅଫିସ୍ ସାରି ଫେରିବା ବେଳେ ଦେଖିଲି ଦୋକାନଟି କେବଳ ବନ୍ଦ ନାହିଁ। ଦୋକାନଟିକୁ ସିଲ୍ ମଧ୍ୟ କରିଦିଆଯାଇଛି। କିନ୍ତୁ ଲୋକଟିକୁ ମୁଁ ସେଠାରେ ପାଇଲିନି। କଣ ହେଲା ତାର? କଣ କରିଥିବ ଲୋକଟି। କୁଆଡେ ଯାଇଥିବ?
ସେଇ ପାଖରେ ଥିବା ଗୋଟାଏ ଚା ଦୋକାନକୁ ଗଲି। ଚା ପିଇଲି। ସିଗାରେଟ୍ ପିଇଲି। ଆଉ ତାରି ଭିତରେ ଉପରେ ଯାହା ସବୁ ବର୍ଣ୍ଣନା କରିଚି ସେଇ କଥା ସବୁ ଖଣ୍ଡିତାଂଶରେ ସଂଗ୍ରହ କଲି।
ଏବେ ବି ମୁଁ ସେଇ ବାଟରେ ଅଫିସ୍କୁ ଯାଏ ଆଉ ଫେରେ। ଇତି ମଧ୍ୟରେ ଦୋକାନଟି ଖୋଲିଚି। ତେବେ ସେ ପୁରୁଣା ମାଲିକ ନୁହେଁ। କିଏ ଜଣେ ନୂଆ ମାଲିକ। ନୂଆ ବେପାର। ଏବେ ଏଠି କାଠର ଫର୍ଣ୍ଣିଚର ତିଆରି ହେଉଚି। ଅବଶ୍ୟ ମୁଁ କେବେ ବି ଆଉ ପୁରୁଣା ମାଲିକକୁ ଦେଖି ନାହିଁ। ଦୋକାନଟିକୁ ଯେ ଆଉ ଜଣେ କିଏ ନେଇଚି ସେ ତଥ୍ୟ ମଧ୍ୟ ମୁଁ ସେଇ ପାଖ ଚାହା ଦୋକାନରୁ ପାଇଚି।
ବେଳେବେଳେ ଅଫିସ୍ ଗଲାବେଳେ ଓ ଫେରିଲା ବେଳେ ମୁଁ ସେ ଦୋକାନ ଆଡକୁ ଚାହେଁ ଭରପୂର ଆଶା ନେଇ ଅନାଏ। ନା- ମୁଁ ଆଉ କେବେ ବି ସେ ଲୋକଟିକୁ ଦେଖିବାକୁ ପାଏନି। ଅନେକ ସମୟରେ ଭାବେ ସେ ଲୋକଟିକୁ ମୁଁ କେଇ ମାତ୍ର ତ ଦେଖିଛି। ତେଣୁ ସେ କେବେକେବେ ମୋର ମନେ ପଡିଯାଉଛି। ହେଲେ ମୁଁ ତା ମାଲିକକୁ ତ କେବେ ବି ଦେଖିନାହିଁ। ସେ କାହିଁକି ମୋର ମନେ ପଡୁଛି?
ଗୋଟାଏ ଦେଖିଥିବା ଲୋକ ଆଉ ଗୋଟାଏ ଅଦେଖା ଲୋକକୁ ମୁଁ ବାରମ୍ବାର ଖୋଜି ହେଉଛି। ବୋଧହୁଏ ଶେଷ ନିଶ୍ୱାସ ଯାଏଁ ମୁଁ ସେ ଦୁଇ ଜଣଙ୍କୁ ଖୋଜି ହେଉଥିବି। ଏବେ ବି ଦୋକାନ ବାଟ ଦେଇ ଗଲାବେଳେ ସେ ଲୋକଟିର ଶୂନ୍ୟତା ମୋତେ ଆବୋରି ବସେ। ଲୋକଟିର ଶୂନ୍ୟ ଆକୃତି ମତେ ବିବ୍ରତ କରିପକାଏ। ଶୂନ୍ୟ ଲୋକଟିର ଓ ଅଦୃଶ୍ୟ ମାଲିକଟିର ମଳିନ ଓ ଝାଉଁଳି ପଡିଥିବା କାଳ୍ପନିକ ଚେହେରା ବିଜୁଳି ଚମକିବା ଭଳି ମୋ ମନ ଆକାଶରେ କ୍ଷଣିକ ପାଇଁ ଭାସିଉଠେ। ମୋ ମନ ଭିତରେ ଖେଳିବୁଲୁଥିବା ବିଜୁଳି ଓ ଘଡଘଡିର ପ୍ରଚଣ୍ଡ ଶବ୍ଦ ମୋତେ ଅଥୟ, ବିବ୍ରତ ଓ ଅସହାୟ କରିଦିଏ। ମୋ ହୃଦୟ ଗୁମରି ଗୁମରି କାନ୍ଦେ। ନିରନ୍ତର ଅଦୃଶ୍ୟ ଲୁହ କ୍ଷରିତ ହୁଏ ଛାତିର ଗୋଟିଏ କୋଣରେ। ମୁଁ ଭିତରେ ଭିତରେ ଓଦା ହୋଇଯାଏ। ଓଦା ହେଉଥାଏ।
ବାସ୍ତବରେ ମନଛୁଆଁ ଗପଟି ହୋଇଛି। ଧନ୍ୟବାଦ।
ଅତି ସୁନ୍ଦର ହୃଦୟ କୁ ଛୁଇଁଲା ଗଳ୍ପ ଟି।ବହୁତ ଭଲ ଲାଗିଲା।ଧନ୍ୟବାଦ।
Beautiful